ରାଜ୍ୟରେ ଏ ପର୍ଯ୍ୟନ୍ତ ମଣ୍ଡି ଖୋଲିନି। ଚାଷୀ ଧାନ ରଖି ରଖି ଋଣ ବୋଝରେ ସଢ଼ୁଛନ୍ତି। ୩୦୦ ୟୁନିଟ ବିଜୁଳି ଛାଡ ପାଇଁ ନିର୍ବାଚନ ପ୍ରତିଶ୍ରୁତି ବଦଳରେ ସ୍ମାର୍ଟମିଟର ନାଁରେ ବିଦ୍ୟୁତ୍ ଖାଉଟିଙ୍କୁ ଶୋଷଣ କରୁଛନ୍ତି । ମନରେଗା ଯୋଜନାର ପୁନଃପ୍ରଚଳନ ନ ହେଲେ ଦାଦନ ବଢ଼ିବ। ଏସବୁ ଦାବି ନେଇ କଂଗ୍ରେସ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନ ଡ଼ାକରା ଦେଇଛି। ଏ ପରିପ୍ରେକ୍ଷୀରେ ଖୋର୍ଦ୍ଧାରେ ଜିଲ୍ଲା କଂଗ୍ରେସ ସଭାପତି ରାଜୀବ ପଟ୍ଟନାୟକଙ୍କ ନେତୃତ୍ବରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଦଳର ନେତା ସରାକାରଙ୍କୁ ଘେରିଛନ୍ତି । ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ, ଶିଶିର ପରିଡ଼ା, ପୃଥ୍ବୀବଲ୍ଲଭ ପଟ୍ଟନାୟକ, ସ୍ୱାଗତିକା ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ବିଜେପି ସରକାର ଚାଷୀଙ୍କ ପାଇଁ ଶୋଇପଡିଛି ବୋଲି କଟାକ୍ଷ କରିଛନ୍ତି । ଚାଷୀଙ୍କ ଦୁଃଖ ନ ଶୁଣିଲେ କଂଗେସ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରିବ ବୋଲି ଦଳ କହିଛି ।
ଡାକ୍ତର ଅଭାବ ନେଇ ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର
ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ମେଡିକାଲରେ ANM ଦିଦିଙ୍କ ଔଦ୍ଧତ୍ୟ। ମେଡିକାଲରେ ଡାକ୍ତର ଅଭାବ ନେଇ ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର । ୪ଟି ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିଙ୍କୁ ନାଲି ଆଖି ଦେଖାଇବା ସହ ମାଡ ମାରିବାକୁ ଧମକ । ଔଷଧ ବିତରଣ କେନ୍ଦ୍ରରେ କବାଟ ବନ୍ଦ କରି ସିକ୍ୟୁରିଟି ଗାର୍ଡ କମ୍ପ୍ୟୁଟର ଚଳାଉଥିବା ବେଳେ ANM ସଂଯୁକ୍ତା ପାତ୍ର ପାଖରେ ବସି ରହିଥିଲେ । କ୍ୟାମେରା ଦେଖି ଚିହିଁକି ଉଠିଲେ ଦିଦି। ସାମ୍ବାଦିକଙ୍କୁ ନାଲି ଆଖି ଦେଖାଇବା ସହ ମାଡ ମାରିବାକୁ ଧମକ ଦେଇଥିଲେ।
କେନ୍ଦୁଝରରେ ହଜାର ହଜାର ଅଜଣା ପୋକଙ୍କୁ ନେଇ ଆତଙ୍କିତ ଲୋକେ
କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରପରିଷଦ ୧୪ ନମ୍ବର ୱାର୍ଡ ଝାଡ଼େଶ୍ୱର କଲୋନୀରେ ଅଜଣା ପୋକ ଆତଙ୍କ। ହଜାର ହଜାର ପୋକ ଆତଙ୍କରେ ଆତଙ୍କିତ ବାସିନ୍ଦା । ଦୀର୍ଘ ୪ ଦିନ ଧରି ଅଚାନକ ଏହି ପୋକ ଗୁଡିକ ଧାଡି ବାନ୍ଧି ଘର ଭିତରେ ପଶୁଛନ୍ତି । ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ କରିଛି। ଲୋକମାନେ ହାତରେ ଝାଡୁ ଧରି ପୋକ ମାରିବାକୁ ଚେଷ୍ଟା କରୁଛନ୍ତି । କୌଣସି ବିଷ ମଧ୍ୟ ଏହି ପୋକଙ୍କ ଉପରେ ପ୍ରଭାବ ପକାଇ ପାରୁନାହିଁ। ଘରର ରୋଷେଇ ଘରେ ପୋକ ଗୁଡିକ ପଶୁଥିବାରୁ ରୋଷେଇ ବନ୍ଦ ହୋଇଯାଉଛି। ତୁରନ୍ତ ଏହାର କିଛି ସମାଧାନ ପାଇଁ ୱାର୍ଡବାସୀ ଦାବି କରିଛନ୍ତି ।
ବିବାହ ପାଇଁ ପ୍ରେମିକ ରାଜି ନହେବାରୁ ଥାନା ସମ୍ମୁଖରେ ଆତ୍ମହତ୍ୟା ପାଇଁ ଉଦ୍ୟମ କଲେ ପ୍ରେମିକା
ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଆଗରେ ଅଭାବନୀୟ ଘଟଣା । ବିବାହ ପାଇଁ ପ୍ରେମିକ ରାଜି ନହେବାରୁ ଥାନା ସମ୍ମୁଖରେ ଆତ୍ମହତ୍ୟା ପାଇଁ ଉଦ୍ୟମ କଲେ ପ୍ରେମିକା । ଥାନା ଆଗରେ ଯୁବତୀ ଜଣକ ପୋକମରା ଔଷଧ ପିଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ପ୍ରେମିକର ବାପା ଏବଂ ଫତେଗଡ଼ ଥାନା ପୋଲିସ ଯୁବତୀଙ୍କୁ ଅଟକାଇ ଥିଲେ । ଦୁହେଁ ପ୍ରେମିକ ଏବଂ ପ୍ରେମିକା କୋର୍ଟରେ ମ୍ୟାରେଜ୍ କରିବା ପାଇଁ ଆବେଦନ କରିବା ସହ ମନ୍ଦିରରେ ବିବାହ କରିଥାନ୍ତେ। କିନ୍ତୁ ବିବାହ କରିବା ପାଇଁ ପ୍ରେମିକ ଶିବ ନାରାୟଣ ପଣ୍ଡା ରାଜି ନହେବାରୁ ଯୁବତୀ ବିଷ ପିଇ ଆତ୍ମହତ୍ୟା ପଇଁ ଉଦ୍ୟମ କରିଥିଲେ। ଯୁବତୀଙ୍କ ଅଭିଯୋଗ କ୍ରମେ ଫତେଗଡ ଥାନା ପୋଲିସ ଶିବ ନାରାୟଣ ପଣ୍ଡାଙ୍କୁ ଗିରଫ କରିଛି।

