ସଂସଦରେ ଉଠିବ ଓଡ଼ିଶାର ଦାବି, ୯ଟି ପ୍ରସଙ୍ଗ ଗୃହରେ ଉଠାଇବା ପାଇଁ ବିଜେଡି ପକ୍ଷରୁ ନିଷ୍ପତ୍ତି

ନୂଆଦିଲ୍ଲୀ: ମୌସୁମୀ ଅଧିବେଶନରେ ସଂସଦରେ ଉଠିବ ଓଡ଼ିଶାର ଦାବି । ୯ଟି ପ୍ରସଙ୍ଗକୁ ଗୃହରେ ଉଠାଇବା ପାଇଁ ବିଜେଡି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ମହିଳା ସଂରକ୍ଷଣ ବିଲ୍, ସ୍ବତନ୍ତ୍ର ଫୋକସ୍ ରାଜ୍ୟ ମାନ୍ୟତା ଦାବି ଏବଂ ପିଏମଜିକେଏଓ୍ବାଇରେ ୭ ଲକ୍ଷ ଲୋକଙ୍କ ପାଇଁ ଘର ଏବଂ ପିଏମଏଓ୍ବାଇରେ ୫ କେଜି ଚାଉଳ ପୁଣି ଦେବାକୁ ଦାବି ଉଠାଇବ । ଚାଷୀଙ୍କ ସ୍ବାର୍ଥ ପାଇଁ ବଳକା ଚାଉଳ ଉଠାଣ, ଏମଏସପି ଏବଂ ଠିକ୍ ସମୟରେ ଫସଲ କିଣାବିକା ପ୍ରସଙ୍ଗ ସଂସଦରେ ଉଠାଇବ ବିଜେଡି । ଏଥିସହ ସାର ଯୋଗାଣ, ଯୋଗାଯୋଗ ଭିତ୍ତିଭୂମି, କେନ୍ଦୁପତ୍ରରୁ ୧୮ ପ୍ରତିଶତ ଜିଏସଟି ହଟାଇବା ନେଇ ଗୃହରେ ଦାବି ଉଠାଯିବ ।

ଓଡ଼ିଶାକୁ କେନ୍ଦ୍ରୀୟ ଅବହେଳା ସାଙ୍ଗକୁ ବିକାଶ ଧାରାରେ କିଛି ବିଜେପି ସାଂସଦ କିଭଳି ବାଧକ ସାଜୁଛନ୍ତି ସେନେଇ ସଂସଦରେ ସ୍ବର ଉତ୍ତୋଳନ କରିବ ବିଜେଡି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଂସଦୀୟ ଦଳ ବୈଠକରେ ଏନେଇ ରଣନୀତି ଚୂଡାନ୍ତ ହୋଇଛି । ସଂସଦର ମୌସୁମୀ ଅଧିବେଶନରେ ରାଜ୍ୟ ସ୍ୱାର୍ଥ୍ୟ ସମ୍ପର୍କିତ ପ୍ରସଙ୍ଗଗୁଡିକୁ ବଳିଷ୍ଠ ଭାବେ ଉତ୍ଥାପନ କରିବାକୁ ସବୁ ସାଂସଦଙ୍କୁ ନବୀନ ଗୁରୁମନ୍ତ୍ର ଦେଇଛନ୍ତି । ରାଜ୍ୟ ସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗକୁ ସବୁ ସାଂସଦମାନେ ଦଳମତରୁ ଊର୍ଦ୍ଧ୍ବକୁ ଯାଇ କେନ୍ଦ୍ରରେ ଦାବି କରିବା ପରିବର୍ତ୍ତେ ବିଜେପିର କିଛି ସାଂସଦ ରାଜ୍ୟର ବିକାଶ ପାଇଁ ଉଦ୍ଦିଷ୍ଟ ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି । ପୁରୀ ଐତିହ୍ୟ ପ୍ରକଳ୍ପ ହେଉ କି ଏକାମ୍ର ବିକାଶ ଯୋଜନା, ସବୁଠି ଜାଣିଶୁଣି ପ୍ରତିବନ୍ଧକ ଲଗାଇବାକୁ ଉଦ୍ୟମ କରୁଛନ୍ତି ।