spot_img
Home Blog Page 4306

ଛତିଶଗଡ଼ରେ ବୋରଓ୍ବେଲ ଟ୍ରାଜେଡି: ଏବେବି ଚାଲିଛି ସର୍ଚ୍ଚ ଅପରେସନ

ରାୟପୁର: ଦୁଇ ରାତି ଓ ଗୋଟିଏ ଦିନର ମେଗା ଅପରେସନ ସତ୍ତ୍ବେ ଉଦ୍ଧାର ହୋଇପାରିନି ରାହୁଲ । ଛତିଶଗଡ଼ ଜାଞ୍ଜଗିର-ଚମ୍ପା ଜିଲ୍ଲା ଅନ୍ତର୍ଗତ ପିହରିଡ଼ ଗ୍ରାମରେ ୮୦ ଫୁଟ ବୋରଓ୍ବେଲରେ ଫସି ରହିଥିବା ରାହୁଲକୁ ଉଦ୍ଧାର ଲାଗି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗତ ଶୁକ୍ରବାର ଅପରାହ୍ମ ୩ଟାରୁ ବୋରଓ୍ବେଲରେ ଫସି ରହିଥିବା ରାହୁଲକୁ ଉଦ୍ଧାର ଲାଗି ନିୟୋଜିତ ହୋଇଛନ୍ତି ଓଡ଼ିଶାର ଏକ ଟିମ୍ ସହ ୨ଟି NDRF ଟିମ ଓ SDRF ଟିମ୍ । ସିସିଟିଭି ଫୁଟେଜ ଅନୁସାରେ ୬୦ରୁ ୭୦ ଫୁଟ ଗଭୀର ମଧ୍ୟରେ ରହିଛି ରାହୁଲ । ସେ ଖାଦ୍ୟ ଓ ଅକ୍ସିଜେନ ଗ୍ରହଣ କରିପାରୁଛି । ଦୁଇଟି କଦଳୀ ଏବଂ ORS ଦିଆଯାଇଛି । ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନ ଓ ପୋଲିସ ମୁତୟନ ରହିଛନ୍ତି ।

ଖନନ କାର୍ଯ୍ୟରେ ଜେସିବି ଓ ପୋକଲେନ ନିୟୋଜିତ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୫୦ ଫୁଟ୍ ଖୋଳାଯାଇଛି । ବାକି ୧୫ ଫୁଟ ଚିପିଙ୍ଗ ହାମର ଦ୍ବାରା ଟନେଲ କରାଯିବ । ଶିଶୁର ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି ଏକ ଡାକ୍ତରୀ ଟିମ୍ । ସେଠାରେ ଜିଲ୍ଲାପାଳ ଜିତେନ୍ଦ୍ର ଶୁକ୍ଳା ଓ ଏସପି ବିଜୟ ଅଗ୍ରଓ୍ବାଲ ଉପସ୍ଥିତ ଅଛନ୍ତି । ଆର୍ମିର କେତେକ ବିଶେଷଜ୍ଞ ମଧ୍ୟ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ରାହୁଲର ଉଦ୍ଧାର ଲାଗି ଗାଁରେ ପୂଜାର୍ଚ୍ଚନା ମଧ୍ୟ ଜାରି ରହିଛି ।

ସେପଟେ ରାଜ୍ୟରେ ଖୋଲା ପଡ଼ିଥିବା ସମସ୍ତ ବୋରଓ୍ବେଲକୁ ତୁରନ୍ତ ବନ୍ଦ କରିବା ଲାଗି ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ । ଉଦ୍ଧାର ପ୍ରକ୍ରିୟା ନେଇ ଗୁଜରାଟ ସୁରଟର ରୋବଟ ସ୍ପେଶାଲିଷ୍ଟମାନଙ୍କ ସହ ଯୋଗସୂତ୍ରରେ ରହିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ।

ମ୍ୟାଚ୍ ପାଇଁ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା, ଟ୍ୱିନ୍ ସିଟିରେ ୮୨ ପ୍ଲାଟୁନ ଫୋର୍ସ ମୁତୟନ

କଟକ: ମ୍ୟାଚ୍ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି କମିଶନରେଟ ପୋଲିସ । ଟୁଇନ ସିଟିକୁ ଜଗିବେ ୮୨ ପ୍ଲାଟୁନ ଫୋର୍ସ । କଟକରେ ୬୨ ପ୍ଲାଟୁନ ଫୋର୍ସ ଓ ଭୁବନେଶ୍ୱରରେ ୨୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ୩ ଜଣ ଡିସିପି, ୭ ଜଣ ଆଡିସନାଲ ଡିସିପି, ୩୫ ଜଣ ଆଇଆଇସି ସୁରକ୍ଷା ଦାୟିତ୍ବରେ ରହିଛନ୍ତି । ଖେଳାଳିଙ୍କଠାରୁ ଦର୍ଶକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ସୁରକ୍ଷାକୁ ଗୁରୁତ୍ବ ଦିଆଯାଇଛି । ଦିନ ୩ଟାରୁ ଦର୍ଶକଙ୍କ ପାଇଁ ଗେଟ୍ ଖୋଲାଯିବ । ୧୪ଟି ଗେଟ୍‌ ଦେଇ ଷ୍ଟାଡିୟମକୁ ପ୍ରବେଶ କରିବେ ଦର୍ଶକ ।

ଷ୍ଟାଡିୟମ ଭିତରେ ପାଖାପାଖି ୫୦ ହଜାର ଓ ବାହାରେ ୧୫ରୁ ୨୦ ହଜାର ଦର୍ଶକ ରହିବେ । ୨୦ ହଜାରରୁ ଅଧିକ ବାଇକ ପାର୍କିଂ ହୋଇପାରେ । ସାଧାରଣ ଦର୍ଶକଙ୍କ ପାଇଁ ୫ଟି ସ୍ଥାନରେ ପାର୍କିଂ ସ୍ଥଳ କରାଯାଇଛି । ମାସ୍କ ପିନ୍ଧିନଥିଲେ ଷ୍ଟାଡିୟମ ପରିସରକୁ ପ୍ରବେଶ ଅନୁମତି ମିଳିବ ନାହିଁ । ଷ୍ଟାଡିୟମ ଭିତରକୁ ଖାଦ୍ୟ, ପାଣି ବୋତଲ, ଲାଠି, ବ୍ୟାଗ୍, ଦିଆସିଲ, ଖୁଚୁରା ପଇସା ଆଣି ପାରିବେନି ଦର୍ଶକ । ପ୍ରତ୍ୟେକ ଗ୍ୟାଲେରୀରେ ମୁତୟନ ହେବେ ପୋଲିସ । ଷ୍ଟାଡିୟମ ଭିତରେ ରହିବ କ୍ବିକ୍ ଆକ୍ସନ ଟିମ୍ । ଦର୍ଶକଙ୍କ ଆଗରେ କୌଣସି ପୋଲିସ ଠିଆ ହେବେନାହିଁ । କୌଣସି ବ୍ୟକ୍ତି ବିଶୃଙ୍ଖଳା କଲେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ।

ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଦାଦା

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ଦାଦା । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ବାରବାଟୀ ମ୍ୟାଚ ପାଇଁ ଅପରାହ୍ନ ୨ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ଭୁବନେଶ୍ବରରେ ପହଞ୍ଚିବା ପରେ ଅପରାହ୍ନ ୫ଟାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ ସୌରଭ ଗାଙ୍ଗୁଲି । ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପରେ ଦାଦା ବାରବାଟୀ ଷ୍ଟାଡିୟମ ଯାଇ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ଟି-୨୦ ମ୍ୟାଚ ଦେଖିବେ । ସୂଚନା ଅନୁସାରେ ଆଜି ବାରବାଟୀରେ ହେବାକୁ ଥିବା ଦ୍ୱିତୀୟ ଟି-୨୦ ମ୍ୟାଚକୁ ଘଣ୍ଟି ବଜାଇ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆଜିଠୁ ରାଜ୍ୟରେ ସକ୍ରିୟ ହେବ ପ୍ରାକ୍ ମୌସୁମୀ, ମେଘୁଆ ପାଗ ସହ ସ୍ଥାନେ ସ୍ଥାନେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ପ୍ରାକ୍ ମୌସୁମୀ ବର୍ଷା ସକ୍ରିୟ ହେବ । ଉତ୍ତର-ପଶ୍ଚିମ ଦିଗରୁ ଓଡ଼ିଶାକୁ ଆସୁଥିବା ଶୁଷ୍କ ବାୟୁ ପ୍ରବାହ ଦୁର୍ବଳ ହେବା ସହ ପୂବେଇ ପବନ ବହିବା ଆରମ୍ଭ ହୋଇଛି । ଯାହା ଫଳରେ ରାଜ୍ୟର କିଛି ସ୍ଥାନରେ ପାଗ ମେଘୁଆ ରହିବା ସହ ସ୍ଥାନେ ସ୍ଥାନେ ବର୍ଷା ହେଉଛି । ଆଜି ଭୁବନେଶ୍ବର, କଟକ ସମେତ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଓଡ଼ିଶାକୁ ବଙ୍ଗୋପସାଗରରୁ ବାୟୁ ପ୍ରବାହ ହେବା ଯୋଗୁ ଆର୍ଦ୍ରତା ବଢ଼ିବା ସହ ଅଧିକ ବର୍ଷା ହେବ । ଘଡ଼ଘଡ଼ି ସହ ବର୍ଷା ପାଇଁ ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ପାଗ ବଦଳିବା ଫଳରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା କମିଛି । ଆସନ୍ତା ୩ରୁ ୪ ଦିନ ମଧ୍ୟରେ ସ୍ବାଭାବିକ ଠାରୁ ୨ରୁ ୩ ଡିଗ୍ରୀ ତାପମାତ୍ରା କମିବ ।

ଜମ୍ମୁ-କାଶ୍ମୀର ପୁଲୱାମାରେ ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ-କାଶ୍ମୀର ପୁଲୱାମାରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ସଫା । ଆତଙ୍କବାଦୀଙ୍କ ନିକଟରୁ ୨ଟି AK-47 ରାଇଫଲ, ଗୋଟିଏ ପିସ୍ତଲ ସହ ମାରଣାସ୍ତ୍ର ଓ ଗୁଳି ଜବତ ହୋଇଛି । ଏବେ ପୁରା ଅଞ୍ଚଳରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ମୃତ ୩ ଆତଙ୍କୀ ଲସ୍କର-ଇ ତୋଇବାର ହୋଇଥିବା ସୂଚନା ମିଳିଛି । ହରିପୋରାର ଇରଫାନ୍ ମଲ୍ଲିକ, ପୁଲୱାମାର ଫଜିଲ ନଜୀର ଭଟ୍ଟ, ଗୁଦୌରାର ଜୁନୈଦ କାଦିର ନିହତ ହୋଇଥିବା କାଶ୍ମୀର ଆଇଜିପି ସୂଚନା ଦେଇଛନ୍ତି । ପୂର୍ବରୁ ୨୭ ମେ’ରେ ପୁଲୱାମାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ହୋଇଥିଲା । ଯେଉଁଥିରେ ଲସ୍କର -ଇ-ତୋଇବାର ଜଣେ ଡେପୁଟି କମାଣ୍ଡର ସହ ୩ ଆତଙ୍କବାଦୀ ନିହତ ହୋଇଥିଲେ । ଏବେ ପୁଣି ସୁରକ୍ଷାବାହିନୀକୁ ଏକ ବଡ଼ ସଫଳତା ମିଳିଛି ।

ଭାରତ-ଚୀନ ସୀମାରେ ମୁତୟନ ୨ ଯବାନ ନିଖୋଜ, ୧୪ ଦିନ ହେଲା ମିଳୁନି ପତ୍ତା

ନୂଆଦିଲ୍ଲୀ: ଭାରତ-ଚୀନ ସୀମାରେ ମୁତୟନ ଥିବା ୨ ଜଣ ଯବାନ ନିଖୋଜ । ଗତ ୧୪ ଦନ ହେଲା ତାଙ୍କ ପତ୍ତା ମିଳୁନଥିବା ଜଣାପଡ଼ିଛି । ଅରୁଣାଚଳପ୍ରଦେଶର ଠକଲା ପୋଷ୍ଟରେ ମୁତୟନ ଥିଲେ ଦୁଇ ଜଣ ଯବାନ । ଦୁଇ ଯବାନ ହେଲେ ହରେନ୍ଦ୍ର ନେଗୀ ଓ ପ୍ରକାଶ ସିଂହ ରାଣା । ମେ ୨୮ ତାରିଖରୁ ଦୁଇ ଜଣ ନିଖୋଜ ଅଛନ୍ତି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ପ୍ରକାଶଙ୍କ ପତ୍ନୀ ମମତା ରାଣାଙ୍କ କହିବା ଅନୁସାରେ, ତାଙ୍କ ସ୍ୱାମୀ ହଜିଯିବା ନେଇ ମେ ୨୯ ତାରିଖରେ ସେନା ପକ୍ଷରୁ ତାଙ୍କୁ ଫୋନରେ କୁହାଯାଇଥିଲା । ଜୁନ ୯ ତାରିଖରେ ସେନା ପକ୍ଷରୁ ଆଉ ଏକ କଲ୍ ଆସିଥିଲା । ଉଭୟ ଯବାନ ବୋଧ ହୁଏତ ନଈରେ ବୁଡ଼ିଯାଇଥାଇ ପାରନ୍ତି ବୋଲି ସେନା ପକ୍ଷରୁ ଫୋନରେ କୁହଯାଇଛି ।

ଆଜି ଚମ୍ପକ ଦ୍ବାଦଶୀ ନୀତି, ଘୋଷଯାତ୍ରା ପାଇଁ ଆଜିଠୁ ଦଇତାଙ୍କ ଶ୍ରୀମନ୍ଦିର ପ୍ରବେଶ

ପୁରୀ: ଆଜି ଚମ୍ପକ ଦ୍ବାଦଶୀ ନୀତି । ଘୋଷଯାତ୍ରା ପାଇଁ ଶ୍ରୀମନ୍ଦିରକୁ ଆଜିଠୁ ଦଇତାଙ୍କ ଶ୍ରୀମନ୍ଦିର ପ୍ରବେଶ । ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ସେବକ ହୋଇଥିବାରୁ ସକାଳୁ ଦଇତାପତିମାନେ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି । ଆଜିଠୁ ଦୀର୍ଘ ଏକମାସରୁ ଉର୍ଦ୍ଧ ସମୟ ଧରି ମହାପ୍ରଭୁଙ୍କ ସ୍ନାନ ଯାତ୍ରା, ଅଣସର ନୀତି, ଶ୍ରୀଗୁଣ୍ଡିଚା ଯାତ୍ରା, ବାହୁଡା଼ ଯାତ୍ରା, ସୁନାବେଶ ଓ ନୀଳାଦ୍ରିବିଜେ ନୀତି ସମ୍ପାଦନ କରିବେ ଦଇତାପତି ସେବକ । ଦଇତା ପ୍ରବେଶ ନୀତି ଆରମ୍ଭ ହେବା ସହ କୋଠ ସୁଆଁସିଆ ସେବକଙ୍କ ଦ୍ୱାରା ଶ୍ରୀମନ୍ଦିରର ରତ୍ନ ସିଂହାସନରେ ଚାରମାଳ ବନ୍ଧାଯିବ । ମହାପ୍ରଭୁଙ୍କ ଘୋଷଯାତ୍ରା ନେଇ ବଉଳ କାଠ ସାକ୍ଷୀଗୋପାଳରୁ ସ୍ବତନ୍ତ୍ର ଶଗଡ଼ିରେ ଆସି ପହଞ୍ଚିଥିବା ବେଳେ ସେଗୁଡ଼ିକରେ ସେନାପଟା ନିର୍ମାଣ ପ୍ରସ୍ତୁତି ମଧ୍ଯ କରାଯିବ ।

ସୁପର ସଣ୍ଡେରେ ବାରବାଟୀରେ ସୁପର ଫାଇଟ୍, ରୋମାଞ୍ଚକର ମ୍ୟାଚ ଅପେକ୍ଷାରେ କ୍ରିକେଟପ୍ରେମୀ

କଟକ: ଉତ୍ସାହ…ଉତ୍କଣ୍ଠା….ଅପେକ୍ଷା । ବଢ଼ୁଛି ଦର୍ଶକଙ୍କ ହାର୍ଟବିଟ୍ । ଆଜି ସନଡେରେ ବାରବାଟୀରେ ଦେଖିବାକୁ ମିଳିବ ସୁପର ଫାଇଟ୍ । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଦ୍ବିତୀୟ ଟି ଟ୍ବେଣ୍ଟି ମ୍ୟାଚ ଖେଳାଯିବ । ରୋମାଞ୍ଚକର ମ୍ୟାଚ ଅପେକ୍ଷାରେ କ୍ରିକେଟପ୍ରେମୀ । ପ୍ରଥମ ମ୍ୟାଚ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରହିଛି ଟିମ୍ ଇଣ୍ଡିଆ । ଗତକାଲି ଉଭୟ ଦଳର ଖେଳାଳି ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ କରିଛନ୍ତି । ବାରବାଟୀ ‘ପିଚ୍’କୁ ପରଖିବା ସହ ଜୋରଦାର ଅଭ୍ୟାସ କରି ଝାଳ ବୁହାଇଛନ୍ତି ଦୁଇ ଦେଶର ଖେଳାଳି ।

ଟି-୨୦ ସିରିଜର ପ୍ରଥମ ମ୍ୟାଚ ଜିତି ଥିବାରୁ ଦକ୍ଷିଣ ଆଫ୍ରିକା ଟିମର ମନୋବଳ ଦୃଢ଼ ରହିଛି । ଆଜି ଦ୍ବିତୀୟ ମ୍ୟାଚରେ କିପରି ଟିମ୍ ଇଣ୍ଡିଆକୁ ମାତ୍ ଦେବେ, ଏ ନେଇ ରଣନୀତି ପ୍ରସ୍ତୁତ କରିଛି ଦଳ । ସେହିପରି ଆଜିର ମ୍ୟାଚରେ ଭାରତ ପ୍ରତ୍ୟାବର୍ତ୍ତନ କରିବ ବୋଲି କହିଛନ୍ତି ଟିମ୍ ଇଣ୍ଡିଆ ପେସର ଭୁବନେଶ୍ବର କୁମାର । ମ୍ୟାଚରେ ଟସ୍ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ ବୋଲି ଅଭ୍ୟାସ ପରେ ଦକ୍ଷିଣ ଆଫ୍ରିକା ଖେଳାଳି ଓ୍ବେନ ପାର୍ନେଲ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ।

ଅଶ୍ଳୀଳ ଭିଡ଼ିଓ ଏବଂ ବ୍ଲାକ୍‌ମେଲ ମାମଲା: 5 ଜଣକୁ ଗିରଫ କଲା ପୋଲିସ

ଜୟପୁର: ଅଶ୍ଳୀଳ ଭିଡ଼ିଓ ସୁଟ୍ କରି ବ୍ଲାକ୍‌ମେଲ କରିବା ମାମଲାରେ 5 ଜଣକୁ ଗିରଫ କରି କରିଛି ଜୟପୁର ଟାଉନ୍ ପୋଲିସ୍ । ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଓ ଯୁବତୀ ପାରବେଡା ନିକଟ ଶିବ ମନ୍ଦିର ରାସ୍ତାରେ କଥା ହେଉଥିବା ବେଳେ 2ଜଣ ଯୁବକ ସେମାନଙ୍କୁ ଛୁରୀ ଦେଖାଇ ଭୟଭୀତ କରିବା ସହ ପାହାଡ ଉପରକୁ ନେଇ ଯାଇଥିଲେ । ସେଠାରେ ଥିବା ଅନ୍ୟ ଯୁବକମାନେ ମିଶି ଉଭୟଙ୍କୁ ଅଶ୍ଳୀଳ ଆଚରଣ କରିବାକୁ ବାଧ୍ୟ କରିଥିଲେ ।

ଏହାକୁ ମୋବାଇଲରେ ରେକର୍ଡ କରି 50 ହଜାର ଟଙ୍କା ଦେବାକୁ ବାଧ୍ୟ କରିଥିଲେ । ପୀଡିତ ଯୁବକ ସେମାନଙ୍କୁ କିଛି ଟଙ୍କା ଓ ମୋବାଇଲ ଦେଇ ଫେରି ଯାଇଥିବାବେଳେ ବଳକା ଟଙ୍କା ପରେ ଦେବାକୁ କହିଥିଲେ । ଏନେଇ ଅଭିଯୋଗ ପରେ ଯୋଜନା ମୁତାବକ ଟଙ୍କା ନେବାବେଳେ ଅଭିଯୁକ୍ତମାନଙ୍କୁ କାବୁ କରିଛି ପୋଲିସ୍ । ସେମାନଙ୍କ ନିକଟରୁ ଗୋଟିଏ ଛୁରୀ, ଗୋଟିଏ ସ୍କୁଟି ଓ 7 ହଜାର ଟଙ୍କା ଜବତ କରାଯାଇଥିବା ସାମ୍ବାଦିକ ସମିଳନୀରେ ସୂଚନା ଦେଇଛନ୍ତି ଜୟପୁର SDPO ।

ଓଡ଼ିଶା ସାହିତ୍ୟ ଏକାଡେମୀର ଐତିହାସିକ ନିଷ୍ପତ୍ତି

ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡେମୀର ଐତିହାସିକ ନିଷ୍ପତ୍ତି । ଲାଗୁ ହୋଇଛି ସଂଶୋଧିତ ପୁରସ୍କାର ନିୟମାବଳୀ । ୧୯୫୭ରେ ଏକାଡେମୀ ଗଠନ ବର୍ଷଠାରୁ ଗତବର୍ଷ ପର୍ଯ୍ୟନ୍ତ ଯେଉଁ ନିୟମ ଆଧାରରେ ପୁରସ୍କାର ପ୍ରଦାନ କରାଯାଉଥିଲା ତାହା ରାଜ୍ୟ ସରକାରଙ୍କ ଦ୍ବାରା ଅନୁମୋଦିତ ହୋଇନଥିବାରୁ ଏହା ଅସାମ୍ବିଧାନିକ ବୋଲି ପ୍ରଶ୍ନ ଉଠିଥିଲା । ଫଳରେ ଏକାଡେମୀର ବକେୟା ପୁରସ୍କାର ପ୍ରଦାନ ପ୍ରକ୍ରିୟା ଶିଥିଳ ହୋଇଥିଲା । ସଂଶୋଧିତ ନିୟମାବଳୀକୁ ତର୍ଜ୍ଜମା କରି ଏହାକୁ ଅନୁମୋଦନ କରି ତୁରନ୍ତ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସରକାର । ଲାଗୁ ହୋଇଥିବା ନୂତନ ନିୟମାବଳୀରେ ପୁରସ୍କାର ପ୍ରଦାନ ପ୍ରକ୍ରିୟାକୁ ସ୍ବଚ୍ଛ କରିବା ଦିଗରେ ପଦକ୍ଷେପ ନିଆଯାଇଛି ।

ଏହା ସହିତ ଭଲ ବହିକୁ ପୁରସ୍କାର ପରିଧିକୁ ଆଣିବାକୁ ପୁସ୍ତକର ଅବଧୀ ଯୋଗ୍ୟତା ୫ବର୍ଷକୁ ବୃଦ୍ଧି କରାଯାଇଛି । ଏକାଡେମୀ ସଦସ୍ୟଙ୍କୁ ଚୟନ ପ୍ରକ୍ରିୟାରେ ପ୍ରମୁଖତା ପ୍ରଦାନ କରାଯାଇଛି । କୌଣସି ଏକ ବିଭାଗରେ ବିଚାରକ ଭାବେ ଜଣେ ବ୍ୟକ୍ତି ୨ବର୍ଷ ରହିବାକୁ ନିଶିଦ୍ଧ କରାଯାଇଛି । ନିଜ ବହି ଦାଖଲ ଅନୁଚ୍ଛୁକ ଲେଖକଙ୍କ ପାଇଁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା । ଚୂଡ଼ାନ୍ତ ନିଷ୍ପତ୍ତି କାର୍ଯ୍ୟକାରୀ ପରିଷଦଠାରେ ନ୍ୟସ୍ତ କରାଯାଇଛି ।  ସେହିପରି ସଂଶୋଧିତ ନିୟମାବଳୀ ମୁତାବକ ପୁସ୍ତକ ବିବେଚନାର ଅବଧି ୩ରୁ ୫ ବର୍ଷକୁ ବୃଦ୍ଧି କରାଯାଇଛି  । ନିରପେକ୍ଷତା ଓ ସ୍ୱଚ୍ଛତାକୁ ପ୍ରାଧାନ୍ୟ ଦିଆଯାଇଛି  । ଏକାଡେମୀ ସଦସ୍ୟଙ୍କୁ ଚୟନ ପ୍ରକ୍ରିୟାରେ ପ୍ରମୁଖତା ପ୍ରଦାନ କରାଯାଇଛି  । ପୁସ୍ତକ ପ୍ରକାଶନ ବ୍ରଷର ପ୍ରାମାଣିକତାକୁ ଗୁରୁତ୍ୱ ଦିଆଯାଇଛି  । ଅନ୍ୟପଟେ ଜଣେ ବ୍ୟକ୍ତି ଲଗାତାର ୨ ବର୍ଷ ବିଚାରକ ରହିବା ଉପରେ ମଧ୍ୟ ଅଙ୍କୁଶ ଲାଗିଛି  ।