spot_img
Home Blog Page 3304

ପ୍ରତିଦିନ ୧୧ମି. କରନ୍ତୁ ଏହି କାମ, ସୁସ୍ଥ ରହିବ ହାର୍ଟ

ଲଣ୍ଡନ: ପ୍ରତିଦିନ ୧୧ ମିନିଟ୍ ଏହି କାମ କଲେ ଆପଣଙ୍କ ହାର୍ଟ ସୁସ୍ଥ ରହିବ। ଏଭଳି ରିପୋର୍ଟ ପ୍ରକାଶ ପାଇଛି କେମ୍ବ୍ରିଜ୍ ବିଶ୍ୱ ବିଦ୍ୟାଳୟର ଏକ ରିସର୍ଚ୍ଚରୁ। ‘ବ୍ରିଟିଶ ଜର୍ନଲ ଅଫ୍ ସ୍ପୋର୍ଟ୍ସ ମେଡିସିନ୍’ରେ ମଙ୍ଗଳବାର ଦିନ ପ୍ରକାଶିତ ଏକ ରିପୋର୍ଟରେ ଏନେଇ ସୂଚନା ଦିଆଯାଇଛି। ଗବେଷକଙ୍କ ମତରେ ଏହି କାମ କଲେ ଜଲଦି ମୃତ୍ୟୁବରଣ କରୁଥିବା ୧୦ ଜଣଙ୍କୁ ମଧ୍ୟରୁ ଜଣଙ୍କର ଜୀବନ ବଞ୍ଚାଯାଇପାରିବ । ବ୍ରିଟେନର ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସେବା (ଏନଏଚଏସ୍) ଦ୍ୱାରା ଦିଆଯାଇଥିବା ଶାରୀରୀକ ବ୍ୟାୟାମ ପାଳନ କଲେ ସୁଫଳ ମିଳିବ ।

ମଧ୍ୟମ ସ୍ତରର ଶାରୀରୀକ ବ୍ୟାୟାମ କଲେ ହୃଦୟ ସମ୍ବନ୍ଧୀୟ ରୋଗ ଏବଂ କ୍ୟାନ୍ସର ଆଶଙ୍କା କମ୍ ହୋଇଥାଏ । ଏନଏଚଏସ୍ ବୟସ୍କଙ୍କୁ ଏକ ସପ୍ତାହରେ ୭୫ ମିନିଟ୍ ଶାରୀରୀକ ବ୍ୟାୟାମ କରିବାକୁ ପରାମର୍ଶ ଦେଇଛନ୍ତି ।

କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ମେଡିକାଲ ରିସର୍ଚ୍ଚ କାଉନସିଲ୍ (ଏମଆରସି) ପିଡେମିଓଲଜି ୟୁନିଟର ଡ. ସୋରେନ୍ ବ୍ରାଜ୍ କହିଛନ୍ତି, କିଛି ନ କରିବାଠୁ ଭଲ କିଛି ଶାରୀରୀକ ବ୍ୟାୟାମ କରିବା । ଯଦି ଆପଣଙ୍କୁ ଲାଗୁଛି ଏକ ସପ୍ତାହରେ ୭୫ ମି. ବ୍ୟାୟାମ କରିପାରୁଛନ୍ତି, ତାହେଲେ ଆପଣ ଚାହିଁଲେ ଅଧିକ ସମୟ ବଢାଇପାରିବେ ।

ସାରା ଦୁନିଆରେ ସବୁଠୁ ଅଧିକ ମୃତ୍ୟୁ ହୃଦୟ ଜନିତ ସମସ୍ୟାରୁ ହୋଇଥାଏ । ୨୦୧୯ ମସିହାରେ ୧.୭୯ କୋଟି ଲୋକଙ୍କ ମୃତ୍ୟୁ ହାର୍ଟ ସମସ୍ୟାରୁ ହୋଇଥିବା ବେଳେ ୨୦୧୭ରେ ୯୬ ଲକ୍ଷ ଲୋକ କ୍ୟାନ୍ସରରେ ମୃତ୍ୟୁବରଣ କରିଥିଲେ।

ଭଦ୍ରକ ସାତଭଉଣୀ ନିକଟରେ ଅଘଟଣ, ନାଳିଆ ନଦୀରେ ବୁଡ଼ି ୩ ଛାତ୍ର ମୃତ

ଭଦ୍ରକ: ଭଦ୍ରକ ସାତଭଉଣୀ ନିକଟରେ ଅଘଟଣ । ନାଳିଆ ନଦୀରେ ବୁଡ଼ି ୩ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଏଥିସହ ଜଣେ ଗୁରୁତର ଅଛନ୍ତି । ନଦୀରେ ଗାଧୋଉଥିବା ବେଳେ ୪ ଜଣ ବୁଡ଼ିଯାଇଥିଲେ । ମୃତକ ହେଲେ ସ୍ମୃତି ରଞ୍ଜନ ସ୍ବାଇଁ, ରଜତ କୁମାର ଜେନା, ପ୍ରଣୟ କୁମାର ଲେଙ୍କା । ମୃତକ ସମସ୍ତ ୩ ଜଣ ହେଲେ କୋରକୋରା ହରିଗ୍ରାମର ।

 

ଖୋଲିବ ଜାଲ ସାର୍ଟିଫିକେଟ୍ ଗୁମର, ୪ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚର ଆବେଦନ

ବଲାଙ୍ଗୀର: ଜାଲ ସାର୍ଟିଫିକେଟ କାରବାର ମାମଲାରେ କ୍ରାଇମବ୍ରାଞ୍ଚର ତନାଘନା । ଚାରି ଜଣ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ I ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ର ଓ ଆଲୋକ ଉଦଗାତାଙ୍କ ସମେତ ଆଉ ୨ ଜଣଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିଛି କ୍ରାଇମବ୍ରାଞ୍ଚ । ଅଭିଯୁକ୍ତ ମନୋଜ ମିଶ୍ର ଓ ଆଲୋକ ଉଦଗାତା ଏସଡିଜେଏମ୍ କୋର୍ଟରେ ହାଜର ହୋଇଛନ୍ତି ।

ଅନ୍ୟପଟେ ଅଭିଯୁକ୍ତ ମନୋଜ ମିଶ୍ର ଓ ଆଲୋକ ଉଦଗାତାଙ୍କ ଘରେ ଛାନବିନ୍ କରୁଛି ତଦନ୍ତକାରୀ ଟିମ୍ । ଯାଞ୍ଚ ବେଳେ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି । କ୍ରାଇମବ୍ରାଞ୍ଚ ଡିଏସପିଙ୍କ ନେତୃତ୍ବରେ ୫ ଜଣିଆ ଟିମ ତଦନ୍ତ କରିବା ସହ ପରିବାର ଲୋକଙ୍କୁ ପଚରାଉଚରା କରୁଛି ।

ସମର୍ଥ ଅଗ୍ରୱାଲ ହତ୍ୟା ମାମଲା, କୋର୍ଟରେ ହାଜର ହେବା ପୂର୍ବରୁ ମୁଖ୍ୟ ଅଭିଯୁକ୍ତର ଆତ୍ମହତ୍ୟା ଉଦ୍ୟମ

ଝାରସୁଗୁଡ଼ା: ବହୁଚର୍ଚ୍ଚିତ ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟା ମାମଲା। କୋର୍ଟରେ ହାଜର ହେବା ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ଅମିତ ଶର୍ମାର ଆତ୍ମହତ୍ୟା ଉଦ୍ୟମ। କାଚରେ ହାତ ଓ ଗଳା କାଟି ଅମିତ ଆତ୍ମହତ୍ୟା ଉଦ୍ୟମ କରିଥିବା ପୋଲିସ ସୂଚନା ଦେଇଛି। ଅପହରଣ ଓ ହତ୍ୟା ମାମଲାରେ ଝରସୁଗୁଡ଼ା ପୋଲିସ ଅଭିଯୁକ୍ତ ଅମିତ ଶର୍ମା ଓ ଦିନେଶ ଅଗ୍ରୱାଲକୁ ତିନିଦିନ ରିମାଣ୍ଡରେ ନେଇଥିଲା। ଆଜି ରିମାଣ୍ଡର ଶେଷ ଦିନରେ ଦୁଇ ଅଭିଯୁକ୍ତଙ୍କୁ SDJM କୋର୍ଟରେ ହାଜର କରିଛି ପୋଲିସ l ତେବେ କାହିଁକି ସମର୍ଥଙ୍କୁ ହତ୍ୟା କରିଥିଲେ ଅଭିଯୁକ୍ତ, ଏହାର କାରଣ ଏବେବି ଅସ୍ପଷ୍ଟ ରହିଛି ।

୩ ମାସ ମଧ୍ୟରେ ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ ! ୩ ବର୍ଷରେ ପ୍ରକଳ୍ପ ସାରିବାକୁ ଲକ୍ଷ୍ୟ

ଭୁବନେଶ୍ୱର: ଖୁବଶୀଘ୍ର ଓଡ଼ିଶାରେ ପଡ଼ିବାକୁ ଯାଉଛି ମେଟ୍ରୋ ଟ୍ରେନର ମୂଳଦୁଆ । ରାଜଧାନୀରେ ମେଟ୍ରୋ ଟ୍ରେନ ପ୍ରକଳ୍ପ କାମ ଆରମ୍ଭ କରିବାକୁ ଆଉ ବର୍ଷ ବର୍ଷ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଆସନ୍ତା ୩ ମାସ ମଧ୍ୟରେ ରାଜଧାନୀରେ ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ ହେବାକୁ ଯାଉଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଶିଳାନ୍ୟାସର ୩ ବର୍ଷ ମଧ୍ୟରେ ପ୍ରକଳ୍ପ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନ ବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ୨୫ କିଲୋମିଟର ପାଇଁ ୪୫୦ଟି ଖମ୍ବ ଛିଡ଼ା କରାଯିବ । ଏଥିପାଇଁ ୮ ହଜାର କୋଟି ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ସୂଚନା ଅନୁସାରେ ୧ କିଲୋମିଟର ମେଟ୍ରୋ ପଥ ନିର୍ମାଣ  ପାଇଁ ୨୫୦ କୋଟିରୁ ୩ ଶହ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ଆକଳନ କରାଯାଇଛି । ପ୍ରତି ୪୭ରୁ ୫୦ ମିଟର ବ୍ୟବଧାନରେ ଗୋଟିଏ ଲେଖାଏଁ ପିଲାର ନିର୍ମାଣ ହେବ । ବିମାନ ବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ୭ରୁ ୮ଟି ମେଟ୍ରୋ ଷ୍ଟେସନ ନିର୍ମାଣ ହେବ ।

ବିମାନ ବନ୍ଦରରୁ ତ୍ରିଶୁଳିଆ ମେଟ୍ରୋ ଚଳାଚଳ ପରେ ଭୁବନେଶ୍ୱର ସହରର ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣରୁ ଶାଖା ମେଟ୍ରୋ ପଥ ଆସି ସଂଯୋଗ ହେବ । ଏହାବାଦ୍ ପୁରୀ ଓ ଖୋର୍ଦ୍ଧାକୁ ମଧ୍ୟ ଲମ୍ବିବ ମେଟ୍ରୋ । ଏହି ସବୁକୁ ମିଶାଇଲେ ପୂରା ମେଟ୍ରୋ ପ୍ରକଳ୍ପର ବ୍ୟୟ ବରାଦ ପ୍ରାୟ ୧୫ ହଜାର କୋଟି ଟଙ୍କା ଛୁଇଁଯିବ । ରାଜ୍ୟ ସରକାର ଏହି ସମସ୍ତ ଖର୍ଚ୍ଚ ନିଜସ୍ୱ ପାଣ୍ଠିରୁ ବହନ କରିବେ ।

ପ୍ରସ୍ତାବିତ ମେଟ୍ରୋ ପାଇଁ ଡିପିଆର କାର୍ଯ୍ୟ ଏକ ଆନ୍ତର୍ଜାତିକ ସଂସ୍ଥାକୁ ଦିଆଯାଇଛି । ଡିପିଆର ଦାୟିତ୍ୱ ନେଇଥିବା ଏହି କମ୍ପାନୀ ଭାରତ ସମେତ ୨୪ଟି ଦେଶର ବିଭିନ୍ନ ସହରରେ ମେଟ୍ରୋ ଟ୍ରେନ୍ ଚଳାଇବା କାମର ଅଭିଜ୍ଞତା ରହିଛି । ଡିପିଆର ପ୍ରସ୍ତୁତି ସରିବା ପରେ ଗ୍ଲୋବାଲ ଟେଣ୍ଡର ଡକାଯିବ । ସମ୍ଭବତଃ ଏହି ପ୍ରକଳ୍ପର କାମ ପାଇଁ ଜାପାନର ବୈଷୟିକ ସହାୟତା ନେଇପାରେ ଓଡ଼ିଶା । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନ ଗସ୍ତରେ ଅଛନ୍ତି । ଜାପାନ ଗସ୍ତରେ ମୁଖ୍ୟମନ୍ତ୍ରୀ ଟ୍ୱିନ୍ ସିଟିରେ ମେଟ୍ରୋ ପ୍ରକଳ୍ପ ନେଇ ବିଶେଷଜ୍ଞ ସଂସ୍ଥା କିମ୍ବା ଜାପାନ ସରକାରଙ୍କ ସହ ଆଲୋଚନା କରିପାରନ୍ତି ।

 

ଇମ୍ରାନଙ୍କୁ ଆଶ୍ବସ୍ତି, ଏପ୍ରିଲ ୧୩ଯାଏଁ ମିଳିଲା ଅନ୍ତରୀଣ ଜାମିନ

ଲାହୋର: ଲାହୋର କୋର୍ଟରୁ ଇମ୍ରାନଙ୍କୁ ଆଶ୍ବସ୍ତି । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ମୁଖ୍ୟ ଇମ୍ରାନ ଖାନଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ଲାହୋରସ୍ଥିତ ଆଣ୍ଟି ଟେରରିଜମ କୋର୍ଟ । ପୋଲିସ ବିରୋଧରେ ଦଙ୍ଗା, ଜିଲେ ଶାହା ମର୍ଡର ଆଦି ତିନିଟି ମାମଲାରେ ଇମ୍ରାନଙ୍କୁ ଅନ୍ତରୀଣ ଜାମିନ ମଞ୍ଜୁର କରିଛନ୍ତି କୋର୍ଟ । ଏପ୍ରିଲ ୧୩ଯାଏଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି କୋର୍ଟ।

ବୁଲନ୍ଦସହରରୁ କାବୁ ହେଲା କୋଝିକୋଡ ଅଗ୍ନିକାଣ୍ଡର ଅଭିଯୁକ୍ତ, ସ୍କେଚ୍ ଜରିଆରେ ଧରିଲା ATS

ବୁଲନ୍ଦସହର: ଉତ୍ତରପ୍ରଦେଶର ବୁଲନ୍ଦସହରରୁ ATS ଗାଜିଆବାଦ ଶାହରୁଖ ନାମକ ଜଣେ ବ୍ୟକ୍ତିଙ୍କୁ ଧରିଛି। ଶାହରୁଖ ହେଉଛି କେରଳ କୋଝିକୋଡ ଅଗ୍ନିକାଣ୍ଡର ଅଭିଯୁକ୍ତ । ସ୍କେଚ୍ ଜରିଆରେ ତାକୁ ଧରିବା ପାଇଁ ସକ୍ଷମ ହୋଇଥିଲା ଏଟିଏସ୍ ।

ସୂଚନା ଅନୁଯାୟୀ, ଚଳନ୍ତା ଟ୍ରେନରେ ସିଟକୁ ନେଇ ବିବାଦ ପରେ ସମ୍ପୃକ୍ତ ଯୁବକ ଜଣେ ଯାତ୍ରୀଙ୍କ ଉପରେ କେମିକାଲ୍ ପକାଇଥିଲା। ଯାହାପରେ ନିଆଁ ଲାଗିବାରୁ ୩ ଜଣଙ୍କ ମୃତ୍ୟୁ ହୋଇଥିଲା।

ଏହି ଘଟଣାରେ ବୁଲନ୍ଦସହରର ସ୍ୟାନାରୁ ଏଟିଏସ୍ ଶାହରୁଖଙ୍କୁ ଧରିବା ସହ ଗିରଫ କରିଛି । ପରେ ପଚରାଉଚରା ପାଇଁ ତାକୁ ଗାଜିଆବାଦ ନିଆଁଯାଇଛି । ତେବେ ଅଗ୍ନିକାଣ୍ଡରେ ଶାହରୁଖଙ୍କ ସମ୍ପୃକ୍ତି ଅଛି କି ନାଁ ନାହିଁ । ଯଦି ଅଛି ସେ ଏପରି କାହିଁକି କଲେ, ସେନେଇ ତଦନ୍ତରୁ ଜଣାପଡିବ ବୋଲି ସୂଚନା ମିଳିଛି ।

ଅଧିକ ପଢନ୍ତୁ: ସିଟ ପାଇଁ ପାଟିତୁଣ୍ଡ: ଟ୍ରେନ ଭିତରେ ଯାତ୍ରୀଙ୍କ ଦେହରେ ନିଆଁ ଲଗାଇଦେଲେ

ଧାମରା ବନ୍ଦରରେ ଲାଗିଲା CNG କାର୍ଗୋ ଜାହାଜ, ଗାଁରେ ମନା ହେଲା ରୋଷେଇ

ଧାମରା: ଧାମରା ବନ୍ଦରରେ ଲାଗିଲା ପ୍ରଥମ ସିଏନଜି କାର୍ଗୋ ଜାହାଜ । ମିଲାହା ରାସ୍ ଲାଫନ୍ ନାମକ ଜାହାଜ ସିଏନଜି ନେଇ ପ୍ରଥମ ଥର ପାଇଁ ଧାମରା ବନ୍ଦରରେ ଲାଗିଛି । ଏହି ଜାହାଜଟି ୨୬ ମିଲିୟନ ପ୍ରାକୃତିକ ଫ୍ରୋଜନ୍ ଗ୍ୟାସ୍ ନେଇ ଧାମରା ବନ୍ଦରରେ ପହଞ୍ଚିଛି । ଧାମରା ବନ୍ଦରରେ ଏଲଏନଜି ଗ୍ୟାସ୍ ଆମଦାନୀ ଟର୍ମିନାଲ ନିର୍ମାଣ କାର୍ଯ୍ୟ ସରିଛି । ଏହି ଏଲଏନଜି ସାର କାରଖାନାରେ ବ୍ୟବହୃତ ହେବା ସହ ଏହି ଗ୍ୟାସକୁ ବିଶୋଧିତ କରାଯାଇ ପ୍ରାକୃତିକ ଗ୍ୟାସ୍ ଏବଂ ରୋଷେଇ ଗ୍ୟାସ୍ ମଧ୍ୟ ତିଆରି କରାଯାଇ ପାରିବ । ଏହି ଗ୍ୟାସ୍ ଟର୍ମିନାଲ ପ୍ରଥମେ ୨.୨ ମିଲିୟନ ଟନରୁ ୨.୩ ମିଲିୟନ ଟନ୍ କ୍ଷମତାରେ କାର୍ଯ୍ୟ କରିବା ପରେ ଏହା ୫ ମିଲିୟନ ଟନ୍‌ କ୍ଷମତାକୁ ବୃଦ୍ଧି କରାଯିବ। ଆସିଥିବା ଜାହାଜରେ ୧୩୫ ହଜାର ଘନ ମିଟର ଗ୍ୟାସ୍ କୋଲକାତାରୁ ମାର୍ଚ୍ଚ ୨୧ରେ ବୋଝେଇ ହୋଇ ଧାମରା ବନ୍ଦରରେ ଏପ୍ରିଲ ୨ ତାରିଖରେ ପହଞ୍ଚିଥିଲା ।

ଗେଲ୍ ଇଣ୍ଡିଆ ଏବଂ ଇଣ୍ଡିଆନ ଅଏଲ କର୍ପୋରେସନ ଏହି ଗ୍ୟାସ୍ ବୁକ୍ କରିଥିଲେ । ଏହି ଗ୍ୟାସ୍ ପହଞ୍ଚିବା ପରେ ଏହାକୁ ବିଶୋଧନ କରି ପୁନଃଗ୍ୟାସ୍ ପାଇପ୍ ଲାଇନ୍ ଯୋଗେ ଇସ୍ପାତ ଏବଂ ସାର କାରଖାନା ଯୋଗାଯିବ । ଧାମରା ବନ୍ଦରରେ ୨ଟି ଗ୍ୟାସ୍ ଷ୍ଟୋରେଜ ନିର୍ମାଣ ହୋଇଥିବା ବେଳେ, ଏହାର କ୍ଷମତା ୩୬୦ ହଜାର ଘନ ମିଟର । ଗ୍ୟାସ୍ ବୋଝେଇ ଜାହାଜ ଧାମରା ବନ୍ଦରରେ ପହଞ୍ଚିବା ପରେ ନିକଟ ଗ୍ରାମରେ ସତର୍କତା ପାଇଁ ରୋଷେଇ ନ କରିବାକୁ ସୂଚନା ଦିଆଯାଇଛି । ଧାମରା ବନ୍ଦର ପକ୍ଷରୁ ୫ ଦିନ ବ୍ୟାପୀ ରନ୍ଧା ଖାଦ୍ୟ ସମ୍ପୃକ୍ତ ଗ୍ରାମବାସୀଙ୍କୁ ଯୋଗାଇ ଦିଆଯିବ ।

ଝାରସୁଗୁଡ଼ାରେ ବଡ଼ ବିଜୟ ପାଇଁ ବିଜେଡିର ରଣନୀତି, ୩ ପର୍ଯ୍ୟବେକ୍ଷକ ନିଯୁକ୍ତି କଲା ବିଜେଡି

ଝାରସୁଗୁଡ଼ା: ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜୁ ଜନତା ଦଳ । ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର ଓ ସାରଦା ପ୍ରସାଦ ନାୟକଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି । ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ଏହି ୩ ବରିଷ୍ଠ ନେତାଙ୍କୁ ନିଯୁକ୍ତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଆସନ୍ତ ମେ’ ୧୦ରେ ଝାରସୁଗୁଡ଼ା ଉପନିର୍ବାଚନ ହେବାକୁ ଥିବାବେଳେ ମେ’ ୧୩ରେ ଭୋଟ୍ ଗଣତି ହେବ । ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଦୀପାଳି ଦାସଙ୍କୁ ପ୍ରାର୍ଥୀ କରିଛି ବିଜୁ ଜନତା ଦଳ ।

ଲାଉଡ ମ୍ୟୁଜିକ ବନ୍ଦ ପାଇଁ କହିବାରୁ ଗର୍ଭବତୀଙ୍କୁ ଗୁଳି ଅଭିଯୋଗ

ନୂଆଦିଲ୍ଲୀ: ଲାଉଡ ମ୍ୟୁଜିକ ପାଇଁ ଗର୍ଭବତୀଙ୍କୁ ଗୁଳି କରାଯାଇଥିବା ଅଭିଯୋଗ। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗର୍ଭସ୍ଥ ଶିଶୁକୁ ହରାଇଲେ ମହିଳା। ଦିଲ୍ଲୀ ସମୟପୁର ବଦଲିରେ ଅଭାବନୀୟ ଘଟଣା। ଘଟଣାରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଲାଉଡ ମ୍ୟୁଜିକ ବନ୍ଦ କରିବାକୁ ଗର୍ଭବତୀ ଜଣଙ୍କ ତାଙ୍କ ପଡୋଶୀଙ୍କୁ କହିଥିଲେ। ଏ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଉତ୍ତ୍ୟକ୍ତ ହୋଇ ପଡୋଶୀ ହରିଶ କୁମାର ମହିଳାଙ୍କ ଉପରକୁ ଗୁଳି ଚଳାଇଥିଲେ। ଲାଇସେନ୍ସ ବିହିନ ଏକ ଦେଶୀ ବନ୍ଧୁକରୁ ହରିଶ ଗୁଳି ଚଳାଇଥିବା ପୋଲିସ କହିଛି । ମହିଳାଙ୍କ ବେକରେ ଗୁଳି ବାଜିଥିବା ବେଳେ ଗର୍ଭସ୍ଥ ଶିଶୁ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି । ଏବେ ମହିଳାଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି ।