ନନ୍ଦିଘୋଷ ବ୍ୟୁରୋ: ମାଓ ନେତାଙ୍କ ଆତ୍ମସମର୍ପଣ। ମାଲକାନଗିରି ସୀମାନ୍ତ ତେଲଙ୍ଗାନାର ୱାରଙ୍ଗଲ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ଜଣେ ହାର୍ଡକୋର ମାଓବାଦୀ। କୁଖ୍ୟାତ ୮ଲକ୍ଷ ଇନାମୀ ମାଓ ନେତା ମାଣ୍ଡା ରୁବେନ୍ ଓରଫ ମଙ୍ଗନ୍ନା ଆତ୍ମସମର୍ପଣ କରିଛି। ୪୪ ବର୍ଷ ଧରି ମାଓ ସଙ୍ଗଠନରେ କାର୍ଯ୍ୟରତ ଦକ୍ଷିଣ ବସ୍ତର ମାଓ ଡିଭିଜନ୍ କମିଟି ସମ୍ପାଦକ ମାଓବାଦୀ ମାଣ୍ଡା ରୁବେନ୍ ଓରଫ ମଙ୍ଗନ୍ନା ଆତ୍ମସମର୍ପଣ କରି ମୁଖ୍ୟସ୍ରୋତକୁ ଫେରିଛନ୍ତି। ତେଲେଙ୍ଗାନା ୱାରାଙ୍ଗଲର ପୋଲିସ କମିଶନରଙ୍କ ଉପସ୍ଥିତିରେ ମଙ୍ଗନ୍ନା ସରେଣ୍ଡର କରିଛି। ତେଲେଙ୍ଗାନା ସରକାର ଏବଂ ପୋଲିସ ବିଭାଗ ଦ୍ୱାରା ପ୍ରଦାନ କରାଯାଇଥିବା ବିଭିନ୍ନ କଲ୍ୟାଣକାରୀ ପଦକ୍ଷେପ, ଶାରୀରିକ ଅସୁସ୍ଥତା ଏବଂ ମୁଖ୍ୟସ୍ରୋତକୁ ଫେରିଥିବା ଲୋକଙ୍କ ପ୍ରତି ଦେଖାଯାଇଥିବା ସମର୍ଥନ ଦ୍ୱାରା ଅନୁପ୍ରାଣିତ ହୋଇ ପରିବାର ସହିତ ଏକ ଶାନ୍ତିପୂର୍ଣ୍ଣ ଜୀବନଯାପନ କରିବାକୁ ନିଷ୍ପତ୍ତି ନେଇ ପୋଲିସ ସମ୍ମୁଖରେ ଆତ୍ମସମର୍ପଣ କରିଥିବା କହିଛନ୍ତି। ମଙ୍ଗନ୍ନା ଛତିଶଗଡ, ଆନ୍ଧ୍ର, ଓଡିଶା ଓ ତେଲେଙ୍ଗନାର ଅନେକ ବଡ ବଡ ମାଓ ହିଂସାକାଣ୍ଡରେ ଜଡିତ ଥିଲା। ତାଙ୍କର ଆତ୍ମସମର୍ପଣ ମାଓ ସଙ୍ଗଠନ ପାଇଁ ଏକ ଶକ୍ତ ଧକ୍କା ଓ ପୋଲିସ ପାଇଁ ଏକ ବଡ ସଫଳତା ବୋଲି କୁହାଯାଉଛି। ଗତ ୪୪ ବର୍ଷ ଧରି ସେ ମାଓ ସଙ୍ଗଠନରେ କାର୍ଯ୍ୟ କରି ଆସୁଥିଲା। ପ୍ରାୟ ଏକ ବର୍ଷ ପୂର୍ବେ ଗିରଫ ହୋଇ ଛତିଶଗଡର ଜଗଦଲପୁର ଜେଲରେ ଥିବା ବେଳେ ସେଠାରେ ଫେରାର ହୋଇଯାଇଥିଲା। ଫେରାରର ବର୍ଷ ପରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ ନୀତି ଅନୁଯାୟୀ ତାଙ୍କୁ ଥଇଥାନ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।
ପୀତବାସ ପଣ୍ଡା ହତ୍ୟା ଘଟଣା : ଆସିଲା ପୋଷ୍ଟମର୍ଟମ ରିପୋର୍ଟ
ବ୍ରହ୍ମପୁରର ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣା। ଆସିଲା ପୋଷ୍ଟମର୍ଟମ ରିପୋର୍ଟ। ପୀତବାସଙ୍କୁ ୯ MM ପିସ୍ତଲରୁ କରାଯାଇଛି ଗୁଳି। ତାଙ୍କ ମେରୁଦଣ୍ଡରୁ ଏକ ୯ ମିଲିମିଟରର ଗୁଳି ବାହାରିଛି। ମେରୁଦଣ୍ଡରୁ ବାହାରିଲା ଗୁଳି। ଗୁଳିଟି ବହୁ ଗୁରୁତ୍ବପୂର୍ଣ୍ଣ ଶୀରା ପ୍ରଶୀରାକୁ ନଷ୍ଟ କରିଥିବା ବ୍ଯବଛେଦ ରିପୋର୍ଟରୁ ପ୍ରକାଶ। ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ପୀତବାସଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ବାଇକକୁ ଧକ୍କା ଦେଲା ଟ୍ରଲର: ମା ମୃତ, ପୁଅ ଗୁରୁତର
ନନ୍ଦିଘୋଷ ବ୍ୟୁରୋ: ଟ୍ରଲର ଧକ୍କାରେ ମା ମୃତ ପୁଅ ଗୁରୁତର। ସୁନ୍ଦରଗଡ଼ କୁତ୍ରା ଥାନା ଅନ୍ତର୍ଗତ ଗଡ଼ପୋଷ ଛକରେ ଘଟିଛି ଏ ଦୁର୍ଘଟଣା। ୧୦ ନମ୍ବର ରାଜ୍ୟ ରାଜପଥ ବିଜୁ ଏକ୍ସପ୍ରେସ ୱେରେ ଆଜି ସକାଳ ପ୍ରାୟ ୮ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ଏକ ବାଇକକୁ ଧକ୍କା ଦେଇଥିଲା ଟ୍ରଲର। ଧକ୍କା ଦେବାରୁ ଘଟଣାସ୍ଥଳରେ ମାର ମୃତ୍ୟୁ ହୋଇଥିବାବେଳେ ପୁଅ ଗୁରୁତର ଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ ସ୍ତାନୀୟ ଲୋକେ ରାସ୍ତାକୁ ଅବରୋଧ କରିଛନ୍ତି। କୁତ୍ରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରୁଛି। ଦୁର୍ଘଟଣା ଘଟାଇ ଥିବା ଟ୍ରଲରକୁ ବଡ଼ଗାଁ ଥାନାରେ ଅଟକ ରଖାଯାଇଛି।
ଗୁଣୁପୁରରେ ଫୁଟିଲା ଗୁଳି
ନନ୍ଦିଘୋଷ ବ୍ୟୁରୋ: ରାୟଗଡ଼ା ଜିଲ୍ଲା ଗୁଣୁପୁରରେ ଫୁଟିଲା ଗୁଳି। ଜଣେ ବ୍ୟକ୍ତିଙ୍କୁ ଗୁଳିକରି ହତ୍ୟା ଅଭିଯୋଗ ହୋଇଛି । ଆନ୍ଧ୍ର-ଓଡିଶା ସୀମାନ୍ତ ଶିକ୍ଲା ପାହାଡ ଉପରେ ଗୁଳିକରି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ମୃତକ ହେଲେ ଆନ୍ଧ୍ର ପାର୍ବତୀପୁର ଅଞ୍ଚଳର କୁଭେଲା ବରେୟା। କେଉଁ କାରଣରୁ ହତ୍ୟା ହୋଇଛି ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ରାମନାଗୁଡ଼ା ପୋଲିସ୍ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଜାରି ରଖିଛି।ବ୍ୟକ୍ତି ଜଣକ ଅନେନ ଦିନ ଧରି ଆନ୍ଧ୍ରରୁ ଆସି ପାହାଡ ଉପରେ ରହି ଚାଷ କରି ବଞ୍ଚୁଥିଲେ।
ମହୁମାଛି ଆକ୍ରମଣରେ ୭ ଗୁରୁତର
ନନ୍ଦିଘୋଷ ବ୍ୟୁରୋ: ମହୁମାଛି ଆକ୍ରମଣରେ ୭ ଗୁରୁତର। ଢେଙ୍କାନାଳ ପରଜଙ୍ଗ ଥାନା ବସୁଲେଈ ଗ୍ରାମରେ ମହୁମାଛିଙ୍କ ଅତର୍କିତ ଆକ୍ରମଣରେ ୭ ଜଣ ଗୁରୁତର ହୋଇଛନ୍ତି । ବସୁଲେଈ ଗ୍ରାମ ନିକଟରେ ଯାଇଥିବା ରେଙ୍ଗାଳି ବାମପାର୍ଶ୍ଵ ଶାଖା କେନାଲର ପୂର୍ତ୍ତବିଭାଗ ରାସ୍ତାରେ ଲୋକମାନେ ଯିବାଆସିବା କରୁଥିବା ବେଳେ ହଠାତ ମହୁମାଛି ମାନେ ଅତର୍କିତ ଆକ୍ରମଣ କରିଥିଲେ । ଫଳରେ ସେହି ସମୟରେ ଯାଉଥିବା ଲୋକେ ମହୁମାଛି ମାନେ ଆକ୍ରମଣର ଶିକାର ହୋଇଥିଲେ। ମହୁମାଛିଙ୍କ ଭୟଙ୍କର ଆକ୍ରମଣ ଫଳରେ ଲୋକମାନେ ରାସ୍ତାରେ ନିଜ ବାଇକ ଫିଙ୍ଗି ଦେଇ ଏଣେତେଣେ ଧାଇଁବା ସହ ନିଜ ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ମହୁମାଛିଙ୍କ ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ଜଣେ ଛୋଟ ଝିଅ ଭୟରେ ନିକଟରେ ଥିବା କେନାଲକୁ ପଶିଯାଇ ନିଜ ଜୀବନ ବଞ୍ଚାଇଥିଲା । ଏହିପରି ଭାବରେ ବେଶ ସମୟ ଧରି ସେହି ରାସ୍ତାରେ ମହୁମାଛି ମାନେ ଆତଙ୍କ ସୃଷ୍ଟି କରିଥିବା ବେଳେ ସ୍ଥାନୀୟ ଗ୍ରାମବାସୀ ମାନେ କେନାଲ ଭିତରେ ପଶିଥିବା ଛୋଟ ଝିଅ ସମେତ ଅନ୍ୟ ମାନଙ୍କୁ ଉଦ୍ଧାର କରିଥିଲେ । ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଗ୍ରାମବାସୀଙ୍କ ସହାୟତାରେ ଆହତଙ୍କୁ ତାଳଚେର ସ୍ଥିତ ମଣ୍ଡାପାଳ ମେଡିକାଲକୁ ସ୍ଥାନାନ୍ତର କରଯାଇଛି ।.

