spot_img
Home Blog Page 2534

ବିଏମସିର ମିସନ ଗ୍ରୀନ କ୍ଲିନ; ଏଣିକି ସ୍ୱଚ୍ଛ ରହିବ ସହରର ଗଳି କନ୍ଦି

ଭୁବନେଶ୍ୱର: ଅଳିଆ, ଆବର୍ଜନା ଓ ଅସନା। ବୁଦା, ମଶା ସାଙ୍ଗକୁ ପଚା ଗନ୍ଧରେ ନାକ ଫାଟୁଥିଲା । ସଫେଇ ଗାଡି ବୁଲୁଥିଲେ ବି ଘର ଭିତରୁ ଅଳିଆ ଫିଙ୍ଗୁ ଥିଲେ ଲୋକେ । କଞ୍ଜରଭେନ୍ସି ଲେନ ବା ସ୍ବେରେଜ ଗଳି ସାଜିଥିଲା ମିନି ଡମ୍ପିଂ ଓ୍ବାର୍ଡ। ସହରକୁ ସ୍ବଚ୍ଛ ଓ ସବୁଜ କରିବାକୁ ବିଏମସି ଚଳାଇଛି ମିସନ ଗ୍ରୀନ କ୍ଲିନ।

ଏ ସବୁ କରିବା ପଛରେ କାରଣ ହେଉଛି ପରିବେଶକୁ ସଫା ରଖିବା । ଏହା ସହିତ ସ୍ବେରେଜ ଲେନକୁ ଓ୍ବାଟକୋ ସଫା କରିବା ସହ ରକ୍ଷଣାବେକ୍ଷଣ କରିବ । ଯାହାଦ୍ବାରା ବିଏମସି କର୍ମଚାରୀଙ୍କୁ ସଫା କରିବା ସହଜ ହେବ । ଯାହା ଫଳରେ ମଶାଙ୍କ ଉପଦ୍ରବ କମିବା ସହିତ ସହର ସଫା ସୁତୁରା ରହିବ । ଏନେଇ ବିଭିନ୍ନ ଓ୍ବାର୍ଡର କଞ୍ଜରଭେନ୍ସି ଲେନରେ କେମିତି କାମ ଛାଲିଛି କାମ, ସେସବୁର ସମୀକ୍ଷା କରିଛନ୍ତି ବିଏମସି କମଶନର ।

ସମୀକ୍ଷା ବେଳେ ସ୍ଥାନୀୟ କର୍ପୋରେଟର, ସାନିଟେସନ ଡେପୁଟି କମିଶନର, ସାଉଥ ଜୋନ ଜେଡିସି, ଯନ୍ତ୍ରୀ ଏବଂ ଓ୍ବାଟକୋ ଟିମ୍ ଉପସ୍ଥିତ ଥିଲେ । ବିଏମସି ପକ୍ଷରୁ ସାଉଥ ଓ୍ବେଷ୍ଟ ଓ ଇଷ୍ଟ ଜୋନରେ ୮୭ କିଲୋମିଟର ପର୍ଯ୍ୟନ୍ତ ପେଭର ବ୍ଲକ ପକାଇବାକୁ ଯୋଜନା ରହିଛି । ବର୍ତ୍ତମାନ ସୁଦ୍ଧା ୪୭ କିଲୋମିଟର ପର୍ଯ୍ୟନ୍ତ କାମ ସରିଲାଣି । ନୂଆବର୍ଷ ସୁଧା କାମ ସାରିବାକୁ ଲକ୍ଷ୍ୟ ରହିଛି ।

ଓଡିଶା ସ୍ବାସ୍ଥ୍ୟ ସେବାରେ ଆସିବ ପରିବର୍ତ୍ତନ, ଯୋଡିହେବ ୩୫୦ ନୂଆ ୧୦୮ ଆମ୍ବୁଲାନ୍ସ

ଭୁବନେଶ୍ୱର: ଓଡିଶା ସ୍ବାସ୍ଥ୍ୟ ସେବାରେ ଆସିବ ପରିବର୍ତ୍ତନ। ସୃଷ୍ଟି ହେବ ଆଉ ଏକ ନୂଆ ଅଧ୍ୟ୍ୟାୟ। ପୁଣି ଯୋଡିହେବ ୩୫୦ ନୂଆ ୧୦୮ ଆମ୍ବୁଲାନ୍ସ। ଲୋକଙ୍କ ଆବଶ୍ୟକତାକୁ ଦେଖି ନୂଆ ଆମ୍ବୁଲାନ୍ସ ସାମିଲ କରିବାକୁ ଯାଉଛନ୍ତି ରାଜ୍ୟ ସରକାର।

ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ ମୋଟ ୩୫୦ ନୂଆ ଆମ୍ବୁଲାନ୍ସ ସାମିଲ ହେବ। ପୂର୍ବରୁ ଥିବା ଆମ୍ବୁଲାନ୍ସ ସହ ଏହି ନୂଆ ଆମ୍ବୁଲାନ୍ସ ଯୋଗ ଦେବ। ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଏହି ଆମ୍ବୁଲାନ୍ସ  ସବୁକୁ ଉତ୍ସର୍ଗ କରିବେ। କିଛି ଦିନ ପୂର୍ବରୁ ଏହି ଆମ୍ବୁଲାନ୍ସ ଗୁଡିକର ଡ୍ରାଏରନ କରାଯାଇଥିଲା। ସପ୍ତମ ବାଟାଲିୟନରୁ ବାହାରି ଜାଭିୟର ଛକ ଦେଇ ହାତୀଆଶୁଣି ବସ୍ତିରୋଡ ପରେ ଉତ୍କଳ ହସ୍ପିଟାଲ ଠାରୁ ୟୁଟର୍ଣ୍ଣ ଦେଇ କଳିଙ୍ଗ ହସ୍ପିଟାଲ ଦେଇ ସପ୍ତମ ବାଟାଲିୟନ ମଧ୍ୟରେ ଏହି ଆମ୍ବୁଲାନ୍ସର ଡ୍ରାଏ ରନ ହୋଇଥିଲା।

ବନ୍ଧୁକ ମୁନରେ ବ୍ୟବସାୟୀଙ୍କ ଠାରୁ ଟଙ୍କା ଓ ଗାଡ଼ି ଲୁଟି ନେଲେ ଦୁର୍ବୃତ୍ତ

ବାଲେଶ୍ବର: ବନ୍ଧୁକ ମୁନରେ ବ୍ୟବସାୟୀଙ୍କ ଠାରୁ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ୩ ଲକ୍ଷ ୭୦ ହଜାର ଟଙ୍କା ସହ ସୁନାଗହଣା ଏବଂ ଗାଡ଼ି ଲୁଟି ନେଇଛନ୍ତି ୪ ଜଣ ଦୁର୍ବୃତ୍ତ । ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଥାନା ରସାଳପୁର କାନକଟା ଅଣ୍ଟିଆଚିରା ପୋଲ ନିକଟରେ ଘଟିଛି ଏଭଳି ଘଟଣା । ବନ୍ଧୁକ ମୁନରେ ଜଣେ ସିମେଣ୍ଟ ଗୋଦାମ କର୍ମଚାରୀଙ୍କ ଠାରୁ ଲୁଟ୍ ହୋଇଥିବା ନେଇ ଖନ୍ତାପଡ଼ା ଥାନାରେ ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ସିମେଣ୍ଟ ଦୋକାନର କର୍ମଚାରୀ ଦିଲ୍ଲୀପ ଦାସ ବାକି ଟଙ୍କା କଲେକ୍ସନ ପାଇଁ ଯାଇଥିଲେ। ଟଙ୍କା କଲେକ୍ସନ ସାରି ବିଳମ୍ବିତ ରାତିରେ ନିଜ ବାଇକ ଯୋଗେ ଫେରୁଥିବା ବେଳେ ୨ ଜଣ ଦୁର୍ବୃତ୍ତ ଗାଡି ଅଟକାଥିଲେ। ପରେ ବନ୍ଧୁକ ଦେଖାଇ ଟଙ୍କା, ସୁନା ଅଳଙ୍କାର ଓ ବାଇକ ନେଇ ଫେରାର ହୋଇ ଯାଇଥିଲେ । ପୋଲିସ ଘଟଣାର ତଦନ୍ତ କରୁଛି ।

ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧକୁ ୪୧ ଦିନ; ଆତଙ୍କବାଦୀଙ୍କୁ ଖୋଜି ଖୋଜି ଦମନ କରୁଛି ଇସ୍ରାଏଲ ସେନା

ଗାଜା: ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧକୁ ୪୧ ଦିନ ପୁରିଛି। ଗାଜାରେ ଜୋରଦାର ଚାଲିଛି ସଂଘର୍ଷ । ଆତଙ୍କବାଦୀଙ୍କୁ ଖୋଜି ଖୋଜି ଦମନ କରୁଛି ଇସ୍ରାଏଲ ସେନା। ଗାଜାର ଅଧିକାଂଶ ହସ୍ପିଟାଲ ଗୁଡିକୁ ଆତଙ୍କୀ ଠିକଣା କରିଥିବାରୁ ସମସ୍ତ ହସ୍ପିଟାଲକୁ ଖୋଜି ଖୋଜି ଆତଙ୍କବାଦୀଙ୍କୁ ନିପାତ କରୁଛି ଆଇଡିଏଫ୍।

ଗତକାଲି ପାଲେଷ୍ଟାଇନର ଜବାଲିଆ କ୍ୟାମ୍ପ ଉପରେ ହୋଇଥିବା ହମଲାରେ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ଇନ୍ଧନ ଅଭାବରୁ ଗାଜାର ଅଧିକାଂଶ ହସ୍ପିଟାଲେ ବିଦ୍ୟୁତ ଓ ପାଣି ଆସୁନାହିଁ। ହସ୍ପିଟାଲକୁ ଚାରିଆଡୁ ଘେରି ରହିଛନ୍ତି ଇସ୍ରାଏଲ ସେନା। ଗାଜାର ଅଧାରୁ ଅଧିକ ହସ୍ପିଟାଲ ଏବେ ବନ୍ଦ ହୋଇଗଲାଣି। ତେବେ ଗାଜାର ବଡ଼ ଅଲ୍ ସିଫା ହସ୍ପିଟାଲରେ ଏବେବି ୭ ହଜାରରୁ ଅଧିକ ରୋଗୀ, ମେଡିକାଲ କର୍ମଚାରୀ, ଡାକ୍ତର ଏବଂ ସାଧାରଣ ଲୋକ ରହିଥିବା ନେଇ ସୂଚନା ଦେଇଛନ୍ତି ହସ୍ପିଟାଲ ନିର୍ଦ୍ଦଶକ।

ହସ୍ପିଟାଲରେ ସମସ୍ତେ ଫସି ରହିଛନ୍ତି। ପାଣି ଓ ବିଦ୍ୟୁତ ନଥିବାରୁ ଦୁର୍ଦ୍ଦଶା ବଢି ଯାଇଛି। ଗାଜାରେ ଗତକାଲି ମୋବାଇଲ ସହ ଇଣ୍ଟରନେଟ ସେବା ପୁରା ବନ୍ଦ ହୋଇଯାଇଥିଲା। ଗାଜା-ଇସ୍ରାଏଲ ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ୧୧ ହଜାର ୪୭୦ ଜଣଙ୍କ ମୃତ୍ୟୁ ହେଲାଣି। ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଥିବାରୁ କିଛି ଦିନ ଧରି ଇସ୍ରାଏଲ-ଗାଜା ମୃତ୍ୟୁର ସଠିକ ରିପୋର୍ଟ ମିଳିପାରିନଥିବା ଜଣାପଡିଛି। ହସ୍ପିଟାଲରେ ଇଣ୍ଟରନେଟ ସହ ମୋବାଇଲ ସେବା ଯୋଗାଇବା ଉପରେ ଗୁରୁତ୍ବାରୋପ କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ। ଏହାସହ ଗାଜାରେ ଥିବା ହସ୍ପିଟାଲ ଗୁଡିକରେ ସୁରକ୍ଷିତ ରୋଗୀ ସେବା ନିଶ୍ଚିତ କରାଯାଉ ବୋଲି କହିଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ନିର୍ଦ୍ଦେଶକ ।

ଭୁବନେଶ୍ବର ଉପକଣ୍ଠ ଦାରୁଠେଙ୍ଗର ବଦଳିବ ରୂପରେଖ

ଭୁବନେଶ୍ବର: ଭୁବନେଶ୍ବର ଉପକଣ୍ଠ ଦାରୁଠେଙ୍ଗର ବଦଳିବ ରୂପରେଖ। ବିଭିନ୍ନ ଉନ୍ନତିମୂଳକ କାମ କରିବ ଭୁବନେଶ୍ବର ମହାନଗର ନିଗମ। ଆଜି ବିଏମ୍‌ସି କାର୍ଯ୍ୟାଳୟରେ ମେୟରଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସ୍ଥାନୀୟ ବିଧାୟକ ସୁରେଶ ରାଉତରାୟ ଓ ସ୍ଥାନୀୟ ସରପଞ୍ଚ ଯୋଗ ଦେଇଥିଲେ।

ନୂଆ ଡ୍ରେନ୍‌ ନିର୍ମାଣ, ‌ସ୍ବରେଜ, ରାସ୍ତା ସହ ପଞ୍ଚାୟତର ଅନ୍ୟ ଉନ୍ନୟନମୂଳକ କାମ କରାଯିବ। ଏନେଇ ପ୍ରକଳ୍ପ ପ୍ରସ୍ତୁତ ସରିଥିବାବେଳେ ଖୁବ୍‌ଶୀଘ୍ର ବ୍ୟୟ ଅଟକଳ କରାଯିବ। ପୂର୍ବରୁ ଦାରୁଠେଙ୍ଗ ଅଞ୍ଚଳରେ ବର୍ଜ୍ୟ ଗଦା ହେଉଥିବାରୁ ଅଞ୍ଚଳର ବିକାଶ ଦିଗରେ ପଦକ୍ଷେପ ନେବ ବୋଲି ବିଏମ୍‌ସି ସ୍ଥାନୀୟ ଅଧିବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲା। ସ୍ଥାନୀୟ ଜନ ପ୍ରତିନିଧି ଦେଇଥିବା ପ୍ରସ୍ତାବ ମୁତାବକ ପ୍ରକଳ୍ପ କାମ ହାତକୁ ନେବ ବିଏମସି। ଚଳିତ ବର୍ଷ ମେ ୧୭ରୁ ବିଏମ୍‌ସି ପକ୍ଷରୁ ଦାରୁଠେଙ୍ଗରେ ଅଳିଆ ପକାଇବା ବନ୍ଦ ରହିଛି।

ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍ ପୂର୍ବରୁ ଅହମ୍ମଦାବାଦରେ ବଢିବାରେ ଲାଗିଛି ହୋଟେଲ୍ ଦାମ୍

ଅହମ୍ମଦାବାଦ: ଆସନ୍ତା ରବିବାର ଅହମ୍ମଦାବାଦରେ ଖେଳାଯିବ ବିଶ୍ବକପ ଫାଇନାଲ। ଦୀର୍ଘ ୧୨ ବର୍ଷ ପରେ ପୁଣିଥରେ ଭାରତ ବିଶ୍ବକପ ଫାଇନାଲ ଖେଳିବାକୁ ଯାଉଛି। ୨୦ ବର୍ଷ ପରେ ପୁଣିଥରେ ଫାଇନାଲରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ। ଯାହା ଉପରେ ପୂରା ବିଶ୍ବର ନଜର ରହିବ। ତେବେ ଏହି ମ୍ୟାଚକୁ ଷ୍ଟାଡିୟମରେ ବସି ଦେଖିବା ପାଇଁ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ।

ଲୋକେ ଏବେଠୁ ଯାଇ ଅହମ୍ମଦାବାଦରେ ମ୍ୟାଚ ଦେଖିବାକୁ ହୋଟେଲ ବୁକ କରି ରହିଲେଣି। ହୋଟେଲର ଚାହିଦା ଦେଖି ଦର ବୃଦ୍ଧି ମଧ୍ୟ ରାତାରାତି ଆକାଶ ଛୁଆଁ ହୋଇଛି। ପଞ୍ଚ ତାରକା ହୋଟେଲରେ ଗୋଟିଏ ରାତି ରହଣି ପାଇଁ ଦୁଇ ଲକ୍ଷ ଟଙ୍କା ଭଡ଼ା ରହିଛି। ପାଞ୍ଚରୁ ସାତ ଗୁଣା ପର୍ଯ୍ୟନ୍ତ ଦରବୃଦ୍ଧି କରିଛନ୍ତି ବିଭିନ୍ନ ହୋଟେଲ। ଦେଶର ବାହାରୁ ମଧ୍ୟ ଲୋକ ଆସୁଛନ୍ତି ମ୍ୟାଚ ଦେଖିବାକୁ ଦୁବାଇ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକାରୁ ଲୋକେ ଆସି ମ୍ୟାଚ ଦେଖିବାକୁ ପହଞ୍ଚିଲେଣି। ଲୋକଙ୍କ ଚାହିଦା ଦେଖି ଦର ବୃଦ୍ଧି କରାଯାଇଛି ବୋଲି ହୋଟେଲ ଆସୋସିଏସନ ପକ୍ଷରୁ କୁହାଯାଇଛି ।

କେବଳ ଅହମ୍ମଦାବାଦରେ ତିନି ତାରକା ଓ ପଞ୍ଚ ତାରକା ହୋଟେଲରେ ୫ ହଜାର ରୁମ୍ ରହିଛି। ପୂରା ଗୁଜରାଟରେ ୧୦ ହଜାର ରୁମ୍ ରହିଛି। ଏକ ଲକ୍ଷ ୨୦ ହଜାର ଲୋକ ଷ୍ଟାଡିୟମରେ ବସି ଖେଳ ଦେଖିପାରିବେ। ୩୦ରୁ ୪୦ ହଜାର ଲୋକ ଦେଶ ବାହାରୁ ଆସିଛନ୍ତି ଖେଳ ଦେଖିବାକୁ। ତେବେ ପଞ୍ଚତାରକାକୁ ଛାଡି ଅନ୍ୟ ହୋଟେଲରେ ୫୦ ହଜାରରୁ ଆରମ୍ଭ କରି ୧ ଲକ୍ଷ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଗୋଟିଏ ରାତି ପାଇଁ ଭଡା ରହିଛି।

ଫ୍ଲାଇଟ ଟିକେଟ ବୁକ କରିବା ପୂର୍ବରୁ ଲୋକେ ହୋଟେଲ ବୁକ କରୁଛନ୍ତି । ଖାଲି ହୋଟେଲ ନୁହେଁ ଅହମ୍ମଦାବାଦକୁ ଯାଉଥିବା ବିମାନ ଭଡ଼ା ମଧ୍ୟ ବଢିଛି । ଅନ୍ୟ ସମୟରେ ଚେନ୍ନାଇରୁ ଅହମ୍ମଦାବାଦକୁ ୫ ହଜାର ଟଙ୍କା ଦର ଥିବା ବେଳେ ଏବେ ୧୬ ହଜାରରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି।

ସୁନ୍ଦରଗଡର ୨ଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ

ସୁନ୍ଦରଗଡ: ସୁନ୍ଦରଗଡରେ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ। ୩୮୬.୨୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।
ଇବ୍‌ ନଦୀରେ ଭଷ୍ମା ପ୍ରକଳ୍ପ ପାଇଁ ୨୬୨.୫୦ କୋଟି, ସପେଇ ନଦୀରେ ଫୁଲବାରୀ ପ୍ରକଳ୍ପ ପାଇଁ ୧୨୩.୭୫ କୋଟି ଟଙ୍କା ମଞ୍ଜୁର ହୋଇଛି। ଏଥିରେ ପାଞ୍ଚଟି ବ୍ଲକ୍‌ର ଜନସାଧାରଣ ଉପକାର ପାଇବେ।

ଭୂତଳ ଜଳର ସ୍ତର ବୃଦ୍ଧି, ପାନୀୟ ଜଳ ପ୍ରକଳ୍ପ, ମାଛ ଚାଷ, ପଶୁପାଳନ ଆଦିରେ ହେବ ସହାୟକ। ।ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ସୁନ୍ଦରଗଡ ଗସ୍ତ ସମୟରେ ପ୍ରସ୍ତାବ ମିଳିଥିଲା ବେଳେ ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ଅନୁମୋଦନ କରିଛନ୍ତି।

ରାଜ୍ୟରେ ପୁଞ୍ଜିନିବେଶ କ୍ଷେତ୍ରରେ ଆଉ ଏକ ସଫଳତା

ଭୁବନେଶ୍ୱର: ରାଜ୍ୟରେ ପୁଞ୍ଜିନିବେଶ କ୍ଷେତ୍ରରେ ଆଉ ଏକ ସଫଳତା। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକରେ ଆଜି ଆଉ ୮ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହିସବୁ ପ୍ରକଳ୍ପ ପାଇଁ ମୋଟ ୧୩୯୭ କୋଟି ୧୮ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏହିସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୨୮୬୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ମୁଖ୍ୟତଃ ପ୍ଲାଷ୍ଟିକ, ଟେକ୍ସଟାଇଲ, ଆଲୁମିନିୟମ ଓ କୃଷି ଭିତ୍ତିକ ଶିଳ୍ପରେ ପୁଞ୍ଜିନିବେଶ ହେବ। ସମ୍ବଲପୁରରେ ସିନଟେକ୍ସ ବିଏପିଏଲ ପକ୍ଷରୁ ୩୭ହଜାର ୫୨୦ ମେଟ୍ରିକ ଟନ କ୍ଷମତା ସମ୍ପନ୍ନ ପ୍ଲାଷ୍ଟିକ ଟ୍ୟାଙ୍କ, ପ୍ଲାଷ୍ଟିକ ସିପିଭିସି, ୟୁପିଭିସି ଫିଟିଙ୍ଗ ପ୍ଲାଣ୍ଟ ପ୍ରତିଷ୍ଠା ହେବ। ଏଥିପାଇଁ ୪୭୯ କୋଟି ୪୭ ଲକ୍ଷ ଟଙ୍କା ବିନିଯୋଗ ହେବ। ଏହାଦ୍ବାରା ସିଧାସଳଖ ଭାବେ ହଜାରେ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ଖୋର୍ଦ୍ଧାରେ ମଧ୍ୟ ମେଗା ଫ୍ଲେକ୍ସ ପ୍ଲାଷ୍ଟିକସ୍ ଲିମିଟେଡ ପକ୍ଷରୁ ୯ହଜାର ୬୦୦ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ପ୍ଲାଷ୍ଟିକ କଣ୍ଟେନର ପ୍ଲାଣ୍ଟ ପ୍ରତିଷ୍ଠା ହେବ।

ସମ୍ବଲପୁରର ଲାପଙ୍ଗା ଠାରେ ୨୪୧ କୋଟି ବ୍ୟୟ ବରାଦରେ ହ୍ବାଇଟ ଫ୍ୟୁଜଡ ଆଲୁମିନା କାରଖାନା ପ୍ରତିଷ୍ଠା ହେବ। ଯାଜପରୁ କଳିଙ୍ଗନଗରରେ ସାନ୍ଧୁ ଟ୍ୟୁବସ୍ ପକ୍ଷରୁ କଏଲ ପ୍ରୋସେସିଂ ୟୁନିଟ ପ୍ରତିଷ୍ଠା ହେବ। ସୁନ୍ଦରଗଡରେ କାଇ ଷ୍ଟିଲ ପକ୍ଷରୁ ଟିଏମଟି ବାର କାରଖାନା ପ୍ରତିଷ୍ଠା ହେବ। ଖୋର୍ଦ୍ଧାରେ ଅଞ୍ଜୁ ଅଟୋଗ୍ରାଫ ବିଜନେସ୍ ପାର୍କ ପଷରୁ ଏକ ଆଇଟି ପାର୍କ ପ୍ରତିଷ୍ଠା କରାଯିବ।

ବାଲେଶ୍ବରରେ ଏଚଆଇଏଲ ଇଣ୍ଡିଆ ପ୍ରତିଷ୍ଠା କରିବ ପିଭିସି ଓ ସିପିଭିସି ପାଇପ କାରଖାନା। କୋରାପୁଟରେ ମଧ୍ୟ ଜିଜିଏଲ ଚାଲେଟ ପ୍ରାଇଭେଟ ଲିମିଟେଡ ପକ୍ଷରୁ ପ୍ଲାଏ ବୋର୍ଡ ଓ ବାୟୋମାସ ପେଲେଟ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ। ଏହିସବୁ ପ୍ରକଳ୍ପକୁ ଆଜି ସିଙ୍ଗିଲ ୱିଣ୍ଡୋ କ୍ଲିଅରାନ୍ସ  ଅଥରିଟି ବୈଠକରେ ଅନୁମୋଦନ ମିଳିଛି।

ସୁରେଶ ମହାପାତ୍ର ହେଲେ CMOର ମୁଖ୍ୟ ଉପଦେଷ୍ଟା

ଭୁବନେଶ୍ୱର: ସୁରେଶ ମହାପାତ୍ର ହେଲେ CMOର ମୁଖ୍ୟ ଉପଦେଷ୍ଟା। ପୂର୍ବତନ ମୁଖ୍ୟ ଶାସନ ସଚିବ ହେଉଛନ୍ତି ସୁରେଶ ମହାପାତ୍ର। ନୂଆ ଦାୟିତ୍ୱ ମିଳିବା ପରେ OERC ଅଧ୍ୟକ୍ଷ ପଦରୁ ଦେଇଛନ୍ତି ଇସ୍ତଫା।

ସେହିପରି ପ୍ରମୁଖ ଉପଦେଷ୍ଟା ପଦରୁ ଇସ୍ତଫା ଦେଲେ ଅସିତ ତ୍ରିପାଠୀ । WODC ଅଧ୍ୟକ୍ଷ ଦାୟିତ୍ୱ ତୁଲାଇବା ଅସିତ ତ୍ରିପାଠୀ । CMOର ମୁଖ୍ୟ ଉପଦେଷ୍ଟା ପଦରୁ ଓହରିଲେ ଆର. ବାଲକ୍ରିଷ୍ଣନ । ବାଲକ୍ରିଷ୍ଣନ ସ୍ୱତନ୍ତ୍ର ଇନିସିଏଟିଭର ମୁଖ୍ୟ ଉପଦେଷ୍ଟା ଭାବେ କାର୍ଯ୍ୟ କରିବେ। ତେବେ ପୂର୍ବପରି ତାଙ୍କର ମୁଖ୍ୟ ଶାସନ ସଚିବ ପାହ୍ୟା ଜାରି ରହିବ ବୋଲି ସୂଚନା ମିଳିଛି।

ଖୋର୍ଦ୍ଧା ପୌରାଞ୍ଚଳରେ ହେବ ୫ଟି ସ୍ମାର୍ଟ ଭେଣ୍ଡିଂ ଜୋନ୍‌ ଓ ୨୬୬ଟି କିଓସ୍କ

ଭୁବନେଶ୍ବର: ଖୋର୍ଦ୍ଧା ପୌରାଞ୍ଚଳ ପାଇଁ ଭେଣ୍ଡିଂ ଜୋନ। 5T  ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିବର୍ତ୍ତନ କରି ସାଧାରଣ ଲୋକଙ୍କୁ ଭେଟି ମତାମତ ସଂଗ୍ରହ କରିଥିଲେ । ସେଥିରେ ଅନେକ ପ୍ରସ୍ତାବ ସହିତ ଖୋର୍ଦ୍ଧା ପୌରାଞ୍ଚଳରେ ମାର୍କେଟ କମ୍ପ୍ଲେକ୍‌ସ ପାଇଁ ମଧ୍ୟ ପ୍ରସ୍ତାବ ଆସିଥିଲା । ଆଉ ଏହି ପ୍ରସ୍ତାବକୁ ନଭେମ୍ବର ୧୦ ତାରିଖରେ ଅନୁମୋଦନ କରାଯାଇଥିଲା।

ନିଷ୍ପତ୍ତି ଅନୁଯାୟୀ ଖୋର୍ଦ୍ଧା ପୌରାଞ୍ଚଳ ପରିସୀମା ମଧ୍ୟରେ ପାଞ୍ଚଟି ସ୍ଥାନରେ 5T ସ୍ମାର୍ଟ ଭେଣ୍ଡିଂ ଜୋନ୍‌ ନିର୍ମାଣ କରାଯିବ। ଏଥିରେ ସମୁଦାୟ ୨୬୬ଟି କିଓସ୍କ କରାଯିବ ଏବଂ ଏଥିପାଇଁ ୮.୭୯ କୋଟି ଟଙ୍କା ବିନିଯୋଗ ହେବ। ଏହି ନିଷ୍ପତ୍ତି ଅନୁଯାୟୀ ପାଞ୍ଚଟି ପ୍ୟାଚ୍‌ରେ ଭେଣ୍ଡିଂ ଜୋନ୍‌ର ବିକାଶ କରାଯିବ।

ପ୍ୟାଚ୍‌-୧ରେ ୯୦ଟି, ପ୍ୟାଚ-୨ରେ ୩୦ଟି, ପ୍ୟାଚ-୩ରେ ୯୦ଟି, ପ୍ୟାଚ-୪ରେ ୨୮ଟି ଓ ପ୍ୟାଚ୍‌-୫ରେ ୨୮ଟି କିଓସ୍କ ନିର୍ମାଣ କରାଯିବ। ଏହାଦ୍ବାରା ଖୋର୍ଦ୍ଧା ପୌରାଞ୍ଚଳରେ ବହୁ ଦିନର ସମସ୍ୟା ଦୂର ହୋଇପାରିବ ବୋଲି ଆଶା କରାଯାଉଛି।