spot_img
Home Blog Page 4090

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ

ଭୁବନେସ୍ୱର: ଦୁଇ ଦୁଇଟି ଲଘୁଚାପର ଦୁର୍ଦ୍ଦଶା ସରିନି । ଏଭଳି ସମୟରେ ଆସୁଛି ଆଉ ଏକ ଲଘୁଚାପ । ବଙ୍ଗୋପସାଗରରେ ପୁଣି ଦାନା ବାନ୍ଧୁଛି ଲଘୁଚାପ । ଆସନ୍ତାକାଲି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ପରବର୍ତ୍ତି ୨୪ ଘଣ୍ଟାରେ ଏହା ଘନୀଭୂତ ହେବ । ପ୍ରଭାବରେ ୨୪ ଓ ୨୫ ତାରିଖରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଉତ୍ତର, ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ୭୦ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

୨୩ ତାରିଖରେ ବାଲେଶ୍ବର, ମୟୁରଭଞ୍ଜ ଏବଂ କେନ୍ଦୁଝରରେ ପ୍ରବଳ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ୨୪ତାରିଖରେ ବର୍ଷାର ପରିମାଣ ଏବଂ ବିସ୍ତୃତି ବୃଦ୍ଧି ହେବ । ଏହିଦିନ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ସହ ୧୭ ଜିଲ୍ଲାରେ ବଜ୍ରପାତ ଜନିତ ବର୍ଷା ନେଇ ସତର୍କତା ଜାରି କରାଯାଇଛି । ସେହିପରି ୨୫ ତାରିଖରେ ବଜ୍ରପାତ ସହିତ ପ୍ରବଳ ବର୍ଷା ନେଇ ୧୪ଜିଲ୍ଲାକୁ ସତର୍କ କରାଯାଇଛି । ଲଘୁଚାପ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସ୍ପଷ୍ଟ କରାଯାଇ ନଥିଲେ ମଧ୍ୟ ପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି ।

ମିଆଁମାର ଏବଂ ଏହାର ଆଖପାଖରେ ମେଘ ଖଣ୍ଡ ଏକାଠି ହେଉଥିବାରୁ ଲଘୁଚାପ ସମ୍ଭାବନା ଅଧିକ ରହିଛି । ୧ ଜୁନ ୧୦୨୨ ରୁ ୨୧ ଅଗଷ୍ଟ ୨୦୨୨ ମଧ୍ୟରେ ରାଜ୍ୟରେ ୯୩୪.୨ ମିମି ବର୍ଷା ରେକର୍ଡ କରାଯାଇଛି । ଯାହାକି ଏହି ସମୟର ସ୍ୱାଭାବିକ ବର୍ଷା ୮୧୧.୯ ମିଲିମିଟର ତୁଳନାରେ ୧୫% ଅଧିକ ରହିଛି । ବୌଦ୍ଧ ୬୨%, କନ୍ଧମାଳରେ ୭୩% ସ୍ୱାଭାବିକ ଠାରୁ ଅତ୍ୟଧିକ ବର୍ଷା ରେକର୍ଡ ହୋଇଛି । ଦେବଗଡରେ ୪୦ପ୍ରତିଶତ, ଢେଙ୍କାନାଳ ୨୯%, ଜଗତସିଂହପୁର ୨୧%, ନୟାଗଡ ୨୨%, ନୂଆପଡା ୨୦%, କୋରାପୁଟ ୩୦%, ରାୟଗଡା ୩୩% ଏବଂ ଗଜପତିରେ ୨୦ପ୍ରତିଶତ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି । ଅବଶିଷ୍ଟ ୨୦ ଜିଲ୍ଲାରେ ଏହି ସମୟ ମଧ୍ୟରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି l

ଗୁଣି ଗାରେଡ଼ି ସନ୍ଦେହରେ ଭାଇକୁ ହତ୍ୟା, ଭାଉଜକୁ ଆକ୍ରମଣ

ନବରଙ୍ଗପୁର: ଅନ୍ଧ ବିଶ୍ବାସର କରୁଣ ପରିଣତି । ଗୁଣି ଗାରେଡ଼ି ସନ୍ଦେହରେ ଭାଇକୁ ହତ୍ୟା କଲା ଭାଇ । ଭାଉଜକୁ ବି ଆକ୍ରମଣ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ଦର୍ଗାଗୁଡ଼ାରେ ଘଟିଛି ଏହି ହତ୍ୟାକାଣ୍ଡ । ସମ୍ପର୍କୀୟ ଭାଈ ଓ ତିନି ପୁତୁରାଙ୍କ ଟାଙ୍ଗିଆ ଚୋଟରେ ସୋମନାଥ ପୂଜାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଭାଉଜ ରୁପନ୍ତି ପୂଜାରୀ ଗୁରୁତର ହୋଇଛନ୍ତି । ତାଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ହତ୍ୟାକାଣ୍ଡପରେ ଟାଙ୍ଗିଆ ସହ ହତ୍ୟାକାରୀ ଭାଇ ଅର୍ଜୁନ ପୂଜାରୀ ଓ ତିନି ପୁତୁରା ତୁଳା ପୂଜାରୀ, ଚନ୍ଦନ ପୂଜାରୀ ଓ ଦେବେନ୍ଦ୍ର ପୂଜାରୀ ଉମରକୋଟ ଥାନାରେ ଆତ୍ମ ସମର୍ପଣ କରିଛନ୍ତି । ଗୁଣି ଗାରେଡି ଘଟଣାକୁ ନେଇ ମୃତକ ଓ ହତ୍ୟାକାର ଙ୍କ ମଧ୍ୟରେ ପୂର୍ବରୁ ତିକ୍ତତା ଲାଗି ରହିଥିଲା । ଆକ୍ରମଣକାରୀଙ୍କ ପରିବାରର ୫ ଜଣଙ୍କ ମୃତ୍ୟୁ ପାଇଁ ଅର୍ଜୁନ ଦାୟୀ ବୋଲି ସନ୍ଦେହ କରି ଏହି ଆକ୍ରମଣ ହୋଇଛି ।

ଆଜି ମୃତକ ସୋମନାଥ ପୂଜାରୀ ଓ ତାଙ୍କ ସ୍ତ୍ରୀ ରୁପନ୍ତି ପୂଜାରୀ ବିଲରୁ ଫେରୁଥିବା ସମୟରେ ଏହି ଚାରି ଅଭିଯୁକ୍ତ ମାନେ ତାଙ୍କୁ ଆକ୍ରମଣ କରିଥିଲେ । ଉମରକୋଟ ଥାନାରେ ଏକ ମାମଲା ରୁଜ୍ଜୁ କରାଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ବାଲିପାଟଣାରେ ଯୁବକଙ୍କୁ ଅପହରଣ, ମୁଣ୍ଡ ବଦଳରେ ୩ ଲକ୍ଷ ଦାବି

 ବାଲିପାଟଣା: ବାଲିପାଟଣା ଥାନା ଅନ୍ତ୍ରର୍ଗତ ସରିପୁର ଗାଁରେ ଯୁବକଙ୍କୁ ଅପହରଣ ଅଭିଯୋଗ । ଅପହରଣ ପରେ ୩ ଲକ୍ଷ ଟଙ୍କା ଦାବିକଲେ ଅପହରଣକାରୀ । ମନୋଜ କୁମାର ରାଉତରାୟଙ୍କୁ ଶନିବାର ମଧୁବନ ଛକରୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ମନୋଜଙ୍କ ମୁଣ୍ଡ ଜାମିନ ରଖି ଅପହରଣକାରୀ ୩ ଲକ୍ଷ ଟଙ୍କା ଦାବି କରୁଛି ।

ପରିବାର ଲୋକେ ପର୍ଯ୍ୟାୟକ୍ରମେ ୨ ଲକ୍ଷ ୬0 ହଜାର ଟଙ୍କା ଫୋନ ପେରେ ଦେଇ ସରିଲେଣି । ମନୋଜଙ୍କ ମୋବାଇଲ ବନ୍ଦ ରହିଛି । ଥାନାରେ ଏନେଇ ପରିବାର ପକ୍ଷରୁ ଏତଲା ଦିଆଯାଇଛି । ବନମାଳୀପୁର ଅଞ୍ଚଳର ପ୍ରତାପ ନାମକ ଜଣେ ବ୍ୟକ୍ତି ଅପହରଣ ଦିନ ଫୋନ କରି ମନୋଜ ଡାକିଥିଲେ । ତାହା ପରଠୁ ମନୋଜଙ୍କ ପତ୍ତା ମିଳିନଥିବା ଅଭିଯୋଗ ହୋଇଛି ।

କଂଗ୍ରେସର ଷ୍ଟିଅରିଂ କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଆନନ୍ଦ ଶର୍ମା

ନୂଆଦିଲ୍ଲୀ: ଗୁଲାମନବୀ ଆଜାଦଙ୍କ ପରେ କଂଗ୍ରେସକୁ ଆଉ ଏକ ଝଟକା ଦେଲେ ଆନନ୍ଦ ଶର୍ମା । ହିମାଚଳ ପ୍ରଦେଶ କଂଗ୍ରେସର ଷ୍ଟିଅରିଂ କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ । କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇଥିବା ପତ୍ରରେ ସେ ଦର୍ଶାଇଛନ୍ତି- ଆତ୍ମସମ୍ମାନ ସହ ସାଲିସ୍ କରାଯାଇପାରିବ ନାହିଁ । ସେ କହିଛନ୍ତି ସେ ଦୀର୍ଘକାଳ ଧରି କଂଗ୍ରେସରେ ରହିଆସିଛନ୍ତି ଏବଂ ନିଜର ଅଙ୍ଗୀକାର ସହ ସେ ଦୃଢ଼ ଅଛନ୍ତି । ଇସ୍ତଫା ଦେବା ବ୍ୟତୀତ ତାଙ୍କ ନିକଟରେ ଅନ୍ୟ କୌଣସି ବିକଳ୍ପ ନଥିଲା ।

ଗତ ୧୬ ତାରିଖରେ ଜାମ୍ମୁ ଓ କାଶ୍ମୀର ନିର୍ବାଚନ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ଗୁଲାମ ନବୀ ଆଜାଦ । ଶର୍ମା କହିଛନ୍ତି ପରାମର୍ଶ ପ୍ରକ୍ରିୟାରେ ତାଙ୍କୁ ଅବମାନନା କରାଯାଇଛି । ତେବେ ସେ ରାଜ୍ୟରେ କଂଗ୍ରେସ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ । ଗତ ଏପ୍ରିଲ ୨୬ରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟସଭାରେ କଂଗ୍ରେସର ଉପନେତା ଆନନ୍ଦ ଶର୍ମାଙ୍କୁ ଷ୍ଟିଅରିଂ କମିଟିର ଅଧ୍ୟକ୍ଷ ମନୋନୀତ କରାଯାଇଥିଲା । ଉଭୟ ଆନନ୍ଦ ଓ ଆଜାଦ ଗ୍ରୁପ ୨୩ ନେତା ଭାବେ ଜଣାଶୁଣା । ୧୯୮୪ରେ ଆନନ୍ଦ ଶର୍ମାଙ୍କୁ ରାଜ୍ୟସଭା ଲାଗି ଟିକେଟ ଦେଇଥିଲେ ଇନ୍ଦିରା ଗାନ୍ଧି ।

ଭାରତ କିଣିବ ପ୍ରିଡେଟର୍ସ ଡ୍ରୋନ୍

 ନୂଆଦିଲ୍ଲୀ: ଭାରତ କିଣିବ ପ୍ରିଡେଟର୍ସ ଡ୍ରୋନ୍ । ଆମେରିକା ସହ ଏନେଇ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଆଲୋଚନା । ତିନି ବିଲିୟନ ଡଲାରରେ ଏନେଇ ଚୁକ୍ତି ହୋଇଛି । ଭାରତ ମହାସାଗର ଓ ଏଲଏସିରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜଭୁତ କରିବା ପାଇଁ ଭାରତ ଯୋଜନା କରୁଛି । ଏଥିସହ ଚୀନର ହରକତ ଉପରେ ମଧ୍ୟ ନଜର ରହିବ । ଏହି ଡ୍ରୋନ ବିଭିନ୍ନ କାମରେ ଆସିପାରିବ ।

ଅସ୍ତ୍ରଶସ୍ତ୍ର ପରିବହନ ସହ ଶତ୍ରୁପକ୍ଷ ଉପରେ ତିକ୍ଷ୍ନ ନଜର ରଖିପାରିବ । ଆବଶ୍ୟକ ପଡିଲେ ଆକ୍ରମଣ ମଧ୍ୟ କରିପାରିବ । ଏହା ସହଜରେ ଶତ୍ରୁ ପକ୍ଷଙ୍କ ନଜରରେ ଆସିବ ନାହିଁ । ୩୦ଟି MQ9B ଡ୍ରୋନ୍ କିଣିବା ପାଇଁ ଭାରତ ଚୁକ୍ତି କରିଛି । ଏହି ଡ୍ରୋନ୍ ମାଧ୍ୟମରେ ଅଲକାଏଦା ଆତଙ୍କୀ ଆୟମାନ ଜଓ୍ବାହିରିକୁ ଟାର୍ଗେଟ କରି ମାରିଥିଲା ଆମେରିକା । ପୂର୍ବରୁ ଏହି ଚୁକ୍ତି ରଦ୍ଦ ହୋଇଯାଇଥିଲା ବୋଲି ଚର୍ଚ୍ଚା ହେଉଥିଲା ।

ଖେଳୁଥିବାବେଳେ କୁନି ଝିଅ ଉପରେ ପଡ଼ିଗଲା କାନ୍ଥ, ଚାଲିଗଲା ଜୀବନ

ବାରିପଦା: ଖେଳୁଥିବାବେଳେ ମାଡ଼ି ବସିଲା କାନ୍ଥ । ଅକାଳରେ ଚାଲିଗଲା ନିରୀହ ଝିଅର ଜୀବନ। କୁନି ଝିଅଟି ଖେଳୁଥିବା ବେଳେ କାନ୍ଥ ପଡ଼ି କୁନି ଝିଅର ମୃତ୍ୟୁ ହୋଇଛି।  ମିଳିଥିବା ସୂଚନା ମୁତାବକ ବାରିପଦା ଟାଉନଥାନା ୨୨ ନମ୍ବର ଓ୍ବାର୍ଡ ରଘୁନାଥପୁର ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତକ ହେଲେ ୧୦ବର୍ଷର ଝିଅ ମୁନି ବେହେରା ।

ଅପରାହ୍ନରେ ଘର ବାରଣ୍ଡାରେ ମୁନି ଖେଳୁଥିବାବେଳେ ଘଟିଥିଲା ଏହି ଅଘଟଣ  । ମୁନି ଉପରେ ପଡ଼ିଯାଇଥିଲା କାନ୍ଥ ।  ଗୁରୁତର ଅବସ୍ଥାରେ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର କୁନି ଝିଅ ମୁନିକୁ ମୃତ ଘୋଷଣା କରିଥିଲେ  । ସେପଟେ ଝିଅର ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଆଉ କେତେ କନ୍ଦାଇବ ଧନୁଆଁ, ପାଣି ନୁହେଁ ଆସିଛି ଲୁହର ବନ୍ୟା

ନିମାପଡ଼ା: ନଦୀରେ ବନ୍ୟା ଆସିଲେ, ବୁଡ଼ିଯାଏ ଦୁଇଟି ବ୍ଲକର ଅନେକ ପଞ୍ଚାୟତ । କେବଳ ବଡ଼ ବନ୍ୟା ନୁହେଁ, ପ୍ରତିବର୍ଷ ନଦୀରେ ପାଣି ଆସିଲେ ଲୋକେ ଭୋଗନ୍ତି ନାନା କଷ୍ଟ  । ଏ ଦୁଃଖ ଦିଏ ପୁରୀ ଜିଲ୍ଲା ନିମାପଡ଼ାର ଧନୁଆଁ ନଦୀ । ଗୋପ ଏବଂ ନିମାପଡ଼ା ବ୍ଲକର କିଛି ପଞ୍ଚାୟତର ଲୋକେ ଭୋଗନ୍ତି ଏମିତି ଦୁର୍ଦଶା  ।  ଏହାସହ ବାଲିଅନ୍ତା ଏବଂ ବାଲିପାଟଣା ଅଞ୍ଚଳରେ ମଧ୍ୟ ଅନୁରୂପ ସ୍ଥିତି ଉପୁଜେ  ।  ଚାଷ ଜମିରେ ପାଣି ମାଡିଯାଏ  । ବର୍ଷକର ଫସଲ ପାଣିରେ ନଷ୍ଟ ହୋଇଯାଏ  । ଏମିତିକି ଲୋକେ ଦୀର୍ଘଦିନ ଧରି ବାହ୍ୟ ଜଗତରୁ ବିଛିନ୍ନ ରୁହନ୍ତି  ।

ଏବେ ହିରାକୁଦରୁ ବନ୍ୟା ପାଣି ହ୍ରାସ ଘଟିଛି କିନ୍ତୁ ଗୋପ- ନିମାପଡ଼ାର କିଛି ଅଞ୍ଚଳରେ ବନ୍ୟାଜଳ ବୃଦ୍ଧି ଘଟୁଛି  । ଏହାର ପ୍ରମୁଖ କାରଣ ହେଉଛି ଯେହେତୁ ଧନୁଆ ନଦୀ ବନ୍ୟା ଜଳ ଏବଂ କୁଶଭଦ୍ରାରେ ଭାଙ୍ଗିଥିବା ବନ୍ୟାଜଳର ମିଶ୍ରଣ ହୋଇଛି  । ତେଣୁ ଏହି ଅଞ୍ଚଳରେ ବନ୍ୟାଞ୍ଚଳ ବୃଦ୍ଧି ଘଟିବାରେ ଲାଗିଛି  । ବର୍ତ୍ତମାନ ନିମାପଡା ଓ ଗୋପ ବ୍ଲକର 150ରୁ ଉର୍ଦ୍ଧ୍ୱ ଗାଁ ଜଳବନ୍ଦୀରେ ରହିଛନ୍ତି  । ସମ୍ପୂର୍ଣ୍ଣ ଭାବେ କହିବାକୁ ଗଲେ ସେମାନେ ବାହ୍ୟ ଜଗତରୁ ବିଛିନ୍ନ ରହିଛନ୍ତି  ।

ସୂଚନା ମୁତାବକ ବର୍ତ୍ତମାନ ସୁଦ୍ଧା ନିମାପଡ଼ା ଓ ଗୋପ ବ୍ଲକର ପ୍ରାୟ ୧୮ଟି ପଞ୍ଚାୟତ ପ୍ରଭାବିତ ହୋଇଛି । ବନ୍ୟାର ପ୍ରଭାବରେ ହଜାର ହଜାର ହେକ୍ଟରେ ଚାଷ ଜମିରେ ପାଣି ମାଡ଼ିଛି  । ଫଳରେ ଚଳିତ ବର୍ଷ ହୋଇଥିବା ଧାନ ଫସଲ କ୍ଷତିଗ୍ରସ୍ତ ହୋଇଛି  । ଚାଷକୁ ବେଉସା କରି ବଞ୍ଚୁଥିବା ଏହି ଲୋକମାନଙ୍କ ଚାଷ ଜମିରେ ପାଣି ମାଡିଯାଇଛି  । ଫଳରେ ବର୍ତ୍ତମାନ ସେମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ନାହିଁ  । ତେଣୁ କ୍ଷତିପୂରଣ ଦାବି କରିଛନ୍ତି  ।ସେପଟେ ବନ୍ୟାଜଳ ଛାଡିବା ପରେ ତୁରନ୍ତ କ୍ଷତିପୂରଣ ଆକଳନ କରାଯିବା ସହ ସ୍ୱଳ୍ପ ସମୟରେ ହେଉଥିବା ଧାନ ବିହନ ପ୍ରଦାନ କରାଯିବ ବୋଲି କହିଛନ୍ତି ଗଣଶିକ୍ଷାମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ସମୀର ରଞ୍ଜନ ଦାଶ  ।

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଜୀଅନ୍ତା ପୋଡ଼ିଦେବା ଘଟଣା, ଅଭିଯୁକ୍ତକୁ କୋର୍ଟଚାଲାଣ

ବାଲେଶ୍ୱର: ଏକତରଫା ପ୍ରେମରେ ବିଫଳ ହୋଇ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ କିରୋସିନ ଢାଳି ଜୀଅନ୍ତା ପୋଡ଼ିଦେବା ସହ ଯୁବକ ବିଷ ପିଇବା ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଦୀର୍ଘ 27 ଦିନ ପରେ ଯୁବକକୁ କୋର୍ଟ ଚାଲାଣ କରିଛି ପୋଲିସ । ବାଲେଶ୍ଵର ଜିଲ୍ଲା ଖଇରା ଥାନା ବାରିଙ୍ଗିଆ ଗାଁରେ ଗତ ଜୁଲାଇ ମାସ 24 ତାରିଖରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଜ୍ୟୋତ୍ସ୍ନାରାଣୀ ଜେନାଙ୍କ ଉପରେ କିରୋସିନ ଢାଳି ଜୀଅନ୍ତା ପୋଡ଼ି ଦିଆଯାଇଥିଲା ।

ମିଳିଥିବା ସୂଚନା ମୁତାବକ ଜ୍ୟୋତ୍ସ୍ନାରାଣୀଙ୍କୁ ସେହି ଗାଁର ଦୟାନିଧି ଜେନା ଏକତରଫା ପ୍ରେମ କରୁଥିଲେ । ଯାହାକୁ ପ୍ରତ୍ୟାଖ୍ୟାନ କରିଥିଲେ ଜ୍ୟୋତ୍ସ୍ନାରାଣୀ । ଜୁଲାଇ 24 ତାରିଖରେ ଜ୍ୟୋତ୍ସ୍ନାରାଣୀ ପାଇଖାନା ଯାଇଥିବା ବେଳେ ଦୟାନିଧି ତାଙ୍କ ମୁଁହରେ ଲୁଗା ଦେଇ ତାଙ୍କ ମଥାର ଚୁଟି କାଟିଦେବା ସହିତ କିରୋସିନ ଢାଳି ନିଆଁ ଲଗାଇଦେଇଥିଲା । ଜ୍ୟୋତ୍ସ୍ନାରାଣୀ ଚିତ୍କାର କରିବାରୁ ପଡ଼ୋଶୀମାନେ ଆସି ଉଦ୍ଧାର କରିଥିଲେ ।

କିନ୍ତୁ ଉଦ୍ଧାର ବେଳକୁ ଜ୍ୟୋତ୍ସ୍ୱାରାଣୀଙ୍କର ମୃତ୍ୟୁ ହୋଇସାରିଥିଲା । ପରେ ହତ୍ୟା ଅଭିଯୁକ୍ତ ଦୟାନିଧି ନିଜେ ବିଷ ପିଇ ଦେଇଥିଲା ।ପୋଲିସ ସହଯୋଗରେ ତାକୁ ପ୍ରଥମେ ବାଲେଶ୍ଵର ଓ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଦୀର୍ଘ 27 ଦିନ ପରେ ଦୟାନିଧିକୁ କୋର୍ଟ ଚାଲାଣ କରାଯାଇଛି ।

ପାଣି ଛାଡିନି ପୁଣି ଆସୁଛି ବର୍ଷା, ଦିନକ ପରେ ସାରା ରାଜ୍ୟରେ ଛେଚିବ

ଭୁବନେଶ୍ୱର: ପୁଣି ଆସୁଛି ବର୍ଷା । ଦିନକ ପରେ ସାରା ରାଜ୍ୟରେ ପୁଣି ଛେଚିବ । ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଆସନ୍ତା ୨୩ରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉପକୂଳ, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ । ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି ।

୨୩ତାରଖରେ ବାଲେଶ୍ବର, କେନ୍ଦୁଝର ଓ ମୟୂରଭଞ୍ଜକୁ ୟେଲୋ ଆଲର୍ଟ ଜାରି ହୋଇଛି । ୨୪ରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଂଜାମ , ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ ଓ ରାୟଗଡାକୁ ସତର୍କତା ଜାରି ହୋଇଛି । ସେହିପରି ୨୫ତାରିଖରେ ବଜ୍ରପାତ ସହିତ ବର୍ଷା ନେଇ ୧୪ଜିଲ୍ଲାକୁ ସତର୍କ କରାଯାଇଛି ।

ବାଲେଶ୍ବରକୁ ବନ୍ୟା ଆଶଙ୍କା, ଜିଲ୍ଲାପାଳଙ୍କୁ ଏସଆରସି କ୍ଷମତା

ଭୁବନେଶ୍ୱର: ବାଲେଶ୍ବର ଜିଲ୍ଲାପାଳଙ୍କୁ ଏସଆରସି କ୍ଷମତା ଦେଲେ ମୁଖ୍ୟମନ୍ତ୍ରୀ । ସୁବର୍ଣ୍ଣରେଖାରେ ବଡ଼ ବନ୍ୟା ଆଶଙ୍କା ଥିବାରୁ ଦଆଯାଇଛି ଏହି ସ୍ବତନ୍ତ୍ର କ୍ଷମତା । ବନ୍ୟା ଭଳି ଜରୁରୀ ପରିସ୍ଥିତିର ପରିଚାଳନା ପାଇଁ ବାଲେଶ୍ବର ଜିଲ୍ଲାପାଳଙ୍କୁ ଦିଆଯାଇଛି ଏସଆରସି କ୍ଷମତା । ଆଗାମୀ ଦିନରେ ବାଲେଶ୍ୱରରେ ବନ୍ୟା ସ୍ଥିତି ଜଟିଳ ହୋଇପାରେ  । ଗୋଟେପଟେ ହିରାକୁଦରୁ ପାଣିକମିଥିବା ବେଳେ ସୁବର୍ଣ୍ଣରେଖା ଫୁଲିବାରେ ଲାଗିଛି  ।

ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନଜରରେ ରଖି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏହି କ୍ଷମତା ପ୍ରଦାନ କରାଯାଇଛି । ଏମିତିକି ଯଦି ଜରୁରୀକାଳିନ ସ୍ଥିତିର ଉଦ୍ଧାରକାର୍ଯ୍ୟ ପାଇଁ  ହେଲିକପ୍ଟର ଆବଶ୍ୟକ ପଡ଼େ, ତେବେ ହେଲିକପ୍ଟର  ଯୋଗାଇ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ  ।

ଏହି କ୍ଷମତା ସମସ୍ତଙ୍କୁ ମିଳିନଥାଏ   । କିନ୍ତୁ ଆଗାମୀ ଦିନରେ ବାଲେଶ୍ୱର ଜିଲ୍ଲାରେ ବଡ଼ ବନ୍ୟା ହେବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଫୋକସରେ ରଖିଛନ୍ତି  । ତେଣୁ ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନର କ୍ଷମତା ପ୍ରଦାନ କରିଛନ୍ତି  ।