spot_img
Home Blog Page 342

ଲାଲକିଲ୍ଲା ଭଳି ଥରିଲା ନୌଗାମ ପୋଲିସ ଷ୍ଟେସନ ; ଛିନଛତର ଘର, ଖଣ୍ଡଖଣ୍ଡ ଶରୀର

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ବ୍ଲାଷ୍ଟ ମନରୁ ଲିଭି ନଥିବା ବେଳେ ପୁଣି ହେଲା ବଡ଼ ବିସ୍ଫୋରଣ । ଦିଲ୍ଲୀରୁ ପ୍ରାୟ ୮୦୦ କିଲୋମିଟର ଦୂରରେ ମଧ୍ୟରାତ୍ରିରେ ଘଟିଛି ଏହି ବିସ୍ଫୋରଣ । ଆଜ୍ଞା ହଁ, ଜମ୍ମୁ ଏବଂ କାଶ୍ମୀରର ନୌଗାମ ପୋଲିସ ଷ୍ଟେସନ ପରିସରରେ ଶୁକ୍ରବାର ରାତିରେ ଏକ ବଡ଼ ବିସ୍ଫୋରଣ ହୋଇଛି । ମୁହୂର୍ତ୍ତକ ମଧ୍ୟରେ ଶରୀରର ଖଣ୍ଡ ଖଣ୍ଡ ଅଂଶ ବିଛାଡ଼ି ହୋଇପଡିଥିଲା। ଏହି ବିସ୍ଫୋରଣରେ ୭ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୨୭ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏହି ବିସ୍ଫୋରଣକୁ ନେଇ ନୂଆ ଆତଙ୍କ ସୃଷ୍ଟି ହେଇଛି । ପୋଲିସ ଷ୍ଟେସନ ଭିତରେ ବିସ୍ଫୋରଣ କିପରି ହେଲା ? ଏହା ଏକ ଆତଙ୍କବାଦୀ ଆକ୍ରମଣ ଥିଲା ନା ଅବହେଳା ଯୋଗୁଁ ହେଲା ? ଦିଲ୍ଲୀ ବିସ୍ଫୋରଣ ଏବଂ ଫରିଦାବାଦ ଆତଙ୍କବାଦୀ ମଡ୍ୟୁଲ୍ ସହିତ ନୌଗାମ ପୋଲିସ ଷ୍ଟେସନ ବିସ୍ଫୋରଣର କ’ଣ ସମ୍ପର୍କ ଅଛି କି ?

ବାସ୍ତବରେ ଶୁକ୍ରବାର ରାତିରେ ଶ୍ରୀନଗରର ନୌଗାମ ପୋଲିସ ଷ୍ଟେସନରେ ଏକ ବିସ୍ଫୋରଣ ଘଟିଥିଲା ​​ଯେତେବେଳେ ପୋଲିସ ଫରିଦାବାଦ ଆତଙ୍କବାଦୀ ମଡ୍ୟୁଲ ସହିତ ଜଡିତ ବିସ୍ଫୋରକର ନମୁନା ସଂଗ୍ରହ କରୁଥିଲା  । ଏହା ଆତଙ୍କୀ ମଡ୍ୟୁଲ ମାମଲା ସହିତ ଜଡିତ ଫରିଦାବାଦରୁ ଜବତ ହୋଇଥିବା ବିସ୍ଫୋରକର ନମୁନା ସଂଗ୍ରହ କରୁଥିବା ସମୟରେ ବିସ୍ଫୋରଣ ଘଟିଥିଲା। ଖବର ମିଳିଛି ଯେ ଜମ୍ମୁ ଏବଂ କାଶ୍ମୀର ପୋଲିସ ଫରିଦାବାଦର ଡକ୍ଟର ମୁଜାମ୍ମିଲ ଗଣାଇଙ୍କ ଭଡା ଘରୁ ୩୬୦ କିଲୋଗ୍ରାମ ବିସ୍ଫୋରକ ଜବତ କରିଥିଲା ।

ନୌଗାମରେ ବିସ୍ଫୋରଣ କିପରି ହେଲା?

ରାତି ପ୍ରାୟ ସାଢ଼େ ୧୧ଟାରେ ନୌଗାମରେ ବିସ୍ଫୋରଣ ଘଟିଥିଲା, ସେହି ଦୃଶ୍ୟ ଲାଲକିଲ୍ଲା କାର ବୋମା ବିସ୍ଫୋରଣର ପ୍ରତିବିମ୍ବ ଥିଲା । ନମୁନା ସଂଗ୍ରହ କରିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଏହାର ପ୍ରତିଧ୍ୱନି ବହୁ ଦୂରକୁ ଶୁଭିଥିଲା। ଯେତେବେଳେ ଆତଙ୍କବାଦୀ ଉମର ଲାଲକିଲ୍ଲା ନିକଟରେ ଏକ କାର ବିସ୍ଫୋରଣ କରିଥିଲା, ସେହିପରି ନୌଗାମ ପୋଲିସ ଷ୍ଟେସନ ପରିସରରେ ଭୂମିକମ୍ପ ହୋଇଥିବା ପରି ଅନୁଭବ ହୋଇଥିଲା। ମୃତଦେହ ସବୁଠି ବିଛାଡ଼ି ହୋଇ ପଡ଼ିଥିଲା, ମାଂସର ଖଣ୍ଡ ସବୁଠି ବିଛାଡ଼ି ହୋଇ ପଡ଼ିଥିଲା। ଏମିତିକି ଶରୀରର ଅଂଶ କିଛି ମିଟର ଦୂରରେ ପଡ଼ିଥିବାର ଦେଖିବାକୁ ମିଳିଥିଲା। ଏହା ଦିଲ୍ଲୀ ବୋମା ବିସ୍ଫୋରଣରେ ଘଟିଥିବା ଘଟଣା ପରି ସମାନ ଥିଲା।

ନୌଗାମ ବିସ୍ଫୋରଣ ଏବଂ ଦିଲ୍ଲୀ ସଂଯୋଗ

ନୌଗାମ ବିସ୍ଫୋରଣର ଦିଲ୍ଲୀର ଲାଲକିଲ୍ଲା କାର୍ ବୋମା ବିସ୍ଫୋରଣ ସହିତ କ’ଣ ସମ୍ପର୍କ ଅଛି ? ଦିଲ୍ଲୀ ବିସ୍ଫୋରଣରେ ଆମୋନିୟମ୍ ନାଇଟ୍ରେଟ୍ ବ୍ୟବହାର କରାଯାଇଥିଲା ଏବଂ ନୌଗାମର ପୋଲିସ ସେହି ଆମୋନିୟମ୍ ନାଇଟ୍ରେଟର ନମୁନା ସଂଗ୍ରହ କରୁଥିଲା। ମୃତକଙ୍କ ମଧ୍ୟରୁ ଅଧିକାଂଶ ପୋଲିସ କର୍ମଚାରୀ ଏବଂ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀ (FSL) ଅଧିକାରୀ ଥିଲେ ଯେଉଁମାନେ ବିସ୍ଫୋରକଗୁଡ଼ିକର ତଦନ୍ତ କରୁଥିଲେ। ଶ୍ରୀନଗର ପ୍ରଶାସନର ଜଣେ ଡେପୁଟି ତହସିଲଦାରଙ୍କ ସମେତ ଦୁଇ ଜଣ ଅଧିକାରୀ ମଧ୍ୟ ବିସ୍ଫୋରଣରେ ମୃତ୍ୟୁବରଣ କରିଛନ୍ତି। ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଉଛି ।

ଦୃଶ୍ୟଟି କିପରି ଥିଲା?

ଫରିଦାବାଦରୁ ଜବତ ହୋଇଥିବା ବିସ୍ଫୋରକ ସାମଗ୍ରୀର ଯାଞ୍ଚ କରୁଥିବା ସମୟରେ ବିସ୍ଫୋରଣ ଘଟିଥିଲା। ଏବେ ପ୍ରଶ୍ନ ଉଠୁଛି ଯେ ବିସ୍ଫୋରଣ ଅବହେଳା ଯୋଗୁଁ ହୋଇଥିଲା ନା ଅନ୍ୟ କୌଣସି କାରଣ ଯୋଗୁଁ ହୋଇଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ କୋଠାଗୁଡ଼ିକ ମଧ୍ୟ ଥରିବାକୁ ଲାଗିଲା। ତଥାପି ନୌଗାମ ବିସ୍ଫୋରଣର ତଦନ୍ତ ଆରମ୍ଭ ହୋଇଛି। ଜମ୍ମୁ ଏବଂ କାଶ୍ମୀରର ନୌଗାମ ପୋଲିସ ଷ୍ଟେସନ କମ୍ପ୍ଲେକ୍ସ ନିକଟରେ ବିସ୍ଫୋରଣ ସ୍ଥଳ ଯାଞ୍ଚ କରିବା ପାଇଁ ସୁରକ୍ଷା ବାହିନୀ, ସ୍ନିଫର କୁକୁର ପହଞ୍ଚିଛନ୍ତି। ସୁରକ୍ଷା କର୍ମୀମାନେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।

କେବଳ ନୌଗାମ ଥାନାରେ ବିସ୍ଫୋରକ କାହିଁକି ?

ଏହା ଗୁରୁତ୍ୱପୂର୍ଣ୍ଣ ଯେ ଫରିଦାବାଦ ମଡ୍ୟୁଲ୍‌ର ପର୍ଦ୍ଦାଫାସ୍ କରିବାରେ ନୌଗାମ୍ ପୋଲିସ ପ୍ରଥମ ପଦକ୍ଷେପ ନେଇଥିଲା  । ନୌଗାମ୍ ପୋଲିସ ଷ୍ଟେସନ୍ ଆତଙ୍କବାଦୀ ସଂଗଠନ ଜୈଶ୍-ଏ-ମହମ୍ମଦର ପୋଷ୍ଟର ଲଗାଯିବା ଘଟଣାର ପର୍ଦ୍ଦାଫାସ୍ କରିଥିଲା। ଏହି ପୋଷ୍ଟରଗୁଡ଼ିକ ଆତଙ୍କବାଦୀ ମଡ୍ୟୁଲ୍‌ର ପର୍ଦ୍ଦାଫାସ୍ କରିଥିଲା, ଯେଉଁଥିରେ ଉଚ୍ଚ ଶିକ୍ଷିତ ବୃତ୍ତିଗତ ଆତଙ୍କବାଦୀମାନେ ମଧ୍ୟ ସାମିଲ ଥିଲେ। ଏହା ପରେ ତଦନ୍ତକାରୀ ସଂସ୍ଥାଗୁଡ଼ିକ ଫରିଦାବାଦରୁ ପ୍ରାୟ ୨୯୦୦କିଲୋଗ୍ରାମ ବିସ୍ଫୋରକ ଜବତ କରିନଥିଲେ ବରଂ ଅନେକ ଆତଙ୍କବାଦୀ ଡାକ୍ତରଙ୍କୁ ମଧ୍ୟ ଗିରଫ କରିଥିଲେ।  ଗିରଫ ହୋଇଥିବା ଡାକ୍ତରଙ୍କ ମଧ୍ୟରୁ ଜଣେ ଆତଙ୍କବାଦୀ ଆଦିଲ୍ ଅହମ୍ମଦ ରାଥର୍‌ କାଶ୍ମୀରରେ ସୁରକ୍ଷା ବାହିନୀ ଏବଂ ଲୋକଙ୍କ ଉପରେ ବଡ଼ ଆକ୍ରମଣର ଚେତାବନୀ ଦେଉଥିବା ପୋଷ୍ଟର ଲଗାଇଥିବା ଦେଖାଯାଇଥିଲା। ଅକ୍ଟୋବର ୨୭ତାରିଖରେ ତାଙ୍କର ପରବର୍ତ୍ତୀ ଗିରଫଦାରୀ ନଭେମ୍ବର ୧୦ ତାରିଖରେ ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣରେ ଜଡିତ ଏକ ବିପଦପୂର୍ଣ୍ଣ ନେଟୱାର୍କର ପର୍ଦ୍ଦାଫାସ୍ କରିଥିଲା ଯେଉଁଥିରେ ୧୩ଜଣଙ୍କର ଜୀବନ ଯାଇଥିଲା।

 

ବିହାରରେ ଏନଡିଏର କ୍ଲିନ୍ ସୁଇପ୍ ; ୨୪୩ ଆସନରୁ ୨୦୨ ଆସନରେ ବିଜୟୀ

ନନ୍ଦିଘୋଷ ବ୍ୟୁରୋ: ବିହାର ବିଧାନସଭା ନିର୍ବାଚନରେ ଏନଡିଏର କ୍ଲିନ ସୁଇପ୍। ୨୪୩ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନକୁ ପୂରା ପୋଛି ନେଇଛି ଏନଡିଏ। ୨୦୨ ଟି ସିଟ୍ ହାସଲ କରିଛି ଏହି ମେଣ୍ଟ। ବିଜେପି ୮୯ ଓ ଜେଡିୟୁ ୮୫ ସିଟ ଜିତିଛନ୍ତି। ସେହିପରି ମେଣ୍ଟର ଅନ୍ୟତମ ଅଂଶୀଦାର ଦଳ ଏଲଜେପି ୧୯ଟି ଓ ହାମ୍ ୫ଟି ସିଟରେ ଜିତିଛନ୍ତି। ବହୁ ଆଗରୁ ପ୍ରାର୍ଥୀ ଘୋଷଣା, ସହଯୋଗୀ ଦଳ ମଧ୍ୟରେ ଉତ୍ତମ ବୁଝାମଣା, ସୁଚିନ୍ତିତ ରଣକୌଶଳ ବଳରେ ଏନଡିଏ କରିଛି ବାଜିମାତ।

ବିଜେପି ଓ ଜେଡିୟୁ ୧୦୧ ଲେଖାଏଁ ଆସନରେ ଲଢିଥିଲେ। ସେପଟେ ମହାଗଠବନ୍ଧନରେ ଆରଜେଡି ୨୫ ଓ କଂଗ୍ରେସ ମାତ୍ର ୫ ଆସନରେ ଜିିିତିଛନ୍ତି। ସିିପିଆଇ ୨ଟି ଓ ସିପିଏମ୍ ଗୋଟିଏ ସିଟରେ ଜିତିଛନ୍ତି। ଅସାଦୁଦ୍ଦିନ ଓୱେସିଙ୍କ ଏମଆଇଏମ୍ ଜିତିଛି ୫ଟି ସିଟରେ । ମାୟାବତୀଙ୍କ ବିଏସପି ଜିତିଛି ଗୋଟିଏ ସିଟରେ। ରାଘୋପୁରରୁ ତେଜସ୍ବୀ ଯାଦବ, ଆଲିନଗରୀରୁ ମୈଥିଳୀ ଠାକୁର, ଗୟାଟାଉନରୁ ପ୍ରେମ କୁମାର, ଜାମୁଇରୁ ଶ୍ରେୟାସୀ ସିଂ, ତାରାପୁରରୁ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ, ଝାଞ୍ଜରପୁରରୁ ନୀତୀଶ ମିଶ୍ରା ବିଜୟୀ ହୋଇଛନ୍ତି।

ଶୀତ ଅଧିବେଶନରେ ବଢ଼ିବ କି ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା ଏବଂ ପେନସନ ?

ନନ୍ଦିଘୋଷ ବ୍ୟୁରୋ : ଶୀତ ଅଧିବେଶନରେ ବଢିବ କି ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କ ଦରମା ଓ ପେନସନ। ପୂର୍ବତନ ବିଧାୟକଙ୍କ ପେନସନ  ବୃଦ୍ଧି କରିବା ଦାବିରେ  ଶାସକ ଓ ବିରୋଧୀଙ୍କ ସ୍ଵର ଏକ ହୋଇଛି l ଦିନକୁ ଦିନ ବଜାର ଦର ବୃଦ୍ଧି ପାଉଥିବାରୁ ଦରମା ବୃଦ୍ଧି ସପକ୍ଷରେ ଜଣକ ପରେ ଜଣେ ବିଧାୟକ ଓ ପୂର୍ବତନ ବିଧାୟକମାନେ ଦାବି କରିଛନ୍ତି । ଏଥର ଅଧିବେଶନରେ ବାଚସ୍ପତିଙ୍କ ଦ୍ଵାରା ଗଠିତ କମିଟିର ସୁପାରିସକୁ କାର୍ଯ୍ୟକାରୀ କରିବାକୁ ମୋହନ ସରକାର ନିଷ୍ପତ୍ତି ନିଅନ୍ତୁ ବୋଲି ବିଧାୟକମାନେ ଦାବି କରିଛନ୍ତି ।

ଶୀତ ଅଧିବେଶନରେ ବଢିବ କି ବିଧାୟକଙ୍କ ଦରମା ଓ ପେନସନ ? ଅଧିବେଶନ ପୂର୍ବରୁ ଶାସକ ଓ ବିରୋଧୀଙ୍କ ସ୍ଵର ଏକ । ବିଧାୟକ କହିଲେ ଦୟନୀୟ ଅବସ୍ଥାରେ ଅଛନ୍ତି ପୂର୍ବତନ ବିଧାୟକ । ବିଧାନସଭା କମିଟି ସୁପାରିସକୁ କାର୍ଯ୍ୟକାରୀ କରିବାକୁ ଦାବି  । ଶୀତ ଅଧିବେଶନରେ ଆସିବ କି ବିଧାୟକଙ୍କ ଦରମା ବୃଦ୍ଧି ସଂଶୋଧନ ଆଇନ । ସାଂସଦଙ୍କ ଦରମା ବୃଦ୍ଧି ପରି ବିଧାୟକ ଏବଂ ପୂର୍ବତନ ବିଧାୟକଙ୍କ ପେନସନ ଓ ଭତ୍ତା ବୃଦ୍ଧି କରିବେ କି ମୋହନ ସରକାର ? ଶୀତ ଅଧିବେଶନରେ ପୂର୍ବରୁ ଏନେଇ ଉଠିଲା ସ୍ଵର l ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ନୃସିଂହ ସାହୁ କହିଛନ୍ତି ପୂର୍ବତନ ବିଧାୟକମାନେ ରାଜ୍ୟରେ ବହୁ ଅସୁବିଧାରେ ଅଛନ୍ତି । କିଛି ବିଧାୟକଙ୍କ ପରିସ୍ଥିତି ଏପରି ହୋଇଛି ଯେ ସେମାନେ ମୂଲ ଲାଗୁଛନ୍ତି । ତେଣୁ ପୂର୍ବତନ ବିଧାୟକଙ୍କ ପେନସନ ବଢ଼ାଇବାର ଆବଶ୍ୟକତା ରହିଛି । ମେଡିସିନ ଖର୍ଚ୍ଚ ହେଉ କି ବଜାର ଦର ଯାହା ଅଛି ତାହା ପେନସନକୁ ଦେଖିଲେ ପର୍ଯ୍ୟାପ୍ତ ହେଉନି । ମୁଖ୍ୟମନ୍ତ୍ରୀ ଯେତେବେଳେ ବିଧାୟକ ଥିଲେ ସେତେବେଳେ ସେ ବିଧାୟକଙ୍କ ଦରମା ବୃଦ୍ଧି କରିବାକୁ ଦାବି କରୁଥିଲେ । ଏବେ ମୁଖ୍ୟମନ୍ତ୍ରୀ ନିଜେ ସେ ଦାବିକୁ ପୂରଣ କରନ୍ତୁ ବୋଲି ବିଜେଡି କହିଛି । ବିଜେପି ବିଧାୟକ ଅମର ନାୟକ କହିଛନ୍ତି ରାଜ୍ୟ ସରକାର ଏ ବିଷୟରେ ଅବଗତ ଅଛନ୍ତି

ପୂର୍ବରୁ ବିଧାନସଭା ଦ୍ବାରା ଗଠିତ ବିଧାୟକଂକ ଦରମା ବୃଦ୍ଧି କମିଟିର ଅଧ୍ୟକ୍ଷ ବିଜେପି ବିଧାୟକ ଭାସ୍କର ମଢେଇ ବିଧାୟକଙ୍କ ଦରମା ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କରି ସାରିଛନ୍ତି । ବର୍ତ୍ତମାନ ଓଡ଼ିଶାର ବିଧାୟକମାନଙ୍କୁ ଦରମା  ୩୫ ହଜାର ଟଙ୍କା,  ବିଭିନ୍ନ ଭତ୍ତା ବାବଦକୁ ୬୫ ହଜାର ଟଙ୍କା ମିଳୁଛି । ଯେଉଁଥିରେ କନଭେୟାନସ ପାଇଁ ୧୫ ହଜାର,  ମେଡିକାଲ ପାଇଁ ୫ ହଜାର, ଟେଲିଫୋନ ପାଇଁ ୮ ହଜାର ଟଙ୍କା ମିଳୁଛି । ବିଧାନସଭା କମିଟି ଦରମା ଓ ଭତ୍ତା ବୃଦ୍ଧି କରିବାକୁ ସୁପାରିସ କରିଛି । ଯାହା କି ସରକାରଙ୍କ ବିଚାରାଧୀନ ରହିଛି । ତେଣୁ ଶୀତ ଅଧିବେଶନରେ ଏନେଇ  ଗୃହରେ ଆଇନ ଆଣି କାର୍ଯ୍ୟକାରି କରିବାକୁ ଦାବି ହୋଇଛି । କମିଟିର ଅଧ୍ୟକ୍ଷ କହିଛନ୍ତି ଏନେଇ ସରକାର ବିଚାର କରୁଛନ୍ତି । ଠିକ ସମୟରେ ନିଷ୍ପତ୍ତି ନେବେ ।

୨୦୧୭ରେ ଶେଷ ଥର ପାଇଁ ବଢିଥିଲା ବିଧାୟକମାନଙ୍କ ଦରମା l ପୂର୍ବତନ ବିଧାୟକମାନେ ୩୦ ହଜାର ଟଙ୍କା ପେନସନ ପାଉଛନ୍ତି । ତେଣୁ ବହୁ ପୂର୍ବତନ ବିଧାୟକ ନାନା ଅସୁବିଧାରେ ଥିବାରୁ ଏଥର ଅଧିବେଶନରେ ସରକାର ସେମାନଙ୍କ ଦୁଃଖ ବୁଝିବେ କି ନାହିଁ ତାହା ଉପରେ ସଭିଁଙ୍କ ନଜର ।.

ନୂଆପଡ଼ା ଫଳାଫଳ ଘୋଷଣା ପରେ ଦଳୀୟ କର୍ମୀ ଓ ନେତାଙ୍କୁ ନବୀନଙ୍କ ଧନ୍ୟବାଦ

ନନ୍ଦିଘୋଷ ବ୍ୟୁରୋ : ନୂଆପଡ଼ା ଉପନିର୍ବାଚନ ଫଳାଫଳ ଘୋଷଣା ପରେ ଦଳୀୟ କର୍ମୀ ଓ ନେତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନୂଆପଡ଼ା ଉପନିର୍ବାଚନରେ ଯେଉଁ ନେତା, କର୍ମୀ ଓ ସମର୍ଥକ ବିଜେଡି ସପକ୍ଷରେ ଏକାଠି ହୋଇଥିଲେ, ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ନବୀନ। ସେମାନଙ୍କ ପ୍ରତିବଦ୍ଧତା ଓ ଉତ୍ସାହ ଦଳର ପ୍ରକୃତ ଶକ୍ତି ବୋଲି ଟ୍ବିଟ୍ କରି କହିଛନ୍ତି ନବୀନ। ଏହି ଅବସରରେ ବିଜେପିର ବିଜୟୀ ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ତାଙ୍କ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ନୂଆପଡ଼ାରେ ସାମଗ୍ରିକ ବିକାଶ ଆଣି ଜୟ ଢୋଲକିଆ ଜନାଦେଶକୁ ଉଚିତ ସମ୍ମାନ ଦେବେ ବୋଲି ନବୀନ ଆଶା କରିଛନ୍ତି। ନିର୍ବାଚନ ଆସେ ଓ ଯାଏ। କିନ୍ତୁ ଆମମାନଙ୍କର ଜନତାଙ୍କ ପ୍ରତି ସମ୍ମାନ ଓ ବିଶ୍ବାସ ସେମିତି ରହିବ। ମୁକ୍ତ ଓ ଅବାଧ ନିର୍ବାଚନ ହେଉଛି ଲୋକଙ୍କ ଗଣତାନ୍ତ୍ରିକ ଅଧିକାର । ଏହାର ଦାୟିତ୍ବ ଓ କର୍ତ୍ତବ୍ୟକୁ ବଜାୟ ରଖିବା ଆମର କାମ ବୋଲି କହିଛନ୍ତି ନବୀନ । ବିଜେଡି ବହୁ ବାଧାବିଘ୍ନ ଦେଇ ଆଗକୁ ଗତିକରିଛି । ତଥାପି ଦଳ ଲୋକଙ୍କ ସେବା କରିବାରେ କେବେ ବି ହେଳା କରିନାହିିଁ । ଆଗକୁ ମଧ୍ଯ ଲୋକଙ୍କ ସେବାରେ ଦଳ ବ୍ରତୀ ରହିବ । ବିଜୁ ବାବୁଙ୍କ ଆଦର୍ଶରେ ଗଢା ବିଜେଡି ଆଗକୁ ମଦ୍ଯ ଓଡ଼ିଶାର ସ୍ବାର୍ଥ ଲାଗି ଲଢେଇ ଜାରି ରଖିବ ବୋଲି କହିଛନ୍ତି ନବୀନ ।

ବିହାରରେ ଏନଡିଏର ବାଜିମାତ ; ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ନେଇ ଆରମ୍ଭ ହେଲାଣି ଅଙ୍କକଷା

ନନ୍ଦିଘୋଷ ବ୍ୟୁରୋ : ବିହାରରେ ଏନଡିଏର ବାଜିମାତ। ହେଲେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ତାହାକୁ ନେଇ ଆରମ୍ଭ ହେଲାଣି ଅଙ୍କକଷା। ବଢୁଛି ସସପେନ୍ସ। ଗତ ୨୦୨୦ ନିର୍ବାଚନରେ ବିଜେପି ୮୦ ଓ ଜେଡିୟୁ ୪୫ ଆସନରେ ବିଜୟୀ ହୋଇଥିଲେ ବି ବିଗ ବ୍ରଦର ଭୂମିକା ନେଇଥିଲା ଜେଡିୟୁ। ଏପରିକି ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ବାଧ୍ୟ ହୋଇଥିଲା ବିଜେପି। ମାତ୍ର ଚଳିତ ନିର୍ବାଚନରେ ଓଲଟିଯାଇଛି ଗଣିତ। ଯଦିଓ ନୀତୀଶଙ୍କ ଜେଡିୟୁ ଗତ ୨୦୨୦ ନିର୍ବାଚନ ତୁଳନାରେ ପ୍ରାୟ ଦୁଇଗୁଣ ଆସନ ପାଇବାକୁ ସକ୍ଷମ ହୋଇଛନ୍ତି ତଥା ଚଳିତ ନିର୍ବାଚନରେ ବିଜେପିଠୁ ପ୍ରାୟ ୨୦ ଆସନରେ ପଛରେ ରହିଛି। ଫଳରେ ବିଜେପି ସାଜିଛି ବିଗ୍ ବ୍ରଦର। ଏବେ ନୀତୀଶଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ଆସନରେ ବସାଇବ ନା ଅନ୍ୟ କିଛି କରିବ ତାହାକୁ ନେଇ ସସପେନ୍ସ ସୃଷ୍ଟି ହୋଇଛି। ମହାରାଷ୍ଟ୍ର ଏପିସୋଡ ରିପିଟ ହେବ କି ନାହିଁ ତାହା ଉପରେ ରହିଛଇ ନଜର।

ବିହାର ବିଧାନସଭା ନିର୍ବାଚନରେ ଏନଡିଏର ବାଜିମାତ। ଫେଲ ମାରିଲା ମହାଗଠବନ୍ଧନର ରଣକୌଶଳ। ୨୪୩ ଆସନ ବିଶିଷ୍ଟ ବିଧାନସଭାରେ ଏକରକମ କ୍ଲିନ ସୁଇପ କରିଛି ଏନଡିଏ। ବହୁ ଆଘରୁ ପ୍ରାର୍ଥୀ ଘୋଷଣା, ସହଯୋଗୀ ଦଳ ମଧ୍ୟରେ ଉତ୍ତମ ବୁଝାମଣା, ସୁଚିନ୍ତିତ ରଣକୌଶଳ ବଳରେ ଏନଡିଏ କରିଛି ବାଜିମାତ। ବିଜେପି ଓ ଜେଡିୟୁ ୧୦୧ ଲେଖାଏଁ ଆସନରେ ଲଢିଥିବାବେଳେ ବିଜେପି ୯୦ରୁ ଅଧିକ ଓ ଜେଡିୟୁ ୮୦ରୁ ଅଧିକ ଆସନରେ ଆଗୁଆ ରହିଛନ୍ତି। ସେପଟେ ମହାଗଠବନ୍ଧନରେ ଆରଜେଡି ୨୬ ଓ କଂଗ୍ରେସ ମାତ୍ର ୫ ଆସନରେ ଜୀବନ ମରଣ ସମସ୍ୟାରେ ପଡିଛନ୍ତି। କଂଗ୍ରେସ ଓ ଆରଜେଡିର ବହୁ ହେଭିୱେଟ ପଛରେ ପଡିଛନ୍ତି। ମହୁଆ ଆସନରେ ଜନଶକ୍ତି ଜନତା ଦଳ ନେତା ତେଜପ୍ରତାପ ଯାଦବ ପ୍ରଥମରୁ ହିଁ ପଛରେ ଅଛନ୍ତି।

 

 

କେବେ ସରିବ ରାଉରକେଲା ୱାନ ପ୍ରକଳ୍ପ ; ନିମ୍ନମାନର କାମ ଯୋଗୁଁ ସୃଷ୍ଟି ହେଲାଣି ଫାଟ

ନନ୍ଦିଘୋଷ ବ୍ୟୁରୋ : କେବେ ସରିବ ରାଉରକେଲା ୱାନ ପ୍ରକଳ୍ପ । ଶହେ କୋଟି ଟଙ୍କା ବ୍ୟୟରେ ୨୦୨୦ ରୁ ଆରମ୍ଭ ହୋଇଛି ନିର୍ମାଣ କାମ । ୨୦୨୩ ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ହେଲେ କାମ ସରିବାର ନାଁ ନେଉନି । ନିମ୍ନ ମାନର କାମ ଯୋଗୁଁ ଅନେକ ସ୍ଥାନରେ ଫାଟି ଗଲାଣି । ସେପଟେ ଶୀଘ୍ର କାମ ସାରିବାକୁ ପଦକ୍ଷେପ ନିଆଯାଉଥିବା କହିଛନ୍ତି ରାଉରକେଲା ସ୍ମାର୍ଟ ସିଟିର ଆର୍କିଟେକ ଓ କେନ୍ଦ୍ର ମନ୍ତ୍ରୀ ।

ନାହିଁ ନାହିଁରେ ଚାଲିଛି ରାଉରକେଲା ୱାନ ପ୍ରକଳ୍ପ । ଶହେ କୋଟି ଟଙ୍କା ବ୍ୟୟରେ ୨୦୨୦ରୁ ଆରମ୍ଭ ହୋଇଥିଲା ଇଣ୍ଟିଗ୍ରେଟେଡ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର, ଆଦିବାସୀ ସଂଗ୍ରହାଳୟ ଓ ଅଡିଟୋରିୟମ ଓ କନଭେନସନ ସେଣ୍ଟର । ୨୦୨୩ରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଥିଲା । ହେଲେ ଏବେ ସୁଦ୍ଧା କାମ ସରିବାର ନାଁ ନେଉନି । ସେପଟେ ନିମ୍ନମାନର କାମ ଯୋଗୁଁ ଅନେକ ସ୍ଥାନରେ ସୃଷ୍ଟି ହେଲାଣି ଫାଟ । ପ୍ୟାଚ ପକାଇ ସେସବୁକୁ ଲୁଚାଇବାକୁ ଚେଷ୍ଟା କରାଯାଉଛି । ତଦାରଖ ଦାୟିତ୍ବରେ ଥିବା ଅଧିକାରୀଙ୍କ ବେପରୁଆ ମନୋଭାବ ଯୋଗୁଁ ଠିକାସଂସ୍ଥା ଠକୁଥିବା ଅଭିଯୋଗ କରିଛନ୍ତି ଲୋକେ ।

ରାଉରକେଲା ଓ୍ଵାନ ବିଲିଡିଙ୍ଗର ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିବା ଫାଟରେ କେମିକାଲ ଦେଇ ଲୁଚାଇବାକୁ ଚେଷ୍ଟା କରାଯାଉଥିବାରୁ ଏହାର ସ୍ଥାୟିତ୍ବ ନେଇ ପ୍ରଶ୍ନ ଉଠିଛି । କାମ ବିଳମ୍ବ ହେଉଥିବାରୁ ସହରରେ ଟ୍ରାଫିକ ଲାଇଟ ପରିଚାଳନା  ଓ ସିସିଟିଭି କ୍ୟାମେରା କାର୍ଯ୍ୟକ୍ଷମ ହେବାରେ ବିଳମ୍ୱ ହେଉଥିବା ଅଭିଯୋଗ ହେଉଛି ।  ସେପଟେ କାମ କିପରି ଶୀଘ୍ର ସରିବ ସେନେଇ ପଦକ୍ଷେପ ନିଆଯାଉଥିବା କହିଛନ୍ତି ସ୍ମାର୍ଟ ସିଟିର ଆର୍କିଟେକ ଓ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ । ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବିଳମ୍ବ ହେବା ସହ ନିମ୍ନମାନର କାର୍ଯ୍ୟ ହେଉଥିବାରୁ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି ।

 

 

ସରିଲା କଟକ ଐତିହାସିକ ବାଲିଯାତ୍ରା ; ଖଚାଖଚ ଭିଡ଼ ଭିତରେ ଚାଲିଲା ବ୍ୟବସାୟ

ନନ୍ଦିଘୋଷ ବ୍ୟୁରୋ : ସରିଲା କଟକ ଐତିହାସିକ ବାଲିଯାତ୍ରା । ଚଳିତବର୍ଷ  ମେଳାରେ ୪ଶହ କୋଟିରୁ ଅଧିକ ବ୍ୟବସାୟ ହୋଇଥିବା ସୂଚନା ଦେଇଛନ୍ତି ବ୍ୟବସାୟୀ । ୯ ଦିନ ଧରି ମହାନଦୀ କୂଳରେ ଚାଲିଥିଲା ବିଶ୍ବର ସର୍ବବୃହତ ମୁକ୍ତାକାଶ ବାଣିଜ୍ୟମେଳା । ଲକ୍ଷାଧିକ ଲୋକ ଯାତ୍ରା ବୁଲିବା ସହ ଖେଳକୁଦ, କିଣାକିଣି ଓ ଚଟପଟି ଖାଦ୍ୟର ମଜା ଲୁଟିଥିଲେ । ତେବେ ଶେଷ ଦିନରେ ଭିଡ଼ ନିୟନ୍ତ୍ରଣରେ ପ୍ରଶାସନ ଫେଲ ମାରିଥିବା ଲୋକେ ଅଭିଯୋଗ କରିଛନ୍ତି ।

ଯାତ୍ରାରେ ମୁଣ୍ଡ ମାଳମାଳ । ଖଚାଖଚ ଭିଡ଼ ଭିତରେ ଚାଲିଲା ବ୍ୟବସାୟ । ୯ ଦିନ ପରେ ସରିଛି କଟକ ଐତିହାସିକ ବାଲିଯାତ୍ରା । ଚଳିତବର୍ଷ ମେଳାରେ ୪ ଶହ କୋଟିରୁ ଅଧିକ ବ୍ୟବସାୟ ହୋଇଥିବା ଆକଳନ କରାଯାଇଛି । ଗତ ୫ ତାରିଖରୁ ୧୩ ତାରିଖ ଯାଏଁ ମହାଦୀ ପଠାରେ ଚାଲିଥିଲା ସର୍ବବୃହତ୍ତ ମୁକ୍ତାକାଶ ବାଣିବ୍ୟ ମେଳା । ୯ ଦିନ ଧରି ଯାତ୍ରାରେ ବୁଲାବୁଲି କରିବା ସହ ଖେଳକୁଦ, କିଣାକିଣି ଓ ଚଟପଟି ଖାଦ୍ୟର ମଜା ଲୁଟିଥିଲେ ଲୋକେ । ଶେଷଦିନରେ ଦର୍ଶକଙ୍କ ମନ ମୋହିଲେ ବଲିଉଡ୍ ଗାୟିକା ଶ୍ରେୟା ଘୋଘାଲ୍‌ । ଓଡ଼ିଆରେ ଗୀତ ଗାଇ ଦର୍ଶକଙ୍କ ମନ ମୋହିଥିଲେ ଶ୍ରେୟା । ଶ୍ରେୟାଙ୍କ କାର୍ଯ୍ଯକ୍ରମ ଦେଖିବାକୁ ଲୋକଙ୍କ ଭିତରେ ହୋଇଥିଲେ ଠେଲାପେଲା । ବ୍ଯାରିକେଡ ଭାଙ୍ଗି ୫ରୁ ଅଧିକ ଲୋକ ଆହତ ହୋଇଥିଲେ । ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଯାହାକୁ ନେଇ ସୁରକ୍ଷା ବ୍ଯବସ୍ଥାକୁ ଦାୟି କରିଛନ୍ତି ଲୋକେ ।

ଚଳିତ ବର୍ଷ ଯାତ୍ରାରେ କଟକ ଇନ କଟକ ପାଭିଲୀଅନ, ବୋଟିଂ ପ୍ରତିଯୋଗିତା, ଲେଜର ଲାଇଟ ସୋ ସାଜିଥିଲା ମୁଖ୍ୟ ଆକର୍ଷଣ । ସବୁଠୁ ଆକର୍ଷଣ ଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । ତେବେ ଶେଷ ଦିନରେ ଅତ୍ୟଧିକ ଭିଡ଼ ଯୋଗୁଁ କିଛି ସ୍ଥାନରେ ସ୍ଥିତି ଅଣାୟତ ହୋଇଥିବା କହିଛନ୍ତି ଜିଲ୍ଲାପାଳ । ଚଳିତବର୍ଷ ରବିବାର ଦିନ ସର୍ବାଧିକ ୧୨ ଲକ୍ଷରୁ ଅଧିକ ଲୋକ ଏକତ୍ରିତ ହୋଇଥିଲେ । ତେବେ ପୋଲିସ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି କମିଶନର । ବାଦ ବିବାଦ ମଧ୍ୟରେ ଶେଷ ହୋଇଛି ବାଲିଯାତ୍ରା । ତେବେ ଦୁଇଟି ପଡ଼ିଆରେ ଯାତ୍ରା ହୋଇଥିଲେ ଭିଡ଼ ଉପରେ ନିୟନ୍ତ୍ରଣ ହୋଇ ପାରନ୍ତା ବୋଲି କହିଛନ୍ତି ବୁଦ୍ଧିଜୀବୀ ।

ଆବାସିକ ହଷ୍ଟେଲରେ ଦୂରାବସ୍ଥା ; ଭଙ୍ଗାଛାତ ସହ ଛିଣ୍ଡା ବେଡରେ ବିତୁଛି ଅନ୍ତେବାସୀଙ୍କ ଜୀବନ

ନନ୍ଦିଘୋଷ ବ୍ୟୁରୋ : ମୟୂରଭଞ୍ଜରେ ପରିତ୍ୟକ୍ତ ଅବସ୍ଥାରେ ଆବାସିକ ଛାତ୍ରବାସ । ଭଙ୍ଗାଦଦରା ଘର ସାଙ୍ଗକୁ ଛିଣ୍ଡା ବେଡରେ ବିତୁଛି ଅନ୍ତେବାସୀଙ୍କ ଜୀବନ । ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ ମୁନାଫାଖୋର ଠିକାଦାରଙ୍କ ମଧୁଚନ୍ଦ୍ରିକାରୁ ବଳି ପଡୁଛନ୍ତି ଶତାଧିକ ପିଲା । ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଦାବି ।

ବିପଦରେ ଅନ୍ତେବାସୀ । ଭଙ୍ଗାଛାତ ତଳେ ବିତୁଛି ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଜୀବନ । ସାନିଟାଇଜେସନ ତ ଦୂରର କଥା ଛାତ୍ରୀ ନିବାସରେ ନାହିଁ ବାଥରୁମ୍ । ମୟୂରଭଞ୍ଜ ଜିଲ୍ଲାରେ ଅନଗ୍ରସର ଶ୍ରେଣୀର ଛାତ୍ରଛାତ୍ରୀଙ୍କ ରହଣି ପାଇଁ ୫୭୬ଟି ଆବାସିକ ଛାତ୍ରବାସ, ଛାତ୍ରୀନିବାସ ଓ ପିଏସଏଚ ରହିଛି । ସେଥିରେ ହଜାର ହଜାର ଛାତ୍ରଛାତ୍ରୀ ରହି ପାଠ ପଢୁଛନ୍ତି ।  ସେମାନଙ୍କ ସମସ୍ତ ଖର୍ଚ୍ଚ ଜିଲ୍ଲା ମଙ୍ଗଳ ବିଭାଗ ପକ୍ଷରୁ ବହନ କରାଯାଉଛି । ହେଲେ ତାହା ହଷ୍ଟେଲ ପାଚେରୀରେ ଲାଗିଥିବା ନାମଫଳକରେ ହିଁ ସୀମିତ ରହିଯାଇଛି । ହଷ୍ଟେଲରେ ପିଲା ଛିଣ୍ଡା ବେଡରେ ଶୋଉଛନ୍ତି । ଅଧିକାଂଶ ଛାତ୍ରାବାସରେ ପିଲା ତରକାରୀ ନପାଇ ଶୁଖିଲା ଭାତ ଖାଇ ଦିନ କାଟୁଛନ୍ତି ।

ଅନ୍ତେବାସୀ ପଢୁଥିବା ଅନେକ ବିଦ୍ୟାଳୟରେ ଆବଶ୍ୟକୀୟ ଶ୍ରେଣୀ ଗୃହ ନଥିବା ବେଳେ ଶିକ୍ଷକ ପଦବୀ ଖାଲି ପଡିଛି । ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଲା ଛାତ୍ରାବାସରେ ଛାତ୍ରଛାତ୍ରୀମାନଙ୍କ ଉପସ୍ଥାନ ସଠିକ ଭାବେ ରେକର୍ଡ କରାଯାଉନି । ଉପସ୍ଥାନ ଖାତାରେ ଶତ ପ୍ରତିଶତ ଛାତ୍ରଛାତ୍ରୀ ହଷ୍ଟେଲରେ ରହୁଥିବା ରେକର୍ଡ କରାଯାଉଛି । ହେଲେ ଅନେକ ଛାତ୍ରଛାତ୍ରୀ ହଷ୍ଟେଲରେ ରହୁନାହାନ୍ତି । ଯାହା ସ୍ପଷ୍ଟ ପ୍ରମାଣ କରୁଛି ଅର୍ଥଲୋଭୀ ଶିକ୍ଷକ, ଦୁର୍ନିତିଗ୍ରସ୍ତ ଅଧିକାରୀ ଖୁଲମଖୁଲା ପିଲାମାନଙ୍କ ଅର୍ଥ ବାଟମାରଣା କରୁଛନ୍ତି ।

ଅନଗ୍ରସର ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ସରକାର ଅନେକ ଯୋଜନା କରୁଛନ୍ତି । ହେଲେ କିଛି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ କାରଣରୁ ହୀନସ୍ତା ଭୋଗୁଛନ୍ତି ଅନ୍ତେବାସୀ । ବିଭାଗୀୟ ଉଚ୍ଚ ପଦାଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।

ନାହିଁ ନାହିଁରେ ଚାଲିଛି ସ୍ଵାସ୍ଥ୍ୟସେବା ; ସିକ୍ୟୁରିଟି ଗାର୍ଡ ମାପୁଛନ୍ତି ରୋଗୀଙ୍କ ବ୍ଲଡ ପ୍ରେସର

ନନ୍ଦିଘୋଷ ବ୍ୟୁରୋ : ରାଜ୍ୟରେ ମାଳମାଳ ସରକାରୀ ହସ୍ପିଟାଲ । ହେଲେ ନାହାନ୍ତି ଡାକ୍ତର । ବିଞ୍ଝାରପୁରରେ ନାହିଁ ନାହିଁରେ ଚାଲିଛି ସ୍ଵାସ୍ଥ୍ୟସେବା । କେଉଁଠି ଡାକ୍ତର ନାହାନ୍ତି ତ ଆଉ କେଉଁଠି ନର୍ସ ନାହାନ୍ତି । ରୋଗୀଙ୍କ ବ୍ଲଡ ପ୍ରେସର ମାପୁଛନ୍ତି ସିକ୍ୟୁରିଟି ଗାର୍ଡ । ଖାଲି ଥିବା ପଦବୀ ପୂରଣ କରିବାରେ ବିଫଳ ସ୍ଵାସ୍ଥ୍ୟ ବିଭାଗ । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

ଭଗବାନ ଭରସାରେ ରୋଗୀ । ବିଞ୍ଝାରପୁର ବ୍ଲକରେ ଦୟନୀୟ ସ୍ଵାସ୍ଥ୍ୟସେବା । କେଉଁଠି ଡାକ୍ତର ନାହାନ୍ତି ତ ପୁଣି କେଉଁଠି ନର୍ସ । ସିକ୍ୟୁରିଟି ଗାର୍ଡ ମାପୁଛନ୍ତି ରୋଗୀଙ୍କ ବ୍ଲଡ ପ୍ରେସର । କାମ ଚଳାଉଛନ୍ତି ଆୟୁଷ ଡାକ୍ତର । ଅନେକ ସମୟରେ ରୋଗୀଙ୍କୁ ଏକ୍ସପାରୀ ଔଷଧ ଦିଆଯାଉଥିବା ଅଭିଯୋଗ ଆସିଛି । ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକ ପାଲଟିଛି ରେଫରାଲ ଡାକ୍ତରଖାନା । ଏଠି ଏକାଧିକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଖାଲି ପଡିଛି ଡାକ୍ତର ପଦବୀ | ଆଉ ଯେଉଁଠି ବି ଡାକ୍ତର ଅଛନ୍ତି ସେ ବି ଠିକ ସମୟରେ ଆସୁନାହାନ୍ତି | ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ୧୫ ଜଣ ଡାକ୍ତରଙ୍କ ଆବଶ୍ୟକ ଥିବାବେଳେ ଅଛନ୍ତି ମାତ୍ର ୩ ଜଣ ଡାକ୍ତର । ଫଳରେ ଡାକ୍ତର ଅଭାବରୁ ସାମାନ୍ୟ ଗୁରୁତର ରୋଗୀଙ୍କୁ ବି ଯାଜପୁର ଜିଲ୍ଲା ଚିକିତ୍ସାଳୟକୁ ରେଫର କରିଦିଆଯାଉଛି । ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ୮ଟି ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ରହିଛି । ସରକାରଙ୍କ ନିୟମ ଅନୁଯାୟୀ ପ୍ରତ୍ୟେକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସର୍ବନିମ୍ନ ଜଣେ MBBS ଡାକ୍ତର, ଜଣେ ଆୟୁଷ ଡାକ୍ତର, ଜଣେ ଫାର୍ମାସିଷ୍ଟ, ତିନିଜଣ ନର୍ସିଂ ଷ୍ଟାଫ ଓ ଜଣେ ଆଟେଣ୍ଡାଣ୍ଡ ରହିବା ଆବଶ୍ୟକ । କିନ୍ତୁ ବିଞ୍ଝାରପୁରରେ କୌଣସି ବି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଶତପ୍ରତିଶତ ଅଧିକାରୀ ଓ କର୍ମଚାରୀ ନାହାନ୍ତି | ଏକାଧିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଆୟୁଷ ଡାକ୍ତରଙ୍କ ଭରସାରେ ଚାଲିଛି ରୋଗୀସେବା । ଅନେକ ସ୍ଥାନରେ ଅପରାହ୍ନ ସମୟରେ ସ୍ଵାସ୍ଥ୍ୟକେନ୍ଦ୍ର ଖୋଲା ଯାଉନାହିଁ । ସ୍ଵାସ୍ଥ୍ୟକେନ୍ଦ୍ରରେ ନିୟୋଜିତ ଥିବା ଫାର୍ମାସିଷ୍ଟମାନେ ନିଜ ନିଜର ମେଡିସିନ ଦୋକାନ ଖୋଲି ଔଷଧ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଅନ୍ୟପଟେ କର୍ମଚାରୀ ଅଭାବରୁ ସ୍ୱାସ୍ଥ୍ୟସେବା ବାଧାପ୍ରାପ୍ତ ହେଉଛି ବୋଲି ସ୍ୱୀକାର କରିଛନ୍ତି ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ | ସରକାର ତୁରନ୍ତ ଏଥିପ୍ରତି ଯତ୍ନବାନ ହେବା ସହ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ଖାଲି ପଡ଼ିଥିବା ପଦବୀ ଗୁଡିକୁ ପୂରଣ କରିବାକୁ ଦାବି କରିଛନ୍ତି ଅଂଚଳବାସୀ  |

ନୂଆପଡାରେ ବିଜେପିର ବଡ ବାଜିମାତ ; ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ବଡ଼ ବିଜୟ

ନନ୍ଦିଘୋଷ ବ୍ୟୁରୋ : ନୂଆପଡା ଉପର୍ବାଚନରେ ଜିତିଲା ବିଜେପି । ବିଜେପି ପାର୍ଥୀ ଜୟ ଢୋଲକିଆ ବଡ ବିଜୟ ହାସଲ କରିଛନ୍ତି ।  ଦୁଇ ପ୍ରତିଦ୍ବନ୍ଦୀ ବିଜେଡି ଓ କଂଗ୍ରେସକୁ ୮୩ ହଜାର ୭୪୮ ଭୋଟରେ ହରାଇ ସେ ବିଜୟ ହାସଲ କରିଛନ୍ତି । ଜୟ ଢୋଲକିଆଙ୍କୁ ୧୨୩୮୬୯ ଖଣ୍ଡ ଭୋଟ୍ ମିଳିଛି । ସେହିପରି କଂଗ୍ରେସ ପାର୍ଥୀ ଘାସିରାମ ମାଝିଙ୍କୁ ୪୦୧୨୧ ଖଣ୍ଡ ଭୋଟ୍‌ ପାଇ ଦ୍ଵିତୀୟ ସ୍ଥାନରେ ରହିଛନ୍ତି । ପରାଜୟ ପାଇଁ ସମ୍ଵଳର ଅଭାବକୁ ଦାୟୀ କରିଛନ୍ତି ଘାସିରାମ ମାଝି । ଉପଯୁକ୍ତ ସମର୍ଥନ ଓ ସମ୍ଵଳ ନ ମିଳିବାରୁ ହାରିଥିବା ସେ କହିଛନ୍ତି।  ବିଜେଡି ପାର୍ଥୀ ସ୍ନେହାଙ୍ଗୀନି ଛୁରିଆଙ୍କୁ ୩୮୪୦୮ ଖଣ୍ଡ ଭୋଟ୍‌ ମିଳିଛି  ।  ବାପା ରାଜୁ ଢୋଲକିଆ ଓ ନୂଆପଡାବାସୀଙ୍କ ଆର୍ଶୀବାଦାରୁ ଜିତିଥିବା କହିଛନ୍ତି ଜୟ ଢୋଲକିଆ ।  ନୂଆପଡ଼ାବାସୀଙ୍କୁ ଧନ୍ୟବାଦ ଦେଇ ନୂଆପଡାରେ ସେ ବିଜୟ ଶୋଭାଯାତ୍ରା କରିଛନ୍ତି ।

ନୂଆପଡ଼ା ଉପନିର୍ବାଚନ ଜିତିବା ପରେ ରାଜ୍ଯ ବିଜେପି କାର୍ଯ୍ୟାଳୟଠାରୁ ଆରମ୍ଭ କରି ନୂଆପଡ଼ାରେ ଥିବା ଦଳର ଜିଲ୍ଲା କାର୍ଯ୍ଯାଳୟରେ ଢୋଲ ବାଜା ବଜେଇ ବିଜୟ ଉତ୍ସବ ପାଲିଛନ୍ତି ବିଜେପି ନେତା ଓ କର୍ମୀ। ବାପା ରାଜୁ ଭାଇ ଢୋଲକିଆଙ୍କ ଦେହାନ୍ତ ପରେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ଜୟ ଢୋଲକିଆ। ଉପନିର୍ବାଚନରେ ବିଜୟୀ ହେବାପରେ ସେ ବାପାଙ୍କ ଅଧୁରା ସ୍ବପ୍ନକୁ ପୂରା କରିବେ ବୋଲି ପୁଣି ଥରେ ଦୋହରାଇଛନ୍ତି। କହିଛନ୍ତି, ଏହି ବିଜୟ ନୂଆପଡ଼ାବାସୀଙ୍କର। ଆଗାମୀ ଦିନରେ ନୂଆପଡ଼ା ନିର୍ବାଚନମଣ୍ଡଳୀର ବିକାଶ ପାଇଁ ସେ ଦିନରାତି ଏକ କରିଦେବ। ଏତେବଡ଼ ବ୍ଯବଧାନରେ ବିଜୟ ହେବା ପଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିକାଶ ଆଭିମୁଖ୍ଯକୁ ନୂଆପଡ଼ାବାସୀ ଆସ୍ଥା ପ୍ରକଟ କରିଛନ୍ତି ବୋଲି ସେ କହିଛନ୍ତି। ଅନ୍ଯପଟେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ୨୦୨୪ ନିର୍ବାଚନରେ ଦ୍ବିତୀୟ ସ୍ଥାନରେ ଥିଲେ। ଆଜିର ଭୋଟଗଣତି ଫଳ ପ୍ରକାଶ ପାଇବା ପରେ ତାଙ୍କୁ ପୁଣିଥରେ ଦ୍ବିତୀୟ ସ୍ଥାନ ମିଳିଛି। ନୂଆପଡ଼ାବାସୀଙ୍କ ସେବା କରିବା ପାଇଁ ସେ ଏକାଧିକ ଥର ନିର୍ବାଚନ ହାରିଥିଲେ ମଧ୍ଯ ଆଶା ହରାଇନାହାନ୍ତି। ଆଗକୁ ଯେତେ ନିର୍ବାଚନ ହେବ ସେ ନୂଆପଡ଼ାରେ ପ୍ରତିଦ୍ବନ୍ଦ୍ବୀତା କରିବେ ବୋଲି ପୁଣି ଥରେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଘାସିରାମ।