spot_img
Home Blog Page 313

ରଙ୍ଗାରଙ୍ଗ ପରିବେଶ ଭିତରେ ଉଦଯାପିତ ହେଲା ପୁଷ ପୁନେଇ ମହୋତ୍ସବ ୨୦୨୬

କୋରାପୁଟିଆ ଗୀତରେ ଆଦିବାସୀଙ୍କ ମନଛୁଆଁ ନୃତ୍ୟ । ଦେଶିଆ ନାଚରେ ରୋମାଞ୍ଚରେ ରୋମାଞ୍ଚିତ ହେଲା ପୁଷପୁନେଇ ଉତ୍ସବ । ଲିଭି ଯାଉଥିବା ଆଦିବାସୀ କଳାକୁ ପୁଣି ଆଖି ସାମ୍ନାରେ ଦେଖି ଉତ୍ସାହିତ ଦର୍ଶକ । ରଙ୍ଗାରଙ୍ଗ ପରିବେଶ ଭିତରେ ଉଦଯାପିତ ହେଲା ପୁଷପୁନେଇ ମହୋତ୍ସବ ୨୦୨୬ । ୨ ତାରିଖରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ୮ ଦିନ ଧରି ଲୋକଙ୍କୁ ଯୋଗାଇଥିଲା ମନୋରଞ୍ଜନର ଖୋରାକ । ଲୋପ ପାଉଥିବା କଳା, ସଂସ୍କୃତି ଓ ପରମ୍ପରାକୁ ପୁରର୍ଜିବିତ କରବା ପାଇଁ ଉତ୍ସବର ପଞ୍ଚମ ସଂସ୍କରଣରେ ହୋଇଥିଲା ବ୍ୟାପକ ବ୍ୟବସ୍ଥା । ଜିଲ୍ଲାର କଳାକାରଙ୍କୁ ନେଇ ସଙ୍ଗୀତ, ନୃତ୍ୟ ପ୍ରଦର୍ଶନ ସହ ଦେଶିଆ ନାଟକ ଓ କୋରାପୁଟିଆ ଫିଲ୍ମ ଫେଷ୍ଟିଭାଲ ଦର୍ଶକଙ୍କ ମନ ମହିଥିଲା ।

କଳା ଓ କଳାକାର ସଂଘ ପକ୍ଷରୁ ଆୟୋଜିତ ଏହି ଉତ୍ସବ ଜିଲ୍ଲା ତଥା ରାଜ୍ୟ ଓ ରାଜ୍ୟ ବାହାର କଳାକାରଙ୍କୁ ଏକାଠି କରିଥିଲା । କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆ, ସାଜିତ ମାଲ୍ୟାଙ୍କ ସଂଗୀତରେ ଝୁମିଥିଲେ ଶ୍ରୋତା । ଏହାସହ ମୀନାବଜାର ସାଙ୍ଗକୁ ଭଳି କି ଭଳି ଖାଦ୍ୟର ପସରା ସହ ଜମିଥିଲା ବିକ୍ରିବଟା ।
ପ୍ରତିବର୍ଷ କୋରାପୁଟର ଏହି ପୁଷପୁନେଇ ମହୋତ୍ସବ ଆୟୋଜନ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାରେ ସହାୟକ ହେଉଥିବା କହିଛନ୍ତି ବୁଦ୍ଧିଜୀବୀ ।

ଭୂତକୋଠି ପାଲଟିଲାଣି ବାଲେଶ୍ବର ହାଇଟେକ ଫିସ୍ ମାର୍କେଟ

ବାଲେଶ୍ବରରେ ବଢ଼ିବ ମାଛ ବ୍ୟବସାୟ । ଅପରିଷ୍କାର ପରିବେଶରୁ ମିଳିବ ମୁକ୍ତି । ଏଥିପାଇଁ ବାମପଦା ନିୟନ୍ତ୍ରିତ ବଜାର କମିଟି ନିକଟରେ ନିର୍ମିତ ହୋଇଛି ହଇଜେନିକ ରିଟେଲ ଫିସ ମାର୍କେଟ । ପୂର୍ବ ସରକାରଙ୍କ ସମୟରେ ୨୦୨୧ ରୁ ଆରମ୍ଭ ହୋଇଥିଲା ହାଇଟେକ ମାଛ ବଜାର । ୫ କୋଟି ଟଙ୍କା ଖର୍ଚ୍ଚରେ ଏଠାରେ ମାଛ ବ୍ୟବସାୟ ପାଇଁ ସ୍ବତନ୍ତ୍ର ପିଣ୍ଡି ସହ ସଂରକ୍ଷିତ ରଖିବାର ବ୍ୟବସ୍ଥା କରାଯାଇଛି । କିନ୍ତୁ ପ୍ରକଳ୍ପ କାମ ସରିବାରେ ଏକବର୍ଷ ବିତିଥିଲେ ସୁଦ୍ଧା ଏହାକୁ କାର୍ଯ୍ୟକ୍ଷମ କରାଯାଉ ନାହିଁ । ଫଳରେ ରାସ୍ତାକଡ଼ରେ ବସି ମାଛ ବିକ୍ରି କରୁଛନ୍ତି ବ୍ୟବସାୟୀ । ଯାହାକୁ ନେଇ ମତ୍ସ୍ୟଜୀବୀ ଓ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି

ଏହି ଉନ୍ନତ ଫିସ୍ ମାର୍କେଟରେ ରହିଛି ୬୨ ଟି ସ୍ବତନ୍ତ୍ର ପିଣ୍ଡି । ଏହାସହ ମାଛ କାଟିବା ଓ ସଫା କରିବା ପାଇଁ ପାଣି, ବର୍ଜ୍ୟଜଳ ନିର୍ଗତ ପାଇଁ ଡ୍ରେନେଜ୍, କୋଲ୍ଡ ଷ୍ଟୋରେଜ ଓ ଇଫ୍ଲୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ ରହିଛି । ତେବେ ପ୍ରକଳ୍ପ କାମ ଏକବର୍ଷ ହେଲା ସରିଥିବାବେଳେ ଏହାକୁ ନିୟନ୍ତ୍ରୀତ ବଜାର କମିଟିକୁ ହସ୍ତାନ୍ତର କରାଯାଇ ନାହିଁ । ଫଳରେ କୋଟି କୋଟି ଟଙ୍କାରେ ପ୍ରସ୍ତୁତ ଏହି ଫିସ ମାର୍କେଟ ନଷ୍ଟ ହେବାରେ ଲାଗିଲାଣି । ତେବେ ଇଫ୍ଲୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ କାର୍ଯ୍ୟ ସାମାନ୍ୟ ବାକି ରହିଛି । ଏହା ସରିବା ପରେ କମିଟିକୁ ହସ୍ତାନ୍ତର କରିବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଆରଏମସି ଅଧିକାରୀ ।ଯଥାଶୀଘ୍ର ପଦକ୍ଷେପ ନିଆ ନଗଲେ କୋଟି କୋଟି ଟଙ୍କାର ନିର୍ମିତ ଏହି ପ୍ରକଳ୍ପ ଭୂତକୋଠିରେ ପରିଣତ ହେବ ବୋଲି ମତ୍ସ୍ୟଜୀବୀ ଅଭିଯୋଗ କରିଛନ୍ତି ।

ପ୍ରବଳ ଥଣ୍ଡାକୁ ଦେଖି ଆଜିଠାରୁ ସକାଳ ପରିବର୍ତ୍ତେ ୧୦ଟାରୁ ଖୋଲିଲା ସ୍କୁଲ

ସକାଳ ପରିବର୍ତ୍ତେ ୧୦ଟାରେ ବାଜିଲା ସ୍କୁଲ୍ ଘଣ୍ଟି । ଶନିବାର ୧୦ଟାରୁ ୪ ଟା ଯାଏଁ ଚାଲିଲା କ୍ଲାସ । ଶୀତ ପ୍ରବାହକୁ ଦୃଷ୍ଟିରେ ରଖି କଟକ ଓ ବାଲେଶ୍ବରରେ ଏଣିକି ପ୍ରତି ଶନିବାର ସକାଳ ବରିବର୍ତ୍ତେ ୧୦ରୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ । କଟକ ଓ ବାଲେଶ୍ବରରେ ଲଗାତର ୪ ଦିନ ଧରି ୧୦ ଡିଗ୍ରୀ ତଳେ ପାରା ରହୁଛି । ଶନିବାରୁ ସକାଳୁ ପିଲାଏ ସ୍କୁଲକୁ ଆସିବାକୁ ଭୟ କରୁଛନ୍ତି । ପ୍ରାର୍ଥନାବେଳେ ଥରୁଛନ୍ତି ଛାତ୍ରଛାତ୍ରୀ । ତେବେ ଆଗକୁ ବାର୍ଷିକ ପରୀକ୍ଷା ଥିବାରୁ ସ୍କୁଲ ବନ୍ଦ ନକରି ପ୍ରତି ଶନିବାର ୧୦ଟାରୁ ସ୍କୁଲ ଖୋଲାଯାଇଛି । ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଏବଂ ମାଧ୍ୟମିକ ସ୍କୁଲରେ ଏହା କାର୍ଯ୍ୟକାରୀ କରାଯାଇଛି ।

ପ୍ରବଳ ଜାଡରେ ଥରୁଛି ସାରା ଓଡିଶା । ଟୁଇନ ସିଟିରେ ଲଗାତର ୪ ଦିନ ହେଲା ୧୦ ଡିଗ୍ରୀ ତଳେ ରହୁଛି ତାପମାତ୍ରା । ରାଜ୍ୟର ୨୫ ସହରରେ ୧୦ ଡିଗ୍ରୀ ତଳେ ପାରା ରହୁଛି । ତେବେ କାଲିଠୁ ଶୀତ ସାମାନ୍ୟ କମିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଗଭୀରଅବପାତ ଯୋଗୁ ବାହ୍ୟବଳୟରେ ବାଦନ ଆଚ୍ଛାଦିତ ହୋଇଛି । ରାଜ୍ୟକୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ ବୃଦ୍ଧି ହେତୁ ପାରା ସାମାନ୍ୟ ବୃଦ୍ଧି ପାଇବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଜି ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା 2.2 ଡିଗ୍ରୀ ରହିଛି । ସେହିପରି ଝାରସୁଗୁଡାରେ 7.8 ଡିଗ୍ରୀ, ଅନୁଗୁଳ 7.3 ଡିଗ୍ରୀ ରହିଛି । ଆସନ୍ତା 24 ଘଣ୍ଟା ଶୀତ ଲହରୀ ପାଇଁ 6 ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି ।

ରାଜ୍ୟରେ ମଣ୍ଡି ଅବ୍ୟବସ୍ଥା ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ରାଜ୍ୟରେ ମଣ୍ଡି ଅବ୍ୟବସ୍ଥା ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। କହିଛନ୍ତି, ରାଜ୍ୟରେ ସମ୍ପୂର୍ଣ ଭୁଶୁଡ଼ି ପଡ଼ିଛି ଧାନ ସଂଗ୍ରହ ବ୍ୟବସ୍ଥା। ସରକାରଙ୍କ ଦ୍ବାରା ଚାଷୀ ପ୍ରତାରିତ, ଅସହାୟ ଓ ହତାଶ। ଅସହ୍ୟ ଅଣ୍ଡା କାକର, ଶୀତରେ ଚାଷୀମାନେ ମଣ୍ଡିରେ ନିଜ ଅମଳ ଧାନକୁ ଜଗି ବସିଛନ୍ତି। ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି ଚାଷୀ। ସରକାର ଚାଷୀଙ୍କ ଧାନ କେବେ ଉଠାଇବେ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଚାଷୀଙ୍କୁ ଅନେକ ପ୍ରତିଶ୍ରୁତି ଦେଇ ବିଜେପି ସରକାର କ୍ଷମତାକୁ ଆସିଥିଲା। ହେଲେ ସରକାର ଗଢ଼ିବା ପରେ ପ୍ରତିଶ୍ରୁତି ସବୁ କୁଆଡ଼େ ଗଲା। ଧାନ କିଣାରେ ବୋନସ ଘୋଷଣା କରି ଚାଷୀଙ୍କୁ ଦିବାସ୍ବପ୍ନ ଦେଖାଇଥିବା ସରକାରରେ ଆରମ୍ଭରୁ ଟୋକାନଠୁ ନେଇ ମଣ୍ଡି ଅବ୍ୟବସ୍ଥା ସହ ଧାନ ସଂଗ୍ରହ ପର୍ଯ୍ୟନ୍ତ ସବୁଠି ଚାଷୀ ହତାଶ ହୋଇଛନ୍ତି। ଚାଷୀଙ୍କୁ ସମ୍ମାନର ନାରା ଦେଇଥିବା ବିଜେପି ସରକାରର ସମସ୍ତ ଘୋଷଣା ମିଛ ପ୍ରତିଶ୍ରୁତିରେ ପରିଣତ ହୋଇଛି। ସମ୍ମାନ ବଦଳରେ ଏ ସରକାରରେ ଚାଷୀ ସବୁଠୁ ଅସମ୍ମାନିତ ଓ ପ୍ରତାରିତ। ଯେତେବେଳେ ନିଜ ଅମଳ ଧାନ ବିକ୍ରି କରି ନ ପାରି ଚାଷୀ ଆନ୍ଦୋଳନ କରୁଛି ସେତେବେଳେ ଏ ସରକାର ତାଙ୍କୁ ନୌଟଙ୍କି ବୋଲି କହି ତାତ୍ସ୍ୟଲ୍ୟ କରୁଛି। ଏହା କ’ଣ ଡବଲ୍ ଇଞ୍ଜିନ୍ ସରକାରର ଚାଷୀଙ୍କୁ ସମ୍ମାନ ?

କଣାସରେ ଜଣ୍ଡିସ ଆତଙ୍କ: ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କଲେ ମେଡିକାଲ ଟିମ୍

କଣାସରେ ଜଣ୍ଡିସ ଆତଙ୍କ। ନୁଆଦୋକନ୍ଦା ଗାଁରେ କାୟା ମେଲାଉଛି ଜଣ୍ଡିସ । ଆଜି ଜିଲ୍ଲା ମେଡ଼ିକାଲ ଟିମ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଗାଁରୁ ପାଣି ନମୁନା ସଂଗ୍ରହ କଲା ଟିମ୍ । ଆକ୍ରାନ୍ତ ଶିଶୁ ମାନଙ୍କ ରକ୍ତ ନମୁନା ବି ସଂଗହ ହେଇ ପରୀକ୍ଷା ପାଇଁ ଲ୍ୟାବ୍ କୁ ପଠାଗଲା । ଜନସ୍ବାସ୍ଥ୍ୟ ଅଧିକାରୀ, କଣାସ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଡାକ୍ତରୀ ଦଳ, ମହିଳା ଓ ଶିଶୁ ବିକାଶ ଅଧିକାରୀ, ଅଙ୍ଗନବାଡ଼ି କର୍ମୀ ଓ ଆଶା କର୍ମୀ ଘର ଘର ବୁଲି ସର୍ଭେ ଆରମ୍ଭ କରିଛନ୍ତି । ଗାଁରେ ପହଞ୍ଚିଲା ଟ୍ୟାଙ୍କର ପାଣି । ଟ୍ୟାଙ୍କର ଯୋଗେ ଜଳ ଯୋଗାଣ ହେଲା । ଗାଁରେ ଜଳ ମେଗା ପାନୀୟ ଜଳ ଯୋଗାଣ ପାଇଁ ଦାବି କଲେ ଗ୍ରାମ ବାସୀ । ନଦୀ ଜଳ ଯାହାର ହେବାରୁ ଏଭଳି ରୋଗ ବ୍ୟାପିଛି । କନାରେ ଗତବର୍ଷ ହଇଜାରେ 10 ଜଣ ମରିଥିଲେ । ଏବେ ନୂଆ ଦୋକାନ ଗାଁ ରେ ଜଣ୍ଡିସ ରେ ଜଣେ ମରିବା ସହ 15 ରୁ ଅଧିକ ଆକ୍ରାନ୍ତ ହେଉଛନ୍ତି । କେବଳ ଏଟିକି ନୁହେଁ । ନଦୀର ବିଷାକ୍ତ ଜଳ ଚିଲିକାରେ ମିଶି ଚିଲିକାର ଜୈବ ବିବିଧତାକୁ ନଷ୍ଟ କରୁଛି ।

ବାଂଲାଦେଶରେ ହିନ୍ଦୁଙ୍କୁ ଧମକ : ମକର ସଂକ୍ରାନ୍ତି ପାଳିଲେ ପରିଣାମ ଭୟଙ୍କର ହେବ …

ନନ୍ଦିଘୋଷ ବ୍ୟୁରୋ : ବାଂଲାଦେଶରେ ନିର୍ବାଚନ ଯେତେ ଆଗକୁ ବଢୁଛି । ବଢିବାରେ ଲାଗିଛି ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଆକ୍ରମଣ । ଲାଗି ରହିଥିବା ହିଂସା ମହମ୍ମଦ ୟୁନୁସଙ୍କ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଉପରେ ପ୍ରଶ୍ନ ଛିଡା କରିଛି ।

ଏହାରି ମଧ୍ୟରେ ଏକ ଚିନ୍ତା ଜନକ ବିଷୟ ସାମ୍ନାକୁ ଆସିଛି । କଟ୍ଟରପନ୍ଥୀ ସଂଗଠନ ଜମାତ-ଏ-ଇସଲାମୀ ହିନ୍ଦୁମାନଙ୍କ ପର୍ବ ମକର ସଂକ୍ରାନ୍ତିକୁ ଟାର୍ଗେଟ କରିଛି । ଏହି ସଂଗଠନ ପର୍ବରେ ଗୁଡି ଉଡାଇବା ସହ ବାଜା ବଜାଇବା ଭଳି କିଛି ଉତ୍ସବ ପାଳନ କରିବା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଯାହା ଫଳରେ ହିନ୍ଦୁମାନେ ବସବାସ କରୁଥିବା ଅଞ୍ଚଳରେ ଭୟ ଓ ଅସୁରକ୍ଷିତ ଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

ଜମାତ-ଏ-ଇସଲାମୀ ନେତାମାନେ ସୋସିଆଲ ମିଡିଆ ସହ ହିନ୍ଦୁ ବସବାସ କରୁଥିବା ଅଞ୍ଚଳରେ  ଇସଲାମିକ ମୂଲ୍ୟବୋଧ ଉଲ୍ଲଂଘନ ନକରିବା ପାଇଁ ଚେତାବନୀ ଦେଇଛନ୍ତି ।  କୁହାଯାଇଛି, ଯଦି ବାଜା ବାଜିବା ସହ ଗୁଡି ଉଡାଇ ଉତ୍ସବ ମନାଇଲେ ଏହାର ପରିଣାମ ଭୟଙ୍କର ହେବ । ଏହି ଚେତାବୀକୁ ନେଇ ଢାକା, ପଞ୍ଚାଗାଓଁ, ଚଟଗାଓଁ ଓ ସିଲହଟ ସହରରେ ରହୁଥିବା ହିନ୍ଦୁମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି ।  କିଛି ପରିବାର ଏ ବର୍ଷ ଉତ୍ସବ ଘର ଭିତରେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ପ୍ରତିବର୍ଷ ଜାନୁଆରୀ ୧୪ ତାରିଖରେ ବାଂଲାଦେଶରେ ମକର ସଂକ୍ରାନ୍ତି ବା ଶକ୍ରୀନ ପାରମ୍ପରିକ ଉତ୍ସାହ ସହିତ ପାଳନ କରାଯାଏ। ତିଳ-ଗୁଡ଼ ଖାଦ୍ୟ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଏହି ପର୍ବର ପ୍ରମୁଖ ବିଶେଷତ୍ୱ। ତଥାପି, ସାମ୍ପ୍ରତିକ ବର୍ଷଗୁଡ଼ିକରେ, ମୌଳବାଦୀ ଗୋଷ୍ଠୀଗୁଡ଼ିକ ଏହାକୁ ଅଣ-ଇସଲାମିକ ବୋଲି କହି ପ୍ରତିବାଦ କରିବା ଆରମ୍ଭ କରିଛନ୍ତି। ଗତ ବର୍ଷ, ଢାକା ଏବଂ ଚିଟାଗଙ୍ଗରେ ଶକ୍ରୀନ ପାଳନକାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା, ଯାହା ଉତ୍ତେଜନାକୁ ଆହୁରି ବଢ଼ାଇ ଦେଇଥିଲା।

ଡିସେମ୍ବର ୨୦୨୫ ରେ ଛାତ୍ର ନେତା ଉସମାନ ହାଦିଙ୍କ ହତ୍ୟା ପରେ ପରିସ୍ଥିତି ଆହୁରି ଖରାପ ହୋଇଗଲା। ଏହା ପରେ ଦେଶର ବିଭିନ୍ନ ସ୍ଥାନରେ ହିନ୍ଦୁମାନଙ୍କ ବିରୁଦ୍ଧରେ ଆକ୍ରମଣ ଏବଂ ହତ୍ୟାର ଅନେକ ଘଟଣା ଘଟିଲା। ଦୀପୁ ଚନ୍ଦ୍ର ଦାସ, ଅମୃତ ମଣ୍ଡଳ ଏବଂ ବଜେନ୍ଦ୍ର ବିଶ୍ୱାସଙ୍କ ହତ୍ୟା ସମ୍ପ୍ରଦାୟ ମଧ୍ୟରେ ଗଭୀର ଆତଙ୍କ ସୃଷ୍ଟି କଲା। ଶରିୟତପୁର ଜିଲ୍ଲାରେ ଜଣେ ହିନ୍ଦୁ ବ୍ୟବସାୟୀଙ୍କୁ ଲିଞ୍ଚିଂ କରିବା ପରିସ୍ଥିତିର ଗମ୍ଭୀରତାକୁ ସ୍ପଷ୍ଟ କରିଥିଲା।

ଏହି ଘଟଣାଗୁଡ଼ିକୁ ବାଂଲାଦେଶ ହିନ୍ଦୁ ବୌଦ୍ଧ ଖ୍ରୀଷ୍ଟିଆନ୍ ୟୁନିଟି କାଉନସିଲର ଏକ ବିବୃତ୍ତି ଦ୍ୱାରା ମଧ୍ୟ ନିଶ୍ଚିତ କରାଯାଇଛି। ସଂଗଠନ ଅନୁଯାୟୀ, କେବଳ ଡିସେମ୍ବର ମାସରେ ସାମ୍ପ୍ରଦାୟିକ ହିଂସାର ଅତି କମରେ ୫୧ଟି ଘଟଣା ରିପୋର୍ଟ ହୋଇଛି। ଏଥିରେ ୧୦ଟି ହତ୍ୟା, ଲୁଣ୍ଠନ ଏବଂ ପୋଡ଼ିପୋଡ଼ାର ୨୩ଟି ମାମଲା, ଡକାୟତି ଏବଂ ଚୋରିର ୧୦ଟି ଘଟଣା, ମିଥ୍ୟା ଈଶ୍ୱର ନିନ୍ଦା ଅଭିଯୋଗରେ ଅଟକ ଏବଂ ନିର୍ଯାତନାର ୪ଟି ମାମଲା, ବଳାତ୍କାର ଉଦ୍ୟମର ଗୋଟିଏ ଘଟଣା ଏବଂ ଶାରୀରିକ ଆକ୍ରମଣର ୩ଟି ମାମଲା ଅନ୍ତର୍ଭୁକ୍ତ। ଏହା ବ୍ୟତୀତ, ଅନେକ ସ୍ଥାନରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଘର, ମନ୍ଦିର ଏବଂ ବ୍ୟବସାୟକୁ ଟାର୍ଗେଟ କରାଯାଇଥିଲା।

ଚରମ ସ୍ତରରେ ପିସି କାରବାର: ଅସାଧୁ କର୍ମଚାରୀଙ୍କ ପାଇଁ ସରକାରୀ ଯୋଜନା ବାଟବଣା

ଚରମ ସ୍ତରରେ ପିସି କାରବାର। ସରକାରଙ୍କ ବିଭିନ୍ନ ଯୋଜନା ଅସାଧୁ କର୍ମଚାରୀଙ୍କ ପାଇଁ ବାଟବଣା । ମିଶନ ଶକ୍ତି ଗୃହ ଓ ମିଶନ ଶକ୍ତି କାଫେରେ ଝୁଲୁଛି ତାଲା। ଜରାଜୀର୍ଣ୍ଣ ଅବସ୍ଥାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ନିର୍ମିତ ମିଶନ ଶକ୍ତି ଭବନ। ନୂତନ ସରକାରଙ୍କ ଉଦାସୀନତା ଯୋଗୁଁ ଏସବୁ ବନ୍ଦ ପଡିଛି। ଯାହାକୁ ନେଇ ପ୍ରତିବାଦ କରିଛନ୍ତି ନିର୍ବାଚିତ ଲୋକ ପ୍ରତିନିଧି। ପୁରୀ ଜିଲ୍ଲା କାକଟପୁର ପଂଚାୟତ ସମିତି କାର୍ଯ୍ୟାଳୟ ସାମ୍ନାରେ ଗତ ୮ ତାରିଖରୁ ୫ଦଫା ଦାବି ନେଇ ଧାରଣା ଦେଇଛନ୍ତି । ଲୋକଙ୍କ ସୁବିଧା ପାଇଁ ପୂର୍ବ ସରକାର କରିଥିଲେ କେତେ କଣ ଯୋଜନା। ହେଲେ ସରକାର ବଦଳିବା ପରେ ଉନ୍ନୟନମୂଳକ ଯୋଜନାରେ ଲାଗିଛି ବ୍ରେକ। ଯନ୍ତ୍ରୀ ମୋଟା ଅଙ୍କର ପିସି ନେଉଥିବା ବେଳେ ଭିଜିଲାନ୍ସ ତଦନ୍ତ ପାଇଁ ଦାବି ହୋଇଛି। ସେହିଭଳି କାକଟପୁର ବ୍ଲକ ଅଂଚଳରେ ନିମ୍ନ ମାନର ଛତୁଆ ଓ ପରିମାଣ କମାଯାଇ ବଣ୍ଟନ କରାଯାଉଛି। ବାରମ୍ବାର ଅଭିଯୋଗ କଲେ ମଧ୍ୟ ଅସାଧୁ କର୍ମଚାରୀଙ୍କ ମିଲିଭଗତରେ ଏ ସବୁ ଦୁର୍ନୀତି ଫାଇଲ ତଳେ ଚାପି ହୋଇଯାଉଛି। ଉଦ୍ୟାନ କୃଷି ବିଭାଗର କାର୍ଯ୍ୟାଳୟକୁ ବ୍ଲକ ପରିସରକୁ ପୁନର୍ବାର ଫେରାଇ ଆଣିବାକୁ ଦାବି ହୋଇଛି। ସେହିଭଳି ପ୍ରତିଟି କାର୍ଯ୍ୟରେ ନିର୍ବାଚିତ ଲୋକ ପ୍ରତିନିଧି ଓ ଗ୍ରାମସଭାକୁ ସର୍ବୋଚ୍ଚ ଗୁରୁତ୍ବ ଦେବାକୁ ଦାବି ହୋଇଛି।

କାକଟପୁରରେ ଲୋକଙ୍କ ଟଙ୍କା ହରିଲୁଟ କରୁଛନ୍ତି ଦୁର୍ନୀତିଖୋର, ଭ୍ରଷ୍ଟାଚାର କର୍ମଚାରୀ ଓ ପଂଚାୟତ ସ୍ତରୀୟ କୁଜି ନେତା। ଯାହାକୁ ବିରୋଧ କରି ୩ ଦିନ ଧରି କାକଟପୁର ପଂଚାୟତ ସମିତି ସାମ୍ନାରେ ଧାରଣା ଜାରି ରହିଛି। ଏ ନେଇ କାକଟପୁର ବ୍ଲକ ଅଧ୍ୟକ୍ଷ କହିଛନ୍ତି ଖୁବଶୀଘ୍ର କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ଓ ଗୃହ ଗୁଡିକ ଉଦଘାଟନ ହେବ । ଏହା ସହ ଛତୁଆ କେନ୍ଦ୍ର ଗୁଡିକୁ ଅଧିକାରୀ ମାନେ ପରିଦର୍ଶନ କରି ମାନ ନିମ୍ନ ଧରଣ ଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି । ସେପଟେ କାକଟପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ କହିଛନ୍ତି, ପିସି ସମ୍ପୂର୍ଣ୍ଣ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନେ ନେଉଛନ୍ତି ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଚିନ୍ତାରେ ରାୟଗଡା ଜିଲ୍ଲାର କପା ଚାଷୀ।: ଅଭାବୀ ବିକ୍ରିର ଶିକାର ହେଉଛି ଚାଷୀ

ଚିନ୍ତାରେ ରାୟଗଡା ଜିଲ୍ଲାର କପା ଚାଷୀ। ନିମ୍ନମାନର ଦର୍ଶାଇ କପା କିଣୁନି ସିସିଆଇ। ଦଲାଲ ହାତରେ ଶାଗ ମାଛ ଦରରେ ଧଳାସୁନା ଟେକି ଦେଇ ଅଭାବୀ ବିକ୍ରିର ଶିକାର ହେଉଛି ଚାଷୀ। ରାଜ୍ୟ ବାହାରେ କପାର ଚାହିଦା ଅଧିକ ରହିଥିବାବେଳେ ଦଲାଲ ହେଉଛନ୍ତି ମାଲାମାଲ। ଜିଲ୍ଲାର ଆଦିବାସୀ ଚାଷୀ ମାନେ ହେକ୍ଟର ହେକ୍ଟର ଜମିରେ କପା ଉତ୍ପାଦନ କରୁଛନ୍ତି । ହେଲେ ଜିଲ୍ଲାରେ ବଜାର ବ୍ୟବସ୍ଥା ନାହିଁ କି ଆବଶ୍ୟକ ମଣ୍ଡି ଖୋଲାଯାଉନି । ସରକାରୀ ସ୍ତରରେ ୬ଟି ମଣ୍ଡି ରହିଥିବା ବେଳେ କେବଳ ୨ଟି ମଣ୍ଡି ଖୋଲାଯାଇଛି । ସିସିଆଇର ନିଜସ୍ବ ଗୋଦାମ ଗୃହ ନଥିବା ଯୋଗୁଁ ଚାଷୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମଣ୍ଡିକୁ ନେବା ପାଇଁ ପରିବହନ ଖର୍ଚ୍ଚ ପଡୁଥିବା ବେଳେ କପାର ମାନ କମ୍ ଦର୍ଶାଇ ସିସିଆଇ କମ୍ ଦାମରେ କ୍ରୟ କରୁଥିବା ଅଭିଯୋଗ ହୋଇଛି ।

ସିସିଆଇର ନିଜସ୍ବ ଗୋଦାମ ଗୃହ ନଥିବା ବେଳେ ଅଧିକାଂଶ କପା ଗୁଡିକୁ ମିଲର୍ ମାନଙ୍କ ଗୋଦାମରେ ରଖାଯାଉଛି । ଦଲାଲର ଶିକାର ନହେବା ପାଇଁ ପ୍ରଶାସନ ପକ୍ଷରୁ ଚାଷୀ ମାନଙ୍କୁ ସଚେତନ କରାଯାଉଥିବା ସତ୍ତ୍ବେ ଚାଷୀ ମାନେ ମଣ୍ଡିର ସୁବ୍ୟବସ୍ଥା ନଥିବା ଦର୍ଶାଇ ବାହାର ରାଜ୍ୟର ଦଲାଲ ମାନଙ୍କୁ କମ୍ ଦାମରେ କପା ବିକ୍ରି କରିବା ପାଇଁ ବାଧ୍ୟ ହେଉଛନ୍ତି । ଅନ୍ୟପଟେ ଚାଷୀଙ୍କ ଠାରୁ ନିର୍ଦ୍ଧାରିତ ସରକାରୀ ଦରରେ କପା କ୍ରୟ କରାଯାଉଥିବା ରାୟଗଡା ଉପଜିଲ୍ଲାପାଳ କହିଛନ୍ତି । କେତେବେଳେ ଅଦିନିଆ ବର୍ଷା, ତ ଆଉ କେତେବେଳେ ରୋଗ ପୋକ। କପା ଚାଷୀଙ୍କ ଆର୍ଥିକ ସ୍ଥିତିକୁ ଏହା ଦୁର୍ବଳ କରୁଥିବା ବେଳେ, ମଣ୍ଡି ସମସ୍ୟା ଚାଷୀଙ୍କ ଚିନ୍ତା ବଢ଼ାଉଛି। ଫଳରେ କପା ଚାଷରୁ ମୁହଁ ଫେରାଇବାକୁ ବସିଲେଣି ଚାଷୀ।

ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଘୋର ଅବ୍ୟବସ୍ଥା: ନାହାନ୍ତି ଆବଶ୍ୟକ ସଂଖ୍ୟକ ଡାକ୍ତର

ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଘୋର ଅବ୍ୟବସ୍ଥା। ନାହାନ୍ତି ଆବଶ୍ୟକ ସଂଖ୍ୟକ ଡାକ୍ତର। ଗଜପତି ଜିଲ୍ଲା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ମରୁଡ଼ି। ହାତ ଗଣିତ କିଛି ଡାକ୍ତରଙ୍କ ଦ୍ୱାରା ଚାଲିଛି ରୋଗୀସେବା । ମେଡିସିନ, ଗାଇନିକ, ସର୍ଜରୀ ଓ ପେଡିଆଟ୍ରିକଙ୍କ ଭଳି ସ୍ପେଶାଲିଷ୍ଟ ମେଡିକାଲରେ ନାହାନ୍ତି। ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରୋଗୀ। ପାନୀୟ ଜଳ ଓ ଶୌଚାଳୟ କଥା ନ କହିଲେ ଭଲ। ପାନୀୟ ଜଳ ଓ ଶୌଚାଳୟ ପାଇଁ ମେଡିକାଲ କର୍ତ୍ତୃପକ୍ଷ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି । ପରିତାପର ବିଷୟ ବର୍ଷାଦିନ ପାଣି ଗଳୁଥିବାରୁ ସରକାରୀ ବାସଭବନରେ ଜରି ପାଲ ପକାଇ ରହୁଛନ୍ତି ଡାକ୍ତର ଓ ନର୍ସ । ଅନ୍ୟପଟେ ଡିଜିଟାଲ ଏକ୍ସରେ ମେସିନ ନଥିବାରୁ ଲୋକେ ବାହାରକୁ ଯାଇ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି।

ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ମୋହନାରେ କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଅନ୍ୟପଟେ ଏହି ସବୁ ସମସ୍ୟା ସମ୍ପର୍କରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଯାଇଥିବା କହିଛନ୍ତି ମୋହନା ଭାରପ୍ରାପ୍ତ ଡାକ୍ତର ଜୟ ପଣ୍ଡା l ତେବେ ଖବର ପ୍ରସାରଣ ପରେ ସରକାର କଣ ପଦକ୍ଷେପ ନେଉଛନ୍ତି ତାକୁ ଅପେକ୍ଷା l

ଦେଶର ଏହି ରାଜ୍ୟରେ ଦ୍ରୁତ ଗତିରେ ବ୍ୟାପୁଛି HIV, ରୋକିବା ପାଇଁ କ’ଣ ନିଆଯାଇଛି ପଦକ୍ଷେପ ?

ନନ୍ଦିଘୋଷ ବ୍ୟୁରୋ  ; ବହୁ ପଦକ୍ଷେପ ସତ୍ତ୍ବେ ମିଜୋରାମରେ  ବୟସ୍କ HIVଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାର ପ୍ରସାର ହାର ପ୍ରାୟ ୨.୭୫ ପ୍ରତିଶତ ରହିଛି । ଜଣେ ଅଧିକାରୀଙ୍କ କହିବାନୁସାରେ, ଏଠାରେ ସଂକ୍ରମଣର ଜାତୀୟ ହାର ୦.୨୦ ପ୍ରତିଶତ ତୁଳନାରେ ଅଧିକ ରହିଛି । ମିଜୋରାମ ରାଜ୍ୟ ଏଡ୍‌ସ ନିରୀକ୍ଷଣ ସମାଜର ପରିଯୋଜନା ନିର୍ଦ୍ଦେଶକ ଡ. ଜେନ ଆର ରାଲ୍ଟେଙ୍କ ଅନୁସାରେ, ୨୦୧୮ ମସିହାରୁ HIV ସଂକ୍ରମଣର ନୂଆ ମାମଲାରେ ହ୍ରାସ ଦେଖିବାକୁ ମିଳିଛି । ନିରାକରଣ ରାକିଂରେ ମିଜୋରାମ ୨୦୨୪-୨୫ ମସିହାରେ ପଞ୍ଚମ ସ୍ଥାନରେ ଥିଲା । ବର୍ତ୍ତମାନ ୨୦୨୫-୨୬ ମସିହାରେ ଏହା ତୃତୀୟ ସ୍ଥାନକୁ ଖସି ଆସିଛି ।

ରାଲ୍ଟେ ମିଡିଆ ସାମ୍ନାରେ କହିଛନ୍ତି,  ରାଷ୍ଟ୍ରୀୟ ଏଡ୍‌ସ ନିୟନ୍ତ୍ରଣ ସଂଗଠନ ଅନୁସାରେ ନିରାକରଣ ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବା ପରେ ଏଥିରେ ସୁଧାର ଆସିଛି । ନୂଆ ସଂକ୍ରମଣ ୨୦୧୮ ମସିହା ଠାରୁ ହ୍ରାସ ପାଇବାରେ ଲାଗିଛି । ଏହି ସକାରାତ୍ମକ ଧାରା ସତ୍ତ୍ୱେ, ରାଲ୍ଟେ କହିଛନ୍ତି ଯେ ମିଜୋରାମରେ ଏବେ ବି ଦେଶରେ ସର୍ବାଧିକ ବୟସ୍କ HIV ପ୍ରସାର ହାର ରହିଛି। ରାଲ୍ଟେ କହିଛନ୍ତି ଯେ ଏପ୍ରିଲ ୨୦୨୪ରୁ ନଭେମ୍ବର ୨୦୨୫ମଧ୍ୟରେ ୧.୪ ଲକ୍ଷରୁ ଅଧିକ ରକ୍ତ ପରୀକ୍ଷା କରାଯାଇଥିଲା, ଯେଉଁଥିରୁ ଅତି କମରେ ୩ହଜାର ୨୫୭ ଜଣ HIV ସଂକ୍ରମଣ ଚିହ୍ନଟ କରାଯାଇଥିଲା ।  ଏହି ସଂକ୍ରମଣ ବ୍ୟକ୍ତିମାନଙ୍କ ମଧ୍ୟରେ  ୧୭୯ ଗର୍ଭବତୀ ମହିଳାଙ୍କ ସମେତ ୯୫୩ ଜଣ ମହିଳା ଥିଲେ ।

ରାଲ୍ଟେ କହିଛନ୍ତି ଯେ ସର୍ବାଧିକ ସଂଖ୍ୟକ HIV ମାମଲା ୨୫-୩୪ ବର୍ଷ ବୟସର ଲୋକଙ୍କ ମଧ୍ୟରେ ଦେଖାଯାଏ। ମିଜୋରାମରେ ପ୍ରଥମ HIV ମାମଲା ୧୯୯୦ ଅକ୍ଟୋବରରେ ରିପୋର୍ଟ କରାଯାଇଥିଲା ଏବଂ ଏପର୍ଯ୍ୟନ୍ତ ମୋଟ ୩୩ ହଜାର ୭୮୧ ମାମଲା ରିପୋର୍ଟ ହୋଇଛି। MSACSର ଜଣେ ଅଧିକାରୀ କହିଛନ୍ତି ଯେ ରାଜ୍ୟରେ ବର୍ତ୍ତମାନ ପ୍ରାୟ ୨୬ ହଜାର ୩୨୧ ଜଣ HIV ସଂକ୍ରମିତ।

ରାଲ୍ଟେ ଏହା ମଧ୍ୟ ରିପୋର୍ଟ କରିଛନ୍ତି ଯେ ଏପ୍ରିଲ୍ ୨୦୨୪ ରୁ ନଭେମ୍ବର ୨୦୨୫ ମଧ୍ୟରେ ରିପୋର୍ଟ ହୋଇଥିବା ୩ ହଜାର୨୫୭ ନୂଆ ଏଚଆଇଭି ମାମଲା ମଧ୍ୟରୁ ୭୦.୪ ପ୍ରତିଶତ ଯୌନ ସମ୍ପର୍କ ଯୋଗୁଁ ହୋଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସମାନ ଛୁଞ୍ଚି ବ୍ୟବହାର କରି ଭିନ୍ନ ଭିନ୍ନ ବ୍ୟକ୍ତି ଦ୍ୱାରା ଔଷଧ ବ୍ୟବହାର ଏବଂ ଇଞ୍ଜେକ୍ସନ ୨୭.୩ ପ୍ରତିଶତ ସଂକ୍ରମଣ ପାଇଁ ଦାୟୀ, ପିତାମାତାଙ୍କଠାରୁ ପିଲାକୁ ସଂକ୍ରମଣ ୧.୮ ପ୍ରତିଶତ ଏବଂ ଅଜଣା କାରଣ ଯୋଗୁଁ ସଂକ୍ରମଣ ୦.୮ ପ୍ରତିଶତ ସଂକ୍ରମଣ ପାଇଁ ଦାୟୀ।

ସ୍ୱାସ୍ଥ୍ୟମନ୍ତ୍ରୀ ଲାଲରିନପୁଇ କହିଛନ୍ତି ଯେ ରାଜ୍ୟ ସରକାର HIV ସଂକ୍ରମଣର ଉଚ୍ଚ ହାରକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ଠୋସ୍ ପଦକ୍ଷେପ ନେଉଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ମିଜୋରାମରେ ୧୪ଟି ଆଣ୍ଟିରେଟ୍ରୋଭାଇରାଲ୍ ଥେରାପି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି, ଯେଉଁଠାରେ ବର୍ତ୍ତମାନ ୧୮ ହଜାର ୩୫୫ ସଂକ୍ରମିତ ରୋଗୀ ମାଗଣା ଚିକିତ୍ସା ପାଉଛନ୍ତି।

ସ୍ୱାସ୍ଥ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ରାଜ୍ୟ ସରକାର ଏବେ ବିବାହ ପୂର୍ବରୁ HIV ପରୀକ୍ଷା କରିବା ବିଷୟରେ ସଚେତନତା ପ୍ରସାର କରିବା ପାଇଁ ଚର୍ଚ୍ଚଗୁଡ଼ିକ ସହିତ କାମ କରିବାକୁ ବିଚାର କରୁଛନ୍ତି ଯାହା ଦ୍ଵାରା ଲୋକମାନେ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଅଧିକ ସତର୍କ ଏବଂ ଦାୟିତ୍ୱବାନ ହେବେ।