spot_img
Home Blog Page 2

ଜଳେଶ୍ୱର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ବଢ଼ୁଛି ସସପେନ୍ସ, ୧୭ ଦିନ ପରେ ବି ପୋଲିସ ହାତ ଖାଲି!

ନନ୍ଦିଘୋଷ ବିୁରୋ: ଜଳେଶ୍ୱର ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବଢ଼ୁଛି ସସପେନ୍ସ। ଅପରାଧୀ ଜଣେ ନା ଏକାଧିକ। ତାକୁ ନେଇ ଲାଗି ରହିଛି ଦ୍ୱନ୍ଦ୍ୱ। ଘଟଣାକୁ ୧୭ ଦିନ ବିତିଥିଲେ ମଧ୍ୟ ପୋଲିସ ହାତ ଖାଲି। ନ୍ୟାୟ ପାଇଁ ସଂଘର୍ଷ କରୁଛନ୍ତି ପୀଡ଼ିତାଙ୍କ ପରିବାର। ଘଟଣାରେ ମୁଖ୍ୟ ଅଭିଯୁକ୍ତ କାହ୍ନୁକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । କିନ୍ତୁ ତାର ସହଯୋଗୀଙ୍କ ଏ ଯାଏ ଗିରଫ କରାଯାଇନାହିଁ। ସେପଟେ ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ନାବାଳିବା ଭଲ ନୃତ୍ୟ କରୁଥିବାରୁ ତାଙ୍କ ଘନିଷ୍ଠ ବନ୍ଧୁ ଇର୍ଷା ପରାୟଣ ହୋଇ ଏଭଳି ଷଡ଼ଯନ୍ତ୍ର ରଚିଥାଇ ପାରନ୍ତି ବୋଲି ସନ୍ଦେହ ବଢ଼ୁଛି। ଘଟଣାର ପୂର୍ବଦିନ ନାବାଳିକାର ଘନିଷ୍ଠ ସାଙ୍ଗ ତାଙ୍କୁ ଚାଉମିନ ଖୁଆଇବା ବାହାନାରେ ଡାକି ଜହ୍ଲ୍ହାଦ କାହ୍ନୁ ନିକଟରେ ଛାଡିଥିବା ତଦନ୍ତରୁ ଜଣାପଡ଼ିଛି। ଘଟଣା ପରଠୁ ନାବାଳିକାର ଘନିଷ୍ଠ ସାଙ୍ଗ ଓ ତାର ମା’ ଫେରାର ଥିବା ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ।

ଅନ୍ୟପଟେ ନାବାଳିକାକୁ ନ୍ୟାୟ ଦାବିରେ ଜୋର୍ ଧରିଛି ରାଜନୀତି। ବିଜୁ ଜନତା ଦଳର ଫ୍ୟାକ୍ଟ ଫାଇଡିଙ୍ଗ ଟିମ୍ ପୀଡ଼ିତାଙ୍କ ଘରେ ପହଞ୍ଚିବା ସହ ଘଟଣାର ସିବିଆଇ ତଦନ୍ତ ଦାବି କରିଥିଲେ। କଂଗ୍ରେସର ରାଜ୍ୟସ୍ତରୀୟ ନେତୃବୃନ୍ଦ ଜଳେଶ୍ଵର ଥାନାରେ ବିକ୍ଷୋଭ କରିଥିଲେ। ବିଭିନ୍ନ ଦଳ ପକ୍ଷରୁ ଗତ ୨୭ ତାରିଖରେ ଜଳେଶ୍ଵର ବନ୍ଦ ଡାକରା ଦିଆଯାଇଥିଲା। ଏହାସତ୍ତ୍ୱେ ମଧ୍ୟ ପୋଲିସର ହାତ ଖାଲିଥିବା ନେଇ ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ। ଏନେଇ ନନ୍ଦିଘୋଷ ଟିଭି କ୍ୟାମେରା ସମ୍ମୁଖରେ ପ୍ରତିକ୍ରିୟା ରଖିବାକୁ ମନା କରିଛନ୍ତି ଆଇଓ ଡିଏସପି।

ପୁଣି ବିବାଦରେ ପୀୟୂଷ ତ୍ରିପାଠୀ, ହସ୍ପିଟାଲ କର୍ମଚାରୀଙ୍କୁ ମାଡ଼ ଅଭିଯୋଗ

ନନ୍ଦିଘୋଷ ବିୁରୋ: ପୁଣି ବିବାଦରେ ସିଂହବାହିନୀ ଯାତ୍ରା ପାର୍ଟିର ପୀୟୂଷ ତ୍ରିପାଠୀ। ହସପିଟାଲ କର୍ମଚାରୀଙ୍କୁ ମାରଧର କରିବା ଅଭିଯୋଗ ହୋଇଛି। ଭଦ୍ରକ ଜିଲ୍ଲା ବେତଡ଼ାରେ ନାଟକ ପରେ ଜଣେ କଳାକାର ପ୍ରଶାନ୍ତ ମାଝୀ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଥିଲା। ପୀୟୂଷ ତ୍ରିପାଠୀ ଓ ଅନ୍ୟ କିଛି ଯାତ୍ରା କଳାକାର ପ୍ରଶାନ୍ତଙ୍କ ମୃତଦେହକୁ ହସପିଟାଲ ଆଣିଥିଲେ। ବ୍ୟବଚ୍ଛେଦ ପାଇଁ କିଛି ସାମଗ୍ରୀ କିଣିବାକୁ ହସପିଟାଲର ଅସ୍ଥାୟୀ କର୍ମଚାରୀ ନିରଞ୍ଜନ ଗୋଛାୟତ କିଛି ଟଙ୍କା ମାଗିଥିବା ଯାତ୍ରା ପାର୍ଟିର କଳାକାର କହିଛନ୍ତି। ଏହାକୁ ନେଇ ଯୁକ୍ତି ତର୍କ ହୋଇଥିଲା ଓ ନିରଞ୍ଜନଙ୍କୁ ପୀୟୂଷ ତ୍ରିପାଠୀ ଧକ୍କା ମାରିଥିବା ଅଭିଯୋଗ ହୋଇଛି। ଯାତ୍ରା ପାର୍ଟିର ଅନ୍ୟ କିଛି କଳାକାର ବି ନିରଞ୍ଜନଙ୍କୁ ମାଡ଼ ମାରିବାକୁ ଗୋଡ଼ାଇଥିବା ସେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ସୋର ଥାନାରେ ଅଭିଯୋଗ କରିଥିଲେ ନିରଞ୍ଜନ। ପୋଲିସ ପୀୟୂଷ ତ୍ରିପାଠୀଙ୍କୁ ଥାନାକୁ ଡକାଇ ପଚରା ଉଚରା କରିଛି। ପରେ ନିରଞ୍ଜନଙ୍କୁ କ୍ଷମା ମାଗିଥିଲେ ପୀୟୂଷ ତ୍ରିପାଠୀ । ଏହା ପରେ ବିବାଦର ସମାଧାନ ହୋଇଛି।

ଜର୍ମାନୀରେ ଜେନ୍ ଜି ଆନ୍ଦୋଳନ, ୩୪ ସହରରେ ବିକ୍ଷୋଭ

ନନ୍ଦିଘୋଷ ବିୁରୋ: ଫ୍ରାନ୍ସ , ଇଟାଲୀ ପରେ ଜର୍ମାନୀରେ ଜେନ ଜି ତାତି  । ୩୪ରୁ ଅଧିକ ସହରରେ ଜୋରଦାର ବିକ୍ଷୋଭ। ଆନ୍ଦୋଳନକାରୀଙ୍କୁ ଘଉଡାଇବା ଲାଗି ପୋଲିସର ଲୁହବୁହା ଗ୍ୟାସ ପ୍ରୟୋଗ। ସାରା ଦେଶରେ ଏହାକୁ ନେଇ ଅସ୍ଥିରତା। ଫ୍ରାନ୍ସରେ ଯେଉଁ ସବୁ କାରଣ ଜେନ ଜି ଆନ୍ଦୋଳନ ଲାଗି ଦାୟୀ ଥିଲା ଠିକ୍ ସେହିପରି ଜର୍ମାନୀରେ ବି ସମାନ ଧରଣର ଦାବି ଲାଗି ଆନ୍ଦୋଳନ ହୋଇଛି। ନିତ୍ୟ ବ୍ୟବହାର ଜିନିଷର ଦରବୃଦ୍ଧି, ଶିକ୍ଷା ବାବଦରେ ପର୍ଯ୍ୟାପ୍ତ ବ୍ୟୟ ବରାଦ ହ୍ରାସ ଆଦି କାରଣକୁ ନେଇ ହୋଇଛି ଜେନ ଜି ଆନ୍ଦୋଳନ।

ରାଜଧାନୀ ବର୍ଲିନ, ଆର୍ଥିକ ରାଜଧାନୀ ଫ୍ରାଙ୍କଫର୍ଟ, ମ୍ୟୁନିକ ସମତେ ୩୪ଟି ସହରରେ ହୋଇଛି ନାରାବାଜି। ଦିନକୁ ଦିନ ସାରା ୟୁରୋପରେ ଜେନ ଜି ଆନ୍ଦୋଳନ ବ୍ୟାପୁ ଥିବାବେଳେ ସରକାରଙ୍କ ବିରୋଧରେ ମେଗା ମେଳି ଦେଖାଯାଉଛି। ଫ୍ରାଙ୍କଫର୍ଟ, ବର୍ଲିନ, କୋଲନ, ହାମବର୍ଗ ସହରରେ ହିଂସାତ୍ମକ କାର୍ଯ୍ୟକଳାପ ପରିଲକ୍ଷିତ ହୋଇଛି। ବହୁ ସ୍ଥାନରେ ଆନ୍ଦୋଳନକାରୀ ଲୁଟପାଟ କରୁଥିବା ଦେଖାଯାଇଛି। ପୋଲିସ ଆନ୍ଦୋଳନକାରୀଙ୍କ ଉପରକୁ ପାଣି ମାଡ କରିବା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି। ପୋଲିସ ଉପରକୁ ଆନ୍ଦୋଳନକାରୀମାନେ ଟେକାପଥର ମାଡ କରିବା ସହ ପେଟ୍ରୋଲ ବୋମା ଫିଙ୍ଗିଥିବା ଜଣାଯାଇଛି। ଆନ୍ଦୋଳନକୁ ଦୃଷ୍ଟିରେ ରଖି ହଜାର ହଜାର ଦୋକାନ ବନ୍ଦ କରି ଦିଆଯାଇଛି।

ଇଣ୍ଟରନ୍ୟାସନାଲ୍ ଯାତ୍ରୀଙ୍କ ପାଇଁ ‘ଡିଜି ଯାତ୍ରା’ ସୁବିଧା: ୭ଟି ବିମାନବନ୍ଦରରେ ଟ୍ରାଏଲ୍ ଆରମ୍ଭ

ନନ୍ଦିଘୋଷ ବ୍ୟୁରୋ: ଭାରତରେ ଏବେ ଅନ୍ତର୍ଜାତୀୟ ବିମାନ ଯାତ୍ରା ସହଜ ହେବାକୁ ଯାଉଛି । ବିଦେଶ ଯାତ୍ରା ସମୟରେ ଯାତ୍ରୀମାନଙ୍କୁ ଚେକଇନ୍ ପାଇଁ ଆଉ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡିବନି। ଏୟାରପୋର୍ଟରେ ଶୁଭାରମ୍ଭ ହୋଇଛି ‘ଡିଜି ଯାତ୍ରା’ ବ୍ୟବସ୍ଥା । ୧ ନଭେମ୍ବର ୨୦-୨୬ ଠାରୁ ଦିଲ୍ଲୀ ସମେତ ଦେଶର ୭ଟି ପ୍ରମୁଖ ବିମାନବନ୍ଦରରେ ଏହାର ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ ହୋଇଛି। ଏବେ ବିଦେଶ ଯାତ୍ରା ସମୟରେ ଏଣ୍ଟ୍ରି ଗେଟ୍‌ରେ ପାସପୋର୍ଟ ବାହାର କରିବାର ଆବଶ୍ୟକତା ରହିବ ନାହିଁ, କେବଳ କ୍ୟାମେରା ଆଗରେ ଚେହେରା ଦେଖାଇବା ମାତ୍ରେ ଆପେ ଆପେ ଡିଜିଟାଲ୍ ଗେଟ୍ ଖୋଲିଯିବ।

୭ଟି ଏୟାରପୋର୍ଟରେ ଆରମ୍ଭ

ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, କୋଚି, ଚେନ୍ନାଇ ଏବଂ ଅମୃତସର ଏୟାରପୋର୍ଟରେ ଉପଲବ୍ଧ ହେବାକୁ ଯାଉଛି ଏହି ସୁବିଧା । ଡିସେମ୍ବର ୨୦୨୬ ପର୍ଯ୍ୟନ୍ତ ଏହାର ଟ୍ରାଏଲ ଜାରି ରହିବ।

କେଉଁମାନେ ପାଇବେ ଏହି ସୁବିଧା?

ପ୍ରାଥମିକ ପର୍ଯ୍ୟାୟରେ ଏହା କେବଳ ‘ଇ-ପାସପୋର୍ଟ’ ଧାରଣ କରିଥିବା ଭାରତୀୟ ଯାତ୍ରୀ ଏବଂ ଏୟାର ଇଣ୍ଡିଆ ଓ ଇଣ୍ଡିଗୋର ଅନ୍ତର୍ଜାତୀୟ ଯାତ୍ରୀମାନଙ୍କ ପାଇଁ ଉପଲବ୍ଧ ରହିବ। ବିମାନବନ୍ଦରର ସମସ୍ତ ଚେକ୍ ପଏଣ୍ଟରେ ବାରମ୍ବାର ପ୍ୟାକ୍ସ ବୋଡିଂ କିମ୍ବା ID ଦେଖାଇବାକୁ ପଡିବନି ।

କିପରି କାମ କରିବ?

ଯାତ୍ରୀମାନଙ୍କୁ ‘ଡିଜି ଯାତ୍ରା’ ଆପ୍‌ରେ ନିଜର ଇ-ପାସପୋର୍ଟ ସ୍କାନ୍ କରିବାକୁ ପଡିବ। ଏହାସହ ଫୋନ୍‌ର NFC ଫିଚର୍ ମାଧ୍ୟମରେ ଚିପ୍‌ ଭେରିଫିକେସନ୍ ଏବଂ ସେଲ୍‌ଫି ଜରିଆରେ ଡିଜିଟାଲ୍ ଟ୍ରାଭେଲ୍ କ୍ରେଡେନ୍ସିଆଲ୍ ପ୍ରସ୍ତୁତ କରିବାକୁ ପଡିବ । ଅନ୍ୟପଟେ ଆପଣଙ୍କ ଫୋଟୋ ଓ ତଥ୍ୟ ଫ୍ଲାଇଟ୍ ଛାଡିବାର ୨୪ ଘଣ୍ଟା ମଧ୍ୟରେ ହିଁ ସିଷ୍ଟମରୁ କଟିଯିବ ।

ପାସପୋର୍ଟ ଓ ଭିସା ସାଥୀରେ ରଖିବା ଜରୁରୀ କି?

ଏମିତିରେ ଏଣ୍ଟ୍ରି ଓ ସିକ୍ୟୁରିଟି ଚେକ୍ ସମୟରେ ହିଁ କେବଳ ଡିଜି ଯାତ୍ରା ଭେରିଫିକେସନ୍ ସହଜ କରିବ। କିନ୍ତୁ ଇମିଗ୍ରେସନ୍ ଏବଂ ଏୟାରଲାଇନ୍ସର ବାଧ୍ୟତାମୂଳକ ଥିବା ସମସ୍ତ ଡକ୍ୟୁମେଣ୍ଟ ଯାଞ୍ଚ ପ୍ରକ୍ରିୟା ପୂର୍ବପରି ହିଁ ଜାରି ରହିବ, ତେଣୁ ପାସପୋର୍ଟ ଓ ଭିସା ପାଖରେ ଏଠାରେ ପାଖରେ ରଖିବା ପୂର୍ବପରି ବାଧ୍ୟତାମୂଳକ ରହିବ।

ସମୁଦ୍ରରେ ମାଛ ଧରିବା ମନା !

ନନ୍ଦିଘୋଷ ବ୍ୟୁରୋ: ସମୁଦ୍ରରେ ମାଛ ଧରିବା ଉପରେ ଲାଗିଲା କଟକଣା । ବିରଳ ସାମୁଦ୍ରିକ ପ୍ରଜାତିର ଅଲିଭ ରିଡଲେଙ୍କ ଆଗମନ ପାଇଁ ଏହି କଟକଣା ଜାରି ହୋଇଛି । ପୁରୀ ଜିଲ୍ଲା ଅସ୍ତରଙ୍ଗ ଦେବୀ ନାସିରୁ କେଳୁଣୀ ମୁହାଁଣ ପର୍ଯ୍ୟନ୍ତ ସମୁଦ୍ରରେ ମାଛ ଧରିବା ମନା । ଆଜିଠୁ ଆସନ୍ତାବର୍ଷ ମେ’ ୩୧ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ଅଲିଭ ରିଡଲେଙ୍କ ଅଣ୍ଡାଦାନ ଋତୁ ଆସିଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଅସ୍ତରଙ୍ଗର ଦେବୀ ମୁହାଣର ଉତ୍ତର ପାର୍ଶ୍ଵ ୧୦ କିଲୋମିଟର ଓ ଦକ୍ଷିଣ ପାର୍ଶ୍ୱ ୧୦ କିଲୋମିଟର ପରିମିତ ସ୍ଥାନ ସମ୍ବେଦନଶୀଳ ଅଞ୍ଚଳ ଭାବେ ଚିହ୍ନଟ ହୋଇଛି । ଏହି ସ୍ଥାନରେ ଡଙ୍ଗା ଓ ଟ୍ରଲର ଚଳାଚଳ ଉପରେ କଟକଣା ଜାରି କରାଯାଇଛି । ମାଛଧରା ନିଷେଧ ଅଞ୍ଚଳରେ ଟ୍ରଲର ନିୟମ ଭଙ୍ଗ କଲେ ଟ୍ରଲର ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।। କଇଁଛଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ଅସ୍ତରଙ୍ଗ ବନ ବିଭାଗ ତରଫରୁ ହାଚେରୀ କରାଯାଇଛି । ଗଙ୍ଗାଦେବୀ, ଦେବୀନାସି, ଡ଼ାଳୁଅକଣି ଓ ଜାହାନିଆ ହାଚେରୀ କରାଯାଇଛି । ଏହି ସମୟରେ ମାଛ ଧରା ଉପରେ ତଟରକ୍ଷୀ ବାହିନୀ, ସାମୁଦ୍ରିକ ମତ୍ସ୍ୟ ବିଭାଗ, ସାମୁଦ୍ରିକ ଥାନା ପୋଲିସ ଓ ଜଙ୍ଗଲ ବିଭାଗ ପକ୍ଷରୁ ମିଳିତ ପାଟ୍ରୋଲିଂ କରାଯିବ ।

ସୃଷ୍ଟି ହେଲା ବାତ୍ୟା ‘ମୁରାସୁ’: ୩ରେ ଲ୍ୟାଣ୍ଡଫଲ୍ !

ନନ୍ଦିଘୋଷ ବ୍ୟୁରୋ: ସୃଷ୍ଟି ହେଲା ବାତ୍ୟା ମୁରାସୁ । ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ।ଦିନ ସାଢ଼େ ୧୧ ସୁଦ୍ଧା ସୃଷ୍ଟି ହେଲା ବାତ୍ୟା । ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବଢିଲା ବର୍ଷା ଭୟ । ଏହା ପ୍ରଭାବରେ ଆସନ୍ତା ୩ ଓ ୪ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି । ଗଞ୍ଜାମ, ଗଜପତି ସମେତ ୫ ଜିଲ୍ଲାକୁ ଅଧିକ ବିପଦ ଥିବା ନେଇ ସତର୍କ କଲା ପାଣିପାଗ କେନ୍ଦ୍ର । ଭୂସ୍ଖଳନ ଓ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇପାରେ । ବର୍ତ୍ତମାନ  ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ୨୦ କିଲୋମିଟର ବେଗରେ ଗତି କରୁଛି । ନଭେମ୍ବର ୩ ତାରିଖ ସକାଳ ସୁଦ୍ଧା ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ନେଲୋର ଓ ନରସାପୁର ମଧ୍ୟରେ ଏହା ଉପକୂଳ ଅତିକ୍ରମ କରିବାର ଆକଳନ କରାଯାଇଛି । ଉପକୂଳ ଅତିକ୍ରମ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର ଏବଂ ଝଟକା ପବନର ବେଗ ୧୨୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ ।ତେବେ ଆଶ୍ବସ୍ତିକର କଥା ହେଉଛି ବାତ୍ୟାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ଅପେକ୍ଷାକୃତ କମ୍ ରହିବାର ସମ୍ଭାବନା ଥିଲେ ମଧ୍ୟ ଦକ୍ଷିଣ ଓଡ଼ିଶା ଓ ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ଓ ପବନର ପ୍ରଭାବ ଅଧିକ ରହିପାରେ ।

ଅଭିଯୋଗ ପରେ ଆକ୍ସନ : ବଦଳିଲେ ଜେଲ୍ ଡିଜି

ନନ୍ଦିଘୋଷ ବ୍ୟୁରୋ: ବଦଳିଲେ ଜେଲ ଡିଜି । ସୁଶାନ୍ତ ନାଥଙ୍କୁ ଜେଲ୍ ଡିଜି ପଦରୁ ବଦଳି । ଗୃହ ବିଭାଗ OSD ହେଲେ ସୁଶାନ୍ତ ନାଥ । ସନ୍ତୋଷ ବାଲାଙ୍କୁ ଜେଲ୍ ବିଭାଗ ADG ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଆଜି  IPS ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି । ସୁଶାନ୍ତ ନାଥଙ୍କୁ ଜେଲ୍ ଡିଜି ପଦରୁ ବଦଳି କରାଯାଇଛି । ତାଙ୍କ ନାଁରେ ସଙ୍ଗୀନ ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ସେହିପରି ଅମିତାଭ ଠାକୁରଙ୍କୁ ପରିବହନ କମିଶନର କଟକ ଦାୟିତ୍ୱ । ସାରା ଶର୍ମା ହେଲେ ଭିଜିଲାନ୍ସ ଡିଆଇଜି । ଝାରସୁଗୁଡ଼ା ଏସପି ଜି ଆର ରାଘବେନ୍ଦ୍ରଙ୍କୁ AIG ଦାୟିତ୍ୱ । କଟକ ପୋଲିସ ମୁଖ୍ୟାଳୟରେ AIG ଦାୟିତ୍ୱ ତୁଲାଇବେ । ନୂଆପଡ଼ା ଏସପି ଅମ୍ରିତପାଲ ସିଂହଙ୍କୁ ମୁଖ୍ୟାଳୟ ଏସପି ଦାୟିତ୍ୱ ପ୍ରଦାନ କରାଯାଇଛି । ସୋନାଲ ସିଂ ପାରମାର ଝାରସୁଗୁଡ଼ା ଏସପି ଭାବେ ବଦଳି ହୋଇଛନ୍ତି । ନୂଆପଡ଼ା ଏସପି ହେଲେ ତପନ ନାରାୟଣ ରଥ ।

ଭଞ୍ଜନଗର ଭୂସ୍ଖଳନ: ଦୁଃଖ ପ୍ରକାଶ କଲେ ନବୀନ

ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ଜିଲ୍ଳାର ବନ୍ୟା ବିପନ୍ନଙ୍କ ପାଇଁ ଦୁଃଖ ପ୍ରକାଶ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ।  ନବୀନ ତାଙ୍କ ଏକ୍ସ ହ୍ୟାଣ୍ଡେଲ୍ ରେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ, ‘‘ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ଭୂସ୍ଖଳନ ଘଟି ଗାଁ ନିଶ୍ଚିହ୍ନ ହୋଇଯିବା ସହ ଅନେକ ନିଖୋଜ ଥିବା ବିଷୟରେ ଜାଣି ମୁଁ ଚିନ୍ତିତ ଓ ଦୁଃଖିତ। ଲୋକମାନଙ୍କ ତ୍ୱରିତ ସୁରକ୍ଷିତ ଉଦ୍ଧାର ପାଇଁ ସରକାର ସମସ୍ତ ପଦକ୍ଷେପ ସୁନିଶ୍ଚିତ କରନ୍ତୁ। ଏପରି ଅସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଇବା ସହ ସମସ୍ତଙ୍କ ସୁରକ୍ଷିତ ଉଦ୍ଧାର କାମନା କରୁଛି।’’

ଗଞ୍ଜାମବାସୀ ଭୋଗୁଥିବା ସମସ୍ୟା ପାଇଁ ଲଗାତାର ଭାବେ ସ୍ବର ଉଠାଇ ଚାଲିଛନ୍ତି ନବୀନ । ତାଙ୍କରି ନିର୍ଦ୍ଦେଶରେ ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଗଞ୍ଜାମ ଜିଲ୍ଲାରେ ଦୁଇଦିନ ଧରି ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରୁଛନ୍ତି । ପ୍ରଥମ ଦିନରେ ବ୍ରହ୍ମପୁର ଲୋକସଭା କ୍ଷେତ୍ର ବୁଲି ବନ୍ୟା ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରିଥିବା ବେଳେ ଆଜି ଆସିକା ଲୋକସଭା କ୍ଷେତ୍ର ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ବନ୍ୟା ପ୍ରଭାବିତ ହୋଇଥିବା ଗ୍ରାମାଞ୍ଚଳରେ ପହଞ୍ଚିଛନ୍ତି । ଲୋକଙ୍କ ସୁଖ ଦୁଃଖ ବୁଝିବା ସହ ଜିଲ୍ଲା ଓ ବ୍ଲକ ପ୍ରଶାସନ ସହ ଆଲୋଚନା କରୁଛନ୍ତି ।ସରକାର ଓ ପ୍ରଶାସନ ଲୋକଙ୍କୁ ରିଲିଫ ଦେବାରେ ବିଫଳ ହୋଇଥିବାବେଳେ ଯଥାଶୀଘ୍ର ଲୋକଙ୍କ ଅତି ଆବଶ୍ୟକ ସାମଗ୍ରୀ ଯୋଗାଇବାକୁ ଦାବି କରିଛନ୍ତି । ଏହି ଫ୍ୟାକ୍ଟ ଫାଇଣ୍ଡ ଟିମ ରେ ଅଛନ୍ତି ପ୍ରତାପ ଜେନା,ବିକ୍ରମ ପଣ୍ଡା, ବିପ୍ଳବ ପାତ୍ର,ଶ୍ରୀକାନ୍ତ ସାହୁ ଏବଂ ଜିଲ୍ଲାର ସମସ୍ତ ବିଜେଡି ନେତା ।

ଜେଲ୍ ଡିଜିଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ !

ନନ୍ଦିଘୋଷ ବ୍ୟରୋ: ଜେଲ୍ ଡିଜିଙ୍କ ନାଁରେ ସଙ୍ଗୀନ ଯୌନ ନିର୍ଯାତନା ଅଭିଯୋଗ । ଚୌଦ୍ୱାର ଜେଲ୍‌ର ପୂର୍ବତନ ଜେଲର ସନ୍ତୋଷିନୀ ଦାଶ ଆଣିଲେ ସାଂଘାତିକ ଅଭିଯୋଗ । ହୋଟେଲ୍‌କୁ ଏକୁଟିଆ ଡାକିବା ନେଇ ଅଭିଯୋଗ । ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାରୁ ଚାକିରିରେ ହଇରାଣ ଓ କ୍ୟାରିୟର ନଷ୍ଟ କରିବାକୁ ଧମକ ଦେଇଥିବା ଅଭିଯୋଗ । ଏପରିକି ପୂର୍ବରୁ ଜଣେ ଅଧିକାରୀଙ୍କ ବିରୋଧରେ ଦେଇଥିବା FIR ପ୍ରତ୍ୟାହାର ପାଇଁ ଚାପ ପକାଯାଇଥିବା ମଧ୍ୟ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ପୀଡିତା । ଏନେଇ ଜେଲ୍ ଡିଜି ସୁଶାନ୍ତ କୁମାର ନାଥ ଓ କୁଳଦୀପ ରଥଙ୍କ ନାଁରେ ଚୌଦ୍ୱାର ଥାନାରେ ରୁଜୁ ହୋଇଛି ମାମଲା । ଅକ୍ଟୋବର ୩୧ ତାରିଖରେ ଚୌଦ୍ୱାର ଥାନାରେ FIR ନମ୍ବର ୭୧୩/୨୦୨୬ ରୁଜୁ ହୋଇଛି । BNSର ଧାରା ୭୫(୨), ୩୫୧(୨) ଓ ୩(୫)ରେ ମାମଲା ରୁଜୁ କରିଛି ପୋଲିସ । ଅଭିଯୋଗକାରିଣୀଙ୍କ ଅଭିଯୋଗ ଅନୁଯାୟୀ  ୨୦୨୫ ଅଗଷ୍ଟ ୨୯ ତାରିଖରେ କଟକର ଏକ ହୋଟେଲ୍‌କୁ ତାଙ୍କୁ ଏକୁଟିଆ ଆସିବାକୁ କୁହାଯାଇଥିଲା । ପରେ ସେପ୍ଟେମ୍ବର ୨୫/୨୬ ତାରିଖରେ ମଧ୍ୟ ହୋଟେଲ୍ ପ୍ରମୋଦକୁ ଡାକିବା ପାଇଁ ଫୋନ୍ ଆସିଥିବା ସେ ଅଭିଯୋଗ କରିଛନ୍ତି । ଅନ୍ୟପଟେ, ପୂର୍ବତନ ଜେଲ୍ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କ ବିରୋଧରେ ଜାଲ୍ ଦସ୍ତଖତ ଓ ସରକାରୀ ରେକର୍ଡରେ ହେରଫେର ଅଭିଯୋଗରେ ସେ FIR ଦେଇଥିଲେ । ଏହି ମାମଲା ପ୍ରତ୍ୟାହାର ପାଇଁ ଚାପ ପକାଯିବା ସହ ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଓ ନିଲମ୍ବନ ଭଳି ପଦକ୍ଷେପ ନିଆଯାଇଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି । ଏପରିକି ଜୀବନ ଓ କ୍ୟାରିୟର ପ୍ରତି ଧମକ ମିଳିଥିବା ଅଭିଯୋଗ ମଧ୍ୟ କରିଛନ୍ତି । ଅଭିଯୋଗ ଆଧାରରେ ଚୌଦ୍ୱାର ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି । ତେବେ ଏହି ସଙ୍ଗୀନ ଅଭିଯୋଗର ସତ୍ୟତା ତଦନ୍ତ ପରେ ସ୍ପଷ୍ଟ ହେବ ।

ପର୍ଯ୍ୟଟକମାନଙ୍କ ପାଇଁ ଖୋଲିଲା ଶିମିଳିପାଳ

ନନ୍ଦିଘୋଷ ବ୍ୟୁରୋ: ପର୍ଯ୍ୟଟକ ମାନଙ୍କ ପାଇଁ ଖୁସି ଖବର। ଆଜିଠାରୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିଲା ଜାତୀୟ ଉଦ୍ୟାନ ଶିମିଳିପାଳ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଓ ବନ୍ୟଜନ୍ତୁଙ୍କ ଆକର୍ଷଣ ସହିତ ଜଙ୍ଗଲ ସଫାରୀରେ ଵସି ଶିମିଳିପାଳ ଅଭୟାରଣ୍ୟକୁ ଉପଭୋଗ କରିବାକୁ ପର୍ଯ୍ୟଟକମାନଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା। ଶିମିଳିପାଳ ଅଭୟାରଣ୍ୟ କର୍ତୃପକ୍ଷଙ୍କ ପକ୍ଷରୁ ପିଠାଵଟା ଓ ଯଶିପୁର ଠାରେ ପର୍ଯ୍ୟଟକମାନଙ୍କୁ ସ୍ୱାଗତ କରାଯାଇଛି। ଚଳିତ ବର୍ଷ ଠାରୁ ସଫାରୀ ଗାଡ଼ିରେ ବସି ଶିମିଳିପାଳ ଅଭୟାରଣ୍ୟକୁ ଉପଭୋଗ କରିବେ ପର୍ଯ୍ୟଟକ। ଲୁଲୁଙ୍ଗ ଠାରେ ୧୦ ଟି ସଫାରୀ ରଖାଯାଇଥିବା ବେଳେ ସକାଳେ ଏଵଂ ଅପରାହ୍ନରେ ଦୁଇ ଥର ଏହି ସଫାରୀ ଗାଡ଼ିରେ ବସି ପର୍ଯ୍ୟଟକ ମାନେ ବନ୍ୟଜନ୍ତୁ ଏଵଂ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ ବୋଲି କହିଛନ୍ତି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଉପନିର୍ଦ୍ଦେଶକ ସୁମିତ କର। ଶିମିଳିପାଳ ପ୍ରବେଶ କରିବାକୁ ଲୁଲୁଙ୍ଗ ପଟରୁ ୨୫ ଟି ଗାଡି ଓ ଯଶୀପୁର ପଟରୁ ୩୫ ଟି ଗାଡି ପ୍ରବେଶ କରିବାକୁ ଅନୁମତି ଦିଆଯାଇଛି। ଚଳିତ ବର୍ଷ ମହିଳା ଓ ପୁରୁଷ ଉଭୟ ଗାଇଡ ର ବ୍ୟବସ୍ଥା କରାଯାଇଛି।  ଫଳରେ ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ମଧ୍ୟ ରୋଜଗାରର ସୁଯୋଗ ଦିଆଯାଇଛି। ପର୍ଯ୍ୟଟକ ମାନେ ଯେପରି କିଛି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତୁ ସେଥିପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ସହିତ ଇଡିସି ମାଧ୍ୟମରେ ଭିନ୍ନ ଭିନ୍ନ ସ୍ଥାନରେ କ୍ୟାଣ୍ଟିନ ରଖାଯାଇଛି  ।