spot_img
Home Blog Page 2572

ପୁରୀ ସ୍ୱର୍ଗଦ୍ୱାରରେ ହେବ ମହେଶ୍ୱର ମହାନ୍ତିଙ୍କ ଶେଷକୃତ୍ୟ

ଭୁବନେଶ୍ୱର: ପୁରୀର ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତିଙ୍କ ପରଲୋକ । ୬୭ ବର୍ଷ ବୟସରେ ମହେଶ୍ବରଙ୍କର ପରଲୋକ ହୋଇଛି । ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହେଶ୍ବର ମହାନ୍ତିଙ୍କର ଦେହାନ୍ତ ହୋଇଛି । ଗତ ୧ ତାରିଖ ରାତିରେ ମହେଶ୍ବର ମହାନ୍ତି ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର ୩ଟା ୨୫ରେ ତାଙ୍କର ପରଲୋକ ହୋଇଛି। ତାଙ୍କର ଅନ୍ତିମ ସଂସ୍କାର ପୁରୀ ସ୍ବର୍ଗଦ୍ବାରରେ ହେବାନେଇ ସୂଚନା ମିଳିଛି।

ମହେଶ୍ବରଙ୍କ ବିୟୋଗ ଖବର ଶୁଣିବା ପରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ହସ୍ପିଟାଲରେ ପହଞ୍ଚି ଶେଷ ଦର୍ଶନ କରିଥିଲେ ବଶିଷ୍ଟ ବ୍ୟକ୍ତି ବିଶେଷ। ମେଡିକାଲରୁ ମହେଶ୍ବରଙ୍କ ପାର୍ଥିବ ଶରୀରକୁ ଶଙ୍ଖ ଭବନକୁ ନିଆଯାଇଥିଲା। ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହେଶ୍ବରଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ସେହିପରି ଦଳୀୟ ନେତା ଓ କର୍ମୀ ମଧ୍ୟ ଶେଷ ଦର୍ଶନ କରିଥିଲେ । ଶଙ୍ଖ ଭବନ ପରେ ବିଧାନସଭାରେ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ବିଧାନସଭାରେ ବହୁ ମନ୍ତ୍ରୀ, ସରକାରୀ ମୁଖ୍ୟ ସଚେତକଙ୍କ ସମେତ ସବୁ ଦଳର ବିଧାୟକ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସ୍ମୃତିଚାରଣ କରିଥିଲେ। ଏହାପରେ ପିପିଲି ଦଳୀୟ କାର୍ଯ୍ୟାଳୟ, ସତ୍ୟବାଦୀ ଦଳୀୟ କାର୍ଯ୍ୟାଳୟକୁ ନିଆଯାଇଛି ପାର୍ଥିବ ଶରୀର। ସେଠାରେ ସ୍ଥାନୀୟ ନେତା ଓ ଜନତା ଶେଷ ଦର୍ଶନ କରିବେ। ପରେ ପୁରୀ ବାସଭବନକୁ ନିଆଯିବ ପାର୍ଥିବ ଶରୀର। ବାସଭବନରେ ବନ୍ଧୁ ଓ ପରିବାର ବର୍ଗ ଶେଷ ଦର୍ଶନ କରିବା ପରେ ପୁରୀ ଦଳୀୟ କାର୍ଯ୍ୟାଳୟକୁ ନିଆଯିବ ମରଶରୀର। ଶେଷରେ ପୁରୀ ସ୍ବର୍ଗଦ୍ବାରରେ ହେବ ଅନ୍ତିମ ସଂସ୍କାର।

୨୦୨୪ ରାଷ୍ଟ୍ରପତି ନିର୍ବାଚନ; ପୁଣି ଥରେ ମଇଦାନକୁ ଓହ୍ଲାଇବେ ପୁଟିନ

ପୁଣି ଥରେ ରାଷ୍ଟ୍ରପତି ନିର୍ବାଚନ ମଇଦାନକୁ ଓହ୍ଲାଇବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଖୁବ୍ ଶୀଘ୍ର ଏନେଇ ଘୋଷଣା କରିବେ ପୁଟିନ । ଆସନ୍ତାବର୍ଷ ମାର୍ଚ୍ଚରେ ହେବାକୁ ଯାଉଥିବା ନିର୍ବାଚନରେ ଯଦି ବିଜୟୀ ହୁଅନ୍ତି ତେବେ ସେ ୨୦୩୦ ପର୍ଯ୍ୟନ୍ତ ରାଷ୍ଟ୍ରପତି ରହିବେ । ପାଶ୍ଚାତ୍ୟ ରାଷ୍ଟ୍ରବିରୋଧରେ ପୁଟିନ ଦବଦବା ଜାରି ରଖିଥିବାବେଳେ ତାଙ୍କର ପ୍ରାର୍ଥିତ୍ବକୁ ବିଭିନ୍ନ ମହଲରୁ ସମର୍ଥନ ମିଳୁଥିବା ସୂଚନା ମିଳିଛି ।

ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବା ଲାଗି ପୁଟିନ ନିଷ୍ପତ୍ତି ନେଇସାରିଛନ୍ତି ଏବଂ ବିଧିବଦ୍ଧ ଘୋଷଣା ବାକି ଅଛି ବୋଲି ସୁତ୍ରରୁ ପ୍ରକାଶ। ସେପଟେ ପୁଟିନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ଏବଂ ପାଶ୍ଚାତ୍ୟ ରାଷ୍ଟ୍ର ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଭୁଲ ସୂଚନା ପ୍ରସାରଣ କରୁଛି ବୋଲି କହିଛି କ୍ରେମଲିନ। ବିଗତ ୧୯୯୯ ଡିସେମ୍ବର ୩୧ରେ ରାଷ୍ଟ୍ରପତି ଦାୟିତ୍ବ ନେଇଥିଲେ ପୁଟିନ।

ଯୋଶେଫ ଷ୍ଟାଲିନ ଓ ଲିଓନିଦ ବ୍ରେଜନେଭଙ୍କ ପରେ ପୁଟିନ ହେଉଛନ୍ତି ତୃତୀୟ ବ୍ୟକ୍ତି ଯିଏକି ଦୀର୍ଘକାଳ ଧରି ରାଷ୍ଟ୍ରପତି ଅଛନ୍ତି । ବିଭିନ୍ନ ମହଲରୁ କରାଯାଇଥିବା ରେଟିଂରେ ପୁଟିନଙ୍କୁ ୮୦ ପ୍ରତିଶତ ସମର୍ଥନ ମିଳୁଥିବା କୁହାଯାଇଛି । ୟୁକ୍ରେନ ସହ ଯୁଦ୍ଧ ପରଠାରୁ ବିଶ୍ବରେ ତାଙ୍କ ଦବଦବା ବଜାୟ ରହିଛି ।

ଶେଷ ଯାତ୍ରାରେ ମହେଶ୍ୱର ମହାନ୍ତି, ବିଧାନସଭାରେ ଦିଆଗଲା ଗାର୍ଡ ଅଫ ଅନର

ଭୁବନେଶ୍ୱର: ପରଲୋକରେ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି । ୬୭ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁରେ ସାରା ଓଡ଼ିଶାରେ ଖେଳି ଯାଇଛି ଶୋକର ଛାୟା ।

ସୂଚନା ଅନୁଯାୟୀ, ହସ୍ପିଟାଲରୁ ବାହାରି ତାଙ୍କ ମରଶରୀରକୁ ପ୍ରଥମେ ଶଙ୍ଖ ଭବନ ନିଆଯାଇଛି । ଯେଉଁଠି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଓଡିଶା ରାଜନୀତିର ବହୁ ବିଶିଷ୍ଟ ନେତା ମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରେ ସେଠାରୁ ତାଙ୍କୁ ବିଧାନସଭା ଅଭିମୁଖେ ନିଆଯାଇଥିଲା । ବିଧାନସଭାରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି ।

ଅଧିକ ପଢନ୍ତୁ:- ଚିକିତ୍ସାଧୀନ ଅବସ୍ଥାରେ ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତିଙ୍କ ପରଲୋକ

ଚିରନିଦ୍ରାରେ ମହେଶ୍ୱର ମହାନ୍ତି, ଶୋକ ପ୍ରକାଶ କଲେ ବହୁ ବିଶିଷ୍ଟ ନେତା

ଭୁବନେଶ୍ୱର: ୬୭ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ପରଲୋକ ହୋଇଛି। ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ବହୁ ବିଶିଷ୍ଟ ରାଜନେତା।

ସ୍ବର୍ଗତ ମହେଶ୍ବର ମହାନ୍ତି ଜଣେ ଲୋକ ପ୍ରିୟ ଜନ ନେତା ଭାବରେ ସୁନାମ ଅର୍ଜନ କରିଥିଲେ। ଏହାସହ ଜଣେ ଦକ୍ଷ ସଂଗଠକ ଭାବରେ ତଙ୍କର ସୁନାମ ଥିଲା। ତାଙ୍କ ବିୟୋଗ ଓଡିଶା ପାଇଁ ଏକ ବଡ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମହେଶ୍ବର ମହାନ୍ତିଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ। ମହେଶ୍ବରଙ୍କ ବିୟୋଗ ପୁରୀ ଜିଲ୍ଲା ତଥା ବିଜେଡି ପାଇଁ ବଡ଼ କ୍ଷତି ବୋଲି ଟୁଇଟ୍ କରି ସୂଚନା ଦେଇଛନ୍ତି ମାନସ ମଙ୍ଗରାଜ। ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ମାନସ ମଙ୍ଗରାଜ। ଦଳ ତାଙ୍କ ଅବଦାନ ଅବିସ୍ମଣୀୟ ହୋଇ ରହିବ।

ସେହିପରି ମହେଶ୍ବରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଜନସେବାରେ ତାଙ୍କର ଉତ୍ସର୍ଗୀକୃତ ଜୀବନ ଆଦର୍ଶ ଆମ ପାଇଁ ପ୍ରେରଣା ବୋଲି କହିଛନ୍ତି ପ୍ରଣବ। ତାଙ୍କ ବିୟୋଗ ଓଡ଼ିଶା ରାଜନୀତିରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ପ୍ରଣବ।

ସେହିପରି ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଓଡ଼ିଶା ବିଧାନସଭା ବାଚସ୍ପତି ପ୍ରମିଳା ମଲ୍ଲିକ, ଓଡ଼ିଶା ରାଜ୍ୟପାଳ ରଘୁବର ଦାସ, ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ସମେତ ଓଡ଼ିଶା ରାଜନୀତିର ବିଶିଷ୍ଟ ନେତା ମାନେ ଶୋକ ପ୍ରକାଶ କରିଛନ୍ତି।

ମହେଶ୍ବର ମହାନ୍ତିଙ୍କ ବିୟୋଗ ଓଡିଶା ରାଜନୀତିରେ ଏକ ବଡ କ୍ଷତି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ବର୍ଗତ ମହେଶ୍ବର ମହାନ୍ତି ଜଣେ ଲୋକ ପ୍ରିୟ ଜନ ନେତା ଭାବରେ ସୁନାମ ଅର୍ଜନ କରିଥିଲେ। ଏହାସହ ଜଣେ ଦକ୍ଷ ସଂଗଠକ ଭାବରେ ତାଙ୍କର ସୁନାମ ଥିଲା। ମନ୍ତ୍ରୀ ତଥା ବିଧାୟକ ଭାବେ ରାଜ୍ୟର ବିକାଶରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ବିଶେଷକରି ପୁରୀ ଅଞ୍ଚଳର ବିକାଶରେ ତାଙ୍କର ଭୂମିକା ତାଙ୍କୁ ଅମର କରି ରଖିବ। ବାଚସ୍ପତି ଭାବରେ ଉଚ୍ଚ ଗଣତାନ୍ତ୍ରିକ, ସଂସଦୀୟ ପରମ୍ପରା ପ୍ରତିଷ୍ଠା ପାଇଁ ନିଜର ଅବଦାନ ରଖି ଯାଇଛନ୍ତି। ତାଙ୍କ ବିୟୋଗ ଓଡିଶା ପାଇଁ ଏକ ବଡ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମହେଶ୍ବରଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

ଅଣନିଶ୍ୱାସୀ ଦିଲ୍ଲୀବାସୀ, ୨୦ ଯାଏ ବଳବତ୍ତର ରହିବ ଯୁଗ୍ମ-ଅଯୁଗ୍ମ ଫର୍ମୁଲା

ନୂଆଦିଲ୍ଲୀ: ପ୍ରଦୂଷଣ ପ୍ରଭାବରେ ଦିଲ୍ଲୀବାସୀ ସନ୍ତୁଳିତ। ଆସନ୍ତା ୧୩ରୁ ୨୦ ଯାଏ ବଳବତ୍ତର ରହିବ ଯୁଗ୍ମ-ଅଯୁଗ୍ମ ଫର୍ମୁଲା। ନିୟମ କାର୍ଯ୍ୟକାରୀ କରିବା ଲାଗି ଆଜି ବସିବ ବୈଠକ। ସେପଟେ ଗୁରୁଗ୍ରାମରେ ବି ସ୍କୁଲ ବନ୍ଦ କରାଯାଇଛି । ନିୟମ ଉଲ୍ଲଂଘନ ଅଭିଯୋଗରେ ୨୨ଶହ ଯାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ତେଣେ ପଞ୍ଜାବରେ ଦୈନିକ ୨ ହଜାରରୁ ଅଧିକ ସ୍ଥାନରେ ନିଆଁ ଲଗାଇବାକୁ ନେଇ ବଢିଛି ଚିନ୍ତା। ନିୟମ ଅନୁସାରେ ନମ୍ବର ପ୍ଲେଟର ଶେଷ ଅଙ୍କ ଥିବା ୧, ୩, ୫, ୭ ଗାଡିଗୁଡିକ ଅଯୁଗ୍ମ ତାରିଖରେ ଚାଲିବ। ନମ୍ବର ପ୍ଲେଟର ଶେଷ ଅଙ୍କ ଥିବା ୦, ୨, ୪, ୬, ୮ ଗାଡିଗୁଡିକ ଯୁଗ୍ମ ତାରିଖରେ ଚାଲିବ। କେବଳ ଦଶମ ଓ ଦ୍ବାଦଶ ଶ୍ରେଣୀ ବ୍ୟତୀତ ସମସ୍ତ ସ୍କୁଲ ନଭେମ୍ବର ୧୦ ଯାଏ ରହିବ ବନ୍ଦ। ବିଏସ ଥ୍ରୀ ପେଟ୍ରୋଲ ଓ ବିଏସ ଫୋର ଡିଜେଲ କାର ଉପରେ ନିଷିଦ୍ଧାଦେଶ ବଳବତ୍ତର ରହିବ ।

ସରକାରୀ ଓ ବେସରକାରୀ ସ୍ତରରେ ୫୦ ପ୍ରତିଶତ କର୍ମଚାରୀଙ୍କ ଲାଗି ଓ୍ବାର୍କ ଫ୍ରମ ନୀତି ଚାଲୁ ରହିବ । ନିର୍ମାଣ କାର୍ଯ୍ୟ ବନ୍ଦ ରଖାଯାଇଛି । ପ୍ରଦୂଷଣକୁ ଦୃଷ୍ଟିରେ ରଖି ଗ୍ରେଡେଡ ରେସପନସ୍ ଆକ୍ସନ ପ୍ଲାନ ବା ଗ୍ରାପର ପ୍ଲାନ ୪ ଲାଗୁ କରାଯାଇଛି । ଏକ୍ୟୁଆଇ ୪୫୦ ପାର୍ ହେବା ପରେ ଦିଲ୍ଲୀ ସରକାର ଏହି ଚୂଡ଼ାନ୍ତ ପଦକ୍ଷେପ ନେଇଛନ୍ତି ।

ଚିରନିଦ୍ରାରେ ମହେଶ୍ୱର ମହାନ୍ତି; ଜାଣନ୍ତୁ କିଭଳି ଥିଲା ତାଙ୍କ ରାଜନୈତିକ କ୍ୟାରିୟର…

ଭୁବନେଶ୍ୱର: ଜଣେ ରାଜନେତା ଭାବେ କେବଳ ପୁରୀରେ ନୁହେଁ, ସାରା ରାଜ୍ୟରେ ସେ ସୁପରିଚିତ। ଛାତ୍ର ଜୀବନରୁ ରାଜନୀତି କରୁଥିବା ମହେଶ୍ବର ମହାନ୍ତି ୧୯୯୫ରୁ ୨୦୧୪ ପର୍ଯ୍ୟନ୍ତ କ୍ରମାଗତ ଭାବେ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୯୫ରେ ପ୍ରଥମେ ପ୍ରବାଦପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଜନତା ଦଳରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପରେ ବିଜୁ ଜନତା ଦଳର ଗଠନ ପରେ ସେ ବିଜେଡିରୁ ୨୦୦୦, ୨୦୦୪, ୨୦୦୯ ଓ ୨୦୧୪ରେ ପୁରୀ ବିଧାନସଭା କ୍ଷେତ୍ରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୯ରେ କିନ୍ତୁ ସେ ହାରିଯାଇଥିଲେ।

୧୯୫୬ ଫେବ୍ରୁଆରୀ ୨୬ ତାରିଖରେ ପୁରୀରେ ମହେଶ୍ବର ମହାନ୍ତିଙ୍କ ଜନ୍ମ। ଜଣେ ରାଜନୀତି ବିଜ୍ଞାନ ଓ ଆଇନ ଛାତ୍ର ଥିଲେ ମହେଶ୍ବର। ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରୁ ସେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ପରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ଆଇନ ଡିଗ୍ରୀ ହାସଲ କରିଥିଲେ । ପେଶାରେ ସେ ଥିଲେ ଜଣେ ଆଇନଜୀବୀ। ପରବର୍ତ୍ତୀ ସମୟରେ ସେ ରାଜନୀତିରେ ପାଦ ଦେଇଥିଲେ। ଅବଶ୍ୟ ସେ ଛାତ୍ର ଜୀବନରୁ ରାଜନୀତି କରି ୧୯୭୩ରେ ପୁରୀ ଏସସିଏସ କଲେଜ ଛାତ୍ର ସଂସଦ ନିର୍ବାଚନରେ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ। ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରେ ମଧ୍ୟ ଓଡିଆ ସୋସାଇଟିର ସେଥିଲେ ସାଧାରଣ ସମ୍ପାଦକ।

୧୯୭୮ରେ ସେ ପୁରୀ ପୌର ପରିଷଦର କାଉନସିଲ ଭାବେ ନିର୍ବାଚିତ ହୋଇ ପ୍ରତ୍ୟକ୍ଷ ରାଜନୀତିରେ ପାଦ ଥାପିଥିଲେ। ପରେ ୧୯୮୫ରୁ ୧୯୯୦ ଓ ୧୯୯୨ରୁ ୧୯୯୫ ପର୍ଯ୍ୟନ୍ତ ଦୁଇ ଦୁଇ ଥର ପୁରୀ ପୌରପରିଷଦର ଅଧ୍ୟକ୍ଷ ହୋଇଥିଲେ। ୧୯୯୪ ମସିହାରୁ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଥିଲେ। ନବୀନଙ୍କ ମନ୍ତ୍ରୀମଣ୍ଡଳରେ ଏକାଧିକ ବିଭାଗର ମନ୍ତ୍ରୀ ଓ ବାଚସ୍ପତି ଭାବେ ଗୁରୁଦାୟିତ୍ବ ତୁଲାଇଛନ୍ତି ମହେଶ୍ବର। ଜଣେ ଅନୁଭବୀ ଓ ଅନୁଭୁତି ସମ୍ପନ୍ନ ରାଜନେତା ଭାବେ ୨୦୦୪ରୁ ୨୦୦୮ ପର୍ଯ୍ୟନ୍ତ ସେ ଥିଲେ ଓଡିଶା ବିଧାନସଭାର ବାଚସ୍ପତି। ବାଚସ୍ପତି ଥିବା ସମୟରେ ସେ ନେଇଥିବା ଅନେକଗୁଡିକ ଯୁଗାନ୍ତକାରୀ ନିଷ୍ପତ୍ତି ପାଇଁ ଆଜି ବିଧାୟକମାନେ ତାଙ୍କୁ ଝୁରି ହେଉଛନ୍ତି।

ନବୀନଙ୍କ ଟିମରେ ଆଇନ, ପର୍ଯ୍ୟଟନ, ରାଜସ୍ବ, ପଞ୍ଚାୟତିରାଜ ଆଦି ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ ମହେଶ୍ବର। ୨୦୧୧ ମେ’ରୁ ୨୦୧୨ ଅଗଷ୍ଟ ପର୍ଯ୍ୟନ୍ତ ସେ ପଂଚାୟତିରାଜ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ। ୨୦୧୨ ଅଗଷ୍ଟରୁ ୨୦୧୪ ମେ’ ପର୍ଯ୍ୟନ୍ତ ସେ ଥିଲେ ଯୋଜନା ଓ ସଂଯୋଜନା ଏବଂ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ। ୨୦୧୩ରୁ ୨୦୧୪ ପର୍ଯ୍ୟନ୍ତ ସେ ଆଇନ ମନ୍ତ୍ରୀ ଦାୟିତ୍ବରେ ଥିଲେ। ୨୦୧୭ରୁ ୨୦୧୯ ପର୍ଯ୍ୟନ୍ତ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଥିଲେ ।

ଓଡିଶା ବିଧାନସଭାର ବାଚସ୍ପତି ଭାବେ ସେ ୨୦୦୪ରେ କାନାଡାରେ ଅନୁଷ୍ଠିତ ହୋଇଥିବା ୫୦ତମ କମନଓ୍ବେଲଥ ପାର୍ଲାମେଣ୍ଟାରୀ କନଫରେନ୍ସରେ ଯୋଗଦେଇଥିଲେ। ୨୦୦୫ରେ ମଧ୍ୟ ଫିଜିରେ ଅନୁଷ୍ଠିତ ୫୧ତମ କମନଓ୍ବେଲଥ ପାର୍ଲାମେଣ୍ଟାରୀ କନଫରେନ୍ସରେ ଯୋଗଦେଇଥିଲେ। ବିଜେଡିର ବହୁ ଗୁରୁତ୍ବପୂର୍ଣ୍ଣ ପଦବୀରେ ରହି ଦଳକୁ ସୁଦୃଢ କରିବାକୁ ମଧ୍ୟ ପଦକ୍ଷେପ ନେଇଥିଲେ ମହେଶ୍ବର।

ଚିକିତ୍ସାଧୀନ ଅବସ୍ଥାରେ ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର: ପୁରୀର ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତିଙ୍କ ପରଲୋକ। ୬୭ ବର୍ଷ ବୟସରେ ମହେଶ୍ବରଙ୍କର ପରଲୋକ ହୋଇଛି। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହେଶ୍ବରଙ୍କର ପରଲୋକ ହୋଇଛି ।

ଗତ ୧ ତାରିଖ ରାତିରେ ମହେଶ୍ବର ମହାନ୍ତି ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ପ୍ରଥମେ ତାଙ୍କୁ ନ୍ୟୁରୋଲୋଜି ବିଭାଗରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଭୋର ୩ଟା ୨୫ରେ ତାଙ୍କର ପରଲୋକ ହୋଇଥିବା ସୂଚନା।

ଉଲ୍ଲେଖଯୋଗ୍ୟ, ମହେଶ୍ବରଙ୍କ ଉପରେ ଜୀବନକାଳ ମଧ୍ୟରେ ଦୁଇ ଦୁଇ ଥର ମରଣାନ୍ତକ ଆକ୍ରମଣ ହୋଇଥିଲା। ୨୦୧୪ ଫେବୃଆରୀ ୨୨ ତାରିଖରେ ସେ ଆଇନ ଏବଂ ଯୋଜନା ସଂଯୋଜନା ମନ୍ତ୍ରୀ ଥିବା ସମୟରେ ଆକ୍ରମଣ ହୋଇଥିଲା । ଏକ ସଭା ସାରି ନିଜ ସ୍କୁଟରରେ ଫେରୁଥିବା ବେଳେ ପୁରୀ ଅମଲା ଛକ ନିକଟରେ ଜଣେ ଦୁର୍ବୃତ୍ତ ତାଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି କରିଥିଲା। ଗୋଟେ ଗୁଳି ତାଙ୍କ କାନ୍ଧ ଓ ଅନ୍ୟଟି ତାଙ୍କ ହାତରେ ବାଜିଥିଲା।

ଏହି ଘଟଣାର ଠିକ ଦୁଇ ବର୍ଷ ପୂର୍ବରୁ ୨୦୧୨ ଜାନୁଆରୀରେ ମଧ୍ୟ ତାଙ୍କ ଉପରକୁ ଆକ୍ରମଣ ହୋଇଥିଲା। ପୁରୀ ନିର୍ବାଚନମଣ୍ଡଳୀର ଆଳନ୍ଦିଆ ଗାଁରେ ଏକ ନିର୍ବାଚନୀ ସଭାରେ ତାଙ୍କ ଉପରେ ଜଣେ ଦୁର୍ବୃତ୍ତ ଶାବଳରେ ଆକ୍ରମଣ କରିଥିଲେ। ପଞ୍ଚାୟତ ନିର୍ବାଚନ ପାଇଁ ଚାଲିଥିବା ସଭାରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଦୁର୍ବୃତ୍ତ ଜଣକ ମହିଳା ବେଶରେ ସଭାମଞ୍ଚକୁ ଉଠି ଶାବଳରେ ଆକ୍ରମଣ କରିଥିଲା। ସେ ସମୟରେ ମୃତ୍ୟୁକୁ ମାତ୍ ଦେଇପାରିଥିବା ମହେଶ୍ୱର ଆଜି ଚିରନିଦ୍ରାରେ ଶୋଇ ପଡିଛନ୍ତି ।

ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ବିଜେଡିରୁ ବିଦା ହେଲେ ୩ନେତା

ଭୁବନେଶ୍ବର: ଦଳ ବିରୋଧୀ କାର୍ଯ୍ୟକଳାପ ଯୋଗୁ ୩ନେତା ବିଜେଡିରୁ ସସପେଣ୍ଡ । ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ଜୟନ୍ତ ନାଏକ ସସପେଣ୍ଡ ହୋଇଥିବାବେଳେ ବିଜୁ ଯୁବ ଜନତା ଦଳ ଜୋନ ସଭାପତି ମନୀନ୍ଦ୍ର ମହାନ୍ତିଙ୍କୁ ସସପେଣ୍ଡ କରାଯାଇଛି । ବଲାଙ୍ଗୀର ବିଜୁ ଯୁବ ଜନତା ଦଳ ଜୋନ ସଭାପତି ଅଛନ୍ତି ମନୀନ୍ଦ୍ର ମହାନ୍ତି । ସେହିପରି ଭବାନୀପାଟଣା ୭ନଂ ଓ୍ୱାର୍ଡ କାଉନସିଲର ଶିବ ସାହୁ ବିଜେଡିରୁ ସସପେଣ୍ଡ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ।

ଦୁଇ ଭାଗ ହେଲା ଗାଜା, ଭୟଙ୍କର ହେବ ମଧ୍ୟପ୍ରାଚ୍ୟ ଯୁଦ୍ଧ

ବ୍ୟୁରୋ ରିପୋର୍ଟ: ଦୁଇ ଭାଗ ଗାଜା, ଉତ୍ତର ଓ ଦକ୍ଷିଣ ଗାଜା ଭାବରେ ଭାଗ ହୋଇଛି ଗାଜା । ଇସ୍ରାଏଲ-ଗାଜା ଯୁଦ୍ଧର ଘନଘଟା  ମଧ୍ୟରେ ଏହି ଘୋଷଣା କରିଛି ଇସ୍ରାଏଲ ସେନା ।ଉତ୍ତର ଗାଜାର ଚାରିପଟେ ଏବେ ଘେରି ରହିଛନ୍ତି ଇସ୍ରାଏଲି ଯବାନ। ୪୮ ଘଣ୍ଟା ମଧ୍ୟରେ ଉତ୍ତର ଗାଜା ସହର ଭିତରେ । ଜୋରଦାର ହେବ ସଂଘର୍ଷ । ସେପଟେ ଗାଜାରେ ୨୪ ଘଣ୍ଟା ମଧ୍ୟରେ ୪୫୦ ଆତଙ୍କୀ ଶିବିର ନଷ୍ଟ କରିଛି ଇସ୍ରାଏଲ। ୩୦ ଦିନର ଏହି ଇସ୍ରାଏଲ-ଗାଜା ଯୁଦ୍ଧ ଏବେ ଭୟଙ୍କର ରୂପ ନେଲାଣି  । ଯୁଦ୍ଧ ଆରମ୍ଭ ପରଠାରୁ ପାଖାପାଖି ୧୦ ହଜାର ପାଲଷ୍ଟିନୀୟଙ୍କ ମୃତ୍ୟୁ ହେଲାଣି । ଏସବୁ ମଧ୍ୟରେ ଯୁଦ୍ଧ ବିରାମ ପାଇଁ ଆହ୍ବାନ କରିଛନ୍ତି ଜାତିସଂଘର ବିଭିନ୍ନ ସଂଗଠନ ।

ଦୁଇ ଭାଗ ଗାଜା । ଇସ୍ରାଏଲ ସେନାର ଏହି ଦାବି । ଉତ୍ତର ଗାଜା ଓ ଦକ୍ଷିଣ ଗାଜା ଭାବେ ଦୁଇ ଭାଗ । ଉତ୍ତର ଗାଜାକୁ ଘେରି ରହିଛନ୍ତି ହଜାର ହଜାର ସଂଖ୍ୟାରେ ଇସ୍ରାଏଲି ସୈନ୍ୟ। ୧୪ ଲକ୍ଷରୁ ଅଧିକ ଜନବସତିର ଏହି ଅଂଚଳକୁ ଛାଡିବାକୁ ଅଲଟିମେଟମ ଦେଇଥିଲା ଇସ୍ରାଏଲ ସେନା । ଏବେବି ସାଢେ ୩ ଲକ୍ଷ ଲୋକେ ଏହି ଅଂଚଳରେ ରହିଛନ୍ତି। ଆଗାମୀ ୪୮ ଘଣ୍ଟା ଉତ୍ତର ଗାଜା ପାଇଁ ବିପଦର ଘଣ୍ଟି । କୌଣସି ମୁହୂର୍ତ୍ତରେ ଗାଜା ଭିତରକୁ ପଶିବେ ଇସ୍ରାଏଲର ହଜାର ହଜାର ଜବାନ । ତାପରେ ଆତଙ୍କୀ ସହ ହେବ ମୁହାଁମୁହିଁ ଲଢେଇ। ୨୪ ଘଣ୍ଟାରେ ମଧ୍ୟରେ ଗାଜା ଉପରେ ଜୋରଦାର ଆକ୍ରମଣ କରିଛି ଇସ୍ରାଏଲ । ୪୫୦ ଆତଙ୍କୀ ଶିବିର ଧ୍ବଂସ କରିଛି। ଏଥିମଧ୍ୟରେ ଏକାଧିକ ଟନେଲ, ଆତଙ୍କୀ ଶିବିର, ହମାସ ସାମରିକ ପୋଷ୍ଟ, ଆଣ୍ଟି ଟ୍ୟାଙ୍କ ମିସାଇଲକୁ ଟାର୍ଗେଟ କରି ହୋଇଥିଲା ଏୟାରଷ୍ଟ୍ରାଇକ୍ । କେନ୍ଦ୍ରୀୟ ଗାଜାର ଦୁଇ ଶରଣାର୍ଥୀ ଶିବିର ଉପରକୁ ମଧ୍ୟ ହୋଇଥିଲା ବୋମାମାଡ଼। ରବିବାର ମୋବାଇଲ ସହ ଇଣ୍ଟରନେଟ୍ ସେବା ଠପ୍ ହୋଇଯାଇଥିଲା  ।

ଯୁଦ୍ଧ ସ୍ଥିତିରେ ଆମେରିକା ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ପାଲେଷ୍ଟାଇନ ରାଷ୍ଟ୍ରପତି ମହମୁଦ ଅବ୍ବାସଙ୍କ ସହ ଆଲୋଚନା କରିଛନ୍ତି। ୱେଷ୍ଟବ୍ୟାଙ୍କ୍ ଅଂଚଳରେ ମଧ୍ୟ ଯୁଦ୍ଧ ଜୋରସୋରରେ ଚାଲିଛି। ଇସ୍ରାଏଲ ଆକ୍ରମଣରେ ସାଧାରଣ ନାଗରିକଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ବ ଦେଉଛି ଆମେରିକା। ଉପରାଷ୍ଟ୍ରପତି କମଳା ହାରିସ ଗାଜାକୁ ମାନବୀୟ ସହାୟତା ପଠାଇବା ଉପରେ ବିଶ୍ବର ପ୍ରମୁଖ ରାଷ୍ଟ୍ରନେତାଙ୍କ ସହ ଆଲୋଚନା କରିଛନ୍ତି। ଗାଜା ସ୍ଥିତି ନେଇ ଜାତିସଂଘ ସୁରକ୍ଷା ପରିଷଦ ସତର୍କ ଦୃଷ୍ଟି ରଖିଛି। ସେପଟେ ବ୍ରିଟେନ ଲେବାନନରୁ ଦୂତାବାସର କିଛି କର୍ମଚାରୀଙ୍କୁ ସାମୟିକ ଭାବେ ପ୍ରତ୍ୟାହାର କରିଛି। ସଂଘର୍ଷ ମଧ୍ୟରେ ଇସ୍ରାଏଲ ଏବଂ ଗାଜା ଗସ୍ତ କରୁଥିବା ନିଜର ନାଗରିକଙ୍କୁ ଦୁଇ ଦେଶ ଛାଡିବାକୁ ଆଲର୍ଟ ଜାରି କରିଛି ବ୍ରିଟେନ୍।

ସେପଟେ ମଧ୍ୟପ୍ରାଚ୍ୟ ଅଂଚଳରେ ଆଣବିକ ଶକ୍ତି ସମ୍ପନ୍ନ ଯୁଦ୍ଧପୋତ ମୁତୟନ କରିଛି ଆମେରିକା । ଇଜିପ୍ଟର ସୁଏଜ କେନାଲ ଅଂଚଳରେ ଏହି ଯୁଦ୍ଧପୋତ ମୁତୟନ ରହିଛି । ବର୍ତ୍ତମାନ ସୁଦ୍ଧା ଗାଜାରେ ଜାତିସଂଘର ୮୮ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। କୌଣସି ଯୁଦ୍ଧରେ ଏତେ ସଂଖ୍ୟକ ଜାତିସଂଘ କର୍ମଚାରୀଙ୍କ ମୃତ୍ୟୁ ପ୍ରଥମ ଘଟଣା । ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ଲେବାନନର ୪ ଜଣଙ୍କର ମୃତ୍ୟୁ ଘଟିଛି ।