spot_img
Home Blog Page 343

ସାରା ରାଜ୍ୟରେ ଲଘୁଚାପ ପ୍ରଭାବରେ ବର୍ଷା ; ଏଥର ଭିଜିବ ଦଶହରା

ନନ୍ଦିଘୋଷ ବ୍ୟୁରୋ : ବର୍ଷାରେ ଭିଜିବ ଦଶହରା। ଲଘୁଚାପ ପ୍ରଭାବରେ ସାରା ରାଜ୍ଯରେ ଲାଗି ରହିଛି ବର୍ଷା  । ଯାହା ଫଳରେ ଫିକା ପଡ଼ିପାରେ ପାର୍ବଣର ପରିବେଶ। ତଥାପି ଜଗତଜନନୀଙ୍କୁ ସ୍ଵାଗତ କରିବା ପାଇଁ ଜୋରସୋରରେ ଚାଲିଛି ମଣ୍ଡପ ଓ ତୋରଣ କାମ। ଏକ ପ୍ରକାର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି। ଭୁବନେଶ୍ଵର ରସୁଲଗଡ଼ ପୂଜା କମିଟିର ତୋରଣ କାର୍ଯ୍ୟ ସରିଥିବା ବେଳେ ମାଆଙ୍କ ମୂର୍ତ୍ତି କାର୍ଯ୍ୟ ଅଳ୍ପ ବାକି ରହିଛି। ରବିବାର ସନ୍ଧ୍ୟାରେ ବେଳବରଣୀ ମୁହୂର୍ତ୍ତ ଥିବାରୁ ଜୋରସୋରରେ ଲାଗିଛନ୍ତି କାରିଗର।

ଆଜି ଭାରତ-ଶ୍ରୀଲଙ୍କା ଟକ୍କର; ଦୁବାଇରେ ରାତି ୮ଟାରେ ମ୍ୟାଚ

ନନ୍ଦିଘୋଷ ବ୍ୟୁରୋ : ଏସିଆ କପରେ ଆଜି ଭାରତ ଶ୍ରୀଲଙ୍କା ମୁକାବିଲା ରହିଛି। ସଂଧ୍ୟା ୮ଟାରେ ଦୁବାଇରେ ଏହି ମ୍ଯାଚ ଖେଳାଯିବ। ଟୁର୍ଣ୍ଣାମେଣ୍ଟ କିମ୍ଵା ଫାଇନାଲରେ ଏହି ମ୍ଯାଚର କୌଣସି ପ୍ରଭାବ ପଡ଼ିବ ନାହିଁ। କେବଳ ଔପଚାରିକ ଭାବେ ଏହି ମ୍ୟାଚ ଖେଳାଯିବ । କାରଣ ଭାରତ -ପାକିସ୍ତାନ ଫାଇନାଲ ହେବ ବୋଲି ନିର୍ଦ୍ଧାରିତ ହୋଇ ଯାଇଛି। ସୁପର ଫୋରରେ ପାକିସ୍ତାନକୁ ପରାସ୍ତ କରି ଆଗରୁ ଭାରତ ଫାଇନାଲକୁ ଯାଇଥିବା ବେଳେ ଗତକାଲି ବାଂଲାଦେଶକୁ ୧୧ ରନରେ ହରାଇ ପାକିସ୍ତାନ ଫାଇନାଲକୁ ଯାଇଛି। ଆଜିର ମ୍ୟାଚରୁ ଭାରତ ଫାଇନାଲ ପ୍ରାକ୍ଟିସ ବୋଲି କୁହାଯାଇପାରେ। ଆଜି ହୁଏତ କିଛି ପରୀକ୍ଷା ନିରୀକ୍ଷା କରାଯାଇପାରେ।

ଫାଇନାଲ ପୂର୍ବରୁ ଦଳକୁ ପୁରା ଫିଟ୍ କରି, ସବୁ ଦୋଷ ତ୍ରୁଟି ସଜାଡ଼ିବାକୁ ଭାରତ ଚେଷ୍ଟା କରିବ। ବିଶେଷ କରି ଫିଲଡିଂ ତ୍ରୁଟି ସଂଶୋଧନ କରାଯିବ। କାରଣ ପୁରା ଟୁର୍ଣ୍ଣାମେଣ୍ଟରେ ଭାରତର ଫିଲଡିଂ ଭଲ ହୋଇନାହିଁ। ଅନେକ କ୍ୟାଚ ଛାଡ଼ିଛନ୍ତି ସେମାନେ। ବ୍ୟାଟିଂ ଆଉ ବୋଲିଂକୁ ମଧ୍ୟ ଆହୁରି ଶାଣିତ କରାଯିବ।

ଗାଜାରେ ଶାନ୍ତି ପ୍ରତିଷ୍ଠା ଲାଗି ଆମେରିକା ଟ୍ରମ୍ପ ପ୍ରଶାସନର ୨୧ ସୂତ୍ରୀ ପ୍ରସ୍ତାବ

ନନ୍ଦିଘୋଷ ବ୍ୟୁରୋ : ଗାଜାରେ ଶାନ୍ତି ପ୍ରତିଷ୍ଠା ଲାଗି ଆମେରିକା ଟ୍ରମ୍ପ ପ୍ରଶାସନର ୨୧ ସୂତ୍ରୀ ପ୍ରସ୍ତାବ  । ଇସ୍ରାଏଲ ଓ ଗାଜା ମଧ୍ୟରେ ଚାଲିଥିବା ଲଢ଼େଇର ଅନ୍ତ ଘଟାଇବା ଲାଗି ଟ୍ରମ୍ପ ପ୍ରଶାସନ ବିଶେଷ ଉଦ୍ୟମ କରିଛି  । ଆରବ ରାଷ୍ଟ୍ର ସମୂହର ନେତାମାନଙ୍କୁ ଟ୍ରମ୍ପ ପ୍ରଶାସନ ଏହି ପ୍ରସ୍ତାବ ଦେଇଛି  । ସେପଟେ ପାଲେଷ୍ଟାଇନକୁ କିଛି ପାଶ୍ଚାତ୍ୟ ରାଷ୍ଟ୍ର ଯେଉଁ ସ୍ବୀକୃତି ପ୍ରଦାନ କରିଛନ୍ତି ତାହାକୁ ବିରୋଧ କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ  । ଜାତିସଂଘ ସାଧାରଣ ଆସେମ୍ବ୍ଲିରେ ପାଲେଷ୍ଟାଇନକୁ ବ୍ରିଟେନ, ଫ୍ରାନ୍ସ, କାନାଡା, ଅଷ୍ଟ୍ରେଲିଆ ସ୍ବୀକୃତି ଦେଇଥିବାରୁ ତାହାକୁ ବିରୋଧ କରିଛି ଇସ୍ରାଏଲ  । ତେବେ ଏହି ସବୁ ରାଷ୍ଟ୍ରର ପଦକ୍ଷେପକୁ ବିରୋଧ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ  । ଏହି ସ୍ବୀକୃତି ପ୍ରଦାନର ଅର୍ଥ ହମାସ ଆତଙ୍କୀ ସଂଗଠନକୁ ସମର୍ଥନ ଦେବା ବୋଲି କହିଛନ୍ତି ଟ୍ରମ୍ପ  । ସେପଟେ ଗାଜାର ବିଭିନ୍ନ ସ୍ଥାନରେ ସହାୟତା ଦେବା ଲାଗି ଇଟାଲୀ ନୌଜାହାଜକୁ ପଠାଇଥିବା ସୂଚନା ମିଳିଛି  । ଇସ୍ରାଏଲ ହମଲାରେ ନଷ୍ଟ ହୋଇଥିବା ଅଞ୍ଚଳରେ ଏହି ସହାୟତା ବଣ୍ଟନ କରାଯିବ  ।

ଔଷଧ ଉପରେ ୧୦୦% ଟ୍ରମ୍ପ ଟାରିଫ ଲଗାଇଲେ ଟ୍ରମ୍ପ

ନନ୍ଦିଘୋଷ ବ୍ୟୁରୋ : ଆଇଟି ସେକ୍ଟର ପରେ ଫାର୍ମା ସେକ୍ଟର ଉପରେ ଟ୍ରମ୍ପଙ୍କ ଟାରିଫ ମାଡ଼। ବାହାର ଦେଶର ଔଷଧ ଉପରେ ୧୦୦ ପ୍ରତିଶତ ଟାରିଫ ଲଗାଇଛନ୍ତି ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ। ଅକ୍ଟୋବର ୧ ତାରିଖରୁ ସମସ୍ତ ପ୍ରକାର ବ୍ରାଣ୍ଡେଡ୍ ଓ ପେଟେଣ୍ଟ ମେଡିସିନ ଉପରେ ଏହା ଲାଗୁ ହେବ। ସେ କହିଛନ୍ତି, ଆମେରିକାରରେ ଫ୍ଯାକଟ୍ରି ବସାଇ ମେଡିସିନ ପ୍ରସ୍ତୁତ କର। ଏପରି କଲେ ଟାରିଫରୁ ମୁକ୍ତି ମିଳିବ। ନ ହେଲେ ୧୦୦ ପ୍ରତିଶତ ଟାରିଫ ହେବାକୁ ପ୍ରସ୍ତୁତ ରୁହ। ଟ୍ରମ୍ପଙ୍କ ଏହି ନିର୍ଦ୍ଦେଶ ଫଳରେ ଅସୁବିଧାରେ ପଡ଼ିପାରନ୍ତି ଭାରତୀୟ ଫାର୍ମା କମ୍ପାନୀ। କାରଣ ହଜାର ହଜାର କୋଟି ଟଙ୍କାର ମେଡିସିନ ଆମେରିକାକୁ ରପ୍ତାନୀ କରୁଛନ୍ତି ଭାରତୀୟ କମ୍ପାନୀ। କେବଳ ଯେ, ବାହାର ଦେଶ ଅସୁବିଧାରେ ପଡ଼ିବେ ତାହା ନୁହେଁ, ନିଜେ ଆମେରିକାର ଲୋକେ ବି ଅସୁବିଧାରେ ପଡ଼ିବେ। କାରଣ ଅଧିକ ଦାମରେ ମେଡିସିନ କରିବାକୁ ସେମାନେ ବାଧ୍ୟ ହେବେ। ଏହା ଦ୍ଵାରା ଦରଦାମ ବଢ଼ିବ। ପୁରା ଅର୍ଥନୀତି ପ୍ରଭାବିତ ହୋଇପାରେ। ମେଡିସିନ ସହିତ ରୋଷେଇ ଘର କ୍ୟାବିନେଟ୍ ଏବଂ ବାଥରୁମ୍ ଭ୍ୟାନିଟି ଉପରେ ୫୦ ପ୍ରତିଶତ, ଅପହୋଲ ଷ୍ଟର୍ଡ ଫର୍ଣ୍ଣିଚର ଉପରେ ୩୦ ପ୍ରତିଶତ ଏବଂ ଭାରୀ ଟ୍ରକ୍ ଉପରେ ୨୫ ପ୍ରତିଶତ ଟିକସ ଲଗାଇଛନ୍ତି ଟ୍ରମ୍ପ।

ବାୟୁସେନାରୁ ବିଦାୟ ନେବ MiG 21, ଏବେ ଏହି ଲଢ଼ୁଆ ବିମାନର କ’ଣ ହେବ?

ନନ୍ଦିଘୋଷ ବ୍ୟୁରୋ :  ଅବସର ନେବ ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ MiG-21 । ଭାରତୀୟ ବାୟୁସେନା ଶୁକ୍ରବାର ଦିନ ଏହାର ପ୍ରତୀକାତ୍ମକ MiG-21 ଲଢ଼ୁଆ ବିମାନକୁ ଆନୁଷ୍ଠାନିକ ଭାବରେ ଅବସର ଦେବ । ଏହା ଭାରତର ବାୟୁ ପ୍ରତିରକ୍ଷା କ୍ଷେତ୍ରରେ “ସର୍ବାଧିକ ଶକ୍ତିଶାଳୀ” ଲଢ଼ୁଆ ବିମାନ ଭାବରେ ପ୍ରାୟ ଛଅ ଦଶନ୍ଧିର ସେବାର ଅନ୍ତ ଘଟାଇବ। ଚଣ୍ଡିଗଡ଼ର ଭାରତୀୟ ବାୟୁସେନା ଘାଟିରେ ଏକ ଉତ୍ସବୀୟ ଫ୍ଲାଏପାଷ୍ଟ ଏବଂ ଡିକମିସନ ସମାରୋହ ଅନୁଷ୍ଠିତ ହେବ, ଯେଉଁଥିରେ ବରିଷ୍ଠ ସାମରିକ ଅଧିକାରୀ ଏବଂ ପିଢ଼ି ପରେ ପିଢ଼ି ଏହି ବିମାନକୁ ଉଡ଼ାଇଥିବା ଅଭିଜ୍ଞ ପାଇଲଟମାନେ ଯୋଗଦେବେ।

୧୯୬୩ ମସିହାରେ ସାମିଲ ହୋଇଥିବା MiG-21 ଭାରତର ପ୍ରଥମ ସୁପରସୋନିକ୍ ଲଢ଼ୁଆ ବିମାନ ଥିଲା, ଯାହା ଏହାର ପ୍ରଥମ ସ୍କ୍ୱାର୍ଡନ୍ – ଚଣ୍ଡିଗଡ଼-ଭିତ୍ତିକ ୨୮ ସ୍କ୍ୱାର୍ଡନ୍ – “ପ୍ରଥମ ସୁପରସୋନିକ୍ସ” ଡାକନାମ ହାସଲ କରିଥିଲା। ବର୍ଷ ବର୍ଷ ଧରି, ଭାରତ ବିଭିନ୍ନ ପ୍ରକାରର ୭୦୦ ରୁ ଅଧିକ MiG-21 ବିମାନ ସାମିଲ କରିଛି, ଯାହା ମଧ୍ୟରୁ ଅନେକ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ ଦ୍ୱାରା ଘରୋଇ ଭାବରେ ନିର୍ମିତ। ମଣିଷ ପରି, ବିଶ୍ୱବ୍ୟାପୀ ବିମାନଗୁଡ଼ିକୁ ବାୟୁସେନାରେ ସାମିଲ କରାଯାଏ ଏବଂ ସେବା ପରେ ଏହାକୁ ଡିକମିଶନ କରାଯାଏ। ଏଥର, MiG-21 ର ପାଳି। ବାୟୁସେନାରୁ ଅବସର ଦିଆଯିବ। ଆସନ୍ତୁ ଜାଣିବା ଅବସର ପରେ MiG-21 ର କ’ଣ ହେବ…

ଅବସରପ୍ରାପ୍ତ ଯୁଦ୍ଧ ବିମାନ ପାଇଁ ପ୍ରୋଟୋକଲ

ବାୟୁସେନାର ଜନସମ୍ପର୍କ ଅଧିକାରୀ ୱିଙ୍ଗ କମାଣ୍ଡର ଜୟଦୀପ ସିଂହ MiG-21 ର ଅବସର ଯୋଜନା ଏବଂ ଏହାର ସଫଳତା ବିଷୟରେ କହିଛନ୍ତି ଯେ, MiG-21 ୨୦୧୯ରେ ବାଲାକୋଟ ଆକ୍ରମଣରେ ମଧ୍ୟ ସାମିଲ ଥିଲା, ଯେଉଁଠାରେ ଗ୍ରୁପ୍ କ୍ୟାପଟେନ୍ ଅଭିନନ୍ଦନଏକ F-16 ଲଢ଼ୁଆ ବିମାନକୁ ଗୁଳି କରି ଖସାଇ ଦେଇଥିଲେ ଏବଂ ତା’ପରେ ଏହାକୁ ୨୦୨୫ ରେ ଅପରେସନ୍ ସିନ୍ଦୁରରେ ଅପରେସନ୍ ପାଇଁ ନିୟୋଜିତ କରାଯାଇଥିଲା, କିନ୍ତୁ ବର୍ତ୍ତମାନ MiG-21 ଭାରତୀୟ ବାୟୁସେନାରୁ ଅବସର ନେଉଛି। ସେ ଆହୁରି କହିଛନ୍ତି ଯେ, ଭାରତୀୟ ବାୟୁସେନାରୁ ଅବସର ନେବା ପରେ ଯୁଦ୍ଧ ବିମାନ ସମ୍ପର୍କରେ କିଛି ପ୍ରୋଟୋକଲ ଅଛି ଏବଂ ଅବଶିଷ୍ଟ ବିମାନଗୁଡ଼ିକୁ ସେହି ଅନୁସାରେ ରଖାଯାଏ।

ଯୁଦ୍ଧ ବିମାନଗୁଡ଼ିକୁ କାହିଁକି ଦିଆଯାଏ ବିଦାୟ ?

ମଣିଷ ଜୀବନ ପରି, ବିମାନ ଏୟାରଫ୍ରେମର ଏକ ନିର୍ଦ୍ଦିଷ୍ଟ ଜୀବନକାଳ ଥାଏ, ଯାହା ପରେ ସେଗୁଡ଼ିକ ଖରାପ ହେବା ଆରମ୍ଭ କରନ୍ତି ଏବଂ ବ୍ୟବହାର ଅଯୋଗ୍ୟ ହୋଇଯାଆନ୍ତି। ଏହା ବ୍ୟତୀତ, ସେମାନଙ୍କର ସେବା ଜୀବନ ମଧ୍ୟରେ, ନୂତନ ପ୍ରଯୁକ୍ତିବିଦ୍ୟା ବିକଶିତ ହୁଏ, ଯାହା ଶେଷରେ ବିଦ୍ୟମାନ ଯୁଦ୍ଧ ବିମାନ ଏବଂ ପ୍ରଯୁକ୍ତିବିଦ୍ୟାକୁ ପୁରୁଣା କରିଦିଏ। ତେଣୁ, ପୁରୁଣା ଯୁଦ୍ଧ ବିମାନଗୁଡ଼ିକ ଯେତେବେଳେ ବୈଷୟିକ ଭାବରେ ପୁରୁଣା ହୋଇଯାଏ ସେତେବେଳେ ସେଗୁଡ଼ିକୁ ପ୍ରାୟତଃ ଅବସର ଦିଆଯାଇଥାଏ। କେତେକ ସମୟରେ, ଯେତେବେଳେ ସ୍ପେୟାର ପାର୍ଟସ୍ ଅଭାବରୁ ଯୁଦ୍ଧ ବିମାନଗୁଡ଼ିକୁ ମଧ୍ୟ ଅବସର ଦିଆଯାଇଥାଏ ଏବଂ ସେଗୁଡ଼ିକୁ ଉଡ଼ାଣ ଯୋଗ୍ୟ ରକ୍ଷଣାବେକ୍ଷଣ କରିବା ଅତ୍ୟଧିକ ମହଙ୍ଗା ହୋଇଯାଏ। ତେଣୁ, ଅସମ୍ଭବ ପରିଚାଳନା ଖର୍ଚ୍ଚ ଯୋଗୁଁ କେତେକ ସମୟରେ ଯୁଦ୍ଧ ବିମାନଗୁଡ଼ିକୁ ଅବସର ଦିଆଯାଇଥାଏ।

ସ୍ପେୟାର ପାର୍ଟସ୍‌ଗୁଡ଼ିକୁ କଢ଼ାଯିବ

ଅବସର ପରେ ଯୁଦ୍ଧ ବିମାନର ସବୁଠାରୁ ସାଧାରଣ ଭାଗ୍ୟ ହେଉଛି ସ୍ପେୟାର ପାର୍ଟସ ପାଇଁ ଏହାକୁ ଭାଙ୍ଗି ଦିଆଯିବା। ଯୁଦ୍ଧ ବିମାନରେ ଥିବା ସମସ୍ତ ମହଙ୍ଗା ଏଭିଓନିକ୍ସକୁ ବାହାର କରିଦିଆଯାଏ।ଏଥିରେ ରାଡାର, ଇଲେକ୍ଟ୍ରୋନିକ୍ ଯୁଦ୍ଧ ସୁଟ୍, କକପିଟ୍ ଇଲେକ୍ଟ୍ରୋନିକ୍ସ ଇତ୍ୟାଦି ଅନ୍ତର୍ଭୁକ୍ତ। ଏହି ଉପାଦାନଗୁଡ଼ିକ ଏବେ ବି ସେବାରେ ଥିବା ସହଯୋଗୀ ବିମାନରେ ବ୍ୟବହାର କରାଯାଇପାରିବ। ପ୍ରାୟତଃ, ଏହି ଉପାଦାନଗୁଡ଼ିକର ଭଲ ପୁନଃବିକ୍ରୟ ମୂଲ୍ୟ ଥାଏ। ଅନ୍ୟାନ୍ୟ ଉପାଦାନଗୁଡ଼ିକୁ ମଧ୍ୟ ରକ୍ଷଣାବେକ୍ଷଣ ପାଇଁ ସଂରକ୍ଷିତ ରଖାଯାଏ।

MIG-21କୁ ସଂଗ୍ରହାଳୟରେ ରଖାଯାଇପାରିବ

କିଛି ଯୁଦ୍ଧ ବିମାନ ସୌଭାଗ୍ୟବଶତଃ ବିଭିନ୍ନ ସଂଗ୍ରହାଳୟ ଏବଂ ଅନ୍ୟାନ୍ୟ ସାର୍ବଜନୀନ ସ୍ଥାନରେ ପ୍ରଦର୍ଶନୀ ୟୁନିଟ୍ ଭାବରେ ସଂରକ୍ଷିତ ରହିଛି। ଏହି ପ୍ରଦର୍ଶନୀ ୟୁନିଟ୍ ଯୁବକମାନଙ୍କୁ ସଶସ୍ତ୍ର ବାହିନୀରେ ଯୋଗଦେବା ପାଇଁ ପ୍ରେରଣା ଦେଇଆସୁଛି। ଏହି ପ୍ରଦର୍ଶନୀ ୟୁନିଟ୍‌ଗୁଡ଼ିକ ବିମାନର ସୁବର୍ଣ୍ଣ ଇତିହାସକୁ ମଧ୍ୟ ସଂରକ୍ଷଣ କରନ୍ତି। ଭାରତରେ, ଆମେ ବିମାନବନ୍ଦର, SSB କେନ୍ଦ୍ର, ସାମରିକ ବିଦ୍ୟାଳୟ ଏବଂ ଅନ୍ୟାନ୍ୟ ବିଭିନ୍ନ ସାର୍ବଜନୀନ ସ୍ଥାନରେ ଭାରତୀୟ ବାୟୁସେନାର ବିଭିନ୍ନ ଅବସରପ୍ରାପ୍ତ ଯୁଦ୍ଧ ବିମାନ ପ୍ରଦର୍ଶିତ ଦେଖିପାରୁଛୁ।

ମହାନଦୀରେ ବଢିବ ଜଳପ୍ରବାହ, ମୁଣ୍ଡଳିକୁ ଆସିବ ୬ ଲକ୍ଷ କ୍ୟୁସେକ ପାଣି

ନନ୍ଦିଘୋଷ ବ୍ୟୁରୋ : ମହାନଦୀରେ ନାହିଁ ବନ୍ୟା ପରିସ୍ଥିତି । ମହାନଦୀରେ ବନ୍ୟା ପରିସ୍ଥିତି ନଥିଲେ ବି ବଢିବ ଜଳପ୍ରବାହ । ଆଜି ମୁଣ୍ଡଳିରେ ୬ ଲକ୍ଷ କ୍ୟୁସେକ ପାଣି ଆସିବ । ଯାହା ଦ୍ବାରା ଶାଖା ନଦୀର ଜଳସ୍ତର ବୃଦ୍ଧି ପାଇବ । ବର୍ତ୍ତମାନ ହୀରାକୁଦର ୨୦ଟି ଗେଟ ଖୋଲା ଅଛି । ହୀରାକୁଦ ଜଳ ସ୍ତର ବର୍ତ୍ତମାନ 629.06 ଫୁଟ୍ ଥିବାବେଳେ ଜଳ ଭଣ୍ଡାର ଭିତରକୁ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି 2 ଲକ୍ଷ 84 ହଜାର 127 ଘନଫୁଟ ବନ୍ୟାଜଳ। 20 ଟି ଗେଟ୍ ଦେଇ ନିଷ୍କାସିତ ହେଉଛି 3 ଲକ୍ଷ 60 ହଜାର 341 ଘନଫୁଟ ବନ୍ୟାଜଳ। ଅନ୍ୟପଟେ ରେଙ୍ଗାଲିର ଗୋଟିଏ ଗେଟ ଦେଇ ୨୨ଶହ ୪୭ କ୍ୟୁସେକ ଜଳ ନିଷ୍କାସନ ହେଉଛି ।

ସେପଟେ ଲଗୁଚାପ ବର୍ଷାକୁ ନେଇ ବି ସ୍ବତନ୍ତ୍ର ରିଲିଫ୍ କମିଶନର ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ରାୟଗଡା, ଗଜପତି, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ନୟାଗଡ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ବର ଏବଂ ନୂଆପଡା ର ଜିଲ୍ଲାପାଳମାନଙ୍କ ସହିତ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ସମ୍ୱନ୍ଧରେ ଆଲୋଚନା କରିଛନ୍ତି । ବିଶେଷ ଭାବରେ ପ୍ରଭାବିତ ହେବାକୁଥିବା ଜିଲ୍ଲା କୋରାପୁଟ ଓ ମାଲକାନାଗିରି ସହିତ ଅନ୍ୟାନ୍ୟ ଜିଲ୍ଲାଗୁଡିକର ଜିଲ୍ଲାପାଳମାନଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ସ୍ଥଳେ ଅଗ୍ନିଶମ ସେବା ଏବଂ ODRAF ଦଳଗୁଡ଼ିକୁ ନିୟୋଜିତ କରିବାକୁ ପରାମର୍ଶ ଦିଆଯାଇଛି।

ଅକ୍ଟୋବର ୬ ପରେ ବିହାର ନିର୍ବାଚନ; ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ

ନନ୍ଦିଘୋଷ ବ୍ୟୁରୋ : ଆସନ୍ତା ଅକ୍ଟୋବର ୬ ପରେ ବିହାର ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ  । ରାଜ୍ୟରେ ସମସ୍ତ ବଦଳି ଓ ନିଯୁକ୍ତି ଅକ୍ଟୋବର ସୁଦ୍ଧା ଶେଷ କରିବାକୁ ମୁଖ୍ୟ ସଚିବ ଓ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଆୟୋଗ  । ରାଜ୍ୟରେ ନିରପେକ୍ଷ ଓ ସ୍ବଚ୍ଛ ନିର୍ବାଚନ ପରିଚାଳନା କରିବା ଲାଗି ପରାମର୍ଶ ଦେଇଛନ୍ତି ଇସିଆଇ  । ବଦଳି ଓ ନିଯୁକ୍ତି ପ୍ରକ୍ରିୟା ଶେଷ ହେବା ପରେ ମୁଖ୍ୟ ନିର୍ବାଚନ ଅଧିକାରୀ ବିହାର ଗସ୍ତରେ ଯାଇ ସ୍ଥିତି ସମୀକ୍ଷା କରିବେ ବୋଲି ସୂଚନା ମିଳିଛି  । ଅକ୍ଟୋବର ୬ ପରେ ଯେକୌଣସି ମୁହୂର୍ତ୍ତରେ ବିହାର ନିର୍ବାଚନ ତାରିଖ ଘୋଷଣା ହେବା ସହ ଆଦର୍ଶ ଆଚରଣ ବିଧି ଲାଗୁ ହେବ  ।

ସେପଟେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧି ସବୁଠାରୁ ପଛୁଆ ପଛୁଆ ବର୍ଗ ନ୍ୟାୟ ଇସ୍ତାହାର ପ୍ରକାଶ କରିଛନ୍ତି  । ରାଜ୍ୟର ପଛୁଆ ବର୍ଗଙ୍କୁ ସଶକ୍ତ କରିବା ଏବଂ ଶିକ୍ଷା, ପ୍ରଶାସନ ଓ ବିକାଶରେ ସେମାନଙ୍କ ଭାଗିଦାରିତାକୁ ଅଧିକ କରିବା କଂଗ୍ରେସର ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି  । ପୂର୍ବରୁ ବିହାର ଲାଗି ଇଣ୍ଡିମେଣ୍ଟ ପକ୍ଷରୁ ସର୍ବାଧିକ ପଛୁଆ ବର୍ଗ ସଂକ୍ରାନ୍ତ ୧୦ ସୂତ୍ରୀ ପ୍ରସ୍ତାବ ଉନ୍ମୋଚିତ ହୋଇଛି  । ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ଏନଡିଏର ସଦସ୍ୟ ସଂଖ୍ଯା ରହିଛି ୧୩୮  । ଏଥିରେ ବିଜେପିର ୮୪, ଜେଡିୟୁର ୪୮, ହାମ(ଏସ)ର ୪ ଓ ସ୍ବାଧୀନ ୨ ଜଣ ସଦସ୍ୟ ରହିଛନ୍ତି  । ମହାଗଠବନ୍ଧନର ସଦସ୍ୟ ସଂଖ୍ୟା ରହିଛି ୧୦୪  । ଏଥିରେ ରାଷ୍ଟ୍ରୀୟ ଜନତା ଦଳର ୭୨, କଂଗ୍ରେସର ୧୭, ସିପିଆଇଏମଏଲ(ଲିବରେସନ)ର ୧୧, ସିପିଆଇର ୨, ସିପିଏମର ୨ ସଦସ୍ୟ ରହିଛନ୍ତି  ।

ଆହୁରି ୪ ଦିନ ପ୍ରବଳ ବର୍ଷା : ଗୋଟିଏ ଲଘୁଚାପ ଦୁର୍ବଳ, ଆଉ ଏକ ଲଘୁଚାପ ସୃଷ୍ଟି

ନନ୍ଦିଘୋଷ ବ୍ୟୁରୋ : ନନ୍ଦିଘୋଷ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ। ପୂର୍ବ ଲଘୁଚାପ ଯୋଗୁଁ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଆଜି ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି। ପୂର୍ବର ଲଘୁଚାପ ଆଜି ଅବପାତରେ ପରିଣତ ହେବ। ଏହା ଆସନ୍ତାକାଲି ଦକ୍ଷିଣ ଓଡି଼ଶା ଓ ଉତ୍ତର ଆନ୍ଧ୍ର ଉପକୂଳ ଦେଇ ଅତିକ୍ରମ କରିବ। ଦୁଇଟି ଯାକ ଲଘୁଚାପର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ବିଶେଷ କରି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷାର ଚେତାବନୀ ଦେଇଛି ପାଣିପାଗ ବିଭାଗ। ଆଜି ସକାଳୁ ରାଜଧାନୀ ଭୁବନେଶ୍ଵର ଓ ଏହାର ଆଖପାଖ ଅଞ୍ଚଳରେ ବର୍ଷା ଜାରି ରହିଛି। ସକାଳୁ କଳାହାଣ୍ଡିଆ ମେଘ ଦେଖାଦେଇଥିବା ବେଳେ ବୃଷ୍ଟିପାତ ଜାରି ରହିଛି। ଦୁଇଟି ଯାକ ଲଘୁଚାପର ପ୍ରଭାବରେ ରାଜ୍ୟରେ ଆହୁରି ୪ ଦିନ ଯାଏ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଗଜପତି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।

ଶକ୍ତିଶାଳୀ ହେବ ହାତ: ୩୫ ଜିଲ୍ଲା ସଭାପତିଙ୍କ ନାଁ ଚୂଡାନ୍ତ, ମାସ ଶେଷକୁ ଘୋଷଣା

ନନ୍ଦିଘୋଷ ବ୍ୟୁରୋ: ତୃଣମୂଳସ୍ତରର ସଂଗଠନକୁ ମଜଭୁତ କରିବାକୁ ଅଣ୍ଟା ଭିଡିଛି କଂଗ୍ରେସ । ବର୍ଷେବ୍ୟାପୀ ପଦଯାତ୍ରା କରି ଦଳ ସଂଗଠନକୁ ଚଳଚଞ୍ଚଳ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି । ସଂଗଠନ ସୃଜନ ଅଭିଯାନ ଜରିଆରେ ୩୫ଟି ସାଂଗଠନିକ ଜିଲ୍ଲାରେ ମୁଖିଆ ତାଲିକା ଚୂଡାନ୍ତ କରିବା ପରେ କେବଳ ନାଁ ଘୋଷଣାକୁ ଦଳ ଅପେକ୍ଷା କରିଛି । ମାସ ଶେଷକୁ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରି ଦଳ ବ୍ଲକ, ନଗର ସଭାପତି ପ୍ରକ୍ରିୟା ଆରମ୍ଭ କରିବ ବୋଲି କଂଗ୍ରେସ ବିଧାୟକ ଦଳ ନେତା କହିଛନ୍ତି ।

ଓଡିଶା କଂଗ୍ରେସକୁ ମଜଭୁତ କରିଛି ସଂଗଠନ ସୃଜନ । ଗୁଜରାଟ ଢାଞ୍ଚାରେ ଜିଲ୍ଲା ସଭାପତି ଚୟନ ପରେ ଦଳକୁ ଘାରିଛି ତୃଣମୂଳ ସଂଗଠନକୁ ଚଳଚଞ୍ଚଳ କରିବା ଚିନ୍ତା । ବର୍ଷେ ବ୍ୟାପୀ ପଦଯାତ୍ରା କରି ଦଳ ଓଡିଶାରେ କଂଗ୍ରେସ ସଂଗଠନକୁ କ୍ରୀୟାଶୀଳ କରିବାକୁ ଲମ୍ବା ରୋଡ ମ୍ୟାପ ପ୍ରସ୍ତୁତ କରିଛି । ଖୁବଶୀଘ୍ର ଏଆଇସିସି ୩୫ଟି ସାଂଗଠନିକ ଜିଲ୍ଲାର ମୁଖିଆଙ୍କ ନାଁ ଘୋଷଣା କରିବ ବୋଲି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି । ୩୦ ତାରିଖ ପରେ ବ୍ଲକ, ନଗର ସଭାପତି ଚୂଡାନ୍ତ କରିବ ଦଳ । ପଦଯାତ୍ରା ସମୟରେ ବିଜେପି ସରକାରଙ୍କ ବିଫଳତା ଓ ନିର୍ବାଚନୀ ପ୍ରତିଶ୍ରୁତି କିପରି ପାଣିର ଗାର ସାଜିଛି ତାହା ଲୋକଙ୍କୁ ବୁଝାଇବ ଦଳ । ୩୦୦ ୟୁନିଟ ମାଗଣା ବିଜୁଳି, ୨୪ ଘଣ୍ଟାରେ ଚିଟଫଣ୍ଡ କ୍ଷତିଗସ୍ତଙ୍କୁ ଟଙ୍କା ଫେରସ୍ତ ପରି ମାଳମାଳ ପ୍ରତିଶ୍ରୁତି କିପରି ମିଥ୍ୟା ପାଲଟିଛି ତାହା ଲୋକଙ୍କୁ ବୁଝାଇବ କଂଗ୍ରେସ ।

ବିଜେପି ସରକାର ବିରୋଧରେ ଗାଁ ଗାଁରେ ଲଢେଇ କରିବାକୁ କଂଗ୍ରେସ ନିଜକୁ ପ୍ରସ୍ତୁତ କରୁଥିବା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ। ଏଥିଲାଗି ଏଆଇସିସି ସ୍ବତନ୍ତ୍ର ଦୃଷ୍ଟି ଦେଇଛି । ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ପରେ ପୂରା ଜୋଶରେ ତୃଣମୂଳ ସଂଗଠନ ଆଗେଇ ଚାଲିବ ବୋଲି ସେ ଯୁକ୍ତି ବାଢିଛନ୍ତି ।

୨୪ ବର୍ଷ ଧରି କଂଗ୍ରେସ କ୍ଷମତା ବାହାରେ ରହିଛି । କିପରି ଆଗାମୀ ସମୟରେ ପୁଣି ଜନତାଙ୍କ ଶ୍ରଦ୍ଧାଭାଜନ ହେବା ସହ ବିଶ୍ବାସ ଜିତିବ ସେଥିଲାଗି ପ୍ରତି ମୁହୂର୍ତ୍ତରେ ରଣନୀତି କରାଯାଉଛି । ଦୁର୍ବଳ ସଂଗଠନ ପାଇଁ ଦଳ ଲୋକଙ୍କ ଆସ୍ଥା ଓ ବିଶ୍ବାସ ଜିଣୁପାରୁ ନଥିବାରୁ ଏଆଇସିସି ଓଡିଶା କଂଗ୍ରେସ ସଂଗଠନକୁ ମଜଭୁତ କରିବାକୁ ଅଣ୍ଟା ଭିଡିଛି ।

ଆନ୍ଧ୍ରର ପୋଲାଭରମ ପ୍ରକଳ୍ପକୁ ବିରୋଧ କଲେଣି ଅନେକ ରାଜ୍ୟ, ହେଲେ ଓଡ଼ିଶା କେବେ ମୁହଁ ଖୋଲିବ

ନନ୍ଦିଘୋଷ ବ୍ୟୁରୋ: ପୋଲଭରମ ପ୍ରସଙ୍ଗରେ ଗୋଟିଏ ପରେ ଗୋଟିଏ ରାଜ୍ୟ ନିଜ ସ୍ୱାର୍ଥ ପାଇଁ ଲଢ଼େଇକୁ ଜୋରଦାର କରୁଛନ୍ତି । ତେଲେଙ୍ଗାନା ପରେ ଏବେ କର୍ଣ୍ଣାଟକ ପୋଲଭରମକୁ ନେଇ ନିଜ ସ୍ୱର ଶାଣିତ କରିଛି । କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ନିକଟରେ ନିଜର ହକକୁ ଜାହିର କରିଛି କର୍ଣ୍ଣାଟକ । କିନ୍ତୁ ଏତେ ସବୁ ସତ୍ତ୍ୱେ ମଧ୍ୟ ଓଡିଶା ସରକାର ଗଭୀର ନିଦ୍ରାରେ ସୋଇଥିବା ଅଭିଯୋଗ ହୋଇଛି । ତୁରନ୍ତ ରାଜ୍ୟ ସରକାର ପୋଲଭରମକୁ ନେଇ ପାଟି ଖୋଲନ୍ତୁ ବୋଲି ଦାବି ହୋଇଛି ।

ପୋଲାଭରମ ପ୍ରକଳ୍ପକୁ ବିରୋଧ କଲେଣି ଅନେକ ରାଜ୍ୟ । ତେଲେଙ୍ଗାନା ପରେ କର୍ଣ୍ଣାଟକ ଆନ୍ଧ୍ରର ମନମାନି ବିରୋଧରେ ସ୍ୱରକୁ କରିଛି ଶାଣିତ । ହେଲେ ଓଡ଼ିଶା କେବେ ମୁହଁ ଖୋଲିବ ବୋଲି ଉଠିଛି ପ୍ରଶ୍ନ । ଆନ୍ଧ୍ରର ପୋଲାଭରମ ପ୍ରକଳ୍ପ ବିରୋଧରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟକୁ ଅବଗତ କରାଇଛି କର୍ଣ୍ଣାଟକ । ପୋଲାଭରମ ବନକଚେରଲା ଲିଙ୍କ ପ୍ରକଳ୍ପ ଦ୍ବାରା ଆନ୍ଧ୍ର ୨୪୩ ଟିଏମସି ଫୁଟ ଜଳ ପୋଲାଭରମରୁ ନେବ । ଆନ୍ଧ୍ର ଏହା କରିବାର ଏକଚାଟିଆ ଅଧିକାର ନଥିବା କେନ୍ଦ୍ର ନିକଟରେ ଦର୍ଶାଇଛି କର୍ଣ୍ଣାଟକ। ଅନ୍ତତଃ ରାଜ୍ୟ ଏଗ୍ରିମେଣ୍ଟ ଅନୁଯାୟୀ କର୍ଣ୍ଣାଟକ ୬୪.୭୫ ଟିଏମସି ଫୁଟ ଜଳ ଉପରେ ନିଜର ଅଧିକାର ଜାହିର କରିଛି । ହେଲେ ସବୁଠୁ କ୍ଷତିଗ୍ରସ୍ତ ହେବାକୁ ଥିବା ଓଡ଼ିଶା କାହିଁକି ଚୁପ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ଓ ବିଜେଡି । ପୋଲାଭରମ ପ୍ରକଳ୍ପ ସାରିବାକୁ ଆନ୍ଧ୍ର ସରକାର ଦିନରାତି ଏକ କରିଦେଇଥିବା ବେଳେ ୨୦୨୭ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟକ୍ଷମ କରିବେ । କିନ୍ତୁ ଓଡିଶା ବୁଡିବାକୁ ଥିବାବେଳେ କାହିଁକି ଚୁପ ସରକାର ତାର ଉତ୍ତର ରଖିବାକୁ ଦାବି ହୋଇଛି ।

ସେପଟେ କିଛି ଦିନ ପୂର୍ବେ ଜାତୀୟ ମାନବାଧିକାର କମିଶନଙ୍କ ପକ୍ଷରୁ ପୋଲାଭରମ ପ୍ରକଳ୍ପ ପ୍ରଭାବିତ ପରିବାର ପାଇଁ କଣ ପଦକ୍ଷେପ ନିଆଯାଇଛି ବୋଲି ରିପୋର୍ଟ ତଲବ କରିଛନ୍ତି । କିନ୍ତୁ ଏହି ପ୍ରକଳ୍ପ ଯୋଗୁଁ ଓଡ଼ିଶାର ମାଲକାନଗିରି ଅଞ୍ଚଳରେ କେତେ କ୍ଷୟକ୍ଷତି ହେବ, କେତେ ଆଦିବାସୀ ଅଞ୍ଚଳ ବୁଡିବ ତଥା କେତେ ଲୋକ ଭିଟାମାଟି ହରାଇବେ ସେ ସମ୍ପର୍କରେ ତଥ୍ୟ ନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ କଡା ସମାଲୋଚନା କରାଯାଇଛି । ସେପଟେ ଶାସକ ଦଳର କହିବା କଥା ରାଜ୍ୟବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ପଦକ୍ଷେପ ନିଆଯାଉଛି ।

ପୋଲାଭରମ ପ୍ରସଙ୍ଗରେ ଲଗାତର ବିଜେଡି ଆନ୍ଦୋଳନ କରୁଥିବା ବେଳେ ଅନ୍ୟ ବିରୋଧୀ ଦଳ ଓ ସାମାଜିକ ସଂଗଠନ ମଧ୍ୟ ବିରୋଧ କରିଆସୁଛନ୍ତି । କିନ୍ତୁ ଏହାକୁ ନେଇ ସରକାରଙ୍କ ଆଭିମୁଖ୍ୟ କ’ଣ ତାହା ଏଯାଏଁ ସ୍ପଷ୍ଟ ହୋଇପାରିଲାନି ।