spot_img
Home Blog Page 2491

ବୈପାରୀଗୁଡା ଥାନା IIC ସୁଶାନ୍ତ ଶତପଥୀ ଚାକିରିରୁ ବହିଷ୍କୃତ

ବୈପାରୀଗୁଡା: ବୈପାରୀଗୁଡା ଥାନା ଆଇଆଇସି ସୁଶାନ୍ତ ଶତପଥୀ ଚାକିରିରୁ ବହିଷ୍କୃତ। ସୁଶାନ୍ତ ଶତପଥୀଙ୍କୁ ବହିଷ୍କାର କଲେ ପୋଲିସ ଡିଜି। ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧରେ ଜିରୋ ଟଲରାନ୍ସ ଆଧାରରେ ତାଙ୍କୁ ପୋଲିସ ଚାକିରିରୁ ବହିଷ୍କାର କରାଯାଇଛି। ପୂର୍ବରୁ ଆଇଆଇସି ସୁଶାନ୍ତ ଶତପଥୀଙ୍କ ଠାରୁ ୩୭ ଲକ୍ଷ ଟଙ୍କାକୁ ଭିଜିଲାନ୍ସ ଜବତ କରିବା ପରେ ଗିରଫ ହୋଇ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା।

ଆଇଆଇସିଙ୍କୁ ଗିରଫ କରିବା ପରେ ଜୟପୁର ଭିଜିଲାନ୍ସ ଏସପି ପ୍ରଦ୍ୟୁମ୍ନ କୁମାର ଦ୍ବିବେଦୀ ପୋଲିସ ଡିଜିପିଙ୍କୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଚିଠି ଲେଖିଥିଲେ। ପୂର୍ବରୁ ଚାକିରି କାଳରେ ନିଜର ଅଶୋଭନୀୟ ଆଚରଣ ପାଇଁ ୩ ଜିଲ୍ଲାର ଏସପି, ସୁଶାନ୍ତଙ୍କୁ ବ୍ଲାକମାର୍କ ଦେଇଥିଲେ।

କୋକେନ ରାକେଟକୁ ଧରିବା ପାଇଁ ଆରମ୍ଭ ହେଲା ଛାନଭିନ, ଅଟକ କ୍ରିଉ ମେମ୍ବରଙ୍କୁ ଜେରା

ପାରାଦୀପ: କୋକେନ ରାକେଟକୁ ଧରିବା ପାଇଁ ଆରମ୍ଭ ହେଲା ଛାନଭିନ। ଓଡିଶା ଲିଙ୍କ ନେଇ ସୂଚନା ପରେ STFର ତନାଘନା। ପାରାଦୀପ ଗଲା ସ୍ପେଶାଲ ଟାସ୍କଫୋର୍ସର ୩ ଜଣିଆ ଟିମ୍। ଅଟକ ଥିବା କ୍ରିଉ ମେମ୍ବରଙ୍କୁ ପଚରାଉଚରା କରିବ STF। ଗତକାଲି ପାରାଦୀପ ବନ୍ଦରରୁ ଜବତ ହୋଇଥିଲା ୨୨୦ କୋଟି ଟଙ୍କାର କୋକେନ୍।

ଇଣ୍ଡୋନେସିଆରୁ ଆସିଥିବା ଏମଭି-ଦେବୀ ପାନାମା ନାମକ ଜାହାଜରୁ ମିଳିଥିଲା ଏହି କୋକେନ। ୨୨ଟି କୋକେନ ପ୍ୟାକେଟ୍ ଜବତ ହେବା ପରେ ତଦନ୍ତ ଜାରି ରହିଛି। ପ୍ରତି ପ୍ୟାକେଟର ଆନୁମାନିକ ମୂଲ୍ୟ ପ୍ରାୟ ୧୦ କୋଟି ଟଙ୍କା ହେବ ବୋଲି ଜଣାପଡିଛି  କଷ୍ଟମ୍ସ ବିଭାଗ ପକ୍ଷରୁ ଚଢ଼ାଉ ବେଳେ ମିଳିଥିଲା ବ୍ୟାପକ ପରିମାଣର ନିଶାଦ୍ରବ୍ୟ। ଘଟଣାରେ ଜାହାଜର କ୍ୟାପଟେନଙ୍କୁ ମଧ୍ୟ ଜେରା କରିପାରେ କ୍ରାଇମବ୍ରାଞ୍ଚର STF ଟିମ୍।

ଅଧିକ ପଢନ୍ତୁ- ପାରାଦୀପ ବନ୍ଦରରୁ ଜବତ ହେଲା ୨ଶହ କୋଟି ଟଙ୍କାର କୋକେନ

ଇଜିପ୍ଟରୁ ଇଣ୍ଡୋନେସିଆର ଗ୍ରେସିକ ବନ୍ଦର ଓ ପରେ ଏହି ଜାହାଜଟି ଗତ ୨୨ ତାରିଖରେ ପାରାଦୀପ ଆସିଥିଲା। ଜାହାଜର ମାଲିକ ଭିଏତନାମର ହୋଇଥିବା ବେଳେ ଜାହାଜରେ ଥିବା ୨୧ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା ଜାରି ରହିଛି। ଏତେ ପରିମାଣର ନିଷିଦ୍ଧ ନିଶାଦ୍ରବ୍ୟ କେଉଁଠାରୁ ଆସିଥିଲା ଓ କୁଆାଡ଼େ ଯାଇଥାନ୍ତା ତାକୁ ନେଇ ଖୋଳତାଡ଼ କରାଯାଉଛି।

 

ଦୁଲୁକୁଛି ଅର୍କକ୍ଷେତ୍ର, ସଂସ୍କୃତି ଓ ଐତିହ୍ୟ ସୁରକ୍ଷାର ବାର୍ତ୍ତା ପ୍ରଦାନ କରୁଛନ୍ତି ଦେଶବିଦେଶର ବାଲୁକା ଶିଳ୍ପୀ

କୋଣାର୍କ: ଦୁଲୁକୁଛି ଅର୍କକ୍ଷେତ୍ର। ଆରମ୍ଭ ହୋଇଛି ଶାସ୍ତ୍ରୀୟ ନୃତ୍ୟ ମହାକୁମ୍ଭ । ଏଥିପାଇଁ ଚଳଚଞ୍ଚଳ କୋଣାର୍କ। ସଂସ୍କୃତି ଓ ଐତିହ୍ୟର ସୁରକ୍ଷାର ବାର୍ତ୍ତା ପ୍ରଦାନ କରିଛନ୍ତି ଦେଶ ବିଦେଶର ୧୦୦ରୁ ଉର୍ଦ୍ଧ୍ୱ ବାଲୁକା କଳା ଶିଳ୍ପୀ। ୫ଦିନ ବ୍ୟାପୀ ଆୟୋଜିତ ୩୪ତମ କୋଣାର୍କ ଉତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ଉଦଘାଟନ କରିଥିବା ବେଳେ ମଞ୍ଚରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଅଶ୍ୱିନୀ ପାତ୍ର ପ୍ରଦୀପ ପ୍ରଜ୍ଜ୍ୱଳନ କରି ସାଂସ୍କୃତିକ ସନ୍ଧ୍ୟାର ଆରମ୍ଭ କରିଛନ୍ତି।

ସେହିପରି ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ଵାରା ଚନ୍ଦ୍ରଭାଗା ସ୍ବର୍ଣ୍ଣାଭ ବେଳାଭୂମିରେ ଆୟୋଜିତ ବାଲୁକା କଳା ଉତ୍ସବ ରାଜ୍ୟ ଯୁବ କ୍ରୀଡା ଓ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ୫ଦିନ ବ୍ୟାପୀ ଚାଲିବାକୁ ଥିବା ଏହି ଉତ୍ସବର ପ୍ରଥମ ଦିନରେ ଓଡ଼ିଶାର ସଂସ୍କୃତି ଓ ଐତିହ୍ୟ ବିଷୟବସ୍ତୁ ଉପରେ ଆଧାରିତ ବାଲୁକା କଳା ମାଧ୍ୟମରେ ଶିଳ୍ପୀମାନେ ଆମ ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ବାର୍ତ୍ତା ପ୍ରଦାନ କରିଛନ୍ତି। ବାଲୁକା କଳା ମାଧ୍ୟମରେ ଚମତ୍କାର ବାଲୁକା କଳା ପ୍ରଦର୍ଶିତ କରି ଦର୍ଶକଙ୍କ ମନ ମୋହିଛନ୍ତି। ୩୦ଟି ଷ୍ଟଲରେ ଶିଳ୍ପୀ ମାନେ ବାଲୁକା କଳା ପ୍ରଦର୍ଶିତ କରିଛନ୍ତି ।

ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ କୋଣାର୍କ ଉତ୍ସବର ପ୍ରଥମ ସନ୍ଧ୍ୟାରେ କଟକର ସୁର ମନ୍ଦିରର ପ୍ରତିଷ୍ଠିତ ନୃତ୍ୟଶିଳ୍ପୀ ଜ୍ୟୋସ୍ନା ରାଣୀ ସାହୁ ଓ ସାଥି କଳାକାର ମାନଙ୍କ ଦ୍ୱାରା ଓଡିଶୀ ଶୈଳୀରେ ସୂର୍ଯ୍ୟଉପାସନାରେ ନାନ ନିନାଦ ସୁର ଳେ ତାଳ ଓ ମାନର ପ୍ରତିବେଦନ ପ୍ରତିଫଳିତ ହୋଇଥିଲା । ପରେ ନୃତ୍ୟାଙ୍ଗନା ମାନଙ୍କ ଦ୍ୱାରା ସରଣମ ରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ମଧୁର ସମ୍ପର୍କକୁ ପରିପ୍ରକାଶ କରିଥିଲେ। ଦ୍ବିତୀୟ ସଂଧ୍ୟାରେ ଆଜି ଓଡ଼ିଶୀ ଓ କୁଚିପୁଡି ନୃତ୍ୟ ପରିବେଷଣ ହେବ।

ମୁନିଗୁଡ଼ା ରେଞ୍ଜରେ ବୁଲୁଛି ମହାରାଷ୍ଟ୍ରରୁ ଆସିଥିବା ମହାବଳ ବାଘ

ମୁନିଗୁଡ଼ା: ମୁନିଗୁଡ଼ା ରେଞ୍ଜରେ ବୁଲୁଛି ମହାରାଷ୍ଟ୍ରରୁ ଆସିଥିବା ମହାବଳ ବାଘ। ୪ ରାଜ୍ୟ ଡେଇଁ ଓଡ଼ିଶାରେ ଆତଙ୍କ ସୃଷ୍ଟି କରିଥିବା ମହାବଳ ଏବେ ମୁନିଗୁଡା ରେଞ୍ଜ ଦହିଖାଲ ଅଞ୍ଚଳରେ ବୁଲୁଛି। ବାଘଟି ଗଜପତି ଅଞ୍ଚଳରେ କିଛିଦିନ ଜଙ୍ଗଲରେ ବୁଲିବା ପରେ ଗୁଡାରୀ ଜଙ୍ଗଲ ଓ ଚନ୍ଦ୍ରପୁର ଜଙ୍ଗଲ ପାର ହୋଇ ଏବେ ଦହିଖାଲ ଅଞ୍ଚଳରେ ବୁଲୁଛି।

ଗତକାଲି ରାତିରେ ବନ୍ଧଗୁଡା ଗ୍ରାମ ନିକଟରେ ଏକ ମଇଁଷି ଛୁଆକୁ ମହାବଳ ବାଘଟି ଖାଇ ଦେଇଥିବା ଜଣାପଡ଼ିଛି। ଖବରପାଇ ବନବିଭାଗ ଦହିଖାଲ, ବନ୍ଧଗୁଡା, ଚିଚାଙ୍ଗବୋରି ଓ ଏହାର ଆଖପାଖ ଅଞ୍ଚଳରେ ଲୋକଙ୍କୁ ଡାକବାଜି ଯନ୍ତ୍ର ମାଧ୍ୟମରେ ଘରୁ ବାହାରକୁ ନବାହାରିବା ପାଇ ସଚେତନ କରାଉଛି।

ଦୁଃଖ ଦେଇଗଲା ତାରିଣୀ ଦର୍ଶନ, ଶୋକାକୁଳ ପରିବେଶରେ ୮ଜଣଙ୍କ ଶେଷକୃତ୍ୟ ସମ୍ପନ୍ନ

ଗଞ୍ଜାମ: ଶୋକାକୁଳ ପରିବେଶରେ ଶେଷ ହେଲା ଦୁର୍ଘଟଣାରେ ପ୍ରାଣ ହରାଇଥିବା ୮ ଜଣଙ୍କ ଶବଦାହ। ୭ ଜଣଙ୍କ ଶବ ସଂସ୍କାର କରାଯାଇଥିବା ବେଳେ, ଶିଶୁକୁ ପୋତି ଦିଆଯାଇଛି। ବିଳମ୍ବିତ ରାତିରେ ଗଞ୍ଜାମ ସାନଖେମୁଣ୍ଡି ବ୍ଲକ ପୋଡାମାରିରେ ୮ ଜଣଙ୍କ ଶବ ସଂସ୍କାର କରାଯାଇଛି।

ଗତକାଲି ଘଟଗାଁ ନିକଟରେ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିଲା। ପୋଡ଼ାମାରିରେ ଗଜେନ୍ଦ୍ର ପ୍ରଧାନଙ୍କ ସ୍ତ୍ରୀ ମିତା ପ୍ରଧାନ, ପୁଅ ଆକାଶ ପ୍ରଧାନ, ବୋହୂ ଲିଲି ପ୍ରଧାନଙ୍କ ମୃତଦେହକୁ ପ୍ରଥମେ ହସ୍ତାନ୍ତର କରାଯାଇଥିଲା। ମୃତଦେହ ପହଞ୍ଚିବା ପରେ କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା ସାରା ଗାଁ। ତିନୋଟି କୋକେଇରେ ମୃତଦେହକୁ ଗାଁ ମଶାଣିକୁ ନିଆଯାଇଥିଲା।

ସେହିପରି ବତାଗଡ଼ ଗାଁରେ ବାୟାଘନ ଗୌଡ, ପୁଅ ମଦନ ଗୌଡ ନାତି ରୁଦ୍ର ଗୌଡଙ୍କର ଶବ ସତ୍କାର କରାଯାଇଥିଲା। ପରେ ବାୟା ଘନଙ୍କ ଜ୍ବାଇଁ ବାବୁଲା ଗୌଡଙ୍କ ମୃତଦେହକୁ ଦେଖାଳି ନିଆଯାଇଥିବା ବେଳେ, ଅନ୍ୟ ଜଣେ ଝିଅ ପାପିନି ଗୌଡ ମୃତଦେହକୁ ପାଳଝାଡି ନିଆଯାଇ ଶବ ସଂସ୍କାର କରାଯାଇଥିଲା । ସମସ୍ତ ୮ ମୃତକ ଗୁରୁବାର ରାତିରେ ଘଟଗାଁ ତାରିଣୀ ମନ୍ଦିର ଦର୍ଶନ ପାଇଁ ଯାଇଥିଲେ। ହେଲେ ଘଟଗାଁ ବଳିଝୋଡ଼ିରେ ଦୁର୍ଘଟଣା ଘଟିବାରୁ ୮ ଜଣଙ୍କ ଜୀବନ ଚାଲି ଯାଇଥିଲା । କେନ୍ଦୁଝରରେ ଶବ ବ୍ୟବଚ୍ଛେଦ ପରେ ଜିଲ୍ଲା ପ୍ରଶାସନ ଆମ୍ବୁଲାନ୍ସ ଯୋଗେ ସମସ୍ତ ମୃତଦେହକୁ ଆଣି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।

ପୁରୀରେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

ପୁରୀ: ପୁରୀ ଗସ୍ତ କରି ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ମହାପ୍ରଭୁଙ୍କୁ ଦର୍ଶନ କରିବା ସାଙ୍ଗକୁ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଛନ୍ତି। ଶ୍ରୀଜଗନ୍ନାଥ ବଲ୍ଲଭ କମ୍ପ୍ଲେକ୍ସ ଠାରୁ ଶ୍ରୀମନ୍ଦିର ଦୋଳବେଦୀ କୋଣକୁ ସଂଯୋଗ ପାଇଁ ନୂତନ ରାସ୍ତାର ଜମି ଅଧିଗ୍ରହଣ ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି 5T ଅଧ୍ୟକ୍ଷ।

ଆଜି ଭୋରରୁ ଶ୍ରୀକ୍ଷେତ୍ରରେ ପହଞ୍ଚି ଶ୍ରୀଜିଉଙ୍କୁ ଦର୍ଶନ କରି ପରିକ୍ରମା ପ୍ରକଳ୍ପ ସମୀକ୍ଷା କରିଛନ୍ତି । ଭକ୍ତଙ୍କ ସୁବ୍ୟବସ୍ଥିତ ଦର୍ଶନ , ଭିଡ଼ ନିୟନ୍ତ୍ରଣ ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି 5T ଅଧ୍ୟକ୍ଷ । ଏହା ସହିତ ମଠଗୁଡିକର ପୁନରୁଦ୍ଧାର କାମ, ଲ୍ୟାଣ୍ଡସ୍କେପିଂ କାମ ତ୍ୱରାନ୍ୱିତ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି।

ପରିକ୍ରମା ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିବା ସହ ଭକ୍ତ ମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ଏହି ଅବସରରେ 5T ଅଧ୍ୟକ୍ଷ ଦୋଳବେଦି ଅଞ୍ଚଳର ତ୍ଵରିତ ବିକାଶ ସହ ଏମାର ମଠ, ପଞ୍ଜାବୀ ମଠ ଆଦିର ପୁନରୁଦ୍ଧାର କରିବା ଉପରେ ଗୁରୁତ୍ବାରୋପ କରିବା ସଙ୍ଗେସଙ୍ଗେ ଏହା ସହିତ ପରିକ୍ରମା ପ୍ରକଳ୍ପ ସମ୍ମୁଖ ଭାଗର ପେଣ୍ଟିଂ କାମ ଆଗେଇ ନେବାକୁ ପରାମର୍ଶ ଦେଇଥିଲେ।

ଶ୍ରଦ୍ଧାଳୁଙ୍କ ସ୍ବଚ୍ଛନ୍ଦ ଦର୍ଶନ ପାଇଁ ମରୀଚି କୋଟ ଛକ ଠାରୁ ଧାଡ଼ି ଆରମ୍ଭ କରାଯିବାକୁ ପରାମର୍ଶ ଦେଇଥିଲେ । ଏହା ସହିତ ସିଂହଦ୍ଵାର ଠାରୁ ମରୀଚି କୋଟ ଛକ ପର୍ଯ୍ୟନ୍ତ ବଡ଼ଦାଣ୍ଡର ଉଭୟ ପାର୍ଶ୍ଵରୁ ଭେଣ୍ଡିଂ ଜୋନ୍ ହଟାଇ ଅନ୍ୟତ୍ର ଥଇଥାନ କରିବା ପାଇଁ 5T ଅଧ୍ୟକ୍ଷ ପରାମର୍ଶ ଦେଇଥିଲେ। ସେହିପରି ଶ୍ରୀମନ୍ଦିର ଉତ୍ତର ଦକ୍ଷିଣ ଓ ପଶ୍ଚିମ ପାର୍ଶ୍ୱର ଲ୍ୟାଣ୍ଡସ୍କେପିଂ କାମ ଡିସେମ୍ବର ୯ତାରିଖ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ଦେଇଥିଲେ।

ମଠ ପୁନଃନିର୍ମାଣ ପାଇଁ ଅଧିକ ସଂଖ୍ୟକ ଦକ୍ଷ କାରିଗର ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଦେବା ସହ ମେଘନାଦ ପାଚେରୀ ନିକଟରେ ବିଦ୍ୟୁତକରଣ କାମକୁ ଶୀଘ୍ର ସାରିବାକୁ ସେ କହିଥିଲେ। ମେଘନାଦ ପାଚେରୀ ନିକଟରେ ଥିବା ଐତିହ୍ୟ ସମ୍ପନ୍ନ ଛୋଟ ଛୋଟ ମନ୍ଦିର ଓ ନିର୍ମାଣକୁ ସୁରକ୍ଷିତ ରଖିବା ପାଇଁ ଫାଇଭ-ଟି ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଥିଲେ। ଦୂଷିତ ଜଳରୁ ବିଶୁଦ୍ଧ ଜଳ ସଂଗ୍ରହ ପ୍ଲାଣ୍ଟ, ପରିମଳ ବ୍ୟବସ୍ଥାର ଉନ୍ନତି କାମ ଠିକ୍ ସମୟରେ ସରିବା ଉପରେ ସେ ଗୁରୁତ୍ବ ଆରୋପ କରିଥିଲେ।

ସେହିପରି ସେହି ରାସ୍ତା ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହ ମ୍ୟାପକୁ ମଧ୍ୟ ଅନୁଧ୍ୟାନ କରିଛନ୍ତି। ରାସ୍ତା ପାଇଁ ଯେଉଁ ଜମି ଅଧିଗ୍ରହଣ ହେବ ସେସବୁ ସ୍ଥାନକୁ ବୁଲି ଦେଖିବା ସହ କାର୍ଯ୍ୟ ଶେଷ ନେଇ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ କାର୍ତ୍ତିକ ପାଣ୍ଡିଆନ। ପୁରୀ ଜିଲ୍ଲାପାଳ, ଏସପି, ଉପଜିଲ୍ଲାପାଳଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ ନିର୍ମାଣକାରୀ ସଂସ୍ଥାର ଅଧିକାରୀ ଉପସ୍ଥିତ ରହି ଚାଲିଥିବା କାର୍ଯ୍ୟ ବାବଦରେ ସୂଚନା ଦେଇଥିଲେ।

ଚତୁର୍ଥ ଟି-୨୦ ଜିତିବା ସହ ସିରିଜ ହାତେଇଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ବଡ଼ ବିଜୟ । ବିଶ୍ବକପର ପ୍ରତିଶୋଧ ଟି-୨୦ ସିରିଜରେ । ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ୩-୧ରେ ଆଗୁଆ ରହିବା ସହ ସିରିଜ ହାତେଇଛି ଭାରତ । ଭାରତ ପକ୍ଷରୁ ରଖାଯାଇଥିବା ୧୭୫ ରନ ଲକ୍ଷ୍ୟ ଜବାବରେ ଅଷ୍ଟ୍ରେଲିଆ ୨୦ ଓଭରରେ ୧୫୪ ରନ କରିପାରିଥିଲା । ଦଳ ପକ୍ଷରୁ ଅଧିନାୟକ ମାଥ୍ୟୁ ଓ୍ବାଡେ ୩୬ ରନ, ଟ୍ରାଭିସ୍ ହେଡ୍ ୩୧ରନ ଓ ମାଥ୍ୟ ସର୍ଟ ୨୨ ରନ କରିଥିଲେ । ଭାରତ ପକ୍ଷରୁ ଅକ୍ଷର ପଟେଲ ୩ ଓ୍ବିକେଟ ନେଇଥିବାବେଳେ ଦୀପକ ଚହର ୨ଟି ଓ୍ବିକେଟ୍ ନେଇଥିଲେ ।

ଆପଣଙ୍କ ଫୋନ୍ ହ୍ୟାକ୍ ହୋଇଛି ବୋଲି ଜାଣିବେ କେମିତି ?

ଭୁବନେଶ୍ବର: ଯଦି ଆପଣଙ୍କ ଫୋନର ବ୍ୟାଟେରୀ ବ୍ୟାକଅପ୍ କମ୍ ହୋଇଛି, କିମ୍ବା ଫୋନର ସ୍ପିଡ୍ ସ୍ଲୋ ହୋଇଯାଉଛି, ତେବେ ଆପଣଙ୍କ ଫୋନ୍ ହ୍ୟାକ୍ ହୋଇଥାଇପାରେ । ଏହାବ୍ୟତୀତ ଅନେକ ଥର ଆପଣଙ୍କ ଫୋନରେ ମାଲୱେର, ନକଲି ଆପ୍ ମଧ୍ୟ ସାମ୍ନାକୁ ଆସିଥାଏ । ଅନେକ ଥର ଆପଣଙ୍କ ଫୋନରେ ଅନେକ ଆପ୍ ସ୍ୱୟଂଚାଳିତ ଭାବରେ ଖୋଲିବା ଆରମ୍ଭ କରେ କିମ୍ବା ଫୋନ୍ ହ୍ୟାଙ୍ଗ ହେବା ଆରମ୍ଭ କରେ । ଯଦି ଏହି ସମସ୍ୟାଗୁଡିକ ଆପଣଙ୍କ ଫୋନରେ ହେଉଛି, ତେବେ ଆପଣଙ୍କ ଫୋନ୍ ହ୍ୟାକ୍ ହୋଇଥାଇପାରେ।

ହ୍ୟାକ୍ ହୋଇଥିବା ଫୋନ୍ କିପରି ଠିକ୍ କରାଯିବ ?

ଯଦି ଆପଣଙ୍କର ଫୋନ୍ ହ୍ୟାକ୍ ହୋଇଛି, ତେବେ ସର୍ବପ୍ରଥମେ ଆପଣଙ୍କ ଫୋନର ସେଟିଂକୁ ଯାଆନ୍ତୁ ଏବଂ ଆପ୍ସରେ ଟ୍ୟାପ୍ କରନ୍ତୁ । ଏହାପରେ ଆପ୍ସ ମ୍ୟାନେଜ୍ ଉପରେ ଟ୍ୟାପ୍ କରନ୍ତୁ । ଏଠାରେ ଆପଣ ସମସ୍ତ ଆପ୍ସର ଏକ ତାଲିକା ପାଇବେ।  ଯଦି ଆପଣ ଏପରି କିଛି ଆପ୍ ଦେଖନ୍ତି, ଯାହା ପୂର୍ବରୁ କେବେ ଦେଖିନାହାଁନ୍ତି ଏବଂ ଏହା ଆପଣଙ୍କ ଫୋନ୍ ସିଷ୍ଟମର ଅଂଶ ନୁହେଁ, ତେବେ ଏହାର ଅର୍ଥ ହେଉଛି ଏହା ଏକ ସ୍ପାଏ ଆପ୍ସ । ସେଥିପାଇଁ ଏହାକୁ ଅନଇନଷ୍ଟଲ୍ କରନ୍ତୁ । ଏହାବ୍ୟତୀତ ଆପଣ ନିଜ ଫୋନର ସେଟିଂକୁ ଯାଆନ୍ତୁ ଏବଂ ଗୁଗୁଲରେ ଟ୍ୟାପ୍ କରନ୍ତୁ । ଏହା ପରେ ସିକ୍ୟୁରିଟି ଉପରେ ଟ୍ୟାପ୍ କରନ୍ତୁ ଏବଂ ତାପରେ ଗୁଗୁଲ୍ ପ୍ଲେ ପ୍ରୋଟେକ୍ଟରେ ଟ୍ୟାପ୍ କରନ୍ତୁ । ଏଠାରେ ଆପଣ ସମସ୍ତ ସ୍ପାଏଆପସର ତାଲିକା ପାଇବେ। ସେଗୁଡିକୁ ଗୋଟିଏ ପରେ ଗୋଟିଏ ଅନଇନଷ୍ଟଲ କରିବାକୁ ପଡିବ । କିନ୍ତୁ ଯଦି ଆପଣଙ୍କୁ ‘ନୋ ପ୍ରୋବଲେମ୍ସ ଫାଉଣ୍ଡ୍’ ଲେଖା ମିଳେ, ତେବେ ଏହାର ଅର୍ଥ ହେଉଛି ସମସ୍ତ ଆପ୍ ସୁରକ୍ଷିତ ଅଛି।

ବଦଳିଲା ମିଜୋରାମ ବିଧାନସଭା ନିର୍ବାଚନର ରେଜଲ୍ଟ ତାରିଖ

ନୂଆଦିଲ୍ଲୀ: ବଦଳିଲା ମିଜୋରାମ ବିଧାନସଭା ନିର୍ବାଚନର ରେଜଲ୍ଟ ତାରିଖ। ୩ ତାରିଖ ବଦଳରେ ୪ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ତାରିଖ ପରିବର୍ତ୍ତନ ସମ୍ପର୍କରେ ଆଜି ଭାରତୀୟ ନିର୍ବାଚନ କମିଶନ ଘୋଷଣା କରିଛନ୍ତି । ପୂର୍ବରୁ ନିର୍ବାଚନ କମିଶନ ଡିସେମ୍ବର ୩ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ ବୋଲି କହିଥିଲେ। କିନ୍ତୁ ଏହା ରବିବାର ପଡ଼ୁଥିବା ଏକାଧିକ ସଂଗଠନ ବିରୋଧ କରିଥିଲେ। ମିଜୋରାମ ଏନଜିଓ ସଂଯୋଜକ କମିଟି ଏହା ବିରୋଧରେ ବିକ୍ଷୋଭ କରିଥିଲା। ମିଜୋରାମରେ ଖ୍ରୀଷ୍ଟିୟାନଙ୍କ ସଂଖ୍ୟା ଅଧିକ। ରବିବାର ୩ ତାରିଖ ହେଉଛି ଇଷ୍ଟର। ତେଣୁ ଖ୍ରୀଷ୍ଟିୟାନଙ୍କ ପାଇଁ ଏହା ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଦିନ। ତେଣୁ ତାରିଖ ବଦଳାଇବାକୁ ଦାବି ହୋଇଥିଲା । ନିର୍ବାଚନ କମିଶନ କହିଛନ୍ତି, କାଉଣ୍ଟିଂ ତାରିଖ ବଦଳାଇବା ପାଇଁ ବିଭିନ୍ନ ସଂଗଠନ ଦାବି କରିଥିଲେ। ଏହାକୁ ସମ୍ମାନ ଜଣାଇ କେବଳ ମିଜୋରାମରେ ଭୋଟ ଗଣତି ଓ ରେଜଲ୍ଟ ପ୍ରକାଶ ୪ ତାରିଖରେ କରାଯିବ । ବାକି ୪ ରାଜ୍ୟ- ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା ଓ ରାଜସ୍ଥାନରେ ଆସନ୍ତା ୩ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

 

ଦକ୍ଷିଣ ଓଡ଼ିଶାରେ ପଡିବ ବାତ୍ୟାର ବଡ ପ୍ରଭାବ

ଭୁବନେଶ୍ବର: ଓଡ଼ିଶା ଆସିବନି କିନ୍ତୁ ପଡିବ ପ୍ରଭାବ। ଦକ୍ଷିଣ ଓଡ଼ିଶାରେ ବାତ୍ୟା ମିଚାଉଁର ବଡ ପ୍ରଭାବ ପଡିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଗତକାଲି ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ଥିବା ଓ୍ବେଲମାର୍କ ଲୋପ୍ରେସର ଆଜି ଅବପାତରେ ପରିଣତ ହୋଇଛି। ଏବେ ଏହା ପୁଡୁଚେରୀଠାରୁ ୭୩୦ କିଲୋମିଟର ପୂର୍ବ-ଦକ୍ଷିଣ-ପୂର୍ବରେ କେନ୍ଦ୍ରୀଭୁତ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୁତ ହୋଇ ଗଭୀର ଅବପାତ ଏବଂ ପରେ ବାତ୍ୟାର ରୂପ ନେବ। ଉତ୍ତର ତାମିଲନାଡୁ ଏବଂ ଚେନ୍ନାଇର ମଛଲିପଟ୍ଟନମ ମଝିରେ ଉପକୂଳ ଅତିକ୍ରମ କରିବ। ବାତ୍ୟାର ପ୍ରଭାବ ଦକ୍ଷିଣ ଉପକୂଳ ଓଡ଼ିଶାରେ ପଡିବ। ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ୫ତାରିଖରେ ଦକ୍ଷିଣ ଓଡ଼ିଶାର ୫ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

ଦକ୍ଷିଣ ଓଡ଼ିଶାରେ ପଡିବ ବାତ୍ୟାର ବଡ ପ୍ରଭାବ। ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ୫ଜିଲ୍ଲାକୁ ଅରେଞ୍ଜ ଆଲର୍ଟ। ଘଣ୍ଟାପ୍ରତି ବହିବ ୪୦ରୁ ୫୦ କିଲୋମିଟର ବେଗରେ ପବନ। ସବୁ ବନ୍ଦରକୁ ଜାରି ହେଲା ୧ନମ୍ବର ବିପଦ ସଙ୍କେତ। ୫ରୁ ୭ତାରିଖ ପର୍ଯ୍ୟନ୍ତ ମତ୍ସଜୀବୀଙ୍କୁ ସମୁଦ୍ର ମନା। ୪ ତାରିଖ ସନ୍ଧ୍ୟାରେ ଉତ୍ତର ତାମିଲନାଡୁ ଏବଂ ମଛଲିପଟ୍ଟନମ ମଝିରେ ସ୍ଥଳଭାଗ ଛୁଇଁବ ବାତ୍ୟା ମିଚାଉଁ । ବ୍ୟାପକ ଧାନ ଫସଲ ନଷ୍ଟ ହେବା ଆଶଙ୍କା। ଧୋଇଯିବ କଚ୍ଚା ଘର ଏବଂ ରାସ୍ତା । ୩ତାରିଖରୁ ଓଡ଼ିଶାରେ ବଦଳିବ ପାଗ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅବପାତରେ ପରିଣତ ହୋଇଛି। ଆସନ୍ତାକାଲି ସକାଳ ସୁଦ୍ଧା ଏହା ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେବ। ୩ତାରିଖ ସୁଦ୍ଧା ବାତ୍ୟା ମିଚାଉଁର ରୂପ ନେଇ ସ୍ଥଳଭାଗମୁହାଁ ହେବ । ପରେ ରିକର୍ଭ କରି ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତି କରିବ। ଲ୍ୟାଣ୍ଡଫଲ ସମୟରେ ପ୍ରବଳ ବର୍ଷା ସହ ସର୍ବାଧିକ ଘଣ୍ଟାପ୍ରତି ୭୦ ରୁ ୮୦ କିଲୋମିଟର ବେଗରେ ପବନ ବହିବ ବୋଲି ଆକଳନ କରାଯାଇଛି ।

ବାତ୍ୟା ପ୍ରଭାବରେ ୩ତାରିଖରୁ ଓଡ଼ିଶାରେ ଆରମ୍ଭ ହେବ ବର୍ଷା। ୪ରୁ ବଢିବ ବର୍ଷାର ବିସ୍ତୃତି ଓ ପରିମାଣ। ଦକ୍ଷିଣ ଓଡ଼ିଶାର ୫ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ ଓ ଗଜପତିରେ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ନେଇ ଚେତାବନୀ ଜାରି ହୋଇଛି। ସେହିଭଳି ୫ତାରିଖରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ୫ଜିଲ୍ଲାକୁ ଅରେଞ୍ଜ ଏବଂ ୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଆରେଞ୍ଜ ଆଲର୍ଟ ଥିବା ଜିଲ୍ଲା ଗୁଡ଼ିକ ହେଉଛି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ ଓ ଗଜପତି। ଏସବୁ ଜିଲ୍ଲାରେ ୭୦ରୁ ୨୦୦ ମିମି ଯାଏଁ ବର୍ଷା  ସମ୍ଭାବନା ରହିଛି। ସେହିଭଳି ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, ନୟାଗଡ଼ ସମେତ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ବର୍ଷା ସମୟରେ ଘଣ୍ଟା ପ୍ରତି ୩୫ରୁ ୪୫କିମି ଓ ଝଟକା ପବନର ବେଗ ୫୫ କିମି ପର୍ଯ୍ୟନ୍ତ ରହିବ।

ପ୍ରବଳ ବର୍ଷାରେ ଅମଳ ଉପଯୋଗୀ ଧାନ ନଷ୍ଟ ହେବା ଆଶଙ୍କା ରହିଛି। ଆକସ୍ମିକ ବନ୍ୟା ପରିସ୍ଥିତି ଦେଖା ଦେବା ସହ କଚ୍ଚା ଘର ଓ ରାସ୍ତା ପ୍ରଭାବିତ ହୋଇପାରେ। ସମୁଦ୍ର ଅତି ଅଶାନ୍ତ ରହିବା କାରଣରୁ ଆଜି ସନ୍ଧ୍ୟା ସୁଦ୍ଧା ଗଭୀର ସମୁଦ୍ରରେ ଥିବା ମତ୍ସ୍ୟଜୀବୀଙ୍କୁ କୂଳକୁ ଫେରି ଆସିବାକୁ କୁହାଯାଇଛି। ୫ରୁ ୭ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି। ପୁରୀ ସିଗ୍ନାଲ ବନ୍ଦର ସହିତ ଗୋପାଳପୁର, ପାରାଦୀପ, ଧାମରା ବନ୍ଦର କୁ ୧ ନମ୍ୱର୍ ବିପଦ ସଂକେତ ଜାରି କରାଯାଇଛି।