spot_img
Home Blog Page 2796

ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ମୋଦି ସରକାରଙ୍କୁ ଟାର୍ଗେଟ, ରାହୁଲ କହିଲେ ମଣିପୁର ମରିଯାଇଛି

ନୂଆଦିଲ୍ଲୀ: ମଣିପୁର ଆଜି ବଞ୍ଚିନାହିଁ । ମଣିପୁରକୁ ସରକାର ଭାଗ କରି ବାଣ୍ଟି ଦେଇଛନ୍ତି । ହିନ୍ଦୁସ୍ତାନକୁ ମଣିପୁରରେ ହତ୍ୟା କରାଯାଇଛି । ମଣିପୁରକୁ ନେଇ ଆଗତ ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ଏପରି କିଛି ଶାଣିତ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସେ କହିଛନ୍ତି- ମଣିପୁରକୁ ପ୍ରଧାନମନ୍ତ୍ରୀ ଯାଇ ନାହାନ୍ତି । ମାତ୍ର ସେ ଗସ୍ତ କରି ରାଜ୍ୟର ବାସ୍ତବ ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ସେ କହିଛନ୍ତି- ରିଲିଫ କ୍ୟାମ୍ପରେ ମହିଳାଙ୍କ ଦୁଃଖ ଦେଖିଥିଲି । କେତେକ ମହିଳା କହିଲେ ତାଙ୍କର ଏକମାତ୍ର ସନ୍ତାନକୁ ତାଙ୍କ ଆଖି ଆଗରେ ଗୁଳି ମାରିଦିଆଗଲା । କେବଳ ପିନ୍ଧା ବସ୍ତ୍ର ଛଡ଼ା ତାଙ୍କ ନିକଟରେ ଆଉ କିଛି ନଥିଲା । ଅନ୍ୟ ଜଣେ ମହିଳା ବି କିଛି କହିବା ପୂର୍ବରୁ ବେହୋସ ହୋଇଯାଇଥିଲେ । ମଣିପୁରରେ ଭାରତର ଆତ୍ମାର ହତ୍ୟା କରାଯାଇଛି । ସେନା ଚାହିଁଥିଲେ ଦିନକରେ ମଣିପୁରରେ ଶାନ୍ତି ଫେରିଥାନ୍ତା । ମାତ୍ର ଏହା ଘଟିଲା ନାହିଁ ବୋଲି କହିଛନ୍ତି ରାହୁଲ ।

ରାବଣର ଅହଙ୍କାର ରାବଣକୁ ହତ୍ୟା କଲା ବୋଲି ରାହୁଲ କହିଥିଲେ । ରାବଣ କେବଳ କୁମ୍ଭକର୍ଣ୍ଣ ଓ ମେଘନାଦ କଥା ଶୁଣୁଥିଲା । ସେହିପରି ପ୍ରଧାନମନ୍ତ୍ରୀ କେବଳ ଅମିତ ଶାହ ଓ ଆଦାନୀଙ୍କ କଥା ଶୁଣୁଛନ୍ତି । ସାରାଦେଶରେ ଭାରତ ମାତାକୁ ହତ୍ୟା କରାଯାଉଛି । ଗୃହରେ ମୋର ଜଣେ ମା ବସିଛନ୍ତି । ମଣିପୁରରେ କିନ୍ତୁ ମୋର ଆଉ ଜଣେ ମାକୁ ମାରିଦେଲେ । ଲଙ୍କାକୁ ହନୁମାନ ଜଳାଇନାହାଁନ୍ତି । ରାବଣର ଅହଂକାର ଜଳାଇ ଦେଇଥିଲା । ରାମ ରାବଣକୁ ମାରିନଥିଲେ । ଅହଂକାର ରାବଣକୁ ବଧ କରିଥିଲା । ଆପଣ ପୂରା ଦେଶରେ କିରାସିନି ଫିଙ୍ଗୁଛନ୍ତି । ପୂରା ଦେଶକୁ ଜଳାଇବାରେ ଲାଗିଛନ୍ତି । ଆପଣ ଦେଶପ୍ରେମୀ ନୁହଁ ଦେଶଦ୍ରୋହୀ କହି ବିତର୍କ ଶେଷ କରିଥିଲେ ରାହୁଲ ।

କଟକ ଜିଲ୍ଲାରେ 5T ସଚିବଙ୍କ ମାରାଥନ ସମୀକ୍ଷା, ମା’ ଚର୍ଚ୍ଚିକାଙ୍କ ପୀଠରୁ ବିକାଶ ମଞ୍ଜି ବୁଣିଲେ

କଟକ: ଦ୍ବିତୀୟ ଦିନରେ କଟକ ଜିଲ୍ଲାରେ ମାରାଥନ ସମୀକ୍ଷା । ଗ୍ରାଉଣ୍ଡ ଜିରୋରେ ବିକାଶ କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି 5T ସଚିବ ଭି.କେ ପାଣ୍ଡିଆନ୍ । ଆଜି କଟକ ଜିଲ୍ଲା ବାଙ୍କୀ ଗସ୍ତରେ ଅଧିଷ୍ଠାତ୍ରୀ ଦେବୀ ମା’ ଚର୍ଚ୍ଚିକାଙ୍କ ସେ ଦର୍ଶନ କରିଛନ୍ତି ।

ମନ୍ଦିରର ପାର୍ଶ୍ଵ ଦେବାଦେବୀଙ୍କୁ ମଧ୍ୟ ଦର୍ଶନ କରିଛନ୍ତି । ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ସହ ଆଲୋଚନା କରିଛନ୍ତି 5T ସଚିବ । ମନ୍ଦିରର ବିକାଶ କେମିତି ହେବ, ସେ ନେଇ ଗ୍ରାଉଣ୍ଡ ଜିରୋରେ ସମୀକ୍ଷା କରିଛନ୍ତି 5T ସଚିବ । ମନ୍ଦିରର ବିକାଶ, ଯାତ୍ରୀ ନିବାସ, ଶୌଚାଳୟ, ରେଣୁକା ନଦୀର ପୁନଃରୁଦ୍ଧାର କରିବାକୁ ଦାବି ଜଣାଇଛନ୍ତି ସେବାୟତ । ଏହାସହ ପାର୍କିଂ ସମସ୍ୟାର ସମାଧାନ କରିବାକୁ ମଧ୍ୟ ଦାବି କରିଛନ୍ତି ଲୋକେ । ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି 5T ସଚିବ ।

ରାଜଧାନୀରେ ଦୁଇ ଗୋଷ୍ଠୀ ମୁହାଁମୁହିଁ, ରାତି ଅଧରେ ମହିଳାଙ୍କୁ ଉଠାଇ ନେଇ ଅଟକ ରଖିଲେ

ଭୁବନେଶ୍ବର: ରାଜଧାନୀରେ ଗୋଷ୍ଠୀ ସଙ୍ଘର୍ଷ । ନିଶା ଖାଇ ଶବର ସାହିର ଯୁବକଙ୍କୁ ଆକ୍ରମଣ କଲେ ଅରବିନ୍ଦ ନଗର ବସ୍ତିର କିଛି ଯୁବକ । ଘଟଣାର ମୁଖ୍ୟ କାର୍ପଟଦାର୍ ଲେଡି ଡନଙ୍କୁ ଉଠାଇ ନେଲେ ଶବର ସାହିର ଶତାଧିକ ଲୋକ । ଗତକାଲି ଶବର ସାହିର କିଛି ଯୁବକ ଅରବିନ୍ଦ ନଗର ବସ୍ତି ନିକଟସ୍ଥ ଏକ ଦୋକାନରୁ ଖାଇବା ଆଣିବାକୁ ଯାଇଥିବା ବେଳେ ସେଠାରେ ଥିବା ସ୍ଥାନୀୟ କିଛି ଯୁବକ ଶବର ସାହିର ଟୁନା ଦେହୁରୀ ଓ ତାଙ୍କ ଭାଇଙ୍କୁ ଅତର୍କିତ ଆକ୍ରମଣ କରିଥିଲେ ।

ଟୁନା ସାଙ୍ଗରେ ଯାଇଥିବା ଭାଇ ଓ ସାଙ୍ଗ ଜୀବନ ବିକଳରେ ଦୌଡ଼ିବା ବେଳେ ଗୋଡେଇ ଗୋଡେଇ ମାଡ ମାରିଥିଲେ । ଘଟଣାକୁ କେନ୍ଦ୍ର କରି ଗତ କାଲି ରାତିରେ ଶବର ସାହିର ଶତାଧିକ ମହିଳା ପୁରୁଷ ଅରବିନ୍ଦ ନଗର ଯାଇ ଆକ୍ରମଣକାରୀଙ୍କୁ ଖୋଜିବା ବେଳେ ଦୁଇ ପୁରୁଷ ଆକ୍ରମଣକାରୀ ଖସି ପଳାଇଥିଲେ ।

ପ୍ରଥମେ ଆକ୍ରମଣ କରିଥିବା ମହିଳାଙ୍କୁ ଶବର ସାହିର ଲୋକମାନେ ଉଠାଇ ଆଣି ସମାଧାନ ପାଇଁ ସାହିରେ ଅଟକ ରଖିଥିଲେ । ଖବର ପାଇ ଚନ୍ଦ୍ରଶେଖରପୁର ଓ ମଞ୍ଚେଶ୍ୱର ଥାନାର ପୋଲିସ ସମେତ ପିସିଆର କର୍ମୀ ଘଟଣାସ୍ଥଳରେ ପହଞ୍ଚି ଥିଲେ । ଦୀର୍ଘ ଦୁଇଘଣ୍ଟା ଧରି ଅଟକ ଥିବା ମହିଳାଙ୍କୁ ପୋଲିସ ସାହି ଲୋକଙ୍କ କବଳରୁ ଉଦ୍ଧାର କରି ଥାନାକୁ ଆଣିଥିଲା । ଏନେଇ ତଦନ୍ତ କରୁଛି ପୋଲିସ ।

ଶୁଭଲକ୍ଷ୍ମୀ ମୃତ୍ୟୁ ମାମଲାରେ ସନ୍ଦିଗ୍ଧ ଯୁବକଙ୍କୁ ରାତି ଅଧିଆ ମାରାଥନ ଜେରା କରିଛି ପୋଲିସ

ଭୁବନେଶ୍ବର: ଶୁଭଲକ୍ଷ୍ମୀ ମୃତ୍ୟୁର ଖୋଲୁଛି ଗୋଟିଏ ପରେ ଗୋଟିଏ ଖିଅ । ମୃତ୍ୟୁ ମାମଲାରେ ଜଣେ ସନ୍ଦିଗ୍ଧ ଯୁବକଙ୍କୁ ରାତି ଅଧିଆ ମାରାଥନ ଜେରା କରିଛି ପୋଲିସ । ଯୁବକ ଜଣଙ୍କ ପୋଲିସକୁ ଶୁଭଲକ୍ଷ୍ମୀଙ୍କ ଅଙ୍କଲଙ୍କ ସମ୍ପର୍କରେ ଦେଇଛନ୍ତି ସୂଚନା ।

ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ କାମୁକ ଅଙ୍କଲ । ପ୍ରାପ୍ତ ବୟସ୍କ କାମୁକ ଅଙ୍କଲଙ୍କୁ ଧରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ପୋଲିସ । ନନ୍ଦିଘୋଷ ଟିଭି ହାତରେ ଲାଗିଛି ଏକ୍ସକ୍ଲୁସିଭ୍ ଭିଜୁଆଲ । ଏହି ମାମଲାରେ ବୟଫ୍ରେଣ୍ଡ ଅନିଲ ଓ ସଂଜୟଙ୍କ ସମ୍ପର୍କରେ ମଧ୍ୟ ଜେରା ହୋଇଛି । ଘଟଣାରେ ଏପର୍ଯ୍ୟନ୍ତ ୧୩ ଜଣଙ୍କ ବୟାନ ରେକର୍ଡ କରି ସାରିଲାଣି ପୋଲିସ ।

ଖୁବଶୀଘ୍ର ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଉଦ୍ଦେଶ୍ୟରେ ଦଫା ୩୦୬ ଲାଗିପାରେ। ପୂର୍ବରୁ ପ୍ରେମିକ ସଞ୍ଜୟଙ୍କୁ ଜେରା କରାଯାଇଥିଲା । ଜେରା ବେଳେ ୨୦ ଦିନ ପୂର୍ବରୁ ତାଙ୍କର ବ୍ରେକ୍ ଅପ୍ କଥା ପୋଲିସ ଆଗରେ ସ୍ବୀକାର କରିଥିଲା ସଞ୍ଜୟ । ଅନୀଲଙ୍କ ସହ ରାତି ବିତାଉଥିବା ନେଇ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ସଞ୍ଜୟ ।

ରାଗିଂ କାରଣରୁ ହାଇଦ୍ରାବାଦରେ ଜୀବନ ହାରିଲେ ଓଡିଆ ଆଇଆଇଟି ଛାତ୍ରୀ

ହାଇଦ୍ରାବାଦ: ତେଲାଙ୍ଗାନା ହାଇଦ୍ରାବାଦ ଆଇଆଇଟିରେ ଓଡିଆ ଛାତ୍ରୀଙ୍କ ମୃତ୍ୟୁ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ଡୁମୁରି ଗାଁର ଦୁଃଖିଶ୍ୟାମ ନାଏକଙ୍କ ଝିଅ ମମିତା ନାଏକଙ୍କ ମୃତଦେହ ହଷ୍ଟେଲର ବନ୍ଦ କୋଠରୀ ଭିତରୁ ଉଦ୍ଧାର ହୋଇଛି ।

ଏନେଇ ଆଇଆଇଟି କର୍ତ୍ତୃପକ୍ଷ ଛାତ୍ରୀଙ୍କ ପରିବାର ଲୋକଙ୍କୁ ଖବର ଦେଇଛନ୍ତି । ଖବର ପାଇ ପରିବାର ଲୋକ ସେଠାକୁ ଯାଇ ମୃତଦେହ ଆଣିବାର ବ୍ୟବସ୍ଥା କରୁଛନ୍ତି । ଛାତ୍ରୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ରାଗିଂ କାରଣରୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଗତ ଜୁଲାଇ ୨୬ ତାରିଖରେ ମମିତା ଏମଟେକ୍ ପ୍ରଥମ ବର୍ଷରେ ନାମ ଲେଖାଇ ହଷ୍ଟେଲକୁ ଯାଇଥିଲେ  ।

କଲରାପତରିଆକୁ ଧକ୍କା ଦେଲା ଅଜଣା ଗାଡି, ହସ୍ପିଟାଲ ନେବା ବାଟରେ ମୃତ୍ୟୁ

ଭଞ୍ଜନଗର: ଅଜଣା ଗାଡ଼ି ଧକ୍କାରେ କଲରାପତରିଆ ବାଘ ମୃତ । ଗଞ୍ଜାମ ଉତ୍ତର ଘୁମୁସର ବନଖଣ୍ଡ ମୁଖ୍ୟରାସ୍ତାରେ ଗାଡ଼ି ଧକ୍କା ଯୋଗୁଁ ବାଘର ମୃତ୍ୟୁ ହୋଇଛି ।

ଗୁରୁତର ଅବସ୍ଥାରେ ବନ ବିଭାଗ ବାଘଟିକୁ ଉଦ୍ଧାର କରିଥିଲେ । ଭଞ୍ଜନଗର ପ୍ରାଣୀ ଚିକିତ୍ସାଳୟକୁ ନେବା ସମରେ ବାଘର ମୃତ୍ୟୁ ହୋଇଥିଲା । ବାଘର ବୟସ ୪ରୁ ୫ ବର୍ଷ ହେବ ।

 

ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ନାହିଁ ବଡ ବର୍ଷା, ଅଧିକ ଜଳୀୟବାଷ୍ପ ପ୍ରଭାବରେ ଗୁଳୁଗୁଳି ହେବ

ଭୁବନେଶ୍ବର: ରାଜ୍ୟରେ ଦୁର୍ବଳ ହେଲା ମୌସୁମୀ। ବର୍ତ୍ତମାନ ସ୍ବାଭାବିକ ଠାରୁ ଉତ୍ତର ଦିଗରେ ରହିଛି ମୌସୁମୀ ନିମ୍ନ ଚାପରେଖା । ପ୍ରଭାବରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବଡ ବର୍ଷା ନାହିଁ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ଅଧିକ ରହୁଥିବାରୁ ଗରମ ଗୁଳିଗୁଳି ଅନୁଭବ ହେବ।

ଏହାସହ ଆଜି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡଘଡି ବିଜୁଳି ସହ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ଏବେ ରାଜ୍ୟରେ କୌଣସି ପାଣିପାଗ ପ୍ରକ୍ରିୟା ନଥିବାରୁ ବାୟୁମଣ୍ଡଳରେ ଜଳୀୟ ବାଷ୍ପର ପରିମାଣ ବଢିଛି । ପ୍ରଭାବରେ ରାଜ୍ୟରେ ବିପଦପୂର୍ଣ୍ଣ ବଜ୍ରପାତର ଆଶଙ୍କା କରାଯାଉଛି ।

ଆକାଶରେ କଳାହାଣ୍ଡିଆ ମେଘ ଦେଖିଲେ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର । ୧୪ତାରିଖ ବେଳକୁ ରାଜ୍ୟରେ ବର୍ଷାର ପରିମାଣ ସାମାନ୍ୟ ବଢିପାରେ । ସେପଟେ କମିବାରେ ଲାଗିଛି ହୀରାକୁଦ ଜଳସ୍ତର । ଫଳରେ ଗୋଟିଏ ପରେ ଗୋଟିଏ ଗେଟ୍ ବନ୍ଦ କରାଯାଉଛି ।

ଆଜି ବିଶ୍ବ ଆଦିବାସୀ ଦିବସ, ସଂରକ୍ଷିତ ଅଞ୍ଚଳ ପରିଦର୍ଶନ କରି ଆଦିବାସୀଙ୍କ ସମସ୍ୟା ବୁଝିବାକୁ ନବୀନଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ଆଜି ବିଶ୍ବ ଆଦିବାସୀ ଦିବସ । ନିଆରା ଢଙ୍ଗରେ ଦିବସ ପାଳିବ ବିଜୁ ଜନତା ଦଳ । ଆରମ୍ଭ ହେବ ଆଦିବାସୀ ଅଧିକାର ଅଭିଯାନ । ରାଜ୍ୟର ସମସ୍ତ ସଂରକ୍ଷିତ ଅଞ୍ଚଳରେ ଦିବସ ପାଳନ କରାଯିବ । ଆଦିବାସୀଙ୍କ ପାରମ୍ପରିକ ନାଚଗୀତ ପରିବେଷଣ ହେବ । ଦେଖିବାକୁ ମିଳିବ ସେମାନଙ୍କ ସଭ୍ୟତା ଓ ବେଶଭୁଷା ଝଲକ । ସଂରକ୍ଷିତ ଅଞ୍ଚଳ ପରିଦର୍ଶନ କରି ଆଦିବାସୀଙ୍କ ସମସ୍ୟା ବୁଝିବେ ବିଜେଡି ନେତା । ଏଥିପାଇଁ ସୁପ୍ରିମୋ ନବୀନ ପଟ୍ଟନାୟକ ନେତାଙ୍କୁ ଦାୟିତ୍ବ ପ୍ରଦାନ କରିଛନ୍ତି ।

ଆଦିବାସୀଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ବିଶେଷ ଦୃଷ୍ଟି ଦେଇଛନ୍ତି । ପାଠପଢାରୁ ଆରମ୍ଭ କରି ନିଯୁକ୍ତି ପାଇଁ ବିଭିନ୍ନ ଯୋଜନା କରିଛନ୍ତି । କିଛି ଦିନ ତଳେ ରାଷ୍ଟ୍ରପତି ତଥା ଓଡ଼ିଶାର ଆଦିବାସୀ ଝିଅ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପାଇଁ ନବୀନ ଯେଉଁ ପଦକ୍ଷେପ ନେଇଥିଲେ, ତାହା ସାରା ବିଶ୍ବ ଦେଖିଛି ।

ଅପହଞ୍ଚ ଆଦିବାସୀ ଅଞ୍ଚଳକୁ ବିଦ୍ୟୁତ୍ ସେବାରୁ ଆରମ୍ଭ କରି ଡାକ୍ତର ନିଯୁକ୍ତି କରାଯାଇଛି । ସ୍ବାଭିମାନ ଅଞ୍ଚଳର ବିକାଶ କଥା ଏବେ କାହାକୁ ଅଛପା ନାହିଁ । କୋଭିଡ ଯୋଗୁ ଦୁଇ ବର୍ଷ ହେବ ଏହାକୁ ପାଳନ କରାଯାଇନଥିଲା । ଚଳିତବର୍ଷ କିନ୍ତୁ ସରକାରୀ ସ୍ତରରୁ ଆରମ୍ଭ କରି ଦଳୀୟ ଭିତ୍ତିରେ ଏହାକୁ ପାଳନ ଧୁମଧାମରେ ପାଳନ କରାଯିବ ।

ପାକିସ୍ତାନରେ ଭଙ୍ଗ ହେବ ମେଣ୍ଟ ସରକାର, ମଧ୍ୟବର୍ତ୍ତୀକାଳୀନ ପିଏମ ନେଇ ପତ୍ର ଲେଖିବେ ସରିଫ

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଆଜି ତାଙ୍କ ପଦରୁ ଇସ୍ତଫା ଦେବେ । ଏଥିସହ ମେଣ୍ଟ ସରକାରକୁ ଭଙ୍ଗ କରିବେ ବୋଲି କହିଛନ୍ତି । ଆଗକୁ ସାଧାରଣ ନିର୍ବାଚନ ଆସୁଥିବା ବେଳେ ଶାସକ ଦଳକୁ ଅତିରିକ୍ତ ସମୟ ଦେବା ପାଇଁ ଏପରି କରାଯାଉଛି ବୋଲି ଶେହବାଜ ସରିଫ କହିଛନ୍ତି ।

ଏହାପର ଠୁ ଦେଶରେ ଜଣେ ମଧ୍ୟବର୍ତ୍ତୀକାଳୀନ ସରକାର ରହିବ । ସରକାର ଭଙ୍ଗ ନେଇ ପ୍ରଧାନମନ୍ତ୍ରୀ ସରିଫ ରାଷ୍ଟ୍ରପତି ଆରିଫ ଅଲଭିଙ୍କୁ ଚିଠି ଲେଖିବେ । ଯଦି ରାଷ୍ଟ୍ରପତି ଅନୁମତି ଦେବାରେ ବିଳମ୍ଭ କରନ୍ତି ତଥାପି ସଂସଦ ୪୮ ଘଣ୍ଟା ମଧ୍ୟରେ ଭଙ୍ଗ ହେବ । ମଧ୍ୟବର୍ତ୍ତୀ କାଳୀନ ପ୍ରଧାନମନ୍ତ୍ରୀ କିଏ ହେବା ଦରକାର ସେନେଇ ମଧ୍ୟ ପତ୍ର ଲେଖିବେ ଶେହବାଜ ସରିଫ ।

ସେମାନଙ୍କ ମଧ୍ୟରୁ ରାଷ୍ଟ୍ରପତି ଜଣକୁ ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ କରିବେ । ଏହାପୂର୍ବରୁ ସେନା ସହ ମଧ୍ୟ ବୈଠକ କରି ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଛନ୍ତି ସେହେବାଜ ସରିଫ ।

ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ, ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତମହାପାତ୍ର ସେବକ 

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଏବଂ ଦତ୍ତ ମହାପାତ୍ର ନିଯୋଗ ସହ ଆଲୋଚନା ପରେ ବିବାଦର ସମାଧାନ ହୋଇଛି । ଆଜି ଶ୍ରୀବିଗ୍ରହ ମାନଙ୍କ ବନକଲାଗି ନୀତି କରାଯିବାକୁ ନିଷ୍ପତ୍ତି ହୋଇଛି ।

ପ୍ରାକୃତିକ ଦ୍ରବ୍ୟରେ ଶ୍ରୀଜୀଉଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତମହାପାତ୍ର ସେବକ  । ଶଙ୍ଖ, କସ୍ତୁରୀ, ହିଙ୍ଗୁଳ, ହରିତାଳ ଭଳି ବିଭିନ୍ନ ପ୍ରାକୃତିକ ଦ୍ରବ୍ୟରେ ମହାପ୍ରଭୁଙ୍କ ଶ୍ରୀ ମୁଖ ଶୃଙ୍ଗାର କରାଯିବ । ନୀତି ପାଇଁ ଦ୍ବିତୀୟ ଭୋଗ ମଣ୍ଡପ ଭୋଗ ଶେଷ ହେବାପରେ ସନ୍ଧ୍ୟା 6ଟାରୁ ରାତି 11ଟା ପର୍ଯ୍ୟନ୍ତ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ ।