ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ, ମା ସମଲେଶ୍ୱରୀଙ୍କ ନିକଟରେ ଲାଗି ହେଲା ନବାନ୍ନ

1 min read

ସମ୍ବଲପୁର: ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଚଳଚଞ୍ଚଳ ପଶ୍ଚିମ ଓଡ଼ିଶାର ଗାଁଠୁ ସହର। ମା ସମଲେଶ୍ୱରୀଙ୍କ ନିକଟରେ ଲାଗି ହୋଇଛି ନବାନ୍ନ । ନୀତି ନିର୍ଘଣ୍ଟ ମୁତାବକ ମା’ଙ୍କ ଠାରେ ପୂଜାର୍ଚ୍ଚନା ପରେ ନବାନ୍ନ ଲାଗି ହୋଇଛି। ପରେ ପରିବାର ସହ ଏକାଠି ନୂଆ ଖାଇବେ ସମଗ୍ର ପଶ୍ଚିମ ଓଡ଼ିଶାବାସୀ। ମା ସମଲେଶ୍ୱରୀଙ୍କ ନିକଟରେ ନୂଆଲାଗି ହେବାପରେ ଦିନ ୧୨ଟା ୩୦ ପରେ ସମଲେଶ୍ୱରୀ ମାଙ୍କ ଦର୍ଶନ ଶ୍ରଦ୍ଧାଳୁ କରିପାରିବେ।

ସେହିପରି ନୂଆଁଖାଇ ପାଇଁ ଗତକାଲି ନିଶାର୍ଦ୍ଧ ପରେ ଆଜି ପାହାନ୍ତିଆ ପୂର୍ବରୁ ବରଗଡ଼ର ମା’ ସମଲେଇଙ୍କ ପୀଠରେ ଲାଗି ହୋଇଛି ନବାନ୍ନ। ଆଜି ମାହେନ୍ଦ୍ର ବେଳାରେ ଦିନ ୧୦.୩୩ ରୁ ୧୧.୦୮ ମଧ୍ୟରେ ପଶ୍ଚିମ ଓଡ଼ିଶାବାସୀ ନିଜ ନିଜ ଇଷ୍ଟ ଦେବାଦେବୀଙ୍କ ଠାରେ ନବାନ୍ନ ଭୋଗ ଲାଗି କରିବା ସହ ନବାନ୍ନ ଭକ୍ଷଣ କରିଛନ୍ତି।

ଅନ୍ୟପଟେ କଳାହାଣ୍ଡିରେ ବି ଆରମ୍ଭ ହୋଇଛି ନୂଆଁଖାଇ ପର୍ବ l ଜୁନାଗଡ଼ ସହରରେ ଥିବା ଦଧିବାମନ ମନ୍ଦିରରେ ନବାନ୍ନ ଲାଗି ହେବା ପରେ ଆରମ୍ଭ ହୋଇଛି ନୂଆଖାଇ l ମନ୍ଦିରରୁ ଲୋକେ ଅନ୍ନ ପ୍ରସାଦ ନେବା ପରେ ନିଜ ଇଷ୍ଟ ଦେବୀକୁ ସମର୍ପଣ ପରେ ଘରେ ଘରେ ଆରମ୍ଭ ହେବ ନୂଆଁଖାଇ l ସେହିପରି ସୁବର୍ଣ୍ଣପୁରରେ ପାଳିତ ହୋଇଛି ଗଣପର୍ବ ନୂଆଁଖାଇ । ସୋନପୁର ଗଡଜାତରେ ନିର୍ଦ୍ଧାରିତ ଲଗ୍ନରେ ଇଷ୍ଟଦେବୀ ମା’ ସୁରେଶ୍ୱରୀଙ୍କ ପାଖରେ ଲାଗି ହୋଇଛି ନାନାଦି ଭୋଗ । ଆଉ ଏହି ଭୋଗ ପାହୁର ଯାତ୍ରାରେ ଯାଇ ଅଷ୍ଟଚଣ୍ଡୀଙ୍କ ପାଖରେ ଲାଗି ହୋଇଛି । ମା’ ସମଲେଇଙ୍କ ମନ୍ଦିରରେ ପାହୁର ପ୍ରସ୍ତୁତ ହୋଇ ସମସ୍ତ ଦେବୀଙ୍କ ପାଖରେ ଲାଗି ହେଲା ପରେ ସୋନପୁର ଗଡଜାତବାସୀ ନବାନ୍ନ ଭକ୍ଷଣ କରିଛନ୍ତି।

ବୌଦ୍ଧରେ ମଧ୍ୟ ଧୁମଧାମରେ ପାଳନ ହେଉଛି ନୂଆଁଖାଇ। ବୌଦ୍ଧ ଜିଲ୍ଲାରେ ପ୍ରଥମେ ଇଷ୍ଟଦେବୀ ମା ଭୈରବୀଙ୍କ ନିକଟରେ ଆଜି ଦିନ ସାଢ଼େ ୧୧ଟାରେ ନବାନ୍ନ ଲାଗି ହେବା ପରେ ଅଂଚଳ ବାସୀ ନୂଆ ଖାଇବେ। ଏଥିପାଇଁ ମା’ଙ୍କ ନିକଟରେ ପହଞ୍ଚିଛି ସରିଆ ଧାନ। ଏହାସହ ଭୈରବୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି।