ଚାକିରି ନାଁରେ ଠକେଇ ମାମଲା; ଅଭିଯୁକ୍ତଙ୍କ ନାଁରେ ଲୁକ୍‌ ଆଉଟ ନୋଟିସ ଜାରି

ଭୁବନେଶ୍ୱର: ଚାକିରି ନାଁରେ ଠକେଇ ମାମଲାରେ ଲୁକ୍‌ ଆଉଟ୍ ନୋଟିସ୍ ଜାରି କଲା ବ୍ୟୁରୋ ଅଫ୍ ଇମିଗ୍ରେସନ୍ । ଅଭିଯୁକ୍ତ ଭିକୁ ଭୋଇ ଓ ମଣିକାନନ୍ଦନଙ୍କ ନାଁରେ ଲୁକ୍‌ ଆଉଟ୍ ନୋଟିସ ଜାରି କରାଯାଇଛି । ଅର୍ଥନୈତିକ ଅପରାଧ ଶାଖାର ଅନୁରୋଧ କ୍ରମେ କିନ୍ନି ଇନ୍‌ଫୋଟେକ୍  ଲିମିଟେଡ୍‌ର ଏହି ୨ ନିର୍ଦ୍ଦେଶକଙ୍କ ନାଁରେ ଲୁକଆଉଟ ଜାରି କରାଯାଇଛି ।

ଭଞ୍ଜନଗର ଥାନାରେ ରୁଜୁ ମାମଲା ଅନୁଯାୟୀ ଅଭିଯୁକ୍ତମାନେ ବହୁ ସଂଖ୍ୟକ ଚାକିରି ଆଶାୟୀଙ୍କ ଠାରୁ ନିଯୁକ୍ତି ନାଁରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଠକି ନେଇଛନ୍ତି ।

ତଦନ୍ତରୁ ପ୍ରାପ୍ତ ତଥ୍ୟ ମୁତାବକ ୨୦୨୧ ମସିହାରେ ଗଞ୍ଜାମ ବାସିନ୍ଦା ଭିକୁ ଭୋଇ ଏବଂ ଚେନ୍ନାଇର ମଣିକାନନ୍ଦନ ଭଞ୍ଜନଗରରେ କିନ୍ନି ଇନ୍‌ଫୋଟେକ୍ ନାମରେ ଏକ ଅଫିସ୍ ଖୋଲିଥିଲେ । ଏବଂ ଶହ ଶହ ସଂଖ୍ୟକ ଚାକିରି ଆଶାୟୀଙ୍କୁ ନିଯୁକ୍ତି ଦେବା ନାଁରୋ କୋଟି କୋଟି ଟଙ୍କା ଠକି ନେଇଥିଲେ । ତେବେ ଚାକିରି ଆଶାୟୀ ଯୁବକ ଏବଂ ଯୁବତୀଙ୍କୁ ଯୋଗାଡ଼ କରିବାକୁ ଏମାନେ କିଛି ଏଜେଣ୍ଟଙ୍କୁ ମଧ୍ୟ ନିଯୁକ୍ତି ଦେଇଥିଲେ । ତେବେ ନିଯୁକ୍ତି ଦେବାରେ ବିଫଳ ହେବା ପରେ ଥାନାର ଦ୍ୱାରସ୍ଥ ହୋଇଥିଲେ ଆଶାୟୀ । ଏହା ପରେ ଅଭିଯୁକ୍ତ ଦୁହେଁ ଫେରାର ଥିବା ସହ ମାଲେସିଆରେ ଲୁଚିଥିବା ପୋଲିସ ଅନୁମାନ କରୁଛି ।

ଏଥିସହିତ ପଢ଼ନ୍ତୁ: ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ଭିତରେ ଲହଡ଼ି ଭାଙ୍ଗୁଛି ବର୍ଷା ଜଳ