ପୋଷ୍ଟ ମାଷ୍ଟର ନିଯୁକ୍ତି ପରୀକ୍ଷାରେ ଜାଲିଆତି, ଫୁଲବାଣୀରେ ଧରାପଡ଼ିଲା ୬ ନକଲି ପ୍ରମାଣପତ୍ର

1 min read

ଫୁଲବାଣୀ: ପୋଷ୍ଟ ମାଷ୍ଟର ପଦବୀ ଲାଗି ଫୁଲବାଣୀର ୮୫ଟି ଶାଖା ପାଇଁ ହୋଇଛି ଯୋଗ୍ୟତା ପରୀକ୍ଷା । ଏଥିରୁ ୫୭ ଜଣ ଯୋଗ୍ୟତା ହାସଲ କରିଥିବା ବେଳେ, ଯାଞ୍ଚ ବେଳେ ୬ ଜଣଙ୍କ ପ୍ରମାଣ ପତ୍ର ନକଲି ବୋଲି ଜଣାପଡ଼ିଛି । ପାଞ୍ଚ ଜଣ ପରୀକ୍ଷାର୍ଥୀ ଆହ୍ଲାବାଦ ବୋର୍ଡ ସାର୍ଟିଫିକେଟ ଏବଂ ଜଣେ NIOSର ଜାତୀୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ଆଣିଥିବା ଜଣାପଡ଼ିଛି । ଏହାକୁ ନେଇ ଡାକ ବିଭାଗ ଅଧିକାରୀ ଫୁଲବାଣୀ ଟାଉନ ଥାନାରେ ଏତଲା ଦେଇଛନ୍ତି । ଘଟଣାର ପର୍ଦ୍ଦାଫାସ ପରେ ପୋଲିସ ତନାଘନା ଆରମ୍ଭ କରିଛି ।

ସୂଚନା ଅନୁସାରେ, ଫୁଲବାଣୀ ଡାକ ମଣ୍ଡଳ ପକ୍ଷରୁ ୮୫ଟି ଶାଖାର ପୋଷ୍ଟ ମାଷ୍ଟର ଓ ସହକାରୀ ପୋଷ୍ଟ ମାଷ୍ଟର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।ଏହି ପଦବୀ ପାଇଁ ସର୍ବନିମ୍ନ ଯୋଗ୍ୟତା ମାଟ୍ରିକ ପାସ୍ ରହିଥିଲା । ନିଯୁକ୍ତି ପାଇଁ ସମସ୍ତ ପ୍ରକ୍ରିୟା ଅନଲାଇନରେ ହୋଇଥିଲା । ମାଟ୍ରିକ ପରୀକ୍ଷାର ମାର୍କ ଭିତ୍ତିରେ ଯୋଗ୍ୟ ପ୍ରାର୍ଥୀ ଚୟନ ପାଇଁ ବ୍ୟବସ୍ଥା ରହିଥିବା ବେଳେ, ୮୫ ଜଣ ମନୋନୀତ ପ୍ରାର୍ଥୀଙ୍କ ମଧ୍ୟରୁ ୫୭ ଜଣ ନିର୍ଦ୍ଦିଷ୍ଟ ଦିନ ଉପସ୍ଥିତ ରହିଥିଲେ । ସମସ୍ତ ପ୍ରାର୍ଥୀଙ୍କ ମାଟ୍ରିକ ପ୍ରମାଣପତ୍ର ଯାଞ୍ଚ ପରେ ସେଥି ମଧ୍ୟରୁ ୬ ଜଣଙ୍କ ପ୍ରମାଣପତ୍ର ଜାଲ ବୋଲି ଜଣାପଡ଼ିଥିଲା । ଅଭିଯୁକ୍ତଙ୍କ ମଧ୍ୟରେ କଳାହାଣ୍ଡି ଜିଲ୍ଳାର ପ୍ରମୋଦ ସାହୁ, ଖୋର୍ଦ୍ଧାର ଶୁଭଙ୍କର ବେହେରା, କନ୍ଧମାଳର ମାନିନୀ ମାଝୀ, ପ୍ରମିତ କୁମାର ବେହେରା ଏବଂ ଭଦ୍ରକ ଜିଲ୍ଲାର ନରେନ୍ଦ୍ର ମହାନ୍ତି ଆଲ୍ଲାବାଦରୁ ସାର୍ଟିଫିକେଟ ସଂଗ୍ରହ କରିଛନ୍ତି । ସେହିପରି ଖୋର୍ଦ୍ଧାର ପ୍ରହ୍ଲାଦ ବେହେରା NIOSର ପ୍ରମାଣପତ୍ର ଦାଖଲ କରିଥିବା ଡାକ ଅଧୀକ୍ଷକ ଏତଲାରେ ଦର୍ଶାଇଛନ୍ତି ।

ଏହା ପୂର୍ବରୁ ବଲାଙ୍ଗୀର ଓ କେନ୍ଦ୍ରାପଡ଼ାରେ ଧରାପଡ଼ିଥିଲା ନକଲି ସାର୍ଟିଫିକେଟ୍ । କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ ବିଭାଗରେ ୧୫ଟି ଗ୍ରାମୀଣ ଡାକ ସେବକ ପଦବୀରେ ନିଯୁକ୍ତି ପାଇଁ ଅନଲାଇନରେ ବହୁ ଯୁବକ ଯୁବତୀ ଆବେଦନ କରିଥିଲେ । ମେରିଟ ଲିଷ୍ଟ ପ୍ରକାଶ ପାଇବା ପରେ ଗତ ୨୧ ତାରିଖରେ ଭଦ୍ରକ ଜିଲ୍ଲା ଲୁଣିଆ ଗ୍ରାମର ଅନିତା ଜେନାଙ୍କୁ ଡିଭିଜନ ଅଫିସକୁ ସାର୍ଟିଫିକେଟ୍ ଯାଞ୍ଚ ପାଇଁ ଡକାଯାଇଥିଲା । ତେବେ ଯାଞ୍ଚ ସମୟରେ ତାଙ୍କର ସାର୍ଟିଫିକେଟ୍ ଉପରେ ଅଧିକାରୀଙ୍କ ସନ୍ଦେହ ହୋଇଥିଲା । ପଚରାଉଚରା କରିବାରୁ ସାର୍ଟିଫିକେଟ୍ ନକଲି ବୋଲି ମାନିଥିଲେ ଛାତ୍ରୀ । ଏହାପରେ ସମସ୍ତ ଡକ୍ୟୁମେଣ୍ଟ ଛାଡ଼ି ପଳାଇଥିଲେ । ଡାକ ଅଧିକ୍ଷକ ଏନେଇ ଟାଉନ ଥାନାରେ ଏକ ଏତଲା ଦେଇଛନ୍ତି । ଏତଲା ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ୍ ।