spot_img
Home Blog Page 257

ଗୁରୁ ଦିବସରେ ରାଜରାସ୍ତାରେ ଗୁରୁ: ୫ ଦଫା ଦାବି ନେଇ ଭୁବନେଶ୍ବର ଗାନ୍ଧୀ ମାର୍ଗରେ ଚାଲିଛି ଆନ୍ଦୋଳନ

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶା ସ୍କୁଲ୍ କଲେଜ୍ ଶିକ୍ଷକ ଓ କର୍ମଚାରୀ ସମନ୍ଵୟ ସମିତି ପକ୍ଷରୁ ଭୁବନେଶ୍ବର ଗାନ୍ଧୀ ମାର୍ଗରେ ଆନ୍ଦୋଳନ । ଏକାଠି ହେଲେ ହଜାର ହଜାର ଶିକ୍ଷକ । ୫ ଦଫା ଦାବି ନେଇ ରାଜରାସ୍ତା ହକ୍ ମାଗିଲେ ଗୁରୁ । ସମସ୍ତ ଯୋଗ୍ୟ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ତୁରନ୍ତ ଅନୁଦାନ ପ୍ରଦାନ କରିବା, ଅବସର ପରେ ଶିକ୍ଷକଙ୍କୁ ପେନସନ୍, ଚାକିରି ସର୍ତ୍ତାବଳୀ ସହ ବୟସ ସୀମା ୬୦ ରୁ ୬୨କୁ ବୃଦ୍ଧି ନେଇ ସରକାରଙ୍କୁ ଘେରିଛନ୍ତି ଶିକ୍ଷକ ।

ମହାତ୍ମାଗାନ୍ଧୀ ମାର୍ଗରେ ହକ ପାଇଁ ଆନ୍ଦୋଳନ । ମହା ସମାବେଶ ଓ ଅହରାତ୍ର ଧାରଣା । ଗୁରୁ ଦିବସରେ ସ୍କୁଲରେ ପୂଜା ପାଇବା ବଦଳରେ ରାଜରାସ୍ତାରେ ନିଜର ହକ୍ ପାଇଁ ଗର୍ଜୁଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ । ଅନୁଦାନ ଯୋଗ୍ୟ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ଅବସର ପରେ ଶିକ୍ଷକଙ୍କୁ ପେନସନ୍, ଗ୍ରେଡ ପେ’ରେ ଥିବା ଅସଙ୍ଗିତ ଦୂରୀକରଣ, ଅବସର ବୟସ ସୀମା ୬୦ରୁ ୬୨କୁ ବୃଦ୍ଧି, ନୂତନ ପେନସନକୁ ବାତିଲ କରି ପୂର୍ବ ପ୍ରଚଳିତ ପୁରୁଣା ପେନସନ ଲାଗୁ କରିବା, ଉଚ୍ଚନ୍ୟାୟଳୟଙ୍କ ନିର୍ଦ୍ଦେଶକୁ ପାଳନ କରି ଶିକ୍ଷକ ଓ କର୍ମଚାରୀଙ୍କୁ ନ୍ୟାୟ ପ୍ରଦାନ, ୨୦୦୪ରୁ ୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ୬ଟି ନ୍ୟାସନାଲ ଇନକ୍ରିମେଣ୍ଟ ସହିତ ବରିଷ୍ଠତା ପ୍ରଦାନ ଭଳି ୫ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଶିକ୍ଷକ ।

ଓଡ଼ିଶା ସ୍କୁଲ୍ କଲେଜ୍ ଶିକ୍ଷକ ଓ କର୍ମଚାରୀ ସମନ୍ଵୟ ସମିତି ପକ୍ଷରୁ ଭୁବନେଶ୍ବର ଗାନ୍ଧୀ ମାର୍ଗରେ ଚାଲିଥିବା ଏହି ଆନ୍ଦୋଳନରେ ଓଷ୍ଟା, ନିଖିଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ, ନିଖିଳ ଉତ୍କଳ ସଂସ୍କୃତ ମହାସଂଘ, ନିଖିଳ ଉତ୍କଳ ମାଦ୍ରାସା ଶିକ୍ଷକ ସଂଘ, ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀ ସଂଘ, ୬୬୨ ଓ ୪୮୮ ବର୍ଗ କେଲଜ କର୍ମଚାରୀ ସଂଘ, ଅଣଅନୁଦାନ ପ୍ରାପ୍ତ ଶିକ୍ଷକ ସଂଘ, ନୂତନ ଅନୁଦାନ ପ୍ରାପ୍ତ ଶିକ୍ଷକ ସଂଘ ଓ ଅବସର ପ୍ରାପ୍ତ ସଂଘ ସାମିଲ ହୋଇଛନ୍ତି । ସେପଟେ ଆଗାମୀ ଦିନରେ ରାଜ୍ୟ ସରକାର ୪୪ ହଜାର ୪୩୩ ଶିକ୍ଷକ ନିଯୁକ୍ତି ଦେବାକୁ ଯାଉଛନ୍ତି । ସେହିପରି ପ୍ରତିବର୍ଷ ୧୫ ହଜାର ଶିକ୍ଷକ ନିଯୁକ୍ତି କରିବା ପାଇଁ ବି ନିଷ୍ପତ୍ତି ନେଇଛନ୍ତି । ଏହାଦ୍ବାର ଶିକ୍ଷକ ଅଭାବର ସମାଧାନ ହେବ ବୋଲି କହିଛନ୍ତି ମନ୍ତ୍ରୀ ।

ଗତ ମାସ ଅଗଷ୍ଟ ୧୬ ତାରିଖରେ ହଜାର ହଜାର ଶିକ୍ଷକ ଓ ଶିକ୍ଷୟତ୍ରୀ ଗାନ୍ଧୀମାର୍ଗରେ ମହାସାମବେଶରେ ଏକାଠି ହୋଇଥିଲେ । ସରାକରୀ ଦଳର ଦୁଇ ବିଧାୟକ ୫ ଦଫା ଦାବି ପତ୍ରକୁ ଗ୍ରହଣ କରି ବିଚାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହେଲେ ଏବେ ପୁଣି ଥରେ ଗାନ୍ଧୀମାର୍ଗରେ ଗୁର ।

ଓଡ଼ିଶାର ସି ଫୁଡ, ହସ୍ତଶିଳ୍ପ ଓ ବୟନ ଶିଳ୍ପ ଉପରେ ଟ୍ରମ୍ପଙ୍କ ଟାରିଫର ପ୍ରଭାବ

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାରୁ ବର୍ଷକୁ ପ୍ରାୟ ୫ ହଜାର କୋଟି ଟଙ୍କାର ମେରାଇନ ପ୍ରଡକ୍ଟ ଆମେରିକାକୁ ରପ୍ତାନୀ ହେଉଛି । ଭାରତୀୟ ଦ୍ରବ୍ୟ ଉପରେ ଟ୍ରମ୍ପ ଟାରିଫ ୫୦ ପ୍ରତିଶତ ଲାଗିବା ପରେ ଚିନ୍ତାରେ ସି’ ଫୁଡ଼ ଇଣ୍ଡଷ୍ଟ୍ରି । କେବଳ କମ୍ପାନୀ ମାଲିକ ନୁହଁନ୍ତି, ଏହାଦ୍ବାରା ଚିଙ୍ଗୁଡ଼ି ଚାଷୀ, ଶ୍ରମିକ, ବରଫ କଳ, ମତ୍ସ୍ୟଜୀବୀ ସମସ୍ତେ ପ୍ରଭାବିତ ହେବେ । ଏବେ ଏହାର ବିକଳ୍ପ ଚିନ୍ତା ଚାଲିଛି । କେବଳ ସି ଫୁଡ୍ ନୁହେଁ, ହସ୍ତଶିଳ୍ପ ଓ ବୟନ ଶିଳ୍ପ କ୍ଷେତ୍ର ବି ପ୍ରଭାବିତ ହେବ । ଟ୍ରମ୍ପ ଟାରିଫରୁ ମୁକୁଳିବା ପାଇଁ ବିଶ୍ବସ୍ତରରେ ଆଲୋଚନା ଚାଲିଥିବା ବେଳେ, ତିନି ପ୍ରମୁଖ ଶକ୍ତି ଭାରତ, ଚୀନ ଓ ଋଷ ଏକାଠି ହେବା ଏକ ଶୁଭ ସଙ୍କେତ ଦେଉଛି ।

ଆମେରିକା ଓ ଭାରତର ବ୍ୟବସାୟିକ ସମ୍ପର୍କ ଖୁବ୍ ପୁରୁଣା । ଏବେ ଟ୍ରମ୍ପଙ୍କ ଟାରିଫ ଯୋଗୁଁ ଭୟଙ୍କର ଭାବେ ହେଲାଣି ପ୍ରଭାବିତ । ଓଡ଼ିଶା ମଧ୍ୟ ଟାରିଫ ଓ୍ବାରର ହୋଇଛି ଶିକାର । ବିଶେଷ କରି ମେରାଇନ ପ୍ରଡକ୍ଟ ଆମେରିକାକୁ ରପ୍ତାନୀ ଏକ ପ୍ରକାର ଅସମ୍ଭବ ହେଲାଣି । ୨୦୦୪ରେ ଓଡ଼ିଶାରୁ ଆମେରିକାକୁ ୩୬୦ କୋଟି ଟଙ୍କାର ମେରାଇନ ପ୍ରଡକ୍ଟ ଯାଉଥିବା ବେଳେ, ଏବେ ଏହା ୫ ହଜାର କୋଟିରେ ପହଞ୍ଚିଛି । ତେବେ ଟ୍ରମ୍ପଙ୍କ ଟାରିଫ ଯୋଗୁଁ ରପ୍ତାନୀ ପୂର୍ବରୁ ଏକ୍ସପୋର୍ଟର ପ୍ରଥମେ ୫୦ ପ୍ରତିଶତ ଡ୍ୟୁଟି ଦେବାକୁ ପଡ଼ିବ । ଯାହା ଓଡ଼ିଶା ଉଦ୍ୟୋଗୀଙ୍କ ପାଇଁ କଷ୍ଟକର । ଏକ୍ସପୋର୍ଟ ପ୍ରଭାବିତ ହେଲେ ଚିଙ୍ଗୁଡ଼ି ଚାଷୀ, ମତ୍ସ୍ୟଜୀବୀ, ବରଫ କଳ ମାଲିକ ଓ ଶ୍ରମିକଙ୍କ ସହ ଅନେକଙ୍କ ଉପରେ ଏହାର ପ୍ରଭାବ ପଡ଼ିବ । ଏବେ ଏହାର ବିକଳ୍ପ ଚିନ୍ତା କରାଯାଉଛି । ହେଲେ ଆମେରିକା ବ୍ୟତୀତ ୟୁରୋପୀୟ ଦେଶକୁ ରପ୍ତାନୀ କରିବା ବି ଏତେ ସହଜ ନୁହେଁ । ଭାରତରେ ଚିଙ୍ଗୁଡ଼ିର ଆଦର ବଢ଼ିଲେ ଉତ୍ପାଦିତ ଦ୍ରବ୍ୟ ବ୍ୟବହୃତ ହୋଇପାରିବ । ତେଣୁ ସେନାରେ ମେରାଇନ ପ୍ରଡକ୍ଟ ବ୍ୟବହାର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖାଯାଇଛି ।

ଉତ୍କଳ ଚାମ୍ବର ଅଫ୍ କମର୍ସ ପକ୍ଷରୁ ଟ୍ରମ୍ପ ଟାରିଫର ପ୍ରଭାବ ଓ ବିକଳ୍ପ ନେଇ କରାଯାଇଛି ଆଲୋଚନା । ମେରାଇନ ପ୍ରଡକ୍ଟ ସହ ଓଡ଼ିଶାର ହସ୍ତଶିଳ୍ପ ବି ଟାରିଫା ମାଡ଼ର ଶିକାର ହୋଇଛି । ସେହିପରି ଇସ୍ପାତ କ୍ଷେତ୍ରର ପ୍ରଭାବ ନେଇ ଚର୍ଚ୍ଚା ହେଉଥିଲେ ବି ଏହା ନଗଣ୍ୟ । ବିକଳ୍ପ ଭାବେ ପ୍ରସେସେଡ଼ ଫୁଡ ଉତ୍ପାଦନ ଉପରେ ଗୁରୁତ୍ବ ଦେବାକୁ ମତ ପ୍ରକାଶ ପାଇଛି । ଏଥିପାଇଁ କେବଳ ଧାନ ନୁହେଁ, ଅତ୍ୟାଧୁନିକ ଜ୍ଞାନ କୌଶଳରେ ପନିପରିବା ଚାଷ ଜରୁରୀ । ତେବେ ଟ୍ରମ୍ପଙ୍କ ନିଷ୍ପତ୍ତି କେତେଦିନ ରହିବ, ତାକୁ ନେଇ ବି ଆଲୋଚନା ହୋଇଛି । ଅକ୍ଟୋବରରେ ପ୍ରସ୍ତାବିତ କ୍ବାଡ଼ ସମ୍ମିଳନୀରେ କିଛି ବାଟ ବାହାରିବାର ସମ୍ଭାବନା ରହିଛି । ଅଷ୍ଟ୍ରେଲିଆ, ଜାପାନ, ଆମେରିକା ଓ ଭାରତକୁ ନେଇ ହେବ ଗୁରୁତ୍ବପୂର୍ଣ୍ଣ ଆଲୋଚନା । ଏଥର ଭାରତ ସମ୍ମିଳନୀ ଆୟୋଜନ କରୁଥିବାରୁ ଟ୍ରମ୍ପ-ମୋଦି ସିଧାସଳଖ କଥା ହେବାର ସମ୍ଭାବନା ରହିଛି ।

ଟ୍ରମ୍ପ ଟାରିଫର ସମାଧାନ ନ ହେଲେ ଆମେରିକାକୁ ଓଡ଼ିଶାର ଚିଙ୍ଗୁଡ଼ି ଯିବା ମୁସ୍କିଲ ହୋଇପଡ଼ିବ । ଚାନ୍ଦୁଆ, ବାନ୍ଧକଳା, ପାଟଶାଢୀ ରପ୍ତାନୀ ବି ପ୍ରଭାବିତ ହେବ। ସାଂଘାଇ ସମ୍ମିଳନୀରେ ଚୀନ-ଭାରତ-ରଷିଆ ଭଳି ବଡ଼ ବଡ଼ ରାଷ୍ଟ୍ର ଏକାଠି ହୋଇ ଏହା ଉପରେ ଆଲୋଚନା କରିଥିବାରୁ, ଟ୍ରମ୍ପ ଟାରିଫକୁ ଟକ୍କର ଦେବା ପାଇଁ କିଛି ବାଟ ବାହାରିବା ନେଇ ଆଲୋଚନା ହେଉଛି ।

ମହିଳାଙ୍କ ହକ ଓ ସୁରକ୍ଷା ପାଇଁ ନବୀନଙ୍କ ମହିଳା ବ୍ରିଗେଡଙ୍କ ରଣହୁଙ୍କାର

ନନ୍ଦିଘୋଷ ବ୍ୟୁରୋ: ମହିଳାଙ୍କ ସୁରକ୍ଷା ପାଇଁ ସଂକଳ୍ପ ନେଇଛି ବିଜୁ ମହିଳା ଜନତା ଦଳ । ଦିନକୁ ଦିନ ରାଜ୍ୟରେ ମହିଳା ଅସୁରକ୍ଷିତ ହୋଇପଡିଥିବାରୁ ମହିଳାଙ୍କ ହକ ଓ ଅଧିକାର ପାଇଁ ଦଳ ଲଢେଇ କରିବ । ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଓ ୧୫ ଜଣିଆ ମହିଳା ବ୍ୟାପାର ଟିମ ଦାୟିତ୍ବ ନେବା ପରେ ସରକାରଙ୍କ ବିରୋଧରେ ଦେଇଛନ୍ତି ରଣହୁଙ୍କାର । ଦଳର ସଭାପତି ମହିଳା ନେତ୍ରୀମାନଙ୍କ ଉପରେ ବିଶ୍ବାସ ଓ ଭରସା କରିଥିବାରୁ ନେତ୍ରୀମାନେ ସଭାପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ମହିଳାଙ୍କୁ ପ୍ରତାରଣା କରିଛି ବିଜେପି ସରକାର । ଦିନକୁ ଦିନ ରାଜ୍ୟରେ ଅସୁରକ୍ଷିତ ହୋଇପଡୁଛନ୍ତି ମହିଳା । ଶିକ୍ଷାନୁଷ୍ଠାନରୁ ଆରମ୍ଭ କରି ପର୍ଯ୍ୟଟନସ୍ଥଳୀ ଯାଏଁ କେଉଁଠି ବି ସୁରକ୍ଷିତ ନୁହନ୍ତି ମହିଳା । ନାରୀ ନିର୍ଯାତନା, ଦୁଷ୍କର୍ମ ମାମଲା ହୁହୁ ହୋଇ ବଢୁଛି, ନ୍ୟାୟ ପାଉନାହିଁ ମାଆ । ଘର ବାହାରିବାକୁ ଭୟ ଲାଗୁଛି । ଏପରି ସ୍ଥିତିରେ ମହିଳାଙ୍କୁ ସୁରକ୍ଷା ଦେବାକୁ ସଂକଳ୍ପ ନେଇଛି ବିଜୁ ମହିଳା ଜନତା ଦଳ । ବିଜେଡି ସଭାପତି ନବୀନ ପଟ୍ଟନାୟକ ବିଜୁ ମହିଳା ଜନତା ଦଳର ପୁନର୍ଗଠନ କରି ମହିଳା ସଂଗଠନର ମଙ୍ଗ ଧରାଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଦଳର ବରିଷ୍ଠ ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ । ଦାୟିତ୍ବ ନେବାର ପ୍ରଥମ ଦିନରୁ ଟିମର ସଦସ୍ୟମାନେ ଶଙ୍ଖଭବନରେ ଏକାଠି ହୋଇ ମହିଳାଙ୍କ ହକ ଓ ଅଧିକାର ପାଇଁ ଲଢେଇ କରିବାକୁ ସଂକଳ୍ପ ନେଇଛନ୍ତି । ପ୍ରଥମ ଦିନରୁ ରାଜ୍ୟ ସରକାରଙ୍କ ମହିଳା ବିରୋଧୀ ଆଭିମୁଖ୍ୟ ବିରୋଧରେ ମିଳିତ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛନ୍ତି ନେତ୍ରୀମାନେ ।

ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟରେ ମହିଳାମାନେ ସଶକ୍ତ ଓ ସ୍ବାବାଲମ୍ବୀ ହୋଇଥିଲେ । ୭୦ ଲକ୍ଷ ମହିଳା ମିଶନ ଶକ୍ତି ଜରିଆରେ ଆର୍ଥିକ ଓ ସାମାଜିକ ସ୍ତରରେ  ସଶକ୍ତ ହୋଇଥିଲେ । ରାଜନୈତିକ କ୍ଷେତ୍ରରେ ମଧ୍ୟ ମହିଳାଙ୍କୁ ଗୁରୁତ୍ବ ଦେଉଥିଲେ ନବୀନ । ଘରର ଚାରିକାନ୍ଥରୁ ବାହାରି ବିଦେଶ ବୁଲିବାର ସ୍ବପ୍ନକୁ ସାକାର କରିଥିଲେ । ବିଜେପି ସରକାର ଆସିବା ପରେ ପ୍ରଥମେ ସୁଭଦ୍ରା ଯୋଜନା ନାଁରେ ପ୍ରତାରଣାର ଶିକାର ହେଲେ । ମାତ୍ର ୫  ହଜାର ଟଙ୍କାରେ ମହିଳାମାନେ କିପରି ଲକ୍ଷପତି ଦିଦି ହେଲେ ବୋଲି ବିଜେଡି ପ୍ରଶ୍ନ କରିଛି । ନବୀନ ପଟ୍ଟନାୟକ ଯେଉଁ ଆଶା ଓ ବିଶ୍ବାସ ମହିଳାଙ୍କ ମନରେ ଭରିଥିଲେ ତାହା କିପରି ଅତୁଟ ରହିବ ସେ ଦିଗରେ ବିଜୁ ମହିଳା ଜନତା ଦଳ କାମ କରିବ ।

ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ । ଏହାପୂର୍ବରୁ ବିଜୁ ମହିଳା ଜନତା ଦଳର ପୁନର୍ଗଠନ କରି ତୃଣମୂଳ ସ୍ତରରେ ମହିଳା ସଂଗଠନକୁ ଅଧିକ ଶକ୍ତିଶାଳୀ କରିବାକୁ ବିଜେଡି ଲକ୍ଷ୍ୟ ରଖିଛି ।

ବଙ୍ଗୋପ ସାଗରରେ ବ୍ୟାକ ଟୁ ବ୍ୟାକ ଲଘୁଚାପ: ୧୬ ତାରିଖ ଯାଏଁ ପ୍ରବଳ ବର୍ଷା, ୨୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

ନନ୍ଦିଘୋଷ ବ୍ୟୁରୋ: ଚିନ୍ତା ବଢାଇଲାଣି ବ୍ୟାକ ଟୁ ବ୍ୟାକ ଲଘୁଚାପ । ଗୋଟିଏ ଲଘୁଚାପ ପ୍ରଭାବ ନଯାଉଣୁ ପୁଣି ବଙ୍ଗୋପ ସାଗରରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ କ୍ଷେତ୍ର । ପ୍ରଭାବରେ ୧୧ରୁ ୧୬ ଯାଏଁ ପୁଣି ବର୍ଷା ଲାଗି ରହିବା ନେଇ ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ସେପଟେ ୧୦ ତାରିଖ ଯାଏଁ ବର୍ଷା ସମ୍ଭାବନା ନେଇ ୟେଲୋ ଆଲର୍ଟ ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର I

ଗୋଟିଏ ଲଘୁଚାପର ପ୍ରଭାବ ନକମୁଣୁ ଆଉ ଏକ ଲଘୁଚାପ ସମ୍ଭାବନା । ମୌସୁମୀ ଟ୍ରପ ଲାଇନ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା । ଆହୁରି ୫ ଦିନ ବର୍ଷିବା ନେଇ ଆଲର୍ଟ କରିଛି ପାଣିପାଗ କେନ୍ଦ୍ର । ଆସନ୍ତାକାଲି ପାଇଁ ୨୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି I ୧୦ ତାରିଖ ଯାଏଁ ପ୍ରବଳ ବର୍ଷା ନେଇ ସତର୍କ କରିଛି କେନ୍ଦ୍ର । ଆସନ୍ତା ୨୪ ଘଣ୍ଟାରେ କେନ୍ଦୁଝର, ମୟୁରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହିତ ଘଣ୍ଟାପ୍ରତି ଝଟକା ପବନ ୩୦ରୁ ୪୦ କିମି ରହିପାରେ । ୨୪ ଘଣ୍ଟାରେ ବରଗଡ଼ର ପଦ୍ମପୁର ଓ ରାୟଗଡ଼ା ପଦ୍ମପୁରରେ ୮୮.୦ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ୯ଟି ଜିଲ୍ଲାରେ ପ୍ରବଳ ବର୍ଷା ରେକର୍ଡ ହୋଇଛି ।

ଟ୍ରପଲାଇନର ପ୍ରଭାବ ନ କମୁଣୁ ସେପଟେ ପୁଣି ବଙ୍ଗୋପ ସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛନ୍ତି ବିଶେଷଜ୍ଞ । ୧୧ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଯାହା ଅଧିକ ଘନୀଭୂତ ହୋଇ ୧୩ ତାରିଖ ବେଳକୁ ଲଘୁଚାପର ରୂପ ନେବ I ଯାହାର ପ୍ରଭାବରେ ୧୬ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି I ରାଜ୍ୟରେ ବ୍ୟାକ ଟୁ ବ୍ୟାକ ଲଘୁଚାପ ଯୋଗୁଁ ସମୁଦ୍ର ଅଶାନ୍ତ ରହୁଛି । ତେଣୁ ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।

ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି: ଫୁଲୁଛନ୍ତି ବୈତରଣୀ, ସାଳନ୍ଦୀ, ରେବ, କପାଳି ନଦୀ

ନନ୍ଦିଘୋଷ ବ୍ୟୁରୋ: ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା । ବଢୁଛି ବିଭିନ୍ନ ନଦୀର ଜଳସ୍ତର । ଉପରମୁଣ୍ଡରେ ଜୋର୍ ବର୍ଷା ଯୋଗୁଁ ମହାନଦୀର ଜଳସ୍ତର ବଢିଛି । ହୀରାକୁଦର ୨୪ଟି ଗେଟ୍ ଖୋଲିବାରୁ ଗୁଣ୍ଡେରପୁର ବ୍ରିଜ ଉପରେ ପାଣି । ସମ୍ବଲପୁର-ସୁବର୍ଣ୍ଣପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ । ଉତ୍ତର ଓଡ଼ିଶାରେ ବୈତରଣୀ, ସାଳନ୍ଦୀ, ଜଳକା ଫୁଲୁଛନ୍ତି । ତେଣୁ ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାରେ ଦେଖା ଦେଇଛି ବନ୍ୟା ପରିସ୍ଥିତି । ଜଳବନ୍ଦୀ ଜୀବନ ବିତାଉଛନ୍ତି ଲୋକେ । ହଜାର ହଜାର ହେକ୍ଟର ଚାଷ ଜମି ବୁଡ଼ିଛି ପାଣିରେ ।

ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି । ବୈତରଣୀ, ସାଳନ୍ଦୀ, ରେବ, କପାଳି ପରି ନଦୀ ଫୁଲୁଛନ୍ତି । ଲଘୁଚାପ ବର୍ଷା ଯୋଗୁଁ ଏହି ସବୁ ନଦୀର ଜଳସ୍ତର ବୃଦ୍ଧି ପାଇଛି ।  ବୈତରଣୀ ଓ ସାଳନ୍ଦୀର ପାଣି ନିଷ୍କାସନ ହୋଇପାରୁନି । ଏହାଦ୍ଵାରା ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ୪ଟି ପଞ୍ଚାୟତ ଆରଡି, ଓଳଗ, ସୁନ୍ଦରପୁର, ନାନ୍ଦପୁରରେ ଦେଖାଦେଇଛି ବନ୍ୟା ସ୍ଥିତି । ବୈତରଣୀ ଓ ସାଳନ୍ଦୀ ନଦୀର ଶାଖାନଦୀ ରେବ ଓ କପାଳୀ ଉଛୁଳିବାରୁ ଧାମନଗର ବ୍ଲକର ଦୋବଲ, ଖଡିପଦା, କର୍ପଦା,  ପଧାନୀ, ସୋହଡା, ଅର୍ଜୁନପୁର, ହସନାବାଦ, ନଦୀ ଗାଁ ଆଦି ୮ ପଞ୍ଚାୟତ ହୋଇଛି ଜଳବନ୍ଦୀ ।  ସେହିପରି ତିହିଡ଼ି ବ୍ଲକର ବୋଡକ, କାଶିପୁର, ବିଲଣା, ବାରସର ଆଦି ୫ ପଞ୍ଚାୟତରେ ବନ୍ୟା ପାଣି ପ୍ରବାହିତ ହେଉଛି । ବୈତରଣୀରେ ଏହା ହେଉଛି ତୃତୀୟ ବନ୍ୟା । ହଜାର ହଜାର ହେକ୍ଟର ଚାଷଜମିରେ ମାଡ଼ି ଯାଇଛି ବନ୍ୟାପାଣି । ଆଖଣ୍ଡଳମଣି-କୁଆଖିଆ ୨୦ ନମ୍ଵର ଜାତୀୟ ରାଜପଥର ବୋଡକରେ ଚାଲିଛି ୨ଫୁଟ ପାଣି ।

ସେହିପରି ଜଳକା ନଦୀର ଜଳସ୍ତର ମଧ୍ୟ ବଢୁଛି । ତେଣୁ ଏହି ନଦୀରେ ଚତୁର୍ଥ ଥର ବନ୍ୟା ଆଶଙ୍କା ଦେଖା ଦେଇଛି । ୪ ଦିନ ଧରି ବସ୍ତା ଅଞ୍ଚଳ ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ବାଲେଶ୍ଵର ବସ୍ତା ବ୍ଲକର ୧୦ଟି ପଞ୍ଚାୟତ ଓ ସଦର ବ୍ଲକର ୨ଟି ପଞ୍ଚାୟତ ପ୍ରଭାବିତ ହେବାର ଆଶଙ୍କା ଅଛି ।  ଏହାକୁ ନେଇ ଚିନ୍ତାରେ ଚାଷୀ । ବସ୍ତାର ପ୍ରଭାବିତ ଅଞ୍ଚଳ ବୁଲି ଦେଖିଛନ୍ତି  ବିଜେଡି ବିଧାୟିକା ସୁବାସିନୀ ଜେନା ।  ବିପନ୍ନଙ୍କ ସହ ଆଲୋଚନା କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ରାଜ୍ୟର ବନ୍ୟା ସ୍ଥିତି ନେଇ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି, ବର୍ତ୍ତମାନ ଜଳକାରେ ବନ୍ୟା ସ୍ଥିତି ନାହିଁ । ତେବେ ବୈତରଣୀ ଯୋଗୁଁ ବାଲେଶ୍ୱର ବସ୍ତା ଅଂଚଳ ପ୍ରଭାବିତ ହେବ । ଜିଲ୍ଲା ପ୍ରଶାସନକୁ ଏ ନେଇ ସଜାଗ କରାଯାଇଛି । ବୈତରଣୀର ଜଳସ୍ତର ବିପଦ ସଙ୍କେତ ତଳେ ଅଛି । ଗତକାଲି ୧୫ ବ୍ଲକରେ ୫୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି । ପଦ୍ମପୁରରେ ସର୍ବାଧିକ ୮୮ ମିଲିମିଟର ବର୍ଷା ହୋଇଛି । ମହାନଦୀରେ ଏବେ ବନ୍ୟା ସ୍ଥିତି ନାହିଁ । ସେପଟେ ହୀରାକୁଦର ଆଉ ୪ଟି ଗେଟ୍ ଖୋଲିଛି । ବର୍ତ୍ତମାନ ୨୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଗୁଣ୍ଡେରପୁରରେ ରାସ୍ତା ଉପରେ ଚାଲିଛି ମହାନଦୀ ପାଣି । ସମ୍ବଲପୁର-ସୁବର୍ଣ୍ଣପୁର ଯୋଗାଯୋଗ ବିଚ୍ଛନ୍ନ ହୋଇଯାଇଛି । ସୁରକ୍ଷା ଦୃଷ୍ଟିରୁ ଗାଡ଼ି ଚଳାଚଳ ବନ୍ଦ କରାଯାଇଛି । ସମ୍ବଲପୁର ସହରରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ନର୍ଦ୍ଦମା ପାଣି ନିଷ୍କାସିତ ହୋଇପାରୁନାହିଁ । ହୀରାକୁଦର ଅଧିକ ଗେଟ୍ ଖୋଲିଲେ ଲୋକଙ୍କ ଘରେ ପାଣି ପଶିବାର ଆଶଙ୍କା ଦେଖା ଦେଇଛି ।

ଟ୍ରମ୍ପଙ୍କ ବଡ଼ ବୟାନ: ଲାଗୁଛି ଚୀନ ହାତରେ ଆମେ ଭାରତ ଓ ଋଷକୁ ହରାଇ ଦେଲେ

ନନ୍ଦିଘୋଷ ବ୍ୟୁରୋ: ସାର ବିଶ୍ବରେ ଟାରିଫ ଓ୍ବାର ଲଗାଇବା ପରେ ଏବେ ଆମେରିକା ରାଷ୍ଟ୍ରପତି ଭୟଭିତ ହୋଇ ଯାଇଛନ୍ତି । SCO ସମ୍ମିଳନୀରୁ ଯେମିତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଏକାଠି ଦେଖିବା ପରେ ଟ୍ରମ୍ପଙ୍କ ନିଦ ହଜି ଯାଇଛି । ସ୍ଥିତି ଏମିତି ଯେ, ଆମେରିକାକୁ ପୁଣି ଥରେ ଗ୍ରେଟ୍ କରିବା ଚକ୍କରରେ ଭାରତ ପରି ସହଯୋଗୀଙ୍କୁ ହାତ ଛଡ଼ା କରି ଦେଇଛି । ଏ କଥା ସାରା ବିଶ୍ବର ଅର୍ଥନିତିଜ୍ଞଙ୍କ ସମେତ ଆମେରିକାରୁ ବି ଶୁଣିବାକୁ ମିଳୁଛି । ଆଉ ବିଳମ୍ବ ହେଲେ ବି ଏହି ସତକୁ ନିଜେ ଟ୍ରମ୍ପ ସ୍ବୀକାର କରିଛନ୍ତି । ଯାହା ତାଙ୍କ ସୋସିଆଲ ମିଡିଆ ପୋଷ୍ଟରୁ ଜଣାପଡୁଛି ।

ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଟ୍ରୁଥରେ ଟ୍ରମ୍ପ ଏକ ପୋଷ୍ଟ କରିଛନ୍ତି । ଏଥିରେ ସେ ଲେଖିଛନ୍ତି, ଆମେ ଭାରତ ଓ ଋଷକୁ ଖତରନାକ ଚୀନ ହାତରେ ହରାଇ ଦେଲେ । ଏଥିରେ ସେ ଜିନପିଙ୍ଗ, ପୁଟିନ ଓ ମୋଦିଙ୍କ SCO ବୈଠକ ବେଳର ଫଟୋ ସେୟାର କରିଛନ୍ତି । ଏହାସହ ଲେଖିଛନ୍ତି, ଆଶା କରୁଛି ସେମାନଙ୍କ ସମ୍ପର୍କ ଦୀର୍ଘସ୍ଥାୟୀ ଓ ସମୃଦ୍ଧ ହେବ ।

ସୂଚନାଯୋଗ୍ୟ, ଚୀନର ତିଆନଜିନରେ ହୋଇଥିବା ଏସସିଓ ସମ୍ମିଳନୀରେ ପୁଟିନ, ମୋଦି ଓ ଜିନପିଙ୍ଗଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ଏହି ସମୟରେ ତିନି ନେତାଙ୍କ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ଦୁନିଆକୁ ଏ ସଙ୍କେତ ଦେଇଥିଲା ଯେ ଟ୍ରମ୍ପଙ୍କ ଟାରିଫ ଓ୍ବାର ମଧ୍ୟରେ ଏକ ନୂଆ ଓ୍ବାଲ୍ଡ ଅର୍ଡର ଆକାର ନେଉଛି । ତେବେ ଏନେଇ ଭାରତର ବୈଦେଶିକ ମନ୍ତ୍ରାଳୟର ପ୍ରେସ ବ୍ରିଫିଙ୍ଗରେ ଟ୍ରମ୍ପଙ୍କ ବୟାନକୁ ନେଇ ପ୍ରଶ୍ନ କରାଯାଇଥିବା ବେଳେ ମନ୍ତ୍ରାଳୟ ପ୍ରବକ୍ତା ରଣଧିର ଜୟଶଓ୍ବାଲ କିଛି କହିବାକୁ ମନା କରିଦେଇଥିଲେ ।

ସୂଚନାଯୋଗ୍ୟ, ଗତମାସ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଟାରିଫ ଲଗାଇବା ପରେ ଭାରତ ଓ ଆମେରିକା ସମ୍ପର୍କରେ ତିକ୍ତତା ଆସିଛି । ସେହିପରି ଟ୍ରମ୍ପ ଚୀନ ଉପରେ ୧୪୫ ପ୍ରତିଶତ ଟାରିଫ ଲଗାଇଛନ୍ତି । ହେଲେ ଏହାକୁ ୯୦ ଦିନ ପାଇଁ ସ୍ଥଗିତ ରଖାଯାଇଛି ।

ଭାରତରେ ହେଲା ପ୍ରଥମ TESLA କାର୍ ଡେଲିଭରି: ନାତିକୁ ଗିଫ୍ଟ ଦେବାକୁ ଏହି ମନ୍ତ୍ରୀ କିଣିଲେ ପ୍ରଥମ କାର୍

ନନ୍ଦିଘୋଷ ବ୍ୟୁରୋ: ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ଟେସଲା କାର୍ ନିର୍ମାଣ କମ୍ପାନୀ ଆଜି ଭାରତରେ ତା’ର ପ୍ରଥମ କାର ‘Tesla Model Y’ର ପ୍ରଥମ ୟୁନିଟ୍ ଡେଲିଭରି କରିଛି । ମୁମ୍ବାଇର ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସରେ ନିକଟରେ ଖୋଲିଥିବା ଟେସଲା ଏକ୍ସପ୍ରିଏନ୍ସ ସେଣ୍ଟରରୁ ଏହି ଡେଲିଭରି କରାଯାଇଛି । ଭାରତରେ ଟେସଲାର ଅଫିସିଆଲ ଏଣ୍ଟ୍ରି ପରେ ପ୍ରଥମ କାର ମହାରାଷ୍ଟ୍ର ପରିବହନ ମନ୍ତ୍ରୀ ପ୍ରତାପ ସରନାଇକ କିଣିଛନ୍ତି ।

ଜୁଲାଇରେ କମ୍ପାନୀର ପ୍ରଥମ ଶୋ ରୁମ୍ ଖୋଲିବାର ପରେ ପରେ ହିଁ ସରନାଇକ Model Y ମଡେଲ ବୁକ କରିଥିଲେ । ସୂଚନାଯୋଗ୍ୟ, ଜୁଲାଇ ୧୫ ତାରିଖରେ ଟେସଲା ଭାରତରେ ଅଫିସିଆଲ ଏଣ୍ଟିର ଘୋଷଣା କରିଥିଲା । ଏହାସହ ପ୍ରଥମ ଶୋ ରୁମ୍ ଖୋଲିଥିଲା । ଏଠାରେ ନା କେବଳ କାର୍ କିଣି ପାରିବେ, ଗ୍ରାହକ କାରକୁ ପାଖରୁ ଦେଖିବା ଓ ଏହାକୁ ବୁଝିବାକୁ ମଧ୍ୟ ସୁଯୋଗ ପାଇଥାନ୍ତି ।

ନାତିକୁ କରିବେ ଗିଫ୍ଟ

Model Y ଡେଲିଭରି ନେବା ବେଳେ ସରନାଇକ କହିଛନ୍ତି, ଏହି କାର କିଣିବାର କୌଣସି ବ୍ୟକ୍ତିଗତ କାରଣ ନାହିଁ । ଏହା ମହାରାଷ୍ଟ୍ରର ମହତ୍ବକାଂକ୍ଷାର ପ୍ରତୀକ । ସେ କହିଛନ୍ତି, ମୁଁ ଟେସଲା କାର ଏଥିପାଇଁ କିଣିଲି କାରଣ ସାଧାରଣ ଲୋକେ ବିଶେଷ କରି ଯୁବବର୍ଗ ଇ-ଭେଇକିଲକୁ ନେଇ ସଚେତନ ହେବେ । ଏହି କାରକୁ ମୁଁ ମୋ ନାତିକୁ ଉପହାରରେ ଦେବାକୁ ଯାଉଛି । ଏହାଦ୍ବାରା ପିଲାଦିନୁ ସେ ଇ-ଭେଇକିଲକୁ ନେଇ ସଚେତନ ହୋଇପାରିବ ।

Tesla Model Y ରେ କ’ଣ ରହିଛି ଫିଚର ?

Tesla Model Y ର ଦୁଇଟି ଭେରିଏଣ୍ଟ ଷ୍ଟାଣ୍ଡାର୍ଡ ଓ ଲଙ୍ଗ ରେଞ୍ଜ ବଜାରକୁ ଆସିଛି । ଷ୍ଟାଣ୍ଡାର୍ଡ ଭେରିଏଣ୍ଟର ମୂଲ୍ୟ ୫୯.୮୯ ଲକ୍ଷ ଟଙ୍କା ଥିବା ବେଳେ ଲଙ୍ଗ ରେଞ୍ଜର ମୂଲ୍ୟ ୬୭.୮୯ ଲକ୍ଷ ଟଙ୍କା (ଏକ୍ସ-ଶୋ ରୁମ୍) ରହିଛି । ତେବେ ଦିଲ୍ଲୀ ଓ ମୁମ୍ବାଇ ପାଇଁ ଅନ୍ ରୋଡ ମୂଲ୍ୟ ଭିନ୍ନ ଭିନ୍ନ ରହିବ । ଏହି କାର ଦୁଇଟି ଅଲଗା ଅଲଗା ବ୍ୟାଟେରୀ ପ୍ୟାକ (60 kWh ଓ 75 kWh) ସହ ଅସୁଛି । 60 kWh ବ୍ୟାଟେରୀକୁ ଥରେ ଚାର୍ଜ କଲେ ୫୦୦ କିମି ପର୍ଯ୍ୟନ୍ତ ଚାଲିବ । ସେପଟେ ଲଙ୍ଗ ରେଞ୍ଜ ଭେରିଏଣ୍ଟରେ ୬୨୨ କିମି ପର୍ଯ୍ୟନ୍ତ ଚାଲିପାରିବ ।

ବିଜେପି ସରକାରରେ ମହିଳାଙ୍କୁ ମିଳୁନି ନ୍ୟାୟ, ରାଜ୍ୟରେ ଅସୁରକ୍ଷିତ ମହିଳା : ବିଜେଡି

ନନ୍ଦିଘୋଷ ବ୍ୟୁରୋ : ମହିଳାମାନଙ୍କ ସୁରକ୍ଷା ପାଇଁ ସଂକଳ୍ପ ନେଇଛି ବିଜୁ ମହିଳା ଜନତା ଦଳ । ରାଜ୍ୟର ମହିଳାମାନଙ୍କ ସୁରକ୍ଷା ପ୍ରଥମ କାମ ହେବ ବୋଲି କହିଛନ୍ତି ନୂଆ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ । ସେ କହିଛନ୍ତି, ବିଜୁ ମହିଳା ଜନତା ଦଳ ଗଠିତ ହୋଇଛି। ଏଥିପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ପ୍ରେସମିଟ କରି ଧନ୍ୟବାଦ ଦେଇଛନ୍ତି ମହିଳା ୱିଙ୍ଗର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ । ବିଜୁ ମହିଳା ଜନତା ଦଳର ୧୫ଜଣିଆ କମିଟି ଗଠନ କରାଯାଇଛି । ମହିଳା ସଂଗଠନକୁ ସୁସଂଗଠିତ କରାଯାଇଛି । ଆଗାମୀ ଦିନରେ ମହିଳା ସଂଗଠନକୁ ଆହୁରି ମଜଭୁତ କରାଯିବ। ମିଶନ ଶକ୍ତିରେ ୭୦ଲକ୍ଷ ମହିଳାଙ୍କୁ ସାମିଲ କରି ନବୀନ ପଟ୍ଟନାୟକ ମହିଳାମାନଙ୍କୁ ସଶକ୍ତ କରିଥିଲେ। ଜଣେ ମିଶନ ଶକ୍ତି ମହିଳାଙ୍କୁ ସେ ସଂସଦକୁ ପଠାଇଥିଲେ। ହେଲେ ଆଜି ଓଡ଼ିଶାରେ ମହିଳା ମାନେ ଅସୁରକ୍ଷିତ ହୋଇପଡିଛନ୍ତି । ନ୍ୟାୟ ନପାଇ ମହିଳାମାନେ ଆତ୍ମାହୁତି କରିବାକୁ ପଛାଉ ନାହାନ୍ତି । ମହିଳାମାନେ ଆଜି ଭୟରେ ଅଛନ୍ତି । ବିଜେପି ସରକାରରେ ମହିଳାମାନେ ତଳକୁ ତଳକୁ ଯାଉଛନ୍ତି । ରାଜ୍ୟର ମହିଳା ମାନଙ୍କୁ ସୁରକ୍ଷା ଦେବା ପାଇଁ ସଂକଳ୍ପ ନେବ ବିଜୁ ମହିଳା ଜନତା ଦଳ। ମହିଳା ସମସ୍ୟା ପାଇଁ ଲଢ଼େଇ କରିବା ଲାଗି ବିଜେଡି ଆଗରେ ରହିବ ବୋଲି କହିଛନ୍ତି ନୂଆ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ।

ହିମାଚଳ ପ୍ରଦେଶରେ ଥମୁନି ବର୍ଷା ତାଣ୍ଡବ ; ଫସିଛନ୍ତି ଅନେକ ପର୍ଯ୍ୟଟକ

ନନ୍ଦିଘୋଷ ବ୍ୟୁରୋ : ହିମାଚଳ ପ୍ରଦେଶରେ ଥମୁନି ବର୍ଷା ତାଣ୍ଡବ। ପ୍ରବଳ ବର୍ଷା ଓ ବନ୍ୟା ଯୋଗୁ ଫସିଛନ୍ତି ଅନେକ ପର୍ଯ୍ୟଟକ। ରାଜ୍ୟରେ ଏସଡିଆରଏଫ ଓ ଏନଡିଆରଏଫ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଚମ୍ବାଠାରେ ମଣିମହେଶ ଯାତ୍ରାରେ ଯାଇଥିବା ଯାତ୍ରୀଙ୍କ ମଧ୍ୟରୁ ୫୦ଜଣଙ୍କୁ ଉଦ୍ଧାର କରିଛି ଭାରତୀୟ ବାୟୁସେନାର ଚିନୁକ ହେଲିକପ୍ଟର। ରାଜ୍ୟରେ ଗତ ଏକ ମାସ ଧରି ବାଦଲଫଟା ବର୍ଷା, ଭୂସ୍ଖଳନ ଓ ବନ୍ୟା ଯୋଗୁ ସ୍ଥିତି ଅତି ସଂଗୀନ ହୋଇଛି। ଶହ ଶହ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ମଣିମହେଶ ଯାତ୍ରାରେ ଆଉ କିଛି ପର୍ଯ୍ୟଟକ ଫସିଥିବା ସୂଚନା ମିଳିଛି। ସେହିଭଳି ଗୌରୀକୁଣ୍ଡ, ହର୍ସିଲ, ଭାରମୋରରେ ବି ପର୍ଯ୍ୟଟକ ଫସିଛନ୍ତି। ଗତ ୨ ଦିନ ଭିତରେ ରାଖ ଓ ବାଗାରୁ ୧୪ଶହରୁ ଅଧିକ ଯାତ୍ରୀଙ୍କୁ ଉଦ୍ଧାର କରାଗଲାଣି।.

ବାପାର ଲୋମହର୍ଷକ କାଣ୍ଡ : ୩ ସନ୍ତାନଙ୍କୁ ହତ୍ୟା କରି ନିଜେ କଲା ଆତ୍ମହତ୍ୟା

ନନ୍ଦିଘୋଷ ବ୍ୟୁରୋ :  ତେଲଙ୍ଗନାର ନାଗରକୁର୍ନୁଲରେ ବାପାର ଲୋମହର୍ଷକ କାଣ୍ଡ। ୩ ସନ୍ତାନଙ୍କୁ ହତ୍ୟା କରିବା ସହ ମୃତଦେହ ଗୁଡିକୁ ଜାଳିଦେଲା ବାପା। ବୀଭତ୍ସ କାଣ୍ଡ ଘଟାଇବା ପରେ ସେ ଆତ୍ମହତ୍ୟା କରିଛି। ପାରିବାରିକ କାରଣରୁ ସେ ଏହି କାଣ୍ଡ ଘଟାଇଥିବା ସୂଚନା ମିଳିଛି। ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାର ଗୁଟ୍ଟା ଫଭେଙ୍କଟଶ୍ବରଲୁ ନାମକ ଜଣେ ବ୍ୟକ୍ତି ଏକ ସାର ଦୋକାନ କରିଥିଲେ। ଗତ ଅଗଷ୍ଟ ୩୦ରେ ପତ୍ନୀଙ୍କ ସହ ସେ କଳହ କରିଥିଲେ। ପରେ ୩ ସନ୍ତାନଙ୍କ ସହ ସେ ବାଇକରେ ଘରୁ ଚାଲିଯାଇଥିଲା। ପିଲାମାନଙ୍କ ବୟସ ୪ରୁ ୮ ବର୍ଷ ମଧ୍ୟରେ ଥିଲା। ପରେ ସେ ଉପନୁଥାଲା ଅନ୍ତର୍ଗତ ସୂର୍ଯାତାନ୍ଦାଠାରେ ସେ ୩ ସନ୍ତାନଙ୍କୁ ହତ୍ୟା କରି ଜାଳିଦେଇଥିଲା। ହତ୍ୟାକାଣ୍ଡ ଘଟାଇ ସେ କୀଟନାଶକ ପିଇ ଆତ୍ମହତ୍ୟା କରିଥିଲା। ୩ ସନ୍ତାନଙ୍କୁ ଧରି ବାଇକରେ ଯିବାର ସିସିଟିଭି ଫୁଟେଜ ମିଳିଛି। ଘଟଣାର ତଦନ୍ତ କରୁଛି ପୋଲିସ।