spot_img
Home Blog Page 4150

ପେନସନ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପୂର୍ବତନ ବିଧାୟକ

ଭୁବନେଶ୍ୱର: ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ୩୦ଜଣ ପୂର୍ବତନ ବିଧାୟକ । ପେନସନ ସହ ଚିକିତ୍ସା ଖର୍ଚ୍ଚ ବୃଦ୍ଧି ପାଇଁ ସେମାନେ ଦାବି କରିଛନ୍ତି । ବିଧାନସଭା ପରିସରରେ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଥିଲେ । ପୂର୍ବତନ ବିଧାୟକଙ୍କ ସହ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଥିଲେ । ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ ଥିଲେ ମଧ୍ୟ ସାମିଲ । ସକାରାତ୍ମକ ଆଲୋଚନା ହୋଇଥିବା ପୂର୍ବତନ ବିଧାୟକ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ଆଲୋଚନା କରି ନିଷ୍ପତ୍ତି ନେବେ ବୋଲି କହିଛନ୍ତି ।

ଆଜିଠୁ ବଦଳିଲା ନିୟମ: ଆୟକର ରିଟର୍ଣ୍ଣ ଉପରେ ଦେବାକୁ ପଡ଼ିବ ଜରିମାନା, ଜଣନ୍ତୁ ଆଉ କ’ଣ ବଦଳିଲା

ନୂଆଦିଲ୍ଲୀ: ଆଜିଠୁ ବଦଳୁଛି କିଛି ନିୟମ ବଦଳିଯାଇଛି । ଆର୍ଥକ ଦେଣନେଣ କ୍ଷେତ୍ରରେ କିଛିଟା ପରିବର୍ତ୍ତନ କରାଯାଇଛି । ଏହାସହ ଆୟକର ରିଟର୍ଣ୍ଣ ଦାଖଲ, ବ୍ୟାଙ୍କ ଅଫ୍ ବରୋଦା ଚେକରେ ଟ୍ରାନଜାକ୍ସନକୁ ନେଇ ଅନେକ ପରିବର୍ତ୍ତନ କରାଯାଇଛି । ସେହିପରି କମର୍ସିଆଲ ଏଲପିଜିରେ ମୂଲ୍ୟ ମଧ୍ୟ ହ୍ରାସ କରାଯାଇଛି । ବ୍ୟାଙ୍କ ଅଫ୍ ବରୋଦା ଗ୍ରାହକମାନଙ୍କୁ ଚେକ୍ ପେମେଣ୍ଟ ପୂର୍ବରୁ ପଜିଟିଭ ପେ’ ସିଷ୍ଟମ ପାଳନ କରିବାକୁ ହେବ ।

୫ଲକ୍ଷରୁ ଅଧିକ ଟଙ୍କାର ଚେକ୍ ପେମେଣ୍ଟ ପୂର୍ବରୁ ଗ୍ରାହକଙ୍କୁ ବ୍ୟାଙ୍କ ସମ୍ପର୍କିତ ତଥ୍ୟ ଡିଜିଟାଲ ମାଧ୍ୟମରେ ବ୍ୟାଙ୍କକୁ ଦେବାକୁ ପଡ଼ିବ । ଏସଏଏସ୍, ଏଟିଏମ୍, ଇଣ୍ଟରନେଟ ବ୍ୟାଙ୍କିଂ ବା ମୋବାଇଲ ବ୍ୟାଙ୍କିଂ ଯୋଗେ ଗ୍ରାହକଙ୍କୁ ଚେକ୍ ଗ୍ରହିତାଙ୍କ ନାମ, ଆକାଉଣ୍ଟ ନମ୍ବର, ଆମାଉଣ୍ଟ, ଚେକ୍ ନମ୍ବର ଆଦି ବ୍ୟାଙ୍କକୁ ଦେବାକୁ ହେବ । ଏହି ସିଷ୍ଟମକୁ ପଜିଟିଭ ପେ’ ସିଷ୍ଟମ କୁହାଯାଉଛି । ସେହିପରି ଗତକାଲି ଆୟକର ରିଟର୍ଣ୍ଣର ଶେଷ ତାରିଖ ଥିବାରୁ ଆଜିଠାରୁ ITR ଫାଇଲିଂ ପାଇଁ ଜରିମାନା ଦେବାକୁ ପଡ଼ିବ ।

ବାର୍ଷିକ ୫ଲକ୍ଷରୁ ଊର୍ଦ୍ଧ୍ବ ଆୟ ଥିଲେ ୫ହଜାର ଟଙ୍କା ଜରିମାନା ଦେଇ ଆୟକର ରିଟର୍ଣ୍ଣ ଦେବାକୁ ପଡ଼ିବ । ସେହିପରି ୫ଲକ୍ଷରୁ କମ୍ ଆୟ ଥିଲେ ଏକ ହଜାର ଟଙ୍କା ପ୍ୟାନେଲଟି ଦେଇ ଆୟକର ରିଟର୍ଣ୍ଣ ଦେଇପାରିବେ । ସେହିପରି ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କର ଡୋରଷ୍ଟେପ୍ ବ୍ୟାଙ୍କିଂ ସୁବିଧା ପାଇଁ ଶୁଳ୍କ ଦେବାକୁ ହେବ । ପ୍ରତି ସେବା ପାଇଁ ୨୦ ଟଙ୍କା ସହ ଜିଏସଟି ଦେବାକୁ ହେବ ।

ସେହିପରି ପିଏମ୍ କିଷାନ ନିଧି ଯୋଜନାରେ କେଓ୍ବାଇସି ପାଇଁ ଜୁଲାଇ ୩୧ ଶେଷ ତାରିଖ ଥିଲା । KYC ଅପଡେଟ କରି ନଥିବା ଚାଷୀଙ୍କୁ ଏହି ଯୋଜନାରେ ୧୨ତମ କିସ୍ତି ଟଙ୍କା ମିଳିବ ନାହିଁ । ଆଜିଠାରୁ ୧୯ କେଜିର କମର୍ସିଆଲ ଏଲପିଜି ସିଲିଣ୍ଡର ଶସ୍ତା ହୋଇଯାଇଛି । ଇଣ୍ଡିଆନ ଅଏଲ ମୂଲ୍ୟରେ ୩୬ ଟଙ୍କା ହ୍ରାସ କରିଛି । ଏବେ ଦିଲ୍ଲୀରେ ଏହା ୧୯୭୬.୫୦ ଟଙ୍କାରେ ଉପଲବ୍ଧ ହେବ । ଗତ ମାସରେ ଏହା ମୂଲ୍ୟ ୨୦୧୨.୫୦ ଟଙ୍କା ଥିଲା ।

ବିଧାନସଭା ଆରମ୍ଭରୁ ହଟ୍ଟଗୋଳ, ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଲତବି

ଭୁବନେଶ୍ୱର:  ବିଧାନସଭା ଆରମ୍ଭରୁ ହଟ୍ଟଗୋଳ । ଭିନ୍ନ ଭିନ୍ନ ପ୍ରସଙ୍ଗକୁ ନେଇ ପ୍ରଶ୍ନକାଳରେ ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକ କରିଛନ୍ତି ନାରାବାଜି । ଅଚଳାବସ୍ଥା ଲାଗି ରହିବାରୁ ଗୃହକୁ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଳତବି କରିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ । ଅନ୍ୟପଟେ ଆସନ୍ତାକାଲି ୨୬ ଜଣିଆ ବିଧାୟକ ଟିମ୍ ଦିଲ୍ଲୀ ଯିବେ । ବୁଧବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବିଧାୟକ ଦଳ ଭେଟି ସମ୍ବର୍ଦ୍ଧନା ଜଣାଇବେ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବିଧାୟକମାନେ ଦିଲ୍ଲୀ ଯିବେ । ଏହା ପୂର୍ବରୁ ମିଳିତ ସଙ୍କଳ୍ପ ପାରିତ ହୋଇଛି ।

ଗୃହ ପୁଣିଥରେ ସ୍ୱାଭିବିକ ହେବା ପରେ ପ୍ରଶ୍ନକାଳ ଜାରି ରହିବ । ବିଧାନସଭାର ମୌସୁମୀ ଅଧିବେଶନରେ ଆଜି ସ୍ବରାଷ୍ଟ୍ର, ଅର୍ଥ, ନିର୍ମାଣ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଖଣି ଓ ଇସ୍ପାତ, ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ପ୍ରଶ୍ନକାଳ ରହିଛି । ବିଧାୟକମାନେ ଭିନ୍ନ ପ୍ରଶ୍ନ ପଚାରି ପାରିବେ । ଶୂନ୍ୟକାଳରେ ଗୃହରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠିବା ଆଶଙ୍କା କରାଯାଉଛି । ସେହିପରି ଆଜି ଲୋକାୟୁକ୍ତ ଓଡ଼ିଶା ୨୦୨୧ର ରିପୋର୍ଟ ଉପସ୍ଥାପନ ହେବ । ସେହିପରି ବିଭିନ୍ନ ବିଭାଗର ଗୁରୁତ୍ବପୂର୍ଣ୍ଣ ରିପୋର୍ଟ ଉପସ୍ଥାପନ ହେବ ।

ଆତ୍ମରକ୍ଷା ପାଇଁ ବଲିଉଡ ମେଗାଷ୍ଟାର ସଲମାନ ଖାନଙ୍କୁ ବନ୍ଧୁକ ଲାଇସେନ୍ସ

ମୁମ୍ବାଇ: ବଲିଉଡର ମେଗା ଷ୍ଟାର ସଲମାନ ଖାନଙ୍କୁ ବନ୍ଧୁକ ଲାଇସେନ୍ସ । ଜୀବନ ପ୍ରତି ବିପଦ ଥିବାରୁ ବନ୍ଧୁକ ପାଇଁ ଲାଇସେନ୍ସ ଆବେଦନ କରିଥିଲେ ବଲିଉଡ ଅଭିନେତା ସଲମାନ ଖାନ । ଯାଞ୍ଚ ଓ ନିରୀକ୍ଷଣ ପରେ ମୁମ୍ବାଇ ପୋଲିସ ଭାଇଜାନ୍ଙ୍କୁ ଏହି ଲାଇସେନ୍ସ ପ୍ରଦାନ କରିଛି । ବାପା ସଲିମ ଖାଁ ଓ ସଲମାନଙ୍କୁ ହତ୍ୟା ଧମକ ମିଳିବା ପରେ ସୁରକ୍ଷା ଲାଗି ମୁମ୍ବାଇ ପୋଲିସ ନିକଟରେ ଗନ୍ ଲାଇସେନ୍ସ ପାଇଁ ସେ ଆବେଦନ କରିଥିଲେ । ମୁମ୍ବାଇ ପୋଲିସ କମିଶନରଙ୍କୁ ସାକ୍ଷାତ କରିବା ସହ ଧମକପୂର୍ଣ୍ଣ ଚିଠି ସମ୍ପର୍କରେ ମଧ୍ୟ ଅବଗତ କରାଇଥିଲେ ।

ଗତମାସରେ ସଲମାନଙ୍କୁ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା । ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୋସେଓ୍ବାଲାଙ୍କ ପରି ତାଙ୍କର ବି ସମାନ ଦଶା ହେବ ବୋଲି ଚିଠିରେ ଉଲ୍ଲେଖ ରହିଥିଲା । ଏହାପରେ ସଲମାନଙ୍କ ସୁରକ୍ଷା ବଢ଼ାଯାଇଥିଲା । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ଏହି ଧମକପୂର୍ଣ୍ଣ ପତ୍ର ଲେଖାଯାଇଥିଲା ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ସଲମାନ ମଧ୍ୟ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ବନ୍ଧୁକ ଲାଇସେନ୍ସ ସହ ବୁଲେଟପ୍ରୁଫ ଲ୍ୟାଣ୍ଡ କ୍ରୁଜର ଗାଡି ମଧ୍ୟ କିଣିଛନ୍ତି ।

ଜଳାଭିଷେକ କରିବାକୁ ଆସି ଭାସିଗଲେ କାଉଡ଼ିଆ

ଢେଙ୍କାନାଳ: ମନରେ ଭକ୍ତି ଭାବ ଓ ଦେବଦେବ ମହାଦେବଙ୍କ ପାଖରେ ମାନସିକ ରଖି ଜଳାଭିଷେକ କରିବାକୁ ଯାଉଥିବା କାଉଡିଆଙ୍କ ସମ୍ପର୍କରେ ଅନେକ ଅଘଟଣ ଖବର ସାମ୍ନାକୁ ଆସୁଛି । ଗତକାଲି ରାତିରେ କୋଲକାତାରେ ମଧ୍ୟ ୧୦ ଜଣ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃ୍ତ୍ୟୁବରଣ କରିଥିଲେ । ସେହିପରି ଢେଙ୍କାନାଳରେ ମଧ୍ୟ ଏକ ଅଘଟଣ ଘଟିଛି । ଜଳାଭିଷେକ କରିବାକୁ ଆସି କେନାଲରେ ଭାସିଯାଇଛନ୍ତି କାଉଡ଼ିଆ । ଏଭଳି ଅଘଟଣ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ କୁଆଳୋ ଗାଁ ସ୍ଥିତ ରେଙ୍ଗାଳୀ ବାମପାର୍ଶ୍ଵ କେନାଲରେ । ନିଖୋଜ ଜଣଙ୍କ ତାଳଚେରର ୧୬ ବର୍ଷୀୟ ବାଳକ ଶ୍ୟାମ ସୁନ୍ଦର ବାରିକ ।

ଶ୍ୟାମସୁନ୍ଦର ନିଜ ଦୁଇ ସାଙ୍ଗଙ୍କ ସହିତ ଜଳାଭିଷେକ କରିବା ପାଇଁ କୁଆଳୋ ଗାଁ ସ୍ଥିତ ବାବା ଅଷ୍ଟଶମ୍ଭୁ ମନ୍ଦିରକୁ ଯାଇଥିଲେ । କୁଆଳୋ ଗାଁ ସ୍ଥିତ ରେଙ୍ଗାଳୀ ବାମ ପାର୍ଶ୍ଵ କେନାଲରୁ ଜଳାଭିଷେକ ପାଇଁ ଗାଧୋଉଥିବା ବେଳେ ଜଳସ୍ରୋତରେ ୨ ଜଣ ସାଙ୍ଗ ଭାସି ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କୁ କୂଳରେ ବସିଥିବା ସାଙ୍ଗ ଜଣଙ୍କ ଉଦ୍ଧାର କରିଥିଲେ । ମାତ୍ର ଶ୍ୟାମସୁନ୍ଦରକୁ ଉଦ୍ଧାର କରି ପାରିନଥିଲେ । ଖବର ପାଇ ଘଟଣା ସ୍ଥଳରେ ପରଜଙ୍ଗ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଏ ନେଇ ପରଜଙ୍ଗ ପୋଲିସ ଘଟଣାର ତଦନ୍ତ କରୁଛି ।

ମହାଦେବଙ୍କୁ ଦେଖା କରିବା ଇଚ୍ଛା ଅଧାରେ ରହିଲା; କରେଣ୍ଟ ଲାଗି ଚାଲିଗଲା ୧୦ ବୋଲବମ ଭକ୍ତଙ୍କ ଜୀବନ

କୋଲକାତା: ଅଧାରେ ରହିଗଲା ଦେବ ଦେବ ମହାଦେବଙ୍କୁ ଜଳଲାଗି । ଜେନେଟରରୁ ସର୍ଟ ସର୍କିଟ ଯୋଗୁଁ ୧୦ ବୋଲବମ ଭକ୍ତଙ୍କ ମୃତ୍ୟୁ । ୧୬ରୁ ଅଧିକ କାଉଡ଼ିଆ ଗୁରୁତର ହୋଇଥିବା ସୂଚନା ମିଳିଛି । ପଶ୍ଚିମବଙ୍ଗର କୋଚ ବିହାରରେ ଘଟିଛି ଏହି ଅଘଟଣ । ଶୀତଳ କୁଚିଠାରୁ ଜଳେଶ୍ବର ମହାଦେବଙ୍କ ପାଖକୁ ଆସୁଥିବା ବେଳେ ଘଟିଛି ଏହି ଅଘଟଣ । ଶ୍ରାବଣ ମାସ ପାଇଁ ଜଳଲାଗି ପାଇଁ ପିକ ଅପ୍ ଭ୍ୟାନରେ ଆସୁଥିଲେ କାଉଡ଼ିଆ ।

ଟେଙ୍ଗଡା ବାନ୍ଧା ସେତୁରେ ଜେନେରେଟରରୁ ସର୍ଟ ସର୍କିଟ ଫଳରେ ପିକଅପ୍ ଭ୍ୟାନ ସଂଶ୍ପର୍ଶରେ ଆସିଥିଲା । ବିଦ୍ୟୁତ୍ ଆଘାତରେ ଆସି ୧୦ କାଉଡ଼ିଆଙ୍କ ଜୀବନ ଯାଇଥିବା ବେଳେ ଆଉ ୧୬ରୁ ଉର୍ଦ୍ଧ୍ବ କାଉଡ଼ିଆଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।  ପୋଲିସ କହିଛି ଯେ, ଗାଡିରେ ଲାଗିଥିବା ଡିଜେ ସିଷ୍ଟମର ଜେନେରେଟରରେ ସର୍ଟସର୍କିଟ ଯୋଗୁଁ ଏହି ଅଘଟଣ ଘଟିଛି ।

ସମସ୍ତ ଆହତଙ୍କୁ ଜଲପାଇଗୁଡି ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୋଟ ୨୭ ଜଣ କାଉଡିଆ ଏହି ପିକ ଅପ ଭ୍ୟାନରେ ରହିଥିଲେ । ଏମାନଙ୍କ ମଧ୍ୟରୁ ୧୦ ଜଣଙ୍କ ମୃତ୍ୟୁ ହୋଉଥିବା ବେଳେ ୧୬ ଜଣଙ୍କ ଚିକିତ୍ସା ଚାଲିଛି । ତେବେ ସମସ୍ତଙ୍କ ଘର ସୀତଲକୁଚୀ ଥାନା ଅଞ୍ଚଳରେ ହୋଇଥିବା ସୂଚନା । ପିକଅପ୍ ଭ୍ୟାନର ଡ୍ରାଇଭର ଫେରାର ରହିଥିବା ବେଳେ ଗାଡି ଜବତ କରିଛି ପୋଲିସ । ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ପ୍ରଥମେ ପଚରା ଉଚରା, ପରେ ଅଟକ ଆଉ ଏବେ ଗିରଫ ହେଲେ ସଞ୍ଜୟ ରାଉତ

ମୁମ୍ବାଇ: ବିବାଦୀୟ ଶିବସେନାର ବରିଷ୍ଠ ନେତା ତଥା ସାଂସଦ ସଞ୍ଜୟ ରାଉତଙ୍କ ରବିବାର ବିଳମ୍ବିତ ରାତିରେ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ପତ୍ରା ଚୌଲ କେସରେ ଇଡି ପିଏମଏଲଏ ଆଇନ ଆଧାରରେ ରବିବାର ୧୨ଟାରେ ଗିରଫ କରିଥିବା କଥା ସୂଚନା ମିଳିଛି । ରାତି ସାଢ଼େ ୧୨ଟାରେ ସଞ୍ଜୟଙ୍କ ଭାଇ ସୁନୀଲ ରାଉତ ମଧ୍ୟ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଗତକାଲି ଅର୍ଥାତ ରବିବାର ସକାଳେ ଇଡି ସଞ୍ଜୟଙ୍କ ଘରେ ରେଡ୍ ମାରିଥିଲା । ପାଖାପାଖି ୯ ଛାନଭିନ ଓ ରାଉତଙ୍କୁ ପଚରାଉଚୁରା ପରେ ସନ୍ଧ୍ୟାରେ ହେପାଜତକୁ ନେଇଥିଲା ଇଡି ।

ସଞ୍ଜୟ ରାଉତଙ୍କ ଗିରଫ ନେଇ ତାଙ୍କ ଭାଇ ସୁନୀଲ ସୂଚନା ଦେଇଛନ୍ତି । ସେ କହିଛନ୍ତି ଇଡି ସଞ୍ଜୟ ରାଉତଙ୍କୁ ଭୟ କରୁଛି, ଏଥିପାଇଁ ଗିରଫ କରିଛି । ମିଛ ଦସ୍ତାବିଜ ସାହାରାରେ ସଞ୍ଜୟ ରାଉତଙ୍କୁ ପତ୍ରା ଚୌଲ ମାମଲାରେ ଯୋଡିବା ପାଇଁ ପ୍ରୟାସ କରାଯାଉଛି । ଏହି ଗିରଫଦାରୀ କେବଳ ତାଙ୍କ ସ୍ୱରକୁ ଚାପିବା ପାଇଁ କରାଯାଇଛି । ଆଉ ଯେଉଁ ପଇସା ଘରୁ ମିଳିଛି ତାହା ଶିବସୈନିକଙ୍କ ଅଯୋଧ୍ୟା ଗସ୍ତ ପାଇଁ ରହିଥିବା କଥା ଭାଇ ସୁନୀଲ କହିଛନ୍ତି । ଏପଟେ ସଞ୍ଜୟଙ୍କ ଗିରଫକୁ ବିରୋଧ କରିଛନ୍ତି ଶିବସେନା ସମର୍ଥକ ।

ଇଡି କାର୍ଯ୍ୟାଳୟ ବାହାରେ ନାରାବାଜୀ କରିଛନ୍ତି । କେନ୍ଦ୍ରର ମନମାନୀକୁ ବିରୋଧ କରାଯାଇଛି । ଏବେ ସଞ୍ଜୟଙ୍କୁ ସୋମବାର ଅର୍ଥାତ ଆଜି ଅପରାହ୍ନରେ ପିଏମଏଲଏ କୋର୍ଟରେ ହାଜର କରାଯିବ । ସୂଚନା ମୁତାବିକ ସଞ୍ଜୟ ରାଉତଙ୍କ ଘରୁ ଗତକାଲି ଚଢାଉ ସମୟରେ ୧୧.୫୦ ଲକ୍ଷ ଟଙ୍କା ଜବତ କରାଇଯାଇଥିଲା । ସଞ୍ଜୟ ରାଉତ ମଧ୍ୟ ଇଡି କାର୍ଯ୍ୟାଳୟରେ ପହଞ୍ଚିବା ପରେ ଗଣମାଧ୍ୟମକୁ କହିଥିଲେ, ମହାରାଷ୍ଟ୍ରକୁ କମଜୋର କରିବା ପାଇଁ ଉଦ୍ୟମ କରାଯାଉଛି । ମୋ ଉପରେ ଯେତେ ବି ଚାପ ପକାଇଲେ ମୁଁ ନଇଁବି ନାହିଁ । ସଚ୍ଚା ଶିବସୈନିକ ଥିଲି ଆଉ ରହିବି । ଇଡି ମିଛ ପ୍ରମାଣ ତିଆରି କରି ଗିରଫ କରିବାକୁ ଚାହୁଁଛି ।

ସୂଚନାଥାଉକି ଶିବସେନାର ସବୁଠୁ ପାୱାରଫୁଲ ନେତା ଭାବେ ସଞ୍ଜୟ ରାଉତ ଜଣାଯାଇଥାନ୍ତି । ଉଦ୍ଧବ ସରକାରରେ ମଧ୍ୟ ତାଙ୍କର ଗୁରୁତ୍ୱ ଅଧିକ ଥିଲା । ଏକନାଥ ସିନ୍ଦେ ବିଜେପି ସହ ମିଶି ଶିବସେନା ସହ ବିଦ୍ରୋହ କରି ମହାରାଷ୍ଟ୍ରରେ ଉଦ୍ଧବ ସକରକାର ଭାଙ୍ଗି ଦେଇଥିଲେ । ଏବଂ ନିଜେ ବିଜେପି ମେଣ୍ଟରେ ସରକାର ଗଢିଥିଲେ । ସେବେଠାରୁ ଶିବସେନାରେ ଆଧିପତ୍ୟକୁ ନେଇ ଟଣା ଓଟରା ଚାଲିଥିଲା । ସଞ୍ଜୟ ଲଗାତାର ବିଜେପି ଏବଂ ବିଦ୍ରୋହୀ ସିନ୍ଦେଙ୍କ ବିରୋଧରେ ଟିପ୍ପଣୀ ଦେଇ ଆସୁଥିଲେ । ସଞ୍ଜୟଙ୍କୁ ପୂର୍ବରୁ ମଧ୍ୟ ଇଡି ଜେରା କରିଛି ।

ଆଜି ଦରଦାମ ପ୍ରସଙ୍ଗ ଉପରେ ସଂସଦରେ ହୋଇପାରେ ଆଲୋଚନା

ନୂଆଦିଲ୍ଲୀ: ଦର ଦାମ ବୃଦ୍ଧି ପ୍ରସଙ୍ଗରେ ଆଜି ସଂସଦରେ ହୋଇପାରେ ଆଲୋଚନା । ଲଗାତାର ବିରୋଧୀଙ୍କ ଦାବି ଯୋଗୁଁ ଆଜି ଲୋକସଭାରେ ଦରବୃଦ୍ଧି ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଜଣାପଡିଛି । ଆସନ୍ତାକାଲି ରାଜ୍ୟସଭାରେ ଏ ପ୍ରସଙ୍ଗରେ ଆଲୋଚନା ହୋଇପାରେ । କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ରାଷ୍ଟ୍ରପତିଙ୍କ ଉପରେ ଅଶାଳୀନ ବୟାନ ଦେବା ପ୍ରସଙ୍ଗରେ ଗୃହ ବାରମ୍ବାର ଅଚଳ ହୋଇଥିବା ବେଳେ ଅନ୍ୟ ପ୍ରସଙ୍ଗରେ ଆଲୋଚନା ହୋଇପାରିନଥିଲା ।

ଗୃହକୁ ଆଜି ପର୍ଯ୍ୟନ୍ତ ମୁଲତବି ରଖାଯାଇଥିଲା । ସେପଟେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ରାଷ୍ଟ୍ରପତିଙ୍କ ନା ନେଇ ଗୃହରେ ମନ୍ତବ୍ୟ ରଖିବା ଉପରେ କଂଗ୍ରେସ ଆଜି ହରତାଳ କରିପାରେ । ଦଳପକ୍ଷରୁ ସ୍ମୃତି ଇରାନୀ କ୍ଷମା ମାଗନ୍ତୁ ବୋଲି ଦାବି ହେଉଛି । ଏପଟେ ଗୃହରୁ ନିଲମ୍ବନ ହୋଇଥିବା ସାଂସଦଙ୍କ ଆନ୍ଦୋଳନ ଜାରି ରହିଛି  । ସେମାନଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ପାଇଁ କଂଗ୍ରେସ ପକ୍ଷରୁ ଦାବି ହୋଇଛି ।

ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ଭାରତ୍ତୋଳକଙ୍କ ଚମତ୍କାର ପ୍ରଦର୍ଶନ, ମିଳିଲା ତୃତୀୟ ସ୍ୱର୍ଣ୍ଣ

ବର୍ମିଂହାମ: କମନୱେଲ୍ଥ ଗେମ୍ସରେ ପୁଣି ଭାରତକୁ ସ୍ବର୍ଣ୍ଣ ପଦକ । ଭାରତ ପାଇଁ ଗର୍ବ ଓ ଗୌରବ ଆଣିଲେ ସୁନା ପୁଅ ଅଚିନ୍ତା ସେଉଲି । ୨୦ ବର୍ଷୀୟ ଅଚିନ୍ତା ପୁରୁଷ ଭାରୋତ୍ତୋଳନର ୭୩ କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ମୀରାବାଇ ଚାନୁ ଓ ଜେରେମି ଲାଲରିନୁଙ୍ଗାଙ୍କ ପରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଅଚିନ୍ତା । ସ୍ନାଚରେ ରେକର୍ଡ ୧୪୩ କେଜି ଓଜନ ଉଠାଇଥିବା ବେଳେ ଜର୍କରେ ୧୭୦ କେଜି ଭାର ଉଠାଇ ସଫଳତା ହାସଲ କରିଛନ୍ତି । ବିଜୟର ଶ୍ରେୟ ସେ ତାଙ୍କ କୋଚ୍ ଓ ଭାଇକୁ ଦେଇଥିବା ବେଳେ ମେଡାଲ ସେମାନଙ୍କୁ ସମର୍ପିତ କରିଥିବା କହିଛନ୍ତି ।

ଏହାପରେ ସେ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି କରିବେ । ଭାରତ ନାଁରେ ଏବେ ସୁଦ୍ଧା ୬ଟି ମେଡାଲ ଆସିଥିବା ବେଳେ କେବଳ ଭାରୋତ୍ତେଳନରେ ଦେଶକୁ ମିଳିଛି ତିନୋଟି ସ୍ବର୍ଣ୍ଣ ପଦକ ମିଳିଛି । ପୂର୍ବରୁ ଭାରୋତ୍ତଳନରେ ମିରାବାଇ ଚାନୁ, ତାପରେ ଜେରେମି ଏବେ ଅଚିନ୍ତା ଦେଶ ପାଇଁ ଆଣିଛନ୍ତି ଗୌରବ ।ରାଜ୍ୟଗୋଷ୍ଠୀ କ୍ରୀଡାରେ ଗତ ଦୁଇଦିନ ହେବ ଭାରତୀୟ ଭାରତ୍ତୋଳକଙ୍କ କମାଲ ଦେଖିବାକୁ ମିଳିଛି । ଖେଳର ଦ୍ୱିତୀୟ ଏବଂ ତୃତୀୟ ଦିନରେ ଭାରତକୁ ୬ଟି ପଦକ ମିଳିଛି । ଏଥିରେ ୩ଟି ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ ଏବଂ ଗୋଟିଏ କାଂସ୍ୟ ପଦକ ରହିଛି ।

ଏଥିସହ ଭାରତର ମୋଟ ମେଡାଲ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ୬ ଟି ଯାକ ପଦକ ଭାରତକୁ ଭାରୋତ୍ତଳନରେ ହିଁ ମିଳିଛି । ପୂର୍ବରୁ ସଙ୍କେତ ମହାଦେବ ରୌପ୍ୟ, ଗୁରୁରାଜା କାଂସ୍ୟ, ଅଲିମ୍ପିକରେ ରୌପ୍ୟ ପଦକ ବିଜେତା ମୀରାବାଇ ଚାନୁ ସ୍ୱର୍ଣ୍ଣ, ବିନ୍ଦ୍ୟାରାଣୀ ରୌପ୍ୟ, ଜେରେମି ଲାଲରିନୁଙ୍ଗା ସ୍ୱର୍ଣ୍ଣ ପଦକ ଜିତିଥିଲେ । ୬ ମେଡାଲ ସହ ଭାରତ ମେଡାଲ ଟାଲିର ଷଷ୍ଠ ସ୍ଥାନରେ ରହିଛି । 

ଦେଶରେ ମଙ୍କିପକ୍ସ ଯୋଗୁଁ ପ୍ରଥମ ମୃତ୍ୟୁ, ତଦନ୍ତ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ଥିରୁଅନନ୍ତପୁରମ: କେରଳରେ ଜଣେ ସନ୍ଦିଗ୍ଧ ମକ୍ସିପକ୍ସ ରୋଗୀଙ୍କର ମୃତ୍ୟୁ ହୋଇଛି । କେରଳର ତ୍ରିଶୁରରେ ଜଣେ ୨୨ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ନିକଟରେ ମଙ୍କିପକ୍ସର ଲକ୍ଷଣ ଦେଖାଦେଇଥିଲା । ସେ ନିକଟରେ ୟୁଏଇରୁ ଭାରତକୁ ଆସିଥିଲେ । ମଙ୍କିପକ୍ସର ଲକ୍ଷଣ ପରେ ଯୁବକଙ୍କ ମୃତ୍ୟୁକୁ ନେଇ ସ୍ବାସ୍ଥ୍ୟ ବିଭାଗ ଅଧିକ ସତର୍କ ହୋଇଛି । ୟୁଏଇରେ ଟେଷ୍ଟ ବେଳେ ଯୁବକ ଜଣକ ମଙ୍କିପକ୍ସରେ ସଂକ୍ରମିତ ହୋଇଥିବା ଜଣାପଡିଛି । ତଥାପି ଯୁବକଙ୍କ ମୃତ୍ୟୁର କାରଣ ଜାଣିବା ପାଇଁ ଯାଞ୍ଚ କରାଯିବ ।

ଯୁବକ ଜଣକ ଅନ୍ୟ କୌଣସି ରୋଗରେ ଆକ୍ରାନ୍ତ ନଥିଲା । ବିଶେଷଜ୍ଞ ଟିମ ଯାଞ୍ଚ କରିବା ଆରମ୍ଭ କରିବା ସହ ମୃତ୍ୟୁର କାରଣ ଖୋଜୁଛନ୍ତି । ଡବ୍ଲୁଏଚଓ ଅନୁସାରେ, ମଙ୍କିପକ୍ସର ଲକ୍ଷଣ ୬ରୁ ୧୩ ଦିନ ମଧ୍ୟରେ ଦେଖା ଦେଇଥାଏ । ତେବେ କିଛି ମାମଲାରେ ୫ରୁ ୨୧ ଦିନର ସମୟ ମଧ୍ୟ ଲାଗିଥାଏ । ସଂକ୍ରମିତ ହେବା ପରେ ପରବର୍ତ୍ତୀ ୫ ଦିନ ଜର, ମୁଣ୍ଡବ୍ୟଥା, ହାଲିଆ ଲାଗିବା, ଦେହରେ ଯନ୍ତ୍ରଣା ହୋଇଥାଏ। ଭାରତ ସହ ବିଶ୍ବର ୭୮ ଦେଶକୁ ମଙ୍କିପକ୍ସ ବ୍ୟାପିସାରିଛି । ଭାରତର ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଅନ୍ୟ ସଂକ୍ରମିତଙ୍କ ଚିକିତ୍ସା ଜାରି ରହିଛି ।

କେରଳ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ମଙ୍କିପକ୍ସ କରୋନା ଭଳି ଅଧିକ ସଂକ୍ରମକ ନୁହେଁ । କିନ୍ତୁ ଯେହେତୁ ଭାଇରାଲ୍ ଡିଜିଜ ଏହା ବ୍ୟାପୁଛି । ମଙ୍କିପକ୍ସ ଯୋଗୁଁ ମୃତ୍ୟୁ ହାର ମଧ୍ୟ କୋଭିଡ ତୁଳନାରେ ବହୁତ କମ୍ । ଏହାକୁ ରୋକିବାର ଆବଶ୍ୟକତା ରହିଛି । ବର୍ତ୍ତମାନ ସୁଦ୍ଧା ବିଶ୍ୱର କୌଣସି ଦେଶ ମଙ୍କିପକ୍ସ ବିଷୟରେ ସମ୍ପୂର୍ଣ୍ଣ ଅଧ୍ୟୟନ କରିନାହାନ୍ତି । ଏହାର ଟୀକା କିମ୍ବା ରୋକିବା ପାଇଁ କୌଣସି ଔଷଧ ମଧ୍ୟ ବାହାରି ନାହିଁ । ଏହି କାରଣରୁ କେରଳରେ ଏହାର ଗବେଷଣା କରାଯାଉଛି ।