spot_img
Home Blog Page 3297

ବିଶ୍ବରେ ବଢ଼ିଚାଲିଛି ମଶାଜନିତ ରୋଗ, ୧୨୯ଟି ରାଷ୍ଟ୍ର ଲାଗି ଡେଙ୍ଗୁ ଓ ଚିକୁନଗୁନିଆ ସୃଷ୍ଟି କରିବ ବିପଦ

ନୂଆଦିଲ୍ଲୀ: ସାରା ବିଶ୍ୱରେ ଦ୍ରୁତଗତିରେ ବଢ଼ିଚାଲିଛି ମଶାଜନିତ ରୋଗ । ପ୍ରାୟ ୧୨୯ଟି ରାଷ୍ଟ୍ର ଲାଗି ଡେଙ୍ଗୁ ଓ ଚିକୁନଗୁନିଆ ବିପଦ ସୃଷ୍ଟି କରିବ ବୋଲି ସତର୍କ କରାଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ଏହା ସହ ଜଳବାୟୁ ପରିବର୍ତ୍ତନ ଯୋଗୁ ମଶାଜନିତ ରୋଗ ବଢ଼ିବାରେ ଲାଗିଛି ବୋଲି କହିଛି ସଂଗଠନ । କେବଳ ଡେଙ୍ଗୁ ଓ ଚିକୁନଗୁନିଆ ନୁହେଁ, ଜିକା ଭାଇରସଜନିତ ରୋଗ ବି ମହାମାରୀ ଆକାର ଧାରଣ କରିପାରେ ବୋଲି ସତର୍କ କରିଛି WHO । ଏହି ତିନିଟିଯାକ ରୋଗ ମୁଖ୍ୟତଃ ଏଡିସ୍ ଏଗେପ୍ଟି ପ୍ରଜାତିର ମଶାଙ୍କ ଦ୍ବାରା ବ୍ୟାପିଥାଏ ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସଂଯୋଜକ ରମଣ ଭେଲାୟୁଧନ କହିଛନ୍ତି- ଆଗକୁ ମଶାଙ୍କୁ ନେଇ ବଡ଼ ବିପଦ ଆସୁଥିବାରୁ ଏଥିଲାଗି ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି । ବର୍ତ୍ତମାନ ବିଶ୍ବର ୧୦୦ଟି ରାଷ୍ଟ୍ରରେ ମଶାଜନିତ ବିଭିନ୍ନ ରୋଗ ଏଣ୍ଡେମିକ ପାଲଟିଯାଇଥିବାବେଳେ ୧୨୯ଟି ରାଷ୍ଟ୍ର ରିସ୍କ ଜୋନରେ ରହିଛନ୍ତି । ୨୦୦୦ ମସିହାରେ ପ୍ରାୟ ୫୦ ଲକ୍ଷ ଲୋକ ମଶାଜନିତ ରୋଗରେ ପୀଡ଼ିତ ଥିବାବେଳେ ୨୦୧୯ରେ ସେମାନଙ୍କ ସଂଖ୍ୟା ହୋଇଛି ପ୍ରାୟ ୫୨ ଲକ୍ଷ ।

 

ବଢ଼ିବ ୟୁକ୍ରେନ ବଳ, ପୋଲାଣ୍ଡ ଯୋଗାଇବ ମିଗ୍-୨୯ ଲଢୁଆ ବିମାନ

ନୂଆଦିଲ୍ଲୀ: ନାଟୋରେ ଫିନଲାଣ୍ଡ ସାମିଲ ହେବା ପରେ ଏବେ ୟୁକ୍ରେନକୁ ନେଇ ବଢିଛି ଟେନସନ । ୟୁକ୍ରେନକୁ ପୋଲାଣ୍ଡ ୧୪ଟି ମିଗ୍-୨୯ ଲଢୁଆ ବିମାନ ଯୋଗାଇବାକୁ ଘୋଷଣା କରିଛି । ଏହାକୁ ନେଇ ପୋଲାଣ୍ଡକୁ ଧନ୍ୟବାଦ ଜଣାଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ସେପଟେ ଯୁଦ୍ଧ ପ୍ରସଙ୍ଗରେ ଅଧିକ ଉତ୍ତେଜନା ସୃଷ୍ଟି କରାଯାଉଥିବାକୁ ନେଇ ଆମେରିକା ଓ ୟୁରୋପୀୟ ୟୁନିଅନକୁ ଦୋଷ ଦେଇଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ପୋଲାଣ୍ଡ ଗସ୍ତରେ ଯାଇ ସେ ପୋଲାଣ୍ଡ ରାଷ୍ଟ୍ରପତି ଆନ୍ଦ୍ରେଜ ଡୁଡାଙ୍କୁ ସାକ୍ଷାତ କରିବା ସହ ସମର୍ଥନ ଯୋଗାଡ଼ କରିଛନ୍ତି । ସେଠାରେ ପୋଲାଣ୍ଡ ଫାଷ୍ଟଲେଡି ଆଗାଟା କର୍ଣ୍ଣହସରଙ୍କୁ ବି ସାକ୍ଷାତ କରିଥିଲେ ୟୁକ୍ରେନ ଫାଷ୍ଟଲେଡି ଓଲେନା ଜେଲେନସ୍କା ।

ଯୁଦ୍ଧ ଆରମ୍ଭ ପରଠାରୁ ୟୁକ୍ରେନକୁ ପୋଲାଣ୍ଡ ସମର୍ଥନ ଜଣାଇ ଆସୁଥିବାବେଳେ ଯୁଦ୍ଧ ବିମାନ ଯୋଗାଇବା ଲାଗି ଘୋଷଣା କରିଛି । ସହଯୋଗ ପ୍ରସଙ୍ଗରେ ଜେଲେନସ୍କି କହିଛନ୍ତି- ୟୁକ୍ରେନକୁ ସର୍ବଦା ପୋଲାଣ୍ଡ ସହାୟତାର ହାତ ବଢାଇଛି ଏବଂ ୟୁକ୍ରେନକୁ ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ସହଯୋଗ କ୍ଷେତ୍ରରେ ପୋଲାଣ୍ଡ ପ୍ରମୁଖ ଭୂମିକା ଗ୍ରହଣ କରୁଛି । ସେପଟେ ଦୋନେସ୍କରେ ଗୋଳା ଆକ୍ରମଣରେ ୩ ଜଣ ପ୍ରାଣ ହରାଇଛନ୍ତି । ଏହା ସହ ଜାପୋରିଜିୟା ଆଣବିକ ପ୍ଲାଣ୍ଟ ନିକଟରେ ୟୁକ୍ରେନର ଏକ ଡ୍ରୋନ କ୍ରାସ ହୋଇଥିବା ସୂଚନା ମିଳିଛି ।

ମୁଦ୍ରାନୀତି ଘୋଷଣା କଲା RBI, ରେପୋରେଟ ୬.୫ ପ୍ରତିଶତରେ ଅପରିବର୍ତ୍ତିତ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ଘୋଷିତ । ରେପୋରେଟ ୬ ଦଶମିକ ୫ ପ୍ରତିଶତରେ ରହିଲା ଅପରିବର୍ତ୍ତିତ । ଗତବର୍ଷ ମେ ମାସ ପର ଠାରୁ ୬ ଥର ରେପୋରେଟ ବୃଦ୍ଧି ପରେ ଚଳିତ ଥର ଏହି ହାର ରହିଛି ଅପରିବର୍ତ୍ତିତ । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି- ମୁଦ୍ରାନୀତି ନେଇ ବସିଥିବା ମନିଟାରୀ ପଲିସି କମିଟିର ବୈଠକରେ ରେପୋରେଟ ଅପରିବର୍ତ୍ତିତ ରଖିବା ଲାଗି ନିଷ୍ପତ୍ତି ନିଆଯାଇଛି ।

ଦେଶରେ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବା ଲାଗି ଗତବର୍ଷ ମେ ମାସ ଠାରୁ ଆରବିଆଇ ଲଗାତର ରେପୋରେଟ ବୃଦ୍ଧି ଜାରି ରଖିଥିଲେ । ୨୦୨୪ ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି ହାର ୫ ଦଶମିକ ୨ ପ୍ରତିଶତ ରହିବା ଲାଗି ଆରବିଆଇ ଆକଳନ କରିଛି । ଏହାସହ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସିକିରେ ଏହି ହାର ୫ ଦଶମିକ ୧ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି ।

ରାଜସ୍ବବର୍ଷ ୨୦୨୪ ଲାଗି ଜିଡିପି ଅଭିବୃଦ୍ଧି ହାର ୬ ଦଶମିକ ୫ ପ୍ରତିଶତ ରଖିଛନ୍ତି ରିଜର୍ଭ ବ୍ୟାଙ୍କ । ବ୍ୟାଙ୍କକୁ ଯେଉଁହାରରେ ରିଜର୍ଭ ବ୍ୟାଙ୍କ ଋଣ ଦିଏ ତାହାକୁ କୁହାଯାଇଥାଏ ରେପୋରେଟ । ଯଦି ରେପୋରେଟରେ ସାମାନ୍ୟ ପରିବର୍ତ୍ତନ ହେବ ତେବେ ତାହା ବ୍ୟାଙ୍କ ଲୋନ ଓ ଇଏମଆଇକୁ ପ୍ରଭାବିତ କରିଥାଏ ।

IPL ୨୦୨୩: ଆଜି ଇଡେନ ଗାର୍ଡେନରେ କୋଲକାତାକୁ ଭେଟିବ ବାଙ୍ଗାଲୋର

କୋଲକାତା: ଆଜି ଆଇପିଏଲର ନବମ ମ୍ୟାଚରେ ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । କୋଲକାତାର ଇଡେନ ଗାର୍ଡେନରେ ଖେଳାଯିବ ଏହି ମ୍ୟାଚ୍ । ଘରୋଇ ସମର୍ଥକଙ୍କ ଗହଣରେ ପ୍ରଥମ ବିଜୟ ଲକ୍ଷ୍ୟରେ ଆଜି ପଡ଼ିଆକୁ ଓହ୍ଲାଇବ କେକେଆର ।

ଚଳିତ ଆଇପିଏଲରେ କୋଲକାତା ତା’ର ପ୍ରଥମ ମ୍ୟାଚ୍ ମୋହାଲିରେ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଖେଳିଥିଲା । କିନ୍ତୁ ଏହି ମ୍ୟାଚରେ ଡକ୍ ଓ୍ୱାର୍ଡ ଲୁଇସ୍ ମେଥଡରେ କୋଲକାତା ୭ ରନରେ ପରାଜୟ ବରଣ କରିଥିଲା । ତେଣୁ ଆଜି ହୋମ୍ ଗ୍ରାଉଣ୍ଡରୁ ବିଜୟ ଅଭିଯାନ ଆରମ୍ଭ କରିବାକୁ ଚେଷ୍ଟା କରିବ କେକେଆର । ଅନ୍ୟପକ୍ଷରେ କେକେଆରକୁ ଘାରିଛି ଆହତ ଚିନ୍ତା । ଦଳର ଏକାଧିକ ଖେଳାଳି ଆହତ କାରଣରୁ ଚଳିତ ସିଜିନରୁ ବାଦ୍ ପଡ଼ିଛନ୍ତ । କେକେଆର ଅଧିନାୟକ ଶ୍ରେୟସ ଆୟର ଆହତ କାରଣରୁ ପୂରା ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଥିବାବେଳେ ଶାକିବ ଉଲ୍ ହାସନ ମଧ୍ୟ ଚଳିତ ଆଇପିଏଲରୁ ବାଦ୍ ପଡ଼ିଛନ୍ତି । ସେହିପରି ଲୋକି ଫର୍ଗୁସନ୍ ମଧ୍ୟ ଏପର୍ଯ୍ୟନ୍ତ ଫିଟ୍ ହୋଇନଥିବାବେଳେ ଲିଟନ୍ ଦାସ ମଧ୍ୟ ଦଳରେ ଯୋଗ ଦେଇନାହାନ୍ତି । ଯାହାକି କୋଲକାତାର ଚିନ୍ତାର ବିଷୟ ପାଲଟିଛି ।

ସେହିପରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କଥା ଯଦି କହିବା ତାହାଲେ ଆରସିବି ତା’ର ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି । ପ୍ରଥମ ମ୍ୟାଚରେ ବିଜୟ ସହ ଆରସିବିର ମନବୋଳ ସୁଦୃଢ଼ ରହିଛି । ଆହତ କାରଣରୁ ମଧ୍ୟ ଆରସିବିର ଏକାଧିକ ଖେଳାଳି ଚୁଡ଼ାନ୍ତ ଏକାଦଶରୁ ବାଦ୍ ପଡ଼ିଛନ୍ତି । ଷ୍ଟାର ବ୍ୟାଟ୍ସମ୍ୟାନ ରଜତ ପଟିଦାର ଆହତ କାରଣରୁ ପୂରା ଆଇପିଏଲରୁ ବାଦ୍ ପଡ଼ିଥିବାବେଳେ ଆର ଟୋପଲେ ମଧ୍ୟ ପ୍ରଥମ ମ୍ୟାଚରେ ଆହତ ହୋଇଛନ୍ତି । ସେହିପରି ଜୋଶ୍ ହେଜେଲଉଡ୍ ଓ ହସରଙ୍ଗା ମଧ୍ୟ ଏପର୍ଯ୍ୟନ୍ତ ଦଳରେ ଯୋଗ ଦେଇନାହାନ୍ତି । ଯାହା ଦଳର ଚିନ୍ତା ବଢ଼ାଇଛି । କିନ୍ତୁ ଆଶ୍ୱସ୍ତିକର କଥା ହେଉଛି ଆରସିବିର ସବୁ ବ୍ୟାଟ୍ସମ୍ୟାନ୍ ଦମଦାର ଫର୍ମରେ ରହିଛନ୍ତି । ତେଣୁ ଆଜିର ମ୍ୟାଚରେ କୋଲକାତାକୁ ମାତ୍ ଦେଇ ଲାଗାତର ଦ୍ୱିତୀୟ ବିଜୟ ହାସଲ କରିବାକୁ ଲକ୍ଷ୍ୟ ରଖିଛି ଆରସିବି ।

 

ସଂସ୍କୃତକୁ ୬୪୦ କୋଟି ଓଡିଆକୁ ଶୂନ, ଅନ୍ୟାୟ ବରଦାସ୍ତ କରାଯିବନି କହିଲେ ସାଂସଦ

ନୂଆଦିଲ୍ଲୀ: ଭାରତର ୬ଟି ଶାସ୍ତ୍ରୀୟ ଭାଷା ମଧ୍ୟରୁ ଓଡିଆ ଭାଷାକୁ ଅଣଦେଖା କରୁଛି କେନ୍ଦ୍ର । କଂଗ୍ରେସ ସାଂସଦ ଜୟରାମ ରମେଶ ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠାଇବା ପରେ ତାତିଛି ବିଜେଡି  । କଂଗ୍ରେସ ପ୍ରସଙ୍ଗକୁ ସମର୍ଥନ କରି ଟ୍ବିଟ କରିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ  । ‘ରାଜ୍ୟବାସୀ କେନ୍ଦ୍ରର ଅନ୍ୟାୟକୁ ବରଦାସ୍ତ କରିବେ ତ ? ଏଭଳି ଅପମାନ ଗ୍ରହଣଯୋଗ୍ୟ ତ ? ସତରେ କଣ ଓଡିଆ ଓ  ଓଡିଶା ପ୍ରତି କେନ୍ଦ୍ରର ଏହି ପ୍ରିତି ରହିଛି’ ବୋଲି ଟ୍ବିଟ କରିଛନ୍ତି ବିଜେଡି ସାଂସଦ  ।

ଭାଷାପ୍ରିତିକୁ ନେଇ କେନ୍ଦ୍ର ଅବହେଳା କରୁଥିବା ଅଭିଯୋଗ କରିଛନ୍ତି ଜୟରାମ ରମେଶ  । ଗତ ତିନି ବର୍ଷ ମଧ୍ୟରେ ମୋଦି ସରକାର ସଂସ୍କୃତ ଭାଷା ପାଇଁ ୬୪୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି  । ସେହିପରି ତାମିଲ ପାଇଁ ୨୪ କୋଟି, ତେଲୁଗୁ ପାଇଁ ୩ କୋଟି ଓ କନ୍ନଡ ପାଇଁ ୩ କୋଟି ଖର୍ଚ୍ଚ କରିଛନ୍ତି କେନ୍ଦ୍ର ସରକାର  । କିନ୍ତୁ ମାଲାୟାଲମ ଓ ଓଡିଆ ପାଇଁ ଗୋଟିଏ ବି ଟଙ୍କା ବ୍ୟୟବରାଦ କରି ନାହାନ୍ତି ମୋଦି ସରକାର  ।

ଦେଶରେ ପ୍ରାୟ ୧୫ ହଜାର ଲୋକେ ସଂସ୍କୃତ ଭାଷାରେ କଥାବାର୍ତ୍ତା କରୁଥିବା ବେଳେ ଅନ୍ୟାନ୍ୟ ଶାସ୍ତ୍ରୀୟ ଭାଷା ଗୁଡିକ ଅଧିକାଂଶ ରାଜ୍ୟର ଆଞ୍ଚଳିକ ଭାଷା  । ହେଲେ କେନ୍ଦ୍ର ସରକାରଙ୍କ ଏଭଳି ପକ୍ଷପାତିତାକୁ ନେଇ ପ୍ରଶ୍ନ କରିଛନ୍ତି ଜୟରାମ ରମେଶ  ।

୮ କୋଟି ଟଙ୍କା ଋଣ ଜାଲିଆତି ଅଭିଯୋଗରେ SBI ଡେପୁଟି ମ୍ୟାନେଜର ଗିରଫ

ଫୁଲବାଣୀ: EOW ଜାଲରେ SBIର ଡେପୁଟି ମ୍ୟାନେଜର । ଫୁଲବାଣୀ ବ୍ରାଞ୍ଚର ଡେପୁଟି ମ୍ୟାନେଜର ଆଶୁତୋଷ ଆଚାର୍ଯ୍ୟ ଗିରଫ। କେସ ନମ୍ବର ୧୪, ଦଫା ୪୦୯, ୪୨୦, ୪୬୭, ୪୬୮,୪୭୧ ଓ ୧୨୦ B ରେ ଗିରଫ ହୋଇଛନ୍ତି ଆଶୁତୋଷ । ଏ ନେଇ EOWରେ ଅଭିଯୋଗ କରିଥିଲେ ବ୍ୟାଙ୍କର ରିଜିଓନାଲ ମ୍ୟାନେଜର । ଏକ୍ସପ୍ରେସ କ୍ରେଡିଟ୍ ଲୋନ୍ ଦେବା ନାଁରେ ୮କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି ।

ଫର୍ଜି କାଗଜପତ୍ର ଜରିଆରେ ୫୯ ଜଣଙ୍କୁ ଋଣ ଦେଇଥିବା ନେଇ ଅଭିଯୋଗ ହୋଇଥିଲା । ୨୦୨୧ ସେପ୍ଟେମ୍ବରରୁ ୨୦୨୨ ସେପ୍ଟେମ୍ବର ମଧ୍ୟରେ ଠକେଇର ବ୍ଲୁ ପ୍ରିଣ୍ଟ ତିଆରି ହୋଇଥିଲା  । ଅଭିଯୁକ୍ତ ଡେପୁଟି ମ୍ୟାନେଜରଙ୍କ ଅନୁମୋଦନ କ୍ରମେ ଭୁଲ ଲୋକଙ୍କୁ ଲୋନ୍‌ ଦିଆଯାଇଥିଲା ।

ବନ୍ଧୁକ ଦେଖାଇ ବ୍ୟାଙ୍କରେ ଲୁଟ ଉଦ୍ୟମ, ସାଇରନ ବାଜିବାରୁ ଲୁଟେରା ଫେରାର

ଭୁବନେଶ୍ବର: ସିସିଟିଭିରେ କଏଦ ହେଲା ଲୁଟ୍ ଉଦ୍ୟମର LIVE ଭିଜୁଆଲ । ବାରଙ୍ଗ ଥାନା ଫକୀରପଡ଼ାରେ ICICI ବ୍ୟାଙ୍କରୁ ବନ୍ଧୁକ ମୁନରେ ଲୁଟ ଉଦ୍ୟମ ବିଫଳ ହୋଇଛି । ବନ୍ଧୁକ ଦେଖାଇ ଲୁଟ ଉଦ୍ୟମ ସମୟର ଚିତ୍ର ସିସିଟିଭିରେ କଏଦ ହୋଇଛି। ଆଜି ସକାଳ ୯ଟା ୫୦ରେ ବ୍ୟାଙ୍କ କର୍ମଚାରୀମାନେ କାର୍ଯ୍ୟରେ ଯୋଗଦେବା ବେଳେ ୩ ଜଣ ଅଜଣା ଯୁବକ ହେଲମେଣ୍ଟ ପିନ୍ଧି ବ୍ୟାଙ୍କ ଭିତରେ ପଶିଥିଲେ ।

ବନ୍ଧୁକ ଓ ଛୁରୀ ଦେଖାଇ ବ୍ୟାଙ୍କ କର୍ମଚାରୀଙ୍କୁ ଭୟଭୀତ କରି ଟଙ୍କା କେଉଁଠି ଅଛି ପଚାରିଥିଲେ । ଠିକ ସେହି ସମୟରେ କର୍ମଚାରୀ ବ୍ୟାଙ୍କର ସତର୍କ ଘଣ୍ଟି ବଜାଇଥିଲେ । ସଙ୍ଗେ ସଙ୍ଗେ ୩ ଜଣ ଲୁଟେରା ଭୟଭୀତ ହୋଇ ବ୍ୟାଙ୍କ ଛାଡ଼ି ପଳାଇଯାଇଥିଲେ । ଖବର ପାଇ ବାରଙ୍ଗ ପୋଲିସ ପହଁଚି ସିସିଟିଭି ଯାଞ୍ଚ କରିବା ସହ ତଦନ୍ତ କରୁଛି ।

ରାଜ୍ୟର ସବୁ ଜିଲ୍ଲାରେ ନିଯୁକ୍ତି ପାଇବେ PD DUDA, ଅବସରପ୍ରାପ୍ତ ଅଧିକାରୀଙ୍କୁ ସୁଯୋଗ

ଭୁବନେଶ୍ବର: ଏଣିକି ରାଜ୍ୟର ସବୁ ଜିଲ୍ଲାରେ ନିଯୁକ୍ତି ପାଇବେ PD DUDA। ଦିନକୁ ଦିନ ସହରାଞ୍ଚଳ ବୃଦ୍ଧି ପାଉଥିବାରୁ ଏହାର ବିଭିନ୍ନ କାର୍ଯ୍ୟ ତଦାରଖ ଓ ପରିଚାଳନା କରିବେ PD DUDA ବା ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ। ପୂର୍ବରୁ ଏହି ଦାୟିତ୍ୱ ପ୍ରକଳ୍ପ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାଙ୍କୁ ଦିଆଯାଇଥିଲା।

ଏନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦବୀରେ ବିଭିନ୍ନ ବିଭାଗର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ ।

ଶେଷଦିନରେ ଲୋକସଭା ସାଇନ-ଏ-ଡାଏ, ତ୍ରିରଙ୍ଗା ମାର୍ଚ୍ଚ କରିବେ ବିରୋଧୀ

ନୂଆଦିଲ୍ଲୀ: ଆଜି ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନର ଶେଷ ଦିନ । ଦ୍ବିତୀୟ ପର୍ଯ୍ୟାୟରେ ଦିନ ଟିଏ ବି ଚାଲିପାରିଲାନି ଲୋକସଭା । ଶେଷ ଦିନରେ ବି ହଙ୍ଗାମା ଯୋଗୁଁ ଲୋକସଭାକୁ ସାଇନ-ଏ-ଡାଏ ଘୋଷଣା କରିଛନ୍ତି ବାଚସ୍ପତି । ରାଜ୍ୟସଭାକୁ ଦିନ ୨ଟା ଯାଏଁ ମୁଲତବି କରିଦିଆଯାଇଛି । ପାର୍ଲାମେଣ୍ଟରେ ଦିନଟିଏ ବି ଗୃହକାର୍ଯ୍ୟ ସ୍ବାଭାବିକ ହୋଇ ନଥିବା ବେଳେ ଏ ନେଇ ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି ବିରୋଧୀ ।

ସରକାରଙ୍କ ଅହଂକାର ଯୋଗୁଁ ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନରେ ଆଦୌ ଗୃହ ଚାଲିପାରି ନଥିବା ବେଳେ ଆଜି ଏ ନେଇ ତ୍ରିରଙ୍ଗା ମାର୍ଚ୍ଚ କରିବେ ବିରୋଧୀ । ଜାଣିଶୁଣି ବିଜେପି ସାଂସଦ ଗୃହ ଚଳାଇ ଦେଇ ନଥିବା ବେଳେ ଅପ୍ରସଙ୍ଗକୁ ପ୍ରସଙ୍ଗ କରି ବିଜେପି ସଂସଦର ମର୍ଯ୍ୟାଦା ହାନି କରିଛି ବୋଲି କଂଗ୍ରେସ କହିଛି । ସଂସଦ ପରିସରରୁ ବିଜୟ ଚୌକ ପର୍ଯ୍ୟନ୍ତ ତ୍ରିରଙ୍ଗା ରାଲି କରିବେ ବିରୋଧୀ ।

ବିଜୟ ଚୌକରେ ବିରୋଧୀ ସାଂସଦ ପ୍ରେସମିଟ କରିବେ ବୋଲି କଂଗ୍ରେସ ଅଧ୍ୟକ୍ଷ ତଥା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି । ଆଜି ଉଭୟ ଗୃହ ମୁଲତବୀ ହେବା ପରେ ତ୍ରିରଙ୍ଗା ମାର୍ଚ୍ଚ କରାଯିବ ବୋଲି ବରିଷ୍ଠ କଂଗ୍ରେସ ନେତା କେ ସି ବେଣୁଗୋପାଳ କହିଛନ୍ତି । ବିରୋଧୀ ଆଦାନୀ ପ୍ରସଙ୍ଗରେ ଆଲୋଚନା ଚାହୁଁଥିବା ବେଳେ ସରକାର ଏହାର ବିରୋଧ କରି ଗୃହ ଚଳାଇ ନଦେବା ନିନ୍ଦନୀୟ । ଜନତାଙ୍କୁ ଏ ସମ୍ପର୍କରେ ଅବଗତ କରିବାକୁ ତ୍ରିରଙ୍ଗା ଯାତ୍ରା କରିବେ ବିରୋଧୀ ।

ଗତକାଲି ଏ ନେଇ ପାର୍ଲାମେଣ୍ଟରେ ବିରୋଧୀ ଦଳ ନେତାଙ୍କ କାର୍ଯ୍ୟାଳୟରେ ରଣନୀତି ପ୍ରସ୍ତୁତ ହୋଇଛି । ଆଜି ମାର୍ଚ୍ଚରେ କଂଗ୍ରେସ ସମେତ ଡିଏମକେ, ଶିବସେନା, ଟିଏମସି, ଆପ୍, ଜେଡିୟୁ, ସିପିଆଇ, ଆରଜେଡି ଆଦି ଦଳର ସାଂସଦ ସାମିଲ ହେବେ ।

ହନୁମାନ ଜୟନ୍ତୀ ପାଇଁ ହାଇଆଲର୍ଟ, ଉତ୍ତର ଭାରତରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ

ନୂଆଦିଲ୍ଲୀ: ହନୁମାନ ଜୟନ୍ତୀ ପାଇଁ ହାଇଆଲର୍ଟ । ରାମନବମୀ ଅବସରରେ ବିଭିନ୍ନ ରାଜ୍ୟରେ ହୋଇଥିବା ସାମ୍ପ୍ରଦାୟିକ ହିଂସାକୁ ଦୃଷ୍ଟିରେ ରଖି ହିଂସା ଉପୁଜିବା ଆଶଙ୍କାରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି । ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ପରେ ପୋଲିସ ଆଲର୍ଟରେ ରହିଛି । ଗତବର୍ଷ ଉତ୍ତର ଦିଲ୍ଲୀର ଜାହାଙ୍ଗିରପୁରୀ ଅଞ୍ଚଳରେ ବ୍ୟାପକ ହିଂସା ସୃଷ୍ଟି ହୋଇଥିବା ବେଳେ ଚଳିତବର୍ଷ ପୋଲିସ ସଜାଗ ରହିଛି ।

ହନୁମାନ ଜୟନ୍ତୀ ପ୍ରୋସେସନ ପାଇଁ ପ୍ରଶାସନ ଅନୁମତି ଦେଇଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସେପଟେ ଉତ୍ତରାଖଣ୍ଡରେ ବି ହନୁମାନ ଜୟନ୍ତୀ ପାଇଁ ସୁରକ୍ଷା ବ୍ୟବସ୍ଥା ଉପରେ ସ୍ବତନ୍ତ୍ର ନଜର ରଖିଛି ପୋଲିସ । ସମ୍ବେଦନଶୀଳ ଅଞ୍ଚଳରେ ବରିଷ୍ଠ ଅଧିକାରୀଙ୍କ ସମେତ ଫୋର୍ସ ମୁତୟନ ହୋଇଛନ୍ତି । ବିହାର ପାଟନାରେ ହନୁମାନ ଜୟନ୍ତୀ ଉପଲକ୍ଷେ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି ।

ମନ୍ଦିର ବାହାର ଓ ଆଖାପଖରେ ଶାନ୍ତିଶୃଙ୍ଖଳା ରକ୍ଷା ଓ ଆଇନଶୃଙ୍ଖଳନା ଉପରେ କଡ଼ା ନଜର ରଖାଯାଇଛି । ରାମନବମୀରେ ପଶ୍ଚିମବଙ୍ଗରେ ସାମ୍ପ୍ରଦାୟିକ ହିଂସା ଉଗ୍ର ରୂପ ଧାରଣ କରିଥିବା ବେଳେ ହନୁମାନ ଜୟନ୍ତୀରେ ପୋଲିସ ଆଲର୍ଟରେ ରହିଛି । ଦଙ୍ଗା ପାଇଁ ଉସୁକାଇବା ବା ସୃଷ୍ଟିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି ।