ନନ୍ଦିଘୋଷ ବ୍ୟୁରୋ: ପୋଲିସ ବେଶରେ ଲୋକଙ୍କୁ ଠକୁଥିବା ଜଣେ ଯୁବକଙ୍କୁ ଗିରଫ କରିଛି ବ୍ରହ୍ମପୁର ପୋଲିସ। ଯୁବକଜଣକ ନକଲି ପୋଲିସ ସାଜି ବାଇକ ଚେକିଂ ନାଁରେ ଟଙ୍କା ସଂଗ୍ରହ କରୁଥିଲା। ରବିବାର ମଧ୍ୟ ସଦର ଥାନା ଅନ୍ତର୍ଗତ ବାଲିପଦରଠାରେ ବାଇକ ଚେକିଂ ଆଳରେ ଟଙ୍କା ସଂଗ୍ରହ କରୁଥିଲା। ହେଲେ ଏଠାରେ ତାଙ୍କୁ ଗିରଫ କରିବାରେ ସଫଳ ହୋଇଛି ବ୍ରହ୍ମପୁର ପୋଲିସ। ଗିରଫ ନକଲି ପୋଲିସର ନାଁ କେଦାର ନାଥ ସ୍ୱାଇଁ। ତା’ଠାରୁ ଗୋଟିଏ ଖେଳନା ପିସ୍ତଲ, ଗୋଟିଏ ଯୋଡ଼ା DMS ଜୋତା, ଗୋଟିଏ ଜଙ୍ଗଲ ପ୍ୟାଚ୍ ଡ୍ରେସ୍, ପାଉଚ୍ ସହ ଜଙ୍ଗଲ ପ୍ୟାଚ୍ ବେଲ୍ଟ, ଦୁଇଟି ପି-କ୍ୟାପ୍, ଗୋଟିଏ ଫାଇବର ଲାଠି ଜବତ ହୋଇଛି। ଏହା ସହ ମନୋଜ କୁମାର ସ୍ୱାଇଁ ଓଡ଼ିଶା ପୋଲିସ ଲେଖା ଥିବା ଏବଂ OP ଚିହ୍ନ ଥିବା ନାମ ଫଳକ, କଳା ରଙ୍ଗର ପୋଲିସ ବେଲ୍ଟ, ଆଧାର କାର୍ଡ, ପାନ କାର୍ଡ, ମୋବାଇଲ୍ ଫୋନ୍, ପୋଲିସ ପୋଷାକରେ କେଦାରନାଥ ସ୍ୱାଇଁଙ୍କ ଫଟୋଗ୍ରାଫ, ଗୋଟିଏ SBI ପାସବୁକ୍ ଆଦି ଜବତ ହୋଇଛି। ଘଟଣାର ଅଧିକ ତଦନ୍ତ ଚାଲିଥିବା ନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ୍ପି।
ଆମେରିକାରେ ଜୋର ଧରିଲା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ବିରୋଧୀ ଆନ୍ଦୋଳନ
ନନ୍ଦିଘୋଷ ବ୍ୟୁରୋ: ଆମେରିକାରେ ଜୋର ଧରିଲା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ବିରୋଧୀ ଆନ୍ଦୋଳନ। ରାଷ୍ଟ୍ରପତି ଗାଦିରୁ ହଟିବା ଲାଗି ଦାବି କରିଛନ୍ତି ଆନ୍ଦୋଳନକାରୀ। ୱାଶିଂଟନ ଡିସିରେ ହୋଇଛି ଜୋରଦାର ଆନ୍ଦୋଳନ। ମହାଭିଯୋଗ ପ୍ରସ୍ତାବ ଜରିଆରେ ତାଙ୍କୁ ହଟାଇବା ଲାଗି ଆନ୍ଦୋଳନକାରୀ ଦାବି କରିଛନ୍ତି। ଗତ କିଛି ମାସ ଧରି ଟ୍ରମ୍ପ ବିରୋଧୀ ଆନ୍ଦୋଳନ ଜାରି ରହିଥିବା ବେଳେ ଏବେ ତାହା ବଡ଼ ଆକାରର ରୂପ ନେଇଓଛି। ଟ୍ରମ୍ପଙ୍କ ବିରୋଧରେ ହୋଇଥିବା ରିମୁଭ ଦି ରିଜାଇମ ବ୍ୟାନରରେ ଏହି ଆନ୍ଦୋଳନ ହୋଇଛି। ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ବିଭିନ୍ନ କର୍ମୀ, କଳାକାର ଓ ରାଜନୈତିକ ନେତା। ଆନ୍ଦୋଳନର ନେତୃତ୍ବ ନେଉଛନ୍ତି ଆମେରିକା ପ୍ରତିନିଧି ସଭା ସଦସ୍ୟ ଅଲ ଗ୍ରୀନ ଓ ପୂର୍ବତନ ପୋଲିସ ଅଧିକାରୀ ମାଇକେଲ ଫାନୋନ। ଟ୍ରମ୍ପ କ୍ଷମତାକୁ ଆସିବା ପରଠାରୁ ତାଙ୍କ ନୀତିକୁ ବିଭିନ୍ନ ସ୍ତରରେ କରାଯାଉଛି ସମାଲୋଚନା।
ନଜର ପକାନ୍ତୁ ବାତ୍ୟାକୁ ନେଇ କଣ ରହିଛି ଅପଡେଟ୍
ନନ୍ଦିଘୋଷ ବ୍ୟୁରୋ: ବଙ୍ଗୋପସାଗରରେ ବଢ଼ିଲା ବାତ୍ୟା ଭୟI ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ଘୂର୍ଣ୍ଣିବଳୟ । ଆଗାମୀ ୨୪ ଘଣ୍ଟା ଭିତରେ ଅବପାତ ଓ ୪୮ ଘଣ୍ଟା ମଧ୍ଯରେ ନେଇପାରେ ବାତ୍ଯାର ରୂପ । ଏହାର ପ୍ରଭାବରେ ୨୫ରୁ ବଢିବ ପବନ । ଆଜି ସୁଦ୍ଧା ଅଧିକ ଘନୀଭୂତ ହୋଇ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ବବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ମାଲାସ୍କା ଓ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆଜି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ । ୨୬ କିମ୍ବା ୨୭ରେ ବାତ୍ୟା ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି I ସେପଟେ କାଲି ପରେ ବର୍ଷା ପରିମାଣ ବଢିବା ନେଇ ସୂଚନା ଦେଇଛନ୍ତି ପାଣିପାଗ କେନ୍ଦ୍ର। ସମୁଦ୍ର ଭିତରେ ବଳ ଗୋଟାଇ ଏହା ଧୀରେ ଶକ୍ତିଶାଳୀ ହେବା ସହ ୨୬ ତାରିଖରେ ବାତ୍ୟାରେ ପରିଣତ ହୋଇପାରେ । ହେଲେ ବାତ୍ୟା ଗତିପଥ, ତୀବ୍ରତା ନେଇ ସ୍ପଷ୍ଟ କରିନି ପାଣିପାଗ କେନ୍ଦ୍ର । ଧାନ ଅମଳ ସମୟ ହୋଇଥିବାରୁ ଅଦିନିଆ ବର୍ଷାକୁ ନେଇ ଚାଷୀଙ୍କୁ ଚିନ୍ତା ଘାରିଛି । ଅମଳ ହୋଇଥିବା ଫସଲକୁ କାଟିବା ଆଣିବାକୁ ପରାମର୍ଶ ଦେଇଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁ ପାଳକ I
ଆଜି ଦେଶର ୫୩ତମ ପ୍ରଧାନ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ସୂର୍ଯ୍ୟକାନ୍ତ
ନନ୍ଦିଘୋଷ ବ୍ୟୁରୋ: ଆଜି ଦେଶର ୫୩ତମ ପ୍ରଧାନ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ସୂର୍ଯ୍ୟ କାନ୍ତ। ବହୁ ଗୁରୁତ୍ବପୂର୍ଣ୍ଣ ସାମ୍ବିଧାନିକ ତଥା ନାଗରିକ ଅଧିକାର ସଂକ୍ରାନ୍ତ ରାୟ ଦେଇ ଚର୍ଚ୍ଚାରେ ଅଛନ୍ତି ଜଷ୍ଟିସ ସୂର୍ଯ୍ଯ କାନ୍ତ। ଜଷ୍ଟିସ ବି.ଆର. ଗଭାଇଙ୍କ ପରେ ଦାୟିତ୍ବ ନେବେ ଜଷ୍ଟିସ ସୂର୍ଯ୍ୟ କାନ୍ତ। ପରବର୍ତ୍ତୀ ସିଜେଆଇ ହେବା ଲାଗି ଗତ ଅକ୍ଟୋବର ୩୦ରେ ତାଙ୍କ ନାଁ ଘୋଷଣା କରାଯାଇଥିଲା। ଆସନ୍ତା ୧୫ ମାସ ଅର୍ଥାତ ୨୦୨୭ ଫେବ୍ରୁଆରୀ ୯ ଯାଏ ସେ ଦାୟିତ୍ବରେ ରହିବେ। ରାଷ୍ଟ୍ରପତି ଭବନରେ ହେବ ଶପଥ ଗ୍ରହଣ ସମାରୋହ। ଉତ୍ସବରେ କେନିୟା, ମାଲେସିଆ, ମରିସସ୍, ନେପାଳ ଓ ଶ୍ରୀଲଙ୍କାର ମୁଖ୍ୟ ନ୍ୟାୟାଧୀଶ ଯୋଗ ଦେବେ।
ହରିଆଣାର ହିସାର ଜିଲ୍ଲାରେ ଗତ ୧୯୬୨ ଫେବ୍ରୁଆରୀ ୧୦ରେ ଜନ୍ମଗ୍ରହଣ କରିଥିଲେ ଜଷ୍ଟିସ ସୂର୍ଯ୍ଯ କାନ୍ତ। ଏକ ସାଧାରଣ ପରିବାରରୁ ଦେଶର ସର୍ବୋଚ୍ଚ ବିଚାର ବିଭାଗୀୟ ସ୍ତରକୁ ଯିବାରେ ଦୀର୍ଘ ସଂଗ୍ରାମ କରିଛନ୍ତି ଜଷ୍ଟିସ ସୂର୍ଯ୍ଯ କାନ୍ତ। ପ୍ରଥମେ ସେ ହିସାରରେ ଜଣେ ଆଇନଜୀବୀ ଭାବେ କାର୍ଯ୍ଯ କରିଥିଲେ। ପରେ ସେ ପଞ୍ଜାବ ଓ ହରିଆଣା ହାଇକୋର୍ଟରେ ଯୋଗଦେଇଥିଲେ। ୨୦୧୮ରେ ସେ ହୋଇଥିଲେ ହିମାଚଳ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି।
ପିତା ମଦନ ଗୋପାଳ ଶର୍ମା ଜଣେ ସଂସ୍କୃତ ଶିକ୍ଷକ ଥିଲେ । ୧୯୮୧ ମସିହାରେ ହିସାରର ସରକାରୀ ପୋଷ୍ଟ ଗ୍ରାଜୁଏଟ୍ କଲେଜରୁ ସ୍ନାତକ ଏବଂ ୧୯୮୪ ମସିହାରେ ରୋହତକର ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ୨୦୧୧ ମସିହାରେ କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ ।

