spot_img
Home Blog Page 2858

ନୟାଗଡ଼ର ନବକଳେବର ପାଇଁ ନକ୍ସା ଅଙ୍କନ, ଚମକିବ ମା’ ମଣିନାଗଙ୍କ ମନ୍ଦିର

ନୟାଗଡ଼: ନୟାଗଡ଼ର ନବକଳେବର ପାଇଁ ନକ୍ସା ଅଙ୍କନ । ଚମକିବ ମାଆ ମଣିନାଗଙ୍କ ମନ୍ଦିର । ନୟାଗଡ଼ ଜିଲ୍ଲା ରଣପୁରର ଆରାଧ୍ୟ ଦେବୀ ମାଆ ମଣିନାଗଙ୍କ ପୀଠର ରୂପାନ୍ତରଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ଗଞ୍ଜାମର ମାଆ ତାରାତାରିଣୀଙ୍କର ମନ୍ଦିରର ରୂପାନ୍ତରଣ ଭଳି ଏହାର ଉନ୍ନତିକରଣ କରାଯିବ। ନୟାଗଡ଼ ଜିଲ୍ଲାକୁ ରୂପାନ୍ତରଣ ଫର୍ଦ୍ଦରେ ଯୋଡ଼ିବାକୁ ଗ୍ରାଉଣ୍ଡରେ ପହଞ୍ଚିଛନ୍ତି 5T ସଚିବ । ବିକାଶ ରାସ୍ତାରେ ବାଧାଦେଇପାରିନି ପ୍ରତିକୂଳ ପାଗ । ରେନକୋଟ୍ ପିନ୍ଧି ଲୋକଙ୍କ ପାଖରେ ପହଞ୍ଚିଥିଲେ 5T ସଚିବ। ପ୍ରଥମେ ରଣପୁରର ତଳ ମଣିନାଗ ମନ୍ଦିର ପରିଦର୍ଶନ କରି ମାଆଙ୍କ ନିକଟରେ ପୂଜାର୍ଚ୍ଚନା କରିଛନ୍ତି । ମନ୍ଦିର ବୁଲି ଦେଖିବା ସହିତ ଏହାର ନବକଳେବର ପାଇଁ ଆଲୋଚନା କରିଛନ୍ତି ।‌ ରୂପାନ୍ତରଣ ପାଇଁ ମାଷ୍ଟରପ୍ଲାନ୍ ଦେଖିବା ସହ ପୂଜକ, ଶ୍ରଦ୍ଧାଳୁ ଓ ସ୍ଥାନୀୟ ଲୋକଙ୍କ ସହିତ ଉନ୍ନତିକରଣ ସମ୍ପର୍କରେ ଆଲୋଚନା କରିଥିଲେ ।

ପ୍ରଥମେ ଉଭୟ ଉପର ଓ ତଳ ମଣିନାଗ ମନ୍ଦିରର ବିକାଶ କରାଯିବ । ଭକ୍ତଙ୍କ ପାଇଁ ସମସ୍ତ ସୁବିଧା ସହିତ ପାର୍ଶ୍ଵ ଦେବଦେବୀଙ୍କ ମନ୍ଦିରର ମଧ୍ୟ ଉନ୍ନତିକରଣ କରାଯିବ । ପରବର୍ତ୍ତୀ ପର୍ଯ୍ୟାୟରେ ପର୍ଯ୍ୟଟନର ବିକାଶ କରାଯିବ। ମନ୍ଦିରର ବିକାଶ ଦ୍ବାରା ଆଧ୍ୟାତ୍ମିକ ସହିତ ପ୍ରାକୃତିକ ପରିବେଶରେ ଅନୁଭୂତି ପାଇବେ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ । ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ମନ୍ଦିରର ରୂପାନ୍ତରଣ ପ୍ରକଳ୍ପକୁ ଅନୁମୋଦନ କରିବା ପରେ କାମ ଆରମ୍ଭ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଭିକେ ପାଣ୍ଡିଆନ । ଦୀର୍ଘଦିନ ଧରି ମନ୍ଦିରର ଉନ୍ନତିକରଣ ହୋଇପାରୁନଥିବା ବେଳେ 5T ସଚିବଙ୍କ ପ୍ରତିଶ୍ରୁତି ରଣପୁରବାସୀଙ୍କ ମଧ୍ୟରେ ଖୁସି ଆଣିଦେଇଛି ।

ମହାରାଷ୍ଟ୍ରର ରାଇଗଡ଼ ଜିଲ୍ଲାରେ ଭୂସ୍ଖଳନ, ୫ ଜଣଙ୍କ ମୃତ୍ୟୁ

ମୁମ୍ବାଇ: ମହାରାଷ୍ଟ୍ର ରାଇଗଡ଼ରେ ଭୂସ୍ଖଳନ । ରାଇଗଡ଼ ଜିଲ୍ଲା ଖାଲାପୁର ତହସିଲ ଆଦିବାସୀଙ୍କ ଗାଁ ଇରସାଲୱାଡ଼ିରେ ବିଳମ୍ବିତ ରାତିରେ ଧସିଲା ପାହାଡ଼ । ଗାଁର ୧୭ଟି ଘରେ ପାହାଡ଼ ଅତଡ଼ା ଖସିବା ଫଳରେ ପୁରା ଗାଁ ଛାରଖାର । ଘଟଣାରେ ୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଲେ ୫୦ ଲୋକ ଦବି ରହିଥିଲେ । ଘଟଣାସ୍ଥଳରେ ଏନଡିଆରଏଫର ୨ଟି ଟିମ୍ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ୨୫ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ୨୧ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସକାଳୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଯାଞ୍ଚ କରିଛନ୍ତି । ୨ ଦିନ ଧରି ଲଗାତର ବର୍ଷା ଫଳରେ ମହାରାଷ୍ଟ୍ରର ବିଭିନ୍ନ ନଦୀ ଜଳସ୍ତର ବଢ଼ିଛି । ମୁମ୍ବାଇ, ରାଇଗଡ଼ ଓ ପାଲଘରକୁ ଭୀଷଣ ବର୍ଷା ନେଇ ରେଡ୍ ଆଲର୍ଡ ଜାରି କରିଛି ଆଇଏମଡି । ପୂରା ମହାରାଷ୍ଟ୍ରରେ ୧୨ ଏନଡିଆରଏଫ୍ ଟ୍ରୁପ୍ ନିୟୋଜିତ ଅଛନ୍ତି । ଭୀଷଣ ବର୍ଷାକୁ ନଜରରେ ରଖି ମୁମ୍ବାଇରେ ସବୁ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିଛି ।

ଆଜିଠୁ ଦ୍ୱିତୀୟ ଟେଷ୍ଟ, ସିରିଜ୍ କବଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଆଜିଠୁ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଶତକୀୟ ଟେଷ୍ଟ୍ ମୁକାବିଲା । ପୋର୍ଟ ଅଫ୍ ସ୍ପେନରେ ଏହି ମ୍ୟାଚ ଖେଳାଯିବ । ଏହି ଟେଷ୍ଟ୍ ଚଳିତ ଶୃଙ୍ଖଳାର ଦ୍ବିତୀୟ ତଥା ଅନ୍ତିମ ଟେଷ୍ଟ ମୁକାବିଲା। ପ୍ରଥମ ଟେଷ୍ଟରେ ବିଜୟ ସହ ଏହି ଦୁଇ ଟିକିଆ ସିରିଜରେ ୧-୦ରେ ଆଗୁଆ ରହିଛି ଭାରତ । ଭାରତ ଶୃଙ୍ଖଳା ଜିତିବା ସମ୍ଭାବନା ଅଧିକ ଥିବାବେଳେ ଘରୋଇ ଦଳ ନିଶ୍ଚିତ କିଛିଟା ଲଢ଼େଇ କରିବାକୁ ଆଶା ରଖିବ। ଡୋମିନିକାରେ ଭାରତୀୟ ସ୍ପିନ୍‌ ଯୋଡ଼ି ରବିଚନ୍ଦ୍ରନ ଅଶ୍ବିନ ଓ ରବୀନ୍ଦ୍ର ଜାଡେଜା ଚମତ୍କାର ପ୍ରଦର୍ଶନ କରିଥିଲେ । ତେବେ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଭାରତୀୟ ସ୍ପିନ ବୋଲରଙ୍କ ରାଜୁତି ରହିବା ସମ୍ଭାବନା ଅଧିକ । ସେପଟେ ପ୍ରଥମ ଟେଷ୍ଟ୍‌ରେ ୭୬ ରନ୍‌ କରିଥିବା ବିରାଟ କୋହଲିଙ୍କଠାରୁ ୨୦୧୮ ମସିହା ପରେ ବିଦେଶରେ ପ୍ରଥମ ଶତକ ଆଶା କରାଯାଉଛି। ସେହିପରି ଶୁବମନ ଗିଲଙ୍କଠାରୁ ଏକ ଆତ୍ମବିଶ୍ବାସ ଭରା ପାଳିର ଅପେକ୍ଷା ରହିଛି । ବିଗତ ୨୧ ବର୍ଷରେ ଭାରତ ବିପକ୍ଷରେ ୱେଷ୍ଟଇଣ୍ଡିଜ ଗୋଟିଏ ବି ଟେଷ୍ଟ ଜିତିପାରିନି ।

ଆଜିଠୁ ଯୁକ୍ତଦୁଇ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା

ଭୁବନେଶ୍ୱର: ଆଜିଠୁ ଯୁକ୍ତଦୁଇ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା । ଗତକାଲି ସେକେଣ୍ଡ କଟ୍ ଅଫ ମାର୍କ ପ୍ରକାଶ ପାଇଥିଲା । ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଆଜିଠୁ ୨୨ ତାରିଖ ପର୍ଯ୍ୟନ୍ତ ନାମ ଲେଖାଇ ପାରିବେ । ଦ୍ବିତୀୟ ପର୍ଯ୍ୟାୟରେ ମୋଟ ୭୦ ହଜାର ୧୦୫ ଜଣ ଛାତ୍ରଛାତ୍ରୀ ଆଡମିଶନ ପାଇଁ ମନୋନୀତ ହୋଇଛନ୍ତି । କଳାରେ ୪୯ ହଜାର ୭୦ ଛାତ୍ରଛାତ୍ରୀଙ୍କୁ ମିଳିଛି ଇଣ୍ଟିମେସନ୍ ଲେଟର । ସେହିପରି ବାଣିଜ୍ୟରେ ୩ ହଜାର ୧୮୨,  ବିଜ୍ଞାନରେ ୧୬ ହଜାର ୯୨୭ ଛାତ୍ରଛାତ୍ରୀ ନାମ ଲେଖାଇବା ପାଇଁ ମନୋନୀତ ହୋଇଛନ୍ତି । ନାମଲେଖା ପରେ ବଳକା ସିଟ୍ ପାଇଁ ହେବ ସ୍ପଟ୍ ସିଲେକସନ । ୨୭ ତାରିଖରେ ପ୍ରକାଶ ପାଇବ ତାଲିକା । ୨୯ ରୁ ୩୧ ପର୍ଯ୍ୟନ୍ତ ହେବ ସ୍ପଟ୍ ନାମଲେଖା  । ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୪୩ ହଜାର ୭୬୯ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି ।

ଉପରମୁଣ୍ଡରେ ଲଗାଣ ବର୍ଷା ,ବଢ଼ୁଛି ହୀରାକୁଦ ଜଳସ୍ତର

ସମ୍ବଲପୁର: ବଢୁଛି ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର । ସକାଳ ୬ଟା ସୁଦ୍ଧା ୬୧୧.୦୪ ଫୁଟରେ ପହଂଚିଲା ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର । ଉପରମୁଣ୍ଡରେ ବର୍ଷା ଯୋଗୁଁ ବଢିଚାଲିଛି ବନ୍ୟାଜଳ ପ୍ରବେଶର ମାତ୍ରା । ପ୍ରତି ସେକେଣ୍ଡରେ ଡ୍ୟାମକୁ ପ୍ରବେଶ କରୁଛି ୧ ଲକ୍ଷ ୪୭ ହଜାର ୪୬୮ ଘନଫୁଟ ବନ୍ୟାଜଳ । ନିଷ୍କାସିତ ହେଉଛି ୩୯ ହଜାର ୧୩୭  ଘନଫୁଟ ବନ୍ୟାଜଳ ।

ସହାୟତା ପାଇଁ ପ୍ରତିଶ୍ରୁତି ଦେଇଥିଲେ, ୪ ଦିନ ମଧ୍ୟରେ ପୂରଣ କଲେ

ସମ୍ବଲପୁର: ସହାୟତା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ୪ ଦିନ ମଧ୍ୟରେ ପୂରଣ କଲେ । ଦୁଇ ଅସହାୟଙ୍କୁ ୩୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କଲେ ରାଜ୍ୟ ସରକାର । ଗତ ୧୫ ତାରିଖରେ 5T ସଚିବ ସମ୍ବଲପୁର ଗସ୍ତ ସମୟରେ  ରେଙ୍ଗାଲିରେ ଅନୁଷ୍ଠିତ ଅଭିଯୋଗ ଶୁଣାଣିରେ ଯୋଗଦେଇଥିଲେ । ଏଠାରେ ତବଲାର କଳ୍ପନା ଧରୁଆ ତାଙ୍କ ସ୍ବାମୀ ଦୀକ୍ଷିତ ଧରୁଆଙ୍କ ଚିକିତ୍ସାରେ ସହଯୋଗ ପାଇଁ ଅଭିଯୋଗ ପତ୍ରମାଧ୍ୟମରେ ଅନୁରୋଧ କରିଥିଲେ । ଏନେଇ 5T ସଚିବ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ପରେ ଦୀକ୍ଷିତଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୩୦ ହଜାର ଟଙ୍କା ପ୍ରଦାନ କରାଯାଇଛି ।

ଆଜି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ସଦର ଉପଜିଲ୍ଲାପାଳ କଳ୍ପନାଙ୍କ ଘରକୁ ଯାଇ ଚେକ୍ ପ୍ରଦାନ କରିଛନ୍ତି । ସେହିଭଳି ଖିଣ୍ଡା ଗାଁର ସରୋଜ ରବନାଙ୍କୁ ମଧ୍ୟ ୩୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ସେ କର୍କଟ ରୋଗରେ ପୀଡିତ ଥିବାରୁ ସହାୟତା ପାଇଁ 5T ସଚିବଙ୍କୁ ଅନୁରୋଧ କରିଥିଲେ ।

 

ଆଜି ଲଘୁଚାପର ରୂପନେବ ଘୂର୍ଣ୍ଣିବଳୟ, ୪ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜି ଲଘୁଚାପର ରୂପନେବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ । ପ୍ରଭାବରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉପକୂଳ ସହ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି । କେତେକ ସ୍ଥାନରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ସହ ରାସ୍ତା ବୁଡ଼ିବ ଏବଂ ପାହାଡ଼ ଧସିବା ଆଶଙ୍କା କରାଯାଉଛି । ବର୍ଷା ସହ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ବହିବ ପବନ । ସମୁଦ୍ର ଅଶାନ୍ତ ହେଉଥିବାରୁ ୨୨ ତାରିଖ ଯାଏ ମତ୍ସଜୀବୀଙ୍କୁ ସମୁଦ୍ର ମନା ହୋଇଛି । ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ନୂଆପଡ଼ା, କଳହାଣ୍ଡି ଏବଂ କନ୍ଧମାଳକୁ ଅରେଞ୍ଜ ଆଲର୍ଟ ଓ ଉପକୂଳ-ଆଭ୍ୟନ୍ତରୀଣ ଓଡ଼ିଶାର ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି।

୨୧ରେ ୭ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଓ ୧୪ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଦକ୍ଷିଣ ଓଡ଼ିଶାର ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁରରେ ଭୂସ୍ଖଳନ ହୋଇପାରେ। ତେଣୁ ସତର୍କ ରହିବା ସହ ବନ୍ୟା ମୁକାବିଲା ନେଇ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି ।

ସଂସଦରେ ଉଠିବ ଓଡ଼ିଶାର ଦାବି, ୯ଟି ପ୍ରସଙ୍ଗ ଗୃହରେ ଉଠାଇବା ପାଇଁ ବିଜେଡି ପକ୍ଷରୁ ନିଷ୍ପତ୍ତି

ନୂଆଦିଲ୍ଲୀ: ମୌସୁମୀ ଅଧିବେଶନରେ ସଂସଦରେ ଉଠିବ ଓଡ଼ିଶାର ଦାବି । ୯ଟି ପ୍ରସଙ୍ଗକୁ ଗୃହରେ ଉଠାଇବା ପାଇଁ ବିଜେଡି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ମହିଳା ସଂରକ୍ଷଣ ବିଲ୍, ସ୍ବତନ୍ତ୍ର ଫୋକସ୍ ରାଜ୍ୟ ମାନ୍ୟତା ଦାବି ଏବଂ ପିଏମଜିକେଏଓ୍ବାଇରେ ୭ ଲକ୍ଷ ଲୋକଙ୍କ ପାଇଁ ଘର ଏବଂ ପିଏମଏଓ୍ବାଇରେ ୫ କେଜି ଚାଉଳ ପୁଣି ଦେବାକୁ ଦାବି ଉଠାଇବ । ଚାଷୀଙ୍କ ସ୍ବାର୍ଥ ପାଇଁ ବଳକା ଚାଉଳ ଉଠାଣ, ଏମଏସପି ଏବଂ ଠିକ୍ ସମୟରେ ଫସଲ କିଣାବିକା ପ୍ରସଙ୍ଗ ସଂସଦରେ ଉଠାଇବ ବିଜେଡି । ଏଥିସହ ସାର ଯୋଗାଣ, ଯୋଗାଯୋଗ ଭିତ୍ତିଭୂମି, କେନ୍ଦୁପତ୍ରରୁ ୧୮ ପ୍ରତିଶତ ଜିଏସଟି ହଟାଇବା ନେଇ ଗୃହରେ ଦାବି ଉଠାଯିବ ।

ଓଡ଼ିଶାକୁ କେନ୍ଦ୍ରୀୟ ଅବହେଳା ସାଙ୍ଗକୁ ବିକାଶ ଧାରାରେ କିଛି ବିଜେପି ସାଂସଦ କିଭଳି ବାଧକ ସାଜୁଛନ୍ତି ସେନେଇ ସଂସଦରେ ସ୍ବର ଉତ୍ତୋଳନ କରିବ ବିଜେଡି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଂସଦୀୟ ଦଳ ବୈଠକରେ ଏନେଇ ରଣନୀତି ଚୂଡାନ୍ତ ହୋଇଛି । ସଂସଦର ମୌସୁମୀ ଅଧିବେଶନରେ ରାଜ୍ୟ ସ୍ୱାର୍ଥ୍ୟ ସମ୍ପର୍କିତ ପ୍ରସଙ୍ଗଗୁଡିକୁ ବଳିଷ୍ଠ ଭାବେ ଉତ୍ଥାପନ କରିବାକୁ ସବୁ ସାଂସଦଙ୍କୁ ନବୀନ ଗୁରୁମନ୍ତ୍ର ଦେଇଛନ୍ତି । ରାଜ୍ୟ ସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗକୁ ସବୁ ସାଂସଦମାନେ ଦଳମତରୁ ଊର୍ଦ୍ଧ୍ବକୁ ଯାଇ କେନ୍ଦ୍ରରେ ଦାବି କରିବା ପରିବର୍ତ୍ତେ ବିଜେପିର କିଛି ସାଂସଦ ରାଜ୍ୟର ବିକାଶ ପାଇଁ ଉଦ୍ଦିଷ୍ଟ ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି । ପୁରୀ ଐତିହ୍ୟ ପ୍ରକଳ୍ପ ହେଉ କି ଏକାମ୍ର ବିକାଶ ଯୋଜନା, ସବୁଠି ଜାଣିଶୁଣି ପ୍ରତିବନ୍ଧକ ଲଗାଇବାକୁ ଉଦ୍ୟମ କରୁଛନ୍ତି ।

ଆଜିଠୁ ସଂସଦର ମୌସୁମୀ ଅଧିବେଶନ, ବିଭିନ୍ନ ପ୍ରସଙ୍ଗରେ କମ୍ପିବ ଗୃହ

ନୂଆଦିଲ୍ଲୀ: ଆଜିଠୁ ସଂସଦର ମୌସୁମୀ ଅଧିବେଶନ । ନବନିର୍ମିତ ସଂସଦ ଭବନରେ ପ୍ରଥମ ଥର ପାଇଁ ଅଧିବେଶନ ଅନୁଷ୍ଠିତ ହେବ । ବିଭିନ୍ନ ପ୍ରସଙ୍ଗରେ କମ୍ପିବ ଗୃହ । ଅଧିବେଶନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଝଡ଼ ସୃଷ୍ଟି ହେବା ନେଇ ଆଶଙ୍କା ରହିଛି ।  ଗୃହରେ ମଣିପୁର ପ୍ରସଙ୍ଗ ଆଲୋଚିତ ହେବ ବୋଲି ସରକାର କହିଥିବାବେଳେ ଏହି ପ୍ରସଙ୍ଗରେ ସରକାରଙ୍କୁ ବିରୋଧୀ ଘେରିବେ । ଏହା ସହ ଦରବୃଦ୍ଧି ଓ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଦୁରୂପଯୋଗ ପ୍ରସଙ୍ଗରେ ବି ବିରୋଧୀ ନାରାବାଜି କରିବା ସମ୍ଭାବନା ରହିଛି । କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି- ବିଭିନ୍ନ ପ୍ରସଙ୍ଗ ଉଠାଇବା ଲାଗି ବିରୋଧୀ ଦଳଙ୍କୁ ସୁଯୋଗ ଦିଆଯାଉ ।

ଚଳିତ ଅଧିବେଶନରେ ୩୨ଟି ବିଧେୟକ ଆଗତ ହେବ ବୋଲି କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ଗତ ମଙ୍ଗଳବାର ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଏହି ବୈଠକ ଡାକିଥିଲେ । ମାତ୍ର ଅନେକ ଦଳର ନେତାଙ୍କ ଅନୁପସ୍ଥିତିକୁ ନେଇ ଏହି ବୈଠକ ବାତିଲ ହୋଇଥିଲା । ଆସନ୍ତା ଅଗଷ୍ଟ ୧୧ ତାରିଖ ଯାଏ ଚାଲିବ ସଂସଦର ମୌସୁମୀ ଅଧିବେଶନ ।

ବିଶ୍ୱ ଦକ୍ଷତା କେନ୍ଦ୍ରର ଛାତ୍ରଛାତ୍ରୀଙ୍କ ମୁହଁରେ ଖୁସି, ସିଙ୍ଗାପୁରରୁ ‘ପେଡ୍-ଇଣ୍ଟର୍ଣ୍ଣସିପ୍’ କରି ଫେରିଲେ ଓଡ଼ିଶା

ଭୁବନେଶ୍ୱର: ସିଙ୍ଗାପୁରର ବିଭିନ୍ନ କମ୍ପାନିରେ ସଫଳତାର ସହ ୬ ମାସିଆ ‘ପେଡ୍ ଇଣ୍ଟର୍ଣ୍ଣସିପ୍’ ଶେଷକରି ଓଡ଼ିଶା ଫେରିଛନ୍ତି ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରର ୨୪ ଜଣ ଛାତ୍ରଛାତ୍ରୀ। ଭୁବନେଶ୍ୱରରେ ପହଞ୍ଚିବା ପରେ ସେମାନଙ୍କୁ ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ସ୍ୱାଗତ କରାଯାଇଥିଲା।

ଏହି ଛାତ୍ରଛାତ୍ରୀମାନେ ମଙ୍ଗଳବାର ଦିନ ସିଙ୍ଗାପୁର-ଭୁବନେଶ୍ୱର ସିଧାସଳଖ ବିମାନ ଯୋଗେ ଆସି ପହଞ୍ଚିଥିଲେ। ସେମାନଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ସ୍ୱାଗତ କରାଯିବା ସହ ସ୍ୱତନ୍ତ୍ର ବସ୍ରେ ବିଶ୍ୱ ଦକ୍ଷତା କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ସେମାନଙ୍କୁ ପାରମ୍ପରିକ ଢାଞ୍ଚାରେ ଫୁଲ ଚନ୍ଦନ ଦେଇ ସ୍ୱାଗତ କରାଯାଇଥିଲା।

ଶିଳ୍ପ ତାଲିମ କାର୍ଯ୍ୟକ୍ରମ ଅଧୀନରେ ବିଶ୍ୱ ଦକ୍ଷତା କେନ୍ଦ୍ର ବା ୱାର୍ଲ୍ଡ ସ୍କିଲ ସେଣ୍ଟରର ପ୍ରଥମ ବ୍ୟାଚର ଏହି ମେଧାବୀ ଛାତ୍ରଛାତ୍ରୀମାନେ ୬ ମାସ ବିଦେଶରେ ରହି ନିଜ ଜନ୍ମ ମାଟିକୁ ଫେରିଛନ୍ତି। ତେଣୁ ସେମାନଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଥିଲା। ଏହି ଅବସରରେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଳକା ମିଶ୍ର ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଏହି ଅବସରରେ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଏକ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସେଠାରେ ଛାତ୍ରଛାତ୍ରୀମାନେ ସିଙ୍ଗାପୁର ଇଣ୍ଟର୍ଣ୍ଣସିପ୍ ସମୟର ଅନୁଭୂତି ଓ ସେଠିକାର ପରିବେଶ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଅନ୍ତର୍ଜାତୀୟ ସ୍ତରର କମ୍ପାନିରେ କାମ କରି ଶିଖିବାର ଏଭଳି ସୁଯୋଗ ମିଳିଥିବାରୁ ସେମାନେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ରକୁ ଧନ୍ୟବାଦ ଜଣାଇଥିଲେ।

ଏହି କାର୍ଯ୍ୟକ୍ରମରେ ବିଶ୍ୱ ଦକ୍ଷତା କେନ୍ଦ୍ରରେ ତାଲିମ ନେଉଥିବା ବର୍ତ୍ତମାନର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ସେମାନେ ସିନିୟରମାନଙ୍କଠାରୁ ସିଙ୍ଗାପୁର ଇଣ୍ଟର୍ଣ୍ଣସିପ୍ ସମୟର ଅନୁଭୂତି ଶୁଣି ପ୍ରେରଣା ପାଇଥିଲେ।

‘‘ସିଙ୍ଗାପୁର ଯାଇ ସେଠାରେ ଏକ ବଡ଼ କମ୍ପାନିରେ ମୁଁ ଇଣ୍ଟର୍ଣ୍ଣସିପ୍ କରିବି ବୋଲି କେବେ ଭାବି ନଥିଲି। ୱାର୍ଲ୍ଡ ସ୍କିଲ ସେଣ୍ଟର ମତେ ଏହି ସୁଯୋଗ ଦେଇଛି। ତେଣୁ ଏଭଳି ଏକ ଅନୁଷ୍ଠାନରେ ତାଲିମ ନେଇ ମୁଁ ଗର୍ବିତ। ସେଠାରେ ଇଣ୍ଟର୍ଣ୍ଣସିପ୍ ବେଳେ ଯାହା ମୁଁ ଶିଖିପାରିଛି ତାହା ମୋ’ ଭବିଷ୍ୟତର କ୍ୟାରିୟରକୁ ଏକ ନୂଆ ରାସ୍ତା ଦେଖାଇବାରେ ସାହାଯ୍ୟ କରିବ’’, କହନ୍ତି ମାନସ କୁମାର ଦାସ।

‘‘ସ୍କୁଲରେ ପାଠ ପଢ଼ିବା ବେଳୁ ମୁଁ ପ୍ରୋଜେକ୍ଟ ଇଞ୍ଜିନିୟର ହେବା ଲାଗି ସ୍ୱପ୍ନ ଦେଖିଥିଲି। ୱାର୍ଲ୍ଡ ସ୍କିଲ୍ ସେଣ୍ଟର ମୋର ଏହି ସ୍ୱପ୍ନକୁ ପୂରଣ କରିଛି। ବିଶେଷକରି ଇଞ୍ଜିନିୟରିଂ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସାରୋ ପୃଥିବୀରେ ପରଚିତ ସିଙ୍ଗପୁର ଭଳି ଏକ ବଡ଼ ସହରରେ ଇଣ୍ଟର୍ଣ୍ଣସିପ୍ କରିବା ଫଳରେ ମୋ’ ଭିତରେ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି। ଅରଜି ପୃଥିବୀରେ ଯେକୌଣସି ସ୍ଥାନରେ ଯାଇ କାମ କରିବାକୁ ସାହସ କରିପାରିବି’’, କହନ୍ତି ଭାଗ୍ୟଶ୍ରୀ ରାଉତ।

ଏହି ସ୍ୱାଗତ କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ପିନାକୀ ପଟ୍ଟନାୟକ, ବିଶ୍ୱ ଦକ୍ଷତା କେନ୍ଦ୍ରର ଅଧ୍ୟକ୍ଷ ସଙ୍ଗରଣ ଗୋପାଳ, ଉପାଧ୍ୟକ୍ଷ ଡକ୍ଟର ଶୁଭଙ୍ଗ କିଶୋର ଦାସ, ନିର୍ଦ୍ଦେଶକ (ପ୍ରଶାସନ) କେରୱିନ ହିଙ୍ଗ ପ୍ରମୁଖ ଯୋଗ ଦେଇଥିଲେ।

‘ସ୍କିଲ୍ଡ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ବିଶ୍ୱ ଦକ୍ଷତା କେନ୍ଦ୍ର ସ୍ଥାପନ କରାଯାଇଛି। ଏଠାରେ ଅନ୍ତର୍ଜାତୀୟ ମାନର ବିଭିନ୍ନ ଅତ୍ୟାଧୁନିକ ଦକ୍ଷତା ବିକାଶ ପାଠ୍ୟକ୍ରମ ରହିଛି।

ସିଙ୍ଗାପୁର ସରକାରଙ୍କ ସହ ଓଡ଼ିଶା ସରକାରଙ୍କ ବୁଝାମଣା ଅନୁଯାୟୀ ‘ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ’ କାର୍ଯ୍ୟକ୍ରମ ଅଧୀନରେ ୱାର୍ଲ୍ଡ ସ୍କିଲ ସେଣ୍ଟରର ୪୦ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରତି ବର୍ଷ ଦୁଇ ସପ୍ତାହ ଲାଗି ସିଙ୍ଗାପୁର ପଠାଯାଉଛି। ସେହିପରି ପ୍ରତି ବର୍ଷ କେନ୍ଦ୍ରର ୨୪ ଜଣ ଛାତ୍ରଛାତ୍ରୀଙ୍କୁ ବାଛି ସିଙ୍ଗାପୁରର ବିଭିନ୍ନ କମ୍ପାନିରେ ୬ ମାସିଆ ‘ପେଡ୍-ଇଣ୍ଟର୍ଣ୍ଣସିପ୍’ର ସୁଯୋଗ ଦିଆଯାଉଛି।