ଭୁବନେଶ୍ବର: ରାଜଧାନୀରେ ହିଟ ଆଣ୍ଡ ରନ୍ । ୨ ଜଣଙ୍କ ଉପରେ ଚଢ଼ିଗଲା ବସ୍ । ଜଣେ ପୁରୁଷ ଓ ଜଣେ ମହିଳାଙ୍କ ମୃତ୍ୟୁ । ସକାଳୁ ସକାଳୁ ରାଜଧାନୀର ସିଆରପି ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାର ସହ ବସ୍ ଦୁର୍ଘଟଣା ଘଟିବା ପରେ ଏପରି ଘଟଣା ସାମ୍ନାକୁ ଆସିଛି । ଏହି ଦୁର୍ଘଟଣା ଏତେ ଭୀଷଣ ଥିଲା ଯେ, କାରଟି ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ରୁଜି ଚୁନା ହୋଇଯାଇଛି । ମୃତକଙ୍କ ଉପରେ ଗାଡି ମାଡିଯିବା ସହ ତାଙ୍କୁ ଅନେକ ବାଟ ଯାଏଁ ଘୋଷାଡି ନେଇଯାଇଥିଲା । ଫଳରେ ମୃତକଙ୍କୁ ଚିହ୍ନିବା କଷ୍ଟକର ହୋଇପଡିଥିଲା । ଖବର ପାଇଁ ନୟାପଲ୍ଲୀ ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହ ଉଦ୍ଧାର କରିବା ସହ ଜଣେ ଗୁରୁତର ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲା । ପୋଲିସ ଘଟଣାର ଛାନଭିନ ଆରମ୍ଭ କରିଛି । ସିସିଟିଭି ଆଧାରରେ ଚାଲିଛି ତଦନ୍ତ । ମୃତକଙ୍କ ପରିଚୟ ମିଳିଛି । ମୃତକ ହେଲେ ବରଗଡ଼ ଜିଲ୍ଲାର ୨୪ ବର୍ଷିୟା ଗୀତାଞ୍ଜଳି ରଣା ଓ ନୟାଗଡ଼ର ୪୧ ବର୍ଷିୟା ଝୁନା ମଣ୍ଡଳ। ସେହିପରି ଗୁରୁତର ଆହତ ହୋଇଛନ୍ତି ୪୫ ବର୍ଷୀୟ ପ୍ରଦୀପ ଜେନା ଓ ବରଗଡ଼ର ୨୬ ବର୍ଷିୟା ସୁନିତା ମେହର। ସେପଟେ ଦୁର୍ଘଟଣା ଘଟାଇ ଖଣ୍ଡଗିରି ଥାନାରେ ଅଟକିଲା ଡଲଫିନ୍ ବସ୍ । କୋଲକାତାରୁ ଭୁବନେଶ୍ୱର ଆସୁଥିବା ବେଳେ ଦୁର୍ଘଟଣା ଘଟାଇଥିଲା ଡଲଫିନ୍ ବସ୍ । ଦୁର୍ଘଟଣା ପରେ ବସ୍ଟିକୁ ଖଣ୍ଡଗିରି ଥାନାରେ ଅଟକ ରଖାଯାଇଛି । ବସ୍ ଡ୍ରାଇଭର ନୁସାଦ ଅଲିଙ୍କୁ କାବୁ କରିଛି ନୟାପଲ୍ଲୀ ଥାନା ପୋଲିସ । ତାଙ୍କୁ ନୟାପଲ୍ଲୀ ଥାନାରେ ଅଟକ ରଖି ପୋଲିସ ଅଧିକ ପଚରାଉଚରା କରୁଛି ।
ଘନେଇଲା ବାତ୍ୟା ଭୟ !
ନନ୍ଦିଘୋଷ ବ୍ୟୁରୋ: ଘନେଇଲା ବାତ୍ୟା ଭୟ । ଅତିଭୀଷଣ ବାତ୍ୟା ଅର୍ଣ୍ଣବ ବିପର୍ଯ୍ୟୟରୁ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ସମ୍ପୂର୍ଣ୍ଣ ମୁକୁଳି ନଥିବା ବେଳେ ବଙ୍ଗୋପସାଗରରେ ପୁଣି ଏକ ବାତ୍ୟା ଦାନା ବାନ୍ଧିଛି । ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଆଣ୍ଡାମାନ ସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ଶନିବାର ଅବପାତରେ ପରିଣତ ହୋଇଛି । ପରବର୍ତ୍ତୀ ୧୨ ଘଣ୍ଟା ମଧ୍ୟରେ ଏହା ଗଭୀର ଅବପାତ ରୂପ ନେଇ ବାତ୍ୟାର ରୂପ ନେଇପାରେ ।
ଧୀରେ ଧୀରେ ଏହା ଉପକୂଳମୁହାଁ ହେବା ସହ ନଭେମ୍ବର ୨ ତାରିଖରେ ଆନ୍ଧ୍ରପ୍ରଦେଶ ଉପକୂଳମୁହାଁ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବାତ୍ୟା ରୂପ ନେଲେ ଏହାର ନାଁ ରହିବ ମୁରସୁ । ଏହା ଭୀଷଣ ବାତ୍ୟାର ରୂପ ନେଇପାରେ ବୋଲି ଆଶଙ୍କା ରହିଛି । ଏହା ପ୍ରଭାବରେ ୨ ନଭେମ୍ବରରୁ ଓଡ଼ିଶାରେ ବଢ଼ିବ ବର୍ଷା । ଦକ୍ଷିଣ ଜିଲ୍ଲା ଗୁଡ଼ିକରେ ଅଧିକ ପ୍ରଭାବ ଆଶଙ୍କା ରହିଛି । ପବନର ବେଗ ୭୦ କିମି ଛୁଇଁପାରେ । ନଭେମ୍ବର ୧ ତାରିଖରେ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନଥିବା ବେଳେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । ନଭେମ୍ବର ୨ ତାରିଖରୁ ବର୍ଷାର ପରିମାଣ ବଢ଼ିବ । ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସହ ଝଟକା ପବନର ବେଗ ୬୦ କିଲୋମିଟର ରହିବା ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ବନ୍ୟା ବିତ୍ପାତ: ସ୍ଥିତି ପରଖୁଛି ବିଜେଡି ଟିମ୍
ନନ୍ଦିଘୋଷ ବ୍ୟୁରୋ: ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଦୁଇଦିନ ଧରି ଗଞ୍ଜାମ ଜିଲ୍ଲାରେ ବନ୍ୟାଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରୁଛି ବିଜେଡି ଟିମ୍ । ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଗଞ୍ଜାମ ବନ୍ୟାଞ୍ଚଳର ବିଭିନ୍ନ ସ୍ଥାନକୁ ଯାଇ ଲୋକଙ୍କ ସମସ୍ୟା ବୁଝୁଛି ବିଜେଡି ଟିମ୍ । ଆଜି ବନ୍ୟାଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା ସାନଖେମୁଣ୍ଡି, ଧରାକୋଟ, ନୂଆଗଡ଼, ସୋରଡ଼ା, ପୁରୁଷୋତ୍ତମପୁର ଅଞ୍ଚଳକୁ ଗସ୍ତ କରି ଲୋକଙ୍କ ଦୁଃଖ ଦୁର୍ଦ୍ଦଶା କଥା ବୁଝିବେ ଟିମ୍ । ସେହିଭଳି ଗତକାଲି ଚିକିଟି, ପାଟପୁର, ହିଞ୍ଜିଳି, ଶେରଗଡ଼, ଆସିକା, ଏବଂ ପୁରୁଷୋତ୍ତମପୁରରେ ସ୍ଥିତି ସମୀକ୍ଷା କରିଥିଲା ଟିମ୍ । ଶୁକ୍ରବାର ଜିଲ୍ଲାର ବନ୍ୟା ସ୍ଥିତି ସମ୍ପର୍କରେ ଜିଲ୍ଲାପାଳଙ୍କ ସହ କଥା ହୋଇଥିଲେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।
ବାତ୍ଯା ଅର୍ଣ୍ଣବ ପରବର୍ତ୍ତୀ ବନ୍ୟାରେ ଅଧିକ କ୍ଷତିଗ୍ରସ୍ତ ହୋଇଛି ଗଞ୍ଜାମ ଜିଲ୍ଲା । ଏଥିପାଇଁ ଦୁଇଦିନ ଧରି ନବୀନଙ୍କ ନିର୍ଦ୍ଦେଶରେ ବିଜେଡିର ଏକ ଟିମ ବିଭିନ୍ନ ଅଞ୍ଚଳ ଗସ୍ତ କରି ନବୀନଙ୍କୁ ସ୍ଥିତି ବିଷୟରେ ଅବଗତ କରାଇଛନ୍ତି ।
ବନ୍ୟା ଛାଡୁଛି: ଦୁର୍ଦ୍ଦଶା ବଢୁଛି
ନନ୍ଦିଘୋଷ ବ୍ୟୁରୋ: ଧୀରେ ଧୀରେ ସୁଧରୁଛି ଗଞ୍ଜାମ ବନ୍ୟା ସ୍ଥିତି । ପାଣି ଛାଡ଼ିଥିଲେ ସୁଦ୍ଧା ବଢୁଛି ବନ୍ୟାଞ୍ଚଳବାସୀଙ୍କ ଦୁର୍ଦ୍ଦଶା । ୧୯୯୦ ମସିହା ଠାରୁ ବଳିଗଲା ୨୦୨୬ର ବନ୍ୟା । ସରକାରଙ୍କ ଅସାବଧାନତା ଓ ଖାମଖିଆଲି ମନୋଭାବ ଯୋଗୁଁ ଦୁର୍ଦ୍ଦଶା ଭୋଗୁଛନ୍ତି ଗଞ୍ଜାମ ଜିଲ୍ଲାବାସୀ । ଗଞ୍ଜାମ ଜିଲ୍ଲାର ଜଳ ବିଭୀଷିକା ସବୁ ବର୍ଗର ଲୋକମାନଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି । ଧାନ ଫସଲ, ପନି ପରିବା ଚାଷ, ମାଛ ଓ କୁକୁଡ଼ା ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଉଜୁଡ଼ା ଚାଷକୁ ଦେଖି କିପରି ନିଜର ପରିବାର ଚଳାଇବେ ତାକୁ ନେଇ ଚିନ୍ତାରେ ଲୋକେ ।
ଏହି ବନ୍ୟା ବିଭୀଷିକ ଉଜାଡ଼ି ଦେଇଛି ଅନେକଙ୍କ ହସଖୁସିର ସଂସାର । ପ୍ରକୃତିର ତାଣ୍ଡବରେ ଛାରଖାର ହୋଇଛି ଗଞ୍ଜାମ ଜିଲ୍ଲାର ଅନେକ ଅଞ୍ଚଳ । ଜିଲ୍ଲାରେ ଲକ୍ଷେରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରେ ୩୬୭ ଟି ରିଲିଫ କ୍ୟାମ୍ପରେ ଏବେବି ପ୍ରାୟ ୪୦ ହଜାର ଲୋକ ଅଛନ୍ତି । ସେହିପରି ଗଜପତିରେ ପ୍ରାୟ ୨୨ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ୩୪୦ଟି ରିଲିଫ କ୍ୟାମ୍ପ କରାଯାଇଛି । ଗଂଜାମରେ ୮୦ରୁ ୮୫ ପ୍ରତିଶତ ବିଦ୍ୟୁତ ଭିତ୍ତିଭୂମି ପୁନଃରୁଦ୍ଧାର ହୋଇଛି । ସବୁ ଗାଁ ୱାର୍ଡରେ ରନ୍ଧା ଖାଦ୍ୟ ଦିଆଯାଉଛି । ଓଡିଶା ଇତିହାସରେ ପାତ୍ରପୁରରେ ଚତୁର୍ଥ ବଡ଼ ବର୍ଷା ହୋଇଛି ବୋଲି କହିଛନ୍ତି ଏସଆରସି । ୧୯୯୧ ଏବଂ ୨୦୧୯ ପରେ ଚଳିତ ବର୍ଷା ବଡ଼ ବର୍ଷା ହୋଇଛି । ୧୯୯୧ରେ ଥୁଆମୂଳ-ରାମପୁରରେ ୮୨୫ ମିଲିମିଟର, ୨୦୧୯ରେ କର୍ଲାମୁଣ୍ଡାରେ ୬୦୮ ମିଲିମିଟର, ବଲାଙ୍ଗୀରରେ ୫୫୫ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା । ତାପରେ ଚଳିତ ବର୍ଷ ପାତ୍ରପୁରରେ ୫୪୬ ମିଲିମିଟର ବର୍ଷା ଚତୁର୍ଥ ବଡ ବର୍ଷା ଭାବେ ରେକର୍ଡ ହୋଇଛି । ଅତି ପ୍ରବଳ ବର୍ଷା ପାଇଁ ଏଭଳି ପରିଣାମ ହେଲା ବୋଲି କହିଛନ୍ତି ଏସଆରସି ।
ଆଜି ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ୍ ଟକ୍କର !
ନନ୍ଦିଘୋଷ ବ୍ୟୁରୋ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ରୋମାଞ୍ଚକର ଟି-୨୦ ସିରିଜ୍ ର ଆଜି ହେଉଛି ଶେଷ ମୁକାବିଲା । ଏହି ମ୍ୟାଚ୍ ଆଜି ହାମିଲଟନଠାରେ ଖେଳାଯିବ। କ୍ୟାପଟେନ୍ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଭାରତୀୟ ଦଳ ପ୍ରଥମ ତିନୋଟି ମ୍ୟାଚ୍ କ୍ରମାଗତ ଭାବେ ଜିତି ସିରିଜ୍କୁ ପୂର୍ବରୁ ହିଁ ନିଜ ନାମରେ କରିସାରିଛି । ତେବେ ବିଜୟ ରଥରେ ଆଗକୁ ବଢ଼ୁଥିବା ଟିମ୍ ଇଣ୍ଡିଆକୁ ଅକଲ୍ୟାଣ୍ଡରେ ଖେଳାଯାଇଥିବା ଚତୁର୍ଥ ମ୍ୟାଚ୍ରେ ଏକ ବଡ଼ ଝଟ୍କା ଲାଗିଥିଲା ।ଘରୋଇ ନ୍ୟୁଜିଲାଣ୍ଡ ଦଳ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ଚତୁର୍ଥ ମ୍ୟାଚ୍କୁ ୮୭ ରନ୍ରେ ଜିତି ନେଇଥିଲା ।ଆଜି ହେବାକୁ ଥିବା ପଞ୍ଚମ ମ୍ୟାଚ୍ରେ ଭାରତ ଗତ ମ୍ୟାଚ୍ର ଭୁଲକୁ ସୁଧାରି ୪-୧ ବ୍ୟବଧାନରେ ବିଜୟ ସହ ସିରିଜ୍ ଶେଷ କରିବାକୁ ପଡ଼ିଆକୁ ଓହ୍ଲାଇବ । ସେଥିପାଇଁ ଟିମ୍ ମ୍ୟାନେଜମେଣ୍ଟ ପ୍ଲେଇଙ୍ଗ୍-୧୧ରେ କିଛି ପରିବର୍ତ୍ତନ କରିବାକୁ ବିଚାର କରିପାରନ୍ତି । ବିଶେଷକରି ଓପନର୍ ସଞ୍ଜ ସାମସନଙ୍କ ଜାଗାରେ ଯୁବ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀଙ୍କୁ ସାମିଲ କରାଯାଇପାରେ । ସିରିଜର ପ୍ରଥମ ମ୍ୟାଚ୍ ରେ ୬୭ ରନ୍ ର ଚମତ୍କାର ପ୍ରଦର୍ଶନ କରିଥିବା ସଞ୍ଜୁ ସାମସନ ଏହା ପରଠାରୁ ଲଗାତାର ଭାବେ ବଡ ଇନିଂସ ଖେଳିବାରେ ବିଫଳ ହୋଇଛନ୍ତି । ଗତ ତିନୋଟି ମ୍ୟାଚରେ ସେ ଯଥାକ୍ରମେ ୧୪,୧୮ ଏବଂ ୪ ରନ୍ କରିପାରିଥିଲେ । ଏପରି ସ୍ଥିତିରେ ତାଙ୍କ ସ୍ଥାନରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ ମିଳିପାରେ ।
ଅନ୍ୟପଟେ ନିଜ ମାଟିରେ ସମ୍ମାନ ରକ୍ଷା କରିବା ପାଇଁ ବ୍ଲାକକ୍ୟାପ୍ସ ଦଳ ପୁଣି ଏକ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିବାକୁ ଚେଷ୍ଟା କରିବ। ତେବେ ମ୍ୟାଚ୍ ପାଇଁ ହାମିଲଟନରେ ପାଗ ମୁଖ୍ୟତଃ ଅନୁକୂଳ ରହିବ ବୋଲି ଆଶା କରାଯାଉଛି । ବର୍ଷା ହେବାର ସମ୍ଭାବନା ଖୁବ କମ ଥିବାରୁ ପୂରା ୪୦ ଓଭର ବିଶିଷ୍ଟ ମ୍ୟାଚ୍ ହେବ ବୋଲି ଆଶା ରହିଛି ।
ଦିଲ୍ଲୀରେ ଇଣ୍ଡି ମେଣ୍ଟର ମହାରାଲି…
ନନ୍ଦିଘୋଷ ବ୍ୟୁରୋ: ସିଇସି ଜ୍ଞାନେଶ କୁମାରଙ୍କୁ ହଟାଇବା ଏବଂ ଏସଆଇଆର ବିରୋଧରେ ଆଜି ଇଣ୍ଡି ମେଣ୍ଟର ମହାରାଲି । ଏହି ରାଲି କନଟ୍ ପ୍ଲେସ୍ରୁ ଆରମ୍ଭ ହେବ, ମିଣ୍ଟୋ ରୋଡ୍ ଜଙ୍କସନ୍ ଦେଇ ଆଗକୁ ବଢ଼ିବ ଏବଂ ଆଜମେରି ଗେଟ୍ ଦେଇ ରାମଲୀଳା ମୈଦାନରେ ପହଞ୍ଚିବ । ସମାବେଶରେ ଦେଶରୁ ଲକ୍ଷାଧିକ କର୍ମୀ ସାମିଲ ହେବା ସମ୍ଭାବନା ରହିଛି । ସମାବେଶ ଲାଗି ସାରା ଦେଶରୁ ଆସିବାରେ ଲାଗିଛନ୍ତି ହଜାର ହଜାର କର୍ମୀ।
କେନ୍ଦ୍ର ସରକାରଙ୍କ ବିରୋଧରେ ଏହି ମହାରାଲି ଲାଗି ଦିଲ୍ଲୀ ପୋଲିସ ପକ୍ଷରୁ ହୋଇଛି କଡ଼ା ସୁରକ୍ଷା ବ୍ୟବସ୍ଥା । ବିଭିନ୍ନ ସ୍ଥାନରେ ବ୍ୟାରିକେଡ ଲଗାଯାଇଛି । ମାର୍ଚ୍ଚର ମାର୍ଗ ଏବଂ ସ୍ଥାନରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର ୪ ହଜାରରୁ ଅଧିକ ପୋଲିସ କର୍ମଚାରୀ ଏବଂ କଣ୍ଟିଜେଣ୍ଟ ନିୟୋଜିତ ହୋଇଛନ୍ତି । ରାମଲୀଳା ମଇଦାନକୁ ୧୪ ଟି ସୁରକ୍ଷା ଜୋନରେ ବିଭକ୍ତ କରାଯାଇଛି । ଯେଉଁଠି ପ୍ରତ୍ୟେକଟି ଜୋନ୍ ଉପରେ ଜଣେ ସହାୟକ କମିଶନର ସ୍ତରର ଅଧିକାରୀ ନଜର ରଖିବେ । ସ୍ଥିତି ଉପରେ ନଜର ରଖିବ ୨ଶହ ସିସିଟିଭି କ୍ୟାମେରା ଓ ଡ୍ରୋନ । ସେପଟେ ସ୍ଥିତିକୁ ନଜରରେ ରଖି ୧୦ଟାରୁ ୫ଟା ଯାଏଁ ଦିଲ୍ଲୀର ବିଭିନ୍ନ ମାର୍ଗରେ ଟ୍ରାଫିକ କଟକଣା ଲାଗୁ କରାଯାଇଛି । ସେପଟେ ଆଜି ବି ଦିଲ୍ଲୀରେ କାଉଣ୍ଟର ଷ୍ଟ୍ରାଟେଜି କରିଛି ବିଜେପି । ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ପଶ୍ଚିମ ଦିଲ୍ଲୀର ହରିନଗରରେ ବିଜେପି କାଉଣ୍ଟର ରାଲି ।
କୋଟିଆ ବିଜେପି ପାଇଁ ଅଗ୍ନିପରୀକ୍ଷାର ଘଡି; ବିଜେଡିର ଅଭିଯୋଗ, ଆନ୍ଧ୍ର ପାଖରେ କରିଛନ୍ତି ଆତ୍ମସମର୍ପଣ
କୋଟିଆ ବିଜେପି ପାଇଁ ଅଗ୍ନିପରୀକ୍ଷାର ଘଡି; ବିଜେଡିର ଅଭିଯୋଗ, ଆନ୍ଧ୍ର ପାଖରେ କରିଛନ୍ତି ଆତ୍ମସମର୍ପଣ
ନନ୍ଦିଘୋଷ ବ୍ୟୁରୋ: ଓଡ଼ିଆ ଅସ୍ମିତା କଥା କହି ବିଜେପି ଶାସନକୁ ଆସିବା ପରେ ଓଡିଶାର ସୀମା ଅସୁରକ୍ଷିତ । ସ୍ଥିତି ଏପରି ହୋଇଛି କି ନଭେମ୍ବର ୫ ତାରିଖରେ ଆନ୍ଧ୍ର ଜୋରଜବରଦସ୍ତ କୋଟିଆରେ ପଞ୍ଚାୟତ ନିର୍ବାଚନ କରୁଛି । ଯାହାକୁ ନେଇ ସାରା ରାଜ୍ୟରେ ତୀବ୍ର ବିରୋଧ ଦେଖାଦେଇଥିବାବେଳେ ରାଜ୍ୟ ସରକାର ଆନ୍ତରିକତା ଦେଖାଇ ନିର୍ବାଚନ ବନ୍ଦ କରାନ୍ତୁ ବୋଲି ବିରୋଧୀ ଦାବି କରିଛନ୍ତି । କାହିଁକି ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ କଥା ହେଉ ନାହାନ୍ତି ବୋଲି ପ୍ରଶ୍ନ କରିଛି ବିଜେଡି । କଂଗ୍ରେସ କହିଛି ବିଜେପି କେବଳ ଭାଷଣ ମାରେ ଓ ଫମ୍ପା ପ୍ରତିଶ୍ରୁତି ଦିଏ ।
କୋଟିଆରେ ଆନ୍ଧ୍ର ନିର୍ବାଚନ ତାରିଖ ପାଖେଇବାରେ ଲାଗିଛି । ଏହାକୁ ନେଇ ପ୍ରତିବାଦର ସ୍ବର ବେଳକୁ ବେଳ ବଳିୟାନ ହେବାରେ ଲାଗିଛି । ଓଡିଶା ସାରା ଗୋଟିଏ ନାରା ଚାଲିଛି । କୋଟିଆ ଓଡିଶାର, ଆନ୍ଧ୍ର କୋଟିଆରେ ପଶିପାରିବ ନାହିଁ । ନଭେମ୍ବର ୫ ତାରିଖରେ କୋଟିଆରେ ଆନ୍ଧ୍ର ପଂଚାୟତ ନିର୍ବାଚନ କରିବାକୁ ଯାଉଛି । ଯାହାକୁ ନେଇ ବିଜେପି ସରକାରକୁ ନିଶାନା କରିଛି ବିଜେଡି । ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ଆନ୍ଧ୍ର ପାଖରେ ଆତ୍ମସମର୍ପଣ କରିଛି ବିଜେପି ସରକାର । ଯାହା ଭୀରୁତାର ପରିଚୟ । କୋଟିଆରେ ବର୍ତ୍ତମାନ ବିଜେପି ସରକାର ପାଇଁ ଅଗ୍ନି ପରୀକ୍ଷା । ଓଡ଼ିଆ ଅସ୍ମିତା କଥା କହି ସରକାରକୁ ଆସିଲା ବିଜେପି । ହେଲେ ଏବେ ସରକାର ନିଘୋଡ଼ ନିଦରେ ଶୋଇଛନ୍ତି । ଆନ୍ଧ୍ର ୩ରୁ ୫ତାରିଖକୁ ନିର୍ବାଚନ ଘୁଞ୍ଚାଇଛି । ଏହି ସମୟ ଭିତରେ ସରକାର ସର୍ବଦଳୀୟ ବୈଠକ ଡାକି ପାରିଥାନ୍ତେ । ନବୀନ ବାବୁ ଲେଖିଥିବା ଚିଠିର ଉତ୍ତର ନଦେଇ ତାଚ୍ଛଲ୍ୟ କରୁଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ କଥା ହୋଇ ନାହାନ୍ତି । ବିଜେପିର କେନ୍ଦ୍ରରୁ ନେଇ ରାଜ୍ୟ ପର୍ଯ୍ୟନ୍ତ ସବୁ ନେତା ନିରବ । କାଳେ କେନ୍ଦ୍ରରେ ବିଜେପି ସରକାର ଭାଙ୍ଗିଯିବ ସେଥିପାଇଁ ଆନ୍ଧ୍ର ପାଖରେ ଓଡ଼ିଶା ସରକାର ଆତ୍ମସମର୍ପଣ କରି ଦେଇଛନ୍ତି । ଯଦି କୋଟିଆରୁ ଇଞ୍ଚେ ମଧ୍ୟ ଜାଗା ଯାଏ, ତା’ହେଲେ ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଦାୟୀ ବୋଲି ବିଜେଡି କହିଛି । ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜେଡି ନେତାମାନେ କୋଟିଆରେ ଲଢେଇ ଜାରି ରଖିଛନ୍ତି । କୋଟିଆରେ ବିଜେପି ନେତାଙ୍କ ଦେଖା ନାହିଁ ବୋଲି ବିଜେଡି ଅଭିଯୋଗ କରିଛି ।
କୋଟିଆ ସମାଧାନ କଥାରେ ନୁହେଁ, ଆନ୍ତରିକତାର ସହ କରନ୍ତୁ ସରକାର । ଆନ୍ଧ୍ରର ବାରମ୍ବାର ଅନୁପ୍ରବେଶ ଓ ପଂଚାୟତ ନିର୍ବାଚନ ନେଇ ବିଜେପି ଚୁପ କାହିଁକି ବୋଲି କଂଗ୍ରେସ ପ୍ରଶ୍ନ କରିଛି । ବିଜେପି କହିଛି କୋଟିଆ ନେଇ ଉଚିତ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର ।
କୋଟିଆରେ ନଭେମ୍ବର ୫ ତାରିଖ ଦିନ ସବୁ ପଂଚାୟତରେ ବିଜେଡି ବିରୋଧ ଶୋଭାଯାତ୍ରା କରିବ । କୋଟିଆବାସୀଙ୍କୁ କଂଗ୍ରେସ ମଧ୍ୟ ଭୋଟ ବର୍ଜନ ପାଇଁ ଆହ୍ବାନ ଦେଇଛି । ବିଜେପି ଏ ପ୍ରସଙ୍ଗରେ ରାଜନୈତିକ ଯୁକ୍ତି ବାଢି ଦୋଷ ଛଡାଇବାକୁ ଉଦ୍ୟମ କରୁଛି ।
ଗଞ୍ଜାମ ବନ୍ୟାର ଅସନ୍ତୋଷ: ବିଧାୟକଙ୍କୁ ମାଡ଼, ପ୍ରଶାସନିକ ଅଧିକାରୀଙ୍କୁ ଗୋଡ଼ାଉଛନ୍ତି ଲୋକେ
ଗଞ୍ଜାମ ବନ୍ୟାର ଅସନ୍ତୋଷ: ବିଧାୟକଙ୍କୁ ମାଡ଼, ପ୍ରଶାସନିକ ଅଧିକାରୀଙ୍କୁ ଗୋଡ଼ାଉଛନ୍ତି ଲୋକେ
ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମରେ ପ୍ରଳୟଙ୍କାରୀ ବନ୍ୟା ଲୋକଙ୍କ ଆଖିର ନିଦ ହଜାଇ ଦେଇଥିବା ବେଳେ ରାଜ୍ୟ ବିଜେପି ସରକାର ଓ ସ୍ଥାନୀୟ ପ୍ରଶାସନ ଉପରେ ଯେମିତି କିଛି ପ୍ରଭାବ ପକାଇନାହିଁ । ଲୋକେ ବନ୍ୟାରେ ସର୍ବସ୍ବ ହରାଇ ଦାଣ୍ଡକୁ ଚାଲି ଆସିଛନ୍ତି । ହେଲେ ଠିକ ସମୟରେ ନା ପ୍ରଶାସନ ନା ସରକାର ତାଙ୍କ ପାଖରେ ପହଞ୍ଚିଛି । ଆଉ ବନ୍ୟାର ତିନିଦିନ ପରେ ଲୋକଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରି ଜିଲ୍ଲାର ବିଭିନ୍ନ ସ୍ଥାନରେ ହଟହଟା ହେଉଛନ୍ତି ପ୍ରଶାସନିକ ଅଧିକାରୀ ଏବଂ ବିଜେପି ଲୋକ ପ୍ରତିନିଧି । ଏପରିକି ବିଜେପି ବିଧାୟକଙ୍କୁ ଆକ୍ରମଣ କରିବାକୁ ପଛାଇ ନାହାନ୍ତି ଉତ୍ତ୍ୟକ୍ତ ଲୋକେ ।
ବିଧାୟକଙ୍କୁ ମାଡ଼
ବନ୍ୟାର ତିନିଦିନ ପରେ ପୁରୁଷୋତ୍ତମପୁର ଅଞ୍ଚଳ ପରିଦର୍ଶନ କରିବାକୁ ଆସି ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣର ଶିକାର ହୋଇଛନ୍ତି ଖଲ୍ଲିକୋଟର ବିଜେପି ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ । ଉତ୍ତ୍ୟକ୍ତ ଲୋକେ ତାଙ୍କୁ ଘେରି ଯାଇ ନିଜର ଅସନ୍ତୋଷ ଜାହିର କରିଥିଲେ । ଏହାସହ ତାଙ୍କୁ ଘୋଷଡି ନେଇ ତଳେ ପକାଇ ଦେଇଥିଲେ । ଆକ୍ରମଣର ଶିକାର ହେବା ପରେ ବିଧାୟକ ନିଜ ଗାଡିରେ ବସି ପଡ଼ି ସେଠାରୁ ଫେରି ଯାଇଥିଲେ ।
ଶେରଗଡ଼ରେ ପ୍ରଶାସନକୁ ଘେରିଲେ
କେବଳ ପୁରୁଷୋତ୍ତମପୁର ନୁହେଁ, ଶେରଗଡ଼ରେ ମଧ୍ୟ ଲୋକଙ୍କ ଅସନ୍ତୋଷ ଦେଖିବାକୁ ମିଳିଛି । ବନ୍ୟାଞ୍ଚଳ ପରିଦର୍ଶନରେ ଆସିଥିବା ଅତିରିକ୍ତ ଜିଲ୍ଲାପଳ ସଚିଦାନନ୍ଦ ନାୟକ ଏବଂ ଶେରଗଡ଼ ବିଡିଓ ତୃପ୍ତିମୟୀ ଜେନାଙ୍କ ଗାଡିକୁ ଶେରଗଡ଼ ମୁଖ୍ୟ ବଜାରରେ ଅଟକାଇଥିଲେ ଲୋକେ । ଏହାପରେ ସେଠାରେ ଏକାଠି ହୋଇଯାଇଥିଲେ ଶହ ଶହ ଉତ୍ତ୍ୟକ୍ତ ଲୋକେ । ଗୋ-ବ୍ୟାକ୍, ଗୋ-ବ୍ୟାକ୍ ଡାକରେ ପୂରା ଅଞ୍ଚଳ କମ୍ପିଥିଲା । ସ୍ଥିତି ଏମିତି ହୋଇଥିଲା ଯେ, ଦୁଇ ପ୍ରଶାସନିକ ଅଧିକାରୀ ଗାଡିରୁ ଓହ୍ଲାଇ ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିବାକୁ ସାହାସ ମଧ୍ୟ କରିପାରିଲେ ନାହିଁ । ଶେଷରେ ଲୋକଙ୍କ ବିରୋଧର ସମ୍ମୁଖୀନ ହୋଇ ସେଠାରୁ ଫେରି ଯିବାକୁ ବାଧ୍ୟ ହୋଇଥିଲେ ।
ବିଡିଓଙ୍କ ଗାଡି ଆଗରେ ଶୋଇଲେ
ସାନଖେମୁଣ୍ଡିରେ ମଧ୍ୟ ଦେଖିବାକୁ ମିଳିଛି ଅସନ୍ତୋଷ । ସାନଖେମୁଣ୍ଡି ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କୁ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି । ଏପରିକି ତାଙ୍କ କାର ସାମ୍ନାରେ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ଶୋଇଯାଇଥିଲେ । ବନ୍ୟା ସତ୍ତ୍ବେ ପ୍ରଶାସନିକ ଅଧିକାରୀଙ୍କ ଦେଖା ନମିଳିବା ପ୍ରତିବାଦରେ ଏପରି କରିଥିଲେ ସରପଞ୍ଚଙ୍କ ପ୍ରତିନିଧି । ଅର୍ଣ୍ଣବ ବାତ୍ୟା ପରେ ପ୍ରବଳ ବର୍ଷା ଯୋଗୁଁ ସବୁଠି ଜଳ ପ୍ରଳୟ ଦେଖିବାକୁ ମିଳିଛି । ସମସ୍ତ କାର୍ଯ୍ୟାଳୟ ସହ ବିଦ୍ୟାଳୟ ବନ୍ଦ ରହିଛି । ପାଣି ଥିବାରୁ ଅନେକ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର ଖୋଲାଯାଇ ପାରିନି । ଲୋକଙ୍କ ବିପଦ ସମୟରେ କୌଣସି ପ୍ରଶାସନିକ ଅଧିକାରୀଙ୍କ ଦେଖାମିଳି ନଥିଲା । ଏମିତି ସ୍ଥିତିରେ ବିଡିଓଙ୍କ କାର ଆଗରେ ଶୋଇ ପ୍ରତିବାଦ ଜଣାଇଥିଲେ ସରପଞ୍ଚଙ୍କ ପ୍ରତିନିଧି ମିଥୁନ ସେଠୀ ।
ଅଣ୍ଟା ଭାଙ୍ଗିଦେଲା ଅର୍ଣ୍ଣବ ପରବର୍ତ୍ତୀ ବନ୍ୟା, ପାଣି ଛାଡ଼ିବା ପରେ ଗଞ୍ଜାମ ଜିଲ୍ଲାର ସବୁଠି ପ୍ରଳୟର ଦୃଶ୍ୟ
ଅଣ୍ଟା ଭାଙ୍ଗିଦେଲା ଅର୍ଣ୍ଣବ ପରବର୍ତ୍ତୀ ବନ୍ୟା, ପାଣି ଛାଡ଼ିବା ପରେ ଗଞ୍ଜାମ ଜିଲ୍ଲାର ସବୁଠି ପ୍ରଳୟର ଦୃଶ୍ୟ
ନନ୍ଦିଘୋଷ ବ୍ୟୁରୋ: ଛାରଖାର କରିଦେଲେ ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ଲଗାଣ ବର୍ଷା । ବନ୍ୟାରେ ଉବୁଟୁବୁ ଗଞ୍ଜାମ ଜିଲ୍ଲାରେ ଏବେ ସବୁଠି ହାହାକାର । ବର୍ଷା ଛାଡ଼ିଲା, ଅନେକ ସ୍ଥାନରୁ ପାଣି ବି କମିଲା । ହେଲେ ଜିଲ୍ଲାବାସୀଙ୍କ ଉପରେ ଅଜାଡ଼ି ଦେଇଗଲା ଅକଥନୀୟ ଯନ୍ତ୍ରଣା ଆଉ ଦୁଃଖ । ଏବେ ବି ଜଳ କଷ୍ଟରେ ଘାଣ୍ଟି ହେଉଛନ୍ତି ଅନେକ ଅଞ୍ଚଳବାସୀ । ସବୁଠି ଭଙ୍ଗା ଓ ବିଭୀଷିକାର ଚିତ୍ର । ନିଜ ଉଜୁଡ଼ି ଯାଇଥିବା ଘର ଓ ବ୍ୟବସାୟକୁ ଦେଖି ଆଖିରୁ ଲୁହ ଝରାଉଛନ୍ତି ଲୋକେ ।
୧୯୯୦ ମସିହାଠାରୁ ବଢିଗଲା ୨୦୨୬ର ବନ୍ୟା । ସରକାରଙ୍କ ଅସାବଧାନତା ଓ ଖାମଖିଆଲି ମନୋଭାବ ଯୋଗୁଁ ଦୁର୍ଦ୍ଦଶା ଭୋଗୁଛନ୍ତି ଗଞ୍ଜାମ ଜିଲ୍ଲାବାସୀ । ଆଉ ଗଞ୍ଜାମ ଜିଲ୍ଲା ପ୍ରଶାସନ କେବଳ ବୈଠକ ଉପରେ ବୈଠକ ଡାକି ବନ୍ୟା ପରିଚାଳନା ସମୀକ୍ଷା କରୁଛି । ଗଞ୍ଜାମ ଜିଲ୍ଲାର ଜଳ ବିଭୀଷିକା ସବୁ ବର୍ଗର ଲୋକଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଛି । ଧାନ ଫସଲ, ପନିପରିବା ଚାଷ, ମାଛ ଓ କୁକୁଡ଼ା ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଉଜୁଡ଼ା ଚାଷକୁ ଦେଖି କିପରି ନିଜର ପରିବାର ଚଳାଇବେ ତାକୁ ନେଇ ଚିନ୍ତାରେ ଲୋକେ । ଏହି ବନ୍ୟା ଉଜାଡ଼ି ଦେଇଛି ଅନେକଙ୍କ ହସ ଖୁସିର ସଂସାର । ପ୍ରକୃତିର ତାଣ୍ଡବରେ ଛାରଖାର ହୋଇଛି ଗଞ୍ଜାମ ଜିଲ୍ଲାର ଅନେକ ଅଞ୍ଚଳ ।
ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଲଗାତାର ପ୍ରବଳ ବର୍ଷା ଓ ନଦୀରେ ବନ୍ୟାଜଳ ଆସିବା ଯୋଗୁଁ ଜିଲ୍ଲାରେ ସୃଷ୍ଟି ହୋଇଛି ଭୟଙ୍କର ବନ୍ୟା । ଅନେକ ଗାଁ ଜଳବନ୍ଦୀ ହୋଇଥିବା ବେଳେ ଘରଦ୍ୱାର, ରାସ୍ତାଘାଟ ସବୁକିଛି ଛାରଖାର ହୋଇଯାଇଛି । ଲୋକଙ୍କ ଆଖିରେ ଲୁହ, ମନରେ ଅସରନ୍ତି ଦୁଃଖ । ଜିଲ୍ଲାର ସୋରଡ଼ା, ଆସିକା, ଧରାକୋଟ, ପୁରୁଷୋତ୍ତମପୁର, ଚିକିଟି, ପାତ୍ରପୁର ଓ ସାନଖେମୁଣ୍ଡି ଭଳି ଅଞ୍ଚଳ ବନ୍ୟାରେ ବିଶେଷ ପ୍ରଭାବିତ ହୋଇଛି ।
ବନ୍ୟାଜଳ ଧୀରେ ଧୀରେ ହ୍ରାସ ପାଉଥିଲେ ମଧ୍ୟ ଲୋକଙ୍କ ଦୁର୍ଦ୍ଦଶା କମିନାହିଁ । ଘରକୁ ଫେରି ଭଙ୍ଗା କାନ୍ଥ, ନଷ୍ଟ ଆସବାବପତ୍ର ଓ ଉଜୁଡ଼ା ଚାଷଜମିକୁ ଦେଖି ଆଖିରୁ ଲୁହ ଝରାଉଛନ୍ତି ବିପନ୍ନ । ପ୍ରକୃତିର ଏହି କରାଳ ରୂପ ଗଞ୍ଜାମବାସୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ରାସ୍ତାଘାଟ ସବୁଠି ପ୍ରଳୟଙ୍କରୀ ବନ୍ୟା ତାଣ୍ଡବ ରଚିଛି । ବାହାରେ ପଡ଼ିଛି ଲୋକଙ୍କ ଆସବାବପତ୍ରଠାରୁ ଆରମ୍ଭ କରି ଘରକରଣା ଦ୍ରବ୍ୟ । ଘର ସଫା କରି ନିଜର ଘରକରଣା ସାଉଁଟୁଛନ୍ତି ଲୋକେ ।
ବନ୍ଦ ହେବ ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନ !
ନନ୍ଦିଘୋଷ ବ୍ୟୁରୋ: କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଜବାବ୍ ମାଗିଲା AIUTUC । ଦାବି ପୂରଣ ନହେଲେ ଆଗକୁ ବନ୍ଦ ହେବ ମଧ୍ୟାହ୍ନ ଭୋଜନ ସେବା । ପ୍ରଭାବିତ ହେବେ ଛାତ୍ରଛାତ୍ରୀ । ସରକାରୀ ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଥିବା ପାଚିକାମାନେ ଏବେ ନିଜର ବିଭିନ୍ନ ଦାବିକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି । ପାଚିକାମାନଙ୍କୁ ସର୍ବନିମ୍ନ ଦରମା ପ୍ରଦାନ କରିବା, ନିୟମିତ ଭାବେ ପାରିଶ୍ରମିକ ଦେବା ସହ ବକେୟା ଥିବା ଦରମାକୁ ତୁରନ୍ତ ପ୍ରଦାନ କରିବା ଭଳି ଦାବି ଉଠାଇଛି ସଂଘ ।
ଅନେକ ସମୟରେ ପାଚିକାମାନଙ୍କୁ ନିର୍ଦ୍ଧାରିତ ସମୟରେ ପାରିଶ୍ରମିକ ମିଳୁନଥିବାରୁ ସେମାନେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଥିବା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । ଏହା ସହିତ ପାଚିକାମାନଙ୍କର ମୁଖ୍ୟ ଦାୟିତ୍ୱ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ଓ ଯୋଗାଣ କରିବା ହୋଇଥିବା ବେଳେ ସେମାନଙ୍କୁ ବିଦ୍ୟାଳୟ ପରିସରର ସ୍ୱଚ୍ଛତା ରକ୍ଷା, ସଫେଇ କାର୍ଯ୍ୟ ସମେତ ବିଭିନ୍ନ ଅନ୍ୟାନ୍ୟ କାମରେ ନିୟୋଜିତ କରାଯାଉଥିବା ମଧ୍ୟ ଅଭିଯୋଗ ଆସିଛି । ନିଜର ମୁଖ୍ୟ କାର୍ଯ୍ୟ ବ୍ୟତୀତ ଅନ୍ୟାନ୍ୟ ଦାୟିତ୍ୱ ଦିଆଯିବା ଫଳରେ ପାଚିକାମାନେ ଅତିରିକ୍ତ ଚାପର ସମ୍ମୁଖୀନ ହେଉଥିବା ସଂଘ ପକ୍ଷରୁ ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ଦାବିପତ୍ର ଧରି ପାଚିକାମାନେ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

