କେନ୍ଦୁଝର: ଟ୍ରକ ପଛକୁ ପିଟିଲା ସ୍କର୍ପିଓ । ଘଟଣା ସ୍ଥଳରେ ତିନି ଜଣଙ୍କ ମୃତ୍ୟୁ , ଅନ୍ୟ ତିନି ଜଣ ଗୁରୁତର । କେନ୍ଦୁଝର ରୁଗୁଡି ଥାନା ବାରବାଙ୍କ ନିକଟରେ ଘଟିଛି ଏହି ସଡ଼କ ଦୁର୍ଟଣା । ମୃତକମାନେ ହେଲେ ଭଦ୍ରାସାହି ବିଜୁ ହଟିଂର ଅର୍ଜ୍ଜୁନ ମୁଣ୍ଡା, ରାଞ୍ଚି ମୁଣ୍ଡା ଓ ଜୁରିଆ ମୁଣ୍ଡା । ରୁଗୁଡିରୁ ଭଦ୍ରାସାହି ଆସୁଥିବା ସମୟରେ ଘଟିଛି ଏହି ଦୁର୍ଘଟଣା । ଗୁରୁତର ୩ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଚଳାଇଛି ।
ମାଆ ମଝିଘରିଆଣୀଙ୍କ ଦର୍ଶନ ସାରି ଫେରୁଥିଲେ, ଧକ୍କା ଦେଲା ଟ୍ରକ
ରାୟଗଡ଼ା: ମାଆ ମଝିଘରିଆଣୀଙ୍କ ଦର୍ଶନ ସାରି ପୁରା ପରିବାର ଫେରୁଥିଲେ । କିନ୍ତୁ ଅଧା ବାଟରେ ଛକି ରହିଥିଲା ଯମ । ଦେବୀ ଦର୍ଶନ ଯେ ଶେଷ ଦର୍ଶନ ହେବ । କିଏ ଜାଣିଥିଲା । ଏମିତିକି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ସୀମାନ୍ତରେ । ସୀମାନ୍ତ କେରଡ଼ା ଅଞ୍ଚଳରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଟୋକୁ ପିଟିଲା ଟ୍ରକ୍ । ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି ।
ସମସ୍ତେ ମାଆ ମଝିଘରିଆଣୀଙ୍କ ଦର୍ଶନ ସାରି ଫେରିଲାବେଳେ ଘଟିଥିଲା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମୃତକ ଆନ୍ଧ୍ରପ୍ରଦେଶ କୋମରଡା ବ୍ଲକର ହୋଇଥିବା ସୂଚନା ମିଳିଛି । ଏମିତି ଏକ ମୃତ୍ୟୁ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଅଟୋରେ ପରିବାରର ୮ ଜଣ ଥିବାବାବେଳେ । ହସଖୁସିରେ ଦେବୀ ଦର୍ଶନ ସାରି ଫେରୁଥିଲେ । ମଝି ରାସ୍ତାରେ ଧକ୍କା ଦେଇଥିଲା ଟ୍ରକ୍ । ଫଳରେ ଘଟଣା ସ୍ଥଳରେ ହିଁ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩ ଜଣ ଗୁରୁତର ହୋଇଛନ୍ତି । ସେପଟେ ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସରକାରୀ ଡ଼ାକ୍ତରଖାନାର ହେବ ରୂପାନ୍ତରୀକରଣ, 5T ଅଧିନରେ ’ଆମ ହସ୍ପିଟାଲ’
ଭୁବନେଶ୍ୱର: ସରକାରୀ ଡ଼ାକ୍ତରଖାନାର ହେବ ରୁପାନ୍ତରୀକରଣ । ସରକାରଙ୍କ ୫ଟି ଅଧିନରେ ’ଆମ ହସ୍ପିଟାଲ’ ଯୋଜନାରେ ରାଜ୍ୟର ୧୪୭ଟି ଯାକ ନିର୍ବାଚନମଣ୍ଡଳୀରେ ଚିହ୍ନଟ ହୋଇଥିବା ଡ଼ାକ୍ତରଖାନାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବାସ୍ଥ୍ୟ ବିଭାଗ ବିଜ୍ଞପ୍ତି ଜାରି କରିଛି । ଜିଲ୍ଲାସ୍ତରୀୟ କମିଟି ସହାୟତାରେ ଜିଲ୍ଲାପାଳ ଏହି ଯୋଜନାକୁ କାର୍ଯ୍ୟକାରୀ କରିବେ । ଅଣ-ଆବାସିକ କାର୍ଯ୍ୟ ପାଇଁ ୪କୋଟି ଯାଏଁ ଏବଂ ଡ଼ାକ୍ତରଖାନାର ବିଭିନ୍ନ ଯନ୍ତ୍ରପାତି କିଣିବା ପାଇଁ ୨୫ଲକ୍ଷ ଟଙ୍କା ଯାଏଁ ଖର୍ଚ୍ଚ କରିପାରିବେ ଜିଲ୍ଲାପାଳ । ଜିଲ୍ଲାପାଳଙ୍କ ଅଧିନରେ ଗଠିତ ଜିଲ୍ଲା ସ୍ତରୀୟ କମିଟିରେ ଏସପି, ଆମ ହସ୍ପିଟାଲ ଅଞ୍ଚଳର ପୌର ଅଧିକାରୀ, ଡ଼ିଆରଡ଼ିଏ ପିଡ଼ି, ପିଏଚ୍ଡ଼ି, ଆରଡ଼ବ୍ଲୁଏସ୍ଏସ୍, ପିଡ଼ବ୍ଲୁଡ଼ି, ଆରଡ଼ି ବିଭାଗର ନିର୍ବାହୀ ଯନ୍ତ୍ରୀ, ବିଡ଼ିଓ, ଏନ୍ଏଚଏମ୍ ଜିଲ୍ଲା ମ୍ୟାନେଜର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏବଂ ସମ୍ପୃକ୍ତ ଡ଼ାକ୍ତରଖାନାର ମେଡ଼ିକାଲ ଅଫିସର ସଦସ୍ୟ ଅଛନ୍ତି ।
୫ଟି ଅଧିନରେ ପ୍ରଥମ ପର୍ଯ୍ୟାୟରେ ୧୪୭ଟି ନିର୍ବାଚନମଣ୍ଡଳୀର ଗୋଟିଏ ଲେଖାଏଁ ଡ଼ାକ୍ତରଖାନାକୁ ସାମଗ୍ରୀକ ରୁପାନ୍ତର ପାଇଁ ଚୟନ କରାଯାଇଛି । ଡ଼ାକ୍ତରଖାନା ବିଲଡ଼ିଙ୍ଗର ମରାମତି ଓ ରଙ୍ଗ କାମ, ପୁରୁଷ, ମହିଳା ଓ ଦିବ୍ୟାଙ୍ଗଙ୍କ ପାଇଁ ସ୍ବଚ୍ଛ ଟଏଲେଟ, ମୋ ସରକାର ବ୍ରାଣ୍ଡିଙ୍ଗ, କ୍ୟାମ୍ପସ ପରିସରରେ ପାର୍କିଂ, ବଗିଚା, ସବୁଠି ଗୋଟିଏ ପ୍ରକାରର ପ୍ରବେଶ ପଥ, ବର୍ଷା ଜଳ ଅମଳ ପ୍ରକଳ୍ପ, ଉତ୍ସର୍ଗୀକୃତ ବିଜୁଳି ବ୍ୟବସ୍ଥା, ବର୍ଜ୍ୟବସ୍ତୁ ପରିଚାଳନା, ପାଚେରୀ କାମ ଜିଲ୍ଲାପାଳଙ୍କ ସ୍ତରରେ କରାଯିବ । ସେହିପରି ଡ଼ାକ୍ତରଖାନାକୁ ଆସୁଥିବା ରୋଗୀ ଏବଂ ସହଯୋଗୀଙ୍କ ପାଇଁ ବିଶ୍ରାମଗାର, ଥଣ୍ଡା ଓ ଗରମ ପାନୀୟ ଜଳର ବ୍ୟବସ୍ଥା, ରୋଗୀ ଭିଡ଼ ହେଲେ ଅଧିକ ଆଉଟଡ଼ୋର କାଉଣ୍ଟର, ସଳଚନା ଫଳକ, ହେଲ୍ପ ଡ଼େସ୍କର ବ୍ୟବସ୍ଥା ରହିବ ।
ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ରାଉରକେଲା ସରକାରୀ ଚିକିତ୍ସାଳୟ ଏବଂ ଭୁବନେଶ୍ବରର କ୍ୟାପିଟାଲ ହସ୍ପିଟାଲ ୫ଟି ରୁପାନ୍ତର ଯୋଜନାରେ ରହିବ । ରାଜ୍ୟର ୮ଟି ସହରାଞ୍ଚଳରେ ନୂଆ ଡାକ୍ତରଖାନା ପ୍ରତିଷ୍ଠା କରିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଯାଜପୁର ଜିଲ୍ଲାର ଯାଜପୁର, ବ୍ୟାସନଗର, ମୟୁରଭଞ୍ଜର ରାଇରଙ୍ଗପୁର, ମାଲକାନଗିରି, ବାଲେଶ୍ବରର ସୋର, ସୁନ୍ଦରଗଡ଼ର ରାଜଗାଙ୍ଗପୁର, ଅନୁଗୁଳର ତାଳଚେର ଏବଂ କଟକର ଝୋଲା ସାହିରେ ୮ଟି ଅର୍ବାନ ପ୍ରାଇମେରୀ ହେଲଥ ସେଣ୍ଟର ରୋଗୀଙ୍କ ସେବା ପାଇଁ ନୂତନ ଭାବେ ପତିଷ୍ଠା କରାଯିବ ।
ସାଂସଦ ମାନସ ମଙ୍ଗରାଜଙ୍କ ପ୍ରତିକ୍ରିୟା, ବିଜେପି ମନଗଢା କାହାଣୀରୁ ବାହାରୁ
ଭୁବନେଶ୍ୱର: ନବ ଦାସଙ୍କ ହତ୍ୟା ଘଟଣାରେ କ୍ରାଇମବ୍ରଞ୍ଚ ଟିମକୁ ସହାୟତା କରିବ FBI । ଘଟଣାର ମୂଳକୁ ଯିବା ପାଇଁ ଅଭିଯୁକ୍ତର ବିହେଭିୟରାଲ୍ ପରିବର୍ତ୍ତନ ଜାଣିବାକୁ ଏଫବିଆଇର ସହାୟତା ନିଆଯିବ । ବିଧାନସଭାରେ ମୁଖ୍ୟମନ୍ତ୍ରୀ ବିବୃତ୍ତି ରଖିବା ପରେ ସାଂସଦ ମାନସ ମଙ୍ଗରାଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଟ୍ୱିଟ କରି ସାଂସଦ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା କାଦୁଅ ଫିଙ୍ଗା ରାଜନୀତି ଉପରେ ବିଜୟ ସଦୃଶ୍ୟ ।
ଏଥିସହ ବିଜେପି ପ୍ରଥମେ ମନଗଢ଼ା କାହାଣୀରୁ ବାହାରକୁ ଆସିବା ଦରକାର ବୋଲି କହିଛନ୍ତି। ଜଣେ ପୋଲିସ କର୍ମଚାରୀଙ୍କ ଭୁଲ ପାଇଁ ସାରା ରାଜ୍ୟର ପୋଲିସ କର୍ମଚାରୀଙ୍କୁ ଦାୟୀ କରିବା ଠିକ୍ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭାରେ କହିଥିବା ଉଲ୍ଲେଖ କରିଛନ୍ତି ସାଂସଦ ମାନସ ମଙ୍ଗରାଜ ।
ବିରୋଧି ଦଳ ନେତା ଏବଂ ବିରୋଧି ଦଳ ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ରାଜନୀତିର ରଙ୍ଗ ବୋଳୁଛନ୍ତି । ଏମିତିକି ସ୍ୱର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସ ପ୍ରତିକ୍ରିୟା ଦେଇ ତାଙ୍କ ପରିବାରକୁ କଷ୍ଟ ନଦେବାକୁ ଅନୁରୋଧ କରିଥିଲେ । ସେ କହିଥିଲେ ତଦନ୍ତ ସଠିକ ଦିଗରେ ଯାଉଛି । ରାଜ୍ୟ ପୋଲିସ ଏବଂ କ୍ରାଇମବ୍ରାଞ୍ଚ ଟିମ୍ ଉପରେ ତାଙ୍କ ପରିବାରର ସମ୍ପୂର୍ଣ୍ଣ ଭରସା ଓ ବିଶ୍ୱାସ ରହିଛି । ତେଣୁ ବିରୋଧି ଦଳ ଏହାକୁ ନେଇ ରାଜନୀତି ନକରିବାକୁ କହିଥିଲେ ଦୀପାଳି ।
ଶିକ୍ଷକଙ୍କ ଜୋତା ମାଡରେ ଛାତ୍ରଛାତ୍ରୀ ଆହତ , କାର୍ଯ୍ୟାନୁଷ୍ଠାନ ଦାବି କଲେ ଅଭିଭାବକ
ସୁବର୍ଣ୍ଣପୁର: ଶିକ୍ଷକଙ୍କ ଜୋତା ମାଡରେ ଛାତ୍ରଛାତ୍ରୀ ଆହତ । ପ୍ରଧାନ ଶିକ୍ଷକ ତଥା ଥାନାରେ ଅଭିଯୋଗ କରି ନ୍ୟାୟ ନ ମିଳିବାରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ବାରସ୍ଥ ହେଲେ ଅଭିଭାବକ । ଗତ 15ତାରିଖ ଦିନ ସୁବର୍ଣ୍ଣପୁର ବିନିକା ବ୍ଲକ ସାଲମାଟିକିରା ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଦେବେନ୍ଦ୍ର କୁମାର ପୁରୋହିତ ସେହି ବିଦ୍ୟାଳୟର ଜଣେ ଛାତ୍ର କୁନୁ ବାଘ ଓ ଜଣେ ଛାତ୍ରୀ ଶିବାନୀ ସାଲମାଙ୍କୁ ନିଜ ଜୋତାରେ ମାରିଥିଲେ ।
ଫଳରେ ଉଭୟ ଛାତ୍ରଛାତ୍ରୀ ଆହତ ହୋଇ ବିନିକା ଡାକ୍ତରଖାନାରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ ।ପରେ ପରେ ଉଭୟଙ୍କ ବାପା ମା ପ୍ରଧାନ ଶିକ୍ଷକଙ୍କୁ ଅଭିଯୋଗ କରିବା ସହିତ ବିନିକା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ହେଲେ ଆଜକୁ ସାତ ଦିନ ବିତିଯାଇଥିଲେ ହେଁ ମାଡ ମାରିଥିବା ଶିକ୍ଷକଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଅବିଭାବକମାନେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସି ଅଭିଯୋଗ କରିଛନ୍ତି । ମାଡ ମାରିଥିବା ଶିକ୍ଷକଙ୍କ ଉପରେ ଦୃଷ୍ଟାନ୍ତମୁଳକ କାର୍ଯ୍ୟାନୁଷ୍ଠାନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଧମକ ଦେଇଛନ୍ତି ।
ସୋସିଆଲ୍ ମିଡିଆ ସେନସେସନ୍ ପାଲଟିଲେ ବିହାର ଯୁବକ
ପାଟଣା: ସୋସିଆଲ୍ ମିଡିଆ ସେନସେସନ୍ ପାଲଟିଛନ୍ତି ବିହାରର ଯୁବକ ଅମରଜିତ ଜାକର। ଅମରଜିତ କୌଣସି ପେଶାଦାର ସିଙ୍ଗର ନହୋଇଥିଲେ ବି ତାଙ୍କ ଗୀତକୁ ଖୁବ୍ ପ୍ରଶଂସା କରିଛନ୍ତି ୟୁଜର୍ସ।
ତାଙ୍କର ଏକ ଭିଡ଼ିଓ ଟ୍ୱିଟରରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଏମିତିକି ଫେସବୁକରେ ୪-୫ ମିଲିୟନ୍ ଭ୍ୟୁଜ ମିଳିଛି । ୨୧ ବର୍ଷୀୟ ଅମରଜିତ ବିହାରର ସମସ୍ତିପୁର ଜିଲ୍ଲାର ବହୁଆ ଗାଁର ବାସିନ୍ଦା। ଭାଇରାଲ୍ ହେବାକୁ ନେଇ ସେ କହିଛନ୍ତି, ‘‘ପୂର୍ବରୁ ଲାଗୁଥିଲା ମୁଁ ଠିକଠାକ୍ ଗାଉଛି କିନ୍ତୁ ଏବେ ଭାଇରାଲ୍ ହେଲା ପରେ ସେମିତି କିଛି ଫିଲ୍ ହେଉନି। ଇଣ୍ଡିଆନ୍ ଆଇଡଲରେ ଗାଇବା ମୋର ସ୍ୱପ୍ନ ।
बिहार में टैलेंट का कमी थोड़े हैं, बिना किसी ऑटो ट्यून के कितना गजब आवाज हैं ❤️👌 pic.twitter.com/VxCjf9N65S
— छपरा जिला 🇮🇳 (@ChapraZila) February 19, 2023
ଯୁକ୍ତ ୩ର ପ୍ରଥମ ବର୍ଷରେ ପଢୁଥିବା ଅମରଜିତଙ୍କ ମେନ୍ ଫୋକସ୍ ହେଉଛି ଗୀତ ଗାଇବା। ଏନେଇ ସେ କୁହନ୍ତି, ମୁଁ ଆଗରୁ ଷ୍ଟେଜ ଶୋ କରୁଥିଲି । ଖାସ୍ କରି ବଡ଼ବଡ଼ ଫଙ୍କସନରେ ଗୀତ ଗାଇବା ଆରମ୍ଭ କରିଥିଲି । ପୂର୍ବରୁ ସେ ପାର୍ଟି ଫଙ୍କସନରେ ୱେଟର ଭାବେ କାମ କରୁଥିଲେ । ଧିରେଧିରେ ସେହି ଫଙ୍କସନରେ ଗାଇବା ଆରମ୍ଭ କରିଥିଲେ।
ଭାଇରାଲ୍ ହେଉଥିବା ଏହି ଭିଡ଼ିଓକୁ ବଲିଉଡର ନାମୀଦାମୀ ସେଲିବ୍ରିଟି ମଧ୍ୟ ଶେୟାର କରିଛନ୍ତି । ତେବେ ପ୍ରଥମେ ପରିବାର ଲୋକେ ତାଙ୍କୁ ସପୋର୍ଟ କରୁନଥିଲେ । କିନ୍ତୁ ଏକଦା ଏକ ଇଭେଣ୍ଟରେ ଜିତି ପୁରସ୍କାର ସ୍ୱରୂପ ୬୦୦୦ ଟଙ୍କା ପାଇଥିଲେ । ସେଥିରେ ଘର ପାଇଁ ଏକ ଗ୍ୟାସ ସିଲିଣ୍ଡର କିଣିଥିଲେ । ପରେ ପରେ ତାଙ୍କୁ ପରିବାରର ସମର୍ଥନ ମିଳିବାରେ ଲାଗିଥିଲା ।
ପାରିବାରିକ ବିବାଦର କରୁଣ ପରିଣତି
ଯାଜପୁର: ପାରିବାରିକ ବିବାଦର କରୁଣ ପରିଣତି । ଧାରୁଆ ଅସ୍ତ୍ରରେ ପତ୍ନୀକୁ ହତ୍ୟା କଲା ସ୍ବାମୀ । ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଦତ୍ତପୁର ପଞ୍ଚାୟତର ହେମନ୍ତପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗାଁର ରନ୍ଥା ଜେନା ପତ୍ନୀ ରେଣୁକାଙ୍କୁ ପନିକିରେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ରେଣୁକାଙ୍କ ପରିବାର ଲୋକ ମଙ୍ଗଳପୁର ଥାନାରେ ହତ୍ୟା ନେଇ ଅଭିଯୋଗ କରିଛନ୍ତି ।
ମଙ୍ଗଳପୁର ପୋଲିସ ଖବର ପାଇ ମୃତଦେହକୁ ଜବତ କରିବା ସହ ଘଟଣାସ୍ଥଳରେ ପଡିରହିଥିବା ପନିକିକୁ ଜବତ କରିବା ସହ ସ୍ୱାମୀକୁ ଥାନାରେ ଅଟକ ରଖିଛି । ପୂର୍ବରୁ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ ବିବାଦ ଲାଗି ରହିଥିଲା । ସେହି କାରଣରୁ ଏଭଳି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ପୋଲିସ ଏହାର ଅଧିକ ତଦନ୍ତ ଆରମ୍ଭ କରିଛି ।
ଆପର ଶେଲୀ ଓବରୟ ଜିତିଲେ ଦିଲ୍ଲୀ ମେୟର ନିର୍ବାଚନ
ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ଶେଲୀ ଓବରୟ ବନିଲେ ଦିଲ୍ଲୀର ନୂଆ ମେୟର। ଏହି ନିର୍ବାଚନରେ ଶେଲୀଙ୍କୁ ୧୫୦ ଓ ବିଜେପି ପ୍ରାର୍ଥୀଙ୍କୁ ୧୧୬ ଭୋଟ୍ ମିଳିଛି ।
ମେୟର ନିର୍ବାଚନ ଜିତିବା ପରେ ଶେଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍, ଡେପୁଟି ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ସମେତ ସୁପ୍ରିମକୋର୍ଟର ଚିଫ୍ ଜଷ୍ଟିସଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, କାଲିଠୁ ଆମେ କାମ ଆରମ୍ଭ କରିବୁ । ଖାସକରି ଅଳିଆ ଆବର୍ଜନା ଉପରେ ଅଧିକ ଗୁରୁତ୍ୱ ଦେବୁ ।
ମତଦାନ କରିଥିଲେ ୨୬୬ ସାଂସଦ, ବିଧାୟକ ଓ କାଉନସିଲର। ଫଳରେ ଏମସିଡିରେ ବିଜେପିର ୧୫ବର୍ଷର ରାଜତ୍ବର ଅବସାନ ଘଟିଛି । ଦିଲ୍ଲୀ ଇଷ୍ଟ ପଟେଲ ନଗରରୁ ପ୍ରଥମ ଥର ଲାଗି କାଉନସିଲର ହୋଇଥିବା ଶେଲୀ ହୋଇଛନ୍ତି ମେୟର । ଆଜିର ନିର୍ବାଚନରେ ପ୍ରଥମେ ଭୋଟ ଦେଇଥିଲେ ଦିଲ୍ଲୀ ସାଂସଦ ।
ନିର୍ବାଚନ ଲାଗି ଏମସିଡି ଭବନ ଆଗରେ କରାଯାଇଥିଲା କଡା ସୁରକ୍ଷା ବ୍ୟବସ୍ଥା । ଲେଫ୍ଟନାଣ୍ଟ ଜେନେରାଲ ଭି.କେ. ସକ୍ସେନାଙ୍କ ମନମୁଖିତା କାରଣରୁ ୩ ଥର ସ୍ଥଗିତ ହୋଇଥିଲା ଭୋଟିଂ। ଏଲଜିଙ୍କ ଏକଛତ୍ରବାଦୀ ନୀତି ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ଶେଲୀ । ଶେଷରେ ୧୦ ମନୋନୀତ କାଉନସିଲର ଭୋଟ ଦେଇପାରିବେ ନାହିଁ ବୋଲି ସିଜେଆଇ ଡି.ଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ କହିବା ସହ ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
‘ଅଭିଯୁକ୍ତର ମାନସିକ ସ୍ଥିତି ଜାଣିବାରେ FBI ସହାୟକ ହେବ’
ଭୁବନେଶ୍ୱର: ନବ ଦାସ ହତ୍ୟାକାଣ୍ଡରେ ଏଫବିଆଇର ସହାୟତା ତଦନ୍ତ ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବ ବୋଲି କହିଛନ୍ତି ପୂର୍ବତନ ପୋଲିସ ଡିଜି ସଞ୍ଜିବ ମାରିକ । ଅଭିଯୁକ୍ତର ମାନସିକ ପରିସ୍ଥିତି ଜାଣିବାକୁ ଏଫବିଆଇ ବେଶ ସହାୟକ ହେବ । ପୂର୍ବରୁ ଗୋପାଳର ନାର୍କୋ ଓ ପଲ୍ଲିଗ୍ରାଫ୍ ଟେଷ୍ଟ ସରିଛି । ତଦନ୍ତ ପ୍ରକ୍ରିୟାରେ FBIର ସହଯୋଗ ନିଆଯିବା ନିଶ୍ଚିତ ଭାବେ ସ୍ବାଗତ ଯୋଗ୍ୟ ପଦକ୍ଷେପ ବୋଲି ପୂର୍ବତନ ଡିଜିପି କହଛନ୍ତି ।
କ୍ରିମିନାଲ ଆସିଷ୍ଟାଣ୍ଟ କ୍ଷେତ୍ରରେ ଭାରତ ସହ ଆମେରିକାର ସମ୍ପର୍କ ଭଲ ରହିଛି । ଗୃହ ମନ୍ତ୍ରଣାଳୟ ଚାହିଁଲେ FBI ନବ ଦାସଙ୍କ ହତ୍ୟା ଘଟଣାର ତଦନ୍ତ କରିବ । ସିବିଆଇ ତଦନ୍ତ ନେଇ ଯେଉଁ ଦାବି ଉଠୁଛି ତାହା ଭିତ୍ତିହୀନ । ସିବିଆଇ ପାଖରେ ଅଭିଯୁକ୍ତର ମାନସିକ ସ୍ଥିତି ଜାଣିବା ଭଳି କିଛିବ୍ୟବସ୍ଥା ନାହିଁ ବୋଲି ପୂର୍ବତନ ଡିଜିପି ମାରିକ କହିଛନ୍ତି ।
ନବ ଦାସ ହତ୍ୟା ମାମଲାରେ ବିଜେପି ହୀନ ରାଜନୀତି କରୁଛି: ସସ୍ମିତ ପାତ୍ର
ଭୁବନେଶ୍ୱର: ନବକିଶୋର ଦାସ ହତ୍ୟା ଘଟଣାକୁ ନେଇ ସାଂସଦ ସସ୍ମିତ ପାତ୍ରଙ୍କ ପ୍ରତିକ୍ରିୟା। ଗୁଳିକାଣ୍ଡ ଘଟଣାରେ ଅଭିଯୁକ୍ତ ଗୋପାଳ ଦାସକୁ ଗିରଫ କରାଯାଇଛି। ଗୁଜରାଟର ଫରେନସିକ୍ ଲାବରେଟୋରୀରେ ଗୋପାଳର ନାର୍କୋ ଟେଷ୍ଟ କରାଯାଇଛି। ସେହିପରି ଦିଲ୍ଲୀର ସିଏଫଏସଲ ଟିମ୍ ଦ୍ବାରା ଗୋପାଳର ମାନସିକ ପରୀକ୍ଷା ଓ ଏଲଭିଏ ଟେଷ୍ଟ କରାଯାଇଛି ବୋଲି କହିଛନ୍ତି ସସ୍ମିତ ପାତ୍ର।
ତଦନ୍ତରେ ସ୍ବଚ୍ଛତା ଆଣିବା ପାଇଁ ଆମେରିକାର ଏଫବିଆଇର ସହାୟତା ନିଆଯାଇଛି । ଅଭିଯୁକ୍ତ ଗୋପାଳର ବିହେବରାଲ ଯାଞ୍ଚ କରିବାକୁ ସହାୟତା ଲୋଡାଯାଇଛି। ଏନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯାଇଛି ବୋଲି କହିଛନ୍ତି ସସ୍ମିତ ପାତ୍ର । ଅନ୍ୟପଟେ ଜଣେ ଅବସରପ୍ରାପ୍ତ ବିଚାରପତି ତଦନ୍ତର ତଦାରଖ କରୁଛନ୍ତି । ହେଲେ ରାଜ୍ୟ ବିଜେପି ଏନେଇ ହୀନ ରାଜନୀତି କରୁଛି ବୋଲି କହିଛନ୍ତି ସସ୍ମିତ ପାତ୍ର ।

