spot_img
Home Blog Page 408

ଓଡ଼ିଶାରୁ ପଳାଇଲା କି ଆଉ ଏକ କମ୍ପାନୀ ?

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାରୁ ପୁଣି ଏକ ଶିଳ୍ପ ସଂସ୍ଥା ମୁହଁ ଫେରାଇଥିବାର ଚର୍ଚ୍ଚା ଜୋର ଧରିଲାଣି। ନବୀନ ପଟ୍ଟନାୟକ ସରକାର ସମୟରେ ଚୁକ୍ତି ହୋଇଥିବା ସେମିକଣ୍ଡକ୍ଟର୍ କମ୍ପାନି ଆନ୍ଧ୍ର ପ୍ରଦେଶ ଚାଲିଯାଇଥିବା ସନ୍ଦେହ ଉପୁଜିବା ପରେ ବିବାଦ ମୁଣ୍ଡ ଟେକିଛି। ବାରମ୍ବାର ଶିଳ୍ପ ସଂସ୍ଥା ଓଡ଼ିଶାରୁ ମୁହଁ ଫେରାଉଥିବାରୁ ସରକାରଙ୍କ ଶିଳ୍ପ ନୀତିକୁ ନେଇ ପ୍ରଶ୍ନ ଉଠିଲାଣି। କାରଣ ୟୁକେର କମ୍ପାନୀ ଏସ୍ଆରଏଏମ୍ ଆଣ୍ଡ୍ ଏମ୍ଆରଏଏମ୍ ଆନ୍ଧ୍ର ପ୍ରଦେଶ ସରକାରଙ୍କ ସହ ବି ଚୁକ୍ତି କଲେଣି।

ଓଡ଼ିଶା ସହ ୟୁକେର କମ୍ପାନୀ SRAM ଆଣ୍ଡ୍ MRAM କମ୍ପାନୀ ସେମିକଣ୍ଡକ୍ଟର ଶିଳ୍ପ ପାଇଁ ଚୁକ୍ତିନାମା ସ୍ବାକ୍ଷର କରିଥିଲା। ୨୦୨୩ ମାର୍ଚ୍ଚ ୨୯ ତାରିଖରେ ଏ ନେଇ ତତ୍କାଳୀନ ନବୀନ ପଟ୍ଟନାୟକ ସରକାରଙ୍କ ସହ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଥିଲା। କମ୍ପାନୀ ପ୍ରତିଷ୍ଠା ଗଂଜାମ ଜିଲ୍ଲା ଛତ୍ରପୁର ପାଖରେ ଚିହ୍ନଟ ହୋଇଥିଲା ୮୦୦ ଏକର ଜମି। ୧୬ ନମ୍ବର ଜାତୀୟ ରାଜପଥ ଯାଇଥିବାରୁ, ପାଖରେ ଗୋପାଳପୁର ବନ୍ଦର ଓ ରଙ୍ଗେଇଲୁଣ୍ଡା ବିମାନବନ୍ଦର ଥିବାରୁ ସୁବିଧା ହେବ ବୋଲି ଏହି ସ୍ଥାନ ଚିହ୍ନଟ ହୋଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ୩୦ହଜାର କୋଟି ନିବେଶ କରିବାକୁ କମ୍ପାନୀ ପକ୍ଷରୁ ପ୍ରତିଶୃତି ଦିଆଯାଇଥିଲା। ୨୦୨୫ ସୁଦ୍ଧା କାମ ଆରମ୍ଭ କରିବାର ଯୋଜନା ଥିଲା। ହେଲେ ସେହି କମ୍ପାନୀ ଛୁ ମାରିବାକୁ ବସିଥିବାର ସନ୍ଦେହ ଉପୁଜିଲାଣି। କାରଣ ଛତ୍ରପୁରରେ କାମ ତ ଆରମ୍ଭ ହୋଇନି, ସେପଟେ ସେହି କମ୍ପାନି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କ ସହ ସଂସ୍ଥା ଚୁକ୍ତିନାମା ସ୍ବାକ୍ଷର କରିଛି।

ଅମରାବତୀରେ ସେମିକଣ୍ଡକ୍ଟର୍ ଶିଳ୍ପ କରିବାକୁ ୨୫ହଜାର କୋଟି ନିବେଶ କରିବ SRAM ଆଣ୍ଡ୍  MRAM । ଏହା ଆଉ ଏକ ଚୁକ୍ତିନାମା ନା ସଂପୃକ୍ତ କମ୍ପାନୀ ଓଡ଼ିଶା ଛାଡ଼ିଲା, ତାହା SRAM ଆଣ୍ଡ୍ MRAM ସ୍ପଷ୍ଟ କରିନି। ହେଲେ ବାରମ୍ବାର ବିଭିନ୍ନ କମ୍ପାନୀ ଓଡ଼ିଶା ଛାଡ଼ିବାକୁ ଯୋଜନା କରୁଥିବାରୁ ପ୍ରଶ୍ନ କରିଛନ୍ତି ବିରୋଧୀ। କମ୍ପାନୀ ଫେରିଯିବା ଖବର ଆସୁଥିବା ବେଳେ ସରକାର କିପରି ଓଡ଼ିଶାକୁ ସେମିକଣ୍ଡକ୍ଟର ହବ୍ କରିବେ ବୋଲି ପ୍ରଶ୍ନ କରିଛି ବିଜେଡି। ନବୀନ ପଟ୍ଟନାୟକଙ୍କ ସମୟରେ ଭିତ୍ତିଭୂମି ଓ ଶାନ୍ତିର ବାତାବରଣ ଦେଖି ନିବେଶକ ଓଡ଼ିଶାମୁହାଁ ହେଉଥିଲେ। ହେଲେ ବିଜେପି ସରକାର ସମୟରେ ଓଡ଼ିଶାକୁ ନିବେଶକ ନିରାପଦ ମନେ କରୁ ନଥିବାରୁ ଫେରି ଯାଉଥିବା ବିଜେଡି ଅଭିଯୋଗ କରିଛି। କଂଗ୍ରେସ ଅଭିଯୋଗ କରିଛି, ସରକାର କେବଳ ଭାଷଣବାଜିରେ ସୀମିତ। ଦୃଢ଼ ଭାବେ ଓଡ଼ିଶା ପାଇଁ ଦାବି କରିବାକୁ ସକ୍ଷମ ହେଉ ନାହାନ୍ତି। …

SRAM ଆଣ୍ଡ MRAM ଓଡ଼ିଶା ଛାଡ଼ିବ ନା ନାହିଁ, ସେ ନେଇ ରାଜ୍ୟ ସରକାରଙ୍କ ପାଖରେ ଖବର ନାହିଁ। ସେମିକଣ୍ଡକ୍ଟର୍ ଶିଳ୍ପକୁ ଗୁରୁତ୍ଵ ଦେଉଛନ୍ତି ସରକାର। ଓଡ଼ିଶାକୁ ଦୁଇଟି ନୂଆ କମ୍ପାନୀ ଆସୁଥିବା ସଫେଇ ଦେଇଛନ୍ତି। ଦୁର୍ଗା ପୂଜା ସମୟରେ ଗୋଟାଏ କମ୍ପାନୀର ଭିତ୍ତିପ୍ରସ୍ତର ସ୍ଥାପନ ହେବ। ହେଲେ ଅନ୍ୟ କମ୍ପାନୀ କି SRAM ଆଣ୍ଡ୍ MRAM ଏ ନେଇ କୌଣସି ସ୍ପଷ୍ଟ ସନ୍ତୋଷଜନକ ଉତ୍ତର ଦେଇ ନାହାନ୍ତି ଆଇଟି ମନ୍ତ୍ରୀ।

ପୂର୍ବରୁ ଜେଏସଡବ୍ଲୁ ଇଭି ଓଡ଼ିଶା ଛାଡ଼ିଛି। ଆର୍ସେଲର ମିତ୍ତର ଷ୍ଟିଲ ପ୍ଲାଣ୍ଟ ଓ ଓ୍ବାରି ସୋଲାର ପ୍ରକଳ୍ପ ବି ଆନ୍ଧ୍ରମୁହାଁ ହୋଇଥିଲେ। ବିଜେପି ସରକାର ଅମଳରେ ନିବେଶକଙ୍କୁ ସୁହାଇବା ପରି ବାତାବରଣ କରାଯାଉଥିବାର ଡିଣ୍ଡିମ ପିଟାଯାଉଛି। ହେଲେ ନିବେଶକମାନେ ଓଡ଼ିଶା ଛାଡ଼ୁଥିବାରୁ ପ୍ରାଶାସନିକ ସଙ୍କଟ ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରିଛି।

ଓଡ଼ିଶାର କଂସା ଶିଳ୍ପ ଐତିହ୍ୟଉପରେ ରଚିତ ଗବେଷଣାତ୍ମକ ପୁସ୍ତକମାନ୍ୟବର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଦ୍ବାରା ଉନ୍ମୋଚିତ

ଭୁବନେଶ୍ବର : ଏମଜିଏମ୍ ଫାଉଣ୍ଡେସନ୍ ଏବଂ ଭୁବନେଶ୍ୱର ଏକ୍ସପେରିମେଣ୍ଟାଲ୍ ଆର୍ଟ ଆଣ୍ଡ୍ ଡିଜାଇନ୍ ଷ୍ଟୁଡିଓ (ବିଇଏଡ଼ିଏସ୍‌) , ପକ୍ଷରୁ ପ୍ରସ୍ତୁତ“କଂସା : ପରମ୍ପରା ଗଠନ, ଭବିଷ୍ୟତରୂପରେଖ ” ନାମକ ଏକ ଗବେଷଣାତ୍ମକ ପୁସ୍ତକ ଆଜିଓଡିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି, ଯାହା ଓଡ଼ିଶାର ସମୃଦ୍ଧ କଂସା ଶିଳ୍ପ ଐତିହ୍ୟକୁ ପ୍ରଦର୍ଶିତ କରୁଛି ।ଏହି ପୁସ୍ତକ, ଓଡ଼ିଶା କ୍ରାଫ୍ଟ ଓଡିସି (ଓସିଓ ) ଫେଲୋସିପ୍ କାର୍ଯ୍ୟକ୍ରମ ୨୦୨୪ -୨୫  ଦ୍ୱାରା ପରିଚାଳିତ ଗଭୀରଗବେଷଣାକୁ ପ୍ରତିପାଦିତ କରିଛି । ପୁସ୍ତକ ଉନ୍ମୋଚନ ଉତ୍ସବରେ ଧରିତ୍ରୀର ସମ୍ପାଦକ ତଥାଗତ ସତପଥୀ, ଏମଜିଏମର ପରିଚାଳନା ନିର୍ଦ୍ଦଶକ ପଙ୍କଜ ଲୋଚନ ମହାନ୍ତି ଉପସ୍ଥିତ ରହି କଂସା ଧାତୁର ସଂରକ୍ଷଣ ଦିଗରେ ଏଭଳି ପ୍ରୟାସକୁ ଉଚ୍ଚ ପ୍ରଶଂସା କରିବା ସହିତ କାରିଗରମାନଙ୍କୁ ସମ୍ମାନିତ କରିଥିଲେ ।

ଇଂରାଜୀ ଓ ଓଡ଼ିଆ ଉଭୟ ଭାଷାରେ ଉପଲବ୍ଧ ଏହି ପୁସ୍ତକରେଓଡ଼ିଶାର ୧୮ଟି ଗ୍ରାମର କଂସା (କାଉଁଡ଼ି ଧାତୁ) ଶିଳ୍ପର ଜୀବନ୍ତ ପରମ୍ପରାକୁ ବର୍ଣ୍ଣନା କରୁଛି, ଯାହା ଗବେଷକ ଓ ଫେଲୋମାନଙ୍କ ଏକ ଉତ୍ସର୍ଗୀକୃତ ଦଳ ଦ୍ୱାରା ପାଞ୍ଚ ମାସର ବ୍ୟାପକ କ୍ଷେତ୍ର କାର୍ଯ୍ୟ ଉପରେ ଆଧାରିତ ।

ଓସିଓ ଫେଲୋସିପ୍ କାର୍ଯ୍ୟକ୍ରମ ୨୦୨୪ -୨୫ ଏକ ବହୁବିଷୟକ ଦଳକୁ ଏକତ୍ରିତ କରିଛି ଯେଉଁଥିରେ ଅନ୍ତର୍ଭୁକ୍ତ ଅଛନ୍ତି ଗବେଷଣା ଫେଲୋ  ଵିଲାଶ ସର୍ଦାର ଓ ସତ୍ୟଭାମା ମାଝୀ, ଆର୍କାଇଭିଷ୍ଟ ଫେଲୋ କୀର୍ତ୍ତି କୁମାରୀ, ଶିବଦାସ୍ ସେନ୍ ଗୁପ୍ତଙ୍କ ବିଶେଷଜ୍ଞ କ୍ୟୁରେସନ ଅଧୀନରେ ଏହା କରାଯାଇଛି । ସେମାନଙ୍କର ସମ୍ପୂର୍ଣ୍ଣ ଗବେଷଣା ଓଡ଼ିଶାର କଂସା ଶିଳ୍ପ ପରମ୍ପରାର ସବୁଠାରୁ ବ୍ୟାପକ ସମସାମୟିକ ଦସ୍ତାବେଜୀକରଣ ସୃଷ୍ଟି କରିଛି ।

ଏହି ପ୍ରକାଶନ ଉତ୍ସର୍ଗୀକୃତ ପ୍ରୟାସରୁ ଉତ୍ପନ୍ନ ଓ କେବଳ ଏକ ପୁସ୍ତକଠାରୁ ଅଧିକ କିଛି ପ୍ରତିନିଧିତ୍ୱ କରୁଛିଏହା ଏକ ସାଂସ୍କୃତିକ ନିଶ୍ଚିତତା, ହସ୍ତଶିଳ୍ପର ଚିରସ୍ଥାୟୀ ପ୍ରାସଙ୍ଗିକତା ଉପରେ ଏକ ସୂକ୍ଷ୍ମ ପ୍ରତିଫଳନ,” ବିଶିଷ୍ଟ କଳାକାର ଓ କ୍ୟୁରେଟର ବୋଷ କୃଷ୍ଣମାଚାରୀ ଏହାକୁ ରଚନା କରିଛନ୍ତି । ଏହି ପୁସ୍ତକ କେବଳ କଂସା ତିଆରିର ଜଟିଳ ବୈଷୟିକ ପ୍ରକ୍ରିୟାକୁ ନୁହଁ, ବରଂ ଶିଳ୍ପର ବ୍ୟାପକ ସାମାଜିକ-ସାଂସ୍କୃତିକ ପ୍ରସଙ୍ଗକୁ ମଧ୍ୟ ଆଲୋକପାତ କରୁଛି । ଏହି ଦସ୍ତାବିଜ଼ୀକରଣରେ ପାରମ୍ପରିକ କୌଶଳ, ଦେଶଜ ଶବ୍ଦକୋଷ, ସାଂସ୍କୃତିକ ମହତ୍ତ୍ୱ, ଅନୁଗୁଳ, ବରଗଡ଼, କଟକ, ଢେଙ୍କାନାଳ, ଯାଜପୁର, ଖୋର୍ଦ୍ଧା, ନୟାଗଡ଼, ଓ ଗଞ୍ଜାମ ସମେତ ବିଭିନ୍ନ ଜିଲ୍ଲାର କାରିଗର ସମ୍ପ୍ରଦାୟଗୁଡ଼ିକର ସମସାମୟିକ ଆହ୍ୱାନଗୁଡ଼ିକୁ ଅନ୍ତର୍ଭୁକ୍ତ କରିଛି ।

ପୁସ୍ତକ ଉନ୍ମୋଚନ ଉତ୍ସବରେ ଏହି ଚିରକାଳୀନ ପରମ୍ପରାକୁ ବଜାୟ ରଖିବା ଓ ନବୀକରଣ କରୁଥିବା ମାଷ୍ଟର କାରିଗରମାନଙ୍କୁ ସମ୍ମାନିତ କରାଯାଇଛି । ଏହି ସ୍ୱୀକୃତି ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ସଂରକ୍ଷଣରେ କାରିଗରମାନେ ପାଳନ କରୁଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଗୁରୁତ୍ୱ ଦେଉଛି ।

ଏହି ପ୍ରକାଶନ ଓଡ଼ିଶାର ବିବିଧ ଶିଳ୍ପ ପରମ୍ପରାକୁ ଦସ୍ତାବିଜ଼ କରିବା ଓ ପାଳନ କରିବା ପାଇଁ ବିଶିଷ୍ଟ କ୍ୟୁରେଟର ପ୍ରେମଜିଶ୍ ଆଚାରିଙ୍କ ଦ୍ୱାରା ଧାରଣା କରାଯାଇଥିବା ଅଭିଲାଷୀ ପଦକ୍ଷେପ ଓଡ଼ିଶା କ୍ରାଫ୍ଟ ଓଡିସି (ଓସିଓ) ର ପ୍ରଥମ ପ୍ରମୁଖ ଫଳାଫଳକୁ ଚିହ୍ନିତ କରୁଛି । ରାଜ୍ୟ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଅନୁଯାୟୀ, ଓଡ଼ିଶାରେ ୩୦ରୁ ଅଧିକ ବିଭିନ୍ନ ଶିଳ୍ପ ରହିଛି, ପ୍ରତ୍ୟେକ ଅନନ୍ୟ ପରମ୍ପରା ଓ ସାଂସ୍କୃତିକ ମହତ୍ତ୍ୱ ସହିତ ଯଡିତ ।

ଏମ୍ ଜି ଏମ୍ ଫାଉଣ୍ଡେସନ୍, ଏମ୍ ଜି ଏମ୍ ଗ୍ରୁପ ଓଡ଼ିଶାର ସାମାଜିକ ରୂପାନ୍ତରଣ ବିଭାଗ, ସ୍ୱାସ୍ଥ୍ୟସେବା, ଶିକ୍ଷା, କଳା, କ୍ରୀଡା, ଓ ଗ୍ରାମୀଣ ବିକାଶରେ ବ୍ୟାପକ ପଦକ୍ଷେପ ମାଧ୍ୟମରେ ସମାବେଶୀ ବୃଦ୍ଧି ଓ ସମ୍ପ୍ରଦାୟ ଉନ୍ନତି ପ୍ରୋତ୍ସାହନ କରୁଛି ।ଭୁବନେଶ୍ୱର ଏକ୍ସପେରିମେଣ୍ଟାଲ୍ ଆର୍ଟ ଆଣ୍ଡ୍ ଡିଜାଇନ୍ ଷ୍ଟୁଡିଓ (ବିଇଏଡ଼ିଏସ୍‌) ଏକ ଡିଜାଇନ ଷ୍ଟୁଡିଓ ଯାହା ଓଡ଼ିଆ ଶିଳ୍ପ ଓ କାହାଣୀ ଉପରେ ଧ୍ୟାନ ଦେଇ ଅନନ୍ୟ କଳାକାର ରେସିଡେନ୍ସି କାର୍ଯ୍ୟକ୍ରମ ଆୟୋଜନା କରୁଥିବା ସମୟରେ ନୃଗୋଷ୍ଠୀ-ପ୍ରେରିତ, ପରିବେଶ-ଅନୁକୂଳ ଉତ୍ପାଦ ସୃଷ୍ଟି କରୁଛି ।

ଏହି ଗବେଷଣାତ୍ମକ ପୁସ୍ତକ  ଗବେଷକ, ନୀତି ନିର୍ମାତା, କାରିଗର, ଓ ସାଂସ୍କୃତିକ ଉତ୍ସାହୀମାନଙ୍କ ପାଇଁ ଏକ ମୂଲ୍ୟବାନ ସମ୍ପଦ ଭାବରେ ସେବା କରିବ ବୋଲି ଆଶା କରାଯାଉଛି । ଏହି ଦସ୍ତାବେଜୀକରଣ ସ୍ଥାନୀୟ ଓ ବିଶ୍ୱବ୍ୟାପୀ ଉଭୟ ସ୍ତରରେ ଓଡ଼ିଶାର ଶିଳ୍ପ ଐତିହ୍ୟ ବିଷୟରେ ସଚେତନତା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖୁଛି, ଯାହା ଏହି ପ୍ରାଚୀନ ପରମ୍ପରାଗୁଡ଼ିକର ସଂରକ୍ଷଣ ଓ ପୁନର୍ଜୀବନରେ ଅବଦାନ ରଖିବ ଅୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ଏହି ପୁସ୍ତକ କାରିଗର ସମ୍ପ୍ରଦାୟଗୁଡ଼ିକୁ ସେମାନଙ୍କର କୌଶଳ ଓ କାହାଣୀ ପ୍ରଦର୍ଶନ ପାଇଁ ଏକ ମଞ୍ଚ ପ୍ରଦାନ କରି ସଶକ୍ତିକରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ପ୍ରତିନିଧିତ୍ୱ କରୁଛି, ଯାହା ସମ୍ଭାବ୍ୟ ଭାବରେ ସେମାନଙ୍କର ଅର୍ଥନୈତିକ ଓ ସାମାଜିକ ବିକାଶ ପାଇଁ ନୂତନ ପଥ ଖୋଲିବାରେ ସହାୟକ ହେବ ।

କର୍କଟ ରୋଗ, ନା ହୃଦରୋଗ? ଭାରତରେ କେଉଁ କାରଣରୁ ସର୍ବାଧିକ ମୃତ୍ୟୁ ହୁଏ?

ନନ୍ଦିଘୋଷ ବ୍ୟୁରୋ: ଭାରତରେ ମୃତ୍ୟୁର ପ୍ରମୁଖ କାରଣ ଉପରେ ପ୍ରକାଶିତ ନୂତନ ରିପୋର୍ଟ ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ଏକ ଗମ୍ଭୀର ପରିସ୍ଥିତି ଆଣିଛି। ଭାରତର ରେଜିଷ୍ଟ୍ରାର ଜେନେରାଲଙ୍କ ରିପୋର୍ଟ ଅନୁଯାୟୀ, ହୃଦରୋଗ ଏବେ ମୃତ୍ୟୁର ସବୁଠାରୁ ବଡ଼ କାରଣ ପାଲଟିଛି, ଯେତେବେଳେ ଶ୍ୱାସକ୍ରିୟା ସଂକ୍ରମଣ ଏବଂ କର୍କଟ ଏହାର ପଛରେ ରହିଛି। ଏହି ସଂଖ୍ୟାଗୁଡ଼ିକ ଦର୍ଶାଉଛି ଯେ ଦେଶରେ ଏବେ ସ୍ୱାସ୍ଥ୍ୟ ନୀତିଗୁଡ଼ିକୁ କେଉଁ ଦିଗରେ ନେବା ଆବଶ୍ୟକ।

ରିପୋର୍ଟ ଅନୁଯାୟୀ, ଶ୍ୱାସକ୍ରିୟା ସଂକ୍ରମଣ, ଗର୍ଭାବସ୍ଥା ସମସ୍ୟା କିମ୍ବା ପୁଷ୍ଟିକର ଖାଦ୍ୟ ସମ୍ବନ୍ଧୀୟ ରୋଗ ଭଳି ସଂକ୍ରାମକ ରୋଗ ଏବେ ବି ରହିଛି, କିନ୍ତୁ ସେମାନଙ୍କର ଅଂଶ ହ୍ରାସ ପାଉଛି। ସେହିପରି ହୃଦରୋଗ, ମଧୁମେହ, କର୍କଟ ଏବଂ ଷ୍ଟ୍ରୋକ୍ ଭଳି ଅଣ-ସଂକ୍ରାମକ ରୋଗ (NCD) ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ମୃତ୍ୟୁରେ ସେମାନଙ୍କର ଅବଦାନ ଏବେ ଅଧାରୁ ଅଧିକ। ଏହି ପରିବର୍ତ୍ତନ ଭାରତ ସମ୍ମୁଖରେ ଏକ ନୂତନ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏପରି ପରିସ୍ଥିତିରେ, ଆସନ୍ତୁ ଜାଣିବା ଅଣ-ସଂକ୍ରାମକ ରୋଗ କାହିଁକି ନିରନ୍ତର ବୃଦ୍ଧି ପାଉଛି।

ଭାରତରେ କେଉଁ ରୋଗ ଯୋଗୁଁ କେତେ ମୃତ୍ୟୁ ହୁଏ?

ରିପୋର୍ଟରେ ରେକର୍ଡ ହୋଇଥିବା ତଥ୍ୟ ଅନୁଯାୟୀ, ମୋଟ ମୃତ୍ୟୁର ୩୧% ପାଇଁ ହୃଦରୋଗ ଦାୟୀ। ଏହା ପରେ, ୯.୩% ମାମଲାରେ ଶ୍ୱାସକ୍ରିୟା ସଂକ୍ରମଣ ଏବଂ ୬.୪% ମାମଲାରେ କର୍କଟ ଦାୟୀ ବୋଲି ଜଣାପଡିଥିଲା। ସେହି ସମୟରେ, ଦୀର୍ଘକାଳୀନ ଶ୍ୱାସକ୍ରିୟା ରୋଗ ୫.୭%, ପାଚନ ରୋଗ ୫.୩%, ଅସ୍ପଷ୍ଟ ଜ୍ୱର ୪.୯%, ଅଜଣା ଦୁର୍ଘଟଣା ୩.୭%, ମଧୁମେହ ୩.୫% ଏବଂ ବୃକକ୍/ମୁତ୍ର ରୋଗ ୩% ମୃତ୍ୟୁର କାରଣ ଥିଲା। ଏହି ସଂଖ୍ୟାରୁ ସ୍ପଷ୍ଟ ଯେ ଭାରତରେ ମୃତ୍ୟୁର ଗ୍ରାଫ୍ ଆଉ କେବଳ ସଂକ୍ରାମକ ରୋଗ ଉପରେ କେନ୍ଦ୍ରିତ ନୁହେଁ। ଯଦି ଆମେ ବୟସ ଅନୁସାରେ ପରିସ୍ଥିତିକୁ ଦେଖିବା, ତେବେ ପରିସ୍ଥିତି ଆହୁରି ସ୍ପଷ୍ଟ ହୋଇଯାଏ।

୩୦ ବର୍ଷରୁ ଅଧିକ ବୟସର ଲୋକଙ୍କ ମଧ୍ୟରେ ମୃତ୍ୟୁର ସବୁଠାରୁ ବଡ଼ କାରଣ ହେଉଛି ହୃଦରୋଗ, ଯାହା ସିଧାସଳଖ ଖରାପ ଜୀବନଶୈଳୀ ସହିତ ଜଡିତ। ସେହିପରି, ୧୫ ରୁ ୨୯ ବର୍ଷ ବୟସର ଯୁବକମାନଙ୍କ ମଧ୍ୟରେ ମୃତ୍ୟୁର ମୁଖ୍ୟ କାରଣ ହେଉଛି ଆତ୍ମହତ୍ୟା। ଏହି ତଥ୍ୟ ସୂଚାଇ ଦିଏ ଯେ ବୟସ୍କମାନେ ହୃଦରୋଗ ସହିତ ସଂଘର୍ଷ କରୁଥିବା ବେଳେ, ଯୁବପିଢ଼ିଙ୍କ ମଧ୍ୟରେ ମାନସିକ ସ୍ୱାସ୍ଥ୍ୟ ଏବଂ ସାମାଜିକ ଚାପ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି।

ଅଣସଂକ୍ରମିତ ରୋଗ କାହିଁକି ବୃଦ୍ଧି ପାଉଛି?

ଅଣ-ସଂକ୍ରମିତ ରୋଗ (NCDs) ଅର୍ଥାତ୍ ହୃଦରୋଗ, କର୍କଟ, ମଧୁମେହ ଏବଂ ଷ୍ଟ୍ରୋକ୍ ଭଳି ରୋଗ ଆଜି ଭାରତରେ ମୃତ୍ୟୁର ସବୁଠାରୁ ବଡ଼ କାରଣ ପାଲଟିଛି। ସେମାନଙ୍କର ବୃଦ୍ଧି ପାଉଥିବା ଗତି ଅନେକ ସାମାଜିକ ଏବଂ ଜୀବନଶୈଳୀ ସମ୍ବନ୍ଧୀୟ କାରଣର ପରିଣାମ। ପ୍ରଥମ କାରଣ ହେଉଛି ଅସ୍ୱାସ୍ଥ୍ୟକର ଖାଦ୍ୟପେୟ ଅଭ୍ୟାସ। ତେଲିଆ ଖାଦ୍ୟ, ଜଙ୍କଫୁଡ୍ ଏବଂ ଅଧିକ ଲୁଣ ଏବଂ ଚିନି ସେବନ ହୃଦୟ ଏବଂ ମଧୁମେହ ଭଳି ରୋଗକୁ ଜନ୍ମ ଦେଉଛି। ଦ୍ୱିତୀୟ କାରଣ ହେଉଛି ଶାରୀରିକ କାର୍ଯ୍ୟକଳାପର ଅଭାବ। ସହରାଞ୍ଚଳ ଜୀବନ ଯୋଗୁଁ ଲୋକମାନେ ବସି ରହି ପ୍ରତିଦିନ ବ୍ୟାୟାମ କରିପାରନ୍ତି ନାହିଁ।

ଦ୍ରୁତ ଜୀବନଶୈଳୀ, ଚାକିରି ଚାପ ଏବଂ ଅସ୍ଥିର ସାମାଜିକ ପରିବେଶ ଅନେକ ରୋଗ ସୃଷ୍ଟି କରୁଛି। ଏଗୁଡ଼ିକ ହୃଦରୋଗ ଏବଂ ଆତ୍ମହତ୍ୟାର ମାମଲା ମଧ୍ୟ ବୃଦ୍ଧି କରୁଛି। ଧୂମପାନ, ମଦ୍ୟପାନ ଏବଂ ପ୍ରଦୂଷଣ ମଧ୍ୟ ଏହି ରୋଗଗୁଡ଼ିକୁ ପ୍ରୋତ୍ସାହିତ କରେ। ତେଣୁ, ଭାରତକୁ ଏବେ ଜୀବନଶୈଳୀ ଉନ୍ନତି, ସଚେତନତା ଏବଂ ନିବାରଣ ଉପରେ ଧ୍ୟାନ ଦେବାକୁ ପଡିବ।

ନିଜକୁ କିପରି ସୁରକ୍ଷିତ ରଖିବେ?

ସମୟ ସମୟରେ ସ୍ୱାସ୍ଥ୍ୟ ପରୀକ୍ଷା କରାନ୍ତୁ, ଯେପରିକି ହୃଦ୍‌ରୋଗ, ମଧୁମେହ ଏବଂ କର୍କଟ ରୋଗର ପ୍ରାରମ୍ଭିକ ଚିହ୍ନଟ।

ସୁସ୍ଥ ଖାଦ୍ୟ ଗ୍ରହଣ କରନ୍ତୁ ଏବଂ ପ୍ରତିଦିନ ବ୍ୟାୟାମ ଏବଂ ଯୋଗ କରନ୍ତୁ।

ଆପଣଙ୍କ ମାନସିକ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ, ଆବଶ୍ୟକ ହେଲେ ପରାମର୍ଶ କିମ୍ବା ହେଲ୍ପଲାଇନ୍ ବ୍ୟବହାର କରନ୍ତୁ ।

ଧୂମପାନ ଏବଂ ମଦ୍ୟପାନ ଭଳି ଅଭ୍ୟାସରୁ ଦୂରରେ ରୁହନ୍ତୁ ।

ଘର ଏବଂ ଆଖପାଖ ପରିଷ୍କାର  ରଖନ୍ତୁ ।

 

ଏମିତି ପ୍ରେମିକ କାହାକୁ ନମିଳୁ, ଯୋଜନାବଦ୍ଧ ଭାବେ ହତ୍ଯା …

ନନ୍ଦିଘୋଷ ବ୍ୟୁରୋ: ପ୍ରେମିକ ସାଜିଲା ହତ୍ଯାକାରୀ । ବିଶ୍ବାସରେ ବିଶ ଦେଇ ତଣ୍ଟିଚିପି ମାରି ପଥର ଖଣିରେ ପୋତିଦେଲା । ନୟାଗଡ଼ ଜିଲ୍ଲା ହରିପୁର ଗାଁର ନିରୁପମା ପରିଡ଼ା ହତ୍ଯାକାଣ୍ଡ ଉପରୁ ଉଠିଲା ପରଦା । ଭୁବେଶ୍ବରରେ କେୟାର ଟେକର ଭାବେ କାମ କରୁଥିଲେ ନିରୁପମା । ତାଙ୍କ ରୋଜଗାରରେ ଚଳୁଥିଲା ପରିବାର । ପ୍ରେମିକ ଦେବାଶିଷ ବିଷୋୟୀକୁ ଗିରଫ କରି ତଦନ୍ତ କରୁଛି ପୋଲିସ୍ ।

ଭୁବନେଶ୍ବରରୁ ନିଖୋଜ, ତାପଙ୍ଗରୁ ମିଳିଲା ମୃତଦେହ । ନୟାଗଡ଼ ନିରୁପମା ହତ୍ଯା ଘଟଣାରୁ ହଟୁଛି ପରଦା । ବିଶ୍ବାସରେ ବିଷ ଦେଇ ହତ୍ଯା କରିଥିଲା ପ୍ରେମିକ । ୮ ମାସ ପରେ ଉଦ୍ଧାର ହେଲା ଗଳିତ ମୃତଦେହ । ପ୍ରେମିକ ଦେବାଶିଷକୁ ଗିରଫ କଲା ପୋଲିସ । ନାଁ ନିରୁପମା ପରିଡ଼ା । ବୟସ ୨୨ ବର୍ଷ । ଘର ନୟାଗଡ଼ ଜିଲ୍ଲା ହରିପୁର ଗାଁ । ଘରର ଏକମାତ୍ର ଝିଅ । ପାଠପଢା ପରେ ଭୁବନେଶ୍ବର ଭରତପୁର ଅଞ୍ଚଳରେ କେୟାର ଟେକର ଭାବେ କାମ କରୁଥିଲେ । ଜାନୁଆରୀ ୨୪ରେ ଘରକୁ ଯାଉଛି କହି ଯିବା ପରେ ଆଉ ମିଳି ନଥିଲା ପତ୍ତା । ଘରକୁ ନ ଫେରିବାରୁ ଜାନୁଆରୀ ୨୭ରେ ଏକ ନିଖୋଜ ମାମଲା ଦାୟର ହୋଇଥିଲା । ୮ ମାସ ପରେ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ କଳିଙ୍ଗା ମୁଣ୍ଡିଆ ଖଣିରୁ ଗଳିତ ମୃତଦେହ ଉଦ୍ଧାର କରିଛି ପୋଲିସ । ଗୋଟିଏ ନୁହେଁ ୩ ତିନିଟି ଏତଲା ଦେଇଥିଲେ ପରିବାର । ମୂଖ୍ୟମନ୍ତ୍ରୀଙ୍କ ନିକଟକୁ ଅନ ଲାଇନରେ ଅଭିଯୋଗ ମଧ୍ଯ କରିଥିଲେ । ହେଲେ ପୋଲିସ ମାମଲା ରୁଜୁ କରି ଚୁପ ରହିଲା । ଆଜି ପୋଲିସର ନିଷ୍କ୍ରିୟତାରୁ ତାଙ୍କ ଝିଅ ଚାଲିଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।

ଅଭିଯୁକ୍ତ ପ୍ରେମିକ ଦେବାଶିଷକୁ ଗିରଫ କରିବା ସହ ତା ନିକଟରୁ ନିରୁପମାଙ୍କ ମୋବାଇଲ,  ATM କାର୍ଡ, ଏକ ବ୍ୟାଗ୍ ଜବତ କରିଛି ପୋଲିସ୍ । ଉଭୟଙ୍କ ମଧ୍ୟରେ ବହୁଦିନରୁ ସମ୍ପର୍କ ଥିଲା । କିନ୍ତୁ କୌଣସି କଥାକୁ ନେଇ ତିକ୍ତତା ହେବା ପରେ ନିରୁପମାଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା ଦେବାଶିଷ । ଯୋଜନା ମୁତାବକ ଜାନୁୟାରୀ ୨୪ ତାରିଖ ଦିନ ନିରୁପମାଙ୍କୁ ଦେଖା କରିବାକୁ ଡାକି ଗାଡିରେ ବସାଇ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ନିଜିଗଡ଼ ତାପଙ୍ଗ ପଥର ଖଣି ନିକଟକୁ ନେଇଗଲା ।  ସେଠାରେ ତଣ୍ଟିଚିପି ହତ୍ୟା କରିବା ପରେ ମାଟି ଖୋଳି ପୋତିଦେଇଥିଲା । ପରେ ଭୁବନଶ୍ବର ଫେରି ପୂର୍ବବତ କାମ କରୁଥିଲା । ଦେବାଶିଷକୁ ରଣପୁର ଥାନାକୁ ଡାକି ପଚରାଉଚରା ପରେ ମଧ୍ୟ କିଛି ମାନି ନଥିଲା । ତେବେ ସ୍ପେଶାଲ ସ୍କ୍ବାଡ ତଦନ୍ତ କରି ଦେବାଶିଶ ଓ ତା ସହଯୋଗୀ ରଣଜିତ ଓରଫ କାହ୍ମାକୁ ଗିରଫ କରିଛି । ଜେରାବେଳେ ପୋଲିସ ଆଗରେ ସବୁ ସତ ମାନିଛି ଦେବାଶିଷ ।ଘଟଣା ପଛରେ ଆଉ କାହାର ହାତ ରହିଛି ସେନେଇ ତଦନ୍ତ କରୁଛି ପୋଲିସ  ।

କଟକ ବ୍ଯବସାୟୀଙ୍କୁ ଆକ୍ରମଣ ଘଟଣାରେ ଟ୍ବିଷ୍ଟ

ନନ୍ଦିଘୋଷ ବ୍ୟୁରୋ: କଟକ ଲିଙ୍କରୋଡରେ ବିଳମ୍ବିତ ରାତିରେ ରାସ୍ତା ଉପରେ ଜଣେ ଫୁଲ ବ୍ଯବସାୟୀ ଗୋଡ କଟା ଅବସ୍ଥାରେ ଉଦ୍ଧାର ଘଟଣାରେ ନୂଆ ମୋଡ଼ । ଆକ୍ରମଣ ନୁହେଁ ଦୁର୍ଘଟଣା ଯୋଗୁଁ ବ୍ଯବସାୟୀ ଗୋଡ଼ ହରାଇଥିବା ସ୍ପଷ୍ଟ କଲେ ଡିସିପି । ପାର୍କିଂକୁ ନେଇ ଗଣ୍ଡଗୋଳ ପରେ ଦୁର୍ବୁତ୍ତମାନେ ବିଚ ରାସ୍ତାରେ ହାଣି ଗୋଡ ଅଲଗା କରି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ତେବେ ମଦପିଇ ବ୍ଯବସାୟୀ ଜଣକ ଦୁର୍ଘଟଣା ଘଟାଇଥିଲେ । ଡିଭାଇଡରରେ ବାଡ଼େଇ ହୋଇ ତାଙ୍କ ଗୋଡ଼ କଟିଥିବା କହିଛନ୍ତି ଡିସିପି ।

କଟକ ବ୍ଯବସାୟୀଙ୍କୁ ଆକ୍ରମଣ ଘଟଣାରେ ଟ୍ବିଷ୍ଟ । ଗଣ୍ଡଗୋଳ ନୁହେଁ ଦୁର୍ଘଟଣା ବୋଲି ସ୍ପଷ୍ଟ କଲା ପୋଲିସ୍ । ମଦ ନିଶାରେ ଗାଡ଼ି ଚଳାଉଥିଲେ ବ୍ଯବସାୟୀ । ଶୁକ୍ରବାର ରାତିରେ ଘଟିଥିଲା ଘଟଣା । କଟକ ଲିଙ୍କ ରୋଡ ନିକଟସ୍ଥ ଅରୁଣୋଦୟ ମାର୍କେଟ ଅଂଚଳରେ ରାସ୍ତା ଉପରେ ଜଣ ଫୁଲ ବ୍ଯବସାୟୀ ଗୁରୁତର ଅବସ୍ଥାରେ ପଡ଼ିଥିଲେ । ତାଙ୍କର ଗୋଡ଼ କଟି ଯାଇଥିଲା । ଖବର ପାଇ ପୋଲିସ ତାଙ୍କୁ ଉଦ୍ଧାର କରି ହସିପିଟାଲରେ ଭର୍ତ୍ତି କରିଥିଲା । ଗୁରୁତରଙ୍କୁ ପରେ ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଗାଡ଼ି ପାର୍କିଂକୁ ନେଇ ଗଣ୍ଡଗୋଳ ପରେ ଦୁଇଜଣ ଦୁର୍ବୃତ୍ତ ତାଙ୍କ ଗୋଡ଼ କାଟି ଦେଇଥିବା ଅଭିଯୋଗ କରିଥିଲେ ପରିବାର ଲୋକେ ।

ଅଭିଯୋଗ ପରେ କଟକ ଡିସିପି ନିଜେ ଯାଇ ଘଟଣାସ୍ଥଳ ଅନୁଧ୍ୟାନ କରିଥିଲେ । ଆଖପାଖ ସିସିଟିଭି ଯାଞ୍ଚ ପରେ ପ୍ରକୃତ ଘଟଣା ପଦାକୁ ଆସିଛି । ଯୁବକ ଜଣକ ନିଶାସକ୍ତ ଅବସ୍ଥାରେ ମୋଟର ସାଇକେଲରେ ଦ୍ରୁତ ଗତିରେ ଯାଇ ଦୁର୍ଘଟଣା ଘଟାଇଛନ୍ତି । ବାଇକ ଡିଭାଇଡରରେ ବାଡ଼େଇ ହେବା ପରେ ସାଇଲେନ୍ସରରେ ତାଙ୍କ ଗୋଡ଼ କଟି ଯାଇଥିଲା । ଦୁର୍ଘଟଣାର ୮ ମିନିଟ ପରେ ଆଉ ଏକ ଗାଡି ସେଠାରେ ପହଚି ପୋଲିସକୁ ଖବର ଦେଇଥିଲା । ଯୁବକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କର ଚିକିତ୍ସା ଚାଲିଛି । ତେବେ ସେ ସୁସ୍ଥ ହେବା ପରେ ପୋଲିସ ତାଙ୍କ ବୟାନ ରେକର୍ଡ କରିବ ।

ଦିନକୁ ଦିନ ତେଜିବାରେ ଲାଗିଛି NAC ନିଆଁ

ନନ୍ଦିଘୋଷ ବ୍ୟୁରୋ: ଦିନକୁ ଦିନ ତେଜିବାରେ ଲାଗିଛି NAC ନିଆଁ । ଯୋଗ୍ୟତା ଥାଇ ମଧ୍ଯ ଏନଏସି ଘୋଷଣା କରାଯାଉ ନଥିବାରୁ ପ୍ରତିବାଦ ଜୋର ହେବାରେ ଲାଗିଛି । ଗଞ୍ଜାମ ଶେରଗଡ ସମେତ ଖଇରା ଓ କଣ୍ଟାମାଳକୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଶେରଗଡ ଓ ଖଇରାରେ ବନ୍ଦ ପାଳନ କରାଯାଇଛି । ଶୀଘ୍ର NAC ଘୋଷଣା କରାନଗଲେ ଆଗକୁ ଆହୁରି ଭୟଙ୍କର ଆନ୍ଦୋଳନ କରାଯିବ ବୋଲି ଦିଆଯାଇଛି ଚେତାବନୀ ।

NAC ଘୋଷଣାରେ ଅବହେଳା । ଯୋଗ୍ୟତା ଥାଇ ଦିଆଯାଉନି ମାନ୍ୟତା । ପ୍ରତିବାଦରେ ତେଜୁଛି ଅସନ୍ତୋଷର ବହ୍ନି । ଗଡୁନି ଚକ ଅଖ । ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନ, ଦୋକାନ ବଜାର ସମେତ ସ୍କୁଲ କଲେଜ ବନ୍ଦ । ଜୋରଦାର ପିକେଟିଂ । ଏ ହେଉଛି ଗଞ୍ଜାମ ଶେରଗଡର ଦୃଶ୍ୟ । ପୂର୍ବ ସରକାରରେ ଶେରଗଡ଼କୁ NAC ଘୋଷଣା କରିଥିବାବେଳେ ନୂଆ ସରକାର ଶେରଗଡକୁ ଏହି ତାଲିକାରୁ ବାଦ ଦେଇଛନ୍ତି । ଶେରଗଡ଼ ପଞ୍ଚାୟତକୁ NAC ଘୋଷଣା ଦାବିରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ସେହିପରି ବାଲେଶ୍ଵର ଖଇରାକୁ ଏନଏସି ଦାବିରେ ୬ ଘଣ୍ଟିଆ ବନ୍ଦ ପାଳନ କରିଛି ବିଜେଡି । ଆଗାମୀ ଦିନରେ ସରକାର ଦାବି ପୂରଣ ନକଲେ ବିଜେଡି ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ।

ସେପଟେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକକୁ ଏନଏସି ଘୋଷଣା ଦାବି ଜୋର ଧରିଛି । କଣ୍ଟାମାଳରେ ଦଶ ହଜାରରୁ ଅଧିକ ଲୋକ ଥିବା ବେଳେ ସମସ୍ତ ସରକାରୀ ଦପ୍ତର ରହିଛି । ଭୌଗୋଳିକ ଦୃଷ୍ଟିକୋଣରୁ ଏହା ସହରାଞ୍ଚଳ ମାନ୍ଯତା ପାଇବା କଥା । ହେଲେ ରାଜ୍ୟ ସରକାର ନିକଟରେ ଯେଉଁ ୨୮ ଗୋଟି ନୂତନ ଏନଏସି ଘୋଷଣା କରିଛନ୍ତି  ସେଥିରେ କଣ୍ଟାମାଳ ନାହିଁ l ପୂର୍ବ ସରକାରରେ କଣ୍ଟାମାଳକୁ ଏନଏସି ଘୋଷଣା ନେଇ ପ୍ରସ୍ତାବ ରହିଥିଲା । ହେଲେ ବର୍ତ୍ତମାନ ସରକାର ଏହାକୁ କାର୍ଯ୍ଯକାରୀ କରି ନଥିବାରୁ ବିଭିନ୍ନ ସଂଗଠନ, ବୁଦ୍ଧିଜୀବୀ ଓ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ସରକାର ଏଥିପ୍ରତି ଶୀଘ୍ର ଦୃଷ୍ଟି ନଦେଲେ ଆଗାମୀ ଦିନରେ ବିରାଟ ଜନ ଆନ୍ଦୋଳନ ଉପୁଜିବା ଆଶଙ୍କା ଦେଖାଦେଇଛି ।

ସବୁ ପୁରୁଷ ଭୁଲ କରନ୍ତି କିନ୍ତୁ…

ନନ୍ଦିଘୋଷ ବ୍ୟୁରୋ:  ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନୀତା ଆହୁଜାଙ୍କ ବିଷୟରେ ବହୁତ ଦିନ ଧରି ଗୁଜବ ଥିଲା ଯେ ୪୦ ବର୍ଷର ବୈବାହିକ ଜୀବନ ବିତାଇବା ପରେ ଏହି ଦମ୍ପତି ଛାଡପତ୍ର ନେବାକୁ ଯାଉଛନ୍ତି। କିନ୍ତୁ ଗଣେଶ ଉତ୍ସବ ସମୟରେ, ଉଭୟଙ୍କୁ ପୁଣି ଥରେ ଏକାଠି ଦେଖିବାକୁ ମିଳିଥିଲା ​​ଏବଂ ସେମାନେ ସେମାନଙ୍କ ଛାଡପତ୍ରର ଗୁଜବର ଅନ୍ତ ଘଟାଇଥିଲେ। ଏବେ ଗୋବିନ୍ଦାଙ୍କ ପତ୍ନୀ ସୁନୀତା ଆହୁଜା ଖୁବ୍ ଶୀଘ୍ର କଲର୍ସର ରିଆଲିଟି ଶୋ’ ପତି ପତ୍ନୀ ଔର ପଙ୍ଗାରେ ଦେଖିବାକୁ ପାଇବେ। ଏହି ଶୋ’ରେ, ସେ ଅଭିନେତାଙ୍କ ସହିତ ଛାଡପତ୍ରର ଗୁଜବ ଉପରେ ନୀରବତା ଭାଙ୍ଗିଥିଲେ।

କଲର୍ସ ଟିଭି ଦ୍ୱାରା ଇନଷ୍ଟାଗ୍ରାମରେ ସେୟାର କରାଯାଇଥିବା ‘ପତି ପତ୍ନୀ ଔର ପଙ୍ଗା’ର ନୂତନ ପ୍ରୋମୋରେ, ଅଭିଷେକ କୁମାର ସୁନୀତା ଆହୁଜାଙ୍କୁ ପଚାରୁଥିବା ଦେଖାଯାଇଛି, “ତୁମେ ଏବଂ ଗୋବିନ୍ଦା ଜୀଙ୍କ ବିଷୟରେ ଖବର ଆସୁଛି। ଅନେକ ଲୋକ ନିଜ ନିଜ ମଧ୍ୟରେ ଗୁଜବ ପ୍ରସାରଣ କରୁଛନ୍ତି। ତୁମେ ସେମାନଙ୍କୁ କ’ଣ କହିବାକୁ ଚାହଁ?” ଏହାର ପ୍ରତିକ୍ରିୟା ଦେଇ ସୁନୀତା କହିଛନ୍ତି, “୪୦ ବର୍ଷ ବିତାଇବା କ’ଣ ଛୋଟ କଥା? ପ୍ରତ୍ୟେକ ପୁରୁଷ ଭୁଲ କରନ୍ତି। ସବୁକିଛିର ଏକ ଜୀବନକାଳ ଥାଏ। ମୁଁ ମୋର ଯୁବାବସ୍ଥାରେ ଏହା କରିଥିଲି, କିନ୍ତୁ ୬୨ ବର୍ଷ ବୟସରେ, ଯେତେବେଳେ ମୋର ଏତେ ବଡ ପିଲାମାନେ ଅଛନ୍ତି, ଜଣେ ପୁରୁଷ କିପରି ଭୁଲ କରିପାରିବେ?”

କେବେ ସରିବ ଟେନସନ ? ସାର ପାଇଁ ଯନ୍ତ୍ରଣା ଭୋଗୁଛନ୍ତି ଚାଷୀ

ନନ୍ଦିଘୋଷ ବ୍ୟୁରୋ: ରାୟଗଡାରେ ସରୁନି ସାର ଟେନସନ । ସାର ବସ୍ତା ଖଣ୍ଡେ ପାଇଁ ଯନ୍ତ୍ରଣା ଭୋଗୁଛନ୍ତି ଚାଷୀ । ବିଭିନ୍ନ ଲ୍ୟାମ୍ପସ୍ ଓ ଡିଲର୍ ଦୋକାନରେ ଘଣ୍ଟା ଘଣ୍ଟା ଧରି ଠିଆ ହେଉଛନ୍ତି ଅନ୍ନଦାତା । ସେହିପରି ଆନ୍ଧ୍ର-ଓଡିଶା ସୀମାନ୍ତରେ ରହୁଥିବା ଚାଷୀମାନେ ସରକାରୀ ସାର ପାଉନାହାନ୍ତି । ଫଳରେ ପଡୋଶୀ ଆନ୍ଧ୍ରର କିଛି ଦଲାଲଙ୍କ ଠାରୁ ଚଢା ଦରରେ ସାର କିଣୁଥିବା ଅଭିଯୋଗ ହୋଇଛି । ଏପଟେ ବିଭିନ୍ନ ସାର ବିକ୍ରୟ କେନ୍ଦ୍ରକୁ ସ୍ଥାନୀୟ ବିଧାୟକ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବା ସହ ଅଭାବୀ ବିକ୍ରି ରୋକିବା ପାଇଁ ଅଧିକାରୀମାନଙ୍କୁ ତାଗିଦ କରିଛନ୍ତି ।

ସରୁନି ସାର ସମସ୍ୟା । ତଳି ବୁଣା ସାରି ସାର ପକାଇବା ସମୟ ଆସିଲାଣି । ତଥାପି ଚାଷୀଙ୍କୁ ମିଳୁନି ସାର । ବିଭିନ୍ନ ଲ୍ୟାମ୍ପସ୍ ଓ ଡିଲର ଦୋକାନ ମାନଙ୍କରେ ଚାଷୀଙ୍କ ଲମ୍ବା ଲାଇନ । ଘଣ୍ଟାଘଣ୍ଟା ଧରି ଠିଆ ହୋଇ ହେଉଛନ୍ତି ହଟହଟା । ରାୟଗଡା ଜିଲ୍ଲାର ୧୧ ଗୋଟି ବ୍ଲକରେ ସମାନ ସ୍ଥିତି । ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ସାର ଅଭାବ ଦେଖାଦେଇଥିଲା । ଏବେ ସେପରି ପରିସ୍ଥିତି ନାହିଁ । ଜିଲ୍ଲାକୁ ୧୪ ହଜାର ୫୦ ମେଟ୍ରିକ ଟନ ୟୁରିଆ ସାରର ଆବଶ୍ୟକତା ପଡୁଥିବା ବେଳେ ଆସିଛି ୧୨ ହଜାର ୭୩ ମେଟ୍ରିକ ଟନ ସାର । ସମସ୍ତ ସାରକୁ ବିଭିନ୍ନ ବ୍ଲକରେ ବଣ୍ଟା ଯାଇଛି । ତଥାପି ସାର ନିଅଣ୍ଟ ଦେଖାଦେଉଛି । ଏଠି ପ୍ରଶ୍ନ ଉଠୁଛି- ସାର କୁଆଡେ ଗଲା ? ତା ହିସାବ କିଏ ରଖୁଛନ୍ତି ନା ନାହିଁ ? ଏପଟେ ଡିଲର ସଂସ୍ଥାରୁ ଗୋଟିଏ ଆଧାର କାର୍ଡରୁ ଗୋଟିଏ ବସ୍ତା ସାର ମିଳୁଥିବାରୁ ଚାଷୀ ଅସନ୍ତୋଷ ବ୍ଯକ୍ତ କରିଛନ୍ତି । ସେପଟେ ଓଡିଶା-ଆନ୍ଧ୍ର ସୀମାନ୍ତର ରହୁଥିବା ସାନ୍ଧୁବାଡି, କାରୁବାଇ, ମୀରାବାଲି, ବୈରାଗୀହାଲୁଆ, କେରେଡା, ଗାଜିଗାଁ ଭଳି ଅନେକ ପଞ୍ଚାୟତ ସୀମାବର୍ତ୍ତୀ ଗାଁର ଚାଷୀମାନେ ସରକାରୀ ସାର ପାଉନାହାନ୍ତି । ଫଳରେ ସେମାନେ ପଡୋଶୀ ଆନ୍ଧ୍ରର କିଛି ଦଲାଲଙ୍କ ଠାରୁ ଚଢା ଦରରେ ୟୁରିଆ କିଣୁଥିବା ଅଭିଯୋଗ କରିଛନ୍ତି  ।

ରାୟଗଡା ଜିଲ୍ଲାରେ ୟୁରିଆ ସାରର ନିଆଣ୍ଟିଆ ପରିସ୍ଥିତି ନଥିବା ସରକାରୀ ସୂତ୍ର କହିଛି । ହେଲେ ଚାଷୀଙ୍କୁ କାହିଁକି ନିୟମିତ ସାର ମିଳୁନି ? ସେନେଇ କେହି ମୁହଁ ଖୋଲୁ ନାହାନ୍ତି । ଅନ୍ୟପଟେ ବିଭିନ୍ନ ଲ୍ୟାମ୍ପସ୍ ଓ ସରକାରୀ ସ୍ବୀକୃତିପ୍ରାପ୍ତ ଡିଲର୍ ପାଖରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି ରାୟଗଡା ବିଧାୟକ । ଚାଷୀଙ୍କ ସମସ୍ୟା ବୁଝିବା ସହ ନିୟମିତ କେମିତି ସାର ଯୋଗାଣ ହେବ ସେନେଇ ଅଧିକାରୀ ମାନଙ୍କୁ ତାଗିଦ କରିଛନ୍ତି । ସାର ପାଇଁ ଚାଷୀ ହଟହଟା ହେଉଛି । କେବେ ଦୂର ହେବ ସାର ସଙ୍କଟ ଆଉ କେବେ ଚାଷୀଙ୍କ ସମସ୍ୟାର ସମାଧାନ ହେବ ତାକୁ ହିଁ ଅପେକ୍ଷା ।

ଭରା ନଇରେ ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

ନନ୍ଦିଘୋଷ ବ୍ୟୁରୋ: କନ୍ଧମାଳ ବାଲିଗୁଡାରୁ ଆସିଲା ଦୟନୀୟ ଚିତ୍ର। ଭରା ନଇରେ ଷ୍ଟ୍ରେଚରରେ ବୁହା ହୋଇ ଗଲେ ଗର୍ଭବତୀ ମହିଳା। କନ୍ଧମାଳରୁ ଆସିଛି ଏ ଜନନୀ ଯନ୍ତ୍ରଣାର ବିକଳ ଚିତ୍ର। ପକ୍କା ସଡ଼କ ନଥିବାରୁ ଗାଁକୁ ପହଞ୍ଚି ପାରିଲାନାହିଁ ଆମ୍ବୁଲାନ୍ସ। ଭରା ନଦୀରେ ବିପଦଶଙ୍କୁଳ ଅବସ୍ଥାରେ ଗର୍ଭବତୀ ମହିଳାଙ୍କୁ ଷ୍ଟ୍ରେଚରରେ ବୋହି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଲେ ପରିବାର। କନ୍ଧମାଳ ଜିଲ୍ଲା କେ. ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଗୁଞ୍ଜିବାଡ଼ି ପଂଚାୟତ ଅଞ୍ଚଳର ଏ ଘଟଣା। ମୁରଡ଼ି ଗାଁର ନନ୍ଦିନୀ ପ୍ରଧାନ ନାମକ ମହିଳାଙ୍କ ପ୍ରସବ ବେଦନା ହେବାରୁ ଆମ୍ବୁଲାନ୍ସକୁ ପରିବାର ଲୋକେ ଡାକିଥିଲେ। କିନ୍ତୁ ରାସ୍ତା ନଥିବାରୁ ଗାଁକୁ ଗାଡ଼ି ଯାଇ ପାରିବ ନାହିଁ ବୋଲି ଆମ୍ବୁଲାନ୍ସ ଚାଳକ କହିଥିଲେ। ଉପାୟ ନପାଇ ସମ୍ପର୍କୀୟଙ୍କ ସହାୟତାରେ ଭରା ନଦୀରେ ଆମ୍ବୁଲାନ୍ସ ଗାଡ଼ିର ଷ୍ଟ୍ରେଚରରେ ଭାର କରି ନନ୍ଦିନୀ ପ୍ରଧାନଙ୍କୁ ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇ ଥିଲେ ସମ୍ପର୍କୀୟ।ବର୍ତ୍ତମାନ ନନ୍ଦିନୀ ପ୍ରଧାନ କେ. ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପରେ ସୁସ୍ଥ ଥିବା ଜଣାପଡିଛି।..

 

ଓଲଟିଲା ତେଲ ଟ୍ୟାଙ୍କର, ସବୁ ବୋହିନେଲେ…

ନନ୍ଦିଘୋଷ ବ୍ୟୁରୋ: ଭାରସାମ୍ୟ ହରାଇ ଓଲଟିଲା ତୈଳ ଟ୍ୟାଙ୍କର୍ ଗାଡ଼ି । ଡ୍ରାଇଭର ଗୁରୁତର । ଲୋକେ ଓଲଟିଥିବା ଗାଡିରୁ ବୋହି ନେଲେ ପେଟ୍ରୋଲ, ଡିଜେଲ୍ । କେନ୍ଦୁଝର ଜିଲ୍ଲା ଘଟଗାଁ ନିକଟସ୍ତ ୨୦ନମ୍ବର ଜାତୀୟ ରାଜପଥର ପୋଇଜାମୁଳା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ତୈଳ ଟ୍ୟାଙ୍କର୍ ଗାଡ଼ି ଡ୍ରାଇଭର ଗୁରୁତର ଆହତ ହୋଇ ଘଟଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ଅନ୍ୟପକ୍ଷରେ ଅନବରତ ଟ୍ୟାଙ୍କରରୁ ବୋହୁଥିବା ଡିଜେଲ ଓ ପେଟ୍ରୋଲକୁ ସ୍ଥାନୀୟ ଲୋକେ ବୋହି ନେଇଛନ୍ତି । ଡବା, ବାଲଟି, ବୋତଲ,ଗରା ବିଭିନ୍ନ ସାମଗ୍ରୀରେ ବୋହି ନେଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି ।