spot_img
Home Blog Page 3540

ଅଷ୍ଟମ ଦିନରେ କଂସର ଚିଟାଉ ନେଇ ଗୋପପୁର ଯିବେ ଅକ୍ରୁର

ବରଗଡ଼ : ମୃତ୍ୟୁକୁ ନେଇ ଭୟଭୀତ ମହାରାଜା କଂସ । କଳେବଳେ କୌଶଳେ ନିଜର କାଳ ହୋଇ ଗୋପରେ ବଢୁଥିବା କୃଷ୍ଣଙ୍କୁ ମାରିବାକୁ କରିଛି ଯୋଜନା । ନାରଦଙ୍କ ପରାମର୍ଶ କ୍ରମେ ମଥୁରାରେ ଆୟୋଜନ କରିଛି ଧନୁଯାତ୍ରା । ଏଥିପାଇଁ ନିଜର ସମର୍ଥିତ ସମସ୍ତ ଅସୁର ରାଜାଙ୍କ ସହଯୋଗ ଲୋଡିଛି । ଆଜି ବରଗଡ଼ ଧନୁଯାତ୍ରାର ଅଷ୍ଟମ ଦିନରେ କଂସର ଚିଟାଉ ନେଇ ଅକ୍ରୁର ଗୋପପୁର ଯାତ୍ରା କରିବେ ।

ଯମୁନାରେ ଶ୍ରୀକୃଷ୍ଣଙ୍କ ପାଦ ଚିହ୍ନ ଦେଖି ଭାବବିହ୍ବଳ ହେବେ ଭକ୍ତ ଅକ୍ରୁର । ଏହାପରେ କୃଷ୍ଣ ବଳରାମଙ୍କ ସହ ସାକ୍ଷାତ କରିବେ । ସେପଟେ ଗୋପରେ ଇନ୍ଦ୍ରଙ୍କ ଗର୍ବ ଭାଙ୍ଗିବେ ଗର୍ବଗଞ୍ଜନ ଭଗବାନ ଶ୍ରୀକୃଷ୍ଣ । ବର୍ଷା ଓ ଝଡରୁ ଗୋପପୁରବାସୀଙ୍କୁ ଲକ୍ଷା କରିବାକୁ ନିଜର ଆଙ୍ଗୁଠିରେ ଧାରଣ କରିବେ ଗିରି ଗୋବର୍ଦ୍ଧନ ।

ଯାତ୍ରାର ସପ୍ତମ ଦିନରେ ଗୋପରେ ରାଧାକୃଷ୍ଣଙ୍କ ନାବକେଳି ଦେଖିବାକୁ ଜମିଥିଲା ହଜାର ହଜାର ଦର୍ଶକଙ୍କ ଭିଡ଼ । ଦେବଗଡ଼ ମନୋବନ୍ଧରେ ଏହି ଦୃଶ୍ୟକୁ ଦେଖିବାକୁ ଅପେକ୍ଷା କରିଥିଲେ ଦର୍ଶକ । ସେହିପରି ଗୋପରେ କଂସଙ୍କ ଅସୁର ରାଜାଙ୍କ ସହ ମନ୍ତ୍ରଣା, ବିଭିନ୍ନ ଅଫିସରଙ୍କ ସହ ଆଲୋଚନା ସାଙ୍ଗକୁ ଦୁର୍ଗା ମନ୍ଦିରରେ ପୂଜା ଦୃଶ୍ୟ ଅଭିନିତ ହୋଇଥିଲା ।

ଦିଲ୍ଲୀରୁ ଆଜି ପୁଣି ଆରମ୍ଭ ଭାରତ ଯୋଡୋ ଯାତ୍ରା

ନୂଆଦିଲ୍ଲୀ :  ଦିଲ୍ଲୀ ଯମୁନା ବଜାରସ୍ଥିତ ହନୁମାନ ମନ୍ଦିରରୁ ଆଜି ଆରମ୍ଭ ହେବ ଭାରତ ଯୋଡୋ ଯାତ୍ରା । ଏହି ଯାତ୍ରା ଉତ୍ତରପ୍ରଦେଶ ଘାଜିଆବାଦ ଅଭିମୁଖେ ଯିବ । ରାହୁଲ ଗାନ୍ଧିଙ୍କ ନେତୃତ୍ବରେ ବାହାରିବାକୁ ଥିବା ଏହି ଯାତ୍ରାରେ ଭାଗ ନେବେ ବହୁ ହେଭିଓ୍ବେଟ ଓ ଶହ ଶହ କର୍ମୀ । ଉତ୍ତରପ୍ରଦେଶରେ ୧୨୦ କିଲୋମିଟର ଯାତ୍ରା ପରେ ଏହି ଅଭିଯାନ ଆସନ୍ତା ୫ ତାରିଖରେ ହରିଆଣାର ପାନିପଥରେ ପ୍ରବେଶ କରିବ ।

ଘାଜିଆବାଦ ଅତିକ୍ରମ କରିବା ପରେ ଅଭିଯାତ୍ରୀମାନେ ବାଗପତସ୍ଥିତ ମାବିକାଲାଠାରେ ରାତ୍ରୀଯାପନ କରିବେ । ଯାତ୍ରା ଅବସରରେ ବିଜେପିର କୁଶାସନ ବିରୋଧରେ ଲୋକଙ୍କୁ ସଚେତନ କରାଯିବା ସହ ଦଳକୁ ମଜଭୁତ କରିବା ଲାଗି ଆହ୍ବାନ ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀରୁ ପ୍ରାୟ ଅଢେଇ ହଜାର କର୍ମୀ ସାମିଲ ହୋଇଥିବା ସୂଚନା ମିଳିଛି । ଉତ୍ତରପ୍ରଦେଶର ସମସ୍ତ ୭୫ଟି ଜିଲ୍ଲାର କର୍ମୀ ବିଭିନ୍ନ ପର୍ଯ୍ୟାୟରେ ସାମିଲ ହେବେ । ଗତ ୨୪ ତାରିଖରେ ଦିଲ୍ଲୀରେ ଭାରତ ଯୋଡୋ ଯାତ୍ରା ପହଞ୍ଚିବା ପରେ କିଛିଦିନ ଲାଗି ଏହାକୁ ସ୍ଥଗିତ ରଖାଯାଇଥିଲା ।

ସେପଟେ ଭାରତ ଯୋଡୋ ଯାତ୍ରାରେ ସାମିଲ ହେବା ଲାଗି ରାହୁଲ ଗାନ୍ଧି କରିଥିବା ଅନୁରୋଧକୁ ସ୍ବାଗତ କରିଛନ୍ତି ସମାଜବାଦୀ ପାର୍ଟି ନେତା ଅଖିଳେଶ ସିଂ ଯାଦବ । ଭାରତ ଯୋଡୋ ଯାତ୍ରାର ସଫଳତା କାମନା କରିଛନ୍ତି ଅଖିଳେଶ । ଭ୍ରାତୃତ୍ବବୋଧ, ଅହିଂସା, ସହଯୋଗ, ସଂହତିର ବାର୍ତ୍ତା ନେଇ ଚାଲିଥିବା ଯାତ୍ରାକୁ ସେ ଶୁଭେଚ୍ଛା ଜଣାଇଛନ୍ତି ।

ଯାତ୍ରା ଲାଗି ଦିଲ୍ଲୀ ପୋଲିସ ପକ୍ଷରୁ ଟ୍ରାଫିକ ଆଜଭାଇଜରି ଜାରି କରାଯାଇଛି । ମାର୍ଗାରେଟ ଓ୍ବାଲେ ବାବା, ହନୁମାନ ମନ୍ଦିର, ଲୋନି ବର୍ଡର, ଶାସ୍ତ୍ରୀ ପାର୍କ ମେଟ୍ରୋ ଷ୍ଟେସନ, ପୁରୁଣା ଜିଟି ରୋଡ, ଫର୍ଣ୍ଣିଟର ମାର୍କେଟ, ଅନସାରୀ ରୋଡ, ମଉଜପୁରୀ, ବାବରପୁର, ଓ୍ବାଜିରାବାଦ ରୋଡ ଆଦି ଇଲାକାରେ ପୋଲିସ ପକ୍ଷରୁ ନିରାପତ୍ତାମୂଳକ ପଦକ୍ଷେପ ନିଆଯାଇଛି ।

ଦୁର୍ଦ୍ଦଶାରେ ଟେସଲା ଓ ସ୍ପେସଏକ୍ସ ଓନର ; ବିକୁଛନ୍ତି କମ୍ପାନିର ଫର୍ଣ୍ଣିଚର ଓ କିଚେନ ସାମଗ୍ରୀ

ଓ୍ବାଶିଂଟନ : ବିଲିୟନେୟାରଙ୍କ ବଢୁଛି ଦୁର୍ଦ୍ଦଶା । ଟୁଇଟର ମାଲିକ ଏଲନ ମସ୍କଙ୍କ ଲାଗି ଆସିଛି ଅତି ଖରାପ ସମୟ । ନା ଦେଇପାରୁଛନ୍ତି ଅଫିସ ଭଡ଼ା ନା ସୁଧାରିପାରୁଛନ୍ତି କମ୍ପାନି ସ୍ଥିତି । ରାତାରାତି ୨୦୦ ବିଲିୟନ ଡଲାର କ୍ଷତି ସହିଥିବା ଟୁଇଟର, ଟେସଲା ଓ ସ୍ପେସଏକ୍ସ ମାଲିକ ମସ୍କ ଏବେ ଗଭୀର ଚିନ୍ତାରେ । ଟୁଇଟର ଅଧିକୃତ କରିବା ପରେ ସେ ବିଶ୍ବସ୍ତରରେ ପ୍ରାୟ ୫୦ ଭାଗ କର୍ମଚାରୀଙ୍କୁ ଛଟେଇ କରିସାରିଲେଣି ।

କମ୍ପାନିର ସ୍ଥିତି ଏପରି  ହେଲାଣି ଯେ କର୍ମଚାରୀଙ୍କ ଲାଗି ରହିଥିବା ସୁବିଧା ଗୁଡିକୁ ସେ ହଟାଇ ନେଲେଣି । କେବଳ ଏତିକି ନୁହେଁ ସେ କମ୍ପାନିର ଫର୍ଣ୍ଣିଚର, କିଚେନ ସାମଗ୍ରୀ ଆଦି ବିକ୍ରି କରିବା ଆରମ୍ଭ କଲେଣି । ବର୍ତ୍ତମାନ ସୁଦ୍ଧା ସାନଫ୍ରାନସିସ୍କୋ ଅଫିସ ଭଡା ପରିମାଣ ହେଲାଣି ୧ କୋଟି ୧୨ ଲକ୍ଷ ଟଙ୍କା , ଯାହା ଦେଇ ପାରିନାହାନ୍ତି ମସ୍କ । ହେଡକ୍ବାର୍ଟର୍ସର ଅଫିସଗୁଡିକୁ ମସ୍କ ବେଡରୁମରେ ପରିଣତ କରିସାରିଲେଣି । ଏହାର ଉଦ୍ଦେଶ୍ୟ ହେଉଛି କର୍ମଚାରୀମାନେ ସାରା ଦିନ କମ୍ପାନି ଲାଗି କାର୍ଯ୍ୟ କରିବେ

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ କେଦାରପଲ୍ଲୀ ବସ୍ତିରେ ତୀବ୍ର ବିରୋଧ

ଭୁବନେଶ୍ୱର: ସାଢେ ୩ବର୍ଷ ଯାଏ କୁଆଡ଼େ ଯାଇଥିଲେ । ଆଜି କେମିତି ଆମେ ମନେପଡ଼ିଗଲୁ । ଭୁବନେଶ୍ବରରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ଜନ ଆକ୍ରୋଶ । କେଦାରପଲ୍ଲୀ ବସ୍ତିରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରବଳ ବିରୋଧ । ସାଢେ ୩ବର୍ଷ ପରେ କୁଆଡ଼େ ଆସିଛ ବୋଲି ପ୍ରଶ୍ନ କଲେ ଜନସାଧାରଣ । ଭୋଟ ବେଳକୁ ଆସି ସ୍ବପ୍ନ ଦେଖାଇଥିଲ, ତାପରେ କୁଆଡ଼େ ହଜିଗଲ ବୋଲି ସାଂସଦଙ୍କୁ ସାମ୍ନାରେ ପାଇ ପ୍ରଶ୍ନ କରିଥିଲେ ବସ୍ତିବାସିନ୍ଦା ।

୨୦୧୯ ନିର୍ବାଚନରେ ଭୋଟ ମାଗିବାକୁ ବସ୍ତିକୁ ଆସିଥିଲେ ଅପରାଜିତା । ତାପରେ ମ୍ୟାଡାମଙ୍କର ଆଉ ଦେଖା ମିଳିନଥିଲା । ସାଢେ ୩ବର୍ଷ ଧରି ଲୋକଙ୍କ ପାଖକୁ ଆସିନଥିଲେ ସାଂସଦ ଅପରାଜିତା । ଆଜି ବସ୍ତିକୁ ଆସିଥିବାବେଳେ ଲୋକ କୁଆଡ଼େ ଆସିଛ ବୋଲି ପ୍ରଶ୍ନ କରି ଅସନ୍ତୋଷ ପ୍ରକାଶ କରିଥିଲେ । ବିରୋଧକୁ ସାମ୍ନା କରିନପାରି ଘଟଣାସ୍ଥଳରୁ ଫେରିଯାଇଥିଲେ ଅପରାଜିତା ଷଡ଼ଙ୍ଗୀ । ଘଟଣାର ଭିଡିଓ କରିବାରୁ ଜଣେ ଯୁବକଙ୍କ ମୋବାଇଲ ଅପରାଜିତାଙ୍କ ସମର୍ଥକ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ସ୍ଥିତି ଲାଗି ରହିଥିଲା ।

ଜାନୁଆରୀ ୩୧ରୁ ସଂସଦର ବଜେଟ ଅଧିବେଶନ

ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ ୩୧ରୁ ସଂସଦର ବଜେଟ ଅଧିବେଶନ । ଫେବ୍ରୁଆରୀ ୧ରେ ଆସିପାରେ ବଜେଟ । ଏହି ଅଧିବେଶନ ଆସନ୍ତା ଏପ୍ରିଲ ୬ ଯାଏ ଚାଲିବା ସମ୍ଭାବନା ରହିଛି । ପ୍ରଥମ ଦିନ ସଂସଦର ମିଳିତ ଅଧିବେଶନରେ ଉଦବୋଧନ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସଂସଦର ମିଳିତ ଅଧିବେଶନରେ ପ୍ରଥମ ଥର ଲାଗି ଉଦବୋଧନ ଦେବେ ରାଷ୍ଟ୍ରପତି । ବଜେଟ ଅଧିବେଶନ ଆରମ୍ଭର ପ୍ରଥମ ଦିନରେ ଆଗତ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ । ଫେବ୍ରୁଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିବେ । ଆସନ୍ତା ଫେବ୍ରୁଆରୀ ୧୦ ଯାଏ ଚାଲିବ ସଂସଦର ପ୍ରଥମ ପର୍ଯ୍ୟାୟ । ସଂସଦର ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୬ରୁ ଆରମ୍ଭ ହୋଇ ଏପ୍ରିଲ ୬ରେ ସରିବ ।

ଜୋମାଟୋରୁ ଇସ୍ତଫା ଦେଲେ ଚତୁର୍ଥ କୋ-ଫାଉଣ୍ଡର ଗୁଞ୍ଜନ ପଟିଦାର

ନୂଆଦିଲ୍ଲୀ: ଖାଦ୍ୟ ଓ ପାନୀୟ ସାମଗ୍ରୀର ଅନଲାଇନ୍ ଡେଲିଭରି ସୁବିଧା ଦେଉଥିବା ପ୍ଲାଟଫର୍ମ ଜୋମାଟୋର କୋ-ଫାଉଣ୍ଡର ଏବଂ ଚିଫ୍ ଟେକ୍ନୋଲୋଜି ଅଫିସର ଗୁଞ୍ଜନ ପଟିଦାର ଇସ୍ତଫା ଦେଇ ଦେଇଛନ୍ତି । ଗତ କିଛି ସମୟ ହେବ କମ୍ପାନୀରୁ ଅନେକ ବଡ଼ ଅଧିକାରୀ ଇସ୍ତଫା ଦେଇ ବାହାରିଯାଇଛନ୍ତି ଏବଂ ଗୁଞ୍ଜନ ପଟିଦାର ଏହି କ୍ରମରେ ନୂଆ ନାଁ ଅଟେ । ପଟିଦାରଙ୍କ ଇସ୍ତଫାର କିଛି ସପ୍ତାହ ପୂର୍ବରୁ କମ୍ପାନୀର ଆଉ ଜଣେ କୋ-ଫାଉଣ୍ଡର ମୋହିତ ଗୁପ୍ତା ମଧ୍ୟ ଇସ୍ତଫା ଦେଇଥିଲେ । କମ୍ପାନୀର ନ୍ୟୁ ଇନିସିଏଟିଭ ହେଡ ଏବଂ ପୂର୍ବତନ ଫୁଡ ଡେଲିଭରି ଚିଫ ରାହୁଲ ଗାଞ୍ଜୁ ଏବଂ ଏହାର ଇଣ୍ଟରସିଟି ଲିଜେଡ ସର୍ଭିସେଜର ହେଡ ସିଦ୍ଧାର୍ଥ ଝବାର ମଧ୍ୟ ନିକଟରେ କମ୍ପାନୀରୁ ଇସ୍ତଫା ଦେଇଥିଲେ ।

ପଟିଦାର ଜୋମାଟୋର କିଛି କର୍ମଚାରୀମାନଙ୍କ ମଧ୍ୟରେ ସାମିଲ ଥିଲେ ଏବଂ ସେ କମ୍ପାନୀର କୋର ଟେକ ସିଷ୍ଟମକୁ ବିକଶିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିଲେ । କମ୍ପାନୀ ସେୟାର ମାର୍କେଟକୁ ପଠାଇଥିବା ସୂଚନାରେ କହିଛି ଯେ ଗତ ୧୦ରୁ ଅଧିକ ବର୍ଷରେ ସେ ଜମାଟୋର ଟେକ ଲିଡରସିପ୍ ଟିମକୁ ମଧ୍ୟ ଛିଡ଼ା କରାଇଥିଲେ । ୨୦୨୨ ବର୍ଷରେ ଟେକ ସେୟାରରେ ହ୍ରାସ ମଧ୍ୟରେ ଜୋମାଟୋର ସେୟାର ନିଜର ୧୬୨ ଟଙ୍କାର ପିକରୁ ପ୍ରାୟ ୫୦ ପ୍ରତିଶତରୁ ଅଧିକ ହ୍ରାସ ପାଇ ସାରିଛି । ଜୋମାଟୋର ସେୟାର ଆଜି ବିଏସଇରେ ୧.୬୯ ପ୍ରତିଶତ ହ୍ରାସ ପାଇ ୬୦.୩୦ ଟଙ୍କାରେ ବନ୍ଦ ହୋଇଛି ।

ଦେଶରେ ଅପରାହ୍ନ ୩ଟାରୁ ରାତି ୯ଟା ମଧ୍ୟରେ ଘଟୁଛି ସବୁଠୁ ଅଧିକ ଦୁର୍ଘଟଣା

ନୂଆଦିଲ୍ଲୀ: ଦେଶରେ ଦୁର୍ଘଟଣାକୁ ନେଇ ନୂଆ ତଥ୍ୟ । ଅପରାହ୍ଣ ୩ଟାରୁ ରାତି ୯ଟା ମଧ୍ୟରେ ସବୁଠାରୁ ଘଟୁଛି ବେଶୀ ଦୁର୍ଘଟଣା । ୨୦୨୧ରେ ଏହି ସମୟ ମଧ୍ୟରେ ଘଟିଛି ୪୦ ପ୍ରତିଶତ ଦୁର୍ଘଟଣା । ରାତି ୧୨ଟାରୁ ଭୋର୍ ୬ଟା ଯାଏ ସବୁଠାରୁ ନିରାପଦ । ଏହି ସମୟ ମଧ୍ୟରେ ମାତ୍ର ୧୦ ପ୍ରତିଶତ ଦୁର୍ଘଟଣା ଘଟିଥିଲା । ୨୦୨୧ରେ ଦେଶରେ ମୋଟ ୪ ଲକ୍ଷ ୧୨ ହଜାର ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାଜନିତ ମୋଟ ମୃତ୍ୟୁ ସଂଖ୍ୟା ଥିଲା ୧ ଲକ୍ଷ ୫୧ ହଜାର ୯୭୧ ଯାହାକି ୨୦୧୧ ପରଠାରୁ ସର୍ବାଧିକ । ଏହାର ଅର୍ଥ ଦୈନିକ ୪୨୨ ଜଣ ତଥା ପ୍ରତି ଘଣ୍ଟାରେ ୧୮ ଜଣ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ।

୨୦୨୧ରେ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ସଂଖ୍ୟା ଥିଲା ୩ ଲକ୍ଷ ୮୪ ହଜାର ୪୩୨ । ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁସାରେ ୨୦୨୧ରେ ଦେଶରେ ମୋଟ ୪ ଲକ୍ଷ ୧୨ ହଜାର ଦୁର୍ଘଟଣା ଘଟିଥିଲା । ସେଥିରୁ ୧ ଲକ୍ଷ ୫୮ ହଜାର ଦୁର୍ଘଟଣା ଘଟିଥିଲା ଅପରାହ୍ଣ ୩ଟାରୁ ରାତି ୯ ମଧ୍ୟରେ । ଅପରାହ୍ଣ ୩ରୁ ୬ ମଧ୍ୟରେ ୭୩ ହଜାର ୪୬୭ଟି ଦୁର୍ଘଟଣା ଘଟିଥିବାବେଳେ ସନ୍ଧ୍ଯା ୬ରୁ ୯ଟା ମଧ୍ୟରେ ଦୁର୍ଘଟଣା ସଂଖ୍ୟା ଥିଲା ୮୫ ହଜାର ୧୭୯ ।

ରାତି ୯ରୁ ୧୨ଟା ଯାଏ ଦୁର୍ଘଟଣା ସଂଖ୍ୟା ଥିଲା ୪୧ ହଜାର ୯୨ । ରାତି ୧୨ରୁ ଭୋର ୩ଟା ମଧ୍ୟରେ ଦୁର୍ଘଟଣା ସଂଖ୍ୟା ଥିଲା ୧୯ ହଜାର ୬୮୨ । ଭୋର ୩ଟାରୁ ସକାଳ ୬ଟା ମଧ୍ୟରେ ଦୁର୍ଘଟଣା ସଂଖ୍ୟା ଥିଲା ୨୦ ହଜାର ୧୨୦ । ସକାଳ ୬ଟାରୁ ସକାଳ ୯ ମଧ୍ୟରେ ଦୁର୍ଘଟଣା ସଂଖ୍ୟା ଥିଲା ୪୩ ହଜାର ୩୭୦ । ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ଯାଏ ଏହି ସଂଖ୍ୟା ଥିଲା ୬୧ ହଜାର ୩୮୭ । ମଧ୍ୟାହ୍ନ ୧୨ରୁ ଅପରାହ୍ଣ ୩ଟା ଯାଏ ଦୁର୍ଘଟଣା ସଂଖ୍ୟା ଥିଲା ୬୩ ହଜାର ୧୩୯ ।

ଏହି ଧାରା ଗତି ୫ ବର୍ଷ ଧରି ପରିଲକ୍ଷିତ ହୋଇଛି । ୨୦୨୧ ଜାନୁଆରୀରେ ସର୍ବାଧିକ ଅର୍ଥାତ ୪୦ ହଜାର ୩୦୫ଟି ଦୁର୍ଘଟଣା ଘଟିଥିଲା । ଏହାପଛକୁ ଥିଲା ମାର୍ଚ୍ଚ ମାସର ଦୁର୍ଘଟଣା । ମାର୍ଚ୍ଚରେ ଦୁର୍ଘଟଣା ସଂଖ୍ୟା ଥିଲା ୩୯ହଜାର ୪୯୧ । ମାର୍ଚ୍ଚ ମାସରେ ସର୍ବାଧିକ ମୃତ୍ଯୁ ଅର୍ଥାତ ୧୪ ହଜାର ୫୭୯ ହୋଇଥିବାବେଳେ ଜାନୁଆରୀରେ ପ୍ରାଣ ହରାଇଥିଲେ ୧୪ ହଜାର ୫୭୫ ଜଣ । ସନ୍ଧ୍ଯା ୬ଟା ଓ ରାତି ୯ ମଧ୍ୟରେ ମଧ୍ୟରେ ତାମିଲନାଡୁରେ ସର୍ବାଧିକ ୧୪ ହଜାର ୪୧୬ ଦୁର୍ଘଟଣା ଘଟିଥିବାବେଳେ ମଧ୍ୟପ୍ରଦେଶରେ ୧୦ ହଜାର ୩୩୨ଟି ଦୁର୍ଘଟଣା ଘଟିଛି ।

ସ୍କ୍ରାପ ହେବନି ୫୦ବର୍ଷରୁ ଅଧିକ ବର୍ଷର କ୍ଲାସିକ ଯାନ, ଜାରି ହେବ ସ୍ୱତନ୍ତ୍ର ନମ୍ବର ପ୍ଲେଟ

ଭୁବନେଶ୍ୱର: ଭିଣ୍ଟେଜ ଯାନ ସଂଗ୍ରହକାରୀଙ୍କ ପାଇଁ ଖୁସି ଖବର । ସ୍କ୍ରାପ ହେବନି ୫୦ବର୍ଷରୁ ଅଧିକ ବର୍ଷର କ୍ଲାସିକ ଯାନ । ଏହାକୁ ସୁରକ୍ଷିତ ରଖିବାକୁ ଓଡ଼ିଶା ସରକାର ଆଣିଛନ୍ତି ନୂଆ ବ୍ୟବସ୍ଥା । ଏହି ଗୁଡ଼ିକ ପାଇଁ ଜାରିହେବ ସ୍ବତନ୍ତ୍ର ନମ୍ବର ପ୍ଲେଟ୍ । ଭିଣ୍ଟେଜ ଯାନ ଗୁଡ଼ିକର ଐତିହ୍ୟକୁ ସଂରକ୍ଷଣ ତଥା ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ଭିଣ୍ଟେଜ ଯାନ ଗୁଡ଼ିକର ପଞ୍ଜିକରଣ ପାଇଁ ବ୍ୟବସ୍ଥା କରିଛି ।

ଏଭଳି ବ୍ୟବସ୍ଥା କରିବାରେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ । ସ୍କ୍ରାପ ନୀତିରେ ପୁରୁଣା ଗାଡ଼ିର ବ୍ୟବହାରକୁ ବନ୍ଦ କରାଯାଇଛି । ତେବେ ପୁରୁଣା ଯାନଗୁଡ଼ିକର ଐତିହ୍ୟ ସଂରକ୍ଷଣ ଏବଂ ଏହାକୁ ପ୍ରୋତ୍ସାହିତ କରିବା ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଭିଣ୍ଟେଜ ମୋଟର ଯାନ ଗୁଡ଼ିକର ପଞ୍ଜିକରଣକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ନିୟମ ଅନୁସାରେ ଗାଡ଼ିର ପ୍ରଥମ ପଞ୍ଜିକରଣର ୫୦ବର୍ଷରୁ ଅଧିକ ପୁରୁଣା ଗାଡ଼ି ଭିଣ୍ଟେଜ ଭାବେ ଗ୍ରହଣ କରାଯିବ ।

ଏହାର ଚେଚିସ, ବଡିସେଲରରେ କୌଣସି ପରିବର୍ତ୍ତନ ହୋଇନଥିବ । ଇଞ୍ଜିନରେ କୌଣସି ପ୍ରମୁଖ ମରାମତି ହୋଇନଥିଲେ ତାହା ଭିଣ୍ଟେଜ ଭାବେ ଗ୍ରହଣ ହେବ । ଏହାକୁ ପୁନଃ ପଞ୍ଜିକରଣ ପାଇଁ ଆବେଦନ କରାଯିବ । ଗାଡ଼ିର ଫିଟନେସ ବୈଧ ଥିଲେ ପଞ୍ଜିକରଣ ପ୍ରମାଣପତ୍ର ପ୍ରଦାନ କରାଯିବ । ଭିଣ୍ଟେଜ ଯାନ ଅନୁମୋଦିତ ହେଲେ ଏହାକୁ ଏକ ନୂତନ ପଞ୍ଜିକରଣ ଚିହ୍ନ ଦିଆଯିବ ।

କଞ୍ଝାୱାଲା ଦୁର୍ଘଟଣା; ଦିଲ୍ଲୀ ପୋଲିସକୁ ରିପୋର୍ଟ ମାଗିଲେ ଗୃହମନ୍ତ୍ରୀ

ନୂଆଦିଲ୍ଲୀ: ଏକ ସ୍କୁଟିରେ ଆସୁଥିବା ଯୁବତୀଙ୍କୁ କାର ଧକ୍କା ଦେବା ସହ ପ୍ରାୟ ୧୨ କିଲୋମିଟର ଘୋଷାଡି ନେବା ଘଟଣାର ଗୋଟେ ଦିନ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦିଲ୍ଲୀ ପୋଲିସକୁ ମାମଲାରେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି । ସେ ଦିଲ୍ଲୀ ପୋଲିସର ବରିଷ୍ଠ ଅଧିକାରୀ ଶାଳିନୀ ସିଂହଙ୍କୁ ଶୀଘ୍ର ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେବା ସହ ଉଚିତ କାର୍ଯ୍ୟାନୁଷ୍ଠାନ କରିବା ଉପରେ ଜୋର ଦେଇଦେଇଛନ୍ତି । ଅନ୍ୟପକ୍ଷରେ ଆପ୍ ବିଜେପିକୁ ଲଗାତାର ଟାର୍ଗେଟ କରିଚାଲିଛି । ଅଭିଯୁକ୍ତମାନଙ୍କୁ ବିଜେପି ବଞ୍ଚାଉଥିବା ଅଭିଯୋଗ କରିଛି ଆପ୍ ।

ସୂଚନା ଅନୁଯାୟୀ, ଡିସେମ୍ବର ୩୧ ତାରିଖ ରାତିରେ ୫ ଜଣ ଯୁବକ ନୂଆବର୍ଷ ସେଲିବ୍ରେସନ କରି ନିସାଶକ୍ତ ଅବସ୍ଥାରେ ଫେରୁଥିବା ବେଳେ ସ୍କୁଟିରେ ଯାଉଥିବା ଯୁବତୀକୁ ଧକ୍କା ଦେବା ସହ ପ୍ରାୟ ୧୩ କିଲୋମିଟର କାରରେ ଘୋଷାଡି ନେଇଥିଲେ । ଘଟଣା ସ୍ଥଳରେ ଯୁବତୀର ମୃତ୍ୟୁ ହୋଇଥିବା ବେଳେ ଯୁବତୀ ଶରୀରର ସମସ୍ତ ହାଡ ଭାଙ୍ଗିଯିବା ସହ ଅନେକ କ୍ଷତ ଚିହ୍ନ ହୋଇଛି । ଏହାସହ ମୃତ ଯୁବତୀ ଦେହରେ କୌଣସି କପଡା ନଥିଲା ।

୬ଜିଲ୍ଲାରେ ଘନକୁହୁଡି ନେଇ ଆଲର୍ଟ ଜାରି କଲେ ଏସଆରସି

ଭୁବନେଶ୍ୱର: ରାଜ୍ୟର ୬ଜିଲ୍ଲାରେ ଘନକୁହୁଡି ନେଇ ଆଲର୍ଟ ଜାରି କଲେ ଏସଆରସି । ଅନୁଗୁଳ, ବଲାଙ୍ଗୀର, ଢେଙ୍କାନାଳ, କନ୍ଧମାଳ, ସୋନପୁର ଓ କଳାହାଣ୍ଡି ଜିଲ୍ଲାକୁ ଆଲର୍ଟ କରାଯାଇଛି । ପୋଲିସ ଡିଜି ଓ ପରିବହନ କମିଶନରଙ୍କୁ ଏସଆରସି ଚିଠି ଲେଖିଛନ୍ତି । ଜାତୀୟ ରାଜପଥରେ ଯାନବାହନ ଚଳାଚଳ ନିୟନ୍ତ୍ରଣ ନିର୍ଦ୍ଦେଶ ନେଇ ଚିଠି ଲେଖାଯାଇଛି । କୁହୁଡି ସମୟରେ ଦୁର୍ଘଟଣା ରୋକିବାକୁ ପଦକ୍ଷେପ ନେବାକୁ ଉଲ୍ଲେଖ କରାଯାଇଛି । ଚଳିତ ବର୍ଷ ଶୀତର ପ୍ରଭାବ ସେତେଟା ନଥିଲେ ମଧ୍ୟ କୁହୁଡି କିନ୍ତୁ ଜାରି ରହିଛି । ତେଣୁ କୁହୁଡ଼ି କାରଣରୁ ଦୁର୍ଘଟଣା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ସତର୍କ କରାଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।