spot_img
Home Blog Page 2604

ଓଟିପି ସେୟାରିଂ ସ୍କାମ୍‌ରେ ପାକିସ୍ତାନ ଲିଙ୍କ୍ ମାମଲା; ଆଉ ଜଣକୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଓଡ଼ିଶା ଆଣିଲା କ୍ରାଇମ୍‌ବ୍ରାଞ୍ଚ STF

ଭୁବନେଶ୍ୱର: ଓଟିପି ସେୟାରିଂ ସ୍କାମ୍‌ରେ ପାକିସ୍ତାନ ଲିଙ୍କ୍ ମାମଲାରେ ଆସାମରୁ ଗିରଫ ଆଉ ଜଣକୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଓଡ଼ିଶା ଆଣିଲା କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ। ଅଭିଯୁକ୍ତ ଜଣକ ହେଲା ଇକ୍‌ବାଲ ହୁସେନ୍ । ଆସାମର ସ୍ଥାନୀୟ କୋର୍ଟରେ ଇକ୍‌ବାଲ୍‌କୁ ହାଜର କରି ୫ ଦିନିଆ ଟ୍ରାନଜିଟ୍ ରିମାଣ୍ଡରେ ତାକୁ ଓଡ଼ିଶା ଆଣିଛି ଏସଟିଏଫ୍।

ଇକ୍‌ବାଲ ହୁସେନର ଘର ଆସାମ ନଗାଁଓ ଜିଲ୍ଲା ବଟାଦ୍ରବା ଥାନା ଗେଣ୍ଡୁଆ ପୋଥାର ଗାଁରେ। ସେ ଦୀର୍ଘ ଦିନ ଧରି ବେଙ୍ଗାଳୁରୁରେ ରହୁଥିଲା। କିଛିଦିନ ତଳେ ଘରକୁ ଫେରିଥିଲା ଇକବାଲ। ସ୍ଥାନୀୟ ପୋଲିସ ସହାୟତାରେ ଏସଟିଏଫ୍ ଟିମ୍ ତାକୁ ତା’ ଘରୁ ଉଠାଇଆଣିଥିଲା। ଏସଟିଏଫ୍ ସନ୍ଦେହ କରୁଛି, ପାକିସ୍ତାନର ଇଣ୍ଟେଲିଜେନ୍ସ ଆର୍ମି ଅଫିସର ଅବଦୁଲ ହମିଦ ଖୁରମ ସହ ଲିଙ୍କରେ ଥିଲା ଇକବାଲ। ହ୍ବାଟସଆପ୍‌ ଓ ଟେଲିଗ୍ରାମରେ ନକଲି ଆକାଉଣ୍ଟ ଓଟପି ଦେଇଥିଲା। ପୂର୍ବରୁ ପଠାଣି ଓ ଅଭିଜିତ ସଞ୍ଜୟ ଜାମ୍ବୁରେ ଗିରଫ ପରେ ମୋବାଇଲ ସୁଇଚ ଅଫ କରିଥିଲା ଅବଦୁଲ । ସେ ୩୭ଟି ମୋବାଇଲ ଓ ୫ ଶହ ସିମ୍‌ ବ୍ୟବହାର କରୁଥିଲା ।

ଗତ ୨ ବର୍ଷ ହେଲା ସେ ଓଟିପି, ହ୍ବାଟସଆପ ଟେଲିଗ୍ରାମ ସେୟାର କରି ମାସକୁ ୫୦ ହଜାରରୁ ୬୦ ହଜାର ଟଙ୍କା ରୋଜ ରୋଜଗାର କରୁଥିବା ଏସଟିଏଫ୍ ଆଗରେ ଅବଦୁଲ ସ୍ୱୀକାର କରିଛି। ଏପରିକି ତା’ ଗାଁ ଲୋକମାନେ ସାଇବର ଅପରାଧରେ ସମ୍ପୃକ୍ତ ଅଛନ୍ତି। ସିମ୍‌ ବ୍ୟବହାର କରି ଗାଁ ଲୋକ ପୋଖରୀକୁ ଫିଙ୍ଗି ଦେଉଥିବା ଇକବାଲ ସୂଚନା ଦେଇଛି ।

ବୁଝୁନି ମନ, ମୃତ ପୁଅକୁ ବଞ୍ଚାଇବା ପାଇଁ ଚାଲିଛି ଝଡ଼ାଫୁଙ୍କା

ରେଢ଼ାଖୋଲ: ମୃତ ପୁଅକୁ ବଞ୍ଚାଇବା ପାଇଁ ଝଡ଼ାଫୁଙ୍କା । ଫୋନ୍ ଯୋଗେ ଝଡ଼ାଫୁଙ୍କା। ୨୨ ଘଣ୍ଟା ଧରି ପୁଅକୁ ମୃତ ଘୋଷଣା କଲେଣି ଡାକ୍ତର । ତଥାପି ପରିବାର ଲୋକଙ୍କ ମନ ବୁଝୁନି। ଅନ୍ଧବିଶ୍ବାସରେ ଗୁଣିଆ କଥାରେ ପଡ଼ି ପୁଅ ବଞ୍ଚିଥିବା ଭାବି ପରିବାର ଲୋକ ସଂସ୍କାର କରୁନାହାନ୍ତି। ବାଧ୍ୟହୋଇ ଶେଷରେ ମୃତଦେହକୁ ପୁଣି ମେଡିକାଲକୁ ନେଇଛି ପୋଲିସ। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

ରେଢ଼ାଖୋଲ ୪ ନମ୍ବର ୱାର୍ଡ ନୂଆସାହି ବାହାଦୁର କହଁରଙ୍କ ପୁଅ ବୀରେନଙ୍କର ବାରମ୍ବାର ଦେହ ଖରାପ ହେଉଥିଲା। ମେଡିକାଲ ନେଲା ପରେ ମଧ୍ୟ ଦେହ ଭଲ ନହେବାରୁ ଗୁଣିଆ ଡାକି ଝଡ଼ାଫୁଙ୍କା କରିଥିଲେ। ବୀରେନଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ। କିନ୍ତୁ ବୀରେନକୁ କିଏ ଗୁଣି କରି ମାରିବାକୁ ବସିଛି ବୋଲି ଗୁଣିଆ କହିବାରୁ ପରିବାର ସମେତ ଗାଁରେ ଉତ୍ତେଜନା ଦେଖା ଦେଇଛି। ପଡ଼ୋଶୀ ଘର ଗୁଣି କରିଥିବା ସନ୍ଦେହ କରି ପୋଲିସରେ କରାଯାଇଛି ଅଭିଯୋଗ। ପୋଲିସ ତଦନ୍ତ କରୁଥିବାବେଳେ ଉତ୍ତେଜନା ଜାରି ରହିଛି।

ବଲାଙ୍ଗୀରରେ ସମ୍ବାଦ ବାର୍ତ୍ତା ସମ୍ପାଦକଙ୍କ ଭାଇ ସରକାରୀ ଜାଗା ମାଡି ବସିଥିବା ଅଭିଯୋଗ

ବଲାଙ୍ଗୀର: ବଲାଙ୍ଗୀରରେ ଅଧ ଏକର ସରକାରୀ ଜାଗା ମାଡି ବସିଛନ୍ତି ସମ୍ବାଦ ବାର୍ତ୍ତା ସମ୍ପାଦକ ଅରବିନ୍ଦ ଦାସଙ୍କ ଭାଇ ପ୍ରତ୍ୟୁଷ ଦାସ। ସରକରୀ ଜମିରେ ଘର ଓ ଷ୍ଟଲ ନିର୍ମାଣ କରି ବ୍ୟବସାୟ କରୁଛନ୍ତି । ଅଭିଯୋଗ ପରେ ତହସିଲଦାର ପୁଷ୍ପାଞ୍ଜଳି ପଣ୍ଡାଙ୍କ ନେତୃତ୍ଵରେ ୮ଜଣିଆ ଟିମ୍ ମାପଚୁପ କରି ସରକାରୀ ଜମି ଚିହ୍ନଟ କରିଛି । ପୂର୍ବରୁ ସ୍ଥାନୀୟ ଲୋକେ ଏ ସଂପର୍କରେ ଅଭିଯୋଗ କରିଥିଲେ।

ତେବେ ପ୍ରତ୍ୟୁଷଙ୍କ ଭାଇ ଅରବିନ୍ଦ ଦାସ ସମ୍ବାଦ ଭୁବନେଶ୍ବର କାର୍ଯ୍ୟାଳୟରେ ବଡ ପଦବୀରେ ଥିବାରୁ ନିଜ କ୍ଷମତାର ଅପବ୍ୟବହାର କରି ମାମଲାକୁ ଚପାଇ ଦେଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ୫ବର୍ଷରୁ ଅଧିକ ସମୟ ଧରି ଏହି ସରକାରୀ ଜମିରେ ଷ୍ଟଲ ନିର୍ମାଣ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ପ୍ରତ୍ୟୁଷ।

ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ସମ୍ମୁଖରେ ଥିବା ପ୍ରାୟ ଅଧ ଏକର ସରକାରୀ ଜମିକୁ ଅରବିନ୍ଦଙ୍କ ଭାଇ ପ୍ରତ୍ୟୁଷ ଦାସ ବଳପୂର୍ବକ ଜବରଦଖଲ କରି ରଖିଛନ୍ତି। ଜମି ଜବରଦଖଲ କରିଥିବା ନେଇ ଅଭିଯୋଗ ହେବା ପରେ ଆଜି ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସଂପୃକ୍ତ ଜମିର ମାପଚୁପ ଆରମ୍ଭ ହୋଇଛି। ଜବରଦଖଲକାରୀଙ୍କ କବଜାରେ ଗାନ୍ଧୀ ଷ୍ଟାଡିୟମର ବାସ୍କେଟବଲ୍ କୋର୍ଟର କିଛି ଅଂଶ ମଧ୍ୟ ରହିଛି। ଏହି ସରକାରୀ ଜମିରେ ୧୨ଟି ଦୋକାନ ଘର ସହ ଏକ ଦୁଇ ମହଲା କୋଠା ରହିଛି। ଏହାର ପ୍ଲଟ ନମ୍ବର-୯୦୮, ଖାତା ନମ୍ବର-୨୭୭, ମୌଜା ବଲାଙ୍ଗିର ଜିଏରେ ରହିଛି । ଏହି ସରକାରୀ ଜମିକୁ ସମ୍ବାଦର କର୍ମଚାରୀ ଭାବେ ନିଜ ଦବଦବା ଜାହିର କରି ଜବରଦଖଲ କରିଥିବା ଅଭିଯୋଗ ହୋଇଛି।

ସମ୍ବାଦ ବ୍ୟାଙ୍କ ଲୋନ୍ ସ୍କାମ, କର୍ମଚାରୀ ରାଜ୍ୟ ବୀମା ଯୋଜନା ନିର୍ଦ୍ଦେଶାଳୟରେ EOWର ଯାଞ୍ଚ

ଭୁବନେଶ୍ୱର: ସମ୍ବାଦ ବ୍ୟାଙ୍କ ଲୋନ୍ ଫ୍ରଡ ମାମଲା। କର୍ମଚାରୀ ରାଜ୍ୟ ବୀମା ଯୋଜନା ନିର୍ଦ୍ଦେଶାଳୟରେ ଇଓଡବ୍ଲୁର ଯାଞ୍ଚ। ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଗୋଟିଏ ଟିମ୍ କର୍ମଚାରୀ ରାଜ୍ୟ ବୀମା ଯୋଜନା ନିର୍ଦ୍ଦେଶାଳୟରେ କରିଛନ୍ତି ଛାନବିନ। କର୍ମଚାରୀ ରାଜ୍ୟ ବୀମା ଯୋଜନା ନିର୍ଦ୍ଦେଶାଳୟକୁ ଯାଇ ତଥ୍ୟ ସଂଗ୍ରହ କରିଛି ଇଓଡବ୍ଲୁ। କର୍ମଚାରୀଙ୍କ ଇଏସଆଇ ଦେୟ ନେଇ କରାଯାଇଛି ଛାନବିନ।

ସେହିପରି ପୂର୍ବରୁ ସମ୍ବାଦ ଭବନରୁ ଜବତ କାଗଜପତ୍ର ଓ ହାର୍ଡ ଡିସ୍କକୁ ନେଇ ତନାଘନା କରୁଛି ସ୍ଵତନ୍ତ୍ର ଟିମ୍। ଟେକ୍ନିକାଲ ଟିମ ଓ ସାଇବର ଟିମ୍ ଯାଞ୍ଚ କରୁଥିବା ମିଳିଛି ସୂଚନା। ଅନ୍ୟପଟେ ବହୁ ଲୋକଙ୍କୁ ସମନ ଜାରି ହୋଇଛି ବୋଲି କହିଛନ୍ତି EOW SP ଦିଲୀପ ତ୍ରିପାଠୀ । ଏଥିରେ ବ୍ୟାଙ୍କ କର୍ମଚାରୀ ମଧ୍ୟ ସାମିଲ ରହିଥିବା ନେଇ ସୂଚନା।

ଅକ୍ଟୋବରରେ ବାତ୍ୟା ହେବା ନେଇ କୌଣସି ପୂର୍ବାନୁମାନ କରାଯାଇନାହିଁ, ଗୁଜବରୁ ଦୂରେଇ ରୁହନ୍ତୁ: ଆଇଏମଡି ଡିଜି

ଭୁବନେଶ୍ୱର: ଚଳିତ ଅକ୍ଟୋବରରେ ବାତ୍ୟା ହେବା ନେଇ କୌଣସି ପୂର୍ବାନୁମାନ କରାଯାଇନାହିଁ ବୋଲି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ। ସେପ୍ଟେମ୍ବର ମାସର ଶେଷ ଆଡ଼କୁ ଗୋଟିଏ ଘୂର୍ଣ୍ଣିବଳୟ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ। ଏହା କ୍ରମଶଃ ଘନୀଭୂତ ହୋଇ ଅକ୍ଟୋବର ୧ରେ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ। କ୍ରମଶଃ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ।ବର୍ତ୍ତମାନ ପାଇଁ ଆମେ କୌଣସି ରାଜ୍ୟ ପାଇଁ ବାତ୍ୟା ସତର୍କ ସୂଚନା ଦେଇନାହୁଁ । ଏସମ୍ପର୍କରେ ଗୁଜବକୁ ବିଶ୍ବାସ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ଆଇଏମଡି ଦ୍ବାରା ପ୍ରକାଶିତ ଦୀର୍ଘ ମିଆଦୀ ଆକଳନ ଅନୁସାରେ ୨୯ ସେପ୍ଟେମ୍ବରରୁ ୫ ଅକ୍ଟୋବର ମଧ୍ୟରେ ସାଇକ୍ଲୋ ଜେନେସିସ ଅର୍ଥାତ ଅବପାତ ହେବାର ୧୦୦ ପ୍ରତିଶତରୁ ୩୩ ପ୍ରତିଶତ ସମ୍ଭାବନା କମ ଦର୍ଶାଉଛି । ହେଲେ କିଛି ଅନ୍ତର୍ଜାତୀୟ ମଡେଲର ଆକଳନ ଅନୁସାରେ, ସେପ୍ଟେମ୍ବର ୨୮ କିମ୍ବା ୨୯ ତାରିଖ ବେଳକୁ ଘୂର୍ଣ୍ଣିବଳୟ ଏବଂ ୩୦ ତାରିଖ ବେଳକୁ ଲଘୁଚାପ ଏବଂ ପରବର୍ତ୍ତୀ ସମୟରେ ଏହା ବାତ୍ୟା ରୂପ ନେଇପାରେ ।

ସେହିପରି ECMWF ମଡେଲର ଆକଳନ ହିସାବରେ ୩୦ କିମ୍ବା ଅକ୍ଟୋବର ୧ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ରହିଛି। ହେଲେ ବାତ୍ୟା ଆଶଙ୍କା କ୍ଷୀଣ ରହିଛି। ସିଏଫସ ମଡେଲ ଅନୁସାରେ ଅକ୍ଟୋବର ପ୍ରଥମ ସପ୍ତାହରେ ଅବପାତ ସମ୍ଭାବନା ରହିଛି। ବର୍ତ୍ତମାନର ପାଣିପାଗ ସ୍ଥିତିକୁ ଅନୁଧ୍ୟାନ କଲେ ୨୯ ସେପ୍ଟେମ୍ବରରୁ ୧ ଅକ୍ଟୋବର ମଧ୍ୟରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ବଙ୍ଗୋପସାଗରରେ ସୃଷ୍ଟି ହେବାର ସମ୍ଭାବନା ରହିଛି । ।

ଭିଜିଲାନ୍ସ ଜାଲରେ ଅନୁଗୁଳ ମାଛକୁଟା ପଞ୍ଚାୟତର GRS

ଅନୁଗୁଳ: ଭିଜିଲାନ୍ସ ଜାଲରେ ପଞ୍ଚାୟତ ଗ୍ରାମ ରୋଜଗାର ସେବକ ବା GRS। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍‌ ମାଛକୁଟା ପଞ୍ଚାୟତ GRS ଯଦୁମଣି ମାଝୀ ପିଏମ୍ ଆବାସ  ପାଇଁ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରର ଫାଇନାଲ ବିଲ୍‌ ସହ ବୋନସ ଅର୍ଥ ଦେବା ପାଇଁ ପୋଡ଼ପୋଡ଼ା ଗାଁର ପୂର୍ଣ୍ଣଚନ୍ଦ୍ର ନାୟକଙ୍କଠାରୁ GRS ଯଦୁମଣି ମାଝୀ ୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।

ଲାଞ୍ଚ ନଦେବାରୁ ପୂର୍ଣ୍ଣଚନ୍ଦ୍ର ବାରମ୍ବାର ଦୌଡ଼ି ନିରାଶ ହୋଉଥିଲେ । ଶେଷରେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ପୂର୍ଣ୍ଣଚନ୍ଦ୍ର। ଆଜି ଭିଜିଲାନ୍ସ ବିଭାଗର ପ୍ଲାନ ଅନୁସାରେ ୪ହଜାର ଟଙ୍କା ଲାଞ୍ଚ ନେବା ସମୟରେ GRS ଯଦୁମଣି ମାଝୀଙ୍କୁ ଭିଜିଲାନ୍ସ ବିଭାଗ କାବୁ କରିଥିଲା। ତାଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରାଯାଇଥିବା ବେଳେ ତାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି।

ସରିଲା ବିଜେଡିର ବିଧାୟକ ଦଳ ବୈଠକ , ପ୍ରସ୍ତୁତ ହେଲା ରଣନୀତି

ଭୁବନେଶ୍ୱର: ବିଧାନସଭା ଅଧିବେଶନ ପୂର୍ବରୁ ବିଜେଡିର ବିଧାୟକ ଦଳ ବୈଠକ ବସି ରଣନୀତି ସ୍ଥିର ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ ବସି ବିରୋଧୀଙ୍କୁ ଚେକ ଦେବାକୁ ରଣନୀତି କରାଯାଇଥିଲା। ରାଜ୍ୟକୁ ପ୍ରଥମ ମହିଳା ବାଚସ୍ପତି ବିଜେଡି ଦେଇଥିବାରୁ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ସମସ୍ତେ ଏହାକୁ ସମର୍ଥନ କରିଥିବାରୁ ମୁଖ୍ୟମନ୍ତ୍ରୀ ମଧ୍ୟ ଧନ୍ୟବାଦ ଦେଇଥିଲେ।

ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ଆସିବେ । ଦଳ ସଠିକ ଭାବେ ତାକୁ ମୁକାବିଲା କରିବ । ନୂଆ ଓ ପୁରୁଣା ସଦସ୍ୟ ଠିକ ସମୟରେ ବିଧାନସଭା ଆସିବେ ଓ ସବୁ ସମୟରେ ଉପସ୍ଥିତ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି । ବିକାଶ ପ୍ରମୁଖ ମୁଦ୍ଦା । ବିଧାନସଭା ଚାଲିବା ବେଳେ ଯାହା ପ୍ରଶ୍ନ ଆସିବ, ତାର ଉତ୍ତର ଦିଆଯିବ। ଆଜି ଅପରାହ୍ନ ୪ଟାରେ ସର୍ବଦଳୀୟ ବୈଠକ ବସିବ ବୋଲି କହିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି।

ଥମିବାର ନାଁ ନେଉନି ଭାରତ-କାନାଡା କୂଟନୈତିକ ବିବାଦ

ନୂଆଦିଲ୍ଲୀ: ଥମିବାର ନାଁ ନେଉନି ଭାରତ-କାନାଡା କୂଟନୈତିକ ବିବାଦ। ହରଦୀପ ସିଂ ନିଜାର ହତ୍ୟା ଘଟଣାରେ ଭାରତ ସରକାରଙ୍କ ଏଜେଣ୍ଟ ସାମିଲ ବୋଲି ପୁଣି ଦୋହରାଇଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ। ସେପଟେ ଏହି ବିବାଦକୁ ନେଇ ଆଲୋଚନା କରିଛନ୍ତି ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲ ଓ କାନାଡା ପ୍ରତିପକ୍ଷ।

ନିଜାରର ହତ୍ୟା ସମ୍ପର୍କରେ ଭାରତର ସମ୍ପୃକ୍ତି ନେଇ ଟ୍ରୁଡୁଙ୍କ ଅଭିଯୋଗକୁ ଭାରତ ବାରମ୍ବାର ଖଣ୍ଡନ କରୁଥିଲେ ବି ନିଜ ବୟାନରେ ଅଟଳ ରହିଛନ୍ତି ଟ୍ରୁଡୁ । ନିଜାରର ହତ୍ୟା ଘଟଣାରେ କାନାଡା କୌଣସି ସ୍ପଷ୍ଟ ସୂଚନା ଦେଉନାହିଁ ବୋଲି ଭାରତ କହିଛି। କାନାଡା କୂଟନୀତିଜ୍ଞଙ୍କ ସଂଖ୍ୟା ହ୍ରାସ କରିବାକୁ ଭାରତ ଗତକାଲି କହିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା କାନାଡା।

ଗତ ୨୧ ତାରିଖରେ କାନାଡା ନାଗରିକଙ୍କ ଲାଗି ଭିସା ପ୍ରଦାନ ବାତିଲ କରିଥିଲା ଭାରତ। ଭିସା ଦରଖାସ୍ତ ଯାଞ୍ଚ କରୁଥିବା ଏକ ଘରୋଇ ସଂସ୍ଥା ବିଏଲଏସ ଇଣ୍ଟରନ୍ୟାସନାଲ ପକ୍ଷରୁ ଏହି ନିଷ୍ପତ୍ତି କରାଯାଇଥିଲା। ସେପଟେ ନ୍ଯାସନାଲ ଇନଭେଷ୍ଟିଗେସନ ଏଜେନ୍ସି ବା ଏନଆଇଏ ପକ୍ଷରୁ ଜାରି କରାଯାଇଥିଲା ଆତଙ୍କବାଦୀଙ୍କ ତାଲିକା। ଜାରି କରାଯାଇଥିବା ୪୩ ଜଣିଆ ତାଲିକାରେ ରହିଛନ୍ତି କାନାଡାରେ ବାସ କରୁଥିବା କେତେକ ଆତଙ୍କବାଦୀ। ସେମାନେ ଭାରତ ବିରୋଧୀ କାର୍ଯ୍ଯକଳାପରେ ସାମିଲ ଥିବା ସହ ବିଭିନ୍ନ ଆତଙ୍କବାଦୀ ସଂଗଠନ ସହ ଜଡିତ ଅଛନ୍ତି।

ଏହି ଆତଙ୍କବାଦୀମାନେ ଖଲିସ୍ତାନ ସମର୍ଥନ ହୋଇଥିବାବେଳେ ସେମାନେ ଭାରତରୁ ପଳାୟନ କରି କାନାଡାରେ ରହୁଛନ୍ତି। ଗତ ୨୧ ତାରିଖରେ ଖଲିସ୍ତାନୀ ଆତଙ୍କବାଦୀ ଅର୍ଶଦୀପ ସିଂ ଓରଫ ଅର୍ଷ ଦାଲାଙ୍କ ସହଯୋଗୀ ସୁଖଦୋଲ ସିଂକୁ କାନାଡାର ଓ୍ବିନପିଗ ସିଟିରେ ହତ୍ୟା କରାଯାଇଥିଲା। ଭାରତର ଓ୍ବାଣ୍ଟେଡ ଲିଷ୍ଟରେ ଥିବା ସୁଖଦୋଲ ଏକ କ୍ୟାଙ୍ଗଓ୍ବାରରେ ପ୍ରାଣ ହରାଇଛି। ଏ-କାଟେଗୋରୀର ଗ୍ୟାଙ୍ଗଷ୍ଟର କୁହାଯାଉଥିବା ସୁଖଦୋଲ ପଞ୍ଜାବରୁ ଫେରାର ହୋଇ କାନାଡା ଚାଲିଯାଇଥିଲା।

ଚନ୍ଦ୍ରଯାନ-୩: ସତେଜ ହେବେ କି ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ?

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଥିବା ଶିବଶକ୍ତି ପଏଣ୍ଟରେ ସୂର୍ଯ୍ୟକିରଣ ପଡିଛି । ଫଳରେ ସୁପ୍ତ ହୋଇ ପଡି ରହିଥିବା ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ ସତେଜ ହେବା ଆଶା ଉଜ୍ଜୀବିତ ହୋଇଛି। ସେପଟେ ଇସ୍ରୋର ଚନ୍ଦ୍ର ଅଭିଯାନର ଅନ୍ତ ହେବ ନା ସ୍ଲିପମୋଡରେ ଥିବା ବିକ୍ରମ ଓ ପ୍ରଜ୍ଞାନ ଜାଗ୍ରତ ହେବେ? ଏହାକୁ ନେଇ ଜାରି ରହିଛି ସସପେନ୍ସ।

ବର୍ତ୍ତମାନ ଚନ୍ଦ୍ରର ଦକ୍ଷିଣ ମେରୁରେ ସ୍ଲିପ ମୋଡରେ ରହିଛନ୍ତି ବିକ୍ରମ ଓ ପ୍ରଜ୍ଞାନ। ସେମାନଙ୍କୁ ଜାଗ୍ରତ କରିବା ଲାଗି ଚେଷ୍ଟା କରିବ ଇସ୍ରୋ। ଯଦି ଉଭୟ ବିକ୍ରମ ଓ ପ୍ରଜ୍ଞାନକୁ ଜାଗ୍ରତ କରିବାରେ ଇସ୍ରୋ ସଫଳ ହୁଏ ତେବେ ଇସ୍ରୋର ବିଜ୍ଞାନ କାରିଗରୀର ଉତ୍କର୍ଷତା ପୁଣି ପ୍ରତିପାଦିତ ହେବ। ଏହା ସହ ଅନ୍ୟାନ୍ୟ ପ୍ରସଙ୍ଗରେ ଇସ୍ରୋ ଗବେଷଣା କରିବାକୁ ସକ୍ଷମ ହେବ।

ଚନ୍ଦ୍ରରେ ଜଳବାୟୁ ନଥିବାରୁ ଏହାର ପୃଷ୍ଠ ଦେଶରେ ରାତିରେ ତାପମାତ୍ରା ମାଇନସ ୧୮୦ ଡିଗ୍ରୀ ହୋଇଥିବା ବେଳେ ସ୍ଥାୟୀ ଭାବେ ସୌରରଶ୍ମୀ ପାଉନଥିବା ସ୍ଥାନରେ ତାପମାତ୍ରା ରହିଥାଏ ମାଇନସ ୨୪୦ ଡିଗ୍ରୀ ସେଲସିୟସ।

ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ

ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି । ପ୍ରଥମ ଦିନରେ ପ୍ରଥମେ ଦିବଂଗତ ସଦସ୍ୟ, ପୂର୍ବତନ ସଦସ୍ୟ ଓ ଯବାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରିଥିଲେ ।

ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ପୂର୍ବତନ ବିଧାୟକ ତ୍ରିଲୋଚନ କାନୁନଗୋ, ରମେଶ ସୋରେନ, ନିବେଦିତା ପ୍ରଧାନ, କୁମର ବେହେରା, ଲାନ୍ସ ନାୟକ ଦେବାଶିଷ ବିଶ୍ବାଳ, କନେଷ୍ଟବଳ ସୁଶାନ୍ତ ଖୁଣ୍ଟିଆ, ସୁଶାନ୍ତ କୁମାର ମହାନ୍ତିଙ୍କ ସ୍ମୃତିରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ।

ଏହି ପ୍ରସ୍ତାବକୁ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସମର୍ଥନ କରିଥିଲେ । ଗୃହରେ ନିରବ ପ୍ରାର୍ଥନା ପରେ ଅପରାହ୍ଣ ୫ଟା ଯାଏ ଗୃହକୁ ମୁଲତବୀ ରଖାଯାଇଛି । ଅପରାହ୍ଣ ୫ଟାରେ ଅତିରିକ୍ତ ବଜେଟ ଆଗତ ହେବ ।