spot_img
Home Blog Page 424

ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ ୨ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା

ନନ୍ଦିଘୋଷ ବ୍ୟୁରୋ : ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ । ୨ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା କଲେ ମାଓବାଦୀ । ପୋଲିସ ସୂଚନାଦାତା ସନ୍ଧେହରେ ଦୁଇଜଣଙ୍କୁ ହତ୍ୟା। ମାଲକାନଗିରି ଜିଲ୍ଲା ସୀମାନ୍ତ ସୁକମା ଜିଲ୍ଲାର କେରାଲାପାଲ ଥାନା ଅନ୍ତର୍ଗତ  ନନ୍ଦପଡ଼ାରେ ନକ୍ସଲମାନେ ଦୁଇ ଜଣ ଗ୍ରାମବାସୀଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି। ଯାହାକୁ ନେଇ ଅଞ୍ଚଳରେ ଆତଙ୍କର ବାତାବରଣ ଖେଳିଯାଇଛି। ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ବିଳମ୍ବିତ ରାତିରେ ନକ୍ସଲମାନେ ଗ୍ରାମବାସୀଙ୍କୁ ଟାର୍ଗେଟ କରିଥିଲେ। ଘଟଣାର ଖବର ପାଇ  କେରାଲାପାଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ସୂଚନା ଦାତା ସନ୍ଦେହରେ ଗ୍ରାମବାସୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

 

 

 

 

ସମ୍ବଲପୁର ବୁର୍ଲା ଭିସୁଟ୍‌ର ଜଣେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ପିସି ବ୍ରିଜ ତଳୁ ମିଳିଛି ମୃତଦେହ

ନନ୍ଦିଘୋଷ ବ୍ୟୁରୋ : ସମ୍ବଲପୁର ବୁର୍ଲା ଭିସୁଟ୍‌ର ଜଣେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ। ପିସି ବ୍ରିଜ ତଳୁ ମିଳିଛି ମୃତଦେହ । ମୃତ ଛାତ୍ର ଜଣକ ହେଉଛନ୍ତି ଅଞ୍ଜନେୟ ଦାସ। ଅଞ୍ଜନେୟ ମେକାନିକାଲ ଇଂଜିନିୟରିଂ ଶେଷ ବର୍ଷର ଛାତ୍ର । କେମିତି ମୃତ୍ୟୁ ହୋଇଛି, ପିସି ବ୍ରିଜକୁ କେମିତି ଆସିଲା ମୃତଦେହ, ତାହା ସ୍ପଷ୍ଟ ହୋଇନି। ପୋଲିସ ତଦନ୍ତ କରୁଛି।  ତେବେ ପରିବାର ଲୋକ ଅଭିଯୋଗ  କରିଛନ୍ତି, ପୁଅକୁ ହତ୍ୟା କରାଯାଇଛି। ପ୍ରଥମେ ଏହାକୁ ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି ସନ୍ଦେହ କରାଯାଉଥିଲା। ବର୍ତ୍ତମାନ ଛାତ୍ରଙ୍କ ମାମୁଁ ହତ୍ୟା ଅଭିଯୋଗ ଆଣିଛନ୍ତି l ଘଟଣା ସ୍ଥଳରେ ପୋଲିସ ପହଞ୍ଚିଥିବା ବେଳେ ପାରିପାର୍ଶ୍ବିକ ପରିସ୍ଥିତିକୁ ଯାଞ୍ଚ କରୁଛି l ମିଳିଥିବା ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା ୮ ଟା ସମୟରେ ସେ ବୁର୍ଲା ପିସି ବ୍ରିଜକୁ ଆସିଥିଲେ ଓ ତାପରେ ରାତି ୧୧ ଟାରେ ଏହି ଘଟଣା ଘଟିଥିବା କୁହାଯାଉଛି।

 

ଅଧ ରାତିରେ ଘରେ ପଶି କଚାଡ଼ି ଦଳିଲା ଦନ୍ତା , ମେଡିକାଲ ନେବାବେଳେ ଅଧବାଟରେ ଚାଲିଗଲା ଜୀବନ

ନନ୍ଦିଘୋଷ ବ୍ୟୁରୋ : ହିନ୍ଦୋଳରେ ପୁଣି ଆଜି ଜଣଙ୍କୁ କଚାଡି ମାରିଲା ଦନ୍ତା। ଖାଦ୍ୟ ସନ୍ଧାନରେ ଆସି ହିନ୍ଦୋଳ ଫରେଷ୍ଟ ରେଞ୍ଜ ନୂଆଗାଁରେ ଜଣେ ବ୍ୟକ୍ତିଙ୍କ ଘର ଭାଙ୍ଗିବା ସହ ତାଙ୍କୁ ଆକ୍ରମଣ କରିଥିଲା। ରାତି ପ୍ରାୟ ୧ ଟା ୩୦ ରେ ଏପରି ଘଟଣା ଘଟିଥିବା ବେଳେ ଗୁରୁତର ଅବସ୍ଥାରେ ସଂସାର ଗଡ଼ନାୟକଙ୍କୁ ଗାଁ ଲୋକେ ପ୍ରଥମେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ଓ ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ରାସ୍ତାରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ହିନ୍ଦୋଳ ରେଞ୍ଜରେ ଗୋଟିଏ ମାସ ମଧ୍ୟରେ ମୋଟ ୬ ଜଣଙ୍କ ମୃତ୍ୟୁ ହେଲାଣି।

 

ଘୂର୍ଣ୍ଣିବଳୟ ପ୍ରଭାବରେ ୫ ଦିନ ଧରି ଭିଜିବ ଓଡିଶା

ନନ୍ଦିଘୋଷ ବ୍ୟୁରୋ : ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା। ସକାଳୁ ଝିପିଝିପି ବର୍ଷା ଲାଗି ରହିଛି। ଉତ୍ତରରୁ ଦକ୍ଷିଣ ସବୁଠି ବର୍ଷା। ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏହି ବର୍ଷା ଲାଗି ରହିଛି। ଏହି ଘୂର୍ଣ୍ଣିବଳୟ ଆଜି ଲଘୁଚାପରେ ପରିଣତ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।  ଏହାର ପ୍ରଭାବରେ ୫ ଦିନ ଧରି ବର୍ଷା ହେବ। ଉପକୂଳ ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର, ଖୋର୍ଦ୍ଧା, ପୁରୀ ଓ ଅନ୍ୟ ସଂଲଗ୍ନ ଜିଲ୍ଲାମାନଙ୍କରେ କିଛି କିଛି ଜାଗାରେ ହାଲୁକାରୁ ମଧ୍ୟମ ବର୍ଷା ହେଉଛି । ଆଜି କୋରାପୁଟ ଓ ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଜାରି ହୋଇଛି ଅରେଞ୍ଜ ଆଲର୍ଟ I ସେପଟେ ଆସନ୍ତା ୩ ଘଣ୍ଟା ପାଇଁ କେନ୍ଦ୍ରାପଡ଼ା, ଜଗତସିଂହପୁର, ସୁନ୍ଦରଗଡ଼, ପୁରୀ,କଟକ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ବିଜୁଳି ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଏହି ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ।

 

ଶିକ୍ଷକଙ୍କୁ ଭାବବିହ୍ୱଳ ବିଦାୟୀକାଳୀନ ସମ୍ବର୍ଦ୍ଧନା

ନନ୍ଦିଘୋଷ ବ୍ୟୁରୋ : ଶିକ୍ଷକଙ୍କୁ ଭାବବିହ୍ୱଳ ବିଦାୟୀକାଳୀନ ସମ୍ବର୍ଦ୍ଧନା। ସୁବର୍ଣ୍ଣପୁର ଜିଲ୍ଲା ମୟୁରଉଡାନ ଉଚ୍ଚ ପ୍ରଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ସୁଦାମ ଚରଣ ଭୁଏଙ୍କୁ ବିଦାୟୀକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ବିଦ୍ୟାଳୟରେ ଦିର୍ଘ ୨୨ ବର୍ଷ କାଳ ଚାକିରୀ କରିବା ପରେ ସେ ଅବସର ନେଇଛନ୍ତି।  ୪୪ ବର୍ଷର ଚାକିରୀ କାଳ ଭିତରେ ସେ ଅନେକ ପିଲାଙ୍କ ଭବିଷ୍ୟତ ଗଢିବାରେ ସଫଳ ହୋଇଛନ୍ତି  । ସମସ୍ତଙ୍କର ଅତିପ୍ରିୟ ଭୋଏ ସାର ଚାକିରୀରୁ ଅବସର ନେଉଥିବାରୁ ସମସ୍ତଙ୍କ ଆଖିରେ ଲୁହ । ସେଥିପାଇଁ ପୁରା ଗ୍ରାମବାସୀ ଆୟୋଜନ କରିଛନ୍ତି ବିଦାୟକାଳିନ ସମ୍ବର୍ଦ୍ଧନା । ଗାଁର ପେକ୍ସ ପରିସରରେ  ଛାତ୍ର ଛାତ୍ରୀଠୁ ଆରମ୍ଭକରି ଅଭିଭାବକ, ଗ୍ରାମବାସୀ ଆଉ ଅଂଚଳର ଶିକ୍ଷକ ଏବଂ ଶିକ୍ଷୟତ୍ରୀ ଏକତ୍ରିତ ହୋଇଛନ୍ତି  । ଗାଁରେ ସଂକୀର୍ତ୍ତନ କରି ପୂରା ଗାଁ ଲୋକ ଦେଇଛନ୍ତି ଭାବବିହ୍ୱଳ ବିଦାୟ ।

 

ସାର ପାଇଁ ଆଜି ମଧ୍ୟ ହଙ୍ଗାମା , ଚାଷୀ ଦୂର ଦୁରାନ୍ତର ଗ୍ରାମରୁ ଆସି ଲଗାଇଛନ୍ତି ଧାଡି

ନନ୍ଦିଘୋଷ ବ୍ୟୁରୋ : ସାର ପାଇଁ ଆଜି ମଧ୍ୟ ହଙ୍ଗାମା। ଗଂଜାମ ଜିଲ୍ଲା ଆସିକା ବହୁ ମୁଖୀ କେନ୍ଦ୍ର ସମବାୟ ସମିତି ସମ୍ମୁଖରେ ଭୋରରୁ ରୁ ଚାଷୀଙ୍କ ଲମ୍ବା ଧାଡି ଲାଗିଛି। ଚାଷୀ ଦୂର ଦୁରାନ୍ତର ଗ୍ରାମରୁ ଆସି ଲଗାଇଛନ୍ତି ଧାଡି। ମୁଖ୍ୟ ଗେଟ ଆଗରେ ପାଟି ତୁଣ୍ଡ କରୁଛନ୍ତି ଚାଷୀ ମାନେ l ଗତ କାଲି ଘଣ୍ଟା ଘଣ୍ଟା ଧାଡିରେ ରହିବା ପରେ ଦିନ ଦୁଇଟା ରୁ ନିରାଶ ହୋଇ ଘରକୁ ଫେରିଥିଲେ। ତେଣୁ ଆଜି ପୁଣି ସାର ବସ୍ତାଏ ପାଇଁ ଆସି ଛିଡ଼ା ହେଲେଣି।

ଆଜି ଅପରାହ୍ନ ୫ଟାରେ ନୀଳାଦ୍ରି ଭକ୍ତନିବାସରେ ଛତିଶାନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ

ନନ୍ଦିଘୋଷ ବ୍ୟୁରୋ : ଆଜି ଛତିଶାନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ। ଅପରାହ୍ନ ୫ଟାରେ ନୀଳାଦ୍ରି ଭକ୍ତନିବାସରେ ଅନୁଷ୍ଠିତ ହେବ ବୈଠକ। ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳଙ୍କ ଅଧକ୍ଷତାରେ ଅନୁଷ୍ଠିତ ହେବ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ। ଏ ଆସନ୍ତା ୭ ତାରିଖରେ ପଡୁଥିବା ଚନ୍ଦ୍ର ଗ୍ରହଣ ପାଇଁ ସ୍ୱତନ୍ତ୍ର ନୀତିନିର୍ଘଣ୍ଟ ଅନୁମୋଦନ ହେବା ସହ ସେପ୍ଟେମ୍ବର ୧୫ ତାରିଖରୁ ନାଟମଣ୍ଡପରେ ଧାଡି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବାକୁ ଥିବାରୁ ଛତିଶାନିଯୋଗ ବୈଠକରେ ଏହା ଉପରେ ବିସ୍ତୃତ ଆଲୋଚନା କରାଯିବ ।  ସେପଟେ ଛତିଶାନିଯୋଗ ବୈଠକର ପରଦିନ ଅର୍ଥାତ ସେପ୍ଟେମ୍ବର ୩ ତାରିଖରେ ନୂତନ ପରିଚାଳନା କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହେବ । ଅଧ୍ୟକ୍ଷତା କରିବେ ଗଜପତି ମହାରାଜା। ବୈଠକରେ ସରକାରଙ୍କ ଦ୍ବାରା ମନୋନୀତ ୧୦ ଜଣ ନୂତନ ସଦସ୍ୟକୁ ସ୍ୱାଗତ କରାଯିବା ସହ ନୂତନ ସବକମିଟି ଗଠନ କରାଯିବ। ଛତିଶାନିଯୋଗ ବୈଠକରେ ଚନ୍ଦ୍ର ଗ୍ରହଣ ଉପରେ ଅନୁମୋଦନ ହୋଇଥିବା ନୀତିନିର୍ଘଣ୍ଟକୁ ପରିଚାଳନା କମିଟି ମୋହର ମାରିବ ଓ ଏହାସହ ନାଟମଣ୍ଡପରେ ଧାଡି ଦର୍ଶନ,ରତ୍ନ ଅଳଙ୍କାର ଗଣତିମଣତି,ଶ୍ରୀମନ୍ଦିର ସୁରକ୍ଷା ସମ୍ପର୍କରେ ଆଲୋଚନା ହେବାସହ ଶ୍ରୀମନ୍ଦିର ଆଇନ୍ ରେ ଶଂସୋଧନ ପାଇଁ ମଧ୍ୟ ଆଲୋଚନା କରାଯିବ।

ଆଲାସ୍କାରେ ଭାରତ ଓ ଆମେରିକା ମଧ୍ୟରେ ମିଳିତ ସମରାଭ୍ୟାସ ଆରମ୍ଭ

ନନ୍ଦିଘୋଷ ବ୍ୟୁରୋ : ଭାରତ ଓ ଆମେରିକାର ସାମରିକ ଦଳ ଆଜିଠାରୁ ଆଲାସ୍କାରେ ମିଳିତ ସମରାଭ୍ୟାସରେ ସାମିଲ ହୋଇଛନ୍ତି। ବାଣିଜ୍ୟ ଏବଂ ଶୁଳ୍କ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ନୀତି ପାଇଁ ଭାରତ-ଆମେରିକା ସମ୍ପର୍କ ଖରାପ ହୋଇଥିବାବେଳେ ଏହି ସମୟରେ ଭାରତ-ଆମେରିକା ୧୪ ଦିନିଆ ‘ଯୁଦ୍ଧ ଅଭ୍ୟାସ-୨୦୨୫’ ଆରମ୍ଭ କରିଛନ୍ତି। ସେପ୍ଟେମ୍ବର ୧ରୁ ୧୪ ପର୍ଯ୍ୟନ୍ତ ଏହି ଯୁଦ୍ଧ ଅଭ୍ୟାସ ଚାଲିବ।

ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ମାଡ୍ରାସ ରେଜିମେଣ୍ଟର ଏକ ବାଟାଲିୟନର କର୍ମଚାରୀମାନଙ୍କୁ ନେଇ ଗଠିତ ଏହି ଭାରତୀୟ ଦଳ ଆମେରିକାର ୧୧ତମ ଏୟାରବର୍ଣ୍ଣ ଡିଭିଜନର ଆର୍କଟିକ ୱଲ୍ଭସ୍ ବ୍ରିଗେଡ୍ କମ୍ବାଟ୍ ଟିମ୍‌ର ୫ମ ପଦାତିକ ରେଜିମେଣ୍ଟ୍ ‘ବବକ୍ୟାଟ୍ସ’ର ପ୍ରଥମ ବାଟାଲିୟନର ସୈନିକମାନଙ୍କ ସହିତ ତାଲିମ ନେବେ। ଦୁଇ ସପ୍ତାହ ଧରି, ସୈନ୍ୟମାନେ ହେଲିବର୍ଣ୍ଣ ଅପରେସନ୍, ନିରୀକ୍ଷଣ ସମ୍ବଳ ଏବଂ ମାନବହୀନ ବାୟୁ ପ୍ରଣାଳୀର ନିଯୁକ୍ତି, ପଥର କ୍ରାଫ୍ଟ, ପର୍ବତ ଯୁଦ୍ଧ, ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ସ୍ଥାନାନ୍ତର, ଯୁଦ୍ଧ ଚିକିତ୍ସା ସହାୟତା ଏବଂ ତୋପ, ବିମାନ ଏବଂ ଇଲେକ୍ଟ୍ରୋନିକ୍ ଯୁଦ୍ଧ ପ୍ରଣାଳୀର ସମନ୍ୱିତ ବ୍ୟବହାର ସମେତ ବିଭିନ୍ନ କୌଶଳଗତ ଅଭ୍ୟାସ କରିବେ।

ଭାରତର ୪୫୦ ଜଣ ସୈନିକ ଏଥିରେ ଅଂଶଗ୍ରହଣ କରିବେ। ଏପର୍ଯ୍ୟନ୍ତ ହୋଇଥିବା ସମସ୍ତ ଯୁଦ୍ଧ ଅଭ୍ୟାସ ମଧ୍ୟରେ ଏହି ସଂଖ୍ୟା ସର୍ବାଧିକ। ଭାରତ ଓ ଆମେରିକା ମଧ୍ୟରେ ମିଳିତ ଯୁଦ୍ଧ ଅଭ୍ୟାସ ୨୦୦୪ ମସିହାରୁ ଚାଲିଛି। ଏହି ଅଭ୍ୟାସ ପ୍ରତିବର୍ଷ ଅନୁଷ୍ଠିତ ହୁଏ। ଗୋଟିଏ ବର୍ଷ ଏହି ଅଭ୍ୟାସ ଭାରତରେ ଓ ପରବର୍ତ୍ତୀ ବର୍ଷ ଏହା ଆମେରିକାରେ ଅନୁଷ୍ଠିତ ହୁଏ। ଆମେରିକାରେ ହେଉଥିବା ଅଧିକାଂଶ ଅଭ୍ୟାସ ଆଲାସ୍କାରେ ହୁଏ, ଯେତେବେଳେ ଭାରତରେ ଏହା ଅଧିକାଂଶ ଉତ୍ତରାଖଣ୍ଡର ରାଣୀଖେତରେ ଅନୁଷ୍ଠିତ ହୋଇଥିଲା । ୨୮ ଅଗଷ୍ଟରୁ ୧୪ସେପ୍ଟେମ୍ବର ପର୍ଯ୍ୟନ୍ତ  ଚାଲିଥିବା ଏହି ବହୁରାଷ୍ଟ୍ରୀୟ ଅଭ୍ୟାସରେ ୭୦୦ ସୈନିକ ଅଂଶଗ୍ରହଣ କରୁଛନ୍ତି। ପ୍ରଥମ ଥର ପାଇଁ, ସେନାର ସମସ୍ତ ତିନୋଟି ଶାଖା ବ୍ରାଇଟ୍ ଷ୍ଟାର ଅଭ୍ୟାସରେ ଅଂଶଗ୍ରହଣ କରୁଛନ୍ତି। ଏହି ଅଭ୍ୟାସ ଦୁଇ ବର୍ଷରେ ଥରେ ଅନୁଷ୍ଠିତ ହୁଏ।

ଶ୍ରୀମନ୍ଦିର ପରିସରରେ କାର୍ଯ୍ୟକ୍ଷମ ହେଲା ସ୍ତନ୍ୟପାନ ଗୃହ

ଶ୍ରୀମନ୍ଦିର ପରିସରରେ ହୋଇଛି ଶିଶୁ ତଥା ମାଆ ମାନଙ୍କ ସକାଶେ ମାତୃ ଶିଶୁ ସ୍ତନ୍ୟପାନ ଗୃହ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ମନ୍ଦିର ଭିତରେ ଶାଖା କାର୍ଯ୍ୟଳୟ ତଳେ ଶୀତତାପ ନିୟନ୍ତ୍ରିତ ଏକ ଗୃହରେ ଏକକାଳୀନ ୪ଜଣ ମହିଳା ଶିଶୁଙ୍କୁ ସ୍ତନ୍ୟପାନ କରାଇପାରିବେ । ଏଥିରେ ଦୁଇଦୁଇ ଜଣ ଲେଖାଏଁ ମହିଳା ଜେଟିପିଙ୍କୁ ନିୟୋଜିତ କରାଯାଇଛି । ଶ୍ରୀମନ୍ଦିରକୁ ପ୍ରତିଦିନ ବହୁ ସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁ ଆସୁଥିବା ବେଳେ ଅନେକ ମାଆ ନିଜ ଛୋଟ ଶିଶୁଙ୍କୁ ନେଇ ଆସିଥାନ୍ତି । ବିଶେଷ କରି ସ୍ତନ୍ୟପାନ ଉପରେ ନିର୍ଭରଶୀଳ ଶିଶୁ ଏବଂ ମାଆ ମାନଙ୍କ ଆବଶ୍ୟକତାକୁ ନଜରରେ ରଖି ଶ୍ରୀମନ୍ଦିର ପରିସରରେ ଏକ ସ୍ବତନ୍ତ୍ର ସ୍ତନ୍ୟପାନ ଗୃହ କରାଯିବାକୁ ଯୋଜନା ହୋଇଥିବା ବେଳେ ଆଜିଠାରୁ ଏହା କାର୍ଯ୍ୟକ୍ଷମ ହୋଇଛି । ଏହା ବ୍ୟତୀତ ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ମଧ୍ୟ ଏହାର ଆବଶ୍ୟକତା ରହିଛି  ।ଅନ୍ୟପଟେ ଏହି ସ୍ତନ୍ୟପାନ କକ୍ଷରେ ମେଡିକାଲ ଟିମ୍ ମଧ୍ୟ ମୁତୟନ ହୋଇଥିବା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ କହିଛନ୍ତି ।

ଜନତାଙ୍କ ସମସ୍ୟା ସହ ଜଡ଼ିତ ହୋଇ ରାଜ୍ୟବାସୀଙ୍କ ସ୍ୱର ହୁଅ: ନବୀନ

ଜନତାଙ୍କ ସମସ୍ୟା ସହ ଜଡ଼ିତ ହୋଇ ରାଜ୍ୟବାସୀଙ୍କ ସ୍ୱର ହୁଅ। ରାଜ୍ୟର ସାମ୍ପ୍ରତିକ ସ୍ଥିତି ଓ ସରକାରଙ୍କ ଜନବିରୋଧୀ କାର୍ଯ୍ୟକୁ ନେଇ ଦଳୀୟ ନେତାଙ୍କ ସହ ଆଲୋଚନା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ରାଜ୍ୟବାସୀଙ୍କ ସ୍ୱର ହିସାବରେ ଲୋକଙ୍କ ସମସ୍ୟାକୁ ନେଇ ତୀବ୍ର ଲଢ଼େଇ କରିବ ବିଜେଡି। ଅରୁଣ ସାହୁଙ୍କ ସହିତ ଦଳର ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳ, ଭୃଗୁ ବକ୍ସିପାତ୍ର, ଲେନିନ ମହାନ୍ତି, ପ୍ରଫୁଲ୍ଲ ସିଂ, ରଘୁନାଥ ସାହୁ, ମହମ୍ମଦ ସକିଲ, ଲୋରା ମହାପାତ୍ର ନବୀନ ନିବାସରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ସହ ପ୍ରତ୍ୟେକ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଫଳତା ଓ ଜନବିରୋଧୀ କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ନିଜକୁ ଲୋକଙ୍କ ସରକାର କହୁଥିବା ବିଜେପି କ୍ଷମତାକୁ ଆସିବା ପରଠାରୁ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି । ଚାଷୀ ସାର ପାଉ ନଥିବା ବେଳେ ବ୍ୟାପକ କଳାବଜାରୀକୁ ପ୍ରୋତ୍ସାହନ ଦେଉଛନ୍ତି ସରକାର ।ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଲୋକେ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି । ମହିଳା ସୁରକ୍ଷାକୁ ନେଇ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ନିନ୍ଦିତ ହେଉଥିବା ବେଳେ, ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି । ପ୍ରତ୍ୟେକ କ୍ଷେତ୍ରରେ ବିକାଶମୂଳକ କାର୍ଯ୍ୟ ଠପ୍‌ ହୋଇଯାଇଛି । ଓଡିଆ ଅସ୍ମିତାର ନାରାଦେଇ ସରକାରକୁ ଆସିଥିବା ବିଜେପି, ପ୍ରତ୍ୟେକ ଦିନ ଓଡ଼ିଆ ଅସ୍ମିତାକୁ କୁଠାରଘାତ କରୁଛି । ଆଗାମୀ ଦିନରେ ରାଜ୍ୟବାସୀଙ୍କ ସ୍ୱର ହିସାବରେ ବିଜୁଜନତା ଦଳ ବିଜେପି ସରକାରର ପ୍ରତ୍ୟେକ ଜନବିରୋଧୀ କାର୍ଯ୍ୟକୁ ବିରୋଧ କରିବ। ତେବେ ନବୀନଙ୍କ ନେତୃତ୍ୱରେ ୨୦୨୭ ପଞ୍ଚାୟତ ଓ ୨୦୨୯ ସାଧାରଣ ନିର୍ବାଚନରେ ବିଜେଡିର ବିଜୟ ସୁନିଶ୍ଚିତ ବୋଲି କହିଛନ୍ତି ଦଳୀୟ ନେତା।