ପୁରୀରେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

1 min read

ପୁରୀ: ପୁରୀ ଗସ୍ତ କରି ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ମହାପ୍ରଭୁଙ୍କୁ ଦର୍ଶନ କରିବା ସାଙ୍ଗକୁ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଛନ୍ତି। ଶ୍ରୀଜଗନ୍ନାଥ ବଲ୍ଲଭ କମ୍ପ୍ଲେକ୍ସ ଠାରୁ ଶ୍ରୀମନ୍ଦିର ଦୋଳବେଦୀ କୋଣକୁ ସଂଯୋଗ ପାଇଁ ନୂତନ ରାସ୍ତାର ଜମି ଅଧିଗ୍ରହଣ ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି 5T ଅଧ୍ୟକ୍ଷ।

ଆଜି ଭୋରରୁ ଶ୍ରୀକ୍ଷେତ୍ରରେ ପହଞ୍ଚି ଶ୍ରୀଜିଉଙ୍କୁ ଦର୍ଶନ କରି ପରିକ୍ରମା ପ୍ରକଳ୍ପ ସମୀକ୍ଷା କରିଛନ୍ତି । ଭକ୍ତଙ୍କ ସୁବ୍ୟବସ୍ଥିତ ଦର୍ଶନ , ଭିଡ଼ ନିୟନ୍ତ୍ରଣ ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି 5T ଅଧ୍ୟକ୍ଷ । ଏହା ସହିତ ମଠଗୁଡିକର ପୁନରୁଦ୍ଧାର କାମ, ଲ୍ୟାଣ୍ଡସ୍କେପିଂ କାମ ତ୍ୱରାନ୍ୱିତ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି।

ପରିକ୍ରମା ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିବା ସହ ଭକ୍ତ ମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ଏହି ଅବସରରେ 5T ଅଧ୍ୟକ୍ଷ ଦୋଳବେଦି ଅଞ୍ଚଳର ତ୍ଵରିତ ବିକାଶ ସହ ଏମାର ମଠ, ପଞ୍ଜାବୀ ମଠ ଆଦିର ପୁନରୁଦ୍ଧାର କରିବା ଉପରେ ଗୁରୁତ୍ବାରୋପ କରିବା ସଙ୍ଗେସଙ୍ଗେ ଏହା ସହିତ ପରିକ୍ରମା ପ୍ରକଳ୍ପ ସମ୍ମୁଖ ଭାଗର ପେଣ୍ଟିଂ କାମ ଆଗେଇ ନେବାକୁ ପରାମର୍ଶ ଦେଇଥିଲେ।

ଶ୍ରଦ୍ଧାଳୁଙ୍କ ସ୍ବଚ୍ଛନ୍ଦ ଦର୍ଶନ ପାଇଁ ମରୀଚି କୋଟ ଛକ ଠାରୁ ଧାଡ଼ି ଆରମ୍ଭ କରାଯିବାକୁ ପରାମର୍ଶ ଦେଇଥିଲେ । ଏହା ସହିତ ସିଂହଦ୍ଵାର ଠାରୁ ମରୀଚି କୋଟ ଛକ ପର୍ଯ୍ୟନ୍ତ ବଡ଼ଦାଣ୍ଡର ଉଭୟ ପାର୍ଶ୍ଵରୁ ଭେଣ୍ଡିଂ ଜୋନ୍ ହଟାଇ ଅନ୍ୟତ୍ର ଥଇଥାନ କରିବା ପାଇଁ 5T ଅଧ୍ୟକ୍ଷ ପରାମର୍ଶ ଦେଇଥିଲେ। ସେହିପରି ଶ୍ରୀମନ୍ଦିର ଉତ୍ତର ଦକ୍ଷିଣ ଓ ପଶ୍ଚିମ ପାର୍ଶ୍ୱର ଲ୍ୟାଣ୍ଡସ୍କେପିଂ କାମ ଡିସେମ୍ବର ୯ତାରିଖ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ଦେଇଥିଲେ।

ମଠ ପୁନଃନିର୍ମାଣ ପାଇଁ ଅଧିକ ସଂଖ୍ୟକ ଦକ୍ଷ କାରିଗର ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଦେବା ସହ ମେଘନାଦ ପାଚେରୀ ନିକଟରେ ବିଦ୍ୟୁତକରଣ କାମକୁ ଶୀଘ୍ର ସାରିବାକୁ ସେ କହିଥିଲେ। ମେଘନାଦ ପାଚେରୀ ନିକଟରେ ଥିବା ଐତିହ୍ୟ ସମ୍ପନ୍ନ ଛୋଟ ଛୋଟ ମନ୍ଦିର ଓ ନିର୍ମାଣକୁ ସୁରକ୍ଷିତ ରଖିବା ପାଇଁ ଫାଇଭ-ଟି ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଥିଲେ। ଦୂଷିତ ଜଳରୁ ବିଶୁଦ୍ଧ ଜଳ ସଂଗ୍ରହ ପ୍ଲାଣ୍ଟ, ପରିମଳ ବ୍ୟବସ୍ଥାର ଉନ୍ନତି କାମ ଠିକ୍ ସମୟରେ ସରିବା ଉପରେ ସେ ଗୁରୁତ୍ବ ଆରୋପ କରିଥିଲେ।

ସେହିପରି ସେହି ରାସ୍ତା ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହ ମ୍ୟାପକୁ ମଧ୍ୟ ଅନୁଧ୍ୟାନ କରିଛନ୍ତି। ରାସ୍ତା ପାଇଁ ଯେଉଁ ଜମି ଅଧିଗ୍ରହଣ ହେବ ସେସବୁ ସ୍ଥାନକୁ ବୁଲି ଦେଖିବା ସହ କାର୍ଯ୍ୟ ଶେଷ ନେଇ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ କାର୍ତ୍ତିକ ପାଣ୍ଡିଆନ। ପୁରୀ ଜିଲ୍ଲାପାଳ, ଏସପି, ଉପଜିଲ୍ଲାପାଳଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ ନିର୍ମାଣକାରୀ ସଂସ୍ଥାର ଅଧିକାରୀ ଉପସ୍ଥିତ ରହି ଚାଲିଥିବା କାର୍ଯ୍ୟ ବାବଦରେ ସୂଚନା ଦେଇଥିଲେ।