ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ସମ୍ପର୍କୀୟ ଭାଇକୁ ୩୦ ବର୍ଷ କାରାଦଣ୍ଡ । ଦଣ୍ଡାଦେଶ ଦେଲେ ଯାଜପୁର ସ୍ବତନ୍ତ୍ର ପୋକ୍ସୋ କୋର୍ଟ । ଅଭିଯୁକ୍ତ କୁଆଖିଆ ଥାନା ଅଞ୍ଚଳର ପ୍ରଦୀପ ମଳିକ । ୨୦୨୪ କୁଆଖିଆ ଥାନା ଅଞ୍ଚଳର ୧୩ ବର୍ଷୀୟ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଥିଲା । ନାବାଳିକା ୫ ମାସର ଗର୍ଭବତୀ ହେବା ପରେ ପରିବାର ଲୋକେ କୁଆଖିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପ୍ରଦୀପଙ୍କୁ ପୋକ୍ସୋ ଧାରା ୬ ଅନୁଯାୟୀ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ୧୫ ଜଣ ସାକ୍ଷ୍ୟ ପ୍ରମାଣକୁ ଗ୍ରହଣ କରି ଅଭିଯୁକ୍ତକୁ ୩୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୨୦ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି କୋର୍ଟ । ଜୋରିମାନା ଅନାଦୟ ୫ ମାସ ଅଧିକ କାରାଦଣ୍ଡାଦେଶ ସହ ପୀଡିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ପୋକ୍ସୋ ବିଚାରପତି ଅଭିଜିତ ପଲାଇ । ମାମଲାକୁ ସରକାରୀ ଓକିଲ ରାଜୀବ ମହାନ୍ତି ପରିଚାଳନା କରିଥିଲେ ।
ଉପାନ୍ତ ଶିକ୍ଷା ବ୍ଯବସ୍ଥାକୁ ଅବହେଳା
ନନ୍ଦିଘୋଷ ବ୍ୟୁରୋ: ଉପାନ୍ତ ଶିକ୍ଷା ବ୍ଯବସ୍ଥାକୁ ଅବହେଳା । ୟୁଜିସି 2-F ମାନ୍ଯତା ସତ୍ତ୍ବେ ଭିତ୍ତିଭୂମି ପାଇଁ ସଂଘର୍ଷ କରୁଛି ଜୟପୁର ବିକ୍ରମଦେବ ବିଶ୍ବବିଦ୍ଯାଳୟ । ଜମି ହସ୍ତାନ୍ତର ହୋଇପାରୁ ନଥିବା ବେଳେ ନାହାନ୍ତି ସ୍ଥାୟୀ ଅଧ୍ଯାପକ କିମ୍ବା ପ୍ରଧ୍ଯାପକ । ବିଶ୍ବବିଦ୍ଯାଳୟ ଘୋଷଣା କରିବା ସହ ଶିକ୍ଷା ବ୍ଯବସ୍ଥାର ଉନ୍ନତି ଆଣିଥିଲେ ପୂର୍ବ ସରକାର । ହେଲେ ଏବେ ଏହାକୁ ଅଣଦେଖା କରାଯାଉଥିବା ଅଭିଯୋଗ କରିଛି ଛାତ୍ର ସଂସଦ ଆଲୁମିନି ।
ଜୟପୁର ବିକ୍ରମଦେବ ବିଶ୍ବବିଦ୍ୟାଳୟକୁ ଅଣଦେଖା । ଜମି ହସ୍ତାନ୍ତ ନହେବାରୁ ବିକାଶ ହେଉନି ଭିତ୍ତିଭୂମି । ନାହାନ୍ତି ସ୍ଥାୟୀ ଅଧ୍ଯାପକ କିମ୍ବା ପ୍ରଧ୍ଯାପକ । ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ଯାହାତ । ଦୁଇବର୍ଷ ତଳେ ପୁର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ବିଶ୍ବବିଦ୍ୟାଳୟରେ ଘୋଷଣା କରିଥିଲେ । ଏହାରି ଭିତରେ ବିଶ୍ବବିଦ୍ଯାଳୟ ଅନୁଦାନ ଆୟୋଗ ପକ୍ଷରୁ ମିଳିଛି ୨-ଏଫ୍ ମାନ୍ୟତା । କିନ୍ତୁ ନା ଏଠାରେ ଅଛନ୍ତି ସ୍ଥାୟୀ ଅଧ୍ଯାପକ କିମ୍ବା ପ୍ରଧ୍ଯାପକ ନା ମିଳିଛି ବିଶ୍ବ ବିଦ୍ୟାଳୟ ପାଇଁ ଜମି । ସ୍ଥାୟୀ କୁଳପତି ବି ନାହାନ୍ତି । ଅତିଥି ଅଧ୍ଯାପକରେ ଚାଲିଛି ପାଠପଢା । ବିଶ୍ବବିଦ୍ୟାଳୟ ପାଇଁ ୭୨ ଏକର ଜମି ଦେବାକୁ ସ୍ଥିର କରିଥିବା ବେଳେ ମାତ୍ର ୪୦ ଏକର ଜମି ଦେବାକୁ RDC ନିକଟକୁ ଯାଇଛି ଫାଇଲ୍ । ଉପାନ୍ତ ଅଞ୍ଚଳରେ ଶିକ୍ଷା ବ୍ଯବସ୍ଥାକୁ ଅବହେଳା କରାଯାଉଥିବା ଅଭିଯୋଗ କରିଛି ଛାତ୍ର ସଂସଦ ଆଲୁମିନି ।
ପୂର୍ବରୁ ବିକ୍ରମଦେବ ଓଡ଼ିଶା ସରକାରଙ୍କ ସ୍ଵୀକୃତିପ୍ରାପ୍ତ ବିଶ୍ଵବିଦ୍ୟାଳୟ ତାଲିକାରେ ଥିଲା । ବର୍ତ୍ତମାନ ୟୁଜିସି ୨ ଏଫ ମାନ୍ୟତା ମିଳିବା ପରେ ବିଶ୍ଵବିଦ୍ୟାଳୟର ଡିଗ୍ରୀଧାର ଛାତ୍ରଛାତ୍ରୀ ଦେଶ ବିଦେଶର ଯେକୌଣସି ବିଶ୍ଵବିଦ୍ୟାଳୟର ପରବର୍ତ୍ତୀ ଉଚ୍ଚଶିକ୍ଷା ଗ୍ରହଣ ପାଇଁ ଯୋଗ୍ୟ ହେବେ । ହେଲେ ତୁରନ୍ତ ଜମି ହସ୍ତନ୍ତର ହେଲେ ବିଶ୍ବ ବିଦ୍ୟାଳୟ କାର୍ଯ୍ୟ ଆଗକୁ ବଢିବା ସହିତ ସ୍ଥାୟୀ ଅଧ୍ଯାପକ ମଧ୍ଯ ନିଯୁକ୍ତି ହେବା ନେଇ ବାଟ ଫିଟିପାରିବ ବୋଲି କହିଛନ୍ତି ଦାୟିତ୍ବରେ ଥିବା କୁଳପତି ।
ବିକ୍ରମଦେବ ବିଶ୍ବ ବିଦ୍ୟାଳୟ ପାଇଁ ଆବଶ୍ୟକୀୟ ଭିତ୍ତିଭୂମୀ ଓ ସ୍ଥାୟୀ ଅଧ୍ଯାପକ ସହିତ ସ୍ଥାୟୀ କର୍ମଚାରୀ ଯୋଗାଇଦେବାରେ ବହୁ ବିଳମ୍ବ ହୋଇଥିବା ବେଳେ ରାଜ୍ୟ ସରକାର ଏହା ଉପରେ ଦୃଷ୍ଟି ଦେବାକୁ ଦାବି ହୋଇଛି ।
ଧରାକୁ ଛୁଇଁଛି ପାର୍ବଣ, ଶସ୍ୟ ଶ୍ୟାମଳା ଧରିତ୍ରୀ ଉପରେ ଧବଳ ଚାଦର
ନନ୍ଦିଘୋଷ ବ୍ୟୁରୋ: ଶରତ ଆଗମନରେ ହସୁଛି ଧରଣୀରାଣୀ । ଶସ୍ୟ ଶ୍ୟାମଳା ଧରିତ୍ରୀ ଉପରେ ଧବଳ ଚାଦର । ଧବଳ କାଶତଣ୍ଡୀ ପ୍ରକୃତିର ଏକ ନୈସର୍ଗିକ ସୃଷ୍ଟି । ମାଆ ଦୁର୍ଗାଙ୍କ ଆଗମନର ବାର୍ତ୍ତା ଦେଇ ଖିଲିଖିଲି ହସୁଛି କାଶତଣ୍ଡୀ । କଳାହାଣ୍ଡି ଜିଲ୍ଲାର ନଦୀ ପଠାରେ କାଶତଣ୍ଡୀର ସମ୍ଭାର । କାଶତଣ୍ଡୀକୁ ଦେଖି ଆନମନା ହୋଇଉଠୁଛନ୍ତି ପଥିକ ।
ଧରାକୁ ଛୁଇଁଛି ପାର୍ବଣ। ସଜେଇ ହୋଇଛି ପ୍ରକୃତି ରାଣୀ । ଶସ୍ୟ ଶ୍ୟାମଳା ଧରିତ୍ରୀ ଉପରେ ଧବଳ ଚାଦର । କଳାହାଣ୍ଡି ଜିଲ୍ଲାର ନଦୀ ପଠାରେ ଲହଡି ଭାଙ୍ଗୁଛି କାଶତଣ୍ଡୀ । ମାଆ ଦୁର୍ଗାଙ୍କ ଆଗମନର ବାର୍ତ୍ତା ଦେଉଛି କାଶତଣ୍ଡୀ । ଖାଲି କାଶତଣ୍ଡୀ କାହିଁକି ବିଭିନ୍ନ ରଙ୍ଗ ବେରଙ୍ଗର ଫୁଲ ଜଗତଜନନୀ ମା ଦୁର୍ଗାଙ୍କୁ କରୁଛନ୍ତି ଆମନ୍ତ୍ରଣ । ଆଉ ଦିନ କେଇଟା ପରେ ଧରା ପୃଷ୍ଠକୁ ଆଗମନ କରିବେ ଜଗତଜନନୀ ମା ଦୁର୍ଗୀ । ମାଆଙ୍କ ନବଦିନାତ୍ମକ ପୂଜାରେ କମ୍ପିବ ପୁରପଲ୍ଲୀ ।
କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡର କଲମପୁର, ଗୋଲାମୁଣ୍ଡା, ଜୟପାଟଣା, କୋକସରା ଜୁନାଗଡ଼ ବ୍ଲକରେ ପାଖାପାଖି ଶହେରୁ ଉର୍ଦ୍ଧ୍ବ ସ୍ଥାନରେ ଦୁର୍ଗା ପୂଜା ହୋଇଥାଏ । ମାଆଙ୍କ ମୂର୍ତ୍ତି ନିର୍ମାଣ ସାଙ୍ଗକୁ ତୋରଣ ସାଜସଜ୍ଜାରେ ଲାଗି ପଡିଛନ୍ତି କାରିଗର । ଧର୍ମଗଡ ଦୁର୍ଗାପୂଜାର ରହିଛି ସ୍ଵତନ୍ତ୍ରତା । ବୀର ବାଦ୍ୟ ଘୁମୁରା, ନାଟକ, ମେଲୋଡି ଭଳି ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ହାତକୁ ନେଇଥାନ୍ତି ପୂଜା କମିଟି ।
NH କଡ଼ରେ ଚାଲିଥିଲା କ୍ଷୀର ଅପମିଶ୍ରଣ: ମାଡ଼ି ବସିଲା ପୋଲିସ
ନନ୍ଦିଘୋଷ ବ୍ୟୁରୋ: ଜାତୀୟ ରାଜପଥ କଡରେ ଅନ୍ଧାର ରାତିରେ ଚାଲିଥିଲା କ୍ଷୀର ଅପମିଶ୍ରଣ। ମାଡ଼ି ବସିଲା ପୋଲିସ। ଗତ ରାତିରେ କଟକ ଜିଲ୍ଲା ଗୁରୁଡ଼ି ଝାଟିଆ ଥାନା କୁସପଙ୍ଗୀ ନିକଟରେ ଏହି ଘଟଣା ଘଟିଥିଲା। ଏକ ହୋଟେଲ ପଛ ପଟେ କ୍ଷୀର ଅପମିଶ୍ରଣ କରାଯାଉଥିଲା। ଏହି ସମୟରେ ମାଡ଼ି ବସିଲା ପୋଲିସ। ଡ୍ରାଇଭର, କ୍ଷୀର ଅପମିଶ୍ରଣ କରୁଥିବା ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ। କ୍ଷୀର ଟ୍ୟାଙ୍କର, ଏକ ଟାଟା ଏସିଇ ଗା଼ଡ଼ି ଓ ଅପମିଶ୍ରଣରେ ବ୍ୟବହୃତ ସାମଗ୍ରୀ ଜବତ କରିଛି ପୋଲିସ। ଦୀର୍ଘ ଦିନ ଧରି ଏପରି ଅପମିଶ୍ରଣ ଚାଲିଥିଲା। ମେସିନ୍ ଦ୍ଵାରା କ୍ଷୀର ଗାଡି ମଧ୍ୟରେ ପାଣି ଲୋଡ କରି କ୍ଷୀରକୁ ବାହାର କରି ସେଥିରେ ଲୁଣ , ପାଉଡର୍ ଓ ଏକ କେମିକାଲ ମିଶାଯାଉଥିଲା। ଏହି କ୍ଷୀର ଗାଡ଼ି ସମ୍ବଲପୁରରୁ କଟକର ଏକ ଦାମୀ କମ୍ପାନୀକୁ ଯାଉଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି। ପୋଲିସ୍ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

