ପ୍ରକାଶ ପାଇଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ତାଲିକା

ନୂଆଦିଲ୍ଲୀ: ପ୍ରକାଶ ପାଇଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ତାଲିକା। ୯ ଦଶମିକ ୫୯ ଲକ୍ଷ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲାଭ ପାଇବା ନେଇ ଚିହ୍ନଟ ହୋଇଛନ୍ତି। ଏଥିରୁ ୩୦ ଜିଲ୍ଲାରୁ ରହିଛନ୍ତି ୮ଲକ୍ଷ ୧୭ହଜାର ହିତାଧିକାରୀ। ବାକି ୧ଲକ୍ଷ ୪୨ହଜାର ହିତାଧିକାରୀ ୧୪ଜିଲ୍ଲାର ଫନୀ କ୍ଷତିଗ୍ରସ୍ତ। ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସ୍ବତନ୍ତ୍ର ଭାବେ ସାମିଲ କରାଯାଇଛି।

ଚଳିତ ଥର ୧୨ଲକ୍ଷ ୨୫ ହଜାର ହିତାଧିକାରୀଙ୍କୁ ଆବାସ ଘର ଯୋଗାଇବାକୁ ଟାର୍ଗେଟ ରଖିଛନ୍ତି ରାଜ୍ୟ ସରକାର। ହିତାଧିକାରୀଙ୍କ ତାଲିକା ଗାଁ ସ୍କୁଲ, ଅଙ୍ଗନଓ୍ବାଡି କେନ୍ଦ୍ର ସମେତ ଅନ୍ୟ ପ୍ରମୁଖ ସ୍ଥାନରେ ପ୍ରଦର୍ଶିତ କରାଯାଇଛି। ଏହାକୁ ନେଇ ଆପତ୍ତି ଉଠାଇବାର ବି ବ୍ୟବସ୍ଥା କରାଯାଇଛି।

ତେବେ ଜାନୁଆରୀ ୨୪ ଭିତରେ ମିଳିଥିବା ଅଭିଯୋଗ ଗୁଡ଼ିକର ଯାଞ୍ଚ କରାଯିବ। ପିଇଓ ବା ଜିଆରଏସ୍ ସମେତ ବ୍ଲକର ଦୁଇ ଜଣ କର୍ମଚାରୀଙ୍କ ଦ୍ବାରା ସରଜମିନ ତଦନ୍ତ କରାଯାଇ ସମ୍ଭାବ୍ୟ ତାଲିକାରୁ ଅଯୋଗ୍ୟ ପରିବାରଙ୍କ ନା କାଟି ସମସ୍ତ ଯୋଗ୍ୟ ପରିବାରଙ୍କ ତାଲିକା ଗ୍ରାମସଭାର ଅନୁମୋଦନ ପାଇଁ ପଠାଯିବ । ସବୁସ୍ତରରେ ହିତାଧିକାରୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ପ୍ରଶାସନିକ ସ୍ବଚ୍ଛତା ଆଣୁଛନ୍ତି ।