spot_img
Home Blog Page 2632

ଆଠ ମହଲାରୁ ଖସିଲା ଲିଫ୍ଟ, ଚାଲିଗଲା ୪ଜଣଙ୍କ ଜୀବନ

ନୂଆଦିଲ୍ଲୀ: ଖସି ପଡିଲା ଲିଫ୍ଟ, ଚାଲିଗଲା ୪ଜଣଙ୍କ ପ୍ରାଣ। ଗ୍ରେଟର ନୋଏଡା ଆମ୍ରପାଲି ଡ୍ରିମ ଭ୍ୟାଲି ଫେଜ- ୨ ପ୍ରକଳ୍ପରେ ଘଟିଛି ଏପରି ଭୟାନକ ଘଟଣା। ଏଠାରେ ନିର୍ମାଣାଧୀନ କୋଠାର ଲିଫ୍ଟ ଖସିପଡିବାରୁ ସେଥିରେ ଥିବା ୪ ଜଣଙ୍କର ମୃତ୍ୟୁ ହୋଇଯାଇଛି।

ଏଥିରେ ଥିବା ଆଉ ୫ଜଣ ଲୋକ ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଲିଫ୍ଟଟି ଆଠ ମହଲାରୁ ଖସି ତୃତୀୟ ମହଲାରେ ଅଟକିଯାଇଥିଲା। ତେବେ କନଷ୍ଟ୍ରକସନ କମ୍ପାନୀ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହା ପୂର୍ବରୁ ନୋଏଡାର ଅନ୍ୟ ଏକ ସମ୍ଭ୍ରାନ୍ତ ଅଞ୍ଚଳରେ ଲିଫ୍ଟ ଖସିପଡିବାରୁ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିଲା। ସେହିପରି କିଛି ଦିନ ତଳେ ମହାରାଷ୍ଟ୍ର ଥାନେରେ ମଧ୍ୟ ନିର୍ମାଣଧୀନ କୋଠାର ଲିଫ୍ଟ ଖସିପଡିବାରୁ ୭ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଯାଇଥିଲା।

ଅନନ୍ତନାଗ: ଆତଙ୍କବାଦୀଙ୍କୁ ସଫା କରିବା ଲାଗି ଚାଲିଛି ସର୍ଚ୍ଚ ଅପରେସନ

ଅନନ୍ତନାଗ: ଆତଙ୍କବାଦୀଙ୍କୁ ସଫା କରିବା ଲାଗି କାଉଣ୍ଟଡାଉନ ଆରମ୍ଭ। ଜାମ୍ମୁକାଶ୍ମୀର ଅନନ୍ତନାଗରେ ପାହଡରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ନିପାତ କରିବା ଲାଗି  ଆରମ୍ଭ ହୋଇଛି ବଡ଼ ଅପରେସନ। ସୁରକ୍ଷାକର୍ମୀ ପୂରା ପାହାଡକୁ ଘେରିରହିଥିବାବେଳେ ଡ୍ରୋନ ଜରିଆରେ ବୋମା ମାଡ କରାଯାଉଛି।

ଏପରିକି ଅର୍ଦ୍ଧସାମରିକ କମାଣ୍ଡୋଙ୍କୁ ମଧ୍ୟ ଅପରେସନରେ ନିୟୋଜିତ କରାଯାଇଛି। ପାହାଡି ଜଙ୍ଗଲ ଭିତରେ ୨ରୁ ୩ ଜଣ ଆତଙ୍କବାଦୀ ଲୁଚି ରହିଛନ୍ତି।  ଘଟଣାସ୍ଥଳରେ ପୋଲିସ ଡିଜି ଦିଲବାଗ ସିଂ ଉପସ୍ଥିତ ରହି ସ୍ଥିତି ସମୀକ୍ଷା କରିଛନ୍ତି। ବୁଧବାର ଅପରେସନ ବେଳେ ପ୍ରାଣ ହରାଇଥିଲେ ଆର୍ମି ରାଷ୍ଟ୍ରୀୟ ରାଇଫଲସ ୟୁନିଟର କମାଣ୍ଡିଂ ଅଫିସର, କମ୍ପାନି କମାଣ୍ଡର ଓ ଜଣେ ଜାମ୍ମୁକାଶ୍ମୀର ପୋଲିସର ଡିଏସପି। ଏହାସହ ଜଣେ ଆହତ ଯବାନ ଗୁରୁବାର ପ୍ରାଣ ହରାଇଥିଲେ।

ଅନନ୍ତନାଗର କୋକେରନାଗ ଅଞ୍ଚଳରେ କିଛି ଆତଙ୍କୀ ଲୁଚି ଥିବା ବେଳେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ସେନା ଓ ପୋଲିସ୍ ପକ୍ଷରୁ ମିଳିତ ଭାବେ ଅପରେସନ କରାଯାଇଥିଲା। ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଆର୍ମିର ରାଜସ୍ଥାନ ରାଇଫଲ୍ସ ୟୁନିଟର କମାଣ୍ଡିଂ ଅଫିସର ମନପ୍ରୀତ ସିଂହ, କମ୍ପାନୀ କମାଣ୍ଡର ଆଶିଷ ଧୋନଚାକ ଓ ଜମ୍ମୁ-କଶ୍ମୀର ପୋଲିସ ଡିଏସପି ହ୍ୟୁମାୟୁନ ଭଟ୍ଟ ସହିଦ ହୋଇଥିଲେ।

ସେପଟେ ସହିଦ କମ୍ପାନୀ କମାଣ୍ଡର ଆଶିଷ ଧୋନଚାକଙ୍କ ମରଶରୀର ହରିଆଣା ପାନିପତରେ ପହଞ୍ଚିବା ପରେ ସେଠାରେ ଶୋକର ଛାୟା ଖେଳିଯାଇଛି। ସେଠାରେ ତ୍ରିରଙ୍ଗା ପତାକା ଧରି ଶହ ଶହ ଲୋକ ଏକ ଶୋଭାଯାତ୍ରା କରିଛନ୍ତି।

କେରଳରେ ପୁଣି ଜଣେ ବ୍ୟକ୍ତି ନିପା ଭାଇରସରେ ଆକ୍ରାନ୍ତ

କୋଝିକୋଡ: କେରଳ କୋଝିକୋଡରେ ନିପା ଭୟ। ଜଣେ ୩୯ ବର୍ଷୀୟ ବ୍ୟକ୍ତି ନିପା ଭାଇରସରେ ସଂକ୍ରମିତ ହୋଇଛନ୍ତି। ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ନମୁନା ପଜିଟିଭ୍ ଆସିଥିବା କେରଳ ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଏଥିସହ କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଛି।

ଏପର୍ଯ୍ୟନ୍ତ ୨ଜଣଙ୍କ ଜୀବନ ନେଲାଣି ନିପା ଭାଇରସ। କେରଳରେ ନିପା ଭାଇରସର ବାଂଲାଦେଶ ଭାରିଆଣ୍ଟ ସଂକ୍ରମଣ କରୁଛି। ରାଜ୍ୟରେ ସର୍ଭେଲାନ୍ସ ବଢାଯାଇଛି। ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ଓ ରାଜୀବ ଗାନ୍ଧୀ ସେଣ୍ଟର ଫର୍ ବାୟୋଟେକ୍ନୋଲୋଜି ପକ୍ଷରୁ କୋଝିକୋଡକୁ ମୋବାଇଲ୍ ଟେଷ୍ଟି ଭ୍ୟାନ୍ ପଠାଯାଇଛି। ଅଧିକରୁ ଅଧିକ ଟେଷ୍ଟିଂ ଉପରେ ଗୁରୁତ୍ବ ଦିଆଯାଉଛି।

କେରଳରେ ସ୍ଥିତି ଅନୁଧ୍ୟାନ କରୁଛି କେନ୍ଦ୍ରୀୟ ଟିମ୍। ତାଳ ସଲପ ନପିଇବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ସଂକ୍ରମିତ ଥିବା ଗ୍ରାମପଞ୍ଚାୟତ ଗୁଡ଼ିକୁ କ୍ବାରେଣ୍ଟାଇନ୍ ଜୋନ୍ ଘୋଷଣା କରାଯାଇଛି। ସେପଟେ କେରଳରେ ନିପା ସଂକ୍ରମଣ ନେଇ କର୍ଣ୍ଣାଟକ, ରାଜସ୍ଥାନରେ ଆଲର୍ଟ ଜାରି କରାଯାଇଛି। କର୍ଣ୍ଣାଟକ ର ସୀମାବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ସଂକ୍ରମଣକୁ ଚେକ୍ ଦେବାକୁ ସର୍ଭେଲାନ୍ସ ବଢାଯାଇଛି। ଚମରାଜନଗର, ମହୀଶୁର, କୋଡାଗୁ, ଦକ୍ଷିଣ କନ୍ନଡ ଉପରେ ନଜର ରହିଛି।

ପଦାକୁ ଆସୁଛି ଜେଡ ଇଷ୍ଟେଟର ବେଆଇନ କାରନାମା

ଭୁବନେଶ୍ୱର: ଜେଡ ଇଷ୍ଟେଟର Z1 ପ୍ରକଳ୍ପ ବାସିନ୍ଦା ହନ୍ତସନ୍ତ। ଗୋଟିଏ ପରେ ଗୋଟିଏ ବେଆଇନ କାରନାମା ପଦାକୁ ଆସୁଛି। ଘର ମାଲିକଙ୍କ ବିନା ସମ୍ମତିରେ ଜେଡ ଇଷ୍ଟେଟର ବାରମ୍ବାର ପ୍ଲାନ ପରିବର୍ତ୍ତନ ହେଉ କି ବେଆଇନ ଭାବେ ପ୍ରକଳ୍ପ ପରିସରରେ ଥିବା କମନ ଆମେନିଟିଜକୁ ପ୍ରମୋଟର ଏରିଆ କହି କ୍ରେତାଙ୍କୁ ଠକିବା ଯାଏଁ ସବୁଠି ଜେଡ ଇଷ୍ଟେଟର ମନମାନି ଦେଖିବାକୁ ମିଳିଛି।

ଏ ନେଇ ଘର ମାଲିକ ସଂଘ ବାରମ୍ବାର ଅଭିଯୋଗ କରିବା ସହ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ହେଲେ ଅର୍ଥବଳ, ବାହୁବଳ ସାଙ୍ଗକୁ ମିଡିଆ ପାୱାର ଦେଖାଇ ଜେଡ ଇଷ୍ଟେଟ ମାଲିକ ମାନଙ୍କୁ ନାନା ପ୍ରକାର ହଇରାଣ କରୁଥିବାର ଅଭିଯୋଗ ଆସିଛି।

ଏପଟେ ଜେଡ ଇଷ୍ଟେଟ ବିରୋଧରେ ମାଲିକ ସଂଘର ସ୍ୱର ତୀବ୍ର ହୋଇଛି। କୋଟି କୋଟି ଟଙ୍କା ରେ ଘର କିଣିବା ପରେ ବି ପ୍ରତି ମୁହୂର୍ତ୍ତରେ ସଂଘର୍ଷ କରୁଥିବା ମାଲିକ ମାନେ ଏକାଠି ହୋଇଛନ୍ତି।

ପଞ୍ଜି ସ୍କାମରେ ଗୋବିନ୍ଦାଙ୍କର କୗେଣସି ଲିଙ୍କ ନାହିଁ: ମ୍ୟାନେଜର ଶଶୀ ସିହ୍ନା

ମୁମ୍ବାଇ: ସୋଲାର ଟେକ୍ନୋଲୋଜି ଆଲିଆନ୍ସ (STA) ର ବ୍ରାଣ୍ଡ ଆମ୍ବାସଡର ହୋଇ ହଜାରେ କୋଟିର ପଞ୍ଜି ସ୍କାମରେ ସାମିଲ ଥିବା ନେଇ ଅଭିନେତା ଗୋବିନ୍ଦାଙ୍କ ନାମରେ ଉଠିଛି ଅଭିଯୋଗ। ଏପରିକି ଖୁବ୍‌ ଶୀଘ୍ର ଓଡ଼ିଶା EOW ଗୋବିନ୍ଦାଙ୍କୁ ପଚରାଉଚରା ପାଇଁ ମୁମ୍ବାଇ ଯିବ ବୋଲି ବି ସୂଚନା ମିଳିଛି।

ଏହି ଘଟଣାକୁ ନେଇ ଗୋବିନ୍ଦା ପାଟି ଫିଟାଇ ନଥିବାବେଳେ ସଫେଇ ଦେଇଛନ୍ତି ତାଙ୍କ ମ୍ୟାନେଜର ଶଶୀ ସିହ୍ନା। ଶଶୀ ସିହ୍ନାଙ୍କ ସୂଚନା ଅନୁଯାୟୀ, ଏହି ଅଭିଯୋଗ ସହିତ ଗୋବିନ୍ଦାଙ୍କର କିଛି ଲିଙ୍କ ନାହିଁ। ଗୋବିନ୍ଦା ଏକ ଏଜେନ୍ସି ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହାବାଦ ତାଙ୍କର କମ୍ପାନୀର ବିଜନେସ୍‌ ତଥା ବ୍ରାଣ୍ଡିଂ ସହ କୌଣସି ସମ୍ପର୍କ ନାହିଁ। ସେ କେବଳ କିଛି ପ୍ରମୋସନାଲ ଭିଡିଓ ସୁଟ୍‌ କରିଥିଲେ।

ଏହି ଘଟଣାର ତଦନ୍ତ ଭାର ସମ୍ଭାଳିଥିବା ଓଡ଼ିଶା EOWର ଡିଏସ୍‌ପି କହିଛନ୍ତି, ବହୁ ଅଭିଯୋଗ ହେବା ପରେ ଆମେ ଏହି ମାମଲାର ତଦନ୍ତ ଆରମ୍ଭ କରିଛି। ତଦନ୍ତ ସମୟରେ STA ନିଜର ଟୋକନ ଲଞ୍ଚ କରିଥିବା ଜଣାଯାଇଛି। ଏହି ଟୋକନ ଏକ ଚେନ୍‌ ସିଷ୍ଟମ ଭାବେ କାମ କରୁଥିବା ବେଳେ ଅଧିକରୁ ଅଧିକ ଲୋକଙ୍କୁ ଏଥିରେ ସାମିଲ୍‌ କରାଇ ପାରିଲେ ଅଧିକରୁ ଅଧିକ ଟଙ୍କା ରୋଜଗାର କରି ହେବ ବୋଲି ଆର୍ଥିକ ଲୋଭ ଦେଖାଯାଉଥିଲା।

ଫଳରେ ଏହି କମ୍ପାନୀର ସଦସ୍ୟ ନିଜ ଅଧୀନରେ ବହୁ ଲୋକଙ୍କୁ ଜଏନ କରାଇ ମାଲେମାଲ ହୋଇଛନ୍ତି। ମାତ୍ର ସେମାନଙ୍କ କଥାରେ ଫସି ବହୁ ଲୋକଙ୍କ ଟଙ୍କା ବୁଡ଼ି ରହିଥିବା ବେଳେ ସେମାନଙ୍କ ସନ୍ଧାନ ମିଳି ପାରୁନି। ଏହି କମ୍ପାନୀର ମୁଖ୍ୟ ଥିବା ଗୁରତେଜ ସିଂ ଓ ଓଡ଼ିଶା ମୁଖ୍ୟ ନିରୋଦ ଦାସଙ୍କୁ ଗତ ଅଗଷ୍ଟ ୭ରେ ଗିରଫ କରାଯାଇଥିଲା। ଏହାବାଦ କମ୍ପାନୀର ଆଉ କିଛି କର୍ମଚାରୀଙ୍କୁ ବି ଉଠାଇ ନେଇଛି ପୁଲିସ୍‌।

କୁଆଡେ ଗଲେ ଚୀନର ପ୍ରତିରକ୍ଷା ମନ୍ତ୍ରୀ? ଦୁଇ ସପ୍ତାହ ଧରି ଗାଏବ ଥିବାବେଳେ ବଢୁଛି ସସପେନ୍ସ

ହଂକଂ: କୁଆଡେ ଗଲେ ଚୀନର ପ୍ରତିରକ୍ଷା ମନ୍ତ୍ରୀ? ଆତ୍ମଗୋପନ ନା ଅନ୍ୟକିଛି? ଏହାକୁ ନେଇ ସାରା ଦେଶରେ ଜାରି ରହିଛି ସସପେ୍ନସ । ପ୍ରାୟ ୨ ସପ୍ତାହ ଧରି ପ୍ରତିରକ୍ଷା ମନ୍ତ୍ରୀ ଲି ସାଙ୍ଗଫୁ ହୋଇଯାଇଛନ୍ତି ଗାଏବ। ତେବେ ତାଙ୍କୁ ଅଟକ ରଖାଯାଇ ତଦନ୍ତ କରାଯାଉଛି ବୋଲି ସୂଚନା ଦେଇଛି ଆମେରିକା ।

ଏପରିକି ତାଙ୍କୁ ଦାୟିତ୍ବରୁ ହଟାଇ ଦିଆଯାଇଛି ବୋଲି ଚର୍ଚ୍ଚା ଧରିଛି। ଗତ ଜୁଲାଇରେ ଚୀନର ବୈଦେଶିକ ମନ୍ତ୍ରୀ କ୍ବିନ ଗାଙ୍ଗ ନିଖୋଜ ହେବା ପରେ ପ୍ରତିରକ୍ଷା ମନ୍ତ୍ରୀ ଗାଏବ ଘଟଣାକୁ ନେଇ ଜାରି ରହିଛି ସସପେନ୍ସ। ପୂର୍ବରୁ ରକେଟ ଫୋର୍ସ କମାଣ୍ଡର ବି ହୋଇଯାଇଥିଲେ ନିଖୋଜ। ଗତ ଦୁଇ ମାସ ତଳେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ପିପୁଲସ ଲିବରେସନ ଆର୍ମି ରକେଟ ଫୋର୍ସର ଦୁଇ ଜଣ ଟପ୍ ଜେନେରାଲଙ୍କୁ ହଟାଇ ଦେଇଥିଲେ। ଆର୍ମି ରକେଟ ଫୋର୍ସ ହେଉଛି ଚୀନର ପାରମ୍ପରିକ ଓ ଆଣବିକ କ୍ଷେପଣାସ୍ତ୍ରକୁ ସମ୍ଭାଳୁଥିବା ବିଭାଗ।

 

ରିମାଣ୍ଡରେ ଆସିବ ଇରାନିର ସ୍ୱାମୀ ନିଶିକାନ୍ତ ପାତ୍ର, ହନିଟ୍ରାପରେ ଫସାଇ କରୁଥିଲେ ଲୁଟ୍

ଭୁବନେଶ୍ୱର: ଭୁବନେଶ୍ୱର ଇରାନୀ ଗ୍ୟାଙ୍ଗର ଗିରଫ ମାମଲା। ରିମାଣ୍ଡରେ ଆସିବ ଇରାନି ସ୍ୱାମୀ ନିଶିକାନ୍ତ ପାତ୍ର । ୫ ଦିନିଆ ରିମାଣ୍ଡରେ ଆଣିବା ଲାଗି ଏସଡିଜେଏମ୍ କୋର୍ଟରେ ଆବେଦନ କରିବ ତମାଣ୍ଡୋ ଥାନା ପୋଲିସ। ରିମାଣ୍ଡରେ ଆସିଲେ ଖୋଲିବ ହାନିଟ୍ରାପ ଲିଙ୍କ। ଆଗକୁ ଇରାନୀକୁ ମଧ୍ୟ ରିମାଣ୍ଡରେ ଆଣିବ ପୋଲିସ। ଏବେ ସୁଦ୍ଧା ଗ୍ୟାଙ୍ଗ ବିରୋଧରେ ୩ଟି ମାମଲା ରୁଜୁ ହୋଇଛି।

୩ ଜଣଙ୍କ ମଧ୍ୟରେ ଜଣେ ଡାକ୍ତର, ଛାତ୍ର ଓ ବୋଲଗଡ଼ର ଜଣେ ଗ୍ରୋସରି ବ୍ୟବସାୟୀ ଅଛନ୍ତି। ଇରାନୀ ଓ ତା’ ସ୍ୱାମୀର ସିଡିଆର ଆନାଲିସିସ କରୁଛି ପୋଲିସ। ଏପରି ସେମାନଙ୍କ ମୋବାଇଲକୁ ଜବତ କରି ତଦନ୍ତ ଲାଗି ଫରେନସିକ ଲାବକୁ ପଠାଇଛି ପୋଲିସ।

ସୂଚନା ଅନୁଯାୟୀ, ଡାକ୍ତରଙ୍କ ପରେ ଅନ୍ୟ ୩ ଜଣକୁ ହନିଟ୍ରାପରେ ପକାଇବାକୁ କରୁଥିଲେ ଯୋଜନା । କଳିଙ୍ଗ ନଗରର ଜଣେ ବ୍ୟବସାୟୀଙ୍କ ଠାରୁ ୩ ଲକ୍ଷ ଟଙ୍କା ଲୁଟିଛନ୍ତି। ଲୋକଲଜ୍ୟା ଭୟରେ ବ୍ୟବସାୟୀ ଜଣକ ଥାନାରେ ଅଭିଯୋଗ କରିନାହାନ୍ତି। ତେବେ ସାରା ରାଜ୍ୟରେ ସେମାନେ ଠକେଇ କରିଥିବା ପୋଲିସର ସନ୍ଦେହ। ଖାଲି ଏତିକି ନୁହେଁ ଠକେଇର ଶିକାର ହୋଇଥିଲେ ଥାନାରେ ଅଭିଯୋଗ କରିବାକୁ ପୋଲିସ ପକ୍ଷରୁ ଅପିଲ କରାଯାଇଛି।

ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ କଲେ ସେବାୟତ

ପୁରୀ: ପୁଣି ଶ୍ରୀମନ୍ଦିରରେ ନୀତି ବିଭ୍ରାଟ। ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ କଲେ ସେବାୟତ। ସେବାରୁ ନିବୃତ ଥିବା ଜଣେ ସିଂହାରୀ ସେବାୟତ ଆଜି ମହାପ୍ରଭୁଙ୍କ ମଙ୍ଗଳ ଆଳତି କରିବାରୁ ଏହାକୁ ନେଇ ଦେଖାଦେଇଛି ବିବାଦ। ମହାପ୍ରଭୁଙ୍କୁ ବଡ଼ ମହାସ୍ନାନ କରାଗଲା ପରେ ଯାଇ ନୀତି ବଢ଼ିବ ବୋଲି ଅନ୍ୟ ସେବାୟତ ଜିଦ୍ ଧରିଛନ୍ତି । ନୀତିକାନ୍ତିରେ ଶୃଙ୍ଖଳା ଆଣିବା ପାଇଁ ଶ୍ରୀମନ୍ଦିରରେ ସେବାୟତଙ୍କ ସହ ନୀତି ପ୍ରଶାସକଙ୍କ ଆଲୋଚନା ହୋଇଛି । ମଇଲମ ପରେ ଏବେବି ବନ୍ଦ ଅଛି ନୀତିକାନ୍ତି ।

ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଓ୍ବେଲମାର୍କ ଲୋପ୍ରେସର ପ୍ରଭାବରେ ଅତ୍ୟଧିକ ସକ୍ରିୟ ହୋଇଛି ମୌସୁମୀ। ପ୍ରଭାବରେ ଆସନ୍ତା କାଲି ଯାଏ ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଉପକୂଳ ଓଡ଼ିଶାରେ କାଁ ଭାଁ ବର୍ଷିବ। ଗରମ ଗୁଳୁଗୁଳି ଅନୁଭୂତ ହେବ।

ସେହିପରି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୯ଟି ଜିଲ୍ଲାକୁ ଅରେଞ୍ଜ ଓ ୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। କିଛି ସ୍ଥାନରେ ଫ୍ଲାସଫ୍ଲଡ ନେଇ ସତର୍କତା ଜାରି ହୋଇଥିବା ବେଳେ, ସହରିଆ ଅଞ୍ଚଳରେ ଜଳମଗ୍ନ ସ୍ଥିତି ଉପୁଜିବ।

ଦକ୍ଷିଣ ଓଡ଼ିଶାର ଅଧିକାଂଶ ନଦୀରେ ଜଳସ୍ତର ବୃଦ୍ଧି ହେବା ସହ ଦୁର୍ଗମ ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ସମ୍ଭାବନା ରହିଛି। ୧୬ ତାରିଖରୁ କମିବ ବର୍ଷାର ପରିମାଣ। ହେଲେ ପୁଣି ୧୯ ତାରିଖରୁ ପୁଣି ଘୂର୍ଣ୍ଣିବଳୟ। ବଡ଼ ବର୍ଷା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର ।

BSKY ସାଜିଲା ବରଦାନ; ସୁସ୍ଥ ହୋଇ ଘରକୁ ଫେରିଲେ ମହିଳା, ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ ଧନ୍ୟବାଦ

ଭୁବନେଶ୍ୱର: ବିଏସକେୱାଇ ସାଜିଲା ବରଦାନ। ଭୁବନେଶ୍ୱରର ଏକ ଘରୋଇ ଡ଼ାକ୍ତରଖାନାରେ ମାଗଣାରେ ଟ୍ୟୁମର ଅପରେସନ ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ରାଉରକେଲାର ଛେଣ୍ଡ କଳିଙ୍ଗ ବିହାର ଅଞ୍ଚଳରେ ରହୁଥିବା ୪୬ ଵର୍ଷୀୟ ବିଧବା ଯମୁନା ସାହୁ। ସେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ସୁସ୍ଥ ହୋଇଛନ୍ତି।

ସେପ୍ଟେମ୍ବର ୬ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ଘରୋଇ ଡାକ୍ତରଖାନାରେ ରହି ଟ୍ୟୁମର ଅପରେସନ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ କାର୍ଡ ଜରିଆରେ ମାଗଣାରେ ଅପରେସନ ହୋଇ ସୁସ୍ଥ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଯମୁନା।

ଆର୍ଥିକ ଅବସ୍ଥା ଖରାପ ଥିବାରୁ ଅପରେସନ କରି ସୁସ୍ଥ ହେବେ ବୋଲି ଯମୁନା ସାହୁ ଓ ତାଙ୍କ ପରିବାର ଲୋକ ଆଶା ରଖିନଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗୁଁ ମାଗଣାରେ ଚିକିତ୍ସା ସୁବିଧା ପାଇ ସୁସ୍ଥ ହୋଇ ଘରକୁ ଫେରିବା ପରେ ଖୁସିରେ କାନ୍ଦି ପକାଇ ଯମୁନା ସାହୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।