spot_img
Home Blog Page 3761

କେନ୍ଦ୍ରମନ୍ତ୍ରୀଙ୍କ ମିଥ୍ୟା ପ୍ରତିଶ୍ରୁତି ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେଡିର ଫେରାଦ

ଭୁବନେଶ୍ବର: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ପୁଣି ଫେରାଦ ହେଲା ବିଜେଡି ଟିମ୍ । ଧାମନଗର ଉପନିର୍ବାଚନ ବେଳେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ ମିଥ୍ୟା ପ୍ରତିଶ୍ରୁତିକୁ ନେଇ ଅଭିଯୋଗ କଲା ବିଜେଡି । ଏଭଳି ପ୍ରତିଶ୍ରୁତି ଅବୈଧ ବୋଲି ଦଳ ପକ୍ଷରୁ କୁହାଯାଇଛି । ଏହାସହ ବିଜେପି ବାରମ୍ବାର ନିର୍ବାଚନୀ ଆଚରଣ ବିଧି ଉଲ୍ଲଂଘନ କରିଆସୁଥିବା ଦଳ ଅଭିଯୋଗ କରିଛି । ଧାମନଗର ଉପନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବାକୁ ବିଜେଡି ଦାବି କରିଛି ।

ଏହାସହ ପ୍ରତି ପଞ୍ଚାୟତରେ କଡା ନଜର ରଖିବା ସାଙ୍ଗକୁ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଥିବା ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦଳ ଦାବି କରିଛି । ବିଜେଡି ମୁଖପାତ୍ର ଲେନିନ ମହାନ୍ତିଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛନ୍ତି ।

ଦିଲ୍ଲୀରେ ବାୟୁ ପ୍ରଦୂଷଣ: ସମସ୍ତ ନିର୍ମାଣ ଓ ଉଚ୍ଛେଦ କାର୍ଯ୍ୟ ବନ୍ଦ

ଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବଢି ଚାଲିଛି ବାୟୁ ପ୍ରଦୂଷଣ । ଦିଲ୍ଲୀର ଏୟାର କ୍ବାଲିଟି ଇଣ୍ଡେକ୍ସ ଅତି ଖରାପ ସ୍ତରରେ ପହଞ୍ଚିଛି । ଆଜି ସକାଳୁ ଦିଲ୍ଲୀର AQI ୩୪୨ ରେକର୍ଡ ହୋଇଛି । ମୁଣ୍ଡକାରେ ପ୍ରଦୂଷଣ ସ୍ତର ୩୯୨ ରହିଥିବା ବେଳେ ଆନନ୍ଦ ବିହାରରେ ୪୬୯, ଓ୍ବାଜିରପୁରରେ AQI 417 ରେକର୍ଡ ହୋଇଛି ।

ପ୍ରଦୂଷଣ ମାତ୍ରାକୁ ଦୃଷ୍ଟିରେ ରଖି ରାଜଧାନୀରେ ବ୍ୟାପକ କଟକଣା ଲଗାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଦିଲ୍ଲୀରେ ନିର୍ମାଣ ଓ ଉଚ୍ଛେଦ କାର୍ଯ୍ୟ ବନ୍ଦ ରଖାଯାଇଛି । ଦିଲ୍ଲୀ ଏନସିଆରରେ GRAP ବା ଗ୍ରେଡେଡ ରେସପନ୍ସ ଆକ୍ସ ପ୍ଲାନର ଷ୍ଟେଜ୍ ୩ କଟକଣା ଲାଗୁ କରାଯାଇଛି । ଇଟାଭାଟି ଓ ମାଇନିଂ କାର୍ଯ୍ୟ ଉପରେ କଟକଣା ଲଗାଇଛି ପ୍ରଶାସନ । ଦିଲ୍ଲୀ ଆଖପାଖରେ ବ୍ୟାପକ ନଡ଼ା ଜଳା ହେଉଥିବାରୁ ପ୍ରଦୂଷଣ ମାତ୍ରା ଭୟଙ୍କର ହୋଇଛି ବୋଲି କୁହାଯାଉଛି ।

ଫସଲ ବୀମା ଯୋଜନାରେ ଅବହେଳା: କାଲି ସମସ୍ତ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିଜେଡିର ବିକ୍ଷୋଭ

ଭୁବନେଶ୍ବର: ଓଡ଼ିଶାର ଚାଷୀଙ୍କୁ ଫସଲ ବୀମା ପ୍ରଦାନରେ କେନ୍ଦ୍ର କରୁଛି ଅବହେଳା । ବୀମା କମ୍ପାନୀ ଚାଷୀଙ୍କୁ ଶୋଷଣ କରୁଥିବା ବେଳେ କେନ୍ଦ୍ର ସରକାର ସାଜିଛନ୍ତି ନୀରବଦ୍ରଷ୍ଟା । ଏହାର ପ୍ରତିବାଦରେ ବିଜେଡିର ଯୁଦ୍ଧଂ ଦେହୀ ଡାକରା । ଆସନ୍ତାକାଲି ସମସ୍ତ ଜିଲ୍ଲାର ଜିଲ୍ଲାପଳଙ୍କ କାର୍ଯ୍ୟାଳୟ ଆଗରେ ବିଜେଡି କରିବ ବିକ୍ଷୋଭ ।

ଫସଲ ବୀମା ପ୍ରଦାନରେ କେନ୍ଦ୍ରର ଅବହେଳାକୁ ନେଇ ବିଜେପି ଉପରେ ବର୍ଷିଛି ବିଜେଡି । ଦଳ ପକ୍ଷରୁ କୁହାଯାଇଛି ଫସଲ ବୀମା ନମିଳିବାରୁ ରାଜ୍ୟର ଲକ୍ଷାଧିକ ଚାଷୀ ପ୍ରଭାବିତ ହୋଇଛନ୍ତି । ବୀମା କମ୍ପାନୀ ଚାଷୀଙ୍କୁ ଶୋଷୁଥିବା ବେଳେ, କେନ୍ଦ୍ର ସରକାରଙ୍କ ନୀରବତା ଦୁର୍ଭାଗ୍ୟଜନକ ।

କୃଷକଙ୍କ ସ୍ବାର୍ଥ ପାଇଁ ରାଜ୍ୟ ସରକାର ସବୁବେଳେ କାର୍ଯ୍ୟ କରି ଆସୁଛନ୍ତି । ତେଣୁ କେନ୍ଦ୍ର ଅବହେଳା ବିରୋଧରେ ଆସନ୍ତାକାଲି ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବ ବିଜେଡି । ଏହାସହ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବ । ସେହିପରି ରାଜଭବନ ଆଗରେ ମଧ୍ୟ ପ୍ରତିବାଦ କରିବ ବିଜେଡି ।

ଗଣ୍ଡଗୋଳ ପାଇଁ ଉସକାଉଛି ବିଜେପି: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି

ଭୁବନେଶ୍ବର: ବିଜେପିକୁ ଘାରିଛି ହାରିବା ଭୟ । କେତେବେଳେ ମାଆମାନଙ୍କୁ ଅପମାନିତ କରୁଛି ତ ଆଉ କେତେ ବେଳେ କେନ୍ଦ୍ରମନ୍ତ୍ରୀ ପ୍ରଚାରରେ ଆସି ବିବାଦୀୟ ମନ୍ତବ୍ୟ ଦେଉଛନ୍ତି । ଏବେ ପୁଣି ଧାମନଗରରେ ଗାଁ ଗାଁରେ ଗଣ୍ଡଗୋଳ କରିବାକୁ ବିଜେପି ରଚୁଛି ଷଡଯନ୍ତ୍ର । ଲୋକଙ୍କୁ ଉସକାଇ ବିଶୃଙ୍ଖଳା ସୃଷ୍ଟି କରୁଛି ବିଜେପି । ଏମିତି ଅଭିଯୋଗ ଆଣି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି ।

ଅଭିଯୋଗ ଅନୁସାରେ, ପରାଜୟ ଭୟରେ ଗୋଟିଏ ପରେ ଗୋଟିଏ ମିଛ ଅଭିଯୋଗ ଆଣିବାରେ ଲାଗିଛି ବିଜେପି । ନିର୍ବାଚନ ପୂର୍ବରୁ ଧାମନଗରର ପ୍ରତି ପଞ୍ଚାୟତରେ ଗଣ୍ଡଗୋଳ ପାଇଁ ଉସୁକାଉଛନ୍ତି ବିଜେପି ନେତା ଓ କର୍ମୀ । ବିଜେଡି ମୁଖପାତ୍ର ଲେନିନ ମହାନ୍ତିଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏ ନେଇ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଅପରାହ୍ନ ୪ଟାରେ ଭାରତୀୟ ନିର୍ବାଚନ ଆୟୋଗଙ୍କ ନିକଟରେ ବିଜେଡିର ପତିନିଧି ଦଳ ଭେଟି ବିଜେପି ସୃଷ୍ଟି କରୁଥିବା ବିଶୃଙ୍ଖଳା ନେଇ ଅଭିଯୋଗ କରିବେ ବୋଲି ଜଣାପଡିଛି ।

ପୂର୍ବରୁ ଏସଏଚଜି ମହିଳା ଟଙ୍କା ବାଣ୍ଟୁ ଥିବା କହିଥିଲା ବିଜେପି । ଯାହାକୁ ନେଇ ବିଜେଡି ପକ୍ଷରୁ ଆପତ୍ତି ଉଠାଯିବା ସହ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରାଯାଇଥିଲା । ଏହାପରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଟୁ ପ୍ରଚାରରେ ଆସିଥିବା ବେଳେ ମହିଳାମାନଙ୍କ ପ୍ରତି ଆଶାଳୀନ ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ସ୍ବାଭିମାନ ମାଟି ଧାମନଗରରୁ ଉଠିଥିଲା ସନ୍ତୋଷ ଓ ବିରୋଧର ସ୍ବର । ଏବେ ବିଜେପି ନେତା ଓ କର୍ମୀ ଲୋକଙ୍କୁ ଗଣ୍ଡଗୋଳ ପାଇଁ ଉସକାଇ ବିଶୃଙ୍ଖଳା ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି ।

ଅଶାନ୍ତ ଦାରୁଠେଙ୍ଗରେ ଥମିଲା ଉତ୍ତେଜନା, ହଟିଲା ରାସ୍ତାରୋକ୍

ଭୁବେନଶ୍ବର: ଆଜି ପୁଣି ଅଶାନ୍ତ ହୋଇ ଥିଲା ଦାରୁଠେଙ୍ଗ । ବିଏମସି ଅଳିଆ ଗାଡ଼ି ଧକ୍କାରେ ଜଣଙ୍କ ମୃତ୍ୟୁ ପରେ ଦେଖା ଦେଇଥିଲା ଅଶାନ୍ତି । ସ୍ଥାନୀୟ ଲୋକେ ରାସ୍ତାରୋକ କରିବା ସହ ହୋହାଲ୍ଲା କରିଥିଲେ । ସ୍ଥିତି ବିଗୁଡି ଥିବା ବେଳେ ବିଏମସି କମିଶନର ଏବଂ ମେୟର ଘଟଣା ସ୍ଥଳରେ ପହଞ୍ଚି ଆଲୋଚନା କରିବା ସହ କ୍ଷତିପୂରଣ ପ୍ରତିଶ୍ରୁତି ଦେବା ପରେ ଉତ୍ତେଜନା ଥମିଥିଲା ।

ସୂଚନାଯୋଗ୍ୟ, ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗରେ ଥିବା ଭୂଆଶୁଣୀ ଡମ୍ପିଂୟାର୍ଡରେ ଅଳିଆ ଗାଡ଼ି ଧକ୍କାରେ ଆଜି ସକାଳୁ ବେଣ୍ଟୁଆ ଗାଁର ରାମ ଘାଗରାଇଙ୍କ ମୃତ୍ୟୁ ଘଟିଥିଲା । ଯାହାକୁ ନେଇ ଉତ୍ତେଜନା ଦେଖା ଦେଇଥିଲେ । ଘଟଣାସ୍ଥଳରେ ବିଏମସି କମିଶନର ଓ ମେୟର ପହଞ୍ଚି ବିଧାୟକ ସୁର ରାଉତରାୟ ଓ ଦାରୁଠେଙ୍ଗବାସୀଙ୍କ ସହ ଆଲୋଚନା କରିଥିଲେ । ଆଲୋଚନାରେ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବା ସହ ପରିବାରର ଜଣଙ୍କୁ ଚାକିରି ପ୍ରଦାନ କରିବାକୁ ମେୟର ସୁଲୋଚନା ଦାସ ଘୋଷଣା କରିଥିଲେ । ଏହାସହ ଡମ୍ପିଂୟାର୍ଡ ଅଞ୍ଚଳରେ ଟ୍ରାଫିକ ବ୍ୟବସ୍ଥା ନହେବା ଯାଏଁ ଡମ୍ପିଂୟାର୍ଡ ବନ୍ଦ ରହିବ ବୋଲି ମେୟର ଘୋଷଣା କରିଛନ୍ତି ।

ଆଲୋଚନା ପରେ ରାସ୍ତାରୋକ ହଟିବା ସହ ମୃତଦେହ ବ୍ୟବଚ୍ଛେଦ ପାଇ ପଠାଯାଇଛି । ୨ ମାସ ତଳେ ଡମ୍ପିଂୟାଡ ଗାଡ଼ି ଧକ୍କାରେ ଜଣେ ଯୁବକର ମୃତ୍ୟୁ ହୋଇଥିଲା ।

T20 ବିଶ୍ବକପ୍: ଆଜି ଭାରତ-ଦକ୍ଷିଣ ଆଫ୍ରିକା ମୁକାବିଲା

ପର୍ଥ: ଟି୨୦ ବିଶ୍ବକପର ସୁପର ସଣ୍ଡେରେ ଆଜି ଦେଖିବାକୁ ମିଳିବ ସୁପର ଫାଇଟ୍ । ପର୍ଥରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଟିମ୍ ଇଣ୍ଡିଆ । ଅପରାହ୍ନ ୪ଟା ୩୦ରୁ ଆରମ୍ଭ ହେବ ମ୍ୟାଚ୍ । ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଭାରତ ପ୍ରଥମ ଦୁଇଟି ମ୍ୟାଚ୍‌ ଜିତି ସେମିଫାଇନାଲ୍‌‌ ଦୌଡ଼ରେ ଆଗରେ ରହିଛି । ଦୁଇଟି ମ୍ୟାଚ ଜିତି ୪ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ଦଳ ।

୧୧ ଜଣଙ୍କ ମଧ୍ୟରେ କେବଳ କେ.ଏଲ୍‌ ରାହୁଲଙ୍କୁ ଛାଡ଼ି ଦେଲେ ଅନ୍ୟମାନେ ପ୍ରଭାବୀ ପ୍ରଦର୍ଶନ ଦେଇ ଚାଲିଛନ୍ତି । ହେଲେ ରାହୁଲ ଦୁଇଟି ମ୍ୟାଚ୍‌ରେ ମାତ୍ର ୧୩ ରନ୍‌ କରିଛନ୍ତି । ତେଣୁ ଆଜି ଖେଳାଳି ତାଲିକାରେ ପରିବର୍ତ୍ତନ ନେଇ ଆକଳନ କରିଛନ୍ତି କ୍ରୀଡାବିତ୍ ।

ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ୨ଟି ମ୍ୟାଚ ଖେଳିଥିବାବେଳେ ଗୋଟିଏ ମ୍ୟାଚ ବର୍ଷା କାରଣରୁ ବାତିଲ ହୋଇଥିଲା । ତେଣୁ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି । ପ୍ରଥମ ମ୍ୟାଚ ଜିମ୍ବାଓ୍ବେ ସହ ବାତିଲ ହୋଇଥିଲା । ତେବେ ଦ୍ବିତୀୟ ମ୍ୟାଚରେ ବାଂଲାଦେଶରୁ ହରାଇ ୩ ପଏଣ୍ଟ ହାସଲ କରିଛି ଦଳ । ତେଣୁ ଆଜି ମ୍ୟାଚ ଜିତିବାକୁ ଦଳ ଭରପୂର ଉଦ୍ୟମ କରିବ ।

ତେଣେ ଆଜିର ମ୍ୟାଚକୁ ନେଇ ସାରା ଦେଶରେ ଦେଖିବାକୁ ମିଳୁଛି ନାହିଁ ନଥିବା ଉତ୍ସାହ । ଓଡ଼ିଶାର ବିଭିନ୍ନ ସ୍ଥାନରୁ ଭାରତୀୟ କ୍ରିକେଟରଙ୍କ ପାଇଁ ବିଜୟ ଆର୍ଶୀବାଦ ଛୁଟିବାରେ ଲାଗିଛି ।

ବିଏମସିର ଅପରେସନ କ୍ଲିନ୍

ଭୁବନେଶ୍ବର: କ୍ଳିନ୍ ଓ ଗ୍ରୀନ୍ ସହରରେ ପରିଣତ ହେବ ଭୁବନେଶ୍ବର । ଏହି ଲକ୍ଷ୍ୟ ନେଇ ବିଏମସିର ଅପରେସନ କ୍ଳିନ୍ ଅଭିଯାନ । ପ୍ରତି ମାସର ଶେଷ ରବିବାରରେ ଗଣ ସଫେଇ କାଯ୍ୟକ୍ରମକୁ ଜୋରଦାର କରିଛି ବିଏମସି ।

ଆଜି ଖଣ୍ଡଗିରି ଓଭରବ୍ରିଜ ତଳେ ସଫେଇ କରାଯାଇଛି । ବିଏମସି ମେୟର, ଡେପୁଟି ମେୟର ସମସ୍ତ କୋର୍ପରେଟର ଓ ବିଏମସି ଅତିରିକ୍ତ କମିଶନର ଯୋଗ ଦେଇ ସଫେଇ କାର୍ଯ୍ୟ କରିଥିଲେ । କ୍ଳିନ୍ ଓ ଗ୍ରୀନ୍ ସହରରେ ଭୁବନେଶ୍ବରକୁ ପରିଣତି କରିବା ପାଇଁ ଲୋକଙ୍କ ସହଯୋଗ କାମନା କରିଛି ବିଏମସି ।

ଖଣ୍ଡଗିରି ପର୍ଯ୍ୟଟନସ୍ଥଳୀ ହୋଇଥିବାରୁ ଅନେକ ଲୋକ ଯାତାୟତ କରୁଛନ୍ତି ।  ଓଭରବ୍ରିଜ ତଳେ ଥିବା ଆବର୍ଜନା ସଫା କରିବା ସହ ପରିବେଶକୁ ସୁନ୍ଦର କରିବାକୁ ବାର୍ତ୍ତା ଦେଇଛନ୍ତି ମେୟର ସୁଲୋଚନା ଦାସ ।

ନାବାଳିକା ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ଗଣିତ ଶିକ୍ଷକ ଗିରଫ

ଦେବଗଡ଼: ଭୁଲ ହେଲା ଗଣିତ ଶିକ୍ଷକଙ୍କ ଅଙ୍କ । ନାବାଳିକା ଛାତ୍ରୀକୁ ପ୍ରେମ ନିବେଦନ କରିବା ସହ ବଳପୂର୍ବକ ଆଲିଙ୍ଗନ କରି ବନ୍ଧା ହେଲେ ଗଣିତ ଶିକ୍ଷକ । ଦେବଗଡ଼ ଜିଲ୍ଲା ବାରକୋଟ ଥାନା ବମ୍ପରଡା ନୋଡାଲ ୟୁପି ସ୍କୁଲରେ ଏଭଳି ଘଟଣା ସାମ୍ନାକୁ ଆସିଛି  ।

ବିଦ୍ୟାଳୟର ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ବିଦ୍ୟାଳୟର ୫୨ ବର୍ଷୀୟ ଗଣିତ ଶିକ୍ଷକ ସୋମନାଥ ପ୍ରଧାନ ଦୀର୍ଘ ଦିନ ଧରି ବିଭିନ୍ନ ଆଳରେ ପ୍ରେମ ନିବେଦନ କରି ଆସୁଥିଲେ । ଗତ ୨୭ ତାରିଖରେ ଶିକ୍ଷକ ସୋମନାଥ ଛାତ୍ରୀଙ୍କ ଘରକୁ ମଧ୍ୟ ପହଞ୍ଚି ଥିଲେ । ଗତକାଲି ଶିକ୍ଷକ ଜଣକ ବିଦ୍ୟାଳୟର ଏକ କୋଠରୀରେ ଛାତ୍ରୀ ଜଣକୁ ବଳପୂର୍ବକ ଆଲିଙ୍ଗନ କରିବା ସହ ଅସଦାଚରଣ କରିଥିଲେ । ଫଳରେ ଛାତ୍ରୀ ଜଣକ ବିଦ୍ୟାଳୟରେ କାନ୍ଦିବା ସହ ଘରକୁ ଯାଇ ଏ ସମ୍ପର୍କରେ ପରିବାର ଲୋକଙ୍କୁ କହିଥିଲେ । ପରିବାର ଲୋକେ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ପରିଚାଳନା କମିଟି ନିକଟରେ ଅଭିଯୋଗ କରିବା ପରେ ବିଦ୍ୟାଳୟରେ ପରିଚାଳନା କମିଟି, ସରପଞ୍ଚ ଓ ଭଦ୍ର ବ୍ୟକ୍ତିଙ୍କ ଉପସ୍ଥିତିରେ ଏକ ବୈଠକ ବସି ପୀଡିତା ଛାତ୍ରୀ ଓ ପରିବାର ଲୋକଙ୍କ ସହ ଆଲୋଚନା ହୋଇଥିଲା ।

ବାରକୋଟ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଦଫା 354(A), 354(D), ସହ ପସ୍କୋ ଓ ଆଟ୍ରୋସିଟି ଆକ୍ଟର ବିଭିନ୍ନ ଧାରାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ଶିକ୍ଷକକୁ ଗିରଫ କରିଛି ।

ଗଞ୍ଜେଇ ମାଫିଆଙ୍କୁ ଠକେଇ: ଗଞ୍ଜେଇ ବଦଳରେ ବାହାରିଲା ନଡ଼ା

କେସିଙ୍ଗା: ଗଞ୍ଜେଇ ବେପାରୀଙ୍କୁ ଚୂଲ ଲଗାଇଲେ ସହଯୋଗୀ । ଗଞ୍ଜେଇ ବଦଳରେ ଦେଲେ ନଡ଼ା, ପାଳ, ଗୋଡି ଓ ବାଲି । ପୋଲିସ ହାତରେ ଗଞ୍ଚେଇ ମାଫିଆ ଧରା ପଡ଼ିବା ପରେ ଯାଞ୍ଚରୁ ଜଣାପଡ଼ିଲା ସତ । ନଡ଼ା, ପାଳ ଦେଖି ଗଞ୍ଜେଇ ମାଫିଆ ତାଜୁବ । ୭୧ କେଜି ବଦଳରେ ମାତ୍ର ୧୦ କେଜି ୧୨୮ ଗ୍ରାମ ଗଞ୍ଜେଇ ବାହାରିଥିବା ବେଳେ ବାକି ଥିଲା ନଡ଼ା, ପାଳ, ଗୋଡ଼ି ଓ ବାଲି ।

ସୂଚନାଯୋଗ୍ୟ, କଳାହାଣ୍ଡି ଜିଲ୍ଲା କେସିଙ୍ଗା ପୋଲିସ ଅମାଠ ଛକରେ ଏକ ଗଞ୍ଜେଇ ଗାଡିକୁ ଜବତ କରିଥିଲା । ଜୁନାଗଡ଼ରୁ ୭୧ କେଜିରୁ ଅଧିକ ଗଞ୍ଜେଇ ଏକ ସ୍କର୍ପିଓରେ ୟୁପି ଯାଉଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା । ଯାଞ୍ଚ ବେଳେ ଜଣାପଡ଼ିଲା ନିଜେ ଗଞ୍ଜେଇ ମାଫିଆ ବି ଠକେଇର ଶିକାର ହୋଇଛନ୍ତି । ୭୧ କେଜି ଗଞ୍ଜେଇ ବଦଳରେ ବାହାରିଲା ମାତ୍ର ୧୬ କେଜି ଗଞ୍ଜେଇ । ଆଉ ବାକି ଗଞ୍ଜେଇ ବଦଳରେ ବେପାରୀ ବାଲି, ଗୋଡ଼ି, ନଡ଼ା ଓ ପାଳ ଭର୍ତ୍ତି କରିଦେଇଥିଲା । ଗଞ୍ଜେଇ ବେପାର ଅଭିଯୋଗରେ ପୋଲିସ ୟୁପିର ଦୀପକ, ସୁନୀଲ ଓ ଅର୍ପିତ ମୋହରୀକୁ ଗିରଫ କରିଛି ।

ବିଶ୍ବବାସୀଙ୍କୁ ଭୋକ କରିବ କଲବଲ: ୟୁକ୍ରେନରୁ ଖାଦ୍ୟଶସ୍ୟ ରପ୍ତାନୀ ଚୁକ୍ତିରୁ ଓହରିଲା ଋଷ

ମସ୍କୋ: ବିଶ୍ବରେ ଅଧିକ ଉତ୍କଟ ହେବ ଖାଦ୍ୟ ସମସ୍ୟା । ବିଶେଷ କରି ୟୁରୋପୀୟ ଦେଶରେ ପଡ଼ିବାକୁ ଯାଉଛି ହାହାକାର । କ୍ରିମିଆରେ ଋଷୀୟ ଜାହାଜ ଉପରେ ହୋଇଥିବା ଆକ୍ରମଣ ପ୍ରତିବାଦରେ ୟୁକ୍ରେନରୁ ଖାଦ୍ୟଶସ୍ୟ ରପ୍ତାନୀ ସଂକ୍ରାନ୍ତ ଚୁକ୍ତିରୁ ଓହରି ଯାଇଛି ଋଷ । ଫଳରେ ୟୁକ୍ରେନରୁ ବିଦେଶକୁ ଶସ୍ୟ ରପ୍ତାନୀ ସମ୍ଭବ ହୋଇପାରିବ ନାହିଁ ।

ଅଧିକାଂଶ ଜଳପଥ ଋଷ କବଜାରେ ଥିବାରୁ ଜାହାଜରେ ରପ୍ତାନୀ ହୋଇପାରିବ ନାହିଁ ।  ପାଶ୍ଚାତ୍ୟ ରାଷ୍ଟ୍ରର କଟକଣା ଯୋଗୁଁ ଋଷର ନିଜସ୍ବ ଶସ୍ୟ ରପ୍ତାନୀ ବାଧାପ୍ରାପ୍ତ ହେଉଛି । ଯାହା ଫଳରେ ୟୁକ୍ରେନ ଉପରେ ଦାଉ ସାଧିଛି ଋଷ । ବିଶ୍ବରେ ଖାଦ୍ୟାଭାବ ଜାରି ରହିଥିବାବେଳେ ଋଷର ଏହି ପଦକ୍ଷେପ ଖାଦ୍ୟ ସମସ୍ୟାକୁ ଅଧିକ ଘନୀଭୂତ କରିବ ।

ଶସ୍ୟ ରପ୍ତାନୀ ନେଇ ଜାତିସଂଘ ଓ ତୁର୍କୀ ମଧ୍ୟସ୍ଥତାରେ ଗତ ଜୁଲାଇରେ ଏକ ରାଜିନାମା ହୋଇଥିଲା । ରାଜିନାମା ଅନୁସାରେ ନଭେମ୍ବର ୧୯ ତାରିଖ ସୁଦ୍ଧା ୟୁକ୍ରେନରୁ ୯୦ ଲକ୍ଷ ଟନ ଖାଦ୍ୟଶସ୍ୟ ରପ୍ତାନୀ ହେବାର ଥିଲା । ଋଷର ଏହି ପଦକ୍ଷେପକୁ ତୀବ୍ର ବିରୋଧ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ସେହିପରି ବିଶ୍ବରେ ଖାଦ୍ୟ ସମସ୍ୟା ଅଧିକ ଉତ୍କଟ ହେବ ବୋଲି କହିଛନ୍ତି ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଦିମିତ୍ରି କୁଲେବା ।

ସୂଚନାଯୋଗ୍ୟ, କ୍ରିମିଆରେ ଋଷର କେତେକ ଜାହାଜ ଉପରେ ହୋଇଥିବା ହମଲାକୁ ନେଇ କ୍ଷୁବ୍ଧ ହୋଇଥିଲା ଋଷ । ଏନେଇ ବ୍ରିଟେନ ଉପରେ ଦୋଷ ଲଦିଛି ଋଷ । କ୍ରିମିଆ ଅନ୍ତର୍ଗତ କୃଷ୍ଣ ସାଗରରେ ଋଷରେ କେତେକ ଯାତ୍ରୀବାହୀ ଜାହାଜ ଓ ନୌସେନା ଜାହାଜ ଉପରେ ହୋଇଥିବା ଆକ୍ରମଣ କ୍ଷେତ୍ରରେ ୟୁକ୍ରେନକୁ ବ୍ରିଟେନ ସହାୟତା କରିଥିଲା ବୋଲି ଅଭିଯୋଗ କରିଛି ଋଷ ପ୍ରତିରକ୍ଷା ମନ୍ତ୍ରାଳୟ । ସେହିପରି ବଲଟିକ ସାଗରରେ ଗତ ସେପ୍ଟେମ୍ବର ୨୬ରେ ଅନ୍ତଃରାଷ୍ଟ୍ରୀୟ ନର୍ଡ ଷ୍ଟ୍ରିମ-1 ଓ ନର୍ଡ ଷ୍ଟ୍ରିମ-2 ଗ୍ୟାସ ପାଇପ ଲାଇନ ବିସ୍ଫୋରଣ ଘଟଣାରେ ବ୍ରିଟିଶ ନୌସେନା ସାମିଲ ଥିଲେ ବୋଲି ଅଭିଯୋଗ କରିଛି ଋଷ ।

ତେଣେ ବ୍ରିଟେନର ତତକାଳୀନ ପ୍ରଧାନମନ୍ତ୍ରୀ ଲିଜ ଟ୍ରସଙ୍କ ବ୍ୟକ୍ତିଗତ ଫୋନକୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଏଜେଣ୍ଟମାନେ ହ୍ୟାକ କରିଥିଲେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଟ୍ରସ ଓ ତାଙ୍କର ନିକଟତମ ବନ୍ଧୁ ତଥା ପୂର୍ବତନ ଅର୍ଥମନ୍ତ୍ରୀ କ୍ବାସି କ୍ବାର୍ତେଙ୍ଗଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପକୁ ପୁଟିନ ବାହିନୀ ହ୍ୟାକ କରିଛନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି ।