ଭୁବନେଶ୍ବର : ତୁହାକୁ ତୁହା ଭିଜୁଛି ଓଡ଼ିଶା । ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି । ଲଘୁଚାପ ଧୀରେ ଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ଆସନ୍ତା ୨୪ ଘଣ୍ଟାରେ ଅଧିକ ଘନୀଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଆଜି ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଏଥିସହ ସାରା ଓଡ଼ିଶାରେ ବି ବର୍ଷା ସମ୍ଭାବନା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହିଭଳି ରାଜ୍ୟରେ ୩୦ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆସନ୍ତା ୩୦ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ପ୍ରବେଶ ନିଷେଧ କରାଯାଇଛି।
ବନ୍ୟା ବଢାଇଛି ଦୁର୍ଦ୍ଦଶା, ବିପନ୍ନଙ୍କୁ ଘାରିଛି ଖାଇବା ଓ ରହିବା ଚିନ୍ତା
ନନ୍ଦିଘୋଷ ବ୍ୟୁରୋ : ବନ୍ୟା ବଢାଇଛି ଦୁର୍ଦ୍ଦଶା । ବିପନ୍ନଙ୍କୁ ଘାରିଛି ଖାଇବା ଓ ରହିବା ଚିନ୍ତା। ଯାଜପୁରର ଦଶରଥପୁରରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ବଢ଼ିଛି ଲୋକଙ୍କ ସମସ୍ୟା । କାଣୀ ନଦୀ ଯୋଗୁଁ ମଲ୍ଲିକାପୁର ଏବଂ କସାପା ପଞ୍ଚାୟତର ୧୫ରୁ ଅଧିକ ଗାଁ ପାଣିଘେରରେ ରହିଛି। ଗାଁରୁ ପାଣି ଛାଡିଥିଲେ ମଧ୍ୟ ଘରେ ମାଟି କାଦୁଅ ଭର୍ତ୍ତି ହୋଇ ଜୀବନଯାତ୍ରା ସ୍ବାଭାବିକ ହୋଇପାରିନି। ଧିରେ ଧିରେ ଆଶ୍ରୟସ୍ଥଳୀରୁ ଘରକୁ ଫେରୁଛନ୍ତି ବିପନ୍ନ ପରିବାର । ରାସ୍ତାରୁ ପାଣି ଛାଡିଥିବାରୁ ଲୋକମାନେ ଯାତାୟାତ କରିପାରୁଛନ୍ତି । ତେଣେ ବିପନ୍ନ ପରିବାରଙ୍କ ପଟ୍ଟା ପାଉତି, କବଲା ଓ ବ୍ୟାଙ୍କ କାଗଜପତ୍ର ଆଦି ଦରକାରୀ କାଗଜପତ୍ର, ସୁନାଗହଣା ଓ ଅନ୍ୟାନ୍ୟ ଜିନିଷପତ୍ର ବନ୍ୟାଜଳରେ ଭାସିଯାଇଛି । ଘରେ ଥିବା ଗାଡି ଓ ସାଇକେଲ ବି କାଦୁଅରେ ପୋତି ହୋଇଯାଇଛି। ପ୍ରାୟ ଅଧିକାଂଶ ଜିନିଷପତ୍ର ଧୋଇ ହୋଇ ନଷ୍ଟ ହୋଇଯାଇଛି । ଖାଦ୍ୟଶସ୍ୟ, ଆସବାସପତ୍ର ଆଦି ସବୁ କିଛି ଭସେଇ ନେଇଛି ବନ୍ୟା। ଏଭଳିସ୍ଥିତିରେ ଦୁଃଖ ଆଉ କୋହ ସମ୍ଭାଳି ପାରୁନାହାନ୍ତି ବିପନ୍ନ । ଏବେ କେବଳ ସରକାରୀ ସହାୟତା ହିଁ ବନ୍ୟା ବିପନ୍ନଙ୍କ ପାଇଁ ଏକମାତ୍ର ସାହା ଭରସା। ସେପଟେ ଭଦ୍ରକରେ ବି ସ୍ଥିତି ସମାନ। ଗତକାଲି ଭଣ୍ଡାରିପୋଖରୀ ବ୍ଲକର ପ୍ରଭାବିତ ପଞ୍ଚାୟତ ଗୁଡିକରେ ପାଣି କମିଥିବା ବେଳେ, ଆଜି ଧାମନଗର ବ୍ଲକର ପ୍ରଭାବିତ ପଞ୍ଚାୟତରେ ପାଣି କମିବାରେ ଲାଗିଛି। ଧାମନଗରର ହସନାବାଦ, ଅର୍ଜୁନପୁର ଓ ପ୍ରଧାନୀ ପଞ୍ଚାୟତର ୧୨ଟି ଗାଁର ସ୍ଥିତିରେ ଆସିଛି ସୁଧାର। ହେଲେ ବାହ୍ୟ ଜଗତରୁ ୪ ଦିନ ହେବ ବିଛିନ୍ନ ହୋଇ ରହିଥିବା, ଏହି ୩ ପଞ୍ଚାୟତକୁ ଆଜି ବି ସଂପୂର୍ଣ୍ଣ ଯାତାୟାତ ସମ୍ଭବ ହୋଇପାରିନାହିଁ। ଧୂଷୁରୀରୁ ସଂଯୋଗ ପ୍ରମୁଖ ରାସ୍ତା ଗୁଡିକରେ ବନ୍ୟାଜଳ ପ୍ରବାହିତ ହେଉଛି। ଅନ୍ୟପଟେ ଧାମନଗର ଚାନ୍ଦବାଲିର ହଜାର ହଜାର ହେକ୍ଟର ଜମିରେ ଏବେ ବି ବନ୍ୟା ଜଳ ଲହଡ଼ି ମାରୁଛି। ଯାହା ଧାନ ଚାଷକୁ ସଂପୂର୍ଣ୍ଣ ପ୍ରଭାବିତ କରିଛି।
ମହାନଦୀ ଜଳ ବିବାଦର ସମାଧାନ ପାଇଁ ଆଜି ବସିବ ଗୋଲ ଟେବୁଲ ବୈଠକ
ଭୁବନେଶ୍ବର : ମହାନଦୀ ଜଳ ବିବାଦର ସମାଧାନ ପାଇଁ ଆଜି ବସିବ ଗୋଲ ଟେବୁଲ ବୈଠକ। ମହାନଦୀ ବଞ୍ଚାଅ ଆନ୍ଦୋଳନ ଛତିଶଗଡ଼ର ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ସହ ଆଲୋଚନା କରିବ। ଆସନ୍ତାକାଲି ଛତିଶଗଡ ସରକାର ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ହକ ପାଇଁ ୮ ବର୍ଷ ଧରି ଓଡ଼ିଶା ଲଢ଼ୁଛି। ମହାନଦୀ ବଞ୍ଚାଅ ଆନ୍ଦୋଳନର ଯୁକ୍ତି ଅନୁସାରେ ଦୁଇ ସରକାର ଭିତରେ ଜଳ ସମାଧାନ ସମ୍ଭବ ନୁହେଁ। ମହାନଦୀ ସହ ଜଡ଼ିତ ପ୍ରତ୍ୟେକ ଅଂଶୀଦାର ବା ଷ୍ଟେକ୍ ହୋଲାଡରଙ୍କ ସହ ଆଲୋଚନା କରାଯାଇ ସମାଧାନର ବାଟ କଢ଼ାଯିବ। ମହାନଦୀର ୧ ଲକ୍ଷ ୪୧ ହଜାର ବେସିନ ଏରିଆ ରହିଛି। ଏହା କିପରି ସୁରକ୍ଷିତ ରହିବ, ସେନେଇ ମଧ୍ୟ ସର୍ବସମ୍ମତି କ୍ରମେ ଆଲୋଚନା ପାଇଁ ଏହି ବୈଠକ ବେଶ ଗୁରୁତ୍ବପୂର୍ଣ୍ଣ ବୋଲି ମହାନଦୀ ବଞ୍ଚାଅ ଅଭିଯାନର ଆବାହକ ସୁଦର୍ଶନ ଦାସ କହିଛନ୍ତି ।
ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ
ନନ୍ଦିଘୋଷ ବ୍ୟୁରୋ ; ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଚଳଚଞ୍ଚଳ ପଶ୍ଚିମ ଓଡ଼ିଶାର ଗାଁଠୁ ସହର। ନୀତି ନିର୍ଘଣ୍ଟ ଅନୁସାରେ ମା’ସମଲେଶ୍ବରୀଙ୍କ ଠାରେ ଲାଗି ହେବ ନବାନ୍ନ । ଏହା ପରେ ମାଆଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ। ମୁଖ୍ୟ ପୂଜକ ସହ ୪ ପୂଜକଙ୍କ ଘରୁ ନୂଆଁ ଆସିଲା ପରେ ଲାଗି ହେବ ନବାନ୍ନ। ଏହାପରେ ଘରେ ଘରେ ନୂଆ ଖାଇବେ ପଶ୍ଚିମ ଓଡିଶା ବାସୀ । ପ୍ରଥମେ ମା ସମଲେଶ୍ବରୀଙ୍କ ମନ୍ଦିରରୁ ମାଙ୍କ ଭୋଗ ନେବା ପରେ ସପରିବାର ଖାଇବେ ନୂଆଁ ।ପରେ ବଡଙ୍କ ଆଶୀର୍ବାଦ ନେବେ ସାନ। ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଛି ଭେଟଘାଟ କାର୍ଯ୍ୟକ୍ରମ। ର୍ପୂବରୁ ଦୂରଦୁରାନ୍ତରେ ରହିଥିବା ପରିବାର ସଦସ୍ୟ ଓ ସମ୍ପର୍କୀୟ ନୂଆଖାଇ ପାଇଁ ଘରେ ପହଞ୍ଚିସାରିଛନ୍ତି। ସେପଟେ ପଶ୍ଚିମ ଓଡ଼ିଶାବାସୀଙ୍କୁ ନୂଆ ଖାଇ ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।
ଲାଞ୍ଚଖୋର ଆସିଷ୍ଟାଣ୍ଟ ଟାକ୍ସ କମିସନର ସରିତା ବାରିକ ଗିରଫ
ନନ୍ଦିଘୋଷ ବ୍ୟୁରୋ : ଲାଞ୍ଚଖୋର ଆସିଷ୍ଟାଣ୍ଟ ଟାକ୍ସ କମିସନର ସରିତା ବାରିକଙ୍କୁ ଗିରଫ କଲା ଭିଜିଲାନ୍ସ। ଗିରଫ ପରେ ତାଙ୍କୁ କୋର୍ଟଚାଲାଣ କରାଯାଇଛି। ଚଢ଼ାଉ ବେଳେ ସରିତା ବାରିକଙ୍କ ଘରୁ ଭିଜିଲାନ୍ସ ନଗଦ ୧ ଲକ୍ଷ ୪୫ ହଜାର ଟଙ୍କା, ୬୦ ଲକ୍ଷ ଟଙ୍କାର ସ୍ଥାୟୀ ଜମା ଏବଂ ୨୨୨ ଗ୍ରାମ୍ ସୁନା ଜବତ କରିଛି ଭିଜିଲାନ୍ସ ଟିମ୍। ଗତକାଲି ରାତିରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଜଣେ ବ୍ୟବସାୟୀଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ରଙ୍ଗେହାତ ଧରିଥିଲା । ୟୁନିଟ ୪ ମଧୁସୂଦନ ନଗର ସ୍ଥିତ ଭଡାଘରେ ଏହି କାରବାର ବେଳେ ଧରିଥିଲା ଭିଜିଲାନ୍ସ । ଜଣେ ବେକେରି ମାଲିକଙ୍କ ଉପରେ ଲାଗିଥିବା ଜରିମାନା ରଫାଦଫା କରିବା ପାଇଁ ସରିତା ବାରିକ ଲାଞ୍ଚ ମାଗିଥିଲେ। ଏନେଇ ଅଭିଯୋଗକାରୀ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଏ ନେଇ ସୂଚନା ଦେଇଛନ୍ତି ଭିଜିଲାନ୍ସ ଭୁବନେଶ୍ୱର ଡିଭିଜନ ଏସପି ସରୋଜ ସାମଲ ।
ବନ୍ୟାଜଳରେ ଭାସିଗଲା କାର୍ ; ସ୍ବାମୀ, ସ୍ତ୍ରୀ ଓ ଦୁଇ ସନ୍ତାନଙ୍କ ସଲିଳ ସମାଧି
ନନ୍ଦିଘୋଷ ବ୍ୟୁରୋ : ଛତିଶଗଡ଼ର କାଙ୍ଗର ଭ୍ୟାଲି ଜାତୀୟ ଉଦ୍ୟାନ ଅଞ୍ଚଳର NH-30 ରେ ଅଘଟଣ। ଦରଭା ନିକଟରେ ହୃଦୟ ବିଦାରକ ଘଟଣା। ବନ୍ୟା ଜଳରେ ଭାସିଗଲା କାର। କାରରେ ଥିବା ଗୋଟିଏ ପରିବାରର ୪ ସଦସ୍ୟଙ୍କ ହୋଇଛି ମୃତ୍ୟୁ। ମୃତକଙ୍କ ମଧ୍ୟରେ ଅଛନ୍ତି ସ୍ୱାମୀ-ସ୍ତ୍ରୀ ଏବଂ ୨ ସନ୍ତାନ। ତାମିଲନାଡୁର ଏକ ପରିବାର କାରରେ ବସ୍ତର ବୁଲିବାକୁ ଆସିଥିଲେ। ତେବେ ଦୁର୍ଭାଗ୍ୟବଶତଃ ଭରା ନଈରେ କାରଟି ଭାସିଯାଇଥିଲା। ଡ୍ରାଇଭର ପହଁରି ନିଜ ଜୀବନ ବଞ୍ଚାଇଥିଲେ। କିନ୍ତୁ ପରିବାରର ଚାରି ଜଣ ସଦସ୍ୟଙ୍କ ପ୍ରାଣହାନି ଘଟିଥିଲା। ASP ମହେଶ୍ୱର ନାଗ କହିଛନ୍ତି- ବିଳମ୍ବିତ ରାତିରେ ବହୁ ପରିଶ୍ରମ ପରେ SDRF କାରରେ ଫସି ରହିଥିବା ମୃତଦେହଗୁଡ଼ିକୁ ବାହାର କରିଛି। ସମସ୍ତ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଜଗଦଲପୁର ମେଡିକାଲ କଲେଜକୁ ପଠାଯାଇଛି।
ଚାଷୀଙ୍କୁ ମିଳିଲା ସିଏମ୍ କିଷାନ ଯୋଜନାର ତୃତୀୟ କିସ୍ତି
ନନ୍ଦିଘୋଷ ବ୍ୟୁରୋ : ୨୦୨୫-୨୬ ରବି ଋତୁ ପାଇଁ ଚାଷୀମାନଙ୍କୁ ସିଏମ-କିଷାନ ସହାୟତା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି । ଓୟୁଏଟିରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରାଜ୍ୟର ୫୧ ଲକ୍ଷ ଚାଷୀଙ୍କୁ ସିଏମ କିଷାନ ସହାୟତା ରାଶି ଡିବିଟି ଜରିଆରେ ପ୍ରଦାନ କରିଛନ୍ତି । ସିଏମ କିଷାନର ତୃତୀୟ କିସ୍ତି ଭାବେ ପ୍ରତି ଚାଷୀଙ୍କୁ ୨ ହଜାର ଟଙ୍କାର ସହାୟତା ମିଳିଛି। ଏଥିପାଇଁ ଖର୍ଚ୍ଚ ହେବ ୧୦୪୧ କୋଟି ଟଙ୍କା। ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଉପସ୍ଥିତ ଥିଲେ।

