ଭୁବନେଶ୍ବର : ଭୁବନେଶ୍ଵର କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା। ଭୁଲ ଇଞ୍ଜେକ୍ସନ ଯୋଗୁଁ ଜଣକର ମୃତ୍ୟୁ ଅଭିଯୋଗ ହୋଇଛି। ହସ୍ପିଟାଲରେ ଉତ୍ତେଜନା ପରେ ପହଞ୍ଚିଲା ପୋଲିସ। ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ପୋଲିସ। ଜଣେ ୩ ବର୍ଷୀୟ ଶିଶୁ ଥଣ୍ଡା ଜ୍ଵରରେ ପୀଡ଼ିତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କିନ୍ତୁ ଜଣେ ମହିଳା ଡାକ୍ତର ଦାୟିତ୍ୱରେ ଥାଇ ମଧ୍ୟ ପିଲାଟିକୁ ଠିକ ଚିକିତ୍ସା କରିନଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ସେପଟେ ଡାକ୍ତରଙ୍କୁ ଅଟକ ରଖିଛନ୍ତି ପରିବାର ଲୋକ। ଅବହେଳା କରିଥିବା ଡାକ୍ତରଙ୍କୁ ଗିରଫ ଦାବି କଲେ ମୃତ ଶିଶୁର ପରିବାର ଲୋକ।
ମହାଲକ୍ଷ୍ମୀଙ୍କ ପ୍ରତିଶ୍ରୁତି ରଖିଲେ ମହାପ୍ରଭୁ, କଲେ ଗୁପ୍ତ ଗୁଣ୍ଡିଚା ଯାତ୍ରା
ପୁରୀ : ଆଜିଠାରୁ ଆରମ୍ଭ ଗୁପ୍ତଗୁଣ୍ଡିଚା ଯାତ୍ରା । ଶାରଦୀୟ ଦୂର୍ଗା ଉତ୍ସବ ଅବସରରେ ଶ୍ରୀକ୍ଷେତ୍ରରେ ଆଜିଠୁ ମହାପ୍ରଭୁଙ୍କ ଆରମ୍ଭ ହୋଇଛି ଗୁପ୍ତଗୁଣ୍ଡିଚା । ଦୁର୍ଗାମାଧବ ଉପାସନାର ପ୍ରତୀକ ସ୍ୱରୂପ ଶ୍ରୀଜଗନ୍ନାଥ ଗୁପ୍ତଗୁଣ୍ଡିଚାରେ ମାଆ ମହାଲକ୍ଷ୍ମୀ ସ୍ଵରୁପା ମାଆ ଦୁର୍ଗାଙ୍କୁ ନେଇ ଦୋଳମଣ୍ଡପ ସାହି ସ୍ଥିତ ନାରାୟଣୀ ମନ୍ଦିରକୁ ବିଜେ କରିଛନ୍ତି। ମାଆ ଲକ୍ଷ୍ମୀଙ୍କୁ ପବିତ୍ର ରଥଯାତ୍ରା ସମୟରେ ଶ୍ରୀଜୀଉମାନେ ଗୁଣ୍ଡିଚା ଘରକୁ ନେଇନଥିବା ବେଳେ ନୀଳାଦ୍ରିବିଜେ ସମୟରେ ଅଭିମାନିନୀ ମାଆ ଲକ୍ଷ୍ମୀଙ୍କୁ ଗୁପ୍ତଗୁଣ୍ଡିଚାରେ ଯିବା ପାଇଁ ପ୍ରତିଶୃତି ଦେଇଥିଲେ ପ୍ରଭୁ ଶ୍ରୀଜଗନ୍ନାଥ। ତେବେ ସେହି ପ୍ରତିଶୃତି, ସଂସ୍କୃତି ଓ ପରମ୍ପରାକୁ ରକ୍ଷା କରି ଏହି ଗୁପ୍ତଗୁଣ୍ଡିଚା ଅନୁଷ୍ଠିତ ହେବାର ପରମ୍ପରା ରହିଛି ।
ଶ୍ରୀକ୍ଷେତ୍ରରେ ଦୀର୍ଘ ଆଠ ଦିନ ଧରି ଗୁପ୍ତ ଗୁଣ୍ଡିଚା ବା ଶାକ୍ତ ଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ସମୟରେ ଶ୍ରୀମନ୍ଦିରରୁ ଶ୍ରୀ ଦୁର୍ଗାମାଧବ ଦୋଳମଣ୍ଡପ ସାହି ସ୍ଥିତ ମା ନାରାୟଣୀ ମନ୍ଦିରକୁ ବିଜେ କରିଥାନ୍ତି। ଷୋଳ ପୂଜାର ଶେଷ ଆଠ ଦିନ ଧରି ଏହି ପୀଠଟି ଚଳଚଞ୍ଚଳ ହୋଇଉଠେ। ରତ୍ନ ସିଂହାସନରୁ ମାଧବ ଓ ଦକ୍ଷିଣୀ ଘରୁ ମା ଦୁର୍ଗାଙ୍କ ମୂର୍ତ୍ତି ଗୋଟିଏ ରଥାକୃତି ବିମାନରେ ରୁନ୍ଧା ହୋଇ ଗୁପ୍ତ ଗୁଣ୍ଡିଚାରେ ନାରାୟଣୀ ମନ୍ଦିରକୁ ବିଜେ କରିଥାନ୍ତି । ଏଠାରେ କିଛି ସମୟ ଅବସ୍ଥାନ କରି ବିଭିନ୍ନ ବନ୍ଦାପନା, ଭୋଗ ଓ ଆଳତି ପରେ ଏକ ପାଲିଙ୍କିରେ ଶ୍ରୀମନ୍ଦିରକୁ ଫେରି ଯାଆନ୍ତି ।
ନିଜ ନାଗରିକଙ୍କ ଉପରେ ଆକାଶରୁ ବୋମା ବର୍ଷା କଲା ପାକିସ୍ତାନ
ନନ୍ଦିଘୋଷ ବ୍ୟୁରୋ; ନିଜ ନାଗରିକଙ୍କୁ ହତ୍ୟା କରୁଛି ପାକିସ୍ତାନ । ରାତିଅଧରେ ଆକାଶରୁ ବୋମା ବର୍ଷଣ କରି ଖାଇବର ପଖତୁନଖ୍ୱା ପ୍ରଦେଶକୁ ଧ୍ବଂସସ୍ତୁପରେ ପରିଣତ କରିଛି । ରାତିଅଧରେ ପାକିସ୍ତାନୀ ସେନା ଖାଇବର ପଖତୁନଖ୍ୱା ପ୍ରଦେଶରେ ଆକାଶରୁ ବୋମାମାଡ଼ କରିଛି । ରବିବାର ରାତିରେ କେପିର ଖାଇବର ଜିଲ୍ଲାରେ ପାକିସ୍ତାନୀ ଲଢ଼ୁଆ ବିମାନ ଦ୍ୱାରା ହୋଇଥିବା ବିମାନ ଆକ୍ରମଣରେ ଅତିକମରେ ୩୦ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ବହୁ ସଂଖ୍ୟାରେ ମହିଳା ଏବଂ ଶିଶୁ ଅଛନ୍ତି। ଏହି ଆକ୍ରମଣରେ ୩୫ ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ପାକିସ୍ତାନୀ ଅଧିକାରୀ ଏବଂ ସେନା ଏପର୍ଯ୍ୟନ୍ତ ଏହି ଆକ୍ରମଣ ଉପରେ କୌଣସି ମନ୍ତବ୍ୟ ଦେଇନାହାଁନ୍ତି।
ସ୍ଥାନୀୟ ବାସିନ୍ଦାଙ୍କ ରିପୋର୍ଟ ଅନୁଯାୟୀ ପାକିସ୍ତାନୀ ସେନା ଖାଇବର ଜିଲ୍ଲାର ତିରାହ ଅଞ୍ଚଳରେ ସାଧାରଣ ଲୋକଙ୍କ ଘରଗୁଡ଼ିକୁ ଟାର୍ଗେଟ କରିଥିଲା, ଯାହା ଫଳରେ ଅନେକ ଘର ଭୁଶୁଡ଼ି ପଡ଼ିଥିଲା ଏବଂ ଭିତରେ ଶୋଇଥିବା ଲୋକମାନେ ପୋତି ହୋଇଯାଇଥିଲେ। ଆକ୍ରମଣର ପ୍ରାୟ ୧୦ଘଣ୍ଟା ପରେ ମଧ୍ୟ ସ୍ଥାନୀୟ ଲୋକ ଏବଂ ଉଦ୍ଧାରକାରୀ ଦଳ ଧ୍ୱଂସାବଶେଷ ତଳେ ମୃତଦେହ ଖୋଜୁଛନ୍ତି। ମୃତ୍ୟୁ ସଂଖ୍ୟା ବଢ଼ିପାରେ। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଛି।
ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି ଯେ ଅଞ୍ଚଳର ବାସିନ୍ଦାମାନେ ଏହାକୁ ଖାଇବର ପଖତୁନଖ୍ୱାରେ ପାକିସ୍ତାନୀ ସେନା ଦ୍ୱାରା କରାଯାଇଥିବା ଏକ ନିର୍ମମ ହତ୍ୟାକାଣ୍ଡ ବୋଲି ବର୍ଣ୍ଣନା କରିଛନ୍ତି । ଦାରା ଗ୍ରାମ ବିଶେଷ ଭାବରେ ଧ୍ୱଂସପ୍ରାପ୍ତ ହୋଇଛି, ଯେଉଁଥିରେ ସର୍ବାଧିକ ମୃତ୍ୟୁ ଘଟିଛି। ରାତି ୨ଟାରେ ପାକିସ୍ତାନୀ ବାୟୁସେନା ତିରାହ ଉପତ୍ୟକାର ଏହି ଗ୍ରାମ ଉପରେ JF-17 ଲଢ଼ୁଆ ବିମାନରୁ ଅତି କମରେ ଆଠଟି LS-6 ବୋମା ପକାଇଥିଲା, ଯାହା ଫଳରେ ଘରଗୁଡ଼ିକ ଧ୍ୱଂସାବଶେଷ ହୋଇଯାଇଥିଲା ଏବଂ ଶୋଇଥିବା ଗ୍ରାମଟି ମଶାଣିରେ ପରିଣତ ହେଇଥିଲା ।
ଖାଇବର ପଖତୁନଖ୍ୱା ଏବଂ ବେଲୁଚିସ୍ତାନ ହେଉଛି ଦୁଇଟି ପାକିସ୍ତାନୀ ପ୍ରଦେଶ ଯେଉଁମାନେ ଦୀର୍ଘ ଦିନ ଧରି ଦେଶର ସରକାର ଏବଂ ସେନା ବିରୁଦ୍ଧରେ କ୍ରୋଧ ପୋଷଣ କରିଆସୁଛନ୍ତି। ଏହି ପ୍ରଦେଶଗୁଡ଼ିକରେ ଅନେକ ସଶସ୍ତ୍ର ଗୋଷ୍ଠୀ ମଧ୍ୟ ପାକିସ୍ତାନୀ ସେନାକୁ ଟାର୍ଗେଟ କରିଛନ୍ତି। ଏହି ଗୋଷ୍ଠୀଗୁଡ଼ିକ ପ୍ରଦେଶଗୁଡ଼ିକ ପାଇଁ ଅଧିକ କର୍ତ୍ତୃତ୍ୱ ଏବଂ ସମ୍ବଳ ଦାବି କରନ୍ତି। କିନ୍ତୁ ପାକିସ୍ତାନ ସରକାର ଏବଂ ସେନା ଏହି ବିଦ୍ରୋହୀ ଗୋଷ୍ଠୀଗୁଡ଼ିକୁ ଆତଙ୍କବାଦୀ ବୋଲି ଆଖ୍ୟା ଦିଅନ୍ତି।
ପାକିସ୍ତାନୀ ସେନା ଖାଇବର ପଖତୁନଖ୍ୱା ଏବଂ ବେଲୁଚିସ୍ତାନରେ କାର୍ଯ୍ୟ କରୁଥିବା ସରକାର ବିରୋଧୀ ଗୋଷ୍ଠୀଗୁଡ଼ିକୁ ଦମନ କରିବାକୁ ଚେଷ୍ଟା କରି ଚାଲିଛି। ପାକିସ୍ତାନୀ ସେନା ନିୟମିତ ଭାବରେ ଦମନ ଅଭିଯାନ ଚଳାଇଥାଏ, କିନ୍ତୁ ରବିବାର ରାତିରେ, ଏହା ଗାଁ ଉପରେ ବୋମା ପକାଇବା ପାଇଁ ଲଢ଼ୁଆ ବିମାନ ବ୍ୟବହାର କରିଥିଲା। କ୍ରମାଜତ ଭାବେ ପାକିସ୍ତାନୀ ସେନା ଏହି ଅଞ୍ଚଳରେ ସାଧାରଣ ନାଗରିକଙ୍କୁ ହତ୍ୟା ଏବଂ ବଳପୂର୍ବକ ନିଖୋଜ କରିବାର ଗମ୍ଭୀର ଅଭିଯୋଗର ସମ୍ମୁଖୀନ ହୋଇଆସୁଛି।
ହାତ ମିଳାଇବାକୁ ଖେଳାଳୀଙ୍କୁ ପଡ଼ିଆକୁ ପଠାଇଲେ ଗମ୍ଭୀର, ଭିଡ଼ିଓ ଭାଇରାଲ ..
ନନ୍ଦିଘୋଷ ବ୍ୟୁରୋ: ଦୁବାଇରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ଏସିଆ କପ୍ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ଏକ ବଡ଼ ବିଜୟ ହାସଲ କରିଛି। ତଥାପି ସେମାନେ ପୁଣି ଥରେ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବାରୁ ନିବୃତ୍ତ ରହିଥିଲେ। ହେଲେ ଏହାରି ଭିତରେ ଭାରତୀୟ ଦଳ ଏକ ବଡ଼ ଭୁଲ କରିଥିଲା ପ୍ରକୃତରେ ସେମାନେ ଅମ୍ପାୟାରଙ୍କ ସହ ହାତ ମିଳାଇବାକୁ ଭୁଲିଯାଇଥିଲେ। ଲହାକୁ ନେଇ ଗୌତମ ଗମ୍ଭୀରଙ୍କ ଏକ ପ୍ରତିକ୍ରିୟା ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି, ଯାହା ଏକ ନୂତନ ବିତର୍କ ସୃଷ୍ଟି କରିଛି ।
ଭାରତର ବିଜୟ ପରେ ଗୌତମ ଗମ୍ଭୀର ଖେଳାଳିମାନଙ୍କୁ ସିଧା ଡ୍ରେସିଂ ରୁମକୁ ଯିବାକୁ ନିର୍ଦ୍ଦେଶ ଦେଇଥିଲେ। ତା’ପରେ ସେ ସୂର୍ଯ୍ୟକୁମାର ଯାଦବ ଏବଂ ଅନ୍ୟ ଖେଳାଳିମାନଙ୍କୁ ପଡିଆକୁ ଫେରି କେବଳ ଅମ୍ପାୟାରଙ୍କ ସହିତ ହାତ ମିଳାଇବାକୁ କହିଥିଲେ, ପାକିସ୍ତାନୀ ଖେଳାଳିମାନଙ୍କୁ ନୁହେଁ। ଏହି ଘଟଣା ପାକିସ୍ତାନୀ ଖେଳାଳିମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏହି ଆଚରଣ ଟସ୍ ସମୟରୁ ହିଁ ଆରମ୍ଭ ହୋଇଥିଲା, ଯେତେବେଳେ ସୂର୍ଯ୍ୟକୁମାର ଯାଦବ ପାକିସ୍ତାନୀ ଅଧିନାୟକ ସଲମାନ ଅଲି ଆଗାଙ୍କ ସହିତ ହାତ ମିଳାଇବାକୁ ମନା କରି ଦେଇଥିଲେ ।ଗମ୍ଭୀରଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ସେ ସ୍ପଷ୍ଟ ଭାବରେ କହୁଥିବାର ଦେଖିବାକୁ ମିଳୁଛି, “ହେ, ଅମ୍ପାୟାରଙ୍କ ସହ ହାତ ମିଳାଅ।” ପରେ ଗମ୍ଭୀର ଇନଷ୍ଟାଗ୍ରାମରେ ଭାରତୀୟ ଖେଳାଳିଙ୍କ ଏକ ଫଟୋ ସେୟାର କରି କ୍ୟାପସନ ଦେଇଛନ୍ତି “ନିର୍ଭୟ”, ଯାହା ତାଙ୍କ ନିଷ୍ପତ୍ତିକୁ ପ୍ରତିଫଳିତ କରୁଛି। ଗୌତମ ଗମ୍ଭୀର ଭାରତୀୟ ଦଳର ପ୍ରଶିକ୍ଷକ ହେବା ପରଠାରୁ ଭାରତୀୟ ଖେଳାଳିମାନଙ୍କ ମଧ୍ୟରେ ଏକ ଭିନ୍ନ ଧରଣର ଆକ୍ରମଣାତ୍ମକ ମନୋଭାବ ଦେଖାଯାଉଛି।
🗣️ Arey umpire se to mil loo!!
Gautam Gambhir invited the Indian players to exchange handshakes—but only with the umpires 😂pic.twitter.com/iBkdhye87j
— KKR Karavan (@KkrKaravan) September 21, 2025
ଭାରତ ଏହି ମ୍ୟାଚ୍ରେ ଏକ ଚମତ୍କାର ପ୍ରଦର୍ଶନ କରି ପାକିସ୍ତାନକୁ ପରାସ୍ତ କରିଥିଲା। ଓପନର ଶୁଭମନ ଗିଲ୍ (୪୭) ଏବଂ ଅଭିଷେକ ଶର୍ମା (୭୪) ୫୯ ବଲ୍ରେ ୧୦୫ ରନ୍ ଯୋଡ଼ି ଭାରତକୁ ୧୭୨ ରନ୍ର ଲକ୍ଷ୍ୟ ସହଜରେ ହାସଲ କରିବାରେ ସାହାଯ୍ୟ କରିଥିଲେ। ସୁପର ଫୋର୍ ପର୍ଯ୍ୟାୟରେ ଭାରତର ପରବର୍ତ୍ତୀ ମ୍ୟାଚ୍ ବୁଧବାର ବାଂଲାଦେଶ ବିପକ୍ଷରେ, ଯେତେବେଳେ ପାକିସ୍ତାନ ମଙ୍ଗଳବାର ଶ୍ରୀଲଙ୍କାକୁ ଭେଟିବ। ଯଦି ଭାରତ ବାଂଲାଦେଶକୁ ପରାସ୍ତ କରେ, ତେବେ ଫାଇନାଲରେ ଏହାର ସ୍ଥାନ ପ୍ରାୟ ନିଶ୍ଚିତ। ସୁପର ଫୋର୍ର ଶ୍ରେଷ୍ଠ ଦୁଇଟି ଦଳ ୨୮ ସେପ୍ଟେମ୍ବରରେ ଫାଇନାଲ ଖେଳିବେ।
Kalki 2898 AD : ଦୀପିକା ପାଦୁକୋଣ ହଟିଲା ପରେ ଏହି ଅଭିନେତ୍ରୀ ପ୍ରଭାସଙ୍କ ସହ କରିବେ ଧମାଲ !
ନନ୍ଦିଘୋଷ ବ୍ୟୁରୋ: ୨୦୨୪ରେ ରିଲିଜ୍ ହୋଇଥିବା ତେଲୁଗୁ ବ୍ଲକବଷ୍ଟର ଫିଲ୍ମ ‘କଲ୍କି ୨୮୯୮ଏଡି’ର ସିକ୍ୱେଲରେ ଦୀପିକା ନଜର ଆସିବେ ନାହିଁ । ନିର୍ମାତା ଏନେଇ ଏକ୍ସରେ ପୋଷ୍ଟ କରି ଘୋଷଣା କରିଛନ୍ତି । ପୋଷ୍ଟରେ ଲେଖାଯାଇଛି ଯେ ଅଭିନେତ୍ରୀ ଆଉ ଦ୍ବିତୀୟ ଭାଗରେ ନଜର ଆସିବେନି । ନାଗ ଅଶ୍ୱିନଙ୍କ ଦ୍ବାରା ନିର୍ଦ୍ଦେଶିତ “କଳକି ୨୮୯୮ ଏଡି”ର ନିର୍ମାଣ କରିଥିବା ବୈଜୟନ୍ତୀ ମୁଭିଜ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ଏହି ଖବର ସେୟାର କରିଛି ।
“କଳକି ୨୮୯୮ ଏଡି”ର ଆଗାମୀ ସିକ୍ୱେଲ୍ରେ ଯେବେଠାରୁ ଦୀପିକା ପାଦୁକୋନଙ୍କ ବିଦାୟ ଖବର ପ୍ରକାଶିତ ହୋଇଛି, ପ୍ରଶଂସକମାନେ ବହୁତ ଚିନ୍ତିତ ଥିବା ପରି ମନେ ହେଉଛି। ଫିଲ୍ମରୁ ଦୀପିକା ପାଦୁକୋନଙ୍କ ବାହାରିଯିବାର ବହୁ କାରଣ ଚର୍ଚ୍ଚା ହେଉଛି। କେତେକ କହିଛନ୍ତି ଯେ ସେ ଅଧିକ ପାରିଶ୍ରମିକ ଦାବି କରିଥିଲେ, ଯେତେବେଳେ ଅନ୍ୟମାନେ କହିଛନ୍ତି ଯେ ତାଙ୍କ ଭୂମିକାକୁ ଛୋଟ କରାଯାଇଥିଲା, ଯାହା ଫଳରେ ଏହି ନିଷ୍ପତ୍ତି ନିଆଯାଇଛି। ତଥାପି, ସେ ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିବାରୁ, ତାଙ୍କର ବାହାରିଯିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା।
ଦୀପିକା ପାଦୁକୋଣ ଫିଲ୍ମରୁ ବାହାରିବା ପରେ, ପ୍ରଶଂସକଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ଅଛି: ଏହି ଭୂମିକାରେ କିଏ ଅଭିନୟ କରିବେ। କିଛି ପ୍ରଶଂସକ ଗଭୀର ନିରାଶ ହୋଇଥିବା ବେଳେ, ଅନ୍ୟମାନେ ଭିନ୍ନ ଭିନ୍ନ ନାମ ମଧ୍ୟ ପରାମର୍ଶ ଦେଇଛନ୍ତି। ନିର୍ମାତା ଏପର୍ଯ୍ୟନ୍ତ ତାଙ୍କୁ କିଏ ଅଭିନୟ କରିବେ ତାହା ଘୋଷଣା କରିନାହାଁନ୍ତି, କିନ୍ତୁ ଆଶା କରାଯାଉଛି ଯେ ପ୍ରଭାସଙ୍କ ବିପକ୍ଷରେ ଅଭିନେତ୍ରୀଙ୍କୁ ଖୁବ୍ ଶୀଘ୍ର ଚୂଡ଼ାନ୍ତ କରାଯିବ। ପ୍ରଶଂସକମାନେ କେବଳ ଜଣେ ନୁହେଁ, ବରଂ ଅନେକ ଅଭିନେତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ଯେଉଁମାନେ ଦୀପିକାଙ୍କ ସ୍ଥାନ ନେଇପାରିବେ। ସୋସିଆଲ ମିଡିଆରେ ବହୁତ ଦୃଷ୍ଟି ଆକର୍ଷଣ କରୁଥିବା ଗୋଟିଏ ନାମ ହେଉଛି ଅନୁଷ୍କା ସେଟ୍ଟି। ପ୍ରଶଂସକମାନେ କହିଛନ୍ତି ଯେ ତାଙ୍କୁ ଫିଲ୍ମରେ ଯୋଡ଼ିଲେ ଫିଲ୍ମଟି ସୁପରହିଟ ହେବ । ଯଦି ଅନୁଷ୍କା ଶେଟ୍ଟୀଙ୍କୁ ଏହି ଫିଲ୍ମ ପାଇଁ ଚୂଡ଼ାନ୍ତ କରାଯାଏ, ତେବେ ପ୍ରଭାସଙ୍କ ସହ ତାଙ୍କର କେମେଷ୍ଟ୍ରି ଜମିବ । ପୂର୍ବରୁ ମଧ୍ୟ ଅଭିନେତ୍ରୀଙ୍କୁ ତାଙ୍କ ସହିତ ଯୋଡା ଯାଇଛି। ଉଭୟଙ୍କ ଡେଟିଂକୁ ନେଇ ବାରମ୍ବାର ଗୁଜବ ଉଠିଛି । ଏବେ ନିର୍ମାତାମାନେ ଏହି ନାମ ଉପରେ କ’ଣ ନିଷ୍ପତ୍ତି ନେବେ ତାହା ଦେଖିବା ବାକି ରହିଲା।
ତେବେ ଦୀପିକା ପାଦୁକୋନଙ୍କୁ ଫିଲ୍ମରୁ ବାହାର କରାଯିବା ପରେ ପୋଷ୍ଟରେ ଲେଖାଯାଇଥିଲା ଯେ, “ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଉଛି ଯେ, ଦୀପିକା ପାଦୁକୋନ ଫିଲ୍ମ “କଳକି ୨୮୯୮ ଏଡି”ର ଆଗାମୀ ସିକ୍ୱେଲ୍ର ଅଂଶ ହେବେ ନାହିଁ । ବହୁତ ବିଚାର ବିମର୍ଶ ପରେ, ଆମେ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ । ପ୍ରଥମ ଫିଲ୍ମରୁ ଦୀର୍ଘ ଯାତ୍ରା ସତ୍ତ୍ୱେ, ଆମେ ସହଭାଗୀତା ପାଇଲୁ ନାହିଁ । ଏବଂ “କଳକି ୨୮୯୮ ଏଡି” ଭଳି ଏକ ଫିଲ୍ମ ଅଧିକ ପ୍ରତିବଦ୍ଧତା ପାଇବାକୁ ଯୋଗ୍ୟ । ଆମେ ଦୀପିକାଙ୍କୁ ତାଙ୍କ ଭବିଷ୍ୟତ ପାଇଁ ଶୁଭକାମନା ଜଣାଉଛୁ ।” ସେହିଭଳି ପ୍ରଭାସଙ୍କ “ସ୍ପିରିଟ୍” ଫିଲ୍ମର ମଧ୍ୟ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ଅଭିନେତ୍ରୀଙ୍କ ଦାବି ଗ୍ରହଣ କରାଯାଇନଥିବାରୁ ଫିଲ୍ମରୁ ତାଙ୍କୁ ବାଦ ଦିଆଯାଇଥିଲା ।
IND vs PAK: ପାକିସ୍ତାନ ଆମର ପ୍ରତିଦ୍ବନ୍ଦୀ ନୁହେଁ : ସୂର୍ଯ୍ୟକୁମାର ଯାଦବ
ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନକୁ ନେଇ ବଡ଼ ଆଶ୍ଚର୍ଯ୍ୟଜନକ ବୟାନ ଦେଲେ ସୂର୍ଯ୍ୟକୁମାର ଯାଦବ । ଯାହାକୁ ଶୁଣିବା ପରେ ମନେ ହେଉଥିଲା ଯେ ତାଙ୍କ ଦୃଷ୍ଟିରେ ପାକିସ୍ତାନର ଆଉ ସେତେ ଗୁରୁତ୍ୱ ନାହିଁ । ଭାରତ ଏସିଆ କପ୍ 2025ର ସୁପର-4 ମ୍ୟାଚ୍ ପାକିସ୍ତାନ ବିପକ୍ଷରେ 6 ୱିକେଟରେ ଜିତିଛି। ଏହି ଟୁର୍ଣ୍ଣାମେଣ୍ଟରେ ଭାରତର ପାକିସ୍ତାନ ବିପକ୍ଷରେ ଦ୍ୱିତୀୟ ବିଜୟ ଥିଲା। ଏହାପୂର୍ବରୁ ଉଭୟ ଦଳ ଗ୍ରୁପ୍ ପର୍ଯ୍ୟାୟରେ ଭେଟିଥିଲେ ଯେଉଁଠାରେ ଭାରତ 7 ୱିକେଟରେ ଜିତିଥିଲା। ଗୋଟିଏ ସପ୍ତାହ ମଧ୍ୟରେ ପାକିସ୍ତାନକୁ ଦୁଇଥର ପରାସ୍ତ କରିବା ପରେ, ଯେତେବେଳେ ସୂର୍ଯ୍ୟକୁମାର ଯାଦବଙ୍କୁ ପ୍ରତିଦ୍ୱନ୍ଦ୍ୱିତା ବିଷୟରେ ପଚରାଯାଇଥିଲା, ସେ ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଇଥିଲେ ..
ଗତ ମ୍ୟାଚରେ ପାକିସ୍ତାନକୁ ସାତ ବଲ୍ ବାକି ଥାଇ ପରାସ୍ତ କରିବା ପରେ, ସୂର୍ଯ୍ୟକୁମାର ଯାଦବ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ହୋଇଥିଲେ ଏବଂ ତାଙ୍କୁ ଦୁଇ ଦେଶ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ବିଷୟରେ ପ୍ରଶ୍ନ କରାଯାଇଥିଲା। ଏହି ପ୍ରଶ୍ନ ଶୁଣି ଭାରତୀୟ ଅଧିନାୟକ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ସାମ୍ବାଦିକମାନଙ୍କୁ କହିଥିଲେ ଯେ ସେମାନେ ଏହି ପ୍ରଶ୍ନ ପଚାରିବା ବନ୍ଦ କରିବା ଉଚିତ କାରଣ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଉ କୌଣସି ପ୍ରତିଦ୍ୱନ୍ଦ୍ୱିତା ନାହିଁ।
ସୂର୍ଯ୍ୟକୁମାର ଯାଦବ ଆହୁରି କହିଛନ୍ତି ଯେ ଯେତେବେଳେ ଦୁଇଟି ଦଳ ବରାବର ପ୍ରତିଦ୍ୱନ୍ଦ୍ୱିତା କରନ୍ତି ସେତେବେଳେ ପ୍ରତିଦ୍ୱନ୍ଦ୍ୱିତା ହୁଏ। ଉଦାହରଣ ସ୍ୱରୂପ, ଯଦି ସେମାନେ 15 କିମ୍ବା 16 ମ୍ୟାଚ୍ ଖେଳିଥାନ୍ତି ଏବଂ ଗୋଟିଏ ଆଠଟି ଜିତିଥାଏ ଏବଂ ଅନ୍ୟଟି ସାତଟି ତେବେ ସେମାନଙ୍କୁ ପ୍ରତିଦ୍ୱନ୍ଦ୍ୱୀ କହିବା ମଜାଦାର ଅଟେ। ସେ କହିଥିଲେ, “ମୁଁ ଭାରତ-ପାକିସ୍ତାନର ସଠିକ୍ ପରିସଂଖ୍ୟାନ ମନେ ରଖିନାହିଁ, କିନ୍ତୁ ଉଭୟ ଦଳର ବିଜୟ ଏବଂ ପରାଜୟ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପାର୍ଥକ୍ୟ ଅଛି।”
ସେପ୍ଟେମ୍ବର 21 ତାରିଖରେ ଏସିଆ କପରେ ଭାରତ ଏବଂ ପାକିସ୍ତାନ 21ତମ ଥର ପାଇଁ ମୁହାଁମୁହିଁ ହୋଇଥିଲେ। ଭାରତ ଏହି ମ୍ୟାଚ୍ ମଧ୍ୟରୁ 12ଟିରେ ବିଜୟୀ ହୋଇଥିବା ବେଳେ ପାକିସ୍ତାନ କେବଳ ଛଅଟିରେ ବିଜୟୀ ହୋଇଛି। ଦୁଇ ଦଳ ମଧ୍ୟରେ ତିନୋଟି ମ୍ୟାଚ୍ ଟାଇ କିମ୍ବା ଡ୍ରରେ ଶେଷ ହୋଇଛି। ଏହାସହିତ ଭାରତ ଏବଂ ପାକିସ୍ତାନ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚରେ ୧୫ ଥର ମୁହାଁମୁହିଁ ହୋଇଛନ୍ତି, ଯେଉଁଥିରେ ଭାରତ ୧୧ ଥର ବିଜୟୀ ହୋଇଛି, ଯେତେବେଳେ ପାକିସ୍ତାନ କେବଳ ୩ ଥର ଜିତିଛି। ଉଭୟ ଦଳ ମଧ୍ୟରେ ଗୋଟିଏ ମ୍ୟାଚ୍ ଡ୍ରରେ ଶେଷ ହୋଇଥିଲା।
ବିଧାନସଭା ପ୍ରଶ୍ନକାଳରେ ବିରୋଧୀଙ୍କ ହଙ୍ଗାମା ; ଗୃହ ୪ଟା ଯାଏଁ ମୁଲତବୀ
ଭୁବନେଶ୍ବର : ଆରମ୍ଭରୁ ବିଧାନସଭାରେ ହଙ୍ଗାମା । ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ହ୍ରାସର ପ୍ରତିବାଦ । ଗୃହ ମଧ୍ୟଭାଗରେ ବିଜେଡିର ନାରାବାଜି । ପ୍ଲାକାର୍ଡ ଧରି ସ୍ଲୋଗାନ ଦେଲେ ବିଜେଡି ବିଧାୟକ । ନିଜ ଆସନରେ ଠିଆ ହୋଇ କଂଗ୍ରେସ ବିଧାୟକଙ୍କ ପ୍ରତିବାଦ । ଅନାସ୍ଥା ବିରୋଧରେ ଷଡ଼ଯନ୍ତ୍ର ଅଭିଯୋଗ । ବିଜେଡି ଓ ବିଜେପି ବିରୋଧରେ କଂଗ୍ରେସର ପ୍ରତିବାଦ । ବିଧାନସଭା ପ୍ରଶ୍ନକାଳରେ ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଗୃହକୁ ୪ଟା ଯାଏଁ ମୁଲତବୀ ଘୋଷଣା କଲେ ବାଚସ୍ପତି ।
ଆଜି ମୌସୁମୀ ଅଧିବେଶନର ଚତୁର୍ଥ ଦିନ ଥିବା ବେଳେ ଗୃହ କାର୍ଯ୍ୟ ସ୍ଵାଭାବିକ ଭାବେ ଚାଲିପାରିଲା ନାହିଁ । ରାଜ୍ୟରେ ସାର ଅଭାବ ପ୍ରସଙ୍ଗକୁ ନେଇ ମୁଖ୍ୟ ବିରୋଧୀ ବିଜେଡି ଜୋରଦାର ପ୍ରତିବାଦ ଜାରି ରଖିଛି । ଅଭିଯୋଗ କ୍ରମେ ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତାକୁ ସଂକୋଚିତ କରି ଅଫିସର ମାନଙ୍କ କ୍ଷମତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଗଣତନ୍ତ୍ର ବ୍ୟବସ୍ଥାକୁ ବିଜେପି ସରକାରଙ୍କ ଏପରି ନିଷ୍ପତ୍ତି ଗଣତନ୍ତ୍ରର ହତ୍ୟା କରିଥିବାରୁ ଏହାକୁ ବିରୋଧ କରି ଗୃହରେ ବିଜେଡି ଶାସକ ଦଳକୁ ଘେରିଛି । ତୁରନ୍ତ ରାଜ୍ୟ ସରକାର ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଦଳ ଦାବି କରିଛି । ସେପଟେ କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିବାକୁ ଗୃହରେ ଦାବି ଦୋହରାଇଛନ୍ତି ବିରୋଧିୀ। ଯାହାକୁ ନେଇ ଗୃହ ବେଶ ସରଗରମ୍ ହୋଇଥିଲା ।
କାରପ୍ରେମୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ! ୫ଲକ୍ଷ ତଳକୁ ଖସିଲା ଏହିସବୁ କାରର ମୂଲ୍ୟ..
ନନ୍ଦିଘୋଷ ବ୍ୟୁରୋ: ଆଜିଠାରୁ ଜିଏସଟି 2.0 ଲାଗୁ ହେବାକୁ ଯାଉଛି । ଆରମ୍ଭ ହେବ ଜିଏସଟି ସଞ୍ଚୟ ଉତ୍ସବ । ଭାରତୀୟ ସାମଗ୍ରୀ ଓ ସେବା ଟିକସ୍ ବ୍ୟବସ୍ଥା(GST)ର ନୂତନ ଅଧ୍ୟାୟ ଆଜି (ସେପ୍ଟେମ୍ବର 22 ତାରିଖ)ରୁ ଆରମ୍ଭ ହେବାକୁ ଯାଉଛି । ଏହା ଦ୍ବାରା ମହିଳା, ଯୁବବର୍ଗ, ଚାଷୀମାନେ ଏହି ଟ୍ୟାକ୍ସ ରିଫର୍ମ ଦ୍ବାରା ବହୁଳ ଭାବେ ଉପକୃତ ହେବେ । ଆତ୍ମନିର୍ଭର ଭାରତ କ୍ଷେତ୍ରରେ ଏହା ଏକ ଯୁଗାନ୍ତକାରୀ ସଂସ୍କାର ଆଣିବାକୁ ଯାଉଛି । ନୂଆ ଜିଏସଟି ହାର ଇଲେକ୍ଟ୍ରୋନିକ୍ସ ଏବଂ ଅଟୋମୋବାଇଲ ସେକ୍ଟରକୁ ଦେଇଛି ବଡ଼ ଉତ୍ସାହ। ଆଜିଠୁ ଶସ୍ତା ହେଲା ଟିଭି, ଏୟାର କଣ୍ଡିସନର, ବାଇକ୍, ପେଟ୍ରୋଲ-ଏଲପିଜି ଓ ସିଏନଜି କାର, ଅଟୋ ପାର୍ଟ୍ସ, ମନିଟର ଓ ପ୍ରୋଜେକ୍ଟର ଏବଂ ସିମେଣ୍ଟ। ଏହି ସାମଗ୍ରୀ ଉପରେ GST ୨୮%ରୁ ୧୮କୁ ହ୍ରାସ କରାଯାଇଛି ।
ଆଜି ନବରାତ୍ରିର ପ୍ରଥମ ଦିନ ନୂତନ GST ସ୍ଲାବ୍ ଲାଗୁ ହେବା ପରେ ଭାରତରେ ମୂଲ୍ୟରେ ଯଥେଷ୍ଟ ହ୍ରାସ ଦେଖିବାକୁ ମିଳୁଛି। ଏହି ପରିବର୍ତ୍ତନ କେବଳ କାର୍ କ୍ରେତାଙ୍କୁ ଲାଭ ଦେଇଛି ନାହିଁ ବରଂ ଦେଶର ସବୁଠାରୁ ସୁଲଭ କାର ତାଲିକାକୁ ମଧ୍ୟ ଯଥେଷ୍ଟ ପରିବର୍ତ୍ତନ କରିଛି । ଏବେ ଭାରତରେ ସବୁଠାରୁ ଶସ୍ତା କାର ଆଉ ମାରୁତି ଅଲ୍ଟୋ K10 ନୁହେଁ, ବରଂ ମାରୁତି S-Presso । ଏହାର ମୂଲ୍ୟ ମାତ୍ର ₹3.50 ଲକ୍ଷରୁ ଆରମ୍ଭ ହେଉଛି ।
ନୂତନ GST ସ୍ଲାବ୍ ଲାଗୁ ହେବା ପରେ 350 ସିସିରୁ ଅଧିକ ଦୁଇଚକିଆ ଯାନ ଏବଂ ବଡ଼ କାରଗୁଡ଼ିକ ବିଳାସପୂର୍ଣ୍ଣ ସାମଗ୍ରୀ ପାଇଁ 40% ସ୍ଲାବକୁ ହ୍ରାସ ପାଇଛି। ଏହି ସମୟରେ ବୈଦ୍ୟୁତିକ ଯାନଗୁଡ଼ିକ 5% ଟିକସ ବର୍ଗରେ ରହିବ।
ଛୋଟ କାର ଉପରେ ଟିକସ
୧୨୦୦ସିସି ପର୍ଯ୍ୟନ୍ତ ପେଟ୍ରୋଲ ଇଞ୍ଜିନ କିମ୍ବା ୧୫୦୦ସିସି ପର୍ଯ୍ୟନ୍ତ ଡିଜେଲ ଇଞ୍ଜିନ ଏବଂ ୪୦୦୦ ମିମିରୁ ଅଧିକ ଲମ୍ବ ନଥିବା କାରଗୁଡ଼ିକୁ ଛୋଟ କାର ଭାବରେ ଶ୍ରେଣୀଭୁକ୍ତ କରାଯାଇଛି। ଏହି ଯାନଗୁଡ଼ିକ ଉପରେ ପୂର୍ବ ୨୮% ବଦଳରେ ୧୮% GST ଟିକସ ଲାଗୁ ହେବ, ଅର୍ଥାତ୍ Alto ଏବଂ i10 ଭଳି ମଡେଲଗୁଡ଼ିକ ଅଧିକ ସୁଲଭ ହୋଇଯିବ।
ବଡ଼ କାର ଉପରେ ଟିକସ
ଏହା ସହିତ, ଛୋଟ କାର ପାଇଁ ମାନଦଣ୍ଡ ପୂରଣ କରୁନଥିବା କାରଗୁଡ଼ିକ ଉପରେ 40% ଟିକସ ଲାଗୁ ହେବ। ପୂର୍ବ ଟିକସ ହାର ଅନୁଯାୟୀ, 28% ଟିକସ ଲାଗୁ ହୋଇଥିଲା, ଏବଂ 22% ପର୍ଯ୍ୟନ୍ତ ସେସ୍ ଥିଲା, ଯାହା ମୋଟ ପ୍ରାୟ 50%। ତାହା ଏବେ ପରିବର୍ତ୍ତନ ହେବ, ଏବଂ ସାମଗ୍ରିକ 40% ଟିକସ ଲାଗୁ ହେବ।
ଜିଏସଟି ହାର ହ୍ରାସ ଘୋଷଣା ପରେ, ଅନେକ କାର୍ କମ୍ପାନୀ ଯେମିତିକି ମହିନ୍ଦ୍ରା, ମାରୁତି ସୁଜୁକି, ଜିପ୍ ଏବଂ ଟାଟା ମୋଟର୍ସ ସମେତ ସେମାନଙ୍କ ଗାଡ଼ିର ମୂଲ୍ୟ ହ୍ରାସ ଘୋଷଣା କରିଛନ୍ତି। ଆସନ୍ତୁ ଜାଣିବା କେଉଁ କାର୍ ଗୁଡ଼ିକ ଶସ୍ତା ହେଇଛି ..
ମାରୁତି S-Presso
ମାରୁତି S-Presso ଏବେ ଦେଶର ସବୁଠାରୁ ସୁଲଭ କାର। ପୂର୍ବରୁ STD (O) ଭାରିଆଣ୍ଟର ମୂଲ୍ୟ ₹4.26 ଲକ୍ଷ ଥିଲା, ଏହାକୁ ଏବେ ₹3.49 ଲକ୍ଷକୁ ହ୍ରାସ କରାଯାଇଛି। ଏହା ଗ୍ରାହକମାନଙ୍କୁ ପ୍ରାୟ ₹76,600ର ଲାଭ ଦେବ। ଏହି କାରରେ 18% ମୂଲ୍ୟ ହ୍ରାସ ଏହାକୁ ବଜେଟ ସେଗମେଣ୍ଟରେ ସବୁଠାରୁ ଅଧିକ ଚାହିଦା ଥିବା କାର ମଧ୍ୟରୁ ଗୋଟିଏ କରିଛି।
ମାରୁତି ଅଲ୍ଟୋ K10
ମାରୁତି ଅଲ୍ଟୋ K10 ଥରେ ଭାରତରେ ସବୁଠାରୁ ଶସ୍ତା କାର ଥିଲା, କିନ୍ତୁ ଏବେ ଏହା ଦ୍ୱିତୀୟ ସ୍ଥାନକୁ ଖସିଯାଇଛି। ଏହାର STD (O) ଭାରିଆଣ୍ଟର ମୂଲ୍ୟ ₹4.23 ଲକ୍ଷରୁ ₹3.69 ଲକ୍ଷକୁ ହ୍ରାସ କରାଯାଇଛି, ଯାହା ଫଳରେ ଗ୍ରାହକମାନେ ପ୍ରାୟ ₹53,100 ସଞ୍ଚୟ କରିପାରିବେ। ଅଲ୍ଟୋ K10 ଏହାର ସୁଲଭ ମୂଲ୍ୟ ଏବଂ ନିର୍ଭରଯୋଗ୍ୟ କାର୍ଯ୍ୟଦକ୍ଷତା ପାଇଁ ଲୋକପ୍ରିୟ ରହିଛି।
ରେନାଲ୍ଟ କ୍ୱିଡ୍
Renault Kwid ଏବେ ଦେଶର ତୃତୀୟ ସବୁଠାରୁ ସୁଲଭ କାର। 1.0 RXE ଭାରିଆଣ୍ଟ, ଯାହାର ମୂଲ୍ୟ ପୂର୍ବରୁ ₹4.69 ଲକ୍ଷ ଥିଲା, ଏବେ ₹4.29 ଲକ୍ଷକୁ ହ୍ରାସ କରାଯାଇଛି, ଯାହା ପ୍ରାୟ ₹40,000 ରିହାତି। ଏହାର SUV ଭଳି ଷ୍ଟାଇଲିଂ ଏବଂ ବଜେଟ୍-ଅନୁକୂଳ ମୂଲ୍ୟ ଗ୍ରାହକମାନଙ୍କୁ ଆକୃଷ୍ଟ କରିଥାଏ ।
ଟାଟା ଟିଆଗୋ
ଟାଟା ଟିଆଗୋ ଦେଶର ଚତୁର୍ଥ ସବୁଠାରୁ ଶସ୍ତା କାର। ପୂର୍ବରୁ, XE ଭାରିଆଣ୍ଟର ମୂଲ୍ୟ ₹4.99 ଲକ୍ଷ ଥିଲା, କିନ୍ତୁ GST ହ୍ରାସ ପରେ, ଏହା ଏବେ ₹4.57 ଲକ୍ଷରୁ ଆରମ୍ଭ ହେଉଛି। ଏହାର ଅର୍ଥ ହେଉଛି ଗ୍ରାହକମାନେ ପ୍ରାୟ ₹42,500 ଲାଭ ପାଇଛନ୍ତି । ଏହାର ଗୁଣବତ୍ତା ଏବଂ ଷ୍ଟାଇଲିସ୍ ଲୁକ୍ ସହିତ, ଟିଆଗୋ ଏହି ମୂଲ୍ୟରେ ଶସ୍ତା କାର।
ମାରୁତି ସେଲେରିଓ
ଭାରତରେ ସୁଲଭ କାର ତାଲିକାରେ ମାରୁତି ସେଲେରିଓ ମଧ୍ୟ ସାମିଲ ହୋଇଛି । ଏହାର LXI ଭାରିଆଣ୍ଟର ମୂଲ୍ୟ, ଯାହା ପୂର୍ବରୁ ₹5.64 ଲକ୍ଷ ଥିଲା, ଏବେ ₹4.69 ଲକ୍ଷକୁ ହ୍ରାସ କରାଯାଇଛି । ଏହା ପ୍ରାୟ ₹94,100 ରିହାତି ଦେଉଛି ।
ନୂତନ GST ସ୍ଲାବ୍ ଲାଗୁ ହେବା ପରେ, ମାରୁତି S-Presso ଦେଶର ସବୁଠାରୁ ସୁଲଭ କାର ପାଲଟିଛି, ଯାହାର ମୂଲ୍ୟ ₹3.50 ଲକ୍ଷରୁ ଆରମ୍ଭ ହେଉଛି। Alto K10, Kwid, Tiago ଏବଂ Celerio ପରି କାରଗୁଡ଼ିକ ମଧ୍ୟ ଏବେ ₹5 ଲକ୍ଷରୁ କମ୍ ମୂଲ୍ୟରେ ଉପଲବ୍ଧ। ଯଦି ଆପଣ ଆପଣଙ୍କ ବଜେଟ୍ ମଧ୍ୟରେ ଏକ ନୂତନ କାର କିଣିବାକୁ ଚାହୁଁଛନ୍ତି, ତେବେ ଏବେ ସଠିକ୍ ସମୟ ।
ରାଜେନ୍ଦ୍ର ଢୋଲକିଆଙ୍କୁ ନବୀନଙ୍କ ଶ୍ରଦ୍ଧାଞ୍ଜଳି ; ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ
ନୂଆପଡ଼ା : ନୂଆପଡ଼ାର ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ନବୀନ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି। ଖରିଆର ରୋଡ୍ ରେ ବିଜେଡି ତରଫରୁ ହୋଇଥିବା ଶ୍ରଦ୍ଧାଞ୍ଜଳି ସଭାରେ ଅନଲାଇନରେ ଯୋଗ ଦେଇଥିଲେ ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ରାଜେନ୍ଦ୍ର ଢୋଲକିଆଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ସେ ଶୋକସନ୍ତପ୍ତ ପରିବାରକୁ ସମବେଦନା ମଧ୍ୟ ଜଣାଇଥିଲେ ନବୀନ।
ପୂର୍ବତନ ମନ୍ତ୍ରୀ ଓ ନୂଆପଡ଼ାର ସ୍ବର୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପ୍ରତି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଗଭୀର ଶ୍ରଦ୍ଧାଞ୍ଜଳି। ଢୋଲକିଆଙ୍କ ପାଇଁ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ନବୀନ ପଟ୍ଟନାୟକ କହିଛନ୍ତି, ନୂଆପଡା ର ବିକାଶରେ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ବହୁତ ଅବଦାନ ରହିଛି। ତାଙ୍କର ନିଷ୍ଠା, ପ୍ରତିବଦ୍ଧତା ଓ କଠିନ ପରିଶ୍ରମ ପାଇଁ ସେ ସବୁଦିନ ମନେ ରହିବେ। ଶାନ୍ତ, ସରଳ, ନିରହଂକାର ଗୁଣ ପାଇଁ ସମସ୍ତଙ୍କ ପ୍ରିୟ ଥିଲେ ରାଜେନ୍ଦ୍ର। ଢୋଲକିଆ ବାବୁଙ୍କ ଅଧୁରା କାମକୁ ପୁରା କରିବାକୁ ତାଙ୍କ ପରିବାର ସହ ବିଜୁ ଜନତା ଦଳ ଓ ସେ ନିଜେ ସମସ୍ତେ ଏକାଠି କାମ କରିବେ ବୋଲି ନବୀନ ପଟ୍ଟନାୟକ ପ୍ରତିଶୃତି ଦେଇଛନ୍ତି । ନବୀନ ପଟ୍ଟନାୟକ କହିଛନ୍ତି ସ୍ବର୍ଗତ ଢୋଲକିଆ ବିଜୁ ଜନତା ଦଳର ଗୋଟେ ସ୍ତମ୍ଭ ଥିଲେ। ଦଳକୁ ମଜଭୁତ କରିବାରେ ତାଙ୍କର ବିଶେଷ ଅବଦାନ ଥିଲା। ସେ ସବୁବେଳେ ଲୋକଙ୍କ ସହ ଯୋଡି ହୋଇ ରହିଥିଲେ।
ସାଧାରଣ ଲୋକଙ୍କ ସହ ସ୍ବର୍ଗତ ଢୋଲକିଆଙ୍କ ସମ୍ପର୍କ ବିଷୟ ଉଲ୍ଲେଖ କରି ନବୀନ ପଟ୍ଟନାୟକ କହିଛନ୍ତି, ସ୍ବର୍ଗତ ଢୋଲକିଆ ଲୋକଙ୍କ ସୁଖ ଦୁଃଖର ସାଥୀ ଥିଲେ। ସେ ବହୁବାର ବିଧାୟକ ହୋଇଛନ୍ତି, ମନ୍ତ୍ରୀ ହୋଇଛନ୍ତି କିନ୍ତୁ ତୃଣମୂଳ ସ୍ତରରେ ରେ ସବୁବେଳେ ଯୋଡ଼ି ହୋଇ ରହୁଥିଲେ। ନୂଆପଡ଼ାର ବିକାଶରେ ସ୍ବର୍ଗତ ଢୋଲକିଆଙ୍କ ଅବଦାନ ବିଷୟରେରେ ସ୍ମରଣ କରାଇ ବିରୋଧୀ ଦଳ ନେତା କହିଛନ୍ତି, ଭିତ୍ତିଭୂମି ବିକାଶ ବିଶେଷ କରି ନୂଆପଡ଼ାରେ ବିଜୁ ଏକ୍ସପ୍ରେସ ୱେ, ପିଇବା ପାଣି ଓ ଜଳସେଚନ କ୍ଷେତ୍ରରେ ଢୋଲକିଆ ବହୁତ ଭଲ କାମ କରିଛନ୍ତି।ଜନଜାତି ଭାଇ ଭଉଣୀମାନଙ୍କ କଲ୍ୟାଣ ସହ ଶିକ୍ଷା ଓ ସ୍ୱାସ୍ଥ୍ୟ ର ବିକାଶ ପାଇଁ ଢୋଲକିଆ ବାବୁଙ୍କ ବହୁତ ଅବଦାନ ରହିଛି। ସମାଜସେବା କ୍ଷେତ୍ରରେ ତାଙ୍କର ବିଶେଷ ପରିଚୟ ଥିଲା। ଗରିବ ଲୋକଙ୍କ ବିବାହ, ଚକ୍ଷୁ ଚିକିତ୍ସା ଶିବିର, ଭିନ୍ନକ୍ଷମ ଶିବିର ଆୟୋଜନ କରି ସେ ଲୋକଙ୍କ ସେବା କରୁଥିଲେ।
ଅନେକ ମନ୍ଦିର, ମସଜିଦ, ଚର୍ଚ୍ଚ, ଗୁରୁଦ୍ୱାରାର ପୁନଃରୁଦ୍ଧାରରେ ନିଜକୁ ସାମିଲ କରିଥିଲେ। ତାଙ୍କର ଶାନ୍ତ ସରଳ ଅମାୟିକ ଓ ନିରହଂକାର ଗୁଣ ଯୋଗୁଁ ସେ ସମସ୍ତଙ୍କର ଆଦରଣୀୟ ଥିଲେ। ନବୀନ ପଟ୍ଟନାୟକ କହିଛନ୍ତି, ସ୍ବର୍ଗତ ଢୋଲକିଆ ଆଜି ଆମ ଭିତରେ ନାହାନ୍ତି ସତ କିନ୍ତୁ ନୂଆପଡାର ବିକାଶ ଓ ଲୋକଙ୍କ କଲ୍ୟାଣ ପାଇଁ ତାଙ୍କର ପ୍ରତିବଦ୍ଧତା, ନିଷ୍ଠା ଓ କଠିନ ପରିଶ୍ରମ ପାଇଁ ସେ ଲୋକଙ୍କ ହୃଦୟ ଜିତି ପାରି ଥିଲେ। ସେ ଲୋକଙ୍କ ପ୍ରିୟ ଥିଲେ ଏବଂ ସବୁବେଳେ ପ୍ରିୟ ହୋଇ ରହିଥିବେ। ଏ ଦୁଃଖ ସମୟରେ ସେ ନିଜେ ଏବଂ ପୁରା ବିଜୁ ଜନତା ଦଳ ଢୋଲକିଆ ବାବୁଙ୍କ ପରିବାର ସହ ରହିଛନ୍ତି ବୋଲି କହିଛନ୍ତି ନବୀନ ପଟ୍ଟନାୟକ। ଢୋଲକିଆଙ୍କ ପତ୍ନୀ କଳ୍ପନା ଜୀ ଓ ପୁଅ ଜୟଙ୍କୁ ଏବଂ ନୂଆପଡାବାସୀଙ୍କୁ ମଧ୍ୟ ନବୀନ ପଟ୍ଟନାୟକ ଗଭୀର ସମବେଦନା ଜଣାଇଥିଲେ। ଢୋଲକିଆ ବାବୁଙ୍କ ଅଧୁରା କାମ କୁ ପୁରା କରିବାକୁ ତାଙ୍କ ପରିବାର ସହ ସେ ନିଜେ ଓ ବିଜୁ ଜନତା ଦଳ ସମସ୍ତେ ଏକାଠି କାମ କରିବେ ବୋଲି ନବୀନ ପଟ୍ଟନାୟକ ପ୍ରତିଶୃତି ଦେଇଛନ୍ତି।
ଏହି ଶ୍ରଦ୍ଧାଞ୍ଜଳି ସଭାରେ ବିଜେଡିର ପ୍ରସନ୍ନ ଆଚାର୍ଯ୍ୟ, ଦେବୀପ୍ରସାଦ ମିଶ୍ର, ସ୍ନେହାଙ୍ଗିନୀ ଛୁରିଆ, ପୁଷ୍ପେନ୍ଦ୍ର ସିଂହଦେଓ, ଦିବ୍ୟ ଶଙ୍କର ମିଶ୍ର, କଳିକେଶ ସିଂହଦେଓ, ଅଧିରାଜ ପାଣିଗ୍ରାହୀଙ୍କ ସମେତ ବହୁ କର୍ମୀ ଏବଂ ଏହି ଅଞ୍ଚଳର ଜନସାଧାରଣ ଯୋଗ ଦେଇଥିଲେ। ସମସ୍ତେ ରାଜେନ୍ଦ୍ର ଢୋଲକିଆଙ୍କ ସ୍ମୃତି ଚାରଣ କରିଥିଲେ।
ସରିଲା ରତ୍ନଭଣ୍ଡାର ମରାମତି ; ଆସନ୍ତାକାଲି ଅଳଙ୍କାର ସ୍ଥାନାନ୍ତର
ପୁରୀ : ରତ୍ନଭଣ୍ଡାର ମରାମତି ସମ୍ପୂର୍ଣ୍ଣ ହୋଇଥିବାରୁ ଶ୍ରୀଜିଉଙ୍କର ସମସ୍ତ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀ ଆସନ୍ତାକାଲି ଏହି ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ ସ୍ଥାନାନ୍ତର କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଏଥିପାଇଁ ଆସନ୍ତାକାଲି ସକାଳ ୧୦ରୁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ନାଟମଣ୍ଡପ ଏବଂ ଜଗମୋହନକୁ ଶୋଧ କରାଯିବ ।
ଶ୍ରୀମନ୍ଦିର ମୁଖ୍ୟ ଦେଉଳ ତଥା ଝୁଲଣ ମଣ୍ଡପ ପରିସରକୁ ଭକ୍ତଙ୍କ ପ୍ରବେଶ ବାରଣ ରହିବ । ଭକ୍ତମାନେ ଆନନ୍ଦ ବଜାରକୁ ଯାଇ ମହାପ୍ରସାଦ ନେଇ ପାରିବେ । ରତ୍ନଭଣ୍ଡାର ସ୍ଥାନାନ୍ତର କାର୍ଯ୍ୟ ସମାପନ ପରେ ପ୍ରବେଶ କଟକଣା ପ୍ରତ୍ୟାହାର ହେବ ଓ ଦର୍ଶନ ସ୍ୱାଭାବିକ ହେବ।

