spot_img
Home Blog Page 237

ବିଗିଡିଲା ଜାତୀୟ ରାଜଧାନୀ ଦିଲ୍ଲୀର ବାୟୁ, ଅତି ଗମ୍ଭୀର ସ୍ଥିତିରେ ମାନ

ନନ୍ଦିଘୋଷ ବ୍ୟୁରୋ : ବିଗିଡିଲା ଜାତୀୟ ରାଜଧାନୀ ଦିଲ୍ଲୀର ବାୟୁ। ଅତି ଖରାପ ସ୍ତରକୁ ଖସିଲା ବାୟୁର ମାନ। ଅଧିକାଂଶ ସ୍ଥାନରେ ଏକ୍ୟୁଆଇ ୪୦୦ ପାର। ସହରର ମୋଟ ୩୯ ମନିଟରିଂ ଷ୍ଟେସନରୁ ୧୯ଟିରେ ପ୍ରଦୂଷଣ ମାତ୍ରା ଅତି ଖରାପ ରେକର୍ଡ କରାଯାଇଛି। ନୋଏଡାର ବାୟୁ ଗୁଣବତ୍ତା ଗମ୍ଭୀର ବର୍ଗରେ ରେକର୍ଡ କରାଯାଇଛି। ଗ୍ରେଟର ନୋଏଡା 380, ଗାଜିଆବାଦ 351 ଏବଂ ଗୁରୁଗ୍ରାମ 318 ଅତ୍ୟନ୍ତ ଖରାପ ପରିସର ମଧ୍ୟରେ ରହିଛି। ଅନେକ ମନିଟରିଂ ଷ୍ଟେସନରେ ବାୟୁ ଗୁଣବତ୍ତା ସୂଚକାଙ୍କ AQI ସ୍ତର 400 ଉପରେ ରେକର୍ଡ କରାଯାଇଥିଲା।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ CPCB ତଥ୍ୟ ଅନୁଯାୟୀ ସକାଳ 6 ଟାର ଦିଲ୍ଲୀର ହାରାହାରି AQI 384 ଥିଲା, ଯାହାକି ଅତ୍ୟନ୍ତ ଖରାପ ବର୍ଗରେ ବୋଲି କହିଛି। ଦିଲ୍ଲୀ ସରକାର GRAP-III କଟକଣା ପ୍ରତ୍ୟାହାର କରିବାର ମାତ୍ର 48 ଘଣ୍ଟା ପରେ, ଦିଲ୍ଲୀ-NCRର ବିଭିନ୍ନ ସ୍ଥାନରେ ବାୟୁ ଗୁଣବତ୍ତା ହ୍ରାସ ପାଇଛି। ଆନନ୍ଦ ବିହାର ୪୧୧, ବାୱାନା ୪୧୪, ଚାନ୍ଦନୀ ଚୌକ ୪୦୭, ନରେଲା ୪୦୭, ଜେଏଲଏନ୍ ଷ୍ଟାଡିୟମ୍ ୪୦୧, ବୁରାରି ୪୦୨, ଅଶୋକ ବିହାର ୪୧୭ ଏବଂ ଆୟା ନଗର ୪୦୨ ରେକର୍ଡ ହୋଇଛି। ସେହିପରି ITO 396, ଅଲୀପୁର 355, IGI ବିମାନବନ୍ଦର 360 ଏବଂ ନଜଫଗଡ଼ 361 ରେକର୍ଡ କରାଯାଇଛି। ଗତ 14 ଦିନ ଧରି ସହରରେ ବାୟୁ ଗୁଣବତ୍ତା ଖରାପ ରହିଛି। ଜାତୀୟ ରାଜଧାନୀରେ ବାୟୁ ଗୁଣବତ୍ତା ଆଗାମୀ ଛଅ ଦିନ ମଧ୍ୟରେ ପରିସ୍ଥିତି ଗୁରୁତର ଏବଂ ଅତ୍ୟନ୍ତ ଖରାପ ମଧ୍ୟରେ ଗତିକରିପାରେ

ଯୁବକଙ୍କୁ ଇଟାରେ ଛେଚି ନିର୍ମମ ହତ୍ୟା

ନନ୍ଦିଘୋଷ ବ୍ୟୁରୋ : ଯୁବକଙ୍କୁ ଇଟାରେ ଛେଚି ନିର୍ମମ ହତ୍ୟା । ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ବଡ଼ଖୁଣ୍ଟା ଗ୍ରାମରେ ଘଟିଛି ଏଭଳି ଘଟଣା । ରାସ୍ତା ପାର୍ଶ୍ଵରେ ପଡିଛି ମୃତଦେହ । ଖୁଣ୍ଟା ଥାନା ଖପରାପାଳ ଗାଁର ଗଣେଷ ହେମ୍ବ୍ରମ ଗତକାଲି ଖୁଣ୍ଟା ସାପ୍ତାହିକ ହାଟକୁ ଆସିଥିଲେ। ହେଲେ ହାଟରୁ ଆଉ ଘରକୁ ଫେରି ନଥିଲେ ।

ଆଜି ସକାଳୁ ସ୍ଥାନୀୟ ଲୋକେ ରାସ୍ତାରେ ଯିବା ସମୟରେ ବଡ଼ଖୁଣ୍ଟା ରାସ୍ତା ପାର୍ଶ୍ଵରେ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ପୋଲିସକୁ ଖବର ଦେବା ପରେ ଖୁଣ୍ଟା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏବଂ ଯୁବକଙ୍କ ମୁହଁକୁ ଅତି ନିର୍ମମ ଭାବେ ଇଟାରେ ଛେଚି ହତ୍ୟା କରାଯାଇଥିବା ପୋଲିସ ଜାଣିବାକୁ ପାଇଛି । ତେବେ କିଏ ଓ କାହିଁକି ଏଭଳି କାଣ୍ଡ ଘଟାଇଛି ତାହା ସ୍ପଷ୍ଟ ହୋଇନାହିଁ । ମୃତଦେହ ପାଖରୁ ଗାଡି ଚାବି ଜବତ କରି ପୋଲିସ ତଦନ୍ତ କରୁଛି ।

ଭୁବନେଶ୍ଵରରେ ବୋମାମାଡ଼ ; ଥରିଲା ସ୍ଥାନୀୟ ଅଞ୍ଚଳ ଓ ସ୍କୁଲ ପରିସର

ନନ୍ଦିଘୋଷ ବ୍ୟୁରୋ : ଭୁବନେଶ୍ଵରରେ ବୋମାମାଡ଼। ଗାଡକଣ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୩ ଗେଟ୍ ସମ୍ମୁଖରେ ଫୁଟିଲା ବୋମା । ବୋମା ବିସ୍ଫୋରଣରେ ଥରିଲା ସ୍ଥାନୀୟ ଅଞ୍ଚଳ ଓ ସ୍କୁଲ ପରିସର । ସକାଳ ୮ ଟା ବେଳେ ବୋମା ଫୁଟିଥିବା କୁହାଯାଉଛି । ଘଟଣାସ୍ଥଳରେ ମଞ୍ଚେଶ୍ୱର୍ ପୋଲିସ ପହଞ୍ଚି ଛାନବିନ ଆରମ୍ଭ କରିଛି । ଆଖପାଖର ସିସିଟିଭି ଚିତ୍ରକୁ ନେଇ ଖୋଳତାଡ କରୁଛି ।

ପୁରୁଣା ତ୍ରୁଟିରୁ ବୁଦ୍ଧି ଶିଖିଲା ଓସିଏ: ବାରବାଟୀରେ ଟି୨୦ ବେଳେ ଫ୍ଲଡ ଲାଇଟକୁ ନେଇ ବ୍ୟାପକ ବ୍ୟବସ୍ଥା

ପୁରୁଣା ତ୍ରୁଟିରୁ ବୁଦ୍ଧି ଶିଖିଲା ଓସିଏ: ବାରବାଟୀରେ ଟି୨୦ ବେଳେ ଫ୍ଲଡ ଲାଇଟକୁ ନେଇ ବ୍ୟାପକ ବ୍ୟବସ୍ଥା

ନନ୍ଦିଘୋଷ ବ୍ୟୁରୋ: ଫେବୃଆରୀ ୯ ତାରିଖରେ ବାରବାଟୀରେ ଭାରତ-ଇଂଲଣ୍ଡ ମ୍ୟାଚବେଳେ ଫ୍ଲଡ ଲାଇଟ ବାରମ୍ବାର ବନ୍ଦ ହେବା ଯୋଗୁଁ ସାରା ବିଶ୍ବରେ ନିନ୍ଦିତ ହୋଇଥିଲା ଓସିଏ । ଡିସେମ୍ବର ୯ରେ ପୁଣି ବାରବାଟୀକୁ ଫେରିଛି ଅନ୍ତର୍ଜାତୀୟ ମ୍ୟାଚ । ଭାରତ- ଦକ୍ଷିଣ ଅଫ୍ରିକା ମ୍ୟାଚରେ ସେମିତି ଅଘଟଣ ଯେପରି ନଘଟେ ଏଥିପାଇଁ ସଜାଗ ହୋଇଛି ଓସିଏ । ସେଥିପାଇଁ ୮ଟି ନୂଆ ଜେନେରେଟର ଅଣାଯାଇଛି । ବ୍ୟାକଅପ୍ ପାଇଁ ପ୍ରତି ସ୍ଥାନରେ ଗୋଟିଏ ଲେଖାଏଁ ଡିଜେ ରହିବ । ସାଇଣ୍ଟିଫିକ କଣ୍ଟ୍ରୋଲ ରୁମ ଜରିଆରେ ଫ୍ଲଡ ଲାଇଟର ପୂରା ପରିଚାଳନା କରିବାକୁ ଓସିଏ ନିଷ୍ପତ୍ତି ନେଇଛି । ସେପଟେ ମ୍ୟାଚକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ବଢିବାରେ ଲାଗିଛି ଉତ୍କଣ୍ଠ ।

ପୁରୁଣା ତ୍ରୁଟିରୁ ବୁଦ୍ଧି ଶିଖିଲେ ଓସିଏ । ଫ୍ଲଡ ଲାଇଟ ଉପରେ ଦିଆଯିବ ଅଧିକ ଗୁରୁତ୍ବ । ସବୁ ଷ୍ଟାଣ୍ଡରେ ପ୍ରସ୍ତୁତ ରହିବ ବ୍ୟାକଅପ ଜେନେରେଟର । ସାଇଣ୍ଟିଫିକ୍ କଣ୍ଟ୍ରୋଲ ରୁମ ଜରିଆରେ ହେବ ପରିଚାଳନା । ଫେବୃଆରୀ ୯ ତାରିଖରେ ବାରବାଟୀରେ ଭାରତ-ଇଂଲଣ୍ଡ ଦିବାରାତ୍ର ମ୍ୟାଚ ବେଳେ ହଠାତ ଫ୍ଲଡ ଲାଇଟ ତ୍ରୁଟି ଯୋଗୁଁ ପୂରା ଷ୍ଟାଡିୟମ ଅନ୍ଧାର ହୋଇଯାଇଥିଲା । ଖେଳ ମଝିରେ ୨୨ ମିନିଟ ବନ୍ଦ ହେବାରୁ ଖେଳାଳି ସମେତ ଦର୍ଶକ ବିରକ୍ତି ପ୍ରକାଶ କରିଥିଲେ । ଏହାକୁ ନେଇ ସାରା ବିଶ୍ବରେ ନିନ୍ଦିତ ହୋଇଥିଲା ଓସିଏ । ଏଥର କିନ୍ତୁ ସେହି ପୁରୁଣା ତ୍ରୁଟି ସୁଧାରି ଫ୍ଲଡ ଲାଇଟ ଉପରେ ଅଧିକ ଗୁରୁତ୍ବ ଦେଇଛି ଓସିଏ । ଆଗାମୀ ମ୍ୟାଚରେ ନୂଆ ୮ଟି ହାଇପାୱାର ଜେନେରଟର ନିୟୋଜିତ ରହିବେ । ପ୍ରତି ଟାୱାର ନିକଟରେ ବ୍ୟାକଅପ ଦେବାକୁ ରହିବ ଆଉଏକ ଡିଜେ । ଷ୍ଟାଣ୍ଡ ବାଏରେ ମୋଟ ୧୦ଟି ଡିଜେ ରହିବ । ସାଇଣ୍ଟିଫିକ କଣ୍ଟ୍ରୋଲ ରୁମ ଜରିଆରେ ପୂରା ଫ୍ଲଡ ଲାଇଟର ପରିଚାଳନା କରାଯିବ ବୋଲି ଓସିଏ ମୁଖ୍ୟ ବୈଷୟିକ ପରାମର୍ଶଦାତା ବିଷ୍ଣୁପଦ ମହାପାତ୍ର କହିଛନ୍ତି ।

ଡିସେମ୍ବର ୯ରେ ବାରବାଟୀରେ ହେବ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ବେଣ୍ଟି ମୁକାବିଲା । ୫ ତାରିଖରୁ ସାଧାରଣ ଦର୍ଶକଙ୍କ ପାଇଁ ଆରମ୍ଭ ହେବ ଟିକେଟ ବିକ୍ରି । ତେଣୁ ମ୍ୟାଚକୁ ଆଉ ଗୋଟିଏ ସପ୍ତାହ ଥିବାରୁ ଫ୍ଲଡ ଲାଇଟଗୁଡ଼ିକ ଯାଞ୍ଚ କରିଛି ଓସିଏ । ଫ୍ଲଡ ଲାଇଟରେ ଏକ ଡିଜିଟାଲ ସିଙ୍କ୍ରୋନାଇଜ ଲାଇଟ ଡିସପ୍ଲେର ବ୍ୟବସ୍ଥା କରିବାକୁ ଯାଉଛି ଓସିଏ । ଓସିଏର ଏପରି ଉଦ୍ୟମକୁ ପ୍ରଶଂସା କରିଛନ୍ତି ପୂର୍ବତନ କ୍ରିକେଟର ପବନ ଅଗ୍ରୱାଲ ।

୯ ମାସ ପରେ ପୁଣି ବାରବାଟୀରେ ହେବାକୁ ଯାଉଛି ଅନ୍ତର୍ଜାତୀୟ ମ୍ୟାଚ । ଯାହାକୁ ନେଇ କ୍ରୀଡ଼ାପ୍ରେମୀ ଉତ୍ସାହିତ ଥିବାବେଳେ ଯେପରି କୌଣସି ତ୍ରୁଟି ନହୁଏ ସେଥିପ୍ରତି ରହିଛି କଡ଼ା ନଜର ।

ଏସଆଇ ପରୀକ୍ଷା କେଳେଙ୍କାରୀ: ସିବିଆଇ ହାତରେ ବଡ଼ ସୁରାକ, ଖଣି, ବାଲିଘାଟ ନିଲାମ ନେଉଥିଲେ ଦଲାଲ

ଏସଆଇ ପରୀକ୍ଷା କେଳେଙ୍କାରୀ: ସିବିଆଇ ହାତରେ ବଡ଼ ସୁରାକ, ଖଣି, ବାଲିଘାଟ ନିଲାମ ନେଉଥିଲେ ଦଲାଲ

ନନ୍ଦିଘୋଷ ବ୍ୟୁରୋ: ପୋଲିସ ଏସଆଇ ପରୀକ୍ଷା ମହାକେଳେଙ୍କାରୀ ମାମଲା । ୪ ଦଲାଲଙ୍କୁ ୩ ଦିନିଆ ରିମାଣ୍ଡରେ ନେଇ ଘାଣ୍ଟୁଛି ସିବିଆଇ । ତଦନ୍ତକାରୀ ସଂସ୍ଥା ହାତରେ ଲାଗିଛି ସାଙ୍ଘାତିକ ସୁରାକ । ରାଜ୍ୟ ବାହାରେ ବସି ସିଣ୍ଡିକେଟକୁ ଅପରେଟ କରୁଥିଲା ଶଙ୍କର । ଦଲାଲ ନେଉଥିଲେ ବାଲିଘାଟ, ମୋରମ ଖଣି ନିଲାମ । ଓପିଆରବିର ଅପାରଗତା ସମ୍ପର୍କରେ ଅଭିଯୁକ୍ତ ଦେଲେ ଚାଞ୍ଚଲ୍ୟକର ତଥ୍ୟ । ସେପଟେ ଜବତ ଡିଜିଟାଲ ଡିଭାଇସକୁ ନେଇ ତନାଘନା ଚଲାଇଛି ସିବିଆଇର ଟେକ୍ନିକାଲ ଟିମ ।

ଟଙ୍କା ଖାଇ ଟିଙ୍କ ବନିଥଲେ । ପୋଲିସ ଚାକିରି ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏବେ ସିବିଆଇକୁ ଦେଖି ଲୁଚିଲେଣି । ପାୱାର କରିଡରରେ କୋକୁଆ ଭୟ । ସମୟ ମଧ୍ୟାହ୍ନ ୧୨ ଟା ୧୫ରେ ଝାରପଡା ସ୍ୱତନ୍ତ୍ର ଜେଲ ପରିସରକୁ ପଶିଥିଲା ସିବିଆଇ ଟିମ । ଆଉ ଦୀର୍ଘ ଏକ ଘଣ୍ଟାର କାଗଜପତ୍ର ଯାଞ୍ଚ, ସ୍ୱାସ୍ଥ୍ୟ ପରୀକ୍ଷା ପରେ ୧ ଟା ୩୦ରେ ଜେଲରୁ ୪ ଅଭିଯୁକ୍ତଙ୍କୁ ଧରି ବାହାରିଲା ଟିମ । ୩ ଦିନିଆ ରିମାଣ୍ଡରେ ଥିବା ୪ ଦଲାଲ ଲୋକନାଥ ସାହୁ, ତଫିମ ଅହମ୍ମଦ ଖାନ, ବିଶ୍ୱଜିତ ହରିଚନ୍ଦନ, ଏସଏସବି ଯବାନ ବିଶ୍ୱରଞ୍ଜନ ସେନାପତିଙ୍କୁ ନେବା ପରେ ଘଣ୍ଟା ଘଣ୍ଟା ଧରି ଝାଳବୁହା ଜେରା କରିଛି ସିବିଆଇ । ଆଶାୟୀଙ୍କ ଝାଳବୁହା ଧନରେ ଅୟସ ଆରାମ କରୁଥିଲା ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି । ଫର୍ଚୁନର ଗାଡି ମେଣ୍ଟେନ କରିବା ସହ ଓଡିଶା ବାହାରେ କେମିତି ଘର କିଣିଥିଲା ସେ ନେଇ ଆରମ୍ଭ ହୋଇଛି ଖୋଳତାଡ଼ । ଆଶାୟୀଙ୍କ ବାପାଙ୍କ ମଧ୍ୟରେ ବରିଷ୍ଠ ଆଇପିଏସ ଥିବା ଜଣାପଡିବା ପରେ ଚାକିରି କଳାବଜାରୀର ଗହନ କଥା ସମ୍ପର୍କରେ ଅଧିକ ହୋଇପାରେ ଖୋଳତାଡ଼ । ସେପଟେ ଦିଲ୍ଲୀରୁ ଆସି ଭୁବନେଶ୍ୱର ସିବିଆଇ ଅଫିସରେ ପହଞ୍ଚିଛି ଟେକ୍ନିକାଲ ଟିମ । ଜବତ ଡିଜିଟାଲ ଡିଭାଇସକୁ କରାଯିବ ଯାଞ୍ଚ ।

ପୂର୍ବରୁ ୧୩ ଜଣ ଆଶାୟୀଙ୍କୁ ଜେରା ସରିଛି । ଆଜି ପୁଣି ୨ ପରୀକ୍ଷାର୍ଥୀ ହାଜର ହୋଇ ପକ୍ଷ ରଖିଛନ୍ତି । ମିଳିଥିବା ତଥ୍ୟ ମୁତାବକ ପୋଲିସ ଏସଆଇ ପରୀକ୍ଷା ପରିଚାଳନା ଲାଗି କୋଲକାତାର ଆଇଟିଆଇ ସଂସ୍ଥାକୁ ଟେଣ୍ଡର ମିଳିଥିଲା । ପରେ ଏହି ସଂସ୍ଥା ହାଇଦ୍ରାବାଦର ସିଲିକନ୍ ଟେକ୍ଲାବ୍ ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥାକୁ ଦାୟିତ୍ବ ନ୍ୟସ୍ତ କରିଥିଲା । ସିଲିକନ୍ ଏହାକୁ ସବ୍ଲେଟେର ବ୍ରହ୍ମପୁରର ପଞ୍ଚସଫ୍ଟକୁ ଦେଇଥିଲା । ସେଣ୍ଟର ତଦାରଖଠାରୁ ଆରମ୍ଭ କରି ପରୀକ୍ଷା ପରିଚାଳନା ପର୍ଯ୍ୟନ୍ତ ସମସ୍ତ ଦାୟିତ୍ବ ପଞ୍ଚସଫ୍ଟକୁ ମିଳିଥିଲା । ପଞ୍ଚସଫ୍ଟକୁ ଦାୟିତ୍ବ ମିଳିବା ପରେ ସଂସ୍ଥାର ନିର୍ଦ୍ଦେଶକ ଶଙ୍କର ପୃଷ୍ଟି କେଳେଙ୍କାରୀ ଯୋଜନା କରିଥିଲେ । ଏହି ଅପରାଧ ସିଣ୍ଡିକେଟର ଦକ୍ଷିଣ ଓଡ଼ିଶାକୁ ମୁନା ମହାନ୍ତି ଓ ଉତ୍ତର ଓଡ଼ିଶାକୁ ଅରବିନ୍ଦ ଦାସ ସମ୍ଭାଳୁଥିଲେ । ଏମାନଙ୍କ ଅଧୀନରେ ୧୦ ଜଣ ଲେଖାଏଁ ଏଜେଣ୍ଟ ଥିଲେ । ସେମାନେ ଆଶାୟୀ ପ୍ରାର୍ଥୀଙ୍କୁ ଯୋଗାଡ଼ କରୁଥିଲେ । ଆଶାୟୀଙ୍କଠାରୁ ମୁନା ଆଗୁଆ ମୂଳ ପ୍ରମାଣପତ୍ର ହାତେଇବା ସହ ଶଙ୍କର ପାଖକୁ ଆଣି କୋଟି କୋଟି ଟଙ୍କା ଲୁଟିଥିଲା

ଅଭିଯୁକ୍ତଙ୍କୁ ଜେରା କରିବା ପରେ କିଛି ବଡ଼ ବଡ଼ିଆଙ୍କ ଲିଙ୍କ, ହାୱଲା କାରବାର ସମ୍ପର୍କରେ ଚାଞ୍ଚଲ୍ୟକର ତଥ୍ୟ ପାଇଛି ସିବିଆଇ । ଆଉ ଏହି ତଥ୍ୟ ଆଧାରରେ ଖୁବଶୀଘ୍ର ନୋଟିସ ହେବା ନେଇ ସୂଚନା ମିଳିବା ପରେ ପାୱାର କରିଡରରେ ଛନକା ପଶିଛି ।

ଓଡ଼ିଶାର ସାମଗ୍ରିକ ବିକାଶ ଲାଗି ମହିଳାଙ୍କୁ ସମୃଦ୍ଧ କରିବାକୁ ଆହ୍ୱାନ

ଓଡ଼ିଶାର ସାମଗ୍ରିକ ବିକାଶ ଲାଗି ମହିଳାଙ୍କୁ ସମୃଦ୍ଧ କରିବାକୁ ଆହ୍ୱାନ

ନନ୍ଦିଘୋଷ ବ୍ୟୁରୋ: ମହିଳାମାନଙ୍କ ସମୃଦ୍ଧିର କଥା କୁହାଯାଉଥିଲେ ମଧ୍ୟ ଓଡ଼ିଶାରେ ସେ କଥା ଏବେ ଦେଖିବାକୁ ମିଳୁନି । ଜଳବାୟୁ ପରିବର୍ତ୍ତନର ପ୍ରଭାବ ଅଧିକ ମହିଳାଙ୍କ ଉପରେ ପଡୁଛି । ଯାହାର ସମାଧାନ ନକଲେ ବିକଶିତ ଓଡ଼ିଶା ସମ୍ଭବ ନୁହେଁ । ଏମିତି ମତ ପ୍ରକାଶ ପାଇଛି ଓଡିଶା ବିକାଶ ସମ୍ମିଳନୀରେ ।

ପରିବାରର ବରିଷ୍ଠ ମହିଳା ହୁଅନ୍ତୁ କିମ୍ବା ସ୍କୁଲ ପଢୁଆ ଝିଅ ସମସ୍ତେ ଜଳବାୟୁ ପରିବର୍ତ୍ତନର ଶିକାର । ବନ୍ୟା, ବାତ୍ୟା ଓ ମରୁଡି ଭଳି ସ୍ଥିତି ଯୋଗୁଁ ଓଡ଼ିଶାରେ ଡ୍ରପ ଆଉଟ ସଂଖ୍ୟା ବଢୁଥିବା କୁହାଯାଇଛି । ଜଳବାୟୁ ପରିବର୍ତ୍ତନ କାରଣରୁ ବହୁ ମହିଳା ରୋଜଗାର ହରାଉଛନ୍ତି । ମହିଳାଙ୍କ ପ୍ରଜନନ କ୍ଷମତା ହ୍ରାସ ପାଇବା ସହ ଅପପୁଷ୍ଟିଜନିତ ମୃତ୍ୟୁ ମଧ୍ୟ ବଢୁଛି । ତେଣୁ ଏଭଳି ଅନେକ ସମସ୍ୟା ସହ ଯୁଝି ହେଉଛନ୍ତି ମହିଳା । ତେଣୁ ରାଜ୍ୟକୁ ଅର୍ଥନୈତିକ କ୍ଷେତ୍ରରେ ସମୃଦ୍ଧ କରିବାକୁ ହେଲେ ମହିଳାମାନଙ୍କୁ ଏଭଳି ସ୍ଥିତିରୁ ଉଦ୍ଧାର କରିବାକୁ ପଡିବ ବୋଲି ଓଡିଶା ବିକାଶ ସମ୍ମିଳନୀରେ ଯୋଗ ଦେଇ ବିଶେଷଜ୍ଞ ମତ ରଖିଛନ୍ତି । ସାମାଜିକ ବ୍ୟବସ୍ଥାରେ ମହିଳାଙ୍କ ପାଇଁ ଥିବା ବାଧା ଜଳବାୟୁ ପରିବର୍ତ୍ତନ ଯୋଗୁଁ ଆହୁରି ବଢ଼ି ଯାଉଛି । ତେଣୁ ସେ ସବୁରୁ ମହିଳାଙ୍କୁ ସୁରକ୍ଷା ଦେଇ ଆଗକୁ ବଢିବାକୁ ପଡିବ ।

୨୦୫୦ ସୁଦ୍ଧା ଅଧିକ ସଂଖ୍ୟାରେ ମହିଳା ଏବଂ ଝିଅମାନେ ଦାରିଦ୍ୟତାର ଶିକାର ହେବା ସହ ଅଧିକ ସଂଖ୍ୟାରେ ମୃତ୍ୟୁବରଣ କରିବେ ବୋଲି କୁହାଯାଇଛି । ଓଡ଼ିଶାରେ ଦାରିଦ୍ୟତା ବଢୁଛି । ଯାହାର କାରଣ ଜଳବାୟୁ ପରିବର୍ତ୍ତନର ପ୍ରଭାବ ବୋଲି ମଧ୍ୟ କୁହାଯାଇଛି । ଦକ୍ଷିଣ ଓଡିଶାରେ ବାରମ୍ବାର ବାତ୍ୟା ହେଉଛି । ଯାହା ଫଳରେ ଲୋକଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହେଉଛି । ସେହିପରି ପଶ୍ଚିମ ଓଡ଼ିଶାରେ ମରୁଡି ପ୍ରଭାବ ପକାଉଛି । ଓଡ଼ିଶାର ବହୁ ଲୋକ ବାହାରକୁ କାମ କରିବାକୁ ଯାଉଥିବା ବେଳେ ମହିଳା ଘରେ ରହିଯାଉଛନ୍ତି । ତେଣୁ ସେମାନଙ୍କ ପାଇଁ ବହୁତ କିଛି କାମ କରିବାକୁ ପଡିବ ବୋଲି କୁହାଯାଇଛି । ଏସବୁକୁ ଆଖି ଆଗରେ ରଖି ବିଶେଷଜ୍ଞଙ୍କ ମତ ନେଇ ଯୋଜାନା ପ୍ରସ୍ତୁତ କରିବା ସହ ସରକାରଙ୍କୁ ପ୍ରଦାନ କରାଯିବ ।

ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇଲେ ନବୀନ, କହିଲେ- ମାଟିର ଝିଅ ଦେଶର ସର୍ବୋଚ୍ଚ ଆସନରେ ବସିଥିବାରୁ ଆମେ ସମସ୍ତ ଗର୍ବିତ

ରାଷ୍ଟ୍ରପତିଙ୍କୁ ଅଭିନନ୍ଦିନ ଜଣାଇଲେ ନବୀନ, କହିଲେ- ମାଟିର ଝିଅ ଦେଶର ସର୍ବୋଚ୍ଚ ଆସନରେ ବସିଥିବାରୁ ଆମେ ସମସ୍ତ ଗର୍ବିତ

ନନ୍ଦିଘୋଷ ବ୍ୟୁରୋ: ବିଧାନସଭାରେ ମହାମହିମ ରାଷ୍ଟ୍ରପତିଙ୍କ ସମ୍ବୋଧନ ଅବସରରେ ନିଜ ବକ୍ତବ୍ୟ ରଖିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମାଟିର ଝିଅ ଦେଶର ସର୍ବୋଚ୍ଚ ଆସନରେ ବସିଥିବାରୁ ଆମେ ସମସ୍ତେ ଗର୍ବିତ ହୋଇ କହିଛନ୍ତି ନବୀନ । ଜୟ ଜଗନ୍ନାଥ କହି ନବୀନ ବକ୍ତବ୍ୟ ଆରମ୍ଭ କରିବା ସହ ଓଡ଼ିଶା ବିଧାନସଭା ରାଷ୍ଟ୍ରପତିଙ୍କୁ ସମ୍ବର୍ଦ୍ଧିତ କରିବା ସମସ୍ତଙ୍କ ପାଇଁ ସମ୍ମାନର ବିଷୟ ବୋଲି ନବୀନ କହିଛନ୍ତି ।

ନବୀନ କହିଛନ୍ତି, ୨୫ ବର୍ଷ ତଳେ ଏହି ଓଡ଼ିଶା ବିଧାସନଭାରୁ ମହାମହିମ ଆରମ୍ଭ କରିଥିଲେ ଜନପ୍ରତିନିଧି ଯାତ୍ରା । ଆଜି ସେ ଦେଶର ରାଷ୍ଟ୍ରପତି ହୋଇ ଏ ମାଟିର ଗୌରବ ବୃଦ୍ଧି କରିଛନ୍ତି । ଆମେ ସମସ୍ତେ ଏଥିପାଇଁ ଗର୍ବିତ । ଆମ ଦେଶ ଆଜି ବହୁତ ଆହ୍ବାନ ଦେଇ ଗତି କରୁଛି । ଭାଷା ଭିତରେ ଓଡ଼ିଶା ଦେଶର ପ୍ରଥମ ସ୍ବତନ୍ତ୍ର ରାଜ୍ୟ ଭାବେ ଗଢ଼ିଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ । ଯାହାକି ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ ।  ଆଜି ଓଡ଼ିଶା ଦୁର୍ବିପାକ ମୁକିବିଲା, ନାରୀ ସଶକ୍ତିକରଣ, ଭିତ୍ତିଭୂମି ବିକାଶ, ସ୍ବାସ୍ଥ୍ୟସେବାରେ ସଂସ୍କାର, ଜଳବାୟୁ ସହନଶୀଳ ଶିଳ୍ପ ବିକାଶକୁ ଗୁରୁତ୍ବ ଦେଇ ବିକାଶ କରିପାରିଛି । ଆମର ଦୁର୍ବିପାକ ମୁକାବିଲା ନୀତି ସବୁଆଡ଼େ ପ୍ରଶଂସିତ ହୋଇଛି । ଏପରିକି ଜାତିସଂଘ ମଧ୍ୟ ଏହାକୁ ପ୍ରଶଂସା କରିଛି । ଓଡ଼ିଶା ହେଉଛି ପ୍ରାକୃତିକ ଖଣିଜ ସମ୍ପଦ ଓ ପ୍ରାଣୀ ସମ୍ପଦ ଭରା ରାଜ୍ୟ ।

ବିଭିନ୍ନତା ମଧ୍ୟରେ ଐକ୍ୟ ଭାରତର ବିଶେଷତ୍ବ । ଏହା ଅଦ୍ବିତୀୟ । ଦେଶ ବର୍ତ୍ତମାନ ଅନେକ ଆହ୍ବାନ ଭିତରେ ଗତି କରୁଛି । ଭାଷା, ଜୀବନ ଶୈଳୀ, ତଥା, ସଂସ୍କୃତି ଭାରତୀୟତାକୁ ସମୃଦ୍ଧ କରିଛି ବୋଲି କହିଛନ୍ତି ବିରୋଧୀ ଦଳ ନେତା ।

ଓଡ଼ିଶା ବିଧାନସଭାରେ ରାଷ୍ଟ୍ରପତିଙ୍କ ସମ୍ବୋଧନ, କହିଲେ- ମୋତେ ଲାଗୁଛି ମୁଁ ମୋ ଘରେ ଅଛି

ଓଡ଼ିଶା ବିଧାନସଭାରେ ରାଷ୍ଟ୍ରପତିଙ୍କ ସମ୍ବୋଧନ, କହିଲେ- ମୋତେ ଲାଗୁଛି ମୁଁ ମୋ ଘରେ ଅଛି

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶା ପାଇଁ ଆଜି ଐତିହାସିକ ଦିନ । ପ୍ରଥମ ଥର ମହାମହିମ ରାଷ୍ଟ୍ରପତି ଓଡ଼ିଶା ବିଧାନସଭାକୁ ସମ୍ବୋଧିତ କରିଛନ୍ତି । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୃହକୁ ସମ୍ବୋଧିତ କରିବା ସହ ପୁରୁଣା ସ୍ମୃତିକୁ ମନେ ପକାଇଛନ୍ତି । କହିଛନ୍ତି ଆଜି ଆପଣଙ୍କ ଗହଣରେ ଉପସ୍ଥିତି ହୋଇ ମୁଁ ଖୁବ ଆନନ୍ଦିତ । ଦେଶର ଏକାଧିକ ରାଜ୍ୟର ବିଧାନସଭାକୁ ସମ୍ବୋଧିତ କରିବାକୁ ସୁଯୋଗ ପାଇଛି । ଆଜି ଓଡ଼ିଶା ବିଧାନସଭାକୁ ସମ୍ବୋଧିତ କରିଥିବାରୁ ବିଶେଷ ଖୁସି । ମୋତେ ଲାଗୁଛି ମୁଁ ମୋ ଘରେ ଅଛି । ଏଇ ଗୃହ ମୋତେ ସବୁ କିଛି ଶିଖାଇଛି । ଆଜି ଅତୀତର ସ୍ମୃତି ସବୁ ଉଜାଗର ହେଉଛି । ଆଜି ମୁଁ ଯେଉଁଠି ଅଛି ତା’ର ଶ୍ରେୟ ହେଉଛି ଏ ଗୃହର । ଏହି ଗୃହରେ ପଡ଼ିଛି ମୋ ସଫଳତାର ଭିତ୍ତିଭୂମି ।

ଆଗକୁ ସେ କହିଛନ୍ତି, ଏକ ମହତ୍ବପୂର୍ଣ୍ଣ ସାଂସ୍କୃତିକ ପ୍ରବାହ ହେଉଛି ଓଡ଼ିଶା । ରାଷ୍ଟ୍ର ଗଠନରେ ଓଡ଼ିଶାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ସ୍ବାଧୀନତା ସଂଗ୍ରାମରେ ଏ ମାଟିର ପୁଅ ଦେଇଛି ବଳିଦାନ । ସେହିପରି ଓଡ଼ିଶାର ମହିଳାଙ୍କ ସଫଳତା କଥା କହିଛନ୍ତି ମହାମହିମ । ସେ କହିଛନ୍ତି, ସବୁ କ୍ଷେତ୍ରରେ ଓଡ଼ିଶାର ମହିଳାମାନେ ସଫଳତା ପାଇଛନ୍ତି । ରାଜନୀତିଠୁ ଖେଳକୁଦ ଯାଏଁ ଲମ୍ବିଛି ମହିଳାଙ୍କ ସଫଳତାର ତାଲିକା । ଓଡ଼ିଶା ବିଧାନସଭାରେ ମହିଳାଙ୍କ ପ୍ରତିନିଧିଙ୍କ ଦୀର୍ଘ ଇତିହାସ ରହିଛି । ଓଡ଼ିଶାର ଅନେକ ମହିଳା ମନ୍ତ୍ରୀ ଭାବେ ଦକ୍ଷତାର ସହ କାର୍ଯ୍ୟ କରଛନ୍ତି । ଓଡ଼ିଶାର ମହିଳା ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରି ଗୌରବ ଅର୍ଜନ କରିଛନ୍ତି ।

ଆଗକୁ ସେ କହିଛନ୍ତି, ଭାଷାଭିତ୍ତିରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଗଠନ ପ୍ରେରଣାର ଉତ୍ସ ହୋଇଥିଲା । ଭାରତର ନିର୍ମାଣରେ ଓଡ଼ିଶାର ଅନେକ ଅବଦାନ ରହିଛି । ଦେଶ ନିର୍ମାଣରେ ଓଡ଼ିଶାର ରହିଛି କାଳେ କାଳେ ଅବଦାନ ।

ମହାମହିମ କହିଛନ୍ତି, ସୁଭଦ୍ରା ସହାୟତାକୁ ଉପଯୋଗ କରି ମହିଳା ଲକ୍ଷପତି ଦିଦି ହୋଇପାରିଛନ୍ତି । ଶିକ୍ଷା, ସ୍ଵାସ୍ଥ୍ୟ ଆଦି କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି । ରେଳ, ରାଜପଥ ବିକାଶ ଲାଗି ସରକାର ନାନା ଯୋଜନା କରିଛନ୍ତି । ଶିଳ୍ପାୟନ ଓଡ଼ିଶାରେ ନୂଆ ରୂପ ନେଇଛି । ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର । ସମସ୍ତ କ୍ଷେତ୍ରରେ ଓଡ଼ିଶା ସମୃଦ୍ଧ । ୨୦୩୬ ମସିହାରେ ଓଡ଼ିଶା ଗଠନର ଶତବର୍ଷ ପୂର୍ତ୍ତି ହେବାକୁ ଯାଉଛି । ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ପାଇଁ ଲକ୍ଷ୍ୟ ରଖାଯାଇଛି ।

ଭାରତ ପୃଥିବୀର ଏକ ବୃହତ୍ତ ଅର୍ଥନୀତି ଭାବେ ଉଭା ହୋଇଛି । ଆଗାମୀ ଦିନରେ ଆହୁରି ଆଗକୁ ଯିବ ଦେଶ । ଅନେକ ଦେଶ ଭାରତର ଜ୍ଞାନକୌଶଳ ଉପରେ ଆସ୍ଥା ପ୍ରକଟ କରିଛନ୍ତି । ଅନେକ ବିଦେଶୀ ଛାତ୍ରଛାତ୍ରୀ ଭାରତରେ ଶିକ୍ଷା ଗ୍ରହଣ କରିବାକୁ ଆଗ୍ରହ ଦେଖାଉଛନ୍ତି ବୋଲି କହିଛନ୍ତି ରାଷ୍ଟ୍ରପତି । ସେହିପରି ଭାରତର ପୃଥିବୀର ସର୍ବବୃହତ ଗଣତନ୍ତ୍ର । ଲୋକଶକ୍ତିକୁ ସବୁବେଳେ ସମ୍ମାନ ଦିଆଯାଇଛି । ଲୋକଙ୍କ ସ୍ଵପ୍ନକୁ ସାକାର କରିବା ଜନପ୍ରତିନିଧିଙ୍କ ଦାୟିତ୍ଵ ବୋଲି କହିଛନ୍ତି ମହାମହିମ ।

ଓଡ଼ିଶା ବିଧାନସଭାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଓଡ଼ିଶା ବିଧାନସଭାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶା ବିଧାନସଭାରେ ପହଞ୍ଚିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କିଛି ସମୟ ପରେ ବିଧାନସଭାକୁ କରିବେ ସମ୍ବୋଧିତ । ବିଧାନସଭାରେ ପହଞ୍ଚିବା ପରେ ମହାମହିମଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା ।

ରାଜ୍ୟପାଳ ହରିବାବୁ କାମ୍ଭମପତି, ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସମେତ ସମସ୍ତ ବିଧାୟକ, ମନ୍ତ୍ରୀ ଉପସ୍ଥିତ ରହି ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ । ଦୁଇଦିନିଆ ଓଡ଼ିଶା ଗସ୍ତାରେ ଆସିଛନ୍ତି ମହାମହିମ । ଭୁବନେଶ୍ବର ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ସ୍ବତନ୍ତ୍ର ବିମାନରେ ଆସି ପହଞ୍ଚିବା ପରେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି ତାଙ୍କୁ ସ୍ବାଗତ କରିଥିଲେ । ବିମାନବନ୍ଦରରୁ ମହାମହିମ ସିଧା ରାଜଭବନ ଯାଇଥିଲେ ।

ଭୁବନେଶ୍ବରରେ ପହଞ୍ଚିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବିଧାନସଭାକୁ କରିବେ ସମ୍ବୋଧନ

ଭୁବନେଶ୍ବରରେ ପହଞ୍ଚିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବିଧାନସଭାକୁ କରିବେ ସମ୍ବୋଧନ

ନନ୍ଦିଘୋଷ ବ୍ୟୁରୋ: ଦୁଇଦିନିଆ ଓଡ଼ିଶା ଗସ୍ତାରେ ଆଓି ରାଜଧାନୀ ଭୁବନେଶ୍ବରରେ ପହଞ୍ଚିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭୁବନେଶ୍ବର ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ସ୍ବତନ୍ତ୍ର ବିମାନରେ ଆସି ପହଞ୍ଚିବା ପରେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି ସ୍ବାଗତ କରିଥିଲେ ।

ବିମାନବନ୍ଦରରୁ ମହାମହିମ ସିଧା ରାଜଭବନ ଯାଇଛନ୍ତି । ସେଠାରେ ସେ କଳିଙ୍ଗ ଅତିଥି ନିବାସ ଉଦଘାଟନ କରିବେ । ଏହାପରେ କିଛି ସମୟ ରାଜଭବନରେ ବିଶ୍ରାମ ନେବେ । ଅପରାହ୍ନ ୪ଟା ୨୦ରେ ବିଧାନସଭା ଆସିବେ ରାଷ୍ଟ୍ରପତି । ସାଢ଼େ ୪ଟାରେ ମହାମହିମ ଓଡ଼ିଶା ବିଧାନସଭାକୁ ସମ୍ବୋଧନ କରିବେ । ଏହି କାର୍ଯ୍ୟକ୍ରମ ପ୍ରାୟ ଏକ ଘଣ୍ଟ ଚାଲିବ । ଅପରାହ୍ନ ସାଢ଼େ ୫ଟାରେ ମହାମହିମ ତାଙ୍କ ପୂର୍ବ ଚାମ୍ବର ପରିଦର୍ଶନ କରିବେ । ଓଡ଼ିଶା ବିଧାନସଭାରେ ମନ୍ତ୍ରୀ ଥିବା ବେଳେ ଏହି ୧୧ ନମ୍ବର ଚାମ୍ବରରେ ମହାମହିମ ନିଜ ବିଭାଗୀୟ କାର୍ଯ୍ୟ କରୁଥିଲେ । ଏହାପରେ ରାଜଭବନ ଯାଇ ସେଠାରେ ରାତ୍ରୀଯାପନ କରିବେ । ଆସନ୍ତାକାଲି ଅର୍ଥାତ ୨୮ ନଭେମ୍ବରରେ ଭୁବନେଶ୍ବରରୁ ଲକ୍ଷ୍ନୌ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।