spot_img
Home Blog Page 425

ନାଳରୁ ନାବାଳକଙ୍କ ମୃତଦେହ ଉଦ୍ଧାର ଘଟଣା : ତୁରନ୍ତ ଆସାମୀକୁ ଗିରଫ କରିବାକୁ କଂଗ୍ରେସର ଦାବି

0

ନନ୍ଦିଘୋଷ ବ୍ୟୁରୋ: ଅନୁଗୁଳ ସଦର ଥାନା ଶ୍ୟାମସୁନ୍ଦର ଗାଁରେ ନାବାଳିକାଙ୍କ ମୃତଦେହ ନାଳରୁ ଉଦ୍ଧାର ଘଟଣା। ଘଟଣାକୁ ୭ ଦିନ ବିତିଯାଇଥିଲେ ସୁଦ୍ଧା ପୋଲିସ ହାତ ଖାଲି। ଯାହାକୁ ପ୍ରତିବାଦ କରିଛି କଂଗ୍ରେସ।ଘଟଣା ଦିନ ପୁଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ନେଇ ତଦନ୍ତ ଆରମ୍ଭ କରିଥିଲା । ଖୋଦ ଅନୁଗୁଳ ଏସ ପି ରାହୁଲ ଜୈନ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବା ସହ 7 ଦିନ ଭିତରେ ଅଭିଯୁକ୍ତକୁ ଧରିବାକୁ ପ୍ରତିଶୃତି ଦେଇଥିଲେ । ହେଲେ ଘଟଣାକୁ 7 ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ ହାତରେ କିଛି ସୁରାଗ ମିଳିନଥିଲା। ଯାହାକୁ ପ୍ରତିବାଦ କରି କଂଗ୍ରେସ ପକ୍ଷରୁ ଅନୁଗୁଳ ତହସିଲ ଅଫିସ ଆଗରେ ପ୍ରତିବାଦ ସଭା କରିବା ସହ ତୁରନ୍ତ ଆସାମୀକୁ ଗିରଫ କରିବାକୁ ଦାବି କରାଯାଇଛି। ରାଜ୍ୟରେ ମହିଳାଙ୍କ ଉପରେ ଅତ୍ୟାଚାର, ରାଜ୍ୟରେ ଶିଶୁ ନିଖୋଜ ଥିବା ଘଟଣା ବଢି ଚାଲିଛି । ଯାହାକି ସରକାରଙ୍କ ଅପାରଗତା ଯୋଗୁଁ ହେଉଥିବା କଂଗ୍ରେସ ଅଭିଯୋଗ କରିଛି ।

 

ଆଜି ବି ଏହି ଗାଁରେ ନାହିଁରେ ନାହିଁ ବିଜୁଳି, ଡିବିରି ଆଲୁଅରେ ରହୁଛନ୍ତି ଲୋକେ…

ନନ୍ଦିଘୋଷ ବ୍ୟୁରୋ: ଆଜି ବି ଏଭଳି ଗାଁ ଅଛି, ଯେଉଁଠି ବିଜୁଳି ଆଲୁଅ ସାତସପନ । ସନ୍ଧ୍ୟା ହେଲେ ଗାଁରେ ଛାଇଯାଉଛି ଘନ ଅନ୍ଧକାର । ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ବିଜୁଳି ସଂଯୋଗ ତ ଦୂରର କଥା ଗାଁକୁ ପକ୍କା ରାସ୍ତାଟିଏ ନାହିଁ । ପାନୀୟ ଜଳ ସମସ୍ୟା କହିଲେ ନସରେ । ଗଜପତି ଜିଲ୍ଲା କାଶୀନଗର ବ୍ଳକ କେ. ସୀତାପୁର ପଞ୍ଚାୟତର ଦେବଦଳା ଗ୍ରାମରେ ଅପହଞ୍ଚ ସରକାରୀ ଯୋଜନା। ।

ବିନା ଆଲୁଅରେ ବିତୁଛି ଜୀବନ । ବିଜୁଳି ଆଲୁଅ ଏଠି ସାତସପନ । ସନ୍ଧ୍ୟା ହେଲେ ଘୋଟିଯାଉଛି ଅମା ଅନ୍ଧକାର । ସାହାରା ପାଲଟିଛି କ୍ୟାଣ୍ଡେଲ ଓ ଟର୍ଚ୍ଚ ଲାଇଟ ।.. .. ଏ ହେଉଛି ଗଜପତି ଜିଲ୍ଲା କାଶୀନଗର ବ୍ଳକ କେ. ସୀତାପୁର ପଞ୍ଚାୟତର ଦେବଦଳା ଗାଁ । ଏଠାରେ ୧୮ରୁ ଅଧିକ ଆଦିବାସୀ ପରିବାର ବସବାସ କରନ୍ତି । ସନ୍ଧ୍ୟା ହେଲେ ବଢ଼ିଯାଏ ଏମାନଙ୍କ ସମସ୍ୟା । ମହମବତୀ ଆଲୁଅ ଓ କାଠ ଚୁଲି ଆଲୁଅରେ ଚଳିବାକୁ ହୁଏ । ପିଲାଙ୍କ ପାଠପଢ଼ା ହେଉ ଅବା ରୋଷେଇ ସବୁ ସେଥିରେ ହିଁ ହୁଏ। ଦେଖନ୍ତୁ ଏହି ଚିତ୍ରକୁ କିଭଳି ଗୋଟିଏ କ୍ୟାଣ୍ଡେଲ ଲଗାଇ ପାଠ ପଢ଼ୁଛନ୍ତି ପିଲାମାନେ । ଘରୁ ବାହାରିଲେ ଜଙ୍ଗଲୀ ଜନ୍ତୁଙ୍କ ଭୟ ରହିଥିବା ବେଳେ ଟର୍ଚ୍ଚ ଆଲୁଅ ହିଁ ଭରସା। ବିଦ୍ୟୁତ ସଂଯୋଗ ନ ଥିବାରୁ ନିକଟସ୍ଥ ଗ୍ରାମରୁ ମୋବାଇଲ ଫୋନ, ଟର୍ଚ୍ଚ ଲାଇଟ୍ ଚାର୍ଜିଂ କରି ଆଣିବାକୁ ପଡୁଛି । ଏନେଇ ବାରମ୍ବାର ପ୍ରଶାସନ ନିକଟରେ ଗୁହାରି କରିଥିଲେ ସୁଦ୍ଧା ଏଯାଏ କୌଣସି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।

ସ୍ଥାନୀୟ ସରପଞ୍ଚଙ୍କ ଉଦ୍ୟମରେ ଗ୍ରାମକୁ ଏକ ପ୍ରାଥମିକ ରାସ୍ତା ନିର୍ମାଣ ହୋଇଛି । ହେଲେ ପକ୍କା ରାସ୍ତା ନିର୍ମାଣ , ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଏଯାଏଁ ଗାଁରେ ପହଞ୍ଚିପାରି ନାହଁ । ସରପଞ୍ଚଙ୍କ ଜରିଆରେ ବିଦ୍ୟୁତ ସଂଯୋଗ ପାଇଁ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା ପ୍ରଶାସନ ନିଦାବିଷ୍ଣୁ ସାଜିଛି । ଏଠାରେ ବିକାଶ ଅପହଞ୍ଚ ରହିଥିବାବେଳେ ଅଭିଶପ୍ତ ଜୀବନ ବିତାଉଛନ୍ତି ଗ୍ରାମବାସୀ । ଏ ନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ ପରେ ବିଭାଗୀୟ ଅଧିକାରୀଙ୍କୁ ଉକ୍ତ ଗ୍ରାମ ପରିଦର୍ଶନ କରି ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବେ ବୋଲି କହିଛନ୍ତି ।

‎ସରକାର ଡିଜିଟାଲ ଇଣ୍ଡିଆର ସ୍ବପ୍ନ ଦେଖୁଥିବା ବେଳେ ଏବେ ବି କିଛି ସ୍ଥାନରେ ପ୍ରକୃତ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ ରହିଛି । ତେବେ ଦେବଦଳା ଗାଁର ମୌଳିକ ସମସ୍ୟା କେବେ ଦୂର ହେଉଛି ଗାଁକୁ କେବେ ପ୍ରଶାସନର ଶୁଭ ଦୃଷ୍ଟି ପଡ଼ୁଛି ତା ଉପରେ ରହିଛି ନଜର ।

 

ରାୟଗଡ଼ାରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଫିଟନେସ୍-କମ୍-ଆମ୍ୟୁଜମେଣ୍ଟ ପାର୍କ ବିକଶିତ କରୁଛି ବେଦାନ୍ତ ଆଲୁମିନିୟମ

0

ନନ୍ଦିଘୋଷ ବ୍ୟୁରୋ: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ରାୟଗଡ଼ାର ହାତମୁନିଗୁଡ଼ାରେ ଥିବା ରାମକୃଷ୍ଣ ମିଶନ ଆଶ୍ରମ ସ୍କୁଲର ୭୦୦ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଉତ୍ସର୍ଗୀକୃତ ଫିଟନେସ୍-କମ୍-ଆମ୍ୟୁଜମେଣ୍ଟ ପାର୍କ ବିକଶିତ କରିଛି। ବିଭିନ୍ନ ପ୍ରକାରର ଖେଳ ଏବଂ ଫିଟନେସ୍ ସୁବିଧା ସହିତ ସଜ୍ଜିତ ଏହି ପାର୍କଟି ଶାରୀରିକ କାର୍ଯ୍ୟକଳାପ, ମନୋରଞ୍ଜନ ଏବଂ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଡିଜାଇନ୍ କରାଯାଇଛି।

ସ୍କୁଲ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ବେଦାନ୍ତ ସିଜିମାଲି ବକ୍ସାଇଟ୍ ମାଇନ୍ସର ଉପାଧ୍ୟକ୍ଷ ଏବଂ ମୁଖ୍ୟ ଶ୍ରୀ ପ୍ରତୀକ କୁମାର ଏହି ପାର୍କର ଉଦଘାଟନ କରିଥିଲେ। ଉଦଘାଟନ ପରେ ଛାତ୍ରଛାତ୍ରୀମାନେ ଉତ୍ସାହର ସହିତ ସେଠାରେ ଅନେକ ସମୟ ଖେଳକୁଦ କରିଥିଲେ। ଏହିପରି ଗ୍ରାମାଞ୍ଚଳରେ, ସୀମିତ ସ୍କୁଲ ଭିତ୍ତିଭୂମି ଛାତ୍ରଛାତ୍ରୀଙ୍କ ଶିକ୍ଷା ଏବଂ ଅଭିବୃଦ୍ଧିକୁ ବାଧା ସୃଷ୍ଟି କରେ। ସ୍କୁଲଗୁଡ଼ିକୁ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ସହିତ ସଜ୍ଜିତ କରି, ବେଦାନ୍ତ ଆଲୁମିନିୟମ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ସଫଳତା ଏବଂ ସାମଗ୍ରିକ ବିକାଶକୁ ସମର୍ଥନ କରିବା ସହିତ ଏକ ଅନୁକୂଳ ଶିକ୍ଷା ପରିବେଶ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି। ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ୧୦୦ ଏକର ଜମିରେ ୨୦୦୮ ମସିହାରେ ପ୍ରତିଷ୍ଠିତ ରାମକୃଷ୍ଣ ମିଶନ ଆଶ୍ରମ ସ୍କୁଲ ସିବିଏସଇ ପାଠ୍ୟକ୍ରମ ଅନୁଯାୟୀ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ପ୍ରଦାନ କରେ। ଏହାର ସମସ୍ତ ଛାତ୍ରଛାତ୍ରୀ ରାୟଗଡା, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲା ସମେତ କୋରାପୁଟ ଅଞ୍ଚଳର ଆଦିବାସୀ ସମ୍ପ୍ରଦାୟରୁ ଆସିଥାନ୍ତି।

ଏହି ପଦକ୍ଷେପ ବିଷୟରେ କହି, ବେଦାନ୍ତ ଆଲୁମିନିୟମର ସିଇଓ ଶ୍ରୀ ରାଜୀବ କୁମାର କହିଛନ୍ତି, “ବେଦାନ୍ତ ଆଲୁମିନିୟମରେ, ଆମେ ବିଶ୍ୱାସ କରୁ ଯେ, ପ୍ରକୃତ ସମ୍ପ୍ରଦାୟ ବିକାଶ ଭିତ୍ତିଭୂମିଠାରୁ ଅଧିକ – ଏହାର ସାମଗ୍ରିକ ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବାରେ ଥାଏ। ଏହି ଫିଟନେସ୍-କମ୍-ମନୋରଞ୍ଜନଭିତ୍ତିକ ପାର୍କ ପିଲାମାନଙ୍କୁ ଖେଳ ଏବଂ ଶାରୀରିକ କାର୍ଯ୍ୟକଳାପ ପାଇଁ ସୁଯୋଗ ପ୍ରଦାନ କରିବା ସହିତ ଏକ ଆନନ୍ଦଦାୟକ ପରିବେଶ ଯୋଗାଇଦେବା ଯାହା ପିଲାମାନଙ୍କର ସାମଗ୍ରିକ ବିକାଶକୁ ସମର୍ଥନ କରେ।”
ବେଦାନ୍ତ ଆଲୁମିନିୟମ ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ଥାୟୀ ଜୀବିକା, ଭିତ୍ତିଭୂମି ଏବଂ ତୃଣମୂଳ କ୍ରୀଡା ଏବଂ ସଂସ୍କୃତିକୁ ପ୍ରୋତ୍ସାହିତ କରି ସ୍ଥାନୀୟ ସମ୍ପ୍ରଦାୟକୁ ସଶକ୍ତ କରିବା ପାଇଁ ସମର୍ପିତ ରହିଛି। ଏହି ପ୍ରୟାସଗୁଡ଼ିକ ବେଦାନ୍ତ ଆଲୁମିନିୟମର କାର୍ଯ୍ୟକ୍ଷମ କ୍ଷେତ୍ର ମଧ୍ୟରେ ଏବଂ ବାହାରେ ପରିବର୍ତ୍ତନ ଆଣିବା ପ୍ରତି ପ୍ରତିବଦ୍ଧତାକୁ ରେଖାଙ୍କିତ କରେ, ଓଡ଼ିଶାର ସାମଗ୍ରିକ ଅଭିବୃଦ୍ଧି ଏବଂ ଉନ୍ନତି ପ୍ରତି ସମ୍ପ୍ରଦାୟ ଅବଦାନର ଭାବନାକୁ ପ୍ରୋତ୍ସାହିତ କରେ। ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ସମ୍ପ୍ରଦାୟ ଅଂଶୀଦାରମାନଙ୍କ ସହିତ ଘନିଷ୍ଠ ଭାବରେ ସହଯୋଗ କରି, କମ୍ପାନୀ ନିଶ୍ଚିତ କରେ ଯେ ଏହାର ହସ୍ତକ୍ଷେପ ଦୃଶ୍ଯ ସାମାଜିକ-ଆର୍ଥିକ ପ୍ରଗତି ଆଡ଼କୁ ନେଇଯାଏ।

ତୁମୁଡ଼ିବନ୍ଧ ସିଡିପିଓଙ୍କ ବଦଳି ଦାବିରେ ଅଙ୍ଗନବାଡ଼ି କର୍ମୀଙ୍କ ଧାରଣା

0

ନନ୍ଦିଘୋଷ ବ୍ୟୁରୋ: କନ୍ଧମାଳ ତୁମୁଡ଼ିବନ୍ଧ ସିଡିପିଓଙ୍କ ବଦଳି ଦାବିରେ ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନବାଡ଼ି କର୍ମୀଙ୍କ ଧାରଣା। ସିଡିପିଓ ଲତା ଦିଗାଳଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ କରିଛନ୍ତି ଅଙ୍ଗନବାଡ଼ି କର୍ମୀ ସମୂହ । ଅଙ୍ଗନବାଡ଼ି କର୍ମୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଦରମା ବନ୍ଦ କରିଥିବା ଅଭିଯୋଗ ହୋଇଛି । ଘଟଣାର ସମାଧାନ ପାଇଁ ଗତକାଲି ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ତୁମୁଡ଼ିବନ୍ଧ ଯାଇଥିଲେ। ସେପଟେ ଅଲ୍ ଓଡିଶା ଅଙ୍ଗନବାଡ଼ି ସଙ୍ଘର ରାଜ୍ୟ ଉପଦେଷ୍ଟା ଝିନୁପମା ଶତପଥୀ, ଜିଲ୍ଲା ସଭାପତି, ସମ୍ପାଦକଙ୍କ ସମେତ ବ୍ଲକର ସମସ୍ତ କର୍ମୀ ତୁମୁଡ଼ିବନ୍ଧ ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟରେ ପହଁଚି ଅଙ୍ଗନବାଡ଼ି କର୍ମୀଙ୍କ ଅଭିଯୋଗ ଏବଂ ସମସ୍ୟାର ସମାଧାନ କରିବା ପାଇଁ ଚେଷ୍ଟା କରିଥିଲେ।

କିନ୍ତୁ ସିଡ଼ିପିଓ ଲତା ଦିଗାଳ ବେଖାତିର କରି କାର୍ଯ୍ୟାଳୟରୁ ବାହାରି ଯାଇଥିଲେ।କାର୍ଯ୍ୟାଳୟ ବାହାରେ ସଙ୍ଘର ଜିଲ୍ଲା ସମ୍ପାଦିକା ଶାରଦା ବିଶୋଇ ସିଡ଼ିପିଓ ଲତା ଦିଗାଳଙ୍କୁ ଆଲୋଚନା କରିବା ପାଇଁ ଅଟକାଇବା ବେଳେ ସିଡ଼ିପିଓ ତାଙ୍କ କାର୍ ଡୋରରେ ଆଘାତ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି।ଘଟଣାକୁ ନେଇ ଅଙ୍ଗନବାଡ଼ି ସଙ୍ଘ ପକ୍ଷରୁ ତୁମୁଡ଼ିବନ୍ଧ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଜଣାପଡ଼ିଛି। ସିଡ଼ିପିଓ ଲତା ଦିଗାଳଙ୍କୁ ଅନ୍ୟତ୍ର ବଦଳି ଦାବିରେ ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ସେପଟେ ଯଥାଶୀଘ୍ର ଏହାର ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛି ସଙ୍ଘ। ଅନ୍ୟପଟେ ଘଟଣା ସମ୍ପର୍କରେ ତୁମୁଡ଼ିବନ୍ଧ ସିଡ଼ିପିଓଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ଶ୍ରୀମନ୍ଦିର ଉତ୍ତର ଦ୍ୱାର ନିକଟରେ ଛୁରା ମାଡ଼

0

ନନ୍ଦିଘୋଷ ବ୍ୟୁରୋ: ପୁରୀ ଶ୍ରୀମନ୍ଦିର ଉତ୍ତର ଦ୍ୱାର ନିକଟରେ ଛୁରା ମାଡ଼ । ଛୁରା ମାଡ଼ରେ ଦାଦା ଓ ପୁତୁରା ଆହତ । ଆହତ ବ୍ୟକ୍ତି ମାନେ ହେଲେ ଗୌରାଙ୍ଗ ସାହୁ ଓ ସନ୍ତୋଷ କୁମାର ସାହୁ। ଉଭୟ ମାର୍କଣ୍ଡେଶ୍ୱର ସାହି ଅଂଚଳର । କେହି ଦୁର୍ବୃତ୍ତ ଛୁରା ମାଡ଼ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ସିଂହ ଦ୍ୱାର ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ କରୁଛି। ଫେରାର ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଅଛି।

ଯେବେ କରୀନା-ସାହିଦଙ୍କ ଏହି ଫିଲ୍ମ ହୋଇଥିଲା ଫ୍ଲପ୍, ଦର୍ଶକେ କହିଲେ…

ନନ୍ଦିଘୋଷ ବ୍ୟୁରୋ: ବଲିଉଡର ଅନେକ ହିଟ୍ ଯୋଡ଼ି ରହିଛନ୍ତି । ନିଜର ପସନ୍ଦର ଅଭିନେତା ଏବଂ ହିରୋଇନଙ୍କ ଫିଲ୍ମ ଦେଖିବା ଲାଗି ଦର୍ଶକେ ଚାହିଁ ରହିଥାନ୍ତି । ଏକଦା ସାହିଦ କପୁର ଏବଂ କରୀନାଙ୍କ ଯୋଡ଼ିକୁ ଦର୍ଶକେ ବେଶ ପସନ୍ଦ କରିଥିଲେ । ଏହି ହିଟ୍ ଯୋଡ଼ିଙ୍କ ଅଭିନୟ ଯେମିତି ଥିଲା ସେମାନଙ୍କ କେମେଷ୍ଟ୍ରି ତାଠାରୁ ଅଧିକ ରହିଥିଲା । ତେବେ ଏମାନେ ବିବାହ କରିବେ ବୋଲି ମଧ୍ୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା । ଏପରିକି ଦୀର୍ଘଦିନଧରି ଏହି ଯୋଡ଼ି ଡେଟ କରୁଥିଲେ । ତେବେ ସେହି ସମୟରେ ପରଦାକୁ ଆସିଥିବା ଏକ ଫିଲ୍ମ ଭଲ ରୋଜଗାର କରିବ ବୋଲି ଆଶା ରଖିଥିଲା ପ୍ରଯୋଜନା ସଂସ୍ଥା । ମାତ୍ର ଏହା ସମ୍ପୂର୍ଣ୍ଣ ଭାବେ ଫ୍ଲପକ ହୋଇଥିଲା । ତେବେ ଏହି ଫିଲ୍ମଟି ଥିଲା ’ଫିଦା’ ।

୨୦୦୪ ମସିହାରେ ରିଲିଜ ହୋଇଥିଲା ଫିଲ୍ମ ଫିଦା । ଏହି ଫିଲ୍ମଟି ୧୦ କୋଟ ଟଙ୍କା ବିନିମୟରେ ନିର୍ମାଣ କରାଯାଇଥିଲା । ପ୍ରଥମ ଦିନରେ ୧.୫ କୋଟି ଏବଂ ଦ୍ବିତୀୟ ଦିନରେ ମଧ୍ୟ ସମାନ ରୋଜଗାର କରିଥିବାବେଳେ ତୃତୀୟ ଦିନରେ ୧.୬୦ କୋଟି ଟଙ୍କା ରୋଜଗାର କରିପାରିଥିଲା । ମାତ୍ର ତିନିଦିନ ମଧ୍ୟରେ ଏହି ଫିଲ୍ମଟି ବଜେଟର ୪୫ ପ୍ରତିଶତ ଟଙ୍କା ରୋଜଗାର କରିଥିଲା । ମାତ୍ର ଏହା ପରେ ଭଲ ରୋଜଗାର କରିପାରିନଥିଲା । ୯.୭୧ କୋଟି ଟଙ୍କା ରୋଜଗାର କରିପାରିଥିଲାୂ ବକ୍ସ ଅଫିସରେ । ଯେଉଁ କାରଣରୁ ଫିଲ୍ମକୁ ବକ୍ସ ଅଫିସରେ ଫ୍ଲପ ଘୋଷଣା କରାଯାଇଥିଲା ।

ପାକିସ୍ତାନ ବିପକ୍ଷ ମ୍ୟାଚକୁ ନେଇ ଏମିତି କହିଲେ ଐଶନ୍ୟା ଦ୍ବିବେଦୀ

ନନ୍ଦିଘୋଷ ବ୍ୟୁରୋ: ଆସନ୍ତାକାଲି ଏସିଆ କପର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ ଖେଳାଯିବାକୁ ଯାଉଛି । ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଯାଉଛି ହାଇଭୋଲଟେଜ୍ ମ୍ୟାଚ୍ । ଏହି ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିଥିବାବେଳେ ଭାରତ-ପାକିସ୍ତାନ ମ୍ୟାଚକୁ ରଦ୍ଦ କରାଯାଉ ବୋଲି କିଛି ଦାବି ରଖିଛନ୍ତି । ପାକିସ୍ତାନୀ ଆତଙ୍କବାଦୀମାନେ ଯେଭଳି ପହଲଗାମରେ ଆକ୍ରମଣ କରିଥିଲେ ଏହାର ପ୍ରତିବାଦରେ ସେମାନଙ୍କ ସହ ମ୍ୟାଚ ନଖେଳିବାକୁ ଦାବି କରାଯାଉଛି । ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଶୁଭମ ଦ୍ବିବେଦୀଙ୍କ ପତ୍ନୀ ଐଶନ୍ୟା କହିଛନ୍ତି କି, ଏହି ମ୍ୟାଚ ଖେଳାଯିବାକୁ ବିସିସିଆଇ ଅନୁମତି ଦେବା ଅନୁଚିତ୍ ।

ଏହାସହ ସେ କହିଛନ୍ତି କି, ବିସିସିଆଇ ସେହି ୨୬ ପରିବାର ପ୍ରତି ଭାବପ୍ରବଣ ନୁହେଁ । ଆମର କ୍ରିକେଟରମାନେ ମଧ୍ୟ ଏହି ମ୍ୟାଚ ଖେଳିବା ଲାଗି ମନା କରିବାର ଥିଲା । ଜଣେ ଦୁଇଜଣଙ୍କ ଛାଡ଼ିଦେଲେ ବାକି କୌଣସି ଖେଳାଳି ମ୍ୟାଚ ବର୍ଜନ ପାଇଁ ଆଗକୁ ଆସିନାହାନ୍ତି । ଖେଳାଳିମାନେ ନିଜଆଡ଼ୁ ମ୍ୟାଚ ବର୍ଜନ କରିବା ପାଇଁ ଆଗେଇ ଆସିବା ଉଚିତ୍ । ମାତ୍ର ଏଭଳି କିଛି ହେଉନାହିଁ । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ।

ପୋଲିସର ଦବଙ୍ଗଗିରି : ରାତି ଅଧରେ ଫାର୍ମ ହାଉସରେ ପଶି କଲେ ଦାଦାଗିରି

ନନ୍ଦିଘୋଷ ବ୍ୟୁରୋ : ପୋଲିସର ଦବଙ୍ଗଗିରି । ରାତି ଅଧରେ ଆସିଲେ । ଫାର୍ମ ହାଉସରେ ପଶିଲେ । ସାଙ୍ଗରେ ଥିବା ସହଯୋଗୀ ଧରିଥିଲେ ଶାବଳ ଆଉ ମୋଡି ଦେଲେ ସିସିଟିଭି । ଏଭଳି ଘଟଣା ଘଟାଇଛନ୍ତି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନାର ଏଏସଆଇ । ଯାହା କଏଦ ହୋଇଛି ସିସିଟିଭିରେ । ବୁଧବାର ରାତି ୨ ଟା ସମୟରେ ଖୁଣ୍ଟା ଥାନା ଏଏସଆଇ ଛବିଳ ପ୍ରଧାନ ଅନ୍ୟ ଜଣେ ପୋଲିସ କର୍ମଚାରୀ ଏବଂ ଦୁଇ ଜଣ ଯୁବକଙ୍କ ସହିତ ଉଦଳା ଥାନା ରଙ୍ଗାମାଟିଆ ଠାରେ ଥିବା ବୁନେସ କୁମାର ପରିଛାଙ୍କ ଫାର୍ମ ହାଉସରେ ପଶିଥିଲେ। ଫାର୍ମ ହାଉସରେ ପଶି ବୁନେସ ପରିଛାଙ୍କୁ ଖୋଜି ଏକ ଘର କବାଟ ବାଡେଇଥିଲେ ଏବଂ ସେଠାରୁ ବୁନେସଙ୍କ କର୍ମଚାରୀଙ୍କୁ ବାହାର କରିଥିଲେ । ଏହା ପରେ ପୋଲିସ ସାଙ୍ଗରେ ଥିବା ଦୁଇ ଯୁବକ ଏକ ଶାବଳ ଧରି ଫାର୍ମ ହାଉସ ଭିତରେ ବୁଲି ବୁନେସଙ୍କୁ ଖୋଜିଥିଲେ । ଖୋଜିବା ସମୟରେ ଫାର୍ମ ହାଉସରେ ସିସିଟିଭି ଲାଗିଥିବା ଦେଖି ତାକୁ ମୋଡି ଦେଇଥିଲେ ପୋଲିସ କର୍ମଚାରୀ । ଯାହା ସିସିଟିଭିରେ କଏଦ ହୋଇଛି । ଦୀର୍ଘ ସମୟ ଧରି ଫାର୍ମ ହାଉସରେ ରହିବା ପରେ ଉଭୟ ବୁନେସ ଏବଂ ତାଙ୍କ କର୍ମଚାରୀଙ୍କୁ ଥାନାକୁ ନେଇ ଯାଇଥିଲା ପୋଲିସ । ହେଲେ ବୁନେସଙ୍କ ନାଁରେ କୌଣସି କେଶ ନଥିଲା । ଜଣେ ବ୍ୟକ୍ତିଙ୍କ ନିକଟରୁ ସେ ଆଣିଥିବା ସାମଗ୍ରୀର ଟଙ୍କା ଦେଇ ନଥିବାରୁ ତାଙ୍କୁ ଥାନାକୁ ପୋଲିସ ନେଇଥିଲା । ହେଲେ ଆପୋଷ ଆଲୋଚନା ପରେ ବୁନେସ ଥାନାରୁ ଫେରିଥିଲେ । କିନ୍ତୁ ପୋଲିସ ଏଏସଆଇ ବିନା କେଶରେ ଜଣେ କୁଖ୍ୟାତ ଅପରାଧୀ ଭଳି ବୁନେସଙ୍କୁ ବ୍ୟବହାର କରିବା । ରାତିରେ ଫାର୍ମ ହାଉସରେ ଶାବଳ ନେଇ ପଶିବା। ସିସିଟିଭି ମୋଡି ଦେବା ଓ ବୁନେସଙ୍କ କର୍ମଚାରୀଙ୍କୁ ପୋଲିସ ମାଡ଼ ମାରିଥିବା ଭଳି ସାଙ୍ଘାତିକ ଅଭିଯୋଗ ନେଇ ଏସପିଙ୍କୁ ଜଣାଇଛନ୍ତି ବୁନେସ ।

 

ଗୁଣିଗାରେଡି ସନ୍ଦେହ : ସାଙ୍ଗକୁ ଅତି ବୀଭତ୍ସ ଭାବେ ଗଳା କାଟି ହତ୍ୟା କଲା ସାଙ୍ଗ!

ନନ୍ଦିଘୋଷ ବ୍ୟୁରୋ : ସାଙ୍ଗକୁ ଅତି ବୀଭତ୍ସ ଭାବେ ଗଳା କାଟି ହତ୍ୟା କଲା ସାଙ୍ଗ । ରାୟଗଡା ଜିଲ୍ଲା ଦୋରାଗୁଡା ଥାନା ଏ.କରଳ ଗ୍ରାମ ନିକଟରେ ଘଟିଛି ହତ୍ୟାକାଣ୍ଡ । ମୃତକ ହେଲେ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଳକ କାଳିଆମ୍ବ ଗ୍ରାମର ଖଗେଶ୍ବର ମାଣ୍ଡାଙ୍ଗି । ଗୁଣିଗାରେଡି ଯୋଗୁଁ ଏପରି ହତ୍ୟାକାଣ୍ଡ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଗତକାଲି ଦୁଇ ଜଣ ସାଙ୍ଗ ଟିକିରି ବାଲିଯାତ୍ରା ଦେଖିବାକୁ ଯାଇଥିଲେ । ଯାତ୍ରା ଦେଖି ଅଟୋରେ ଫେରିବା ସମୟରେ ଅଭିଯୁକ୍ତ ସାଙ୍ଗ ଏ.କରଳ ଗ୍ରାମ ନିକଟ ଜଙ୍ଗଲରେ ଅଟ ରଖିବାକୁ କହିଥିଲା । ଏହା ସହ ଖଗେଶ୍ବରଙ୍କ ଗଳାକୁ ଏକ ଧାରୁଆ ଅସ୍ତ୍ରରେ କାଟି ଜଙ୍ଗଲରେ ଫିଙ୍ଗି ଦେଇଥିଲେ । ପରେ ସକାଳୁ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେବା ପରେ ଦୋରାଗୁଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ଅଭିଯୁକ୍ତ ସାଙ୍ଗକୁ ପୁଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି । ପୂର୍ବରୁ ମୃତ ଖଗେଶ୍ବର ଗୁଣିଗାରେଡି କରୁଛି ବୋଲି ସନ୍ଦେହ କରି ଉଭୟଙ୍କ ମଧ୍ୟରେ ଝଗଡା ହେବା ସହ ଗ୍ରାମରେ ସଭା ହୋଇଥିଲା । ଅପରପକ୍ଷେ ଏହି ହତ୍ୟାକାଣ୍ଡ ହେବା ପରେ ପରିବାର ଲୋକେ ନ୍ୟାୟ ଦାବି କରିଛନ୍ତି।

ଚୋରାମଦ ବୋଝେଇ କାରକୁ ଧରିଲା ଅବକାରୀ ବିଭାଗ : ବିପୁଳ ପରିମାଣର ଦେଶୀ ମଦ ଓ ପୋଚ ଉଦ୍ଧାର

ନନ୍ଦିଘୋଷ ବ୍ୟୁରୋ : ଚୋରା ମଦ ବୋଝେଇ କାରକୁ ଗୋଡାଇ ଧରିଲା ଅବକାରୀ ବିଭାଗ । ଅବକାରୀ ବିଭାଗର ଅଧିକାରୀଙ୍କୁ ଚକମା ଦେଇ କାରରେ କଟକ ଜିଲ୍ଲା ତିଗିରିଆ ଥାନା ଅଞ୍ଚଳରୁ ଚାଲାଣ ହେଉଥିଲା ଦେଶୀ ମଦ । ଦୀର୍ଘ ସମୟର ଛକାପଞ୍ଜା ପରେ ଶେଷରେ କାରକୁ ଧରିବାରେ ସଫଳ ହୋଇଛି ଅବକାରୀ ବିଭାଗ । ଆଠଗଡ ଥାନା କୋରଙ୍ଗା ଗ୍ରାମ ଏବଂ ତିଗିରିଆ ଥାନା ପାଇକସାହି ଗ୍ରାମରେ ଆଠଗଡ ଅବକାରୀ ବିଭାଗ ଓ ଆଠଗଡ ପୋଲିସ ଏକ ମିଳିତ ଚଡାଉ କରିଥିଲେ । ଉକ୍ତ ଚଢାଉରେ ସର୍ବମୋଟ ୧୭ ଶହ ୫୦ ଲିଟର ଦେଶୀ ମଦ ସହ ୧୫ ହଜାର ୪୭୦ ଲିଟର ମଦ ପ୍ରସ୍ତୁତ ନିମନ୍ତେ ବ୍ୟବହୃତ ହେଉଥିବା ଗୁଡ ପୋଚ ଉଦ୍ଧାର କରାଯାଇଛି । ସେଗୁଡିକୁ ଘଟଣାସ୍ଥଳରେ ନଷ୍ଟ କରାଯାଇଛି । ଏହାସହ ୨୫ ଗୋଟି ମଦ ରନ୍ଧା ପାଇଁ ବ୍ୟବହୃତ ହେଉଥିବା ଆଲୁମିନିଉମ ଡିସ୍କ ଜବତ କରିବା ସହ ୫ ଗୋଟି ମାମଲା ରୁଜୁ କରାଯାଇଛି।