କୋଲକାତା: ଯାଦବପୁର ବିଶ୍ବବିଦ୍ୟାଳୟ ରାଗିଂ ମାମଲା । ଆଉ ୨ ଜଣ ଛାତ୍ରଙ୍କୁ ଗିରଫ କଲା କୋଲକାତା ପୋଲିସ । ପ୍ରଥମ ବର୍ଷ ଛାତ୍ର ସ୍ବପ୍ନଦୀପ କୁଣ୍ଡଙ୍କୁ ରାଗିଂ ଘଟଣାରେ ଏହି ୨ ଛାତ୍ର ଉପସ୍ଥିତ ଥିଲେ ବୋଲି ପୋଲିସ କହିଛି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସୌରଭ ଚୌଧୁରୀଙ୍କ ନିର୍ଦ୍ଦେଶରେ ଦୁଇ ଅଭିଯୁକ୍ତ ସ୍ବପ୍ନଦୀପଙ୍କୁ ମାନସିକ ନିର୍ଯାତନା ଦେଇଥିଲେ ବୋଲି ସୂଚନା ମିଳିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ଦୀପଶେଖର ଦତ୍ତ ଓ ମନୋତଶ ଘୋଷ । ସ୍ବପ୍ନଦୀପ ମେନ୍ ହଷ୍ଟେଲରେ ଏକ ରୁମ୍ ନପାଇବାରୁ ମନତୋଷ ନିକଟରେ ରହିଥିଲେ । ତେବେ ସେଠାରେ ସ୍ବପ୍ନଦୀପଙ୍କୁ ରାଗିଂ କରାଯାଇଥିଲା । ପରେ ହଷ୍ଟେଲର ଦ୍ବିତୀୟ ମହଲାରୁ ସ୍ବପ୍ନଦୀପ ଖସି ପ୍ରାଣହରାଇଥିଲେ । ତଳେ ପଡିଥିବା ଅବସ୍ଥାରେ ସେ ସମ୍ପୂର୍ଣ୍ଣ ଉଲଗ୍ନ ଥିଲେ ଏବଂ ମୃତ୍ୟୁ ପୂର୍ବରୁ ସେ ଜଣେ ସମଲିଙ୍ଗି ନୁହନ୍ତି ବୋଲି ବାରମ୍ବାର କହିଥିଲେ ବୋଲି ସୂଚନା ମିଳିଛି । ଗତ ଶୁକ୍ରବାର ପୋଲିସ ସୌରଭକୁ ଗିରଫ କରିଥିଲା । ଏହି ଘଟଣାରେ ପୋଲିସ ୧୨ ଛାତ୍ରଙ୍କୁ ସମନ ଜାରି କରିଛି ।
ଛୁଆକୁ ଧରି ନଦୀକୁ ଡେଇଁଲା ବାପା
କଟକ: ଛୁଆକୁ ଧରି ନଦୀକୁ ଡେଇଁଲା ବାପା । ପାରିବାରିକ କଳହରୁ ୯ମାସର ଛୁଆକୁ ଧରି ବାପା ପାଣିକୁ ଡେଇଁଲାଥିବା କୁହାଯାଉଛି । ସ୍ଥାନୀୟଲେକେ ଛୁଆକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି । ବାପାର ମିଳୁନି ପତ୍ତା । ବାପା ନିଖୋଜ, ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ । ସଇଁଦା ନିକଟ ସିଢୁଆ ନଦୀକୁ ଡେଇଁଲା ବାପା । ନିଖୋଜ ବ୍ୟକ୍ତି କନ୍ଦରପୁର ଅଞ୍ଚଳର ହୋଇଥିବା ଅନୁମାନ କରାଯାଉଛି । ତେବେ ଛୁଆ ସହ ମା ମେଡିକାଲ ଯାଇଥିବାବେଳେ ଏଯାବତ ବାପାର ଖବର ମିଳିନାହିଁ ।
୭୦ ଫୁଟ ଗଭୀର ବୋରଓ୍ବେଲରେ ଫସିଲେ ଶ୍ରମିକ
ଅମୃତସର: ବୋରଓ୍ବେଲ ଭିତରେ ଫସିଗଲେ ଜଣେ ଶ୍ରମିକ । ପ୍ରାୟ ୭୦ଫୁଟ ଗଭୀରରେ ଶ୍ରମିକ ଜଣଙ୍କ ଫସି ରହିଥିବା ସୂଚନା ମିଳିଛି । ପଞ୍ଜାବର ଜଳନ୍ଧର ଜିଲ୍ଲା ଅନ୍ତର୍ଗତ କର୍ତ୍ତାରପୁରରୁ ଆସିଛି ଏଭଳି ଖବର । ବୋରଓ୍ବେଲ ଭିତରେ ଥିବା କେତେକ ଯନ୍ତ୍ରାଂଶକୁ ବାହାର କରିବା ଲାଗି ସୁରେଶ ଓ ଅନ୍ୟ ଜଣେ ଶ୍ରମିକ ବୋରଓ୍ବେଲ ଭିତରକୁ ଯାଇଥିବାବେଳେ ବାଲି ଧସିଯାଇଥିଲା । ଜଣେ ଶ୍ରମିକ କୌଣସିମତେ ଉଦ୍ଧାର ହୋଇଥିବାବେଳେ ସୁରେଶ ଫସିଯାଇଥିଲେ । ଜିଲ୍ଲା ପ୍ରଶାସନ ଓ ଏନଡିଆରଏଫ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଦିଲ୍ଲୀ-କାଟରା ଏକ୍ସପ୍ରେସ ପ୍ରକଳ୍ପ ଲାଗି ପିଲର ଖୋଳାଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି ।
ମହିଳାଙ୍କୁ ନୂଆ ପରିଚୟ ଦେଇଛି ମିଶନ ଶକ୍ତି
ଚାନ୍ଦବାଲି: ମିଶନ ଶକ୍ତି ଦେଇଛି ନୂଆ ପରିଚୟ। ସ୍ୱାଧୀନତା ଦିବସ ପାଇଁ ଜାତୀୟ ପତାକା ତିଆରିରେ ଲାଗିଛନ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ। ଚାନ୍ଦବାଲି ବ୍ଳକ ନିଶ୍ଚିନ୍ତାର ଶ୍ରୀ ଲକ୍ଷ୍ମୀ ଆପାରେଲସ ଉତ୍ପାଦକ ଗୋଷ୍ଠୀ ଦିନ ରାତି ଏକ କରି ଜାତୀୟ ପତାକା ତିଆରି କରୁଛନ୍ତି। ପାଖାପାଖି ୨୦ହଜାର ପତାକା ପାଇଁ ବିଭିନ୍ନ ବ୍ୟବସାୟୀ ଅର୍ଡ଼ର ଦେଇଛନ୍ତି। ମହିଳା ମାନେ ଏବେ ଜାତୀୟ ପତାକା ତିଆରି କରି ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି । ଭଲ ଦି ପଇସା ରୋଜଗାର ଯୋଗାଇଛି ମିଶନ ଶକ୍ତି । ରାଜ୍ୟ ସରକାରଙ୍କ ମିଶନ ଶକ୍ତି ସହାୟତାରେ ରୋଜଗାରକ୍ଷମ ହୋଇପାରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ତାଇଓ୍ବାନ ଉପରାଷ୍ଟ୍ରପତି ଓ୍ବିଲିୟମ ଲାଇଙ୍କ ଆମେରିକା ଗସ୍ତ, ଚୀନର ଜୋରଦାର ବିରୋଧ
ନୂଆଦିଲ୍ଲୀ: ଆମେରିକା ଗସ୍ତରେ ତାଇଓ୍ବାନ ଉପରାଷ୍ଟ୍ରପତି ଓ୍ବିଲିୟମ ଲାଇ । ଓ୍ବିଲିୟମ ଲାଇଙ୍କ ଆମେରିକା ଗସ୍ତକୁ ସହଜରେ ଗ୍ରହଣ କରୁନି ଚୀନ । ଦୁଇ ସୁପରପାଓ୍ବାର ମଧ୍ୟରେ କଳି । ବେଜିଂ କହିଛି- ଓ୍ବିଲିୟମ ଲାଇ ଜଣେ ବିଚ୍ଛିନ୍ନତାବାଦୀ ଓ ସମସ୍ୟା ସୃଷ୍ଟି କରୁଥିବା ବ୍ୟକ୍ତି । ନିଜର ସାର୍ବଭୌମତ୍ବର ସୁରକ୍ଷା ଲାଗି ଚୀନ କଠୋର ପଦକ୍ଷେପ ନେବ । ଆସନ୍ତା ଜାନୁଆରୀରେ ତାଇଓ୍ବାନରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଥିବାବେଳେ ଓ୍ବିଲିୟମ ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ଯାଉଛନ୍ତି । ଏଭଳି ସମୟରେ ତାଙ୍କର ଆମେରିକା ଗସ୍ତ ଗୁରୁତ୍ବପୂର୍ଣ୍ଣ ହୋଇଛି । ତାଇଓ୍ବାନକୁ ଚୀନ ନିଜର ଅଧୀନସ୍ଥ ଅଞ୍ଚଳ ବୋଲି ଦାବି କରୁଥିବାବେଳେ ଆମେରିକା ସହ ତାଇଓ୍ବାନର ସମ୍ପର୍କରେ ଚୀନ ସହଜରେ ଗ୍ରହଣ କରିପାରୁନାହିଁ । ତାଇଓ୍ବାନ ବିଚ୍ଛିନ୍ନତାବାଦୀଙ୍କ ଆମେରିକା ଗସ୍ତକୁ ଚୀନ ତୀବ୍ର ବିରୋଧ କରୁଛି ବୋଲି କହିଛି ଚୀନ ବୈଦେଶିକ ମନ୍ତ୍ରାଳୟ । ଦେଶର ଜାତୀୟ ସାର୍ବଭୋମତ୍ବ ଓ ସୀମାର ସୁରକ୍ଷା କରାଯିବ ବୋଲି କହିଛନ୍ତି ମନ୍ତ୍ରାଳୟ । ନ୍ୟୁୟର୍କରେ ପହଞ୍ଚିବା ପରେ ଓ୍ବିଲିୟମଙ୍କୁ ଭରପୂର ସ୍ବାଗତ କରାଯାଇଛି । ସେପଟେ ତାଇଓ୍ବାନ ନିକଟରେ ଚୀନ ମିଲିଟାରୀ ଡ୍ରିଲ କରିବ ବୋଲି ସୂଚନା ମିଳିଛି ।
ତୁଟିବ କି ଭାରତ-ଚୀନ୍ ସୀମା ବିବାଦ
ନୂଆଦିଲ୍ଲୀ: ତୁଟିବ କି ସୀମା ବିବାଦ । LACକୁ ଫେରିବ କି ସ୍ବାଭାବିକ ସ୍ଥିତି । ଆସନ୍ତାକାଲି ଭାରତ ଓ ଚୀନ ମଧ୍ୟରେ ହେବ କମାଣ୍ଡରସ୍ତରୀୟ ଆଲୋଚନା । LAC ବିବାଦର ସମାଧାନ ପାଇଁ ୧୯ତମ ଦ୍ବିପାକ୍ଷିକ କୋର କମାଣ୍ଡରସ୍ତରୀୟ ବୈଠକ ବସିବାକୁ ଯାଉଛି । ଲଦାଖର ଚୁସୁଲ-ମୋଲ୍ଡ ବର୍ଡ଼ରରେ ଉଭୟ ଦେଶ ମଧ୍ୟରେ କଥାବାର୍ତ୍ତା ହେବ । ଲେଫ୍ଟନାଣ୍ଟ ଜେନେରାଲ ରସିମ ବାଲି ଭାରତୀୟ ପ୍ରତିନିଧି ଦଳର ନେତୃତ୍ବ ନେବେ । ତାଙ୍କ ସହ ବୈଦେଶିକ ମନ୍ତ୍ରାଳୟ ଓ ଆଇଟିବିପିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ । ୪ ମାସ ପରେ ଦୁଇ ଦେଶର ସେନାଙ୍କ ମଧ୍ୟରେ ବୈଠକ ବସିବାକୁ ଯାଉଛି । ଏଥିରେ ପୂର୍ବ ଲଦାଖର ଡେପସାଙ୍ଗ ଓ ଡେମଚୋପ ଅଞ୍ଚଳରୁ ସେନା ପ୍ରତ୍ୟାହାର ପାଇଁ ଚୀନକୁ ଭାରତ ପ୍ରସ୍ତାବ ଦେବ । ତେବେ ପୂର୍ବର ଏକାଧିକ ବୈଠକରେ ଭାରତର ଏହି ଦାବିକୁ ଚୀନ ଖଣ୍ଡନ କରିଆସୁଛି । ବୈଠକରେ ଦୁଇ ଦେଶ ମଧ୍ୟରେ ଶାନ୍ତି ବଜାୟ ରଖିବା ସହ ଦ୍ବିପାକ୍ଷିକ ସମ୍ପର୍କ ସୁଧାରିବାକୁ ପ୍ରୟାସ କରାଯିବ । ସୀମା ସ୍ଥିତି ନେଇ ବି ଆଲୋଚନା ହେବ । ୪ ବର୍ଷ ହେବ ଦୁଇ ଦେଶ ମଧ୍ୟରେ ସୀମା ବିବାଦ ଲାଗିରହିଛି । ୨୦୨୦ ଜୁନରେ ଗଲୱାନ ଘାଟିରେ ଦୁଇ ଦେଶର ସୈନ୍ୟ ମୁହାଁମୁହିଁ ହୋଇଥିଲେ । ଏଥିରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିବା ବେଳେ ଅନେକ ଚୀନ ସୈନ୍ୟ ନିହତ ହୋଇଥିଲେ । ଏହା ପରଠୁ ଉଭୟ ଦେଶ ଭିତରେ ଦ୍ବିପାକ୍ଷିକ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା । ଲଦାଖରେ ଏବେ ବି ଉଭୟ ଦେଶ ୫୦ ହଜାରରୁ ଅଧିକ ସୈନ୍ୟ ଓ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ମୁତୟନ କରିଛନ୍ତି ।
ପୁଣି ଅଡ଼ୁଆରେ ଟ୍ରମ୍ପ
ଓ୍ବାଶିଂଟନ: ପୁଣି ଅଡୁଆରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବା ଅଭିଯୋଗ ମାମଲାରେ କାଠଗଡ଼ାରେ ଟ୍ରମ୍ପ । ଆସନ୍ତା ସପ୍ତାହରେ ଟ୍ରମ୍ପଙ୍କ ବିଚାର ହେବ । ଯଦି ସେ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୁଅନ୍ତି ତାହେଲେ ଗତ ୫ ମାସରେ ଏହା ତାଙ୍କର ଚତୁର୍ଥ ଦୋଷୀ ସାବ୍ୟସ୍ତ ଘଟଣା ହେବ। ଆସନ୍ତା ୨୦୨୪ରେ ରାଷ୍ଟ୍ରପତି ନିର୍ବାଚନ ଲାଗି ଟ୍ରମ୍ପ ପ୍ରାର୍ଥୀ ହେବାକୁ ଯାଉଥିବାବେଳେ ବାରମ୍ବାର ଦୋଷୀ ସାବ୍ୟସ୍ତ ହେବା ଘଟଣା ତାଙ୍କ ଲାଗି ସମସ୍ୟା ସୃଷ୍ଟି କରୁଛି । ୨୦୨୦ ରାଷ୍ଟ୍ରପତି ନିର୍ବାଚନର ଫଳାଫଳକୁ ବେଆଇନ ଭାବେ ପ୍ରଭାବିତ କରିବା ଲାଗି ଉଦ୍ୟମ କରିଥିଲେ । ହୋଇଥିବା ଅଭିଯୋଗର ଶୁଣାଣି ଆସନ୍ତା ସପ୍ତାହରେ ଜର୍ଜିଆର ଜଣେ ବିଚାରପତି କରିବେ । ଜଣେ ନିର୍ବାଚନ ଅଧିକାରୀ ବ୍ରାଡ ରାଫେନସ୍ପର୍ଜରଙ୍କ ନିକଟକୁ ଟ୍ରମ୍ପ ଫୋନ କରି ତାଙ୍କ ସପକ୍ଷରେ ଅଧିକ ଭୋଟ କରାଇଦେବା ଲାଗି କହିଥିଲେ ବୋଲି ଟ୍ରମ୍ପଙ୍କ ବିରୋଧରେ ହୋଇଥିଲା ଅଭିଯୋଗ । ଶୁଣାଣିରେ ସାକ୍ଷ୍ୟ ଦେବାକୁ କେତେକ ବ୍ୟକ୍ତିଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି ।
ନିର୍ବାଚନ ଫଳାଫଳ ପ୍ରଭାବିତ କରିବା ଲାଗି ହୋଇଥିବା ଅଭିଯୋଗର ଶୁଣାଣି କରି କିଛି ଦିନ ତଳେ ଓ୍ବାଶିଂଟନ ଫେଡେରାଲ କୋର୍ଟ ଟ୍ରମ୍ପଙ୍କୁ ଅଭିଯୁ୍କ୍ତ ଦର୍ଶାଇଥିଲେ । ଜଣେ ପର୍ଣ୍ଣଷ୍ଟାରଙ୍କୁ ଚୁପ୍ ରହିବା ଲାଗି ଅର୍ଥ ପ୍ରଦାନ କରିଥିବା ମାମଲାରେ ବି ଟ୍ରମ୍ପଙ୍କୁ କିଛି ମାସ ତଳେ ମାନହଟ୍ଟନ କୋର୍ଟ ମଧ୍ୟ ଦୋଷୀ ସାବ୍ୟସ୍ତ କରିଥିଲେ ।ଆସନ୍ତା ନିର୍ବାଚନରେ ରିପବ୍ଲିକାନ ପାର୍ଟି ପକ୍ଷରୁ ଟ୍ରମ୍ପ ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ଯାଉଥିବାବେଳେ ଏହି ସମସ୍ତ ଅଭିଯୋଗକୁ ଟ୍ରମ୍ପ ଖଣ୍ଡନ କରିଛନ୍ତି । ଏସବୁ ଡେମୋକ୍ରାଟିକ ପାର୍ଟିର ଷଡ଼ଯନ୍ତ୍ର ବୋଲି ସେ ଦର୍ଶାଇଛନ୍ତି ।
ସ୍ନାନ ସମୟରେ ସମୁଦ୍ରରେ ବୁଡ଼ି ଯାଇଥିବା ପର୍ଯ୍ୟଟକ ଉଦ୍ଧାର
ପୁରୀ: ପୁରୀ ସେକ୍ଟର-5 ଭେଳାଭୂମିରେ ସ୍ନାନ ସମୟରେ ବୁଡିଯାଉଥିଲେ ପର୍ଯ୍ୟଟକ । ବୁଡ଼ି ଯାଇଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ ଓ ଲାଇଫ ଗାର୍ଡ଼ । ତେବେ ପର୍ଯ୍ୟଟକ ଜଣକ ବଞ୍ଚିଥିବା ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଏପର୍ଯ୍ୟନ୍ତ ତାଙ୍କ ପରିଚୟ ମିଳିନାହିଁ । ସ୍ନାନ ସମୟରେ ବୁଡ଼ି ଯାଉଥିବା ଦେଖି ଉପସ୍ଥିତ ଲୋକେ ପାଟି କରିବା ପରେ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି ।
ସୁପରସଣ୍ଡେରେ ସୁପର ଫାଇଟ୍
ନୂଆଦିଲ୍ଲୀ: ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷରେ ଅନ୍ତିମ ଟି-୨୦ ମ୍ୟାଚ ଖେଳିବ ଭାରତ । ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ୨-୨ରେ ରହିଛି । ଉଭୟ ଦଳ ୨ଟି ଲେଖାଏଁ ମ୍ୟାଚ ଜିତିଥିବାବେଳେ ଆଜି ଅନ୍ତିମ ମ୍ୟାଚ ଖେଳାଯିବ । ଟିମ ଇଣ୍ଡିଆ ପ୍ରଥମ ୨ଟି ମ୍ୟାଚରେ ପରାଜୟ ହୋଇଥିଲେ ସୁଦ୍ଧା ଦମଦାର କମବ୍ୟାକ କରିଛି । ଶନିବାର ଖେଳାଯାଇଥିବା ଚତୁର୍ଥ ଟି-୨୦ରେ ଶୁଭମନ ଗିଲ ଏବଂ ଜସସ୍ବୀ ଜୟସ୍ବାଲଙ୍କ ଅର୍ଦ୍ଦଶତୀୟ ପାଳି ବଳରେ ଦଳ ପାଣ୍ଡ୍ୟା ବାହିନୀ ଏକ ସହଜ ବିଜୟ ହାସଲ କରିଛି । ଅନ୍ତିମ ମ୍ୟାଚରେ ବିଜୟ ସହ ସିରିଜ ହାତେଇବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ ।
ସୀମା ଜଗିବ ହେରନ ମାର୍କ, ବର୍ଡରରେ ବାୟୁସେନାର ଶକ୍ତି ବଢ଼ାଇବ ଡ୍ରୋନ୍
ନୂଆଦିଲ୍ଲୀ: ସୀମା ସୁରକ୍ଷା ସୁନିଶ୍ଚିତ କରିବ ଡ୍ରୋନ । ଚୀନ, ପାକିସ୍ତାନ ସୀମା ଉପରେ ନଜର ରଖିବ ହେରନ ମାର୍କ । ଉଚ୍ଚ କ୍ଷମତା ସମ୍ପନ୍ନ ଡ୍ରୋନରେ ସର୍ଭେଲାନ୍ସ ସହ ଷ୍ଟ୍ରାଇକ କରିବାର କ୍ଷମତା ରହିଛି । ଏହି ଡ୍ରୋନରେ ଦୂରଗାମୀ କ୍ଷେପଣାସ୍ତ୍ର ଏବଂ ଅନ୍ୟ ଅସ୍ତ୍ରଶସ୍ତ୍ର ଖଞ୍ଜାଯାଇପାରିବ । ଜାମ୍ମୁ-କାଶ୍ମୀର ଉତ୍ତର ସେକ୍ଟରର ଫରଓ୍ବାର୍ଡ ଏୟାରବେସରେ ଏହି ଡ୍ରୋନ ମୁତୟନ କରାଯାଇଛି । ସାଟେଲାଇଟ୍ ଯୋଗାଯୋଗ କ୍ଷମତା ବିଶିଷ୍ଟ ଡ୍ରୋନଗୁଡିକ ଭାରତୀୟ ବାୟୁସେନାର ଶକ୍ତିକୁ ବୃଦ୍ଧି କରିଛି । ପ୍ରଥମ ଥର ଲାଗି ବାୟୁସେନାକୁ ଏହି ଡ୍ରୋନ ମିଳିଛି । ସବୁପ୍ରକାର ସର୍ଭେଲାନ୍ସରେ ଏହାକୁ ବ୍ୟବହାର କରାଯାଇପାରିବ । ସୀମା ସେପଟୁ ଆସୁଥିବା ଡ୍ରୋନ, ଶତ୍ରୁର ଗତିବିଧି ଉପରେ ଏହି ଡ୍ରୋନ କଡ଼ା ନଜର ରଖିବ । ଦୀର୍ଘ ଦୂରତାରେ ଏହି ଡ୍ରୋନ୍ ଲଗାତାର ୩୬ ଘଣ୍ଟା ଧରି କାର୍ଯ୍ୟ କରିପାରିବ । ଶତ୍ରୁର ଲକ୍ଷ୍ୟକୁ ଦେଖିବା ସହ ଫାଇଟର ଏୟାରକ୍ରାଫ୍ଟ ଏହାକୁ ଧ୍ବଂସ କରିବାରେ ସହଯୋଗ କରିବ ବୋଲି ବାୟୁସେନା ପକ୍ଷରୁ କୁହାଯାଇଛି ।

