ବହୁ ଗୁରୁତ୍ବପୂର୍ଣ୍ଣ ପଦବୀରେ ରହି ଦାୟିତ୍ବ ନିର୍ବାହ କରିଛନ୍ତି ନୂଆ ମନ୍ତ୍ରୀ, ଜାଣନ୍ତୁ ୩ ମନ୍ତ୍ରୀଙ୍କ ବିଷୟରେ  

ଭୁବନେଶ୍ବର: ୩ ନୂଆ ମନ୍ତ୍ରୀ ଆଜି ଶପଥ ଗ୍ରହଣ କରିଛନ୍ତି । ତିନି ନୂଆ ମନ୍ତ୍ରୀ ହେଲେ ବିକ୍ରମ କେଶରୀ ଆରୁଖ, ସୁଦାମ ମାର୍ଣ୍ଡି ଓ ସାରଦା ପ୍ରସାଦ ନାୟକ । ଲୋକସେବା ଭବନ କନଭେନସନ ସେଣ୍ଟରରେ ଆୟୋଜିତ ଶପଥଗ୍ରହଣ ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ୩ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ଶପଥ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ । ତେବେ ୩ ମନ୍ତ୍ରୀ ପୂର୍ବରୁ ମଧ୍ୟ ବହୁ ଗୁରୁତ୍ବପୂର୍ଣ୍ଣ ପଦବୀରେ ରହି ଦାୟିତ୍ବ ନିର୍ବାହ କରିଥିଲେ । ଜାଣନ୍ତୁ କିଏ କେଉଁ ପଦବୀରେ ଥିଲେ

ବିକ୍ରମ କେଶରୀ ଆରୁଖ

୧୯୯୫ ମସିହାରୁ ଲଗାତର ୬ ଥର ଭଞ୍ଜନଗର ବିଧାନସଭା ଆସନରୁ ପ୍ରତିନିଧିତ୍ବ କରୁଛନ୍ତି ବିକ୍ରମ । ୨୦୦୮ ମସିହାରେ ସେ ସରକାରୀ ଦଳର ମୁଖ୍ୟ ସଚେତକ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ନବୀନ ପଟ୍ଟନାୟକଙ୍କ ତୃତୀୟ ପାଳି ଅର୍ଥାତ ୨୦୦୯ ମସିହାରେ ସେ ପ୍ରଥମ ଥର ପାଇଁ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲେ। ଗ୍ରାମ୍ୟ ଉନ୍ନୟନ ଓ ଆଇନ ବିଭାଗର ମନ୍ତ୍ରୀ ହୋଇଥିଲେ ବିକ୍ରମ ।

୨୦୧୪ରେ ପୁଣି ନବୀନଙ୍କ ଟିମରେ ସ୍ଥାନ ପାଇଥିଲେ । ୨୦୧୪ରେ ସେ ଜଙ୍ଗଲ, ପରିବେଶ ଓ ସଂସଦୀୟ ମନ୍ତ୍ରୀ ହୋଇଥିଲେ । ପରେ ବିଭିନ୍ନ ସମୟରେ ସେ ଗ୍ରାମ୍ୟ ଉନ୍ନୟନ, ଆଇନ, ସମବାୟ, ସୂଚନା ଓ ଲୋକ ସମ୍ପର୍କ, ସାଧାରଣ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଥିଲେ । ନବୀନଙ୍କ ପଞ୍ଚମ ପାଳି ୨୦୧୯ରେ ବି ସେ ଜଙ୍ଗଲ, ପରିବେଶ ଓ ସଂସଦୀୟ ମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ । ୨୦୨୨ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପରେ ସେ ବାଚସ୍ପତି ହୋଇଥିଲେ । ୨୦୨୨ ମସିହା ଜୁନ ୧୩ରେ ବାଚସ୍ପତି ଭାବେ ଶପଥ ନେଇଥିଲେ ବିକ୍ରମ କେଶରୀ ଆରୁଖ  ।

ସୁଦାମ ମାର୍ଣ୍ଡି

ବାଙ୍ଗିରିପୋଷି ବିଧାୟକ ସୁଦାମ ମାର୍ଣ୍ଡି ମଧ୍ୟ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ନବୀନଙ୍କ ଚତୁର୍ଥ ପାଳି ୨୦୧୪ରେ ପ୍ରଥମେ ରାଷ୍ଟ୍ର ମନ୍ତ୍ରୀ ହୋଇଥିଲେ ସୁଦାମ ମାରାଣ୍ଡି । କ୍ରୀଡ଼ା, ଯୁବବିଭାଗ ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ହୋଇଥିଲେ ସୁଦାମ  । ପରେ ୨୦୧୭ରେ ସେ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ି ୨୦୧୯ରେ ପୁଣି ନବୀନଙ୍କ ମନ୍ତ୍ରିମଣ୍ଡଳକୁ ଫେରିଥିଲେ ।

୨୦୧୪ରେ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ଦାୟିତ୍ବ ସମ୍ଭାଳିଥିଲେ ସୁଦାମ । ୨୦୨୨ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ସମୟରେ ସେ ବାଦ ପଡ଼ିଥିଲେ । ଏବେ ପୁଣିଥରେ ନବୀନଙ୍କ ଟିମରେ ସେ ସ୍ଥାନ ପାଇଛନ୍ତି ।

ସାରଦା ପ୍ରସାଦ ନାୟକ

ସେହିପରି ନବୀନଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହେଲେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ । କ୍ୟାବିନେଟ ମନ୍ତ୍ରୀ ହେବେ ସାରଦା ନାୟକ । ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ତଥା ରାଉରକେଲାର ଲୋକପ୍ରିୟ ବିଧାୟକ ସାରଦା । ୨୦୦୪ରେ ପ୍ରଥମେ ବିଜେଡି ଟିକେଟରେ ରାଉରକେଲାରୁ ବିଧାୟକ ହୋଇଥିଲେ ।

ପରେ ୨୦୦୯ ଓ ୨୦୧୯ରେ ରାଉରେକାଲାରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ପୂର୍ବରୁ ମଧ୍ୟ ସେ ନବୀନଙ୍କ ଟିମରେ ମନ୍ତ୍ରୀ ରହିଥିଲେ । ୨୦୦୯ରୁ ୨୦୧୨ ପର୍ଯ୍ୟନ୍ତ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସହ ଗୃହ ଓ ନଗର ଉନ୍ନୟନ ଏବଂ ଅବକାରୀ ବିଭାଗର ମନ୍ତ୍ରୀ ଥିଲେ ସାରଦା ।