spot_img
Home Blog Page 3351

ଦିଲ୍ଲୀ ଜନ୍ତରମନ୍ତରରେ ରେସଲରଙ୍କ ଧାରଣା , ଆଜି ସୁପ୍ରିମକୋର୍ଟରେ ରେସଲରଙ୍କ ପିଟିସନର ଶୁଣାଣି

ଦିଲ୍ଲୀ : ଦିଲ୍ଲୀ ଜନ୍ତରମନ୍ତରରେ ରେସଲରଙ୍କ ଧାରଣା । ଆଜି ସୁପ୍ରିମକୋର୍ଟରେ ରେସଲରଙ୍କ ପିଟିସନର ଶୁଣାଣି । କୁସ୍ତି ମହାସଂଘ ସଭାପତିଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣି ରାଜଧାନୀରେ ଗତ ୬ଦିନ ଧରି ଧାରଣାରେ ବସିଛନ୍ତି କୁସ୍ତିଯୋଦ୍ଧା । ଦିଲ୍ଲୀ ପୋଲିସ ପୀଡ଼ିତାଙ୍କ ଏତଲା ନରଖିବା ନେଇ ସୁପ୍ରିମକୋର୍ଟରେ ଦାଏର ପିଟିସନର ଶୁଣାଣି କରିବେ ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠ ।

 

 

କୁସ୍ତି ସଂଘ ସଭାପତି ତଥା ବିଜେପିର ବାହୁବଳି ସାଂସଦଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆସିଥିବା ବେଳେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ଏମିତିକି ଦିଲ୍ଲୀ ପୋଲିସ ପୀଡ଼ିତାଙ୍କ ଏତଲା ମଧ୍ୟ ରେଜିଷ୍ଟର କରାଇନଥିବା ଜଣାପଡ଼ିଛି । ଜାତୀୟ, ଅନ୍ତର୍ଜାତୀୟସ୍ତରରେ ମେଡାଲ ଜିତି ତ୍ରିରଙ୍ଗାର ମାନ ବଢ଼ାଇଥିବା ଖେଳାଳିମାନେ ରାଜଧାନୀ ରାଜରାସ୍ତାରେ ବସି ହାତ ଯୋଡ଼ି ନ୍ୟାୟ ଭିକ୍ଷା କରୁଛନ୍ତି । ଧାରଣାସ୍ଥଳରେ କୁସ୍ତିଯୋଦ୍ଧାମାନେ ବିଜେପିର ବାହୁବଳି ସାଂସଦ ବ୍ରିଜଭୂଷଣଙ୍କ ନାଁରେଥିବା ସମସ୍ତ ମାମଲାର ଏକ ତାଲିକାର ପୋଷ୍ଟର ମଧ୍ୟ ଲଗାଇଛନ୍ତି ।

 

ବ୍ରିଜଭୂଷଣଙ୍କ ନାଁରେ ୩୮ ମାମଲା ରହିଥିବା ପୋଷ୍ଟରରେ ଦର୍ଶାଯାଇଛି । ସେପଟେ ରେସଲରଙ୍କ ଧାରଣାକୁ ସମର୍ଥନ ଦେଇଛନ୍ତି ଅଲିମ୍ପିକ ଗୋଲ୍ଡ ମେଡାଲିଷ୍ଟ ନିରଜ ଚୋପ୍ରା । ଦେଶ ପାଇଁ ମେଡାଲ ଜିତି ଦେଶକୁ ଗର୍ବିତ କରିଥିବା ମହିଳା ଖେଳାଳିଙ୍କ ଅଭିଯୋଗକୁ ଅତି ସମ୍ବେଦନଶୀଳ କହିବା ସହ ତୁରନ୍ତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିରଜ ନିଜ ଟୁଇଟର ପୋଷ୍ଟରେ ଉଲ୍ଲେଖ କରିଛନ୍ତି । ସେହିପରି କୁସ୍ତିଯୋଦ୍ଧାଙ୍କ ଧାରଣା ଦେଶର ଛବିକୁ ମଳିନ କରୁଛି ବୋଲି ଇଣ୍ଡିଆନ ଅଲିମ୍ପିକ ଆସୋସିଏସନ ସଭାପତି ତଥା ରାଜ୍ୟସଭା ସାଂସଦ ପି ଟି ଉଷାଙ୍କ ମନ୍ତବ୍ୟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି । ଧାରଣାରତ କୁସ୍ତିଯୋଦ୍ଧା ପି ଟି ଉଷାଙ୍କ ମନ୍ତବ୍ୟକୁ ସମାଲୋଚନା କରିଥିବା ବେଳେ ଟୁଇଟ କରି ବର୍ଷିଛନ୍ତି ଟିଏମସି ସାଂସଦ ମହୁଆ ମଇତ୍ରୋ ।

ଜଳୁଛି ମଣିପୁର , ଇଣ୍ଟରନେଟ ସେବା ବନ୍ଦ, ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଲାଗୁ..

ବ୍ୟୁରୋ : ଜଳୁଛି ମଣିପୁର । ଇଣ୍ଟରନେଟ ସେବା ବନ୍ଦ ସହ ୧୪୪ ଧାରା ଲାଗୁ ହେଲା। ସ୍ଥାନୀୟ ଅଂଚଳରେ ପୋଡା ଜଳା ପାଇଁ ବାତିଲ ହେଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଉତ୍ତ୍ୟକ୍ତ ଲୋକେ ଭେନ୍ୟୁରେ ନିଆଁ ଲଗାଇ ଦେଇଥିବାରୁ ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି। ଏହାସହ ଅଧିକ ଜନସମାଗମ ମଧ୍ୟ ନକରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି ।

 

ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂ ଚୁରାଚାନ୍ଦପୁର ଜିଲ୍ଲାର ନ୍ୟୁ ଲମକାରେ ଜିମ-କମ୍-ସ୍ପୋଟସ ଫାସିଲିଟି ସେଣ୍ଟର ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଥିଲା । ମାତ୍ର ମୁଖ୍ୟମନ୍ତ୍ରୀ ପହଞ୍ଚିବା ପୂର୍ବରୁ ଜିମରେ ସ୍ଥାନୀୟ ଆଦିବାସୀ ନିଆଁ ଲଗାଇଦେଇଥିବା ଜଣାପଡ଼ିଛି । ଆଦିବାସୀ ଓ ଚାଷୀଙ୍କ ସଂରକ୍ଷିତ ବନାଞ୍ଚଳକୁ ଖାଲି କରିବାକୁ ଚାଲିଥିବା ଜବରଦଖଲ ଉଚ୍ଛେଦ ଅଭିଯାନରେ ରୋକ ପାଇଁ ବାରମ୍ବାର ଦାବି ସତ୍ତ୍ବେ ସରକାର ଏ ଦିଗରେ ଗୁରୁତ୍ବ ଦେଉ ନଥିବା ଅଭିଯୋଗ ହୋଇଛି । ଏହାସହ ଅନେକ ସ୍ଥାନରେ ଚର୍ଚ୍ଚଗୁଡ଼ିକ ଭାଙ୍ଗି ଦିଆଯାଉ ଥିବାରୁ ସରକାରଙ୍କ ଉପରେ ଜନଜାତିଙ୍କର ଅସନ୍ତୋଷ ରହିଥିଲା । ସକାଳ ୮ଟାରୁ ସନ୍ଧ୍ୟା ୪ଟା ଯାଏଁ ବନ୍ଦ ଡାକରା ଦେଇଥିଲା ଜନଜାତି ବିକାଶ ମଞ୍ଚ । ଆଦିବାସୀଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବକୁ ବିରୋଧକରି ଦିଆଯାଇଥିବା ବନ୍ଦ ଡାକରାକୁ କୁକି ଛାତ୍ର ସଂଗଠନ ମଧ୍ୟ ସମର୍ଥନ ଦେଇଥିଲା । ଚଳିତ ମାସ ଆରମ୍ଭରୁ ମଣିପୁର ସରକାରଙ୍କ ପକ୍ଷରୁ ତିନିଟି ଚର୍ଚ୍ଚକୁ ବେଆଇନ ନିର୍ମାଣ ଦର୍ଶାଇ ଭାଙ୍ଗି ଦିଆଯାଇଥିଲା । ଲୋକଙ୍କ ମଧ୍ୟରେ ଏ ନେଇ ଦୀର୍ଘଦିନ ଧରି ସରକାରଙ୍କ ବିରୋଧରେ ଅସନ୍ତୋଷ କୁହୁଳୁଥିବା ବେଳେ ଉଗ୍ର ରୂପ ଧାରଣ କରିଛନ୍ତି ମଣିପୁର ବାସିନ୍ଦା।..

 

ୟୁକ୍ରେନ ରାଜଧାନୀ କିବ୍ ସମେତ ଅନ୍ୟାନ୍ୟ ସହରରେ ପୁଣି ଋଷର ଭୟଙ୍କର ହମଲା

ବ୍ୟୁରୋ : ପୁଣି ରକ୍ତମୁଖା ଋଷ । ୟୁକ୍ରେନ ରାଜଧାନୀ କିବ୍ ସମେତ ଅନ୍ୟାନ୍ୟ ସହରରେ ହମଲା । କିବର କେତେକ ସ୍ଥାନରେ ଘଟିଛି ବିସ୍ଫୋରଣ । ବିସ୍ଫୋରଣରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକେ ଆହତ ହୋଇଛନ୍ତି । କିବରେ ୟୁକ୍ରେନ ଏୟାର ଡିଫେନ୍ସ ସିଷ୍ଟମ ପକ୍ଷରୁ ୧୧ଟି ମିସାଇଲ ଓ ୨ଟି ଆଟାକ ଡ୍ରୋନକୁ ଖସାଇଦିଆଯାଇଛି ।

 

 

ଉମାନ ସହରରେ ହୋଇଛି ମିସାଇଲ ହମଲା । ହମଲାରେ ଏକ ୯ମହଲା ବିଶିଷ୍ଟ କୋଠା ନଷ୍ଟ ହୋଇଥିବା ବେଳେ ୩ଜଣଙ୍କ ମୃତ୍ୟୁ ଘଟିଛି । ଅଧିକ ଆକ୍ରମଣ ହେବା ଆଶଙ୍କାରେ ସହରରେ ବିମାନବିଧ୍ବଂସୀ ୟୁନିଟକୁ ସଜାଗ ରଖାଯାଇଛି । ନିପ୍ରୋ, କ୍ରେମେନଚୁକ, ମିକୋଲେଭ ଓ ପୋଲତଭା ସହରରେ ବି ବିସ୍ଫୋରଣ ଘଟିଛି । ନିପ୍ରୋରେ ଆକ୍ରମଣ ଯୋଗୁ ଜଣେ ଶିଶୁ ଓ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଯୁଦ୍ଧ ଆରମ୍ଭରୁ ପ୍ରଥମ ଥର ଲାଗି ବୁଧବାର ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ଆଲୋଚନା ପରେ ଏହି ହମଲା ଘଟିଛି ।

 

ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ବିଜେପି ଓ କଂଗ୍ରେସକୁ ବିଜେଡିର ସମାଲୋଚନା, ଦୁଇ ଦଳ ପାଇଁ ପାର୍ଟି ଆଗ,ମାଟି ପଛ

ଭୁବନେଶ୍ବର : ମହାନଦୀ ପ୍ରସଙ୍ଗରେ କଂଗ୍ରେସ ଓ ବିଜେପି ରହିଛନ୍ତି ନୀରବ । ରାଜ୍ୟବାସୀଙ୍କ ସ୍ବାର୍ଥ ପ୍ରତି ଆଖି ବୁଜିଛନ୍ତି ଦୁଇ ଦଳ । ନିଜର ରାଜନୈତିକ ସ୍ବାର୍ଥ ଲାଗି ସର୍ବଦା ତତ୍ପର ଥିବା କଂଗ୍ରେସ ଓ ବିଜେପି ଓଡିଶାବାସୀଙ୍କ ସ୍ବାର୍ଥକୁ କେବେ ବି ଗୁରୁତ୍ବ ଦେଉନାହାନ୍ତି ବୋଲି କହିଛି ବିଜେଡି । ବିଜେଡି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର କହିଛନ୍ତି- ଓଡ଼ିଶାର ପ୍ରଗତି ଓ ବିକାଶ ମହାନଦୀ ସହ ଜଡ଼ିତ ।

ମହାନଦୀ ଆମ ସମସ୍ତଙ୍କ ହୃଦୟରେ ରହିଛି । ଛତିଶଗଡ଼ ସରକାରଙ୍କୁ ବାରମ୍ବାର ଅନୁରୋଧ କରାଯିବା ସତ୍ତ୍ବେ ସେହି ସରକାର ଓଡିଶାର ଦାବି ପ୍ରତି କର୍ଣ୍ଣପାତ କରିନାହାନ୍ତି । କେନ୍ଦ୍ରମନ୍ତ୍ରୀ ହୁଅନ୍ତୁ ବା ବିଜେପି କର୍ମୀ ବା ନେତା , ଓଡ଼ିଶାର ସ୍ବାର୍ଥ ଲାଗି କେହି ଠିଆ ହେଲେ ନାହିଁ । ଛତିଶଗଡ଼ରେ ବିଜେପି ସରକାର ଥିବାବେଳେ କଂଗ୍ରେସ ନେତାମାନେ ଏଠି ବିରୋଧ କରୁଥିଲେ । ମାତ୍ର ସେଠାରେ କଂଗ୍ରେସ ସରକାର ଗଠନ ପରେ ରାଜ୍ୟରେ କଂଗ୍ରେସ ନେତା ଚୁପ୍ ରହିଛନ୍ତି । ଏଠାରେ କଂଗ୍ରେସ ନେତାମାନେ କୁମ୍ଭୀର କାନ୍ଦଣା କରୁଛନ୍ତି । ମହାନଦୀ ପ୍ରସଙ୍ଗ ଓ ରାଜ୍ୟବାସୀଙ୍କ ଜୀବନଜୀବିକା ଲାଗି ବିଜେଡି ହିଁ ସଂଗ୍ରାମ କରୁଛି । ବିରୋଧୀ ଦଳ ଏଠାରେ ଓଡ଼ିଶାର ସ୍ବାର୍ଥ, ସ୍ବାଭିମାନ ବିରୋଧୀ କାର୍ଯ୍ୟ କରୁଛନ୍ତି । କଂଗ୍ରେସ ଓ ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ । ମତ୍ସ୍ୟଜୀବୀ, ଚାଷୀ, ନଈକୂଳିଆ ଅଞ୍ଚଳବାସୀଙ୍କ ସ୍ବାର୍ଥ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୋଲି କହିଛି ବିଜେଡି ।

ରାଜ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଚଳ ଦାବି , କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟ ପରିବହନ ମନ୍ତ୍ରୀ

ଭୁବନେଶ୍ବର : ଓଡ଼ିଶାରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଚଳ କରିବାକୁ ଦାବି । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଚିଠି ଲେଖିଲେ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ । ପୁରୀ-ହାୱଡ଼ା, ପୁରୀ-ରାୟପୁର ଭାୟା ରାଉରକେଲା ସମ୍ବଲପୁର ଓ ଭୁବନେଶ୍ବର-ହାଇଦ୍ରାବାଦରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଚଲାଇବାକୁ ଦାବି କରିଛନ୍ତି ।  ଭାରତର ବିକାଶ ଇଞ୍ଜିନରେ ମହତ୍ବପୂର୍ଣ୍ଣ ଯୋଗଦାନ ଦେଇଛି ଓଡ଼ିଶା ।

ରାଷ୍ଟ୍ରର ପୂର୍ବ ପ୍ରବେଶ ଦ୍ବାର ଭାବେ ଉଭା ହୋଇଛି । ୨ଦଶନ୍ଧୀ ଧରି ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ସହ ଉଚ୍ଚତମ ନିବେଶକୁ ଆକର୍ଷିତ କରିଛି ରାଜ୍ୟ । ହେଲେ ବାରମ୍ବାର ରାଜ୍ୟରେ ରେଳ ନେଟୱର୍କର ସଂପ୍ରସାରଣ ନେଇ ଦାବି କରାଯାଉଛି । ଏହାଦ୍ବାରା ଦେଶର ଅର୍ଥନୀତିକୁ ଓଡ଼ିଶା ଅଧିକ ଯୋଗଦାନ କରିପାରିବ । କିନ୍ତୁ କେନ୍ଦ୍ର ଏଥିପ୍ରତି ଗୁରୁତ୍ବ ଦେଇନାହିଁ । ତେବେ କେନ୍ଦ୍ର ସରକାର ଓଡ଼ିଶାକୁ ବାଦ୍ ଦେଇ ଅନ୍ୟ ରାଜ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି । ଓଡ଼ିଶାରେ ରେଳ ଯୋଗାଯୋଗର ବ୍ୟବସ୍ଥାର ଉନ୍ନତି ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟର ୩ଟି ରୁଟ୍‌ରେ ଏହି ସୁପରଫାଷ୍ଟ ଏକ୍ସପ୍ରେସ ଚଳାଇବାକୁ ଦାବି କରିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ । ଓଡ଼ିଶାବାସୀଙ୍କ ଆକାଂକ୍ଷା ପୂରା କରିବାକୁ ଏବଂ ରାଜ୍ୟବାସୀଙ୍କୁ ଦ୍ରୁତ ଯୋଗାଯୋଗର ବିକଳ୍ପ ଦେବାକୁ ପୁରୀରୁ ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ ଚଲାଇବାକୁ ଦାବି କରିଛନ୍ତି ।

ପଶ୍ଚିମ ଓଡ଼ିଶାକୁ ଖୁବ୍ କମ୍ ଦ୍ରୁତ ଟ୍ରେନ୍ ଯାତାୟତ କରୁଛି । ତେଣୁ ପୁରୀ-ରାୟପୁର ଭାୟା ରାଉରକେଲା ସମ୍ବଲପୁର ବନ୍ଦେ ଭାରତ ଏକ୍ସପ୍ରେସ୍ ପାଇଁ ଦାବି କରିଛନ୍ତି । ଯାହା ରାଜ୍ୟର ରାଜଧାନୀକୁ ପଶ୍ଚିମ ଓଡ଼ିଶାର ଅଧିକଂଶ ଜିଲ୍ଲା ସହ ଯୋଡିପାରିବ । ଏହାଦ୍ବାରା ରାଜ୍ୟ ଭିତରେ ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହନ ମିଳିବା ସହ ଭୁବନେଶ୍ବର ବିମାନବନ୍ଦର ସହ ଝାରସୁଗୁଡ଼ା, ରାଉରକେଲା ବିମାନବନ୍ଦର ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ହେବ । ଓଡ଼ିଶାର ବହୁଭାଗ ଲୋକ ହାଇଦ୍ରାବାଦରେ ରହୁଛନ୍ତି । ତେଣୁ ଭୁବନେଶ୍ବରରୁ ହାଇଦ୍ରାବାଦକୁ ବନ୍ଦେ ଭାରତ ଏକ୍ସପ୍ରେସ ଚଲାଇବାକୁ ଦାବି କରିଛନ୍ତି । ଏହି ୩ଟି ବନ୍ଦେ ଭାରତ ଏକ୍ସପ୍ରେସ ଚାଲିଲେ ଯାତ୍ରୀଙ୍କୁ ଶୀଘ୍ର ଓ ଦ୍ରୁତଗାମୀ ଟ୍ରେନ୍ ଯାତ୍ରାର ସୁବିଧା ମିଳିବ । ଏହାସହ ଉପକୃତ ହେବେ ପର୍ଯ୍ୟଟକ ଓ ବ୍ୟବସାୟୀ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶର ସ୍ବପ୍ନ , ଭୁବନେଶ୍ବରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ସିଧା ଯିବ ଫ୍ଲାଇଟ୍

ଭୁବନେଶ୍ବର :  ବିଶ୍ବସ୍ତରୀୟ ହେଉଛି ଓଡ଼ିଶା । ପୂରଣ ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶର ସ୍ବପ୍ନ । ଏଣିକି ସିଧାସଳଖ ବିଦେଶକୁ ଉଡିବ ବିମାନ । ଭୁବନେଶ୍ବରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ସିଧା ଯିବ ଫ୍ଲାଇଟ୍ । ଜୁନ ୩ରୁ ସପ୍ତାହକୁ ଦୁଇଥର ଉଡାଣ ଭରିବ ଇଣ୍ଡିଗୋ ।

ଉପକୃତ ହେବେ ସିଙ୍ଗାପୁର ଓ ବ୍ୟାଙ୍କକ ଯିବାକୁ ଚାହୁଁଥିବା ଯାତ୍ରୀ । ଖୁବଶୀଘ୍ର ଟିକେଟ୍ ବିକ୍ରି ଆରମ୍ଭ ହେବ । ଯିବା ଆସିବା ପାଇଁ ଟିକେଟ୍ ମୂଲ୍ୟ ୧୫ହଜାର ରହିଛି । ଏହି ଫ୍ଲାଇଟ୍ ଉଡ଼ିଲେ ପର୍ଯ୍ୟଟନ, ନିଯୁକ୍ତି ଓ ଅଧିକ ନିବେଶ ଉପରେ ମିଳିବ ପର୍ଯ୍ୟାପ୍ତ ସୁଯୋଗ । ସୋସିଆଲ ମିଡିଆରେ ଭିଡିଓ ସେୟାର କରି ସୂଚନା ଦେଲେ 5T ସଚିବ । ସେହିପରି ୧୫ ମେ’ରୁ ଦୁବାଇକୁ ଉଡ଼ିବ ବିମାନ ।

ବହୁଚର୍ଚ୍ଚିତ ଅଭିନେତ୍ରୀ ଜିୟା ଖାଁ ଆତ୍ମହତ୍ୟା ମାମଲା, ଆଜି ଆସିପାରେ ସ୍ବତନ୍ତ୍ର ସିବିଆଇ କୋର୍ଟଙ୍କ ରାୟ

ମୁମ୍ବାଇ: ବହୁଚର୍ଚ୍ଚିତ ଅଭିନେତ୍ରୀ ଜିୟା ଖାଁ ଆତ୍ମହତ୍ୟା ମାମଲାର ଆଜି ଆସିପାରେ ରାୟ । ମୁମ୍ବାଇର ସ୍ବତନ୍ତ୍ର ସିବିଆଇ କୋର୍ଟର ବିଚାରପତି ଦେଇପାରନ୍ତି ରାୟ । ଗତ ଏପ୍ରିଲ ୨୦ ତାରିଖରେ ମାମଲାର ହୋଇଥିଲା ଚୂଡ଼ାନ୍ତ ଶୁଣାଣି । ସେପଟେ ସମ୍ଭାବ୍ୟ ରାୟକୁ ନେଇ ଆଶଙ୍କା ବ୍ୟକ୍ତ କରିଛନ୍ତି ସୂରଜ ପାଞ୍ଚୋଲିଙ୍କ ପରିବାର । ଗତ ୨୦୧୩ ଜୁନ ୩ରେ ମୁମ୍ବାଇରେ ଜିୟା ଖାଁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହେବା ସହ ଏକ ୬ ପୃଷ୍ଠାର ଚିଠି ଜବତ ହୋଇଥିଲା । ସେଥିରେ ସେ ଅଭିନେତା ଆଦିତ୍ୟ ପାଞ୍ଚୋଲିଙ୍କ ପୁଅ ସୂରଜ ଓ ତାଙ୍କ ପରିବାରଙ୍କ ସହ ସମ୍ପର୍କ ନେଇ ପ୍ରତିକୂଳ ମନ୍ତବ୍ୟ ଦର୍ଶାଇଥିଲେ । ଆତ୍ମହତ୍ୟାକୁ ପ୍ରୋତ୍ସାହନ ଦେବା ଅଭିଯୋଗରେ ସୂରଜଙ୍କୁ ଗିରଫ କରାଯାଇଥିଲା ମାତ୍ର ପରେ ତାଙ୍କୁ ଜାମିନ ମିଳିଥିଲା ।

ସୂରଜଙ୍କୁ ଜାମିନ ବିରୋଧରେ ଜିୟାଙ୍କ ମା’ ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଏବଂ ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବା ଲାଗି ପ୍ରାର୍ଥନା କରିଥିଲେ । ଫଳରେ ୨୦୧୪ରେ ମାମଲାର ତଦନ୍ତ ଭାର ସିବିଆଇ ହାତକୁ ଯାଇଥିଲା । ଡିସେମ୍ବର ୨୦୧୫ରେ ସିବିଆଇ ଚାର୍ଜସିଟ ଦାୟର କରିଥିଲା । ସେଥିରେ ସୂରଜଙ୍କୁ ଅଭିଯୁକ୍ତ କରାଯାଇଥିଲା । ଜିୟା ଖାଁଙ୍କ ପ୍ରକୃତ ନାମ ନଫିସା ରିଜଭି ଖାଁ ଥିଲା । ସେ ବଲିଉଡର ବହୁ ଫିଲ୍ମରେ ଅମିତାଭ ବଚ୍ଚନା, ଆମିର ଖାନ୍ ଓ ଅକ୍ଷୟ କୁମାରଙ୍କ ସହ ଅଭିନୟ କରିଥିଲେ । ମାତ୍ର ୨୫ ବର୍ଷ ବୟସରେ ଚରମପଥ ନେଇଥିବା ଜିୟାଙ୍କ ବିୟୋଗରେ ସାରା ବଲିଉଡ ସ୍ତବ୍ଧ ହୋଇଯାଇଥିଲା । ମୃତ୍ୟୁ ପଛରେ ସୂରଜଙ୍କ ଭୂମିକା ରହିଥିଲା ବୋଲି ଅଭିଯୋଗ କରିଥିଲେ ଜିୟାଙ୍କ ମା । ଜିୟାଙ୍କ ମା’ଙ୍କ ଅଭିଯୋଗ କ୍ରମେ ୨୦୧୩ ଜୁନ ୧୧ରେ ଗିରଫ ହୋଇଥିଲେ ସୂରଜ । ମାତ୍ର ଜୁଲାଇ ୧ରେ ତାଙ୍କୁ ମିଳିଥିଲା ଜାମିନ । ଜିୟାଙ୍କ ମୃ୍ତ୍ୟୁକୁ ନେଇ ବିବିସି ପକ୍ଷରୁ ଏକ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ ହୋଇଥିଲା ।

ଦ୍ବିତୀୟ ଦିନରେ 5T ସଚିବଙ୍କ ମାରାଥନ ସମୀକ୍ଷା, ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବାର ଅନୁଧ୍ୟାନ

କେନ୍ଦ୍ରାପଡ଼ା: ଦ୍ବିତୀୟ ଦିନରେ କେନ୍ଦ୍ରାପଡ଼ାରେ 5T ସଚିବଙ୍କ ମାରାଥନ ସମୀକ୍ଷା । ଗ୍ରାଉଣ୍ଡରେ ଲୋକଙ୍କ ସମସ୍ୟା ଶୁଣୁଛନ୍ତି ଭି.କେ ପାଣ୍ଡିଆନ୍ । ରାଜକନିକା ସିଏଚସି ଯାଇ ଚିକିତ୍ସା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି 5T ସଚିବ । ଏହା ପୂର୍ବରୁ ଆଳି ଫୁଟବଲ ଷ୍ଟାଡିୟମ ବୁଲି ଦେଖିଥିଲେ 5T ସଚିବ । ୫୦ରୁ ଅଧିକ ବାଳିକା ଫୁଟବଲ ଖେଳାଳିଙ୍କ ସହ ଆଲୋଚନା କରିଥିଲେ ଭି.କେ ପାଣ୍ତିଆନ୍ । ଓଡ଼ିଶା ନୁହେଁ ଦେଶର ନାଁ ରଖିବା ସହ ଭଲ ଖେଳିବାକୁ ପରାମର୍ଶ ଦେଇଥିଲେ । ଖେଳାଳିଙ୍କ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି 5T ସଚିବ । ଏହାପରେ ମିଶନ ଶକ୍ତି ଦ୍ବାରା ପରିଚାଳିତ ମେଡିକାଲ କ୍ୟାଣ୍ଟିନରେ ଭୋଜନ କରିଥିଲେ । ଖାଦ୍ୟର ମାନ ଯାଞ୍ଚ କରିବା ସହ ମହିଳାଙ୍କ ସହ ଆଲୋଚନା କରିଥିଲେ ।

ଏହାପରେ ତରାସ ଓ ବଡପାଲ୍ଲି 5T ହାଇସ୍କୁଲ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି । ରାଜନଗର ସିଏଚସି ଓ ବାଲିସାହିପାଟଣାରେ ମିଲ୍କ ଶକ୍ତି ପ୍ରୋସେସିଂ ୟୁନିଟର ଅନୁଧ୍ୟାନ କରିବେ । ସେଠାରୁ କେରଡ଼ାଗଡ଼ ଜଗନ୍ନାଥ ମନ୍ଦିର, ବାୟା ବାବା ମଠ ଯିବେ । ଭାଟପଡ଼ା ଓ ଗୁପ୍ତିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା ପରେ ରାଜନଗର ମିଶନ ଶକ୍ତି କାଫେରେ ମଧ୍ୟାହ୍ନ ଭୋଜନ କରି ସଂସ୍କୃତି ଭବନରେ ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ଆଜି ସିବିଆଇରେ ହାଜର ହେବେ ସତ୍ୟପାଲ ମଲ୍ଲିକ

ନୂଆଦିଲ୍ଲୀ: ଆଜି ସିବିଆଇରେ ହାଜର ହେବେ ଜାମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ । ଜାମ୍ମୁ କାଶ୍ମୀରରେ ତାଙ୍କ କାର୍ଯ୍ୟକାଳରେ ଲାଗୁ ହେବାକୁ ଥିବା ରିଲାଏନ୍ସ ଇନ୍ସୁରାନ୍ସ ଦୁର୍ନୀତି ନେଇ ପଚରାଉଚରା କରିବାକୁ ନୋଟିସ କରିଛି କେନ୍ଦ୍ରୀୟ ଏଜେନ୍ସି । ନିକଟରେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଇନ୍ୟୁରାନ୍ସରେ ଥିବା ଦୁର୍ବଳତା ଯୋଗୁଁ ସେ ଅନୁମତି ଦେଇନଥିବା କହିଥିଲେ । ବିଜେପିର ଜଣେ ବଡ଼ ନେତା ଏହି ଇନସୁରାନ୍ସକୁ କ୍ଲିୟର କରିବା ପାଇଁ ଚାପ ପକାଇଥିବା ମଧ୍ୟ କହିଥିଲେ ସତ୍ୟପାଲ । ଇନସୁରାନ୍ସରେ ସରକାରୀ କର୍ମଚାରୀଙ୍କୁ ବାର୍ଷିକ ସାଢେ ୮ ହଜାରରୁ ଅଧିକ ଟଙ୍କା ଦେବାକୁ ପଡ଼ିଥାନ୍ତା ଏବଂ ଅବସରପ୍ରାପ୍ତ କର୍ମଚାରୀ ମାନେ ବାର୍ଷିକ ୨୦ ହଜାର ଟଙ୍କା ଦେଇଥାନ୍ତେ  । ଯାହାକୁ ନେଇ ବିରୋଧ ମଧ୍ୟ ହୋଇଥିଲା  । ଏଥିସହ ଇନସୁରାନ୍ସ ପାଇଁ ଯେଉଁଠି ଚିକିତ୍ସା କରାଯାଇଥାନ୍ତା ସେଗୁଡିକ ନିମ୍ନ ମାନର ହସ୍ପିଟାଲ ବୋଲି ସତ୍ୟପାଲ ମଲ୍ଲିକ କହିଥିଲେ  ।

ଏଭଳି ବୟାନ ଦେବା ପରେ ଗଣମାଧ୍ୟମରେ ବଡ଼ ଚର୍ଚ୍ଚା ହୋଇଥିଲା । ସିବିଆଇ ନୋଟିସ ଆସିପାରେ ବୋଲି ପୂର୍ବରୁ ସତ୍ୟପାଲ ମଲ୍ଲିକ ଗଣମାଧ୍ୟମରେ ପ୍ରକାଶ କରିଥିଲେ । ସତକୁ ସତ ପରେ ତାଙ୍କୁ ତାଙ୍କୁ ସିବିଆଇ ନୋଟିସ କରିଥିଲା । ସତ୍ୟପାଲ କହିଛନ୍ତି ବିଜେପିର ଗୁମର ଖୋଲୁଥିବା ଲୋକଙ୍କୁ ଡରାଇ ଧମକାଇ ସିବିଆଇ ଇଡି ଲଗାଇ ମୁହଁ ବନ୍ଦ କରିବା ପ୍ରଚେଷ୍ଟା ଜାରି ରହିଛି । ହେଲେ ତାଙ୍କ ମୁହଁ ବିଜେପି ବନ୍ଦ କରିପାରିବ ନାହିଁ । ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ, ସତ ପଦାକୁ ଆଣିଥିବାରୁ ତାଙ୍କ ବିରୋଧରେ କେନ୍ଦ୍ର ବିଜେପି ନେତୃମଣ୍ଡଳୀ ଏଭଳି ଆଚରଣ ଦେଖାଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ, ଓଡ଼ିଆ ଜାତୀୟତାର ପ୍ରମୁଖ ମନ୍ତ୍ରଦାତା ମଧୁବାବୁ

ଭୁବନେଶ୍ୱର: ମଧୁବାବୁ । ଓଡ଼ିଶା ମାଟିର ତଥା ଓଡ଼ିଆ ଜାତିର ସ୍ବାଭିମାନ । ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୫ତମ ଜୟନ୍ତୀ । ଓଡ଼ିଆ ଜାତୀୟତାର ପ୍ରମୁଖ ମନ୍ତ୍ରଦାତା ମଧୁବାବୁ । ସବୁ ପ୍ରଥମ ଭିତରେ ସେ ଥିଲେ ପ୍ରଥମ । ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ୨୮ ଏପ୍ରିଲ ୧୮୪୮ ମସିହାରେ କଟକ ଜିଲ୍ଲା ସାଲେପୁର ସତ୍ୟଭାମାପୁର ଗାଁରେ ଜନ୍ମଗ୍ରହଣ କରିଥିଲେ ମଧୁସୁଦନ । ସେଥିଲେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର କର୍ଣ୍ଣଧାର । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରା ଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟାରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଆ ଭାଷାର ପରିଚୟ ସହ ଏକ ଭାଷାଭିତ୍ତିକ ରାଜ୍ୟ ଗଠନର ସେ ଥିଲେ ମୁଖ୍ୟ ପୁରୋଧା । କୋ-ଅପରେଟିଭ ସମବାୟ ବିକ୍ରୟ କେନ୍ଦ୍ର, ଶିଙ୍ଘ ଓ ତାରକସୀ କାମ ଏବଂ ଜୋତା ତିଆରି କାରଖାନା, ଚୌଧୂରୀ ବଜାରଠାରେ ଓଡ଼ିଆ ଆର୍ଟ ଓ୍ବେର ଏବଂ ଚାଉଳିଆଗଞ୍ଜରେ ଉତ୍କଳ ଟ୍ୟାନେରୀ ତାଙ୍କ ଶିଳ୍ପ ମାନସିକତାର ବାସ୍ତବିକ ରୂପରେଖ ଥିଲା । ଓଡ଼ିଶାରେ ସଫଳ ଶିଳ୍ପାୟନ ଲାଗି ସେ ଲଣ୍ଡନ ଯାଇ ଆଧୁନିକ ଅନୁଭବ ସାଉଁଟିଥିଲେ ।

ଗ୍ରାମାଞ୍ଚଳରେ ସୂତାକଟା ଓ ଲୁଗାବୁଣା ଶିଳ୍ପର ବିକାଶ ପାଇଁ ଉଦ୍ୟମ ଆରମ୍ଭ କରିଥିଲେ ମଧୁବାବୁ । ଉତ୍କଳ ଟ୍ୟାନେରୀ ଥିଲା ଓଡ଼ିଶାର ପ୍ରଥମ ଜଏଣ୍ଟ ଷ୍ଟକ କମ୍ପାନୀ । ଯାହାକୁ ନେଇ ଏକ ପ୍ରଗତିଶୀଳ ଓଡ଼ିଶାର ସ୍ବପ୍ନ ବୁଣିଥିଲେ ଓଡ଼ିଶାବାସୀ । ଓଡ଼ିଆ ଜାତିର ଅସ୍ମିତାଙ୍କ ଜନ୍ମମାଟିର ବିକାଶ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ସତ୍ୟଭାମାପୁରରେ ‘ମଧୁସୂଦନ ସଂଗ୍ରହାଳୟ ଓ ବ୍ୟାଖ୍ୟାନ କେନ୍ଦ୍ର ପ୍ରତିଷ୍ଠା ହୋଇଛି  । ଏଥିରେ ମଧୁବାବୁଙ୍କ ଏନ୍ତୁଡ଼ି ଶାଳ, ପିଲା ଦିନର ବିରଳ ଫଟୋ, ଜନ୍ମ ଜାତକ, ଢିଙ୍କି ଆଦି ବିଭିନ୍ନ ବିରଳ ସାମଗ୍ରୀ ସ୍ଥାନ ପାଇଛି ସତ୍ୟଭାମାପୁରକୁ ଏକ ଆଦର୍ଶ ଗ୍ରାମ ରୂପେ ବିକାଶ କରାଯାଉଛି । ଏହି ଗ୍ରାମକୁ  ଏକ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟଟନସ୍ଥଳ ଭାବରେ ପରିଣତ କରିବା ପାଇଁ ସରକାରଙ୍କ ପଦକ୍ଷେପ ଜାରି ରହିଛି  । ଖୁବଶୀଘ୍ର ଜନ୍ମ ପୀଠ ଓ କର୍ମଭୂମିକୁ ସଂଯୋଗ କରୁଥିବା ଗଳି ରାସ୍ତାର ଉନ୍ନତି କରାଯାଇ ଏହାର ପୁନରୁଦ୍ଧାର କରାଯିବ । ଲାଇଟ୍ ଓ ସାଉଣ୍ଡ ସୋ’ର ବ୍ୟବସ୍ଥା ମଧ୍ୟ କରାଯିବ । ସତ୍ୟଭାମାପୁରରେ ପହଞ୍ଚିବା ପରେ ଖଣ୍ଡେଲାଇଟ୍ ପଥରରେ ସ୍ବାଗତ ତୋରଣ  କରାଯିବ । କର୍ମଭୂମୀ ନିକଟରେ ଏକ ପାର୍କିଂ ସ୍ଥାନ ମଧ୍ୟ କରାଯିବ । କିଛିଦିନ ତଳେ ଜନ୍ମପୀଠ ପରିଦର୍ଶନ କରି ବିକାଶମୂଳକ କାର୍ଯ୍ୟକୁ ଅତ୍ୟନ୍ତ ଉଚ୍ଚ କୋଟିର କରି ଯୋଜନା କରିବାକୁ ନିର୍ଦ୍ଦେଶ ଦେଇଥିଲେ 5T ସଚିବ ।