ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ପ୍ରଥମ ଉପନିର୍ବାଚନ ନୂଆପଡ଼ାରେ ଅନୁଷ୍ଠିତ ହେଉଛି । ନୂଆ ସରକାର ଗଠନ ପରେ ଏହା ହେଉଛି ପ୍ରଥମ ଉପନିର୍ବାଚନ । ଘମାଘୋଟ ପ୍ରଚାର ଶେଷ ହୋଇଛି । ନିଜ ନିଜ ସପକ୍ଷରେ ଭୋଟରଙ୍କୁ ଭିଡିବାକୁ ସରିଛି ସମସ୍ତ ପ୍ରୟାସ । ଏବେ ସାଇଲେଣ୍ଟ ପିରିୟଡ ଚାଲିଛି । କାଲି ଭୋଟ ଦେବେ ଅଢେଇ ଲକ୍ଷରୁ ଅଧିକ ଭୋଟର । ଏଥିପାଇଁ ପ୍ରଶାସନର ସମସ୍ତ ପ୍ରସ୍ତୁତି ଶେଷ । କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । କିପରି ମତଦାନ ସୁରୁଖୁରୁରେ ଶେଷ ହେବ ସେ ନେଇ ବନ୍ଦୋବସ୍ତ କରାଯାଇଛି ।
ପ୍ରସ୍ତୁତ ପୋଲିଂ ପାର୍ଟି, ପ୍ରସ୍ତୁତ ପ୍ରଶାସନ: କାଲି ଭୋଟ ଦେବ ନୂଆପଡ଼ା
ଭୋଟ ଦେବ ନୂଆପଡ଼ା। ଭୋଟର ବାଛିବେ ନୂଆପଡ଼ାର ନୂଆ ବିଧାୟକ। ରାତି ପାହିଲେ ୭୧-ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଉପନିର୍ବାଚନ ପାଇଁ ଇଭିଏମରେ ଭୋଟ ଗ୍ରହଣ। ପ୍ରସ୍ତୁତ ପୋଲିଂ ପାର୍ଟି। ପ୍ରସ୍ତୁତ ପ୍ରଶାସନ। ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ହେବ ଭୋଟଗ୍ରହଣ। ନୂଆପଡ଼ା ବ୍ଲକ, କୋମନା ବ୍ଲକ, ଖରିଆର ରୋଡ଼ ଏନଏସି ଓ ନୂଆପଡ଼ା ଏନଏସିରେ ହେବ ମତଦାନ। ସୁନାବେଡ଼ା ଅଞ୍ଚଳ ମାଓ ଅଧ୍ୟୁଷିତ ହୋଇଥିବାରୁ ସେଠାରେ ଥିବା ୮ଟି ବୁଥରେ ଅପରାହ୍ନ ୪ଟା ଯାଏ ହେବ ଭୋଟଗ୍ରହଣ। ନୂୁଆପଡ଼ା ଉପନିର୍ବାଚନରେ ଅକ୍ଟୋବର ୧୮ ତାରିଖ ସୁଦ୍ଧା ମୋଟ ୨ ଲକ୍ଷ ୫୪ ହଜାର ୪୯୭ ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ସେମାନଙ୍କ ଭିତରୁ ପୁରୁଷ ଭୋଟରଙ୍କ ସଂଖ୍ଯା ୧ ଲକ୍ଷ ୨୪ ହଜାର ୫୪୪ ରହିଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ରହିଛି ୧ ଲକ୍ଷ ୨୯ ହଜାର ୯୩୨। ତୃତୀୟ ଲିଙ୍ଗୀ ଭୋଟରଙ୍କ ସଂଖ୍ୟା ରହିଛି ୨୧। ମୋଟ ବୁଥ ସଂଖ୍ଯା ୩୫୮। ସେଥିରୁ ୫୮ଟି ବୁଥ ସମ୍ବେଦନଶୀଳ। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ବୁଥ ପାଇଁ ଇଭିଏମର ୭୨୦ଟି ବାଲଟ ୟୁନିଟ, ୭୨୦ଟି କଣ୍ଟ୍ରୋଲ ୟୁନିଟ ଏବଂ ୭୨୦ଟି ଭି.ଭି.ପାଟ ଉପଲବ୍ଧ କରାଯାଇଛି। ନୂଆପଡ଼ା ଉପନିର୍ବାଚନ ପାଇଁ ଗତମାସ ୧୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ନାମାଙ୍କନ ଓ ପ୍ରାର୍ଥୀ ପ୍ରତ୍ୟାହାର ପରେ ନିର୍ବାଚନ ରଣାଙ୍ଗନରେ ମୋଟ ୧୪ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ପ୍ରମୁଖ ଦଳ ଭିତରେ ବିଜୁ ଜନତା ଦଳରୁରୁ ସ୍ହେହାଙ୍ଗିନୀ ଛୁରିଆ, ଭାରତୀୟ ଜାତୀଯ କଂଗ୍ରେସରୁ ଘାସିରାମ ମାଝୀ, ଭାରତୀୟ ଜନତା ପାର୍ଟିରୁ ଜୟ ଢୋଲକିଆ, ସମାଜବାଦୀ ପାର୍ଟିର ରମାକାନ୍ତ ହାତୀ, ବହୁଜନ ମୁକ୍ତି ପାର୍ଟିରୁ ହେମନ୍ତ ତାଣ୍ଡି, ଓଡ଼ିଶା ଜନତା ଦଳରୁ ଶୁକଧର ଦଣ୍ଡସେନାଙ୍କ ସମେତ ୮ ଜଣ ସ୍ବାଧୀନ ପ୍ରାର୍ଥୀ ସେମାନଙ୍କ ଭାଗ୍ଯ ପରୀକ୍ଷା କରୁଛନ୍ତି।
ଏହି ଉପନିର୍ବାଚନ ସୁପରିଚାଳନା ପାଇଁ ମୋଟ ୧୫୮୪ ଜଣ ପୋଲିଂ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ସେମାନଙ୍କୁ ଭିତରୁ ୧୫୫୨ଜଣ ପୁରୁଷ ପୋଲିଂ କର୍ମଚାରୀ ହୋଇଥିବାବେଳେ ମହିଳା ପୋଲିଂ କର୍ମଚାରୀଙ୍କ ସଂଖ୍ଯା ୩୨। ମହିଳା ପୋଲିଂ କର୍ମଚାରୀଙ୍କ ଦ୍ବାରା ପରିଚାଳିତ ହେବ ୬ଟି ଶଖୀ ବୁଥ। ପ୍ରତ୍ୟେକ ଶଖୀ ବୁଥରେ ଲାଲ କାର୍ପେଟ ପକାଯାଇଛି। ଏହାସହିତ ପ୍ରତ୍ଯେକ ବୁଥରେ ଭୋଟରଙ୍କ ସୁବିଧା ପାଇଁ ପିଇବା ପାଣିର ବ୍ୟବସ୍ଥା। ଖରାରୁ ରକ୍ଷା ଦେବା ପାଇଁ ସାମିଆନା କରାଯାଇଛି। ସମ୍ବେଦନଶୀଳ ବୁଥଗୁଡ଼ିକରେ ମୁକ୍ତ ଓ ଅବାଧ ଭୋଟଗ୍ରହଣ ପାଇଁ ୱେବକାଷ୍ଟିଂ ଓ ଭିଡିଓଗ୍ରାଫି କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି। ସକାଳ ୭ଟାରେ ଭୋଟ ଗ୍ରହଣ ଆରମ୍ଭ ହେବାର ଘଣ୍ଟାକ ପୂର୍ବରୁ ଅର୍ଥାତ ସକାଳ ୬ଟାରେ ଇଭିଏମ ଓ ଭି.ଭି.ପାଟରେ ମକ ପୋଲିଂ କରାଯିବ। ମକ ପୋଲିଂ ପରେ ସକାଳ ୭ଟାରୁ ହେବ ଭୋଟ ଗ୍ରହଣ। ମୋଟ ବୁଥ ଭିତରୁ ସିଲଟପାଣି ବୁଥରେ ସର୍ବାଧିକ ୧୧୨୪ ଜଣ ଭୋଟର ଥିବାବେଳେ ଅନୁପଗଡ଼ ବୁଥରେ ସବୁଠାରୁ କମ ୧୮୬ଜଣ ମତଦାତା ରହିଛନ୍ତି। ସୁନାବେଡ଼ା ଅଭୟାରଣ୍ୟର ୮ଟି ବୁଥରେ ପୋଲିଂ କର୍ମଚାରୀଙ୍କୁ ହେଲିକପ୍ଟର ଯୋଗେ ପହଞ୍ଚାଇ ଦିଆଯାଇଛି। ସେଗୁଡ଼ିକ ହେଲା ବୁଥ ନମ୍ବର ୩୨୦, ୩୨୧, ୩୨୨, ୩୨୪, ୩୨୫, ୩୨୬, ୩୨୭ ଓ ୩୨୮ ନମ୍ବର ବୁଥ। ବିଜେଡିର ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ନୂଆପଡ଼ାରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି।
ବାଲିଯାତ୍ରାରେ ଅସମ୍ଭାଳ ଭିଡ଼, ଆଉ ଭିଡ଼ ଭିତରେ ମାତିଛନ୍ତି ଲୁଟେରା
ବାଲିଯାତ୍ରାରେ ଅସମ୍ଭାଳ ଭିଡ଼ । ୬ଦିନ ହେଲା ମହାନଦୀ ପଠାରେ ଚାଲିଛି ବିପଣୀ । ଚଟପଟି ଖାଦ୍ଯ ସାଙ୍ଗକୁ ଖେଳକୁଦ, କିଣିକିଣିର ଜମୁଛି ଆସର । ଆଉ ଭିଡ଼ ଭିତରେ ମାତିଛନ୍ତି ଲୁଟେରା । କିଏ କାହାର ପର୍ସ ଚୋରାଇ ନେଇଛି ତ କିଏ ମୋବାଇଲ । ରବିବାର ଚୋରି ଅଭିଯୋଗ କରିବାକୁ ପୋଲିସ ସହାୟତା କେନ୍ଦ୍ରରେ ଭିଡ଼ ଦେଖିବାକୁ ମିଳିଥିଲା । ସେପଟେ କଟକ ଇନ କଟକରେ କିଛି କୁନି କୁନି ପିଲାଙ୍କୁ ନେଇ ଦିଦିମାନେ ନାଚଗୀତ, ପାଠପଢା ଓ ଖିଆପିଆ କରୁଥିବାର ଦୃଶ୍ୟ ସମସ୍ତଙ୍କୁ ଆକର୍ଷିତ କରିଛି । ମେଳାକୁ ଆସିଥିବା ବଞ୍ଜରା ଓ ବ୍ୟବସାୟୀଙ୍କ ପିଲାଙ୍କୁ ଶିବିରକୁ ନେଇ ସେମାନଙ୍କୁ ଦିନ ତମାମ ରଖୁଛନ୍ତି । ୨୦୧୧ରୁ କଟକ ଜିଲ୍ଲାପାଳ ଏହି ଯୋଜନା ଆରମ୍ଭ କରିଥିଲେ । ଏହାଦ୍ବାରା ମେଳାରେ ଅପରାଧ କମିବା ସହ ଅଘଟଣ ଆଶଂକା କମ ରହିବ ବୋଲି ଆଶା କରାଯାଉଛି ।
ବାଲିଯାତ୍ରାରେ ପ୍ରମୁଖ ଆକର୍ଷଣ ସାଜିଛି ଓରମାସ ଷ୍ଟଲ । ରାଜ୍ୟ ତଥା ରାଜ୍ୟ ବାହାର ବ୍ୟବସାୟୀଙ୍କ ସହ ମିଶନ ଶକ୍ତି ମାଆଙ୍କ ହାତ ତିଆରି ସାମଗ୍ରୀ ଲୋକଙ୍କୁ ଆକୃଷ୍ଟ କରୁଛି । ହାତ ତିଆରି ଖେଳଣା ଦେଖି ପିଲାଏ ଘଡ଼ିଏ ଅଟକି ଯାଉଛନ୍ତି । ଏହାସହ ଫୁଡ଼ ଷ୍ଟଲର ଆମିଷ ଦୋକାନରେ ଲାଗୁଛି ଲମ୍ବା ଲାଇନ । ଚିକେନ, ମଟନ, ମାଛ, ଚିଙ୍ଗୁଡ଼ି ସହ ବିଦେଶୀ ଖାଦ୍ୟ ପାଇଁ ଜମୁଛି ଭିଡ଼ । ସେପଟେ ଉପର ବାଲିଯାତ୍ରା ପଡ଼ିଆ ଖାଲି ଥିବାରୁ ପ୍ରଥମରୁ ଲାଗି ରହିଛି ଅସନ୍ତୋଷ । କଟକର ଅସ୍ମିତା ପାଇଁ ରାଜ ରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି କଟକ ସ୍ୱାଭିମାନ ମଞ୍ଚ । ଷଷ୍ଠ ଦିନରେ ପହଞ୍ଚିଛି କଟକ ଐତିହାସିକ ବାଲିଯାତ୍ରା । ହାତରେ ଆଉ ଦୁଇଦିନ ଥିବାରୁ ଯାତ୍ରାର ମଜା ଲୁଟିବାକୁ ହାତଛଡ଼ା କରୁ ନାହାନ୍ତି ଲୋକେ ।
କାଳିଆ ଦର୍ଶନରୁ ବଞ୍ଚିତ ହେଉଛନ୍ତି ପୁରୀବାସୀ
କାଳିଆ ଦର୍ଶନରୁ ବଞ୍ଚିତ ହେଉଛନ୍ତି ପୁରୀବାସୀ । ପର୍ବବର୍ବାଣିରେ ଭିଡ଼ ଯୋଗୁଁ ଲାଗୁଛି କଟକଣା । ମହାପ୍ରଭୁଙ୍କ ଦର୍ଶନ ଓ ମହାପ୍ରସାଦ ପାଇବାରେ ହେଉଛି ସମସ୍ୟା । କୁହୁଳୁଛି ଜନ ଅସନ୍ତୋଷ । ପୁଣି ୨୦୧୮ ଦଙ୍ଗା ସ୍ଥିତି ସୃଷ୍ଟିହେବା ଆଶଂକା । ବର୍ଷକ ୩୬୫ ଦିନ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଜମୁଛି ଗହଳି । ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ଲାଗୁଛି କଟକଣା । ଏହି କଟକଣା ଭିତରେ ସମସ୍ଯା ଭୋଗୁଛନ୍ତି ପୁରୀବାସୀ । ପୂର୍ବରୁ ଆଧାର ପରିଚୟ ପତ୍ର ଦେଖାଇ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ଦିଆଯାଇଥିଲା । ହେଲେ ବର୍ତ୍ତମାନ ସେହି ସୁବିଧା ନାହିଁ । ଫଳରେ ମହାପ୍ରଭୁଙ୍କ ଦର୍ଶନ ଓ ମହାପ୍ରସାଦ ପାଇବାରେ ସ୍ଥାନୀୟ ଲୋକଙ୍କ ସମସ୍ୟା ଭୋଗିବାକୁ ପଡୁଛି । ଏନେଇ ପୁରୀବାସୀ କ୍ଷୋଭ ପ୍ରକାଶ କରିଥିବାବେଳେ ତୁରନ୍ତ ସ୍ଥାୟୀ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ।
ସନାତନ ଧର୍ମ ଆସ୍ତା ଓ ବିଶ୍ୱାସର କେନ୍ଦ୍ର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସକାଳ ମଙ୍ଗଳ ଆଳତି ଠାରୁ ପହୁଡ଼ ନୀତି ପର୍ଯ୍ୟନ୍ତ ଦର୍ଶନ କରିବା ନେଇ ଅନେକ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଇଚ୍ଛା ରହିଥିବା ସତ୍ତ୍ବ ପ୍ରଶାସନର କଟକଣା ଏଥିରେ ବାଧକ ସାଜୁଛି l ଏହାର ପ୍ରତିକାର କରିବାକୁ ଶ୍ରୀମନ୍ଦିର ସେବାୟତ ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ସେପଟେ ଶ୍ରୀମନ୍ଦିର ସେବାୟତ ଦାବି ପତ୍ର ମାଧ୍ୟମରେ ସରକାରଙ୍କୁ ଜଣାଇଛନ୍ତି l ଅନ୍ୟପକ୍ଷରେ ସେବାୟତଙ୍କ ଦାବି ଉପରେ ବିହିତ ପଦକ୍ଷେପ ଜଣାଇବାକୁ ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି l ପୁରୀବାସୀଙ୍କ ପାଇଁ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ସୁବିଧା ନେଇ ଶ୍ରୀମନ୍ଦିର ପ୍ରବେଶ ଅଭିଯାନ ମଞ୍ଚ ଗଠନ ହୋଇଥିବାବେଳେ ଆସନ୍ତା ବୁଧବାର ଅଭିଯାନ ମଞ୍ଚର ଜନ ଆନ୍ଦୋଳନ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ କରାଯିବ l
ସରିଲା ୨୮ ଦିନର ଲୁଚକାଳି ଖେଳ: ବନ୍ଧାହେଲା ସୁଧାଂଶୁ ଖୁଣ୍ଟିଆ ହତ୍ୟାକାଣ୍ଡର ମୁଖ୍ୟ କାର୍ପଟଦାର
ସରିଲା ୨୮ ଦିନର ଲୁଚକାଳି ଖେଳ । ବନ୍ଧାହେଲା ସୁଧାଂଶୁ ଖୁଣ୍ଟିଆ ହତ୍ୟାକାଣ୍ଡର ମୁଖ୍ୟ କାର୍ପଟଦାର । ମୁଖ୍ୟ ଅଭିଯୁକ୍ତ ସଦାଶିବ ସହ ୫ ଜଣଙ୍କୁ କୋର୍ଟ ଚାଲାଣ । ଗତମାସ ୧୩ ତାରିଖରେ ରକ୍ତରଞ୍ଜିତ ହୋଇଥିଲା ଭୁବନେଶ୍ବର ଉପକଣ୍ଠ ସରକନ୍ତରା । ଏମସରେ କାର୍ଯ୍ୟରତ ସୁଧାଂଶୁ ଖୁଣ୍ଟିଆଙ୍କୁ ଗୁଳିକରି ହତ୍ୟା କରିଥିଲେ ଦୁର୍ବୃତ୍ତ । ହସପିଟାଲରୁ କାମସାରି ଫେରୁଥିବାବେଳେ ପଏଣ୍ଟ ବ୍ଲାଙ୍କରୁ ଗୁଳି କରିହତ୍ଯା କରିଥିଲା ଅଭିଯୁକ୍ତ ସଦାଶିବ ପ୍ରଧାନ । ପୂର୍ବରୁ ପୋଲିସ ମାମଲାର ତଦନ୍ତ କରି ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ତେବେ ମର୍ଡର କରିବା ପରେ ଫେରାର ହୋଇଯାଇଥିଲା ଅଭିଯୁକ୍ତ । ୨୮ ଦିନ ପରେ ମାରଣାସ୍ତ୍ର ସହ ଶିବାକୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ ।
ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଘଟିଥିଲା ଏହି ଜଘନ୍ୟ ହତ୍ୟାକାଣ୍ଡ । ଯୋଜନା ମୁତାବକ ସୁଧାଂଶୁଙ୍କୁ ମାରିବା ପାଇଁ ଶିବା କିଣିଥିଲା ବନ୍ଧୁକ ଓ ଗୁଳି । ନିଜ ବାରି ପଟରେ କରୁଥିଲା ବନ୍ଧୁକ ଚଳାଇବା ଅଭ୍ୟାସ I ଏହାକୁ ନିଜ ମୋବାଇଲରେ ରେକର୍ଡ କରି ରଖି ଘଟାଇଥିଲା ଘଟଣା । ଶିବା ଠାରୁ ମୋବାଇଲ ଯବତ ପରେ ପୋଲିସ ହାତରେ ଲାଗିଛି ପ୍ରମାଣ I ଘରଠାରୁ ମାତ୍ର ଶହେ ମିଟର ଦୂରରେ ଗୁଳିକରି ସୁଧାଂଶୁଙ୍କୁ ହତ୍ୟା କରିଥିଲା । ଘଟଣାରେ ଶିବାର ବାପା ଓ ଭାଇ ସହ ଦୁଇ ସହଯୋଗୀଙ୍କୁ ପୁର୍ବରୁ ଗିରଫ କରିଛି ପୋଲିସ । ସେପଟେ ଶିବା ଗିରଫ ହେବା ପରେ ତାକୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ସୁଧାଂଶୁଙ୍କ ପରିବାର । ତେବେ ଏଠି ପ୍ରଶ୍ନ ଉଠୁଛି, ହତ୍ଯା କରିବାକୁ ଶିବା କେଉଁଠୁ ଆଣିଥିଲା ବନ୍ଧୁକ ଓ ଗୁଳି ? ସେ ଏହାକୁ କିଣିଥିଲା ନା, ଅନ୍ୟ କେହି ଯୋଗାଇଥିଲା ? ଖୁବଶୀଘ୍ର ଘଟଣା ଉପରୁ ପରଦା ଉଠିବ ବୋଲି କହିଛି ପୋଲିସ ।
କୁଞ୍ଜରେ ଶୋଭା ପାଉଛନ୍ତି ରାଧାକୃଷ୍ଣ: ଚାଲିଛି ରାଧାକୃଷ୍ଣଙ୍କ ରାହାସ ଯାତ୍ରା
କୁଞ୍ଜରେ ଶୋଭା ପାଉଛନ୍ତି ରାଧାକୃଷ୍ଣ । ଚାଲିଛି ରାଧାକୃଷ୍ଣଙ୍କ ରାହାସ ଯାତ୍ରା । ପ୍ରସିଦ୍ଧ ରାହାସ ଯାତ୍ରା ପାଇଁ ଉତ୍ସବମୁଖର ଯାଜପୁର ଜିଲ୍ଲା ରସୁଲପୁର ବ୍ଲକର ହରିପୁର ଅଞ୍ଚଳ । ବିଭିନ୍ନ ମଠ ମନ୍ଦିରରେ ପ୍ରସ୍ତୁତ ସୁସଜ୍ଜିତ କୁଞ୍ଜରେ ପୂଜା ପାଉଛନ୍ତି ପ୍ରଭୁ ରାଧାକୃଷ୍ଣ ଓ ଜଗନ୍ନାଥ । କୁଞ୍ଜର ଅବର୍ଣ୍ଣନୀୟ ସୌନ୍ଦର୍ଯ୍ୟ ସାଙ୍ଗକୁ ରାଧାକୃଷ୍ଣଙ୍କୁ ଦେଖିବାକୁ ଆଖପାଖ ଅଞ୍ଚଳ ସମେତ ଜିଲ୍ଲା ଓ ଜିଲ୍ଲା ବାହାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି।…
ବାଇଟ-1 ଶଙ୍କର୍ଷଣ ଦାସ, ପୂଜକ
ବାଇଟ- 2 ମିତାଲୀ ସାହୁ, ଶ୍ରଦ୍ଧାଳୁ
ଭିଓ୨- କିମ୍ବଦନ୍ତୀ ଅନୁସାରେ ପଞ୍ଚଦଶ ଶତାବ୍ଦୀରେ ଶ୍ରୀ ଚୈତନ୍ୟ ଦେବ ଶ୍ରୀକ୍ଷେତ୍ର ଯିବା ବାଟରେ ହରିପୁର ଅଞ୍ଚଳରେ କିଛି ସମୟ ଅଟକିଥିଲେ। ସେହି ସମୟରେ ଏହି ଅଞ୍ଚଳର ଅନେକ ଲୋକ ରାଧାକୃଷ୍ଣଙ୍କ ପ୍ରେମରେ ବିଭୋର ହୋଇଯାଇଥିଲେ। ଆଉ ସେବେଠାରୁ ଏହି ଅଞ୍ଚଳରେ ପାଳିତ ହୋଇଆସୁଛି ରାହାସ ଯାତ୍ରା । ଏବେ ଏହି ଅଞ୍ଚଳରେ ୭ଟି ସ୍ଥାନରେ କୁଞ୍ଜ ପ୍ରସ୍ତୁତ କରାଯାଇ ରାଧାକୃଷ୍ଣଙ୍କ ରାହାସ ଯାତ୍ରା ପାଳନ କରାଯାଉଛି। ଏଥିସହିତ ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ପାଇଁ ମୀନାବଜାର ଓ ଅପେରା ଆୟୋଜନ କରାଯାଇଛି । ଲୋକେ ମୀନାବଜାର ବୁଲି ସୁସ୍ବାଦୁ ଖାଦ୍ୟ ଓ ଦୋଳିର ମଜା ନେବା ସହ ଘରକରଣା ସାମଗ୍ରୀ କିଣି ନେଉଛନ୍ତି। ସେପଟେ ଚଳିତବର୍ଷ ୧୦ଟି ନାମିଦାମୀ ଯାତ୍ରାପାର୍ଟି ଯାତ୍ରା ପରିବେଷଣ କରୁଛନ୍ତି। …
ବାଇଟ- 4 ପ୍ରିୟଙ୍କା, ସ୍ଥାନୀୟ ବାସିନ୍ଦା
ବାଇଟ- 6 ଅଜୟ କୁମାର ସାହୁ, ଆୟୋଜକ
ଫାଭିଓ- କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିବା ଏହି ରାହାସ ଯାତ୍ରା ଆସନ୍ତାକାଲି ସରିବ ।
ମହିଳାଙ୍କୁ ରୋଜଗାରର ବାଟ ଦେଖାଇଛି ଫୁଲ ଝାଡୁ
ବଦଳିଛି ସମୟ, ସଶକ୍ତ ହେଉଛନ୍ତି ମହିଳା । ଘରର ଚାରିକାନ୍ଥରୁ ବାହାରି କରୁଛନ୍ତି ରୋଜଗାର । କଟକ ଜିଲ୍ଲା ନରସିଂହପୁର ବ୍ଲକ ଅଲରା ପଂଚାୟତ ଲେମ୍ବୋ ବନ୍ଧସାହି ଗାଁରେ ମହିଳାଙ୍କୁ ରୋଜଗାର ଦେଉଛି ଫୁଲଝାଡୁ । ବନ୍ଧସାହି ଗାଁରେ ୪ଟି SHGର ୪୦ରୁ ଉର୍ଦ୍ଧ୍ଵ ମହିଳା ଏକାଠି ହୋଇ ପ୍ରସ୍ତୁତ କରୁଛନ୍ତି ଫୁଲ ଝାଡୁ । ମହିଳାମାନଙ୍କୁ ଝାଡୁ ତିଆରି କରିବାରେ ପୁରୁଷ ମାନେ ସାହାଯ୍ୟ ମଧ୍ୟ କରୁଛନ୍ତି । ଆଉ ଝାଡୁକୁ ବଜାରରେ ବିକ୍ରି କରି ମହିଳାମାନେ ମାସିକ ମୁଣ୍ଡ ପିଛା ୮ ରୁ ୧୦ ହଜାର ଟଙ୍କା କରୁଛନ୍ତି ରୋଜଗାର ।
ଲେମ୍ବୋ ବନ୍ଧସାହି ଗାଁରେ ଏମବିକେ ନିରୂପମା ନାୟକଙ୍କର ତତ୍ୱବାଧାନରେ ଚାରୋଟି ମିଶନ ଶକ୍ତି ମହିଳା ଗ୍ରୁପକୁ ନେଇ ଗୋଟିଏ ପିଜି ଗ୍ରୁପ ଗଠିତ ହୋଇଛି । ଯେଉଁଥିରେ ୪୦ରୁ ଉର୍ଦ୍ଧ୍ଵ ମହିଳା ସାମିଲ ହୋଇଛନ୍ତି । ମହିଳାମାନେ କଞ୍ଚାମାଲ ପାଇଁ ବ୍ୟାଙ୍କରୁ ୨୦ ଲକ୍ଷ ଟଙ୍କାର ଋଣ ଆଣି କରୁଛନ୍ତି ବ୍ୟବସାୟ । ଅନ୍ୟପଟେ ଆଗାମୀ ଦିନରେ ମହିଳା ମାନଙ୍କୁ ମେସିନ ସହ ଭୁବନେଶ୍ଵର ଓ କଟକରେ ଝାଡୁର ବିକ୍ରିବଟା ପାଇଁ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ବିଡିଓ । ଫୁଲଝାଡୁକୁ ମହିଳାମାନେ ନରସିଂହପୁର, ଚମ୍ପେଶ୍ୱର, ବାଲିଝରି, ଗୋପପୁର ଓ ବଡମ୍ବା ଆଦି ସପ୍ତାହିକ ହାଟରେ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି ।
ନୂଆ ସରକାରରେ ଚାଲିଛି କଣ ? ୧ ଲକ୍ଷ ଟଙ୍କା ଦେଲେ ଗାଁକୁ ଯିବ ବିଦ୍ୟୁତ
ନୂଆ ସରକାରରେ ଚାଲିଛି କଣ ? ବିଦ୍ୟୁତ ସଂଯୋଗୀକରଣ ପାଇଁ ଖୋଲାଖୋଲି ଲାଞ୍ଚ ମାଗୁଛନ୍ତି ଅଧିକାରୀ । ୧ ଲକ୍ଷ ଟଙ୍କା ଦେଲେ ଗାଁକୁ ଯିବ ବିଦ୍ୟୁତ । ନଚେତ ଗାଁରେ ଜଳିବନି ବିଜୁଳି ଆଲୁଅ । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ପୁରୁଣାପାଣି ପଞ୍ଚାୟତ ତରବଙ୍ଗ ଗାଁରୁ । ତରବଙ୍ଗ ଗାଁରେ ଶହେରୁ ଉର୍ଦ୍ଧ୍ଵ ଆଦିବାସୀ ପରିବାର ବସବାସ କରିଆସୁଛନ୍ତି । କିନ୍ତୁ ଏଯାଏଁ ଗାଁକୁ ବିଦ୍ୟୁତ ସଂଯୋଗ ହୋଇପାରିନାହିଁ । ଫଳରେ ସନ୍ଧ୍ୟା ହେଲେ ଘନ ଅନ୍ଧକାର ଭିତରେ ବିତାଇବାକୁ ପଡୁଛି ଜୀବନ ।
ଜିଲ୍ଲା ସଦରମହକୁମା ଠାରୁ ୧୧୦ କିଲୋମିଟର ଦୂରରେ ପାହାଡ ଜଙ୍ଗଲ ଘେରା ପରିବେଶ ମଧ୍ୟରେ ଅବସ୍ଥିତ ତରବଙ୍ଗ ଗାଁ । ଗାଁରେ ସରକାରଙ୍କ ପକ୍ଷରୁ ପାଣି ଟାଙ୍କି ବସିଛି କିନ୍ତୁ ପାଣି ଉଠାଇବା ମଟରକୁ ବିଜୁଳି ସଂଯୋଗ ନାହିଁ । ସେହିଭଳି ସ୍ମାର୍ଟ ସ୍କୁଲକୁ ବିଦ୍ୟୁତ ସଂଯୋଗୀକରଣ ହୋଇନଥିବାରୁ ଏଲିଇଡି ଜରିଆରେ ପିଲା ପାଠ ବି ପଢିପାରୁନାହାନ୍ତି । ପୂର୍ବ ସରକାରଙ୍କ ସମୟରେ ଗାଁରେ ସୋଲାର ପ୍ୟାନେଲ ବସାଯାଇ ସମସ୍ତ ଘରକୁ ଆଲୁଅ ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ଉକ୍ତ ସୋଲାର ପ୍ୟାନେଲଟି ଖରାପ ହୋଇଯିବାରୁ ବିଦ୍ୟୁତ ଯୋଗାଣ ଠପ ହୋଇପଡିଛି । ସମସ୍ୟା ସଂପର୍କରେ ଗ୍ରାମବାସୀ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ଫଳ ଶୂନ । ଅନ୍ୟପଟେ ଗାଁକୁ ବିଦ୍ୟୁତ ଯୋଗାଇଦେବାକୁ ବିଭାଗୀୟ ଅଧିକାରୀ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି । ଏପଟେ ଗାଁକୁ ଯଥାଶୀଘ୍ର ବିଦ୍ୟୁତ ଯୋଗାଇଦେବାକୁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ। ତରବଙ୍ଗ ଗାଁକୁ କେବେ ମିଳିବ ବିଜୁଳି ସଂଯୋଗ ? ଗାଁକୁ ସରକାର ବିନା ହାତଗୁଞ୍ଜାରେ ବିଜୁଳି କନେକ୍ସନ ଦେବେ ନା ନାହିଁ ? ନା ପ୍ରଶାସନର ପ୍ରତିଶୃତି ପାଣିର ଗାର ପାଲଟୁଛି ତାହା ଉପରେ ରହିବ ସମସ୍ତଙ୍କ ନଜର ।
ନୂଆପଡାରେ ନିରପେକ୍ଷ ନିର୍ବାଚନ ନେଇ ସନ୍ଦେହ ପ୍ରକଟ କରି CEOଙ୍କୁ ଅଭିଯୋଗ କଲା ବିଜେଡି
ନୂଆପଡାରେ ନିରପେକ୍ଷ ନିର୍ବାଚନ ନେଇ ସନ୍ଦେହ ପ୍ରକଟ କରିଛି ବିଜେଡି । ସାମ୍ବାଦିକ ସମ୍ମିଳନୀ କରି ଦଳ ଅଭିଯୋଗ କରି କହିଛି, ଗତକାଲି ଗଞ୍ଜାମରୁ ଏକ ଇଭିଏମ ଟ୍ରକ ନୂଆପଡ଼ାରେ ପହଞ୍ଚିଛି । ଏହାକୁ ସିଇଓ କେମିତି ଗ୍ରହଣ କଲେ ବୋଲି ପଚାରିଛି ବିଜେଡି । ନୂଆପଡା ଜିଲ୍ଲାପାଳ, SP ଓ IG ହିମାଂଶୁ ଲାଲ ନିରପେକ୍ଷ ନିର୍ବାଚନ କରାଇ ଦେଉ ନାହାନ୍ତି । IG ସରକାରୀ ପକ୍ଷର ଗୁମାସ୍ତା ପରି କାମ କରୁଛନ୍ତି । ୩୨ଟି ଅତି ସମ୍ବେଦନଶୀଳ ବୁଥର ତଥ୍ୟ ଆଜି ବିଜେଡି CEOଙ୍କୁ ଜଣାଇଛି । ଯେଉଁଠି ଏହି ସବୁ EVM ବ୍ୟବହାର କରାଯିବ । ଏହି ସବୁ ବୁଥ ଗୁଡିକରେ ଗୁଣ୍ଡାଗିରି କରିବାକୁ ବିଜେପି ଟାର୍ଗେଟ କରୁଛି । ଟଙ୍କା ବଣ୍ଟା ଯାଉଛି, ଛତିଶଗଡ ଲୋକ ପୋଲିସ ଡ୍ରେସରେ ଆସୁଛନ୍ତି । ଏପରି ସ୍ଥିତିରେ କେମିତି ନିରପେକ୍ଷ ନିର୍ବାଚନ ନେଇ ବିଶ୍ୱାସ ଆସିବ ବୋଲି ପ୍ରଶ୍ନ କରିଛି ବିଜେଡି ।
ତେବେ ଏବର CEOଙ୍କ ଉପରେ ବିଶ୍ୱାସ ଅଛି ବୋଲି ତାଙ୍କୁ ଏସବୁ ଅଭିଯୋଗ ଜଣାଇଛୁ । ସିଇଓ କହୁଛନ୍ତି ଭୋଟ ଟ୍ୟାମ୍ପରିଂ ହୋଇପାରିବ ନାହିଁ । ତାହା ହେଲେ ଏତେ ଭୋଟ ଚୋରି ଅଭିଯୋଗ କେଉଁଠୁ ଆସୁଛୁ ? ଯଦି ନିରପେକ୍ଷ ନିର୍ବାଚନ ନ ହୁଏ ତେବେ ବିଜେଡି ରାଜରାସ୍ତାକୁ ଓଲ୍ହାଇବ ବୋଲି ଚେତାବନୀ ଦେଇଛନ୍ତି ବିଜେଡି ମିଡିଆ ସଂଯୋଜକ ଲେନିନ ମହାନ୍ତି । ସେହିପରି ବିଜେଡି ସାଂସଦ ସୁଲତା ଦେଓ କହିଛନ୍ତି, ଆଚରଣ ବିଧି କଣ କେବଳ ବିରୋଧୀ ଦଳ ପାଇଁ ? ପ୍ରୀତି ଘଡ଼ାଇ ରହୁଥିବା ଘରେ ବିନା ୱାରେଣ୍ଟରେ ରେଡ କଲେ । ଜୁନେଦ, ମନୋଜ ମିଶ୍ରଙ୍କ ଘରେ ରେଡ କଲେ । କିଛି ମିଳିଲାନି । ଦେଢ଼ ବର୍ଷ ହେଲା କାମ କରି ନାହାନ୍ତି ସରକାର । କାହାକୁ ମୁହଁ ଦେଖାଇ ପାରୁ ନାହାନ୍ତି । ବିଜେପି ବିଧାୟକ ନିହାର ମହାନନ୍ଦ ନିର୍ବାଚନ ସାଇଲେନ୍ସ ପିରିଅଡରେ କେମିତି ନୂଆପଡାରେ ବୁଲୁଛନ୍ତି ? ଜିଲ୍ଲାପାଳ ଫୋନ ଉଠାଉ ନାହାନ୍ତି । ତେଣୁ CEO କେଉଁଠି ଏହି EVM ଅଛି ବୋଲି ଦେଖନ୍ତୁ ବୋଲି କହିଛନ୍ତି ସୁଲତା । ବିଜେପି ବିଧାୟକ ନିହାର ମହାନନ୍ଦ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଚରିତ୍ର ସଂହାର କରି ପାରିବେନି । ବିଜେଡି ବହୁ ମାତ୍ରାରେ ନୂଆପଡା ଜିତିବ ବୋଲି କହିଛନ୍ତି ବିଜେଡି ନେତ୍ରୀ ମିନତୀ ବେହେରା ।
ନୂଆପଡ଼ାରେ ଥିବାବେଳେ ବିଜେପି ଏକ ପଂଚାୟତରେ ଟଙ୍କା ବାଣ୍ଟୁ ଥିଲେ । ବିଜେଡିର ଦୁଇ ନେତା ଏମାନଂକୁ ଧରି ପୋଲିସକୁ ଦେଲେ । ହେଲେ ଟଙ୍କା ବାଣ୍ଟୁଥିବା ନେତାଙ୍କୁ ଛାଡି ତାଙ୍କୁ ଧରିଥିବା ବିଜେଡି ନେତାଙ୍କୁ ଅଟକ ରଖିଲେ । ହାରିବା ଭୟରେ ଆଗ ବିକ୍ରମ ପଣ୍ଡାଙ୍କୁ ଗିରଫ କଲେ । ତା ପରେ ନବୀନ ପଟ୍ଟନାୟକଙ୍କୁ ନେଇ ମିଛ କହିବାକୁ ଚେଷ୍ଟା କଲେ । ବେଇମାନ ଜୟ ଢୋଲକିଆ ଆଖିରେ ମେନ୍ଥୋ ପ୍ଲସ ଲଗାଇ କନ୍ଦାଇଲେ । ଯାହାକୁ ଲୋକେ କୁମ୍ଭୀର କାନ୍ଦଣା ବୋଲି କହିଲେ । ବିଜେପି ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀଙ୍କୁ ମିଛ କହିବାରେ ବ୍ୟବହାର କଲେ । ବିଜେପି ହାରିବା ଜାଣିଲେଣି । ଅନ୍ଧ ଭକ୍ତ କି ବିଜେପିକୁ ନୀତି ନିୟମ ଦେଖା ଯାଉନି । ନିର୍ବାଚନ କମିସନଙ୍କୁ ଏହା ଦେଖା ଯାଉନି । ଆଜି ଥାନା ଆଗରେ ସ୍ନେହାଙ୍ଗିନୀ ଛୁରିଆ ଓ ବିଜେଡି ନେତା ଧାରଣା ଦେଇଛନ୍ତି ।
ନୂଆପଡ଼ାରେ ହେଉ ମୁକ୍ତ ଓ ଅବାଧ ନିର୍ବାଚନ: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅପିଲ
ନୂଆପଡ଼ାରେ ହେଉ ମୁକ୍ତ ଓ ଅବାଧ ନିର୍ବାଚନ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏନେଇ ଅପିଲ କରିଛନ୍ତି। ଜିଲ୍ଲା ପ୍ରଶାସନ ଓ ପୋଲିସ ନିରପେକ୍ଷ ଭାବେ ନିର୍ବାଚନ ପରିଚାଳନା କରନ୍ତୁ। ଏହାସହ ସାଇଲେଣ୍ଟ ପିରିୟଡ଼ରେ ବିଭ୍ରାଟକୁ ନେଇ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି ନବୀନ। ଜିଲ୍ଲା ବାହାରର ନେତାଙ୍କୁ ତଡ଼ିବା ପାଇଁ ପଦକ୍ଷେପ ନେବାକୁ ଅପିଲ କରିଛନ୍ତି। ନବୀନ କହିଛନ୍ତି, ନିର୍ବାଚନକୁ ପରିଚାଳନା କରିବା ହେଉଛି ଗଣତନ୍ତ୍ର ହଲମାର୍କ। କିନ୍ତୁ ନୂଆପଡ଼ା ଉପନିର୍ବାଚନର ନିରବ ଅବଧିରେ ଏହାର ବ୍ୟତିକ୍ରମ ହେବା ଅତ୍ୟନ୍ତ ଦୁଃଖଦାୟକ ଓ ଆଇନ ବିରୁଦ୍ଧ। ନିର୍ବାଚନ କମିଶନଙ୍କ ଗାଇଡଲାଇନ ଅନୁସାରେ, ସାଇଲେଣ୍ଟ ପିରିୟଡରେ ଜିଲ୍ଲା ବାହାରର କୌଣସି ରାଜନେତା ଓ ପ୍ରଚାରକ ରହିପାରିବେ ନାହିଁ। କିନ୍ତୁ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଏହି ନିୟମର ଖୋଲାଖୋଲି ଉଲ୍ଲଂଘନ ହେଉଛି। ବିଜେପିର କିଛି ଜିଲ୍ଲା ବାହାରର ନେତା ଏବେ ବି ନୂଆପଡ଼ାରେ ଅବାଧରେ ବୁଲିବା ସହ ଭୋଟରକୁ ଅନୈତିକ ଭାବେ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି। ଯାହା ଅତ୍ୟନ୍ତ ଚିନ୍ତାଜନକ। ଯେତେବେଳେ ସ୍ଥାନୀୟ ବିଜେଡି ନେତା ଏନେଇ ଅଭିଯୋଗ କରୁଛନ୍ତି, ତାଙ୍କୁ ପୋଲିସ ଅଟକ ରଖୁଛି।
ଏହା ସୂଚାଇ ଦେଉଛି ଯେ, ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପୋଲିସ ଶାସକ ଦଳର ହାତବାରିସି ସାଜି ନିର୍ବାଚନର ନିରପେକ୍ଷତାକୁ ଭଣ୍ଡୁର କରିବାକୁ ଉଦ୍ୟମ କରୁଛନ୍ତି। ଏହା ଗଣତନ୍ତ୍ରର ମୂଳଦୂଆକୁ ପ୍ରଭାବିତ କରିବା ସହ ଲୋକଙ୍କ ବିଶ୍ବାସକୁ ନଷ୍ଟ କରୁଛନ୍ତି। ଏଭଳି କାର୍ଯ୍ୟ ଯଦି ଅବୈଧ ଭାବେ ଜାରି ରହେ, ତେବେ ନୂଆପଡ଼ା ଉପନିର୍ବାଚନର ବିଶ୍ବସନୀୟତା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିବ। ତେଣୁ ନିର୍ବାଚନ କମିଶନ ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ଅପିଲ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ସାଇଲେଣ୍ଟ ପରିୟଡ଼କୁ କଡ଼ାକଡ଼ି ପାଳନ କରାଯାଉ। ନିର୍ବାଚନ କମିଶନ ଜିଲ୍ଲା ବାହାରର ରାଜନେତାଙ୍କ ତୁରନ୍ତ ବାହାର କରାଯାଉ। ଏହାସହ ଜିଲ୍ଲା ପ୍ରଶାସନ ଓ ପୋଲିସ ମିଳିତ ଭାବେ ପଦକ୍ଷେପ ନେଇ ନିରପେକ୍ଷତାର ସହିତ ନିର୍ବାଚନର ପ୍ରକ୍ରିୟାକୁ ପବିତ୍ରତାର ସହିତ ପାଳନ କରିବାକୁ ଦାବି କରିଛନ୍ତି ନବୀନ। ଭାରତୀୟଭାବେ ଗଣତନ୍ତ୍ରର ଏହି ମହାନ ପର୍ବକୁ ପାଳନ କରିବା ପାଇଁ ଯୁଗ ଯୁଗ ଧରି ପୂର୍ବ ପୂରୁଷଙ୍କ ତ୍ୟାଗ ଓ ବଳିଦାନ ଫଳ ସ୍ବରୂପ ପାଇଛନ୍ତି। ପ୍ରତ୍ୟେକ ସାମ୍ବିଧାନିକ ସଂସ୍ଥା ବିଶେଷ କରି ନିର୍ବାଚନ କମିଶନ ମୁକ୍ତ ଓ ଅବାଧ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ପ୍ରତିଶୃତି ହେବା ଦରକାର।

