spot_img
Home Blog Page 281

ଠାକୁରଙ୍କ ପୂଜାରେ ଲାଗିବ ମଉଳା ପୂଜାଫୁଲ: ପୂଜା ବର୍ଜ୍ୟରୁ ତିଆରି ହେବ ଧୂପକାଠି

ଠାକୁରଙ୍କ ପୂଜାରେ ଲାଗିବ ମଉଳା ପୂଜାଫୁଲ । ପୂଜା ବର୍ଜ୍ୟରୁ ତିଆରି ହେବ ଧୂପକାଠି । ଆରମ୍ଭ ହୋଇଯାଇଛି ଦେବାର୍ଚ୍ଚନ ପୁଷ୍ପ ବର୍ଜ୍ୟ ସଂଗ୍ରହ । ଆସ୍ଥା, ସୌନ୍ଦର୍ଯ୍ୟ ଏବଂ ପରିବେଶ ଅନୁକୂଳ ପାଇଁ ବିଏମସିର ଗୁରୁତ୍ବ । ପୂଜା ମଣ୍ଡପ, ମେଢ଼ ଓ ବିଭିନ୍ନ ଦେବଦେବୀଙ୍କ ମୂର୍ତ୍ତିରେ ଲାଗି ହେଉଥିବା ଫୁଲ ବାସି ହେବା ପରେ ଏଥିରୁ ତିଆରି କରି ହେବ ଧୂପାକଠି । ଚଳିତବର୍ଷ ବିଏମସି ଆରମ୍ଭ କରିଛି ଅଭିଯାନ । ବର୍ଜ୍ୟବସ୍ତୁ ସଂଗ୍ରହ ପରେ ପ୍ରକ୍ରିୟାକରଣ ପାଇଁ ପୋଖରୀପୁଟ ଏମସିସିକୁ ଅଣାଯିବ । ସେଠାରେ ଏହାକୁ ଶୁଖାଇବାସହ ସେଥିରୁ ଧୂପକାଠି ପ୍ରସ୍ତୁତ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ପୂର୍ବରୁ ସଂଗୃହୀତ ବର୍ଜ୍ୟବସ୍ତୁ ସାଧାରଣତଃ ଜଳାଶୟରେ ବୁଡ଼ାଇ ଅନ୍ୟ ଆବର୍ଜନା ସ୍ଥାନରେ ଫିଙ୍ଗି ଦିଆଯାଉଥିଲା । ଯାହା ପରିବେଶକୁ ପ୍ରଦୂଷିତ କରୁଥିଲା । ବିଭିନ୍ନ ମଣ୍ଡପରୁ ମଣ୍ଡପ ବୁଲି ବିଏମସି ଗାଡି ସଂଗ୍ରହ କରିବ ଏହି ଫୁଲ । ଏହାଦ୍ୱାରା ଏକ ସ୍ୱଚ୍ଛ, ପରିବେଶ ସୃଷ୍ଟି ହେବ ଏବଂ ବର୍ଜ୍ୟବସ୍ତୁର ଉପଯୁକ୍ତ ଉପଯୋଗ ହେବ ବୋଲି କହିଛନ୍ତି କମିଶନର ।

ବିଏମସି ଏହି ଅଭିଯାନ ନେଇ ବିଭିନ୍ନ ପୂଜା ମଣ୍ଡପ କମିଟି ସହ ପୂର୍ବରୁ ଆଲୋଚନା କରିଛି ବିଏମସି । ଦକ୍ଷିଣ ମଣ୍ଡଳରେ ୧୭୯ ଟି, ଦକ୍ଷିଣ-ପୂର୍ବ ମଣ୍ଡଳରେ ୧୨୨ଟି ଏବଂ ଉତ୍ତର ଜୋନରେ ୭୦ଟି ମଣ୍ଡପ ରହିଛି । ପୂଜା କମିଟିର ସଦସ୍ୟମାନଙ୍କୁ ଏହି ସ୍ୱତନ୍ତ୍ର ସେବାର ଉପଯୋଗ କରିବା ପାଇଁ ସେଚେତନ କରିବା ଏବଂ ସେମାନଙ୍କ ଆବର୍ଜନାକୁ ଏଣେ ତେଣେ ନଫିଙ୍ଗି ବିଏମସିର ସ୍ୱତନ୍ତ୍ର ଗାଡିରେ ଦେବା ପାଇଁ କୁହାଯାଇଛି । ରାଜଧାନୀର ପୂଜା ମଣ୍ଡପର ବିଭିନ୍ନ କମିଟି ସଦସ୍ୟ ଏହି ଅଭିଯାନକୁ ସ୍ୱାଗତ କରିବା ସହ ପ୍ରଶଂସା ମଧ୍ୟ କରିଛନ୍ତି । ବିଏମସିର ଏହି ଅଭିଯାନ କେବଳ ଗଣେଶ ପୂଜାରେ ଅଟକି ଯିବ ନାହିଁ ବରଂ ଆଗକୁ ଆସୁଥିବା ଦୁର୍ଗା ପୂଜା ଓ ଅନ୍ୟନ୍ୟ ପର୍ବ ପର୍ବାଣୀରେ ମଧ୍ୟ ଲାଗୁ ହେବ । ଏହାସହ ଆଗକୁ ମନ୍ଦିରରରୁ ମଧ୍ୟ ବାସୀ ଫୁଲ ସଂଗ୍ରହ କରିବ ବିଏମସି।

ଶ୍ରୀମନ୍ଦିର ପରିଚାଳନା କମିଟି ଗଠନକୁ ନେଇ ଉଠିଲା ପ୍ରଶ୍ନ

ଶ୍ରୀମନ୍ଦିର ପରିଚାଳନା କମିଟି ଗଠନକୁ ନେଇ ଉଠିଲା ପ୍ରଶ୍ନ । ଆଇନଗତ ଆଳ ଦେଖାଇ ବର୍ଷେ ହେଲା ଗଢା ହୋଇ ପାରି ନଥିଲା କମିଟି । ଏବେବି ହାଇକୋର୍ଟରେ ବିଚାରଧୀନ ରହିଛି ମାମଲା । ଏହା ସତ୍ତ୍ବେ କିପରି ପ୍ରକାଶ ପାଇଲା ବିଜ୍ଞପ୍ତି ? ଘଟଣା ପଛରେ ରାଜନୈତିକ ଗନ୍ଧ ବାରିଲେ ସେବାୟତ । ୨୦୨୪ ରଥଯାତ୍ରା ପରେ ସେପ୍ଟମ୍ବର ୩ ତାରିଖ ଦିନ ପୂର୍ବ ପରିଚାଳନା କମିଟିରେ ଅବଧିର ସରିଥିଲା କାର୍ଯ୍ୟକାଳ । ହେଲେ ଆଇନଗତ ଆଳ ଦେଖାଇ ଦିନ ଗଡ଼ାଇ ଚାଲିଥିଲେ ସରକାର । ଗତ ୨୬ ତାରିଖ ଦିନ ନୂତନ ପରିଚାଳନା କମିଟି ଗଠନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ହାଇକୋର୍ଟରେ ମାମଲା ଥିବାବେଳେ ଏହି ନୂତନ କମିଟି ଗଠନ କିପରି କରାଗଲା ସେ ନେଇ ପ୍ରଶ୍ନ ଉଠାଇଛନ୍ତି ସେବାୟତ  ।

କମିଟି ଗଠନ ନାଁରେ ଏକବର୍ଷ ଧରି ନିଷ୍ପତ୍ତି ଝୁଲି ରହିଥିଲା । ଫଳରେ ଶ୍ରୀମନ୍ଦିରର ଅନେକ ସମସ୍ୟା ସମାଧାନ ହୋଇପାରୁ ନଥିଲା । ଏବେ ଗଠିତ ନୂତନ ଶ୍ରୀମନ୍ଦିର ପରିଚାଳନା କମିଟିରେ ବହୁ ମନୋନୀତ ସଦସ୍ୟ ବିଜେପି ସମର୍ଥୀତ ବୋଲି ଚର୍ଚ୍ଚା ହେଉଛି  । ତେଣୁ ଘଟଣା ପଛରେ ରାଜନୈତିକ ଅଭିସନ୍ଧିର ଗନ୍ଧ ବାରିହେଉଥିବା କହିଛନ୍ତି ସେବାୟତ ଓ ବୁଦ୍ଧିଜୀବୀ । ତେବେ ବିନା ପରିଚାଳନା କମିଟିରେ ୨୦୨୫ ବର୍ଷ ରେ ରଥଯାତ୍ରା ଅନୁଷ୍ଠିତ ହୋଇଥିବାରୁ ଏଥିରେ ଅନେକ ବିଶୃଙ୍ଖଳା ଦେଖାଦେଇଥିଲା  । ଏବେ ପରିଚାଳନା କମିଟି ଏଥିରେ କଣ ସୁଧାର ଆଣିବ ତାକୁ ନେଇ ବି ଚର୍ଚ୍ଚା ଆରମ୍ଭ ହୋଇଛି ।

ଦୁଲୁକୁଛି ପଶ୍ଚିମ ଓଡ଼ିଶା: ନୂଆଁ ଖାଇବା ସହ ଭେଟଘାଟ, ନାଚଗୀତର ଆସର

ଦୁଲୁକୁଛି ପଶ୍ଚିମ ଓଡ଼ିଶା । ସବୁଠି ନୂଆଁଖାଇର ଆସର । ନୂଆଁ ଖାଇବା ସହ ଭେଟଘାଟ, ନାଚଗୀତର ଆସର । କୃଷି ଓ କୃଷକର ଏହି ଗଣ ପର୍ବ ପାଇଁ ଉତ୍ସବମୁଖ ହୋଇଛି ସହରରୁ ଗାଁ । ଚାଷୀ ତାର ପ୍ରଥମ ଅନ୍ନକୁ ନିଜର ଇଷ୍ଟଦେବୀଙ୍କ ନିକଟରେ ଅର୍ପଣ କରିବା ସହ ଭଲ ଅମଳ ପାଇଁ ଆଶିଷ ଭିକ୍ଷା କରିଛନ୍ତି । ପରମ୍ପରା ଅନୁସାରେ ସମ୍ବଲପୁରର ଈଷ୍ଟଦେବୀ ମାଆ ସମଲେଶ୍ବରୀଙ୍କ ପୀଠ ଭୋର ୪ଟାରୁ ଖୋଲିଥିଲା । ମାଆଙ୍କୁ ସ୍ନାନ କରାଇ ନୂଆବସ୍ତ୍ର ପରିଧାନ ପରେ ନିର୍ଦ୍ଧାରିତ ସମୟରେ ଲାଗି ହୋଇଥିଲା ନବାନ୍ନ । ସମସ୍ତ ପାର୍ଶ୍ବଦେବୀଙ୍କୁ ନବାନ୍ନ ଲାଗି ପରେ ଶ୍ରଦ୍ଧାଳୁ ମାଆଙ୍କ ଦର୍ଶନ କରିଥିଲେ । ଏହାପରେ ଘରେ ଘରେ ପାଳିତ ହୋଇଛି ନୂଆଁଖାଇ ପର୍ବ ।

ନୂଆଁଖାଇ ସାରିବା ପରେ ଗ୍ରାମ ଦେବୀ ଓ ଇଷ୍ଟଦେବୀଙ୍କୁ ଦର୍ଶନ କରି ଆଶୀର୍ବାଦ ଲାଭ କରିଛନ୍ତି ବଲାଙ୍ଗୀରବାସୀ  । ସମଲେଇଶ୍ବରୀ ଓ ପାଟଣେଶ୍ୱରୀଙ୍କ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା  । ବଲାଙ୍ଗୀର ଶୈଳଶ୍ରୀ ପ୍ୟାଲେସରେ ରାଜ ପରିବାର ପକ୍ଷରୁ ନୂଆଁଖାଇ ପାଳନ ହୋଇଛି I ଏକାଠି ନୂଆଁ ଖାଇଛନ୍ତି ରାଜପରିବାର ସଦସ୍ୟ  । ଢୋଲ, ନିଶାନ୍, ତାସା ପଞ୍ଚବାଦ୍ୟରେ କମ୍ପୁଛି ସାରା ପଶ୍ଚିମ ଓଡ଼ିଶା । କଟକରେ ସାରଳା ସାହିତ୍ୟ ସଂସଦ ଓ ଉତ୍କଳ ସାହିତ୍ୟ କଳା ପରିଷଦ ଆନୁକୂଲ୍ୟରେ ବିଜୁ ପଟ୍ଟନାୟକ ଛକ ସାରଳା ଭବନରେ ନୂଆ ଖାଇ ଭେଟଘାଟ୍ ଉତ୍ସବ ଅନୁଷ୍ଠିତ ହୋଇଥିଲା । ନୂଆଖାଇ ଅବସରରେ ରାଜ୍ଯବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ବିରୋଧୀ ଦଳନେତା ନବୀନ ପଟ୍ଟନାୟକ ଓ ମୁଖ୍ୟମନ୍ତ୍ରୀ ।

ସ୍ପାଇଡରମ୍ୟାନ ପରେ ଚର୍ଚ୍ଚାରେ ସୁପରମ୍ୟାନ: ୧୦ କେସ୍ ର ଅଭିଯୁକ୍ତ ଦେଉଥିଲା ପ୍ରବଚନ

ସ୍ପାଇଡରମ୍ୟାନ ପରେ ଚର୍ଚ୍ଚାରେ ସୁପରମ୍ୟାନ । ୧୦ କେସ୍ ର ଅଭିଯୁକ୍ତ ଦେଉଥିଲା ପ୍ରବଚନ । ରାଜଧାନୀକୁ ଅଶାନ୍ତ କରି ୟୁଟ୍ୟୁବରେ ଶୁଣାଉଥିଲା ଶାନ୍ତିବାର୍ତ୍ତା । ଆପଣଙ୍କୁ ଲାଗୁଥିବ ଅନର୍ଗଳ ଜ୍ଞାନ ବାଣ୍ଟୁଥିବା ଏହି ବ୍ୟକ୍ତି ଜଣଙ୍କ ବୋଧହୁଏ ଜଣେ ପ୍ରବଚକ । କିନ୍ତୁ ପ୍ରକୃତରେ ଇଏ ଜଣେ ଚୋର । ଚୋରି କରିବା ପରେ ୟୁଟ୍ୟୁବ ଚ୍ୟାନେଲରେ ପ୍ରବଚନ ଶୁଣାନ୍ତି । ୧୦ ଟି କେସରେ ଅଭିଯୁକ୍ତ ଥିବା ଏହି ବ୍ୟକ୍ତିଙ୍କ ନାଁ ହେଉଛି ମନୋଜ କୁମାର ସିଂ । ଘର କଟକ ଜିଲ୍ଲା ବୈଦେଶ୍ୱର ଅନ୍ତର୍ଗତ ଖଜୁରିଆପଦା । ଚେଞ୍ଜ ୟୋର ଲାଇଫ୍ ନାଁ ରେ ଏକ ୟୁଟ୍ୟୁବ ଚ୍ୟାନେଲ ଏହି ବ୍ୟକ୍ତି ଜଣଙ୍କର ରହିଛି । ଗତ ଅଗଷ୍ଟ ୧୪ ତାରିଖରେ ଭରତପୁର ଥାନା ଅନ୍ତର୍ଗତ ଖଣ୍ଡଗିରିବାରୀରୁ ଏକ ଚୋରି ନେଇ ଅଭିଯୋଗ ହୋଇଥିଲା । ଯେଉଁ କେସର ମାଷ୍ଟରମାଇଣ୍ଡ ଥିଲା ଏହି କରିତକର୍ମା। ହ୍ୟୁମାନ ଇଣ୍ଟେଲ୍ଲିଜେନ୍ସ ଓ CCTV ସର୍ଭେଲାନ୍ସ ସାହାଯ୍ୟରେ ଗିରଫକରିଛି ସ୍ପେଶାଲ ସ୍କ୍ବାଡ ।

କିଛିଦିନ ତଳେ ୱାନ ମ୍ୟାନ ଆର୍ମି ସାଜି ନିରଞ୍ଜନ ପଟ୍ଟନାୟକଙ୍କ ଘରୁ କଳାକନା ବୁଲାଇଥିବା ଅଭିଯୁକ୍ତକୁ ଧରିବା ପାଇଁ ଆରମ୍ଭ ହୋଇଥିଲା ଅପରେସନ ସ୍ପାଇଡର । ଧରାପଡିଥିଲା ସାତିର ସ୍ପାଇଡରମ୍ୟାନ । ଆଉ ଏବେ ଏହି ସୁପରମ୍ୟାନ । ଭଲକରି ନଜର ପକାନ୍ତୁ ଏହି ସିସିଟିଭି ଉପରେ । ସ୍କୁଟିରେ ଏକା ଆସୁଥିଲା ଆଉ କଳା କନା ବୁଲାଇ ଚାଲିଯାଉଥିଲା । ଅଭିଯୁକ୍ତ ନିକଟରୁ ୨୦ ଲକ୍ଷ ମୂଲ୍ୟର ୨ ଶହ ଗ୍ରାମ ସୁନା, ୧ ଲକ୍ଷ ଟଙ୍କା, ଏକ ବାଇକ, ଚୋରିରେ ବ୍ୟବହୃତ ଲୁହା ରଡ଼ ଜବତ କରାଯାଇଛି । ଚୋରି ର ଶିକାର ପରିବାରକୁ ଟଙ୍କା ସୁନା ଫେରସ୍ତ କରାଯାଇଛି । ସେପଟେ ଏଯାବତ ଅଭିଯୁକ୍ତ ନାଁ ରେ ନୟାପଲ୍ଲୀ, ଖଣ୍ଡଗିରି, ଚନ୍ଦ୍ରଶେଖରପୁର, ତମାଣ୍ଡୋରେ ୧୦ କେସ ଥିବା ଜାଣିବାକୁ ମିଳିଛି । ଚୋରି ପରେ ଅଭିଯୁକ୍ତ ଦେଉଥିବା ଆଉ କିଛି ପ୍ରବଚନ ଶୁଣନ୍ତୁ । କଥାରେ ଅଛି ଅପରାଧୀ ଯେତିକି ଚାଲାକ ହେଲେ ବି ପୋଲିସ ତାଠାରୁ ଦୁଇ ପାଦ ଆଗରେ । ଯାହାକୁ ଆଜି ପୁଣି ପ୍ରମାଣ କରି ଦେଖାଇଛି ସ୍ପେଶାଲ ସ୍କ୍ବାଡ ।

କମିଛି ବନ୍ୟା ବଢିଛି ଦୁର୍ଦ୍ଦଶା: ଧୀରେ ଧୀରେ କମୁଛି ବୈତରଣୀ ଜଳସ୍ତର

କମିଛି ବନ୍ୟା ବଢିଛି ଦୁର୍ଦ୍ଦଶା। ଧୀରେ ଧୀରେ କମୁଛି ବୈତରଣୀ ଜଳସ୍ତର। ସେପଟେ ଧାମନଗର ବ୍ଲକର ୧୨ଟି ପଞ୍ଚାୟତର ୩୫ ରୁ ଅଧିକ ଗାଁ ଜଳବନ୍ଦୀ ରହିଛି। ଗାଁଦାଣ୍ଡରେ ବନ୍ୟାପାଣି ଲହଡ଼ି ମାରୁଛି। ଚାନ୍ଦବାଲି ବ୍ଲକର ୪ ପଞ୍ଚାୟତର ୨୦ଗାଁ ପ୍ରଭାବିତ ହୋଇଥିବା ଵେଳେ ୧୪ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି। ଏବେବି ଅନେକ ରାସ୍ତାରେ ବନ୍ୟାପାଣି ପ୍ରଵାହିତ ହେଉଥିବାରୁ ଦୈନନ୍ଦିନ କାର୍ଯ୍ୟ ପାଇଁ ଲୋକମାନେ ପାଣିରେ ପଶି ଯାତାୟତ କରୁଛନ୍ତି। ୬ଦିନ ହେଲା ଶହଶହ ଏକର ଚାଷଜମି ଜଳମଗ୍ନ ହୋଇ ରହିଛି।ବନ୍ୟାପାଣି ଯୋଗୁ ହଜାରହଜାର ଏକର ସାରଦା ଧାନତଳି ନଷ୍ଟ ହେବା ଆଶଙ୍କା ଦେଖାଦେଇଛି। ପାନ୍ଥନିବାସ ନିକଟରେ ଦବିଛି ଜାତୀୟ ରାଜପଥର କଲଭର୍ଟ। ବେଶି ପ୍ରଭାଵିତ ହୋଇଛନ୍ତି ଗୃହପାଳିତ ପଶୁ। ଵନ୍ୟାର ୫ଦିନ ପରେ ଜିଲା ପ୍ରଶାସନ ଅଧିକାରୀ ବନ୍ୟାଞ୍ଚଳକୁ ଯାଇ ବିପନ୍ନଙ୍କୁ ଭେଟିବା ସହ ଜଳଵନ୍ଦୀଥିବା ବିପନ୍ନଙ୍କ ପାଇଁ ରନ୍ଧାଖାଦ୍ୟର ଵ୍ୟଵସ୍ଥା କରାଇଥିଲେ ମଧ୍ୟ ବହୁ ବିପନ୍ନ ଖାଦ୍ୟ ଗ୍ରହଣ ନକରିବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ପାଣି ଛାଡିଵା ଯାଏଁ ବିପନ୍ନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦେବାକୁ କହିଛନ୍ତି ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ।

ପୁଣି ବଧୂ ହତ୍ୟା ଅଭିଯୋଗ: ବାଲେଶ୍ଵର ଜଳେଶ୍ଵରରେ ଘଟିଛି ଏହି ଘଟଣା

ପୁଣି ବଧୂ ହତ୍ୟା ଅଭିଯୋଗ । ବାଲେଶ୍ଵର ଜଳେଶ୍ଵରରେ ଘଟିଛି ଏହି ଘଟଣା । ମୃତକ ହେଲେ ମୋନାଲିସା ଦାସ । ମୋନାଲିସା ବରିଷ୍ଠ ଆଇନଜୀବୀ ତଥା କଂଗ୍ରେସ ନେତା ସତ୍ୟସୁନ୍ଦର ଦାସଙ୍କ ବୋହୂ । ମୋନାଲିସାଙ୍କୁ ସତ୍ୟଦାସଙ୍କ ବଡ ପୁଅ ସବ୍ୟସାଚୀ ଦାସ ବିବାହ କରିଥିଲେ । ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ। ଗତକାଲି ଜଳେଶ୍ଵର ପୁରୁଣା କୋର୍ଟ ବଜାରସ୍ଥିତ ଘରେ ମୋନାଲିସାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ ଶାଶୁ ଘର ଲୋକ । ସଙ୍ଗେସଙ୍ଗେ ତାଙ୍କୁ ଜଳେଶ୍ୱର ହସ୍ପିଟାଲକୁ ନେଇଥିଲେ। ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୂର୍ବରୁ ମୋନାଲିସାଙ୍କୁ ଯୌତୁକ, ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଇଥିବା ଅଭିଯୋଗ କରିଛନ୍ତି ବାପଘର ଲୋକେ । ଅଭିଯୋଗ ପରେ ଜଳେଶ୍ୱର ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ପରିବାରର ସମସ୍ତେ ଫେରାର ଅଛନ୍ତି। ଜଳେଶ୍ଵର ପୋଲିସ ଓ ଫରେନସିକ ଟିମର ୩ ଜଣିଆ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା କୌଣସି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିନାହିଁ।

ଆନ୍ଧ୍ରର ଦାଦାଗିରି ଯୋଗୁଁ ନଦୀ ଗର୍ଭରେ ଲୀନ ହେବାକୁ ବସିଲାଣି ଓଡ଼ିଶାର ଶହ ଶହ ଏକର ଜମି

ଆନ୍ଧ୍ରର କାଟ୍ରାଗଡ଼ ଆଡ଼ିବନ୍ଧ ଯୋଗୁ ଓଡ଼ିଶାର କାଶୀନଗରରେ ଦାଉ ସାଜିଲାଣି ବଂଶଧାରା ନଦୀର ବନ୍ୟାଜଳ । ଆଡ଼ିବନ୍ଧରେ ପାଣି ଅଟକି ରହିଥିବାରୁ ଓଡ଼ିଶାର ଶହଶହ ଏକର ଜମି ଏବେ ନଦୀ ଗର୍ଭରେ ଲୀନ ହେବାକୁ ବସିଲାଣି । ନଦୀ ଜଳ କୂଳ ଲଂଘି ମାଟି ଅତଡ଼ା ଖସୁଛି । ଭୟରେ କାଶୀନଗର ବାସିନ୍ଦା । ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି ନଦୀ ବନ୍ଧ। ଆଉ ଆତଙ୍କିତ ଅବସ୍ଥାରେ ନଦୀକୂଳିଆ ଲୋକେ । ବିପଦକୁ ଏଡାଇବା ପାଇଁ ନଦୀ ତଟରେ ବଡ ବଡ ପଥର ପକାଇ ମାଟି ଅବକ୍ଷୟକୁ ରୋକିବା ପାଇଁ ଉଦ୍ୟମ କରାଯାଇଛି । ବନ୍ୟାଜଳ ବଢୁଥିବାରୁ ଗ୍ରାମବାସୀ ଭୟରେ । ଏ ନେଇ ରାଜ୍ୟ ସରକାର ତୁରନ୍ତ ଦୃଷ୍ଟି ଦେବାକୁ ଦାବି ଉଠିଛି।

ବଂଶଧାରା ନଦୀ କୂଳରେ ଜିଲ୍ଲାର ବୁଦୁରା, ଗୌରୀ , ବାନ୍ନା, କିତିଙ୍ଗି, ବଥବା, ରାଧାକୃଷ୍ଣପୁର, ଆଦର୍ଶନଗର, ନୁଆ ବାଡ଼ିଙ୍ଗା, ପୁରୁଟିଗୁଡ଼ା, ସାରା,ବାଡିଙ୍ଗା, ପାଲସିଂ ଭଳି ଅନେକ ଗାଁର ହଜାର ହଜାର ଜନସାଧାରଣ ବସବାସ କରୁଛନ୍ତି । ହେଲେ ବଂଶଧାରାରେ ଅତଡା ଖାଉଥିବା ସ୍ଥାନରେ ପ୍ରଶାସନ ପକ୍ଷରୁ କିଛି ବି ପଦକ୍ଷେପ ନିଆଯାଉନି । ଆଗକୁ ବର୍ଷା ଥିବାରୁ ନଦୀଜଳ ବଢିବା ସମ୍ଭାବନା ରହିଛି। ତେବେ ଏ ଦିଗରେ ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇପଡିଛି । କୂଳ ଖାଇ ନଦୀ ଗର୍ଭରେ ଲୀନ ହେଉଛି ଶହଶହ ଏକର ଜମି । ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନ ନେଲେ କାଶୀନଗର ଅଞ୍ଚଳ ବଂଶଧାରା ଗର୍ଭରେ ଲୀନ ହୋଇଯିବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

ଅସୁରକ୍ଷିତ ଅବସ୍ଥାରେ କେନ୍ଦ୍ରାପଡାର ସିଦ୍ଧ ବଳଦେବଜୀଉ ମନ୍ଦିର

ଅସୁରକ୍ଷିତ ଅବସ୍ଥାରେ କେନ୍ଦ୍ରାପଡାର ସିଦ୍ଧ ବଳଦେବଜୀଉ ମନ୍ଦିର । ଜଗମୋହନରେ ସୃଷ୍ଟି ହୋଇଛି ଫାଟ । ମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନବାଚୀ । ସପ୍ତଦଶ ଶତାବ୍ଦୀର ଶେଷ ଭାଗରେ ନିର୍ମାଣ ହୋଇଥିଲା ବଳଦେବଜୀଉ ମନ୍ଦିର । ହେଲେ ମନ୍ଦିରର ରକ୍ଷଣାବେକ୍ଷଣ ଅଭାବରୁ ଏବେ ତାହା ଅସୁରକ୍ଷିତ ହୋଇପଡିଛି । ଜଗମୋହନର ଚାରୋଟି ଖମ୍ବ ମଧ୍ଯରୁ ବାମ ପଟ ଖମ୍ବରେ ଫାଟ ସୃଷ୍ଟି ହେବା ସହ ପିଲାର ଦୁର୍ବଳ ହୋଇଗଲାଣି । ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇ ଟାଇଲ ଖସିଗଲାଣି । ଅନ୍ୟପଟରେ ଝୁଲଣ ମଣ୍ଡପରୁ ଖୋଳପା ଛାଡ଼ିବା ସହ ସିଡ଼ି ବିପଦପୂର୍ଣ୍ଣ ଭାବରେ ରହିଛି । ଯାହାକୁ ନେଇ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ମନ୍ଦିର ଅବସ୍ଥା ସଂପର୍କରେ ମନ୍ଦିର ପ୍ରଶାସନ ରାଜ୍ୟ ପ୍ରତ୍ନତାତ୍ତ୍ଵିକ ବିଭାଗ ସହ ଜିଲ୍ଲାପାଳଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି । ମନ୍ଦିର ଉନ୍ନତିକରଣ କାମ ଆରମ୍ଭ ହେଲେ ସେ ସବୁ ସମସ୍ୟାର ସମାଧାନ କରାଯିବ ବୋଲି ଜିଲ୍ଲାପାଳ ଫୋନ ଯୋଗେ କହିଛନ୍ତି । ହେଲେ ଏ ପର୍ଯ୍ୟନ୍ତ ମନ୍ଦିରର ଉନ୍ନତିକରଣ କାମ ଆରମ୍ଭ ହୋଇନାହିଁ । ଲକ୍ଷଲକ୍ଷ ଭକ୍ତଙ୍କ ଭାବାବେଗ ସହ ଜଡିତ ଥିବା ପ୍ରଭୁ ସିଦ୍ଧବଳଦେବ ଜୀଉଙ୍କ ମନ୍ଦିରର ରକ୍ଷଣାବେକ୍ଷଣ ଓ ସୁରକ୍ଷା ପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବା ପାଇଁ ଦାବି ହୋଇଛି।

ମଦ ପାଇଁ ଅକାଳରେ ଯାଉଛି ଜୀବନ: କାୟା ମେଲାଇଛି ଦେଶୀ ଚୋରା ମଦ କାରବାର

କାୟା ମେଲାଇଛି ଦେଶୀ ଚୋରା ମଦ କାରବାର । ମଦ ପାଇଁ ଅକାଳରେ ଯାଉଛି ଜୀବନ । ବଢିବାରେ ଲାଗିଛି ବିଧବା ଓ ଅନାଥଙ୍କ ସଂଖ୍ୟା। ନିଇତି ଘଟୁଛି ଅସାମାଜିକ କାର୍ଯ୍ୟକଳାପ । ଦୃଷ୍ଟି ଦେଉନି ଅବକାରୀ ବିଭାଗ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ କରଞ୍ଜିଆ ଭୂମିଜ ସାହିରେ ରହୁଛନ୍ତି ୫୦ ରୁ ଉର୍ଦ୍ଧ୍ଵ ପରିବାର । ସମସ୍ତେ ପ୍ରାୟ ଦିନ ମଜୁରିଆ । ମୂଲ ମଜୁରୀ ଲାଗି ପରିବାର ଚଳାଉଥିବା ବେଳେ ଏହି ସାହି ପାଇଁ ଅଭିଷାପ ପାଲଟିଛି ବେଆଇନ ଭାବେ ଚାଲିଥିବା ଦେଶୀ ମଦ କାରବାର । ଅବାଧ ମଦ କାରବାର ପାଇଁ ସାହିରେ ବଢୁଛି ମଦୁଆଙ୍କ ସଂଖ୍ୟା । ମଦ ପିଇ ଦୈନିକ ବିଶୃଙ୍ଖଳା ଘଟୁଥିବା ବେଳେ ଅନେକଙ୍କ ଜୀବନ ଯାଉଥିବା ଅଭିଯୋଗ ହୋଇଛି ।

କରଞ୍ଜିଆ ଭୂମିଜ ସାହିରେ ଅଧକାଂଶ ଭୂମିହୀନ ପରିବାର ବସବାସ କରୁଛନ୍ତି  । ପୁରୁଷମାନେ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ଵେଳେ ମହିଳାମାନେ ପର ଘରେ ପାଇଟି କରି ପରିବାର ପ୍ରତିପୋଷଣ କରୁଛନ୍ତି । ଏହି ସାହିକୁ ଆଜି ଯାଏଁ ବିକାଶ ପହଞ୍ଚିପାରିନି । ହେଲେ ସାହିରେ ମିଳୁଥିବା ନକଲି ମଦ ପିଇ ଅନେକ ପୁରୁଷଙ୍କ ଜୀବନ ଗଲାଣି । ମଦ କାରବାର ବନ୍ଦ କରିବାକୁ ସ୍ଥାନୀୟ ଲୋକେ ପ୍ରଶାସନ ନିକଟରେ ବାରମ୍ବାର ଗୁହାରି କରୁଛନ୍ତି ହେଲେ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି । ଭୂମିଜ ସାହିରେ ଶୀଘ୍ର ମଦ କାରବାର ବନ୍ଦ କରିବାକୁ ଦାବି ଜୋର ଧରିଛି ।

ଆଜି ନୂଆଁଖାଇ: ପାରମ୍ପରିକ ନୃତ୍ୟ ବାଦ୍ୟରେ ଦୁଲୁକୁଛି ପଶ୍ଚିମ ଓଡ଼ିଶା

ଆଜି ନୂଆଁଖାଇ । ସବୁଠି ଆନନ୍ଦ ଓ ଉଲ୍ଲାସ । ପାରମ୍ପରିକ ନୃତ୍ୟ ବାଦ୍ୟରେ ଦୁଲୁକୁଛି ପଶ୍ଚିମ ଓଡ଼ିଶା । ପିଠାପଣାରେ ମହକୁଛି ଗାଁ ଦାଣ୍ଡ । ଅତିଥି ଓ ଅଭ୍ୟାଗତଙ୍କ ଲାଗିଛି ଗହଳି । ମାଆ ସମଲେଶ୍ଵରୀଙ୍କ ପୀଠରେ ୧୦.୩୩ ରୁ ୧୦.୫୫ ମଧ୍ୟରେ ନବାନ୍ନ ଲାଗି ହୋଇଥିବା ବେଳେ ପଶ୍ଚିମ ଓଡିଶାର ଅଧିକାଂଶ ଜିଲ୍ଲାରେ ନିର୍ଦ୍ଧାରିତ ଲଗ୍ନ ଅନୁସାରେ ନୂଆଁଖାଇ ପାଳିତ ହୋଇଛି । ନୂଆପଡାରେ ଇଷ୍ଟଦେବୀଙ୍କୁ ନୂତନ ଶସ୍ୟ ଅର୍ପଣ ପରେ ତୁକୁଲା ଗାଁରେ ଶହେ ମେହର ପରିବାର ଏକାଠି ବସି ନୂଆ ଖାଇ ସମାଜକୁ ଏକତାର ବାର୍ତ୍ତା ଦେଇଛନ୍ତି । ଝାରସୁଗୁଡାରେ ରାଗରୋଷ ଭୁଲି ୨୦ରୁ ଉର୍ଦ୍ଧ୍ଵ ବ୍ୟକ୍ତି ନୂଆ ଖାଇଛନ୍ତି ।

ନୂଆଁଖାଇ ପାଇଁ ଚଳଚଞ୍ଚଳ ହୋଇପଡିଛି କଳାହାଣ୍ଡିର ଜୁନାଗଡ ସହର । ପ୍ରଥମେ ଦଧି ବାମନ ମନ୍ଦିରରେ ଓ ପରେ ଜୁନାଗଡ଼ର ଇଷ୍ଟ ଦେବୀ ଲଙ୍କେଶ୍ୱରିଙ୍କ ମନ୍ଦିରରେ ନବାନ୍ନ ଲାଗି ହେବା ପରେ କଳାହାଣ୍ଡି ଜିଲ୍ଲାରେ ପାଳିତ ହୋଇଛି ନୂଆଁଖାଇ । ପିଠା ପଣା ଖିରି ପୁରୀ ସମସ୍ତେ ଖାଇସାରିବା ପରେ ଚାଲିଛି ଜୁହାର ଭେଟ । ନାଚ ଗୀତରେ ମଧ୍ୟରେ ଗାଁ ରେ ସୃଷ୍ଟି ହୋଇଛି ବର୍ଣ୍ଣାଢ଼୍ୟ ପରିବେଶ l ସେପଟେ ବୌଦ୍ଧ ଜିଲ୍ଲା କଣ୍ଟାମାଳରେ ଇଷ୍ଟଦେବୀ ସମଲେଇଙ୍କ ଠାରେ ନବାନ୍ନ ଲାଗି ହେବା ପରେ ନୂଆ ଖାଇଛନ୍ତି ସମସ୍ତେ । ଉତ୍ସାହ, ଉଦ୍ଦୀପନାର ପର୍ବ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।