ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀର ଦୁଇଟି ସ୍କୁଲକୁ ବୋମା ଧମକ। ବୋମାରେ ସ୍କୁଲକୁ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି। ସେହି ଦୁଇଟି ସ୍କୁଲ ହେଲା ଧଉଳା କୁଆଁ ଅଞ୍ଚଳର ଆର୍ମି ପବ୍ଲିକ ସ୍କୁଲ ଓ ଲୋଧି ଲୋଡ୍ ରେ ତିବା ଏୟାରଫୋର୍ସ ବାଲ୍ ଭାରତୀ ସ୍କୁଲ। ଦିଲ୍ଲୀ ପୋଲିସ ଏହାର ତଦନ୍ତ କରୁଛି। ଖବର ପରେ ଅଗ୍ନିଶମ ବାହିନୀ ଯାଇ ପହଞ୍ଚିଥିଲା। କିନ୍ତୁ କୌଣସି ବୋମା କି ବିସ୍ଫୋରକ ମିଳିନାହିଁ।
ଯାଜପୁର ରୋଡ ସୋଲେଇ ଗାଁରେ ଗୋଷ୍ଠୀ ସଂଘର୍ଷ ; ଜଣେ ବୃଦ୍ଧଙ୍କ ମୃତ୍ୟୁ ଅଭିଯୋଗ
ନନ୍ଦିଘୋଷ ବ୍ୟୁରୋ : ଯାଜପୁର ଜିଲ୍ଲା ଯାଜପୁର ରୋଡ ସୋଲେଇ ଗ୍ରାମରେ ଗୋଷ୍ଠୀ ସଂଘର୍ଷ । ସଂଘର୍ଷରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ବେଳେ ଗ୍ରାମରେ ଉତ୍ତେଜନା ଲାଗିରହିଛି । ମୃତା ବୃଦ୍ଧା ଜଣକ ହେଲେ ଗଦାଧର ଆଲଦାଙ୍କ ସ୍ତ୍ରୀ ଜେମା ଆଲଦା ବୋଲି ଜଣାପଡ଼ିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ୯ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଜଣେ ବ୍ୟକ୍ତିଙ୍କ ଠାରୁ ମୋବାଇଲ ଛଡ଼ାଇବା ନେଇ ହୋଲେଇ ଗ୍ରାମର କମାର ସାହି ଓ ଆଦିବାସୀ ସାହି ମଧ୍ୟରେ ପୂର୍ବରୁ ତିକ୍ତତା ଲାଗି ରହିଥିଲା । ତେବେ ଆଜି ରାତିରେ ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ସମୟରେ ଜଣେ ବୃଦ୍ଧା ତଳେ ପଡିଯିବାରୁ ମୁଣ୍ଡ ଓ ଛାତିରେ ଗଭୀର ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଦାନଗଦି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି । ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଶୈଳବାଳା କଲେଜକୁ ୟୁନିଭରସିଟି ମାନ୍ୟତା ଦାବି ; ଆଜି ସ୍ଥିର ହେବ ପରବର୍ତ୍ତୀ ରଣନୀତି
ନନ୍ଦିଘୋଷ ବ୍ୟୁରୋ : ତେଜିଛି କଟକ ଶୈଳବାଳା ସ୍ଵୟଂଶାସିତ ମହିଳା ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟ ମାନ୍ୟତା ଦେବା ଦାବିରେ ଆନ୍ଦୋଳନ। ଛାତ୍ରୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ବିଶ୍ବବିଦ୍ୟାଳୟ ମାନ୍ୟତା ଦାବିରେ ୩୦ ଦିନ ଧାରଣା ପରେ ଗେଟରେ ତାଲା ପକାଇ ରାସ୍ତା ଅବରୋଧ କରିଥିଲେ ଛାତ୍ରୀ । ଶନିବାର ସେମାନେ ରାସ୍ତାରୋକ କରିଥିଲେ। ପ୍ରାଶାସନିକ ଅଧିକାରୀ ଓ ଜନ ପ୍ରତିନିଧି ବୁଝାସୁଝା କରିବା ପରେ ହଷ୍ଟେଲକୁ ଫେରିଥିଲେ ମଧ୍ୟ ଆନ୍ଦୋଳନ ଥମିନାହିଁ ବୋଲି କହିଥିଲେ। ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ଆଜି ଏକ ବୈଠକ ବସିବାର ଅଛି। ଏହି ବୈଠକରେ ସ୍ଥିର ହେବ ରଣନୀତି। ଆଗୁ କଣ କରାଯିବ, ଦାବି ପୂରଣ ନେଇ କେଉଁ ପନ୍ଥା ଆପଣାଯିବ, ସେ ନେଇ ବୈଠକରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଗତକାଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ, ଭିତ୍ତିଭୂମି, ଶିକ୍ଷାର ବାତାବରଣକୁ ଦେଖି ବିଶ୍ବବିଦ୍ୟାଳୟ କଥା ସରକାର ବିଚାର କରିବେ।
ଆଜିଠୁ ବର୍ଷା ସମ୍ଭାବନା ; ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର
ନନ୍ଦିଘୋଷ ବ୍ୟୁରୋ : ଆଜିଠୁ ବର୍ଷା ସମ୍ଭାବନା । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର। ଏହାର ପ୍ରଭାବରେ ଆଜିଠୁ କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ସୁଦୃଶ ଲଘୁଚାପ କ୍ଷେତ୍ରଟି ସମୁଦ୍ର ପତନରୁ ପ୍ରାୟ ୫.୮ କି.ମି. ପର୍ଯ୍ୟନ୍ତ ବିସ୍ତାରିତ ଅଛି ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ଏହା ଆସନ୍ତା ୨୪ ଘଣ୍ଟାରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତିକରି ଆହୁରି ସକ୍ରିୟ ହେବାର ସମ୍ଭାବନା ରହିଛି । ଆଜି ୮ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ଵର ଓ ଭଦ୍ରକରେ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି। ସେହିପରି ଆସନ୍ତା କାଲି ଯାଜପୁର, କଟକ ଓ ମୟୂରଭଞ୍ଜରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ଓ ଝଟକା ପବନ ବହିପାରେ ।
ଦଣ୍ଡନାଚରେ ଅଶ୍ଳୀଳତାକୁ ନା: ଅମାନ୍ୟ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବ ପ୍ରଶାସନ
ଦଣ୍ଡନାଚରେ ଅଶ୍ଳୀଳତାକୁ ନା । ଅମାନ୍ୟ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପ୍ରଶାସନ । ଆୟୋଜକଙ୍କ ବିରୋଧରେ ହେବ ଅପରାଧିକ ମାମଲା । ଏସଓପିକୁ ସବୁ ଯାତ୍ରା ଦଳର ସ୍ବାଗତ । ସାମାଜିକ ନାଟକ ମାଧ୍ୟମରେ ହେବ ମନୋରଞ୍ଜନ । ଆଉ କିଛିଦିନ ପରେ ଆରମ୍ଭ ହେବ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡଯାତ୍ରା । ତେବେ ଯାତ୍ରାରେ କିଭଳି ନୃତ୍ୟଗୀତ ପରିବେଷଣ ହେବ ଓ କଳାକାରଙ୍କ ପୋଷାକ କିଭଳି ରହିବ ସେନେଇ ଏସଓପି ଜାରୀ କରିଛି ବ୍ରହ୍ମପୁର ମହାନଗର ନିଗମ । ଯାତ୍ରା କମିଟିକୁ ନେଇ ବିଇଏମସି କାର୍ଯ୍ୟାଳୟରେ ଆୟୋଜିତ ବୈଠକରେ ଏନେଇ ଅବଗତ କରାଯାଇଛି । ଯାତ୍ରାରେ ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ରୂପେ ବାରଣ କରାଯିବା ସହ ପାରମ୍ପରିକ ଓ ଧାର୍ମିକ କଥାବସ୍ତୁକୁ ନେଇ ସାମାଜିକ ନାଟକ କରିବାକୁ କୁହାଯାଇଛି । ବନ୍ୟ ଜୀବଜନ୍ତୁ ମାନଙ୍କୁ ଷ୍ଟେଜ ଉପରକୁ ବାରଣ କରାଯାଇଛି । ଆଇନ ଅମାନ୍ୟ କଲେ ଆୟୋଜକଙ୍କ ବିରୋଧରେ ହେବ ଅପରାଧିକ ମାମଲା । ଯେଉଁମାନେ ଦଣ୍ଡଯାତ୍ରା ଆୟୋଜନ କରିବେ ସେମାନେ ପୋଲିସ ଠାରୁ ଅନୁମତି ନେବାକୁ କହିଛନ୍ତି ବ୍ରହ୍ମପୁର ଏସପି ।
ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରୀ ହୋଇଥିବା ଏସଓପି ପାଳନ କରିବାକୁ ସମ୍ମତି ଜଣାଇଛି ମହାନଗର ଦଣ୍ଡନାଚ ମହାସଂଘ । ସାମାଜିକ ନାଟକ ପରିବେଷଣ ପାଇଁ ଅନୁମତି ଦେଇଥିବା ଯୋଗୁଁ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି କଳାକାର ଓ ନାଟ୍ୟ ଦଳ । ତେବେ ଦଣ୍ଡଯାତ୍ରା ସମୟରେ ବ୍ରହ୍ମପୁରକୁ ସହର ବାହାର ତଥା ଜିଲ୍ଲାର ବିଭିନ୍ନ ବ୍ଳକରୁ ନାଟ୍ୟଦଳ ମାନେ ଆସିଥାନ୍ତି । ସେମାନଙ୍କୁ ଏସଓପି ବିଷୟରେ ଅବଗତ କରାଆବିକୁ ପରାମର୍ଶ ଦେଇଛି ମହାସଂଘ । ଏସଓପିକୁ ତଦାରଖ କରିବା ପାଇଁ ପ୍ରଶାସନ ଓ ପୋଲିସ ପକ୍ଷରୁ ଏକ କମିଟି ଗଠନ କରାଯାଇଛି । ଏହି କମିଟି ଦଣ୍ଡଯାତ୍ରା ସମୟରେ ବୁଲି ବୁଲି ଅନୁଧ୍ୟାନ କରିବ ।
ମୈଦାନରେ ଦମ ଦେଖାଇବେ ପୋଲିସ ବାବୁ: ଆରମ୍ଭ ହେଲା ରାଜ୍ୟ ପୋଲିସ ହକି ଚାମ୍ପିଅନସିପ
ମୈଦାନରେ ଦମ ଦେଖାଇବେ ପୋଲିସ ବାବୁ । ହକି ଷ୍ଟାଡିୟମରେ ଚାଲିବ ଜୋରଦାର ମୁକାବିଲା । ଆରମ୍ଭ ହେଲା ରାଜ୍ୟ ପୋଲିସ ହକି ଚାମ୍ପିଅନସିପ । ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଉଦଘାଟିତ ହେଲା ୭୫ ତମ ରାଜ୍ୟ ପୋଲିସ ହକି ଚାମ୍ପିଅନସିପ । ଉଦଘାଟନୀ ଉତ୍ସବରେ ପଶ୍ଚିମାଞ୍ଚଳ ପୋଲିସ ଡିଆଇଜି ଵ୍ରିଜେଶ କୁମାର ରାଏ, ରାଉରକେଲା ଏସପି ନିତେଶ ଓ୍ଵାଧଓ୍ଵାନୀ, ସୁନ୍ଦରଗଡ଼ ଏସପି ଅମ୍ରିତା କାଉର ଓ ରାଉରକେଲା ମହାନଗର ନିଗମ କମିଶନର ଦିନା ଦସ୍ତଗୀର ଅତିଥି ଭାବେ ଯୋଗ ଦେଇଥିଲେ । ୩ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ପୋଲିସ ହକି ଚାମ୍ପିଅନସିପରେ ୪ ଟି ପୁଲରେ ମୋଟ ୧୪ ଟି ଟିମ ଅଂଶ ଗ୍ରହଣ କରିଛନ୍ତି ।
ପୁଲ ଏ ରେ ଚତୁର୍ଥ OSAP ରାଉରକେଲା, କମିସନରେଟ୍ ବି, ସମ୍ବଲପୁର ଓ ସୁନ୍ଦରଗଡ଼ ଟିମ ଅଛନ୍ତି । ପୁଲ ବି ରେ ଷଷ୍ଠ OSAP ବାଟାଲିୟନ କଟକ, OISF ଭୁବନେଶ୍ୱର, ଅଷ୍ଟମ ବାଟାଲିୟନ ଛତ୍ରପୁର ଓ ଚତୁର୍ଥ IRBN ଦେବଗଡ ଟିମ ଅଛନ୍ତି । ପୁଲ ସି ରେ ରାଉରକେଲା, ଦ୍ଵିତୀୟ IRBN ରାୟଗଡ଼ ଓ ପୁରୀ ଟିମ ଅଛନ୍ତି । ପୁଲ ଡି ରେ କମିସନରେଟ୍ ଏ, ତୃତୀୟ ବାଟାଲିୟନ କୋରାପୁଟ ଓ କୋରାପୁଟ ଜିଲ୍ଲା ପୋଲିସ ଟିମ ଅଛନ୍ତି । ସବୁ ଟିମକୁ ନେଇ ଡ୍ରିଲ ଅନୁଷ୍ଠିତ ହୋଉଥିବାବେଳେ ବିଜୟ ନେଇ ଆଶାବାଦୀ ଖେଳାଳି । ୨୨ ତାରିଖ ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଵାକୁ ଥିବା ୭୫ ତମ ରାଜ୍ୟ ପୋଲିସ ହକି ଚାମ୍ପିଅନସିପର ଉଦଘାଟନୀ ଉତ୍ସବରେ ରାଉରକେଲା ପୋଲିସ ଜିଲ୍ଲାର ବରିଷ୍ଠ ପୋଲିସ ଅଫିସରମାନେ ଉପସ୍ଥିତ ଥିଲେ ।
ମହାନଦୀର ଗଭୀର ଜଳରେ ଦୁଃସାହସିକ ଜଳକ୍ରୀଡ଼ା
ମହାନଦୀର ଗଭୀର ଜଳରେ ଦୁଃସାହସିକ ଜଳକ୍ରୀଡ଼ା । ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି ସ୍କୁବା ଡାଇଭର ସବୀର ବକ୍ସ । ରାଜ୍ଯର ୫ ଜିଲ୍ଲାରୁ ୧୫୦ NSS ଛାତ୍ରଛାତ୍ରୀ ସାମିଲ । ୬ ଦିନ ଧରି ୧୨ଟି ଇଭେଣ୍ଟରେ ପ୍ରଶିକ୍ଷଣ ନେବେ ଛାତ୍ରଛାତ୍ରୀ । କଟକ ତୁଳସୀପୁର ଡିୟର ପାର୍କ ନିକଟରେ ମହାନଦୀରେ ଆରମ୍ଭ ହୋଇଛି ଏହି ପ୍ରଶିକ୍ଷଣ ଶିବିର । ରାଜ୍ଯର ୫ ଜିଲ୍ଲାରୁ ୧୫୦ NSS ଛାତ୍ରଛାତ୍ରୀ ଏଥିରେ ଭାଗ ନେଇଛନ୍ତି । ଉଚ୍ଚଶିକ୍ଷା ତଥା କ୍ରୀଡା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ନିଜେ ଅତ୍ୟାଧୁନିକ ୱାଟର୍ ସ୍କୁଟରରେ ମହାନଦୀ ଜଳ ଭିତରକୁ ଯାଇ ଶିବିରକୁ ଉଦଘାଟନ କରିଛନ୍ତି । ଛାତ୍ରଛାତ୍ରୀଙ୍କୁ ୬ ଦିନ ଧରି ୧୨ ଟି ଇଭେଣ୍ଟରେ ଦୁଃସାହସିକ ଜଳକ୍ରୀଡାର ବିଭିନ୍ନ କୌଶଳ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ । ପିଲାମାନେ ଦିନରାତି ମହାନଦୀ ଭିତରେ ଥିବା ପଠାରେ ରହି ନେବେ ଟ୍ରେନିଂ ।
ଆଗରୁ NSSର ସ୍ଥଳଭାଗରେ ବର୍ଷ ତମାମ ଛାତ୍ରଛାତ୍ରୀଙ୍କୁ ନେଇ ଶିବିର ଆୟୋଜିତ ହେଉଥିଲା । ତେବେ ନଦୀନାଳ, ସମୁଦ୍ର ଭରା ଆମ ରାଜ୍ୟର ଉପକୂଳ ଅଞ୍ଚଳର ପିଲାମାନେ ଜଳକ୍ରୀଡାର ବିଶେଷ ଅଭିଜ୍ଞତା ପାଇ ପାରୁ ନଥିଲେ । ତେଣୁ ଏଭଳି ଶିବିର ଦ୍ଵାରା ପ୍ରଥମ ପର୍ଯ୍ୟାୟରେ ଦେଢଶହ ଛାତ୍ରଛାତ୍ରୀ ଜଳକ୍ରୀଡାର କୌଶଳ ଶିକ୍ଷା ଦେବାକୁ ଏପରେ ଏକ ଶିବିର ଆୟୋଜନ କରାଯାଇଛି । ଅନ୍ତର୍ଜାତୀୟ ସ୍କୁବା ଡାଇଭର ସବୀର ବକ୍ସ ଓ ତାଙ୍କ ଟିମ ୬ ଦିନ ଧରି ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେବେ । ଏହି ଶିବିରର ସଫଳତା ପରେ ଆଗକୁ ଅନ୍ୟ ଜିଲ୍ଲାର NSS ଛାତ୍ରଛାତ୍ରୀଙ୍କ ପାଇଁ ଏଭଳି ଶିବିର ଆୟୋଜିତ ହେବ ।
ପରିଶ୍ରମୀ ଓ ସଫଳ ଚାଷୀମାନେ କାହିଁକି ସରକାରୀ ଯୋଜନାରୁ ବଞ୍ଚିତ ?
ଏ ହେଉଛନ୍ତି ବୌଦ୍ଧ ଜିଲ୍ଲା ନୂଆପଡା ଗାଁର ଚାଷୀ ପୂର୍ଣ୍ଣ ଚନ୍ଦ୍ର ସାହୁ । ବସୟ ପାଖାପାଖି ୫୫ ପାର୍ । ଯେଉଁ ବୟସରେ ବିଶ୍ରାମ କରି ଅବସର ଦିନ କାଟିବା କଥା । ସେ ବୟସରେ ସେ ମାଟିରେ ଫଳାଉଛନ୍ତି ସୁନାର ଫସଲ । ନିଜ ୪ ଏକର ଜମିରେ ବିଭିନ୍ନ ପନିପରିବା ଚାଷ କରିବା ସହ ଫୁଲ ଫଳ ଚାଷ ମଧ୍ୟ କରନ୍ତି । ନିଇତି ସକାଳ ପାହିଲେ କୋଡି କୋଦାଳ ଧରି ବାହାରି ପଡନ୍ତି କ୍ଷେତକୁ । ଦିନ ଯାକ କ୍ଷେତରେ ପରିଶ୍ରମ କରି ସନ୍ଧ୍ୟାକୁ ଲେଉଟନ୍ତି । କ୍ଷେତରେ ଉତ୍ପାଦନ କରୁଥିବା ଫସଲକୁ ନିଜ ଘର ପାଇଁ ସାଇତି ରଖିବା ସହ ବଜାରରେ ବିକ୍ରି କରନ୍ତି । ସେଥିରୁ ଯେଉଁ ଦୁଇ ପଇସା ଲାଭ ମିଳେ ବେଶ ହସଖୁସିରେ ପରିବାର ଚଳେ ।
ପୂର୍ଣ୍ଣ ଚନ୍ଦ୍ର ଚାଷ କରି ନିଜେ ସ୍ବାବଲମ୍ବୀ ହେବା ସହ ୫ଟି ପରିବାରକୁ ରୋଜଗାର ଦେଇଛନ୍ତି । ପ୍ରତିଦିନ ଶ୍ରମିକମାନେ ପୂର୍ଣ୍ଣଚନ୍ଦ୍ରଙ୍କ କ୍ଷେତରେ କାମ କରି ପାରିଶ୍ରମିକ ପାଇଥାନ୍ତି । ଘର ନିକଟରେ କାମ ମିଳୁଥିବାରୁ ଶ୍ରମିକ ମାନେ ଖୁସିବ୍ୟକ୍ତ କରିଛନ୍ତି । ପୂର୍ଣ୍ଣଚନ୍ଦ୍ରଙ୍କ ଏଭଳି ସଫଳତା ପରେ ବିଭିନ୍ନ ସରକାରୀ ଏବଂ ବେସରକାରୀ ସଂସ୍ଥା ପକ୍ଷରୁ ତାଙ୍କୁ ପୁରଷ୍କୃତ କରାଯାଇଛି । ହେଲେ ଦୁଃଖର ବିଷୟ ସରକାର ଚାଷୀଙ୍କ ପାଇଁ ଏତେ ଯୋଜନା କରୁଥିବା ବେଳେ ପୂର୍ଣ୍ଣ ଚନ୍ଦ୍ର କିନ୍ତୁ ସରକାରୀ ଯୋଜନାରୁ ବାଦ ପଡିଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ପୂର୍ଣ୍ଣ ଚନ୍ଦ୍ରଙ୍କ ପରି ପରିଶ୍ରମୀ ଓ ସଫଳ ଚାଷୀମାନେ କାହିଁକି ଯୋଜନାରୁ ବଞ୍ଚିତ ? କେବଳ ସରକାରୀ କାଗଜରେ ସୀମିତ ରହିଯାଉଛି କି ଯୋଜନା ?
ଚିଟଫଣ୍ଡ ପରି ସଂଗୀନ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଶିକ୍ଷକ: ହେଲେ ଦୀର୍ଘ ୩ ବର୍ଷ ଧରି ଅଛନ୍ତି ଚାକିରିରେ
ଚିଟଫଣ୍ଡ ପରି ସଂଗୀନ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଶିକ୍ଷକ। ହେଲେ ଦୀର୍ଘ ୩ ବର୍ଷ ଧରି ଅଛନ୍ତି ଚାକିରିରେ। ଏପରି ବିଚିତ୍ର ସ୍ଥିତି ଦେଖିବାକୁ ମିଳିଛି ମୟୂରଭଂଜ ଜିଲ୍ଲା ସାନବେଲାକୁଟି ସରକାରୀ ପ୍ରାଥମିକ ବିଦ୍ୟାଳୟରେ। ସ୍କୁଲର ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ସାହୁ। ଚିଟଫଣ୍ଡ ସଂସ୍ଥା ଜରିଆରେ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକିଥିବା ଅଭିଯୋଗ ହୋଇଥିଲା। ଏନେଇ ବାଲେଶ୍ବର ଜିଲ୍ଲା ସହଦେବଖୁଣ୍ଟା ଥାନାରେ ଅଭିଯୋଗ ହୋଇଥିଲା । ଗିରଫ ହେବା ପରେ ବାଲେଶ୍ଵରସ୍ଥିତ ସ୍ଵତନ୍ତ୍ର ଓପିଆଇଡି କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୫ ବର୍ଷ କାରାଦଣ୍ଡ ସହ ୨ ଲକ୍ଷ ୫୦ ହଜାର ଟଙ୍କା ଜରିମାନା ଲଗାଇଥିଲେ। ହେଲେ ସେ କିପରି ଚାକିରିରେ ଅଛନ୍ତି ଏବଂ ଦରମା ନେଉଛନ୍ତି- ତାହାକୁ ନେଇ ଉଠିଛି ପ୍ରଶ୍ନ।
କୃଷ୍ଣଚନ୍ଦ୍ରଙ୍କୁ ବରିଷ୍ଠ ଅଧିକାରୀ ସୁରକ୍ଷା ଦେଉଥିବା ନେଇ ହେଉଛି ଅଭିଯୋଗ। ଦୋଷୀ ସାବ୍ୟସ୍ତ ହେଲେ ସରକାରୀ ଚାକିରିରେ ରହିପାରିବେ ନାହିଁ ବୋଲି ବ୍ୟବସ୍ଥା ଥିବାବେଳେ କିପରି ଏହାର ଉଲ୍ଲଂଘନ ହେଉଛି ତାହା ସନ୍ଦେହ ସୃଷ୍ଟି ହୋଇଛି। ସେପଟେ ବିଇଓ କହିଛନ୍ତି- ଏ ସଂକ୍ରାନ୍ତରେ ସମସ୍ତ ଦସ୍ତାବିଜ ମଗାଯାଇଛି । ଅନୁଧ୍ୟାନ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଦୋଷୀ ସାବ୍ୟସ୍ତଙ୍କୁ କେଉଁଠୁ ଓ କାହାଠାରୁ ମିଳୁଛି ଅନୁକମ୍ପା?
ଗ୍ରୀଷ୍ମ ଆରମ୍ଭରୁ ଜଳକଷ୍ଟ: ପାଣି ଅଭାବ ଯୋଗୁଁ ଚାଷ କାର୍ଯ୍ୟ ହୋଇପାରୁନି
ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ରାୟଗଡା ଜିଲ୍ଲା ସିଲଟିଗୁଡା ଗାଁ ଲୋକେ । ଏହି ଗାଁରେ ବାସ କରନ୍ତି ପ୍ରାୟ ୧୦୪ଟି ପରିବାର । ସମସ୍ତେ ଆଦିବାସୀ ସଂପ୍ରଦାୟର ହୋଇଥିବା ବେଳେ କିଏ ମୁଲ ଲାଗିତ ଆଉ କିଏ ଚାଷ କରି ନିଜ ଗୁଜୁରାଣ ମେଣ୍ଟାଇଥାନ୍ତି। ହେଲେ ଚିନ୍ତାର ବିଷୟ ଏତେ ଜନସଂଖ୍ୟା ବିଶିଷ୍ଟ ଗାଁ ଲୋକଙ୍କ ପାଇଁ ରହିଛି ମାତ୍ର ୨ଟି ନଳକୂପ । ତାହା ପୁଣି ଦୀର୍ଘ ବର୍ଷ ହେଲା ଅଚଳ ହୋଇ ପଡିଛି । ଫଳରେ ଲୋକମାନେ ଡ୍ୟାମର ଦୂଷିତ ପାଣି ଉପରେ ନିର୍ଭର କରୁଛନ୍ତି । ପିଇବା ପାଇଁ ପାଣି ମିଳୁନଥିବା ବେଳେ ଚାଷ କଥା ପଚାରେ କିଏ । ଇଏ ହେଉଛି ସିଲ୍ଟିଗୁଡା ଡ୍ୟାମର ଦୃଶ୍ୟ । ଡ୍ୟାମ ନିର୍ମାଣ ହେଲା ହେଲେ କେନାଲ ନିର୍ମାଣ ହେଲା ନାହିଁ । ଯାହା ଫଳରେ ଚାଷ ଜମିକୁ ପାଣି ନଯାଇପାରି ଶହ ଶହ ଏକର ଜମି ଶୁଖିଲା ପଡିଛି ।
ଦୂଷିତ ପାଣି ବ୍ୟବହାର କରିବା ଦ୍ୱାରା ଗାଁ ଲୋକମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଚର୍ମରୋଗ ଦେଖା ଦେବା ସହ କିଡିନୀ ସମସ୍ୟା ଦେଖା ଦେଉଛି । ଫଳରେ ଲୋକମାନେ ଦୁରାରୋଗ୍ୟରେ ଚିକିତ୍ସିତ ହୋଇ ବହୁ ଖର୍ଚ୍ଚାନ୍ତ ହେଉଛନ୍ତି । ସେପଟେ ଡ୍ୟାମରୁ ଚାଷ ଜମିକୁ ପାଣି ଯୋଗାଣ ହେଉନଥିବାରୁ ଚାଷ କାର୍ଯ୍ୟ ଠପ ହୋଇପଡିଛି । ଫଳରେ ଶହଶହ ହେକ୍ଟର ଚାଷ ଜମି ପଡିଆ ପଡିଛି । ଗାଁରେ ଚାଷ କାର୍ଯ୍ୟ ହେଉନଥିବାରୁ ଲୋକମାନେ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି। ଏନେଇ ଗାଁ ଲୋକେ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କୁ ଗୁହାରୀ କଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି ।
ସରକାର ପ୍ରତି ଗାଁକୁ ଜଳ ଯୋଗାଣ ନେଇ ଡିମଡିମ ପିଟୁଥିବା ବେଳେ ଏପଟେ ପାଣି ପାଇଁ ଡହଳବିକଳ ହେଉଛନ୍ତି ଲୋକେ । ସରକାର ଯଦି ଏଥିପ୍ରତି ଦୃଷ୍ଟି ନଦେବେ ତେବେ ଲୋକମାନେ ବିଭିନ୍ନ ରୋଗରେ ପୀଡିତ ହେବା ସହ ଚାଷକାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହେବ । ତେଣୁ ସରକାର ତୁରନ୍ତ ଏହି ଗାଁ ପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।

