ପୋଲିସ ଏସ୍ଆଇ ନିଯୁକ୍ତି କେଳେଙ୍କାରୀ ମାମଲା । ସିବିଆଇ କାର୍ଯ୍ୟାଳୟରେ ହାଜର ହେଲେ ୩ ପରୀକ୍ଷାର୍ଥୀ । ଆଜି ଦିନ ପ୍ରାୟ ୧୧ଟା ୧୫ ରେ ୩ ଜଣ ପରୀକ୍ଷାର୍ଥୀ ଭୁବନେଶ୍ୱର କାର୍ଯ୍ୟାଳୟରେ କିଛି କାଗଜପତ୍ର ସହ ହାଜର ହୋଇଛନ୍ତି। ପୂର୍ବରୁ ୧୦ ପରୀକ୍ଷାର୍ଥୀଙ୍କୁ ମୁହାଁମୁହିଁ ଜେରା କରିଛି ସିବିଆଇ । ପୋଲିସ ଏସ୍ଆଇ ପରୀକ୍ଷା ପରିଚାଳନା ଲାଗି କୋଲକାତାର ଆଇଟିଆଇ ସଂସ୍ଥାକୁ ଟେଣ୍ଡର ମିଳିଥିଲା। ପରେ ଏହି ସଂସ୍ଥା ହାଇଦ୍ରାବାଦର ସିଲିକନ୍ ଟେକ୍ଲାବ୍ ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥାକୁ ଦାୟିତ୍ବ ନ୍ୟସ୍ତ କରିଥିଲା। ସିଲିକନ୍ ଏହାକୁ ସବ୍ଲେଟ୍ରେ ବ୍ରହ୍ମପୁରର ପଞ୍ଚସଫ୍ଟକୁ ଦେଇଥିଲା। ସେଣ୍ଟର ତଦାରଖ ଠାରୁ ଆରମ୍ଭ କରି ପରୀକ୍ଷା ପରିଚାଳନା ପର୍ଯ୍ୟନ୍ତ ସମସ୍ତ ଦାୟିତ୍ବ ପଞ୍ଚସଫ୍ଟକୁ ମିଳିଥିଲା। ପଞ୍ଚସଫ୍ଟକୁ ଦାୟିତ୍ବ ମିଳିବା ପରେ ସଂସ୍ଥାର ନିର୍ଦ୍ଦେଶକ ଶଙ୍କର ପୃଷ୍ଟି କେଳେଙ୍କାରୀ ଯୋଜନା କରିଥିଲେ। ଏହି ଅପରାଧ ସିଣ୍ଡିକେଟ୍ରେ ଦକ୍ଷିଣ ଓଡ଼ିଶାକୁ ମୁନା ମହାନ୍ତି ଓ ଉତ୍ତର ଓଡ଼ିଶାକୁ ଅରବିନ୍ଦ ଦାସ ସମ୍ଭାଳୁଥିଲା। ଏମାନଙ୍କ ଅଧୀନରେ ୧୦ ଜଣ ଲେଖାଏଁ ଏଜେଣ୍ଟ ଥିଲେ। ସେମାନେ ଆଶାୟୀ ପ୍ରାର୍ଥୀଙ୍କୁ ଯୋଗାଡ଼ କରୁଥିଲେ। ଆଶାୟୀଙ୍କଠାରୁ ମୁନା ଆଗୁଆ ମୂଳ ପ୍ରମାଣପତ୍ର ହାତେଇବା ସହ ଶଙ୍କର ସହ ଯୋଗାଯୋଗ କରି ଏହାକୁ ସେ ହାଇଦ୍ରାବାଦ ସଂସ୍ଥା ପାଖକୁ ପଠାଉଥିଲା। ମୁନା ୧୧୪ ଜଣ ଆଶାୟୀଙ୍କଠାରୁ କୋଟି କୋଟି ଟଙ୍କା ଆଦାୟ ପରେ ସେମାନଙ୍କୁ ହାଇଦ୍ରାବାଦର ଏକ ସଂସ୍ଥାରେ ପ୍ରଶ୍ନପତ୍ର ସମ୍ପର୍କରେ ତାଲିମ ଦେଇଥାନ୍ତା। ଜେରା ବେଳେ ଏଭଳି କିଛି ତଥ୍ୟ ପାଇଛି ସିବିଆଇ ।
ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ସୂର୍ଯ୍ୟକାନ୍ତ
ନନ୍ଦିଘୋଷ ବ୍ୟୁରୋ:ଦେଶର ୫୩ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ସୂର୍ଯ୍ୟ କାନ୍ତ। ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ତାଙ୍କୁ ଶପଥ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ବହୁ ଗୁରୁତ୍ବପୂର୍ଣ୍ଣ ସାମ୍ବିଧାନିକ ତଥା ନାଗରିକ ଅଧିକାର ସଂକ୍ରାନ୍ତ ରାୟ ଦେଇ ଚର୍ଚ୍ଚାରେ ଅଛନ୍ତି ଜଷ୍ଟିସ ସୂର୍ଯ୍ଯ କାନ୍ତ। ଜଷ୍ଟିସ ବି.ଆର. ଗଭାଇଙ୍କ ପରେ ଦାୟିତ୍ବ ନେଇଛନ୍ତି ଜଷ୍ଟିସ ସୂର୍ଯ୍ୟ କାନ୍ତ। ପରବର୍ତ୍ତୀ ସିଜେଆଇ ହେବା ଲାଗି ଗତ ଅକ୍ଟୋବର ୩୦ରେ ତାଙ୍କ ନାଁ ଘୋଷଣା କରାଯାଇଥିଲା। ଆସନ୍ତା ୧୫ ମାସ ଅର୍ଥାତ ୨୦୨୭ ଫେବ୍ରୁଆରୀ ୯ ଯାଏ ସେ ଦାୟିତ୍ବରେ ରହିବେ। ଉତ୍ସବରେ କେନିୟା, ମାଲେସିଆ, ମରିସସ୍, ନେପାଳ ଓ ଶ୍ରୀଲଙ୍କାର ମୁଖ୍ୟ ନ୍ୟାୟାଧୀଶ ଯୋଗ ଦେଇଥିଲେ।
ହରିଆଣାର ହିସାର ଜିଲ୍ଲାରେ ଗତ ୧୯୬୨ ଫେବ୍ରୁଆରୀ ୧୦ରେ ଜନ୍ମଗ୍ରହଣ କରିଥିଲେ ଜଷ୍ଟିସ ସୂର୍ଯ୍ଯ କାନ୍ତ। ଏକ ସାଧାରଣ ପରିବାରରୁ ଦେଶର ସର୍ବୋଚ୍ଚ ବିଚାର ବିଭାଗୀୟ ସ୍ତରକୁ ଯିବାରେ ଦୀର୍ଘ ସଂଗ୍ରାମ କରିଛନ୍ତି ଜଷ୍ଟିସ ସୂର୍ଯ୍ଯ କାନ୍ତ। ପ୍ରଥମେ ସେ ହିସାରରେ ଜଣେ ଆଇନଜୀବୀ ଭାବେ କାର୍ଯ୍ଯ କରିଥିଲେ। ପରେ ସେ ପଞ୍ଜାବ ଓ ହରିଆଣା ହାଇକୋର୍ଟରେ ଯୋଗଦେଇଥିଲେ। ୨୦୧୮ରେ ସେ ହୋଇଥିଲେ ହିମାଚଳ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି।
ପିତା ମଦନ ଗୋପାଳ ଶର୍ମା ଜଣେ ସଂସ୍କୃତ ଶିକ୍ଷକ ଥିଲେ । ୧୯୮୧ ମସିହାରେ ହିସାରର ସରକାରୀ ପୋଷ୍ଟ ଗ୍ରାଜୁଏଟ୍ କଲେଜରୁ ସ୍ନାତକ ଏବଂ ୧୯୮୪ ମସିହାରେ ରୋହତକର ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ୨୦୧୧ ମସିହାରେ କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ ।
ଭାରତୀୟ ନୌସେନାରେ ସାମିଲ ହେଲା ଆଇଏନଏସ ମାହେ
ନନ୍ଦଘୋଷ ବ୍ୟୁରୋ: ବଢ଼ିଲା ଭାରତୀୟ ନୌସେନା ବଳ। ନୌସେନାରେ ସାମିଲ ହେଲା ଆଇଏନଏସ ମାହେ। ଆତ୍ମନିର୍ଭର ଭାରତ ଯୋଜନାରେ କୋଚିନ ସିପୟାର୍ଡ ଲିମିଟେଡରେ ନିର୍ମିତ ଜାହାଜକୁ ମୁମ୍ବାଇରେ ଆୟୋଜିତ ଉତ୍ସବରେ ନୌସେନାରେ ସାମିଲ କରାଯାଇଛି। ଆଣ୍ଟିସବମେରିନ ୱାରଫେର ସାଲୋ ୱାଟର କ୍ରାଫ୍ଟ ବା ASW-SWC ସିରିଜର ଏହା ହେଉଛି ପଞ୍ଚମ ଜାହାଜ। ଏହି ଉତ୍ସବରେ ସାମିଲ ହୋଇଥିଲେ ଆର୍ମିଚିଫ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ, ଭାଇସ ଆଡମିରାଲ କ୍ରିଷ୍ଣା ସ୍ବାମିନାଥନଙ୍କ ସମେତ ବହୁ ପଦାଧିକାରୀ। ଏହି ବର୍ଗର ନୌଜାହାଜ ଅତି ଶକ୍ତିଶାଳୀ ହୋଇଥିବାବେଳେ ଲକ୍ଷ୍ୟଭେଦୀ ହମଲା ସାମର୍ଥ୍ୟ ହାସଲ କରିଛି। ବିଭିନ୍ନ ବୁଜ଼ାଜାହାଜକୁ ଏହା ଚିହ୍ନଟ କରି ଧ୍ବଂସ କରିବା ସହ ଉପକୂଳରେ ପାଟ୍ରୋଲିଂ କରିବାକୁ ସକ୍ଷମ ହୋଇଥାଏ. ଦେଶର ସାମୁଦ୍ରିକ ତଟବର୍ତ୍ତୀ ସୁରକ୍ଷାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହାର ଯନ୍ତ୍ରାଂଶର ୮୦ ପ୍ରତିଶତ ସ୍ବଦେଶୀ ନିର୍ମିତ। ବିଭିନ୍ନ ମିଶନରେ ଏହା ମୁତୟନ ହୋଇପାରିବ। ଜଳ ଭିତରେ ଶତ୍ରୁପକ୍ଷର ନଜର, ସର୍ଚ୍ଚ ଓ ରେସ୍କ୍ୟୁ ମିସନ, ମାଇନ ବିଛାଇବା, ପାଟ୍ରୋଲିଂ, ବୁଡାଜାହାଜ ବିଧ୍ବଂସୀ ଅପରେସନ ଆଦିରେ ଆଇଏନଏସ ମାହେ ଦେଖାଇପାରିବ ଦବଦବା। ଏହାର ବିସ୍ଥାପନ କ୍ଷମତା ୧୧୦୦ଟନ ଥିବାବେଳେ ଏହାର ଲମ୍ବ ୭୮ ମିଟର।
ହଷ୍ଟେଲରୁ ୩ ଛାତ୍ରୀ ନିଖୋଜ : ଜଣେ ନବମ ଶ୍ରେଣୀ ୨ ଜଣ ଦଶମ….
ନନ୍ଦିଘୋଷ ବ୍ୟୁରୋ: ସମ୍ବଲପୁର ବାମରା ବ୍ଲକ ଗୋବିନ୍ଦପୁରସ୍ଥିତ ସରକାରୀ ବାଳିକା ହଷ୍ଟେଲରୁ ୩ ଛାତ୍ରୀ ନିଖୋଜ । ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଅଭିଯୋଗ ଆଧାରରେ ତଦନ୍ତ କରୁଛି ଗୋବିନ୍ଦପୁର ପୋଲିସ । ହଷ୍ଟେଲରୁ ରବିବାର ଅପରାହ୍ନରେ ନବମ ଶ୍ରେଣୀର ୨ ଜଣ ଛାତ୍ରୀ ଓ ଦଶମ ଶ୍ରେଣୀର ଜଣେ ଛାତ୍ରୀ କାହାରିକୁ କିଛି ନଜଣାଇ ହଷ୍ଟେଲରୁ ଚାଲିଯାଇଥିବା ଅଭିଯୋଗ ହୋଇଛି । ହଷ୍ଟେଲ ୱାର୍ଡନଙ୍କ ଠାରୁ ସୂଚନା ପାଇ ନିଖୋଜ ଛାତ୍ରୀଙ୍କ ଅଭିଭାବକ ମାନେ ଗୋବିନ୍ଦପୁର ଥାନାରେ ଆସି ପହଞ୍ଚିଥିଲେ । ହଷ୍ଟେଲରେ ଛାତ୍ରୀଙ୍କ ସୁରକ୍ଷା ପାଇ ୱାର୍ଡେନ ନିଯୁକ୍ତ ଥିବା ସତ୍ତ୍ଵେ ଛାତ୍ରୀ କିପରି ବାହାରକୁ ଗଲେ ବୋଲି ପ୍ରଶ୍ନ କରିଛନ୍ତି ଅଭିଭାବକ । ଅନ୍ୟପଟେ ଥାନା ଅଧିକାରୀ ରାଜେନ୍ଦ୍ର କୁମାର ବେହେରା ଅଞ୍ଚଳରେ ଲାଗିଥିବା CC ଟିଭି ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛନ୍ତି ।
ପୋଲିସ କହି ଲୋକଙ୍କୁ ଠକୁଥିଲା, ବନ୍ଧାହେଲା…
ନନ୍ଦିଘୋଷ ବ୍ୟୁରୋ: ପୋଲିସ ବେଶରେ ଲୋକଙ୍କୁ ଠକୁଥିବା ଜଣେ ଯୁବକଙ୍କୁ ଗିରଫ କରିଛି ବ୍ରହ୍ମପୁର ପୋଲିସ। ଯୁବକଜଣକ ନକଲି ପୋଲିସ ସାଜି ବାଇକ ଚେକିଂ ନାଁରେ ଟଙ୍କା ସଂଗ୍ରହ କରୁଥିଲା। ରବିବାର ମଧ୍ୟ ସଦର ଥାନା ଅନ୍ତର୍ଗତ ବାଲିପଦରଠାରେ ବାଇକ ଚେକିଂ ଆଳରେ ଟଙ୍କା ସଂଗ୍ରହ କରୁଥିଲା। ହେଲେ ଏଠାରେ ତାଙ୍କୁ ଗିରଫ କରିବାରେ ସଫଳ ହୋଇଛି ବ୍ରହ୍ମପୁର ପୋଲିସ। ଗିରଫ ନକଲି ପୋଲିସର ନାଁ କେଦାର ନାଥ ସ୍ୱାଇଁ। ତା’ଠାରୁ ଗୋଟିଏ ଖେଳନା ପିସ୍ତଲ, ଗୋଟିଏ ଯୋଡ଼ା DMS ଜୋତା, ଗୋଟିଏ ଜଙ୍ଗଲ ପ୍ୟାଚ୍ ଡ୍ରେସ୍, ପାଉଚ୍ ସହ ଜଙ୍ଗଲ ପ୍ୟାଚ୍ ବେଲ୍ଟ, ଦୁଇଟି ପି-କ୍ୟାପ୍, ଗୋଟିଏ ଫାଇବର ଲାଠି ଜବତ ହୋଇଛି। ଏହା ସହ ମନୋଜ କୁମାର ସ୍ୱାଇଁ ଓଡ଼ିଶା ପୋଲିସ ଲେଖା ଥିବା ଏବଂ OP ଚିହ୍ନ ଥିବା ନାମ ଫଳକ, କଳା ରଙ୍ଗର ପୋଲିସ ବେଲ୍ଟ, ଆଧାର କାର୍ଡ, ପାନ କାର୍ଡ, ମୋବାଇଲ୍ ଫୋନ୍, ପୋଲିସ ପୋଷାକରେ କେଦାରନାଥ ସ୍ୱାଇଁଙ୍କ ଫଟୋଗ୍ରାଫ, ଗୋଟିଏ SBI ପାସବୁକ୍ ଆଦି ଜବତ ହୋଇଛି। ଘଟଣାର ଅଧିକ ତଦନ୍ତ ଚାଲିଥିବା ନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ୍ପି।
ଆମେରିକାରେ ଜୋର ଧରିଲା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ବିରୋଧୀ ଆନ୍ଦୋଳନ
ନନ୍ଦିଘୋଷ ବ୍ୟୁରୋ: ଆମେରିକାରେ ଜୋର ଧରିଲା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ବିରୋଧୀ ଆନ୍ଦୋଳନ। ରାଷ୍ଟ୍ରପତି ଗାଦିରୁ ହଟିବା ଲାଗି ଦାବି କରିଛନ୍ତି ଆନ୍ଦୋଳନକାରୀ। ୱାଶିଂଟନ ଡିସିରେ ହୋଇଛି ଜୋରଦାର ଆନ୍ଦୋଳନ। ମହାଭିଯୋଗ ପ୍ରସ୍ତାବ ଜରିଆରେ ତାଙ୍କୁ ହଟାଇବା ଲାଗି ଆନ୍ଦୋଳନକାରୀ ଦାବି କରିଛନ୍ତି। ଗତ କିଛି ମାସ ଧରି ଟ୍ରମ୍ପ ବିରୋଧୀ ଆନ୍ଦୋଳନ ଜାରି ରହିଥିବା ବେଳେ ଏବେ ତାହା ବଡ଼ ଆକାରର ରୂପ ନେଇଓଛି। ଟ୍ରମ୍ପଙ୍କ ବିରୋଧରେ ହୋଇଥିବା ରିମୁଭ ଦି ରିଜାଇମ ବ୍ୟାନରରେ ଏହି ଆନ୍ଦୋଳନ ହୋଇଛି। ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ବିଭିନ୍ନ କର୍ମୀ, କଳାକାର ଓ ରାଜନୈତିକ ନେତା। ଆନ୍ଦୋଳନର ନେତୃତ୍ବ ନେଉଛନ୍ତି ଆମେରିକା ପ୍ରତିନିଧି ସଭା ସଦସ୍ୟ ଅଲ ଗ୍ରୀନ ଓ ପୂର୍ବତନ ପୋଲିସ ଅଧିକାରୀ ମାଇକେଲ ଫାନୋନ। ଟ୍ରମ୍ପ କ୍ଷମତାକୁ ଆସିବା ପରଠାରୁ ତାଙ୍କ ନୀତିକୁ ବିଭିନ୍ନ ସ୍ତରରେ କରାଯାଉଛି ସମାଲୋଚନା।
ନଜର ପକାନ୍ତୁ ବାତ୍ୟାକୁ ନେଇ କଣ ରହିଛି ଅପଡେଟ୍
ନନ୍ଦିଘୋଷ ବ୍ୟୁରୋ: ବଙ୍ଗୋପସାଗରରେ ବଢ଼ିଲା ବାତ୍ୟା ଭୟI ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ଘୂର୍ଣ୍ଣିବଳୟ । ଆଗାମୀ ୨୪ ଘଣ୍ଟା ଭିତରେ ଅବପାତ ଓ ୪୮ ଘଣ୍ଟା ମଧ୍ଯରେ ନେଇପାରେ ବାତ୍ଯାର ରୂପ । ଏହାର ପ୍ରଭାବରେ ୨୫ରୁ ବଢିବ ପବନ । ଆଜି ସୁଦ୍ଧା ଅଧିକ ଘନୀଭୂତ ହୋଇ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ବବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ମାଲାସ୍କା ଓ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆଜି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ । ୨୬ କିମ୍ବା ୨୭ରେ ବାତ୍ୟା ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି I ସେପଟେ କାଲି ପରେ ବର୍ଷା ପରିମାଣ ବଢିବା ନେଇ ସୂଚନା ଦେଇଛନ୍ତି ପାଣିପାଗ କେନ୍ଦ୍ର। ସମୁଦ୍ର ଭିତରେ ବଳ ଗୋଟାଇ ଏହା ଧୀରେ ଶକ୍ତିଶାଳୀ ହେବା ସହ ୨୬ ତାରିଖରେ ବାତ୍ୟାରେ ପରିଣତ ହୋଇପାରେ । ହେଲେ ବାତ୍ୟା ଗତିପଥ, ତୀବ୍ରତା ନେଇ ସ୍ପଷ୍ଟ କରିନି ପାଣିପାଗ କେନ୍ଦ୍ର । ଧାନ ଅମଳ ସମୟ ହୋଇଥିବାରୁ ଅଦିନିଆ ବର୍ଷାକୁ ନେଇ ଚାଷୀଙ୍କୁ ଚିନ୍ତା ଘାରିଛି । ଅମଳ ହୋଇଥିବା ଫସଲକୁ କାଟିବା ଆଣିବାକୁ ପରାମର୍ଶ ଦେଇଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁ ପାଳକ I

