spot_img
Home Blog Page 440

ବିଲ୍ ମଞ୍ଜୁରୀ ନେଇ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଲାଗି ରହିବ ନାହିଁ ସମୟ ସୀମା : ସୁପ୍ରିମକୋର୍ଟ

ନନ୍ଦିଘୋଷ ବ୍ୟୁରୋ : ବିଲ ମଞ୍ଜୁରୀ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ବିଲ୍ ମଞ୍ଜୁରୀ ନେଇ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଲାଗି କୌଣସି ସମୟ ସୀମା ରହିବ ନାହିଁ ବୋଲି କହିଛନ୍ତି ଖଣ୍ଡପୀଠ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପକ୍ଷରୁ ପଠାଯାଇଥିବା ୧୪ ସାମ୍ବିଧାନିକ ପ୍ରଶ୍ନ ଶୁଣାଣି କରି ସୁପ୍ରିମକୋର୍ଟ ଏହି ରାୟ ଶୁଣାଇଛନ୍ତି । ସମୟ ସୀମା ନିର୍ଦ୍ଧାରଣ ଗଣତାନ୍ତ୍ରିକ ରାଷ୍ଟ୍ରରେ ଅନୁଚିତ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସମୟ ସୀମା ନିର୍ଦ୍ଧାରଣ ସାମ୍ବିଧାନିକ ବ୍ୟବସ୍ଥା ପ୍ରତି କୁଠାରାଘାତ । ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାର ଯେ କୌଣସି ବିଲ୍ ଅନୁମୋଦନ ପାଇଁ ରାଷ୍ଟ୍ରପତି କିମ୍ବା ରାଜ୍ୟର ରାଜ୍ୟପାଳ ପାଇଁ ସମୟସୀମା ସ୍ଥିର କରାଯାଇପାରିବ ନାହିଁ।

ସିଜେଆଇ ଜଷ୍ଟିସ ବି ଆର ଗଭାଇଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚ ଜଣିଆ ସମ୍ବିଧାନ ଖଣ୍ଡପୀଠ ରାୟ ଦେଇ କହିଛନ୍ତି ଯେ କୋର୍ଟ ରାଜ୍ୟପାଳଙ୍କ ଭୂମିକାକୁ ନେଇପାରିବେ ନାହିଁ । ରାଷ୍ଟ୍ରପତି କିମ୍ବା ରାଜ୍ୟପାଳଙ୍କ କାର୍ଯ୍ୟ ନ୍ୟାୟଭିତ୍ତିକ ନୁହେଁ । ଯେତେବେଳେ ଏକ ବିଲ୍ ଆଇନରେ ପରିଣତ ହୁଏ ସେତେବେଳେ ନ୍ୟାୟିକ ସମୀକ୍ଷା କରାଯାଇପାରିବ । ଧାରା ୨୦୦ ଏବଂ ୨୦୧ ଅନୁଯାୟୀ, ରାଜ୍ୟପାଳ ଏକ ବିଲ୍କୁ ସମ୍ମତି ଦେଇପାରିବେ। ନହେଲେ ବିଲ୍କୁ ସ୍ଥଗିତ ରଖିପାରିବେ ଏବଂ ଦରକାର ପଡିଲେ ଫେରାଇ ପାରିବେ କିମ୍ବା ବିଲ୍କୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇ ପାରିବେ। ପ୍ରଧାନବିଚାରପତି ବି.ଆର. ଗଭାଇଙ୍କ ସହ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ବିକ୍ରମ ନାଥ, ବିଚାରପତି ପି.ଏସ. ନରସିଂହ ଏବଂ ବିଚାରପତି ଏ.ଏସ. ଚାନ୍ଦୁରକରଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଏହି ରାୟ ଶୁଣାଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଧାରା ୧୪୨ ପ୍ରୟୋଗ କରି ସୁପ୍ରିମକୋର୍ଟ କୌଣସି ବିଲକୁ ଜୋରଜବରଦସ୍ତ ମଞ୍ଜୁରୀ ଦେଇପାରିବେ ନାହିଁ । ତେଣୁ ରାଜ୍ୟପାଳ ବିଲକୁ ଫେରାଇପାରିବେ ନହେଲେ ନିଜ ବିବେକାନୁମୋଦିତ ନିଷ୍ପତ୍ତି ନେଇପାରିବେ ।

ବିହାରରେ ନୂଆ ଇତିହାସ : ଦଶମ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ କୁମାର

ନନ୍ଦିଘୋଷ ବ୍ୟୁରୋ : ବିହାରରେ ନୂଆ ଇତିହାସ। ଦଶମ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ କୁମାର। ପାଟନା ଗାନ୍ଧୀ ମଇଦାନରେ ହେବାକୁ ଥିବା ଶପଥ ଉତ୍ସବରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରତିରକ୍ଷା ମନ୍ତ୍ରା ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ ଓ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ଅଛନ୍ତି। ଏହି ଉତ୍ସବରେ ଦୁଇ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଓ ବିଜୟ କୁମାର ସିହ୍ନା ବି ଶପଥ ନେଇଛନ୍ତି। ଗତକାଲି ରାଜ୍ୟପାଳ ଆରିଫ ମହମ୍ମଦ ଖାଁଙ୍କୁ ଭେଟି ଏନଡିଏ ନେତା ଦେଇଥିଲେ ସମର୍ଥନ ପତ୍ର। ୨୪୩ ଆସନ ବିଶିଷ୍ଟ ବିଧାନସଭାରେ ଏନଡିଏର ୨୦୨ ସଦସ୍ୟ ରହିଛନ୍ତି। ବିଜେପି ସର୍ବାଧିକ ୮୯ ଆସନ ପାଇଥିବାବେଳେ ଜେଡିୟୁ ୮୫, ଏଲଜେପି୍(ଆର) ୧୯, ହାମ ୫ ଓ ଆରଏଲଏମ ୪ ଆସନ ହାସଲ କରିଥିଲେ। ନବଗଠିତ ମନ୍ତ୍ରିମଣ୍ଡଳରେ କିଛି ନୂଆ ମୁହଁ ସାମିଲ ହେବେ ବୋଲି ଜଣାଯାଇଛି।

ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା ; ୨୨ରେ ଲଘୁଚାପ, ୨୪ରେ ଅବପାତ

ନନ୍ଦିଘୋଷ ବ୍ୟୁରୋ : ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା । ୨୧ରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ୨୨ ତାରିଖ ବେଳକୁ ଏହା ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବା ସହ ପଶ୍ଚିମ ଉତ୍ତର ଦିଗରେ ଗତି କରି ତାହା ଅଧିକ ଘନୀଭୂତ ହେବ । ୨୪ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ଅବପାତ ରୂପ ନେବ  । ପରବର୍ତ୍ତୀ ୪୮ ଘଣ୍ଟାରେ ଗତିର ଦିଗ ବଜାୟ ରଖିବା ସହ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଆହୁରି ଘନୀଭୂତ ହେବା ସମ୍ଭାବନା ରହିଛି । ସେପଟେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ନେଇ ଟୁଇଟ କରି ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବୈଜ୍ଞାନିକ ଉମାଶଙ୍କର ଦାସ । ସେପଟେ ରାଜଧାନୀ ଭୁବନେଶ୍ୱରରେ ବଢିଲା ରାତ୍ରି ତାପମାତ୍ରା । ୧୮ ଏବଂ ୧୯ ତାରିଖରେ ଆକାଶ ପ୍ରାୟ ମେଘ ଶୂନ୍ୟ ଥିବା ବେଳେ ବାଦଲ ଆଛାଦାନ ହେତୁ ତାପମାତ୍ରା ଵୃଦ୍ଧି ଘଟିଛି । ଆଜି ସକାଳ ସୁଦ୍ଧା ୨୧.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଶିଳ୍ପପତି ଅନୀଲ ଅମ୍ବାନୀଙ୍କୁ ଝଟକା ; ଲୋନ ଠକେଇ ଓ ମନି ଲଣ୍ଡରିଂ ମାମଲାରେ EDର ରେଡ୍

ନନ୍ଦିଘୋଷ ବ୍ୟୁରୋ : ଶିଳ୍ପପତି ଅନୀଲ ଅମ୍ବାନୀଙ୍କୁ ଝଟକା। ଲୋନ ଠକେଇ ଓ ମନି ଲଣ୍ଡରିଂ ମାମଲାରେ ଅମ୍ବାନୀଙ୍କ ସହ ସମ୍ପର୍କିତ ବିଭିନ୍ନ ସ୍ଥାନରେ ରେଡ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଭୁବନେଶ୍ବର, ନଭି ମୁମ୍ବାଇ, ଚେନ୍ନାଇ ଓ ପୁଣେରେ ରେଡ କରି ସମ୍ପତ୍ତି ଆଟାଚ କରିଛି ଇଡି। ୧୪ ଶହ ୫୨ କୋଟି ଟଙ୍କାର ସମ୍ପତ୍ତି ଆଟାଚ କରିଛି ଇଡି। ବର୍ତ୍ତମାନ ସୁଦ୍ଧା ଅମ୍ବାନୀ ଗ୍ରୁପର ପ୍ରାୟ ୯ ହଜାର କୋଟି ଟଙ୍କାର ସମ୍ପତ୍ତି ଆଟାଚ କଲାଣି ଇଡି। ରିଲାଏନ୍ସ ହୋମ୍ ଫାଇନାନ୍ସ ଲିମିଟେଜ ଓ ରିଲାଏନ୍ସ କମର୍ସିଆଲ ଫାଇନାନ୍ସ ଲମିଟେଡ ଜରିଆରେ ହୋଇଥିଲା ଅନିୟମିତତା।

ବାପଙ୍କ ଦଶ କ୍ରିୟା ଦିନ ଚାଲିଗଲା ପୁଅର ଜୀବନ

ନନ୍ଦିଘୋଷ ବ୍ୟୁରୋ : ବାପଙ୍କ ଦଶକ୍ରିୟା ଦିନ ଚାଲିଗଲା ପୁଅର ଜୀବନ । ଏଭଳି ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ଆସିକା ବ୍ଲକ ଅତରଙ୍ଗ ଗାଁରେ । ଅତରଙ୍ଗ ଗ୍ରାମର ୭୦ ବର୍ଷୀୟ ଉଦୟ ଗୌଡଙ୍କ ଗତ ୧୧ ତାରିଖ ଦିନ ମୃତ୍ୟୁ ହୋଇଥିଲା । ପୁଅ ରାଜେନ୍ଦ୍ର ବାପାକୁ ଝୁରିଝୁରି ହଠାତ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଆସିକା ହସ୍ପିଟାଲରେ ଭର୍ତ୍ତି କରିଥିଲେ ପରିବାର ଲୋକେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଗ୍ରାମରେ ରାଜେନ୍ଦ୍ରଙ୍କ ଶବ ଆସିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ରାଜେନ୍ଦ୍ର ପରିବାରର ଏକ ମାତ୍ର ରୋଜଗାରିଆ । ତାଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ତାଙ୍କ ପରିବାର ପାଇଁ ସରକାରୀ ସହାୟତା ଦାବି କରିଛନ୍ତି ଗ୍ରାମବାସୀ ।

ସ୍କୁଲରୁ ଚାଉଳ ଚୋରି ଅଭିଯୋଗରେ ପ୍ରଧାନ ଶିକ୍ଷକ ଅଟକ

ନନ୍ଦିଘୋଷ ବ୍ୟୁରୋ : ସରକାରୀ ସ୍କୁଲରୁ ଚାଉଳ ଚୋରି ଅଭିଯୋଗରେ ପ୍ରଧାନ ଶିକ୍ଷକ ଅଟକ । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ମୁଣ୍ଡିଗଡ଼ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା । ରାତି ଅଧିଆ ମୁଣ୍ଡିଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ପ୍ରଧାନ ଶିକ୍ଷକ ଗୌତମ ବଡ଼ସେଠ ୬ ବସ୍ତା ଚାଉଳ ଚୋରି କରୁଥିଲେ । ଚାଉଳ ବୋଝେଇ ଅଟୋ ସହ ପ୍ରଧାନ ଶିକ୍ଷକଙ୍କୁ ଅଟକ ରଖିଥିଲେ ଗ୍ରାମବାସୀ । ପରେ ତୁମୁଡ଼ିବନ୍ଧ ପୋଲିସର ଜିମା ଦେଇଛନ୍ତି ଗ୍ରାମବାସୀ । ସେପଟେ ଏନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ହସ୍ତଗତ ହୋଇପାରିନାହିଁ ।

ଦିଲ୍ଲୀରେ ବିଗିଡ଼ିଲା ବାୟୁ ଗୁଣବତ୍ତା, ସକାଳେ ଏକ୍ୟୁଆଇ ୪୦୦ ରହିବା ଯୋଗୁ ସ୍ଥିତି ସଂଗୀନ

ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀରେ ବିଗିଡ଼ିଲା ବାୟୁ ଗୁଣବତ୍ତା। ଅତି ଖରାପ ସ୍ତରରେ ରହିଛି ଏକ୍ୟୁଆଇ। ଆଜି ସକାଳେ ଏକ୍ୟୁଆଇ ୪୦୦ ରହିବା ଯୋଗୁ ସ୍ଥିତି ସଂଗୀନ ହୋଇଛି। ଏହାକୁ ସିଭିୟର କାଟେଗୋରୀ ସ୍ତରକୁ ନିଆଯାଇଛି। ଦିଲ୍ଲୀର ଅଧିକାଂଶ ସ୍ଥାନରେ ଦୃଶ୍ୟମାନ ଦୂରତା ହ୍ରାସ ପାଇଥିବାରୁ ସବୁଠି ସମସ୍ୟା ଦେଖାଦେଇଛି। ତାପମାତ୍ରା କମିବା ସହ ପବନର ବେଗ କମିବା ଯୋଗୁ ସ୍ଥିତି ଅଧିକ ଖରାପ ହୋଇଛି। ବିଶେଷ କରି ଦୀପାବଳି ପରଠାରୁ ଦିଲ୍ଲୀରେ ବାୟୁ ଗୁଣବତ୍ତା କ୍ରମାଗତ ଭାବେ ଖରାପ ସ୍ଥିତିରେ ରହିଛି। କିଛି ଦିନ ଧରି ଏହି ଅବସ୍ଥା ଲାଗି ରହିବା ଆଶଙ୍କା ପ୍ରକାଶ ପାଇଛି।

ଜାଲ ନୋଟ୍ ଦେଇ ଦୋକାନୀଙ୍କୁ ଭୂଆଁ ବୁଲାଇଲେ ମହିଳା

ନନ୍ଦିଘୋଷ ବ୍ୟୁରୋ : ଜାଲ ନୋଟ୍ ଦେଇ ଦୋକାନୀଙ୍କୁ ଭୂଆଁ ବୁଲାଇଲେ ମହିଳା । ପୁରୀ ମାଟିଆପଡ଼ାର ଅରୁଣ କୁମାର ସାହୁ ନାମକ ଜଣେ ଦୋକାନୀଙ୍କ ଠାରୁ ଆଇସକ୍ରିମ କିଣିଥିଲେ ଉକ୍ତ ମହିଳା । ତେବେ ୪୦ ଟଙ୍କାର ଆଇସକ୍ରିମ ଖାଇ ୨୦୦ ଟଙ୍କାର ନୋଟ ଦେଇଥିଲେ ।ବାକି ୧୬୦ ଟଙ୍କା ଫେରାଇ ଥିଲେ ଦୋକାନୀ । ପରେ ସନ୍ଦେହ ହେବାରୁ ମହିଳାଙ୍କୁ ଧରିଥିଲେ । ସ୍ଥାନୀୟ ଲୋକ ପୋଲିସର ଜିମା ଦେବା ପରେ ଏହି ଟଙ୍କା ପିଲା ମାନଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ମହିଳା ଜଣଙ୍କ ସଫେଇ ଦେଇଛନ୍ତି । ମହିଳା ଜଣଙ୍କ ଏଭଳି ବାରମ୍ବାର ଚଞ୍ଚକତା କରି ଆସୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ପ୍ରତିରକ୍ଷା କ୍ଷେତ୍ରରେ ବଳୀୟାନ ହେବ ଭାରତ

ନନ୍ଦିଘୋଷ ବ୍ୟୁରୋ : ପ୍ରତିରକ୍ଷା କ୍ଷେତ୍ରରେ ବଳୀୟାନ ହେବ ଭାରତ। ଆମେରିକାଠାରୁ ଭାରତ ପାଇବ ଜାଭେଲିନ ଆଣ୍ଟି ଟ୍ୟାଙ୍କ ମିସାଇଲ ଓ ଏକ୍ସକାଲିବର ଲକ୍ଷ୍ୟଭେଦୀ କମାଣ। ଏହି ପ୍ଯାକେଜରେ ରହିଛି ୧୦୦ଟି ଏଫଜିଏମ-୧୪୮ ଜାଭେଲିନ ମିସାଇଲ , ୨୫ଟି ହାଲୁକା କମାଣ୍ଡ ଲଞ୍ଚ ୟୁନିଟ, ୨୧୬ଟି ଏକ୍ସକାଲିବର ଆର୍ଟିଲେରୀ ରାଉଣ୍ଡ। ଏନେଇ ସୂଚନା ଦେଇଛି ଆମେରିକା ପ୍ରତିରକ୍ଷା ନିରାପତ୍ତା ସହଯୋଗୀ ସଂସ୍ଥା ବି ଡିଏସସିଏ। ଏହି ଅସ୍ତ୍ରଶସ୍ତ୍ର ଭାରତ ପାଇବା ପରେ ଏହାର ତଦାରଖ, ପ୍ରଶିକ୍ଷଣ ଆଦି କ୍ଷେତ୍ରରେ ଆମେରିକା ସହଯୋଗ କରିବ। ଏହି ସମସ୍ତ ଅସ୍ତ୍ରଶସ୍ତ୍ର ବାବଦରେ ୯୩ ନିୟୁତ ଡଲାର ଦେବ ଭାରତ। ବିଭିନ୍ନ ସାଞ୍ଜୁଆ ଟାର୍ଗେଟକୁ ହମଲା କରିବାରେ ସକ୍ଷମ ହୋଇଥାଏ ଜାଭେଲିନ ସିଷ୍ଟମ।

ସୋର କୋର୍ଟ ମାଲଖାନାର ଲୁଟ ଘଟଣାର ପର୍ଦ୍ଦାଫାଶ : ୫ ଅଭିଯୁକ୍ତ ଗିରଫ

ନନ୍ଦିଘୋଷ ବ୍ୟୁରୋ : ସୋର କୋର୍ଟ ମାଲଖାନାର ଲୁଟ ଘଟଣାର ପର୍ଦାଫାଶ । ୫ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ବେଳେ ପିସ୍ତଲ ସହିତ ୨୫ ରାଉଣ୍ଡ ଗୁଳି, ସୁନା ରୂପା ଅଳଙ୍କାର ଜବତ କରିଛି  । ସୋର ଥାନା ପରିସରରେ ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ୱର ସଦର ଏସଡିପିଓ ଶୁଭ୍ରାଂଶୁ ନାୟକ ଏନେଇ ସୂଚନା ଦେଇଛନ୍ତି  । ଗତ ଦୁଇ ତାରିଖରେ ବିଳମ୍ବିତ ରାତିରେ ଡକାୟତ ମାନେ ପାଚେରୀ ଡେଇଁ କୋର୍ଟ ପରିସରରେ ଥିବା ମାଲଖାନାର ଚାବି ଭାଙ୍ଗି ଲୁଟ କରି ଫେରାର ହୋଇଯାଇଥିଲେ  । ଲୁଟ ହୋଇଥିବା ନେଇ ସୋର ସିଭିଲ କୋର୍ଟ କମ୍ପ୍ଲେକ୍ସ ଷ୍ଟୋର ରୁମ ଡେପୁଟି ପ୍ରଶାସକ କମ-କ୍ଲାର୍କ-ଇନ୍ ଚାର୍ଜ ମାନସ ରଞ୍ଜନ ବେହେରା ସୋର ଥାନାରେ ଲିଖିତ ଅଭିଯୋଗ କରିଥିଲେ  ।

ବାଲେଶ୍ୱର ଏସପି ଏକ ଟିମ ଗଠନ କରି ସଦର ଏସ୍ଡ଼ିପିଓଙ୍କ ନେତୃତ୍ୱରେ ବିଭିନ୍ନ ଦିଗକୁ ନେଇ ତଦନ୍ତ କରିଥିଲେ । ନୀଳଗିରି କାହାଳିଆ ଅଞ୍ଚଳର ଭବାନୀ ଶଙ୍କର ମହଲା ଓ ତାର ସହଯୋଗୀ ସିଭିଲ କୋର୍ଟ ଷ୍ଟୋର ରୁମ ଚାବି ଭାଙ୍ଗି ଲୁଟ କରି ଫେରାର ଥିବା ଜଣାପଡିଥିଲା  । ପରଦିନ ଭବାନୀ ଶଙ୍କର ମହଲାକୁ ଗିରଫ କରିଥିଲା ପୋଲିସ । ଏହାସହ ତାକୁ ସହଯୋଗ କରିଥିବା ତାର ଭଉଣୀ ହରପ୍ରିୟା ମହଲା ସମେତ ସୁନା ରୂପା ଅଳଙ୍କାର କିଣିଥିବା ବାଗୁଡ଼ି ଅଞ୍ଚଳର ସୁନା ଦୋକାନୀ ନିରଞ୍ଜନ ରଣା, ରୁଷୋ ଅଞ୍ଚର କମଳାକାନ୍ତ ରଣା ଓ ଖଇରା ଥାନା ତୁଡିଗଡ଼ିଆ ଦାମୋଦର ବେଜକୁ ଗିରଫ କରିଥିଲା  । ଅଭିଯୁକ୍ତଙ୍କ ଠାରୁ ନଗଦ ୧୮ ହଜାର ଟଙ୍କା, ଗୋଟିଏ ପିସ୍ତଲ, ୨୫ ରାଉଣ୍ଡ ଗୁଳି, ଗୋଟିଏ ମଟର ସାଇକେଲ ଧରିବାରେ ସଫଳତା ପାଇଛି  ।