spot_img
Home Blog Page 228

ଭେନେଜୁଆଲା କ୍ଷମତା ଲୋଭ; ଟ୍ରମ୍ପଙ୍କୁ ନିଜ ନୋବେଲ ପୁରସ୍କାର ସମର୍ପଣ କରିବାକୁ ମାରିଆଙ୍କ ଘୋଷଣା

ଭେନେଜୁଆଲା କ୍ଷମତା ଲୋଭ; ଟ୍ରମ୍ପଙ୍କୁ ନିଜ ନୋବେଲ ପୁରସ୍କାର ସମର୍ପଣ କରିବାକୁ ମାରିଆଙ୍କ ଘୋଷଣା

ନନ୍ଦିଘୋଷ ବ୍ୟୁରୋ: ଭେନେଜୁଆଲାରେ ନିକୋଲସ ମାଦୁରୋଙ୍କ ଶାସନର ଅନ୍ତ ପରେ ଅନ୍ତରିମ ରାଷ୍ଟ୍ରପତି ଶପଥ ନେଇଛନ୍ତି । ୩୦ ଦିନ ମଧ୍ୟରେ ଭେନେଜୁଆଲାରେ ନିର୍ବାଚନ କରାଯିବାକୁ ଟ୍ରମ୍ପ ଘୋଷଣା କରିଛନ୍ତି । ଏହାରି ଭିତରେ ବିରୋଧୀ ଦଳ ନେତା ତଥା ୨୦୨୫ ନୋବେଲ ଶାନ୍ତି ବିଜେତା ମାରିଆ କୋରିନା ମଚାଡୋ ଚର୍ଚ୍ଚାରେ ରହିଛନ୍ତି । ମାଦୁରୋଙ୍କ ବିରଫଦାରୀର କିଛି ଘଣ୍ଟା ପରେ ମଚାଡୋ ଘୋଷଣା କରିଥିଲେ ସ୍ବାଧୀନତାର ସମୟ ଆସିଛି । ଦୀର୍ଘବର୍ଷର ଦମନ ପରେ ଏବେ ବିରୋଧୀ ଦେଶର କ୍ଷମତା ସମ୍ଭାଳିବାର ସମ୍ଭାବନା ଥିବା ସେ ସଙ୍କେତ ଦେଇଥିଲେ । ହେଲେ ଆମେରିକା ରାଷ୍ଟ୍ରପତିଙ୍କ ତାଙ୍କ ପ୍ରତି ଆସ୍ଥା ନଥିବା ସ୍ପଷ୍ଟ ହେବା ପରେ ଏବେ ତାଙ୍କୁ ଖୁସି କରିବାକୁ ମଚାଡୋ ଉଦ୍ୟମ କରୁଛନ୍ତି । ଏପରିକି ନୋବେଲ ପାଇଁ ବିଳିବିଳେଇ ହେଉଥିବା ଟ୍ରମ୍ପଙ୍କୁ ସେ ତାଙ୍କର ଏହି ପୁରସ୍କାର ସମର୍ପଣ କରିବାକୁ ଘୋଷଣା କରିଛନ୍ତି ।

ଅନ୍ୟପକ୍ଷେ, ମାଦୁରୋଙ୍କ ବିରଫଦାରୀ ପରେ ଦେଶକୁ ଫେରି କ୍ଷମତା ହାସଲ କରିବାକୁ ଆଶା ବାନ୍ଧିଥିବା ମଚାଡୋଙ୍କୁ ଟ୍ରମ୍ପଙ୍କ ତରଫରୁ ଲାଗିଥିଲା ଶକ୍ତଧକ୍କା । କାରଣ ଟ୍ରମ୍ପ ଖୋଲାଖୋଲି କହିଥିଲା ମଚାଡୋଙ୍କୁ କ୍ଷମତା ହସ୍ତାନ୍ତର କରିବାକୁ ତାଙ୍କୁ କୌଣସି ଆଗ୍ରହ ନାହିଁ । ଟ୍ରମ୍ପ କହିଥିଲେ, ମଚାଡୋଙ୍କୁ ପ୍ରତି ନା ଦେଶ ଭିତରେ କୌଣସି ସମର୍ଥନ ଅଛି ନା ସମ୍ମାନ ରହିଛି । ଟ୍ରମ୍ପଙ୍କ ଏମିତି ବୟାନ ପରେ ମଚାଡୋଙ୍କ ରାଜନୈତିକ ସ୍ଥିତି ଦୁର୍ବୃଳ ହେବାରେ ଲାଗିଛି । ମାଦୁରୋଙ୍କ ଗିରଫଦାରୀ ପରେ ସେ ରାଷ୍ଟ୍ରପତି ଗାଦିରେ ବସିବେ ବୋଲି ଦାବି କରିବା ସହ ଟ୍ରମ୍ପଙ୍କ ଅନୁସାରେ ସବୁ ହେବ ବୋଲି କହିଥିଲେ । ଆଉ ଏହାରି ଭିତରେ ସେ ତାଙ୍କ ନୋବେଲ ପୁରସ୍କାର ଟ୍ରମ୍ପଙ୍କୁ ସମର୍ପଣ କରିବାକୁ ଘୋଷଣା କରିଛନ୍ତି ।

ଫକ୍ସ ନ୍ୟୁଜକୁ ଏକ ସାକ୍ଷାତକାରରେ ମଚାଡୋ କହିଛନ୍ତି, ମୁଁ ମୋର ନୋବେଲ ଶାନ୍ତି ପୁରସ୍କାର ରାଷ୍ଟ୍ରପତି ଟ୍ରମ୍ପଙ୍କୁ ସମର୍ପଣ କରିବାକୁ ଚାହୁଁଛି । ସେ କହିଥିଲେ, ମୋତେ ଏହି ପୁରସ୍କାର ମିଳିବା ଜାଣିବା କ୍ଷଣି ଏହାକୁ ଟ୍ରମ୍ପଙ୍କୁ ସମର୍ପଣ କରିବାକୁ ନିଷ୍ପତ୍ତି ନେଇଥିଲି । ଚମାଡୋଙ୍କ ଅନୁସାରେ ଜାନୁଆରୀ ୩ ତାରିଖରେ ଆମେରିକା ଦ୍ବାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ତାହା କରି ଦେଖାଇଲା, ଯାହାକୁ ସାରା ଦୁନିଆ ଅସମ୍ଭବ ବୋଲି କହୁଥିଲା ।

ଆଇପିଏଲରୁ ଆଉଟ ବାଂଲାଦେଶୀ ଖେଳାଳି ମୁସ୍ତାଫିଜୁର ରହମାନଙ୍କୁ କେକେଆର କେତେ ଦେବ କ୍ଷତିପୂରଣ ?

ଆଇପିଏଲରୁ ଆଉଟ ବାଂଲାଦେଶୀ ଖେଳାଳି ମୁସ୍ତାଫିଜୁର ରହମାନଙ୍କୁ କେକେଆର କେତେ ଦେବ କ୍ଷତିପୂରଣ ?

ନନ୍ଦିଘୋଷ ବ୍ୟୁରୋ: ବିବାଦ ମଧ୍ୟରେ ବାଂଲାଦେଶର ଷ୍ଟାର ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନ ୨୦୨୬ ଆଇପିଏଲରେ ଅଂଶଗ୍ରହଣ କରିପାରିବେନି । ବିସିସିଆଇ ନିର୍ଦ୍ଦେଶରେ ମୁସ୍ତାଫିଜୁରଙ୍କୁ କେକେଆର ନିଜ ଟିମରୁ ରିଲିଜ କରି ସାରିଛି । ମୁସ୍ତାଫିଜୁର ଆଇପିଏଲରୁ ବାହାର ହେବା ପରେ ବାଂଲାଦେଶରେ ବୋବଲା ହେଉଛି । ଏହାସହ ବିସିସିଆଇର ନିଷ୍ପତ୍ତିକୁ କଡ଼ା ସମାଲୋଚନା କରାଯାଉଛି ।

ଏପରିକି ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ନିଜ ଜାତୀୟ ଦଳକୁ ଭାରତରେ ଟି-୨୦ ଖେଳିବାକୁ ନପଠାଇବାକୁ ଘୋଷଣା କରିଛି । ବିସିବି ବାଂଲାଦେଶର ମ୍ୟାଚକୁ ଶ୍ରୀଲଙ୍କା ସିଫ୍ଟ କରିବାକୁ ଚାହୁଁଛି । ଏତିପାଇଁ ବୋର୍ଡ ତରଫରୁ ଆଇସିସିକୁ ଚିଠି ଲେଖଯାଇଛି । ଆଇସିସି କି ନିଷ୍ପତ୍ତି ନେଉଛି, ତାହା ଦେଖିବାକୁ ବାକି ରହିଛି । ପ୍ରଶ୍ନ ଉଠୁଛି, ଆଇପିଏଲରୁ ଆଉଟ ହେବା ପରେ ମୁସ୍ତାଫିଜୁରଙ୍କୁ କ୍ଷତିପୂରଣ ମିଳିବ କି ? ଯଦି ମିଳିବ ତେବେ କିଏ ଦେବ ? ବିସିସିଆଇ ନା କେକେଆର ?

ରିପୋର୍ଟ ଅନୁସାରେ ବିସିସିଆଇ ନିର୍ଦ୍ଦେଶରେ କେକେଆର ମୁସ୍ତାଫିଜୁରଙ୍କୁ ରିଲିଜ କରିଛି । ହେଲେ ଏହି ନିଷ୍ପତ୍ତିରେ ମୁସ୍ତାଫିଜୁରଙ୍କୁ କୌଣସି ଆର୍ଥିକ କ୍ଷତିପୂରଣ ମିଳିବାର ସମ୍ଭାବନା ନାହିଁ । କେକେଆର ତାଙ୍କୁ ନିଲାମରେ ୯.୨୦ କୋଟି ଟଙ୍କାରେ କିଣି ଥିଲା । ତାଙ୍କୁ ନେବାକୁ ସିଏସକେ ଓ ଡିସି ମଧ୍ୟ ନିଲାମୀ ଡାକିଥିଲେ ।

ସର୍ତ୍ତ କ’ଣ ରହିଛି ?

ସୂଚନାଯୋଗ୍ୟ, ଆଇପିଏଲ ଖଷଳାଳିଙ୍କ ଦରମାର ବୀମା କରାଯାଇଥାଏ । ହେଲେ ବିଦେଶୀ ଖେଳାଳିଙ୍କୁ ଏହାର ଲାଭ ସେତେବେଳେ ମିଳିଥାଏ ଯେତେବେଳେ ସେମାନେ ଆହତ ହୁଅନ୍ତି କିମ୍ବା ଟୁର୍ଣ୍ଣାମେଣ୍ଟ ସମୟରେ ସମସ୍ୟା ହେଲେ । ଏମିତି ସ୍ଥିତିରେ ଦରମାର ୫୦ ପ୍ରତିଶତ ମିଳିଥାଏ । ମୁସ୍ତାଫିଜୁରଙ୍କ କ୍ଷେତ୍ରରେ ନା ସେ ଆହତ ହୋଇଚନ୍ତି ନା କ୍ରିକେଟକୁ ନେଇ କୌଣସି କାରଣରୁ ବାହାର ହୋଇଚନ୍ତି । ଏଥିପାଇଁ ସେ ବୀମାକ୍ଷେତ୍ରରେ କଭର ହେଉନାହାନ୍ତି । ଏହି କାରଣରୁ କେକେଆର ତାଙ୍କୁ ଟଙ୍କା ଦେବାକୁ ଆଇନଗତ ବାଧ୍ୟ ନୁହେଁ ।

CASରେ ଆବେଦନ କରିବେ କି ମୁସ୍ତାଫିଜୁର ?

ପିଟିଆଇ ଅନୁସାରେ, ମୁସ୍ତାଫିଜରଙ୍କ ପାଖରେ ଆଇନଗତ ରାସ୍ତା ଆପଣାଇବାର ଅଧିକାର ରହିଛି । ହେଲେ ଆଇପିଏଲ ଭାରତୀୟ ଆଇନ ଅଧୀନରେ ଆଓୁଛି । କୌଣସି ବିଦେଶୀ ଖେଳାଳି କୋର୍ଟ ଅଫ୍ ଅର୍ବିଟ୍ରେଶନ ଫର ସ୍ପୋର୍ଟ (CAS) ରାସ୍ତା ଆପଣାଇବାକୁ ଚାହିଁ ନଥାନ୍ତି । ଆିନଗତ ପ୍ରକ୍ରିୟା ଲମ୍ବା ଓ ଜଟିଳ ହୋଇଥାଏ । ଆଉ ଏହାରି ଭିତରେ ବାଂଲାଦୋ କ୍ରିକେଟ ବୋର୍ଡ ବି ମୁସ୍ତାଫିଜୁରଙ୍କ ଏନଓସି ନେଇ ସାରିଛି । ଯେଉଁ କାରଣରୁ ତାଙ୍କ ପକ୍ଷ ଆହୁରି ଦୁର୍ବଳ ହୋଇଯାଇଛି ।

ବିସିବି ଟି-୨୦ ବିଶ୍ବକପରେ ନିଜ ଟିର ମ୍ୟାଚ ଭାରତରୁ ହଟାଇ ଶ୍ରୀଲଙ୍କାରେ କରିବାକୁ ଦାବି କରିଛି । ଯାହାକୁ ବାଂଲାଦେଶ ପ୍ରତିଶୋଧଶତ୍ମକ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଉଛି । ଭାରତ ଓ ବାଂଲାଦେଶ ମଧ୍ୟରେ ବର୍ତ୍ତମାନ ଚାଲିଥିବା ତିକ୍ତତା ମଧ୍ୟ ଏକ କାରଣ ବୋଲି କୁହାଯାଉଛି । ପରିସ୍ଥିତି ବଦଳି ଥାଏ । ତେଣୁ କୌଣସି ଖେଳାଳି କି ବୋର୍ଡ ଆଇନଗତ ମୁକାବିଲା କରିବାକୁ ଚାହିଁ ନଥାଏ ।

ମାଆ ମୃତଦେହକୁ କୋଳରେ ଧରି କାନ୍ଦୁଥିବାବେଳେ ଟଳି ପଡ଼ିଲା ପୁଅ

ଜୟପୁର : ସହି ପାରିଲାନି ମାଆର ମୃତ୍ୟୁ । ମାଆ ସହ ଏକାଠି ଉଠିଲା ପୁଅର କୋକେଇ । ଏମତି ମୃତ୍ୟୁ ଆସିବ କିଏ ବା ଭାବିଥିଲା । ସବୁଦିନ ପରି ସକାଳୁ ସକାଳୁ ଜମିକୁ ବାହାରି ଯାଇଥିଲେ ଜୟପୁର ସୁନାରୀ ସାହିର ୫୨ ବର୍ଷୀୟ ଏସ ରବି । ଜମିରୁ ଫେରି ମାଆକୁ ଡାକିଥିଲା । ହେଲେ ସେ ଉତ୍ତର ନଦେବାରୁ ପାଖ ପଡ଼ୋଶୀଙ୍କୁ ଡାକିଥିଲେ । ପଡ଼ୋଶୀ ଘର ଭିତରକୁ ଯାଇ ଦେଖିବା ବେଳକୁ ଖଟଉପରେ ଶୋଇଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ । ଏହା ଜାଣିବା ପରେ ମାଆକୁ କୋଳରେ ଧରି ବିକଳରେ କାନ୍ଦି ଉଠିଥିଲେ ରବି । ଆଉ ଏହି ଦୁଃଖ ତାଙ୍କୁ ଏତେ ପରିମାଣରେ ମ୍ରିୟମାଣ କରିଥିଲା ଯେ, କାନ୍ଦି କାନ୍ଦି ମାଆ ନିକଟରେ ଟଳି ପଡ଼ିଥିଲେ ।

ଜୟପୁର ସୁନାରୀ ସାହିରେ ରହୁଥିଲେ ୭୮ ବର୍ଷୀୟ ମାଆ ଏସ ସାବିତ୍ରୀ, ୫୨ ବର୍ଷୀୟ ପୁଅ ଏସ ରବି ଓ ଝିଅ ଏସ ସୁକାନ୍ତି । ପରିବାର ଅତ୍ଯନ୍ତ ଗରିବ । ଜମିବାଡ଼ି କାମ କରି ପରିବାର ଚଳାଉଥିଲେ ରବି । ହେଲେ ପରିବାରର ଦୁଇ ଦୁଇଜଣଙ୍କ ମୃତ୍ଯୁ ପରେ ଏବେ ଝିଅ ଏକା ରହିଯାଇଛି । ଅଞ୍ଚଳରେ ଏପରି ଏକ ଅଭାବନୀୟ ଘଟଣା ପରେ ଶୋକାକୂଳ ପରିବବେଶ ସୃଷ୍ଟି ହୋଇଥିବାବେଳେ ସରକାରୀ ଯୋଜନାରେ ଯାହା ବ୍ଯବସ୍ଥା ରହିଛି ସେନେଇ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ଉପଜିଲ୍ଲାପାଳ । ଏପରି ଏକ ଦୁଃଖଦ ଘଟଣା ଏବେ ଜୟପୁର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲିଟିଛି ।

କଟକଣା ସତ୍ତ୍ବେ ମାନୁ ନାହାନ୍ତି ଲୋକେ, ବାଲେଶ୍ବର ରାଜସ୍ବ କାର୍ଯ୍ୟାଳୟରେ ସକାଳୁ ସକାଳୁ ଚାଲିଛି ନିର୍ମାଣ କାର୍ଯ୍ୟ

ବାଲେଶ୍ୱର : ବାଲେଶ୍ବର ପବନରେ ବିଷ । ପ୍ରଦୂଷଣ କମାଇବାକୁ ଜାରି ହୋଇଛି କଟକଣା । ସକାଳ ସଂଧ୍ଯା ୬ଟାରୁ ସକାଳ ୧୦ଟା ନିର୍ମାଣ କାର୍ଯ୍ଯ ବନ୍ଦ । ମୁଖ୍ୟ ରାସ୍ତା, ଜାତୀୟ ରାଜପଥରେ ୩ ଥର ସିଞ୍ଚନ ହେବ ପାଣି । ଭଙ୍ଗାରୁଜା ଓ ମାଟିକାମ ସଂପୂର୍ଣ୍ଣ ବନ୍ଦ । ସହରକୁ ଭାରି ଯାନ ପ୍ରବେଶ କଟକଣା । ବର୍ଜ୍ୟବସ୍ତୁ ଓ ଢ଼ାବାରେ କୋଇଲା ଜଳାଇବାରେ ରୋକ୍ । ଖଣିଜ ବା ଲଘୁ ଖଣିଜ ଚାଲାଣବେଳେ ଘୋଡ଼ାଇ ନେବାକୁ ନିର୍ଦ୍ଦେଶ । ୭ ଦିନ ଯାଏଁ ଜିଲ୍ଲାପାଳ ଏପରି ନିର୍ଦ୍ଦେଶ ଜାରି କରିଥିବା ସତ୍ତ୍ବେ ମାନୁ ନାହାନ୍ତି ଅମାନିଆ । ମୁହଁରେ ଗାମୁଛା ଘୋଡାଇ ଶୀତୁଆ ସକାଳରେ ଧୂଳିରେ କାର୍ଯ୍ୟ କରୁଛନ୍ତି ଶ୍ରମିକ । ଯାହା ଖୋଦ୍ ବାଲେଶ୍ଵର ଜିଲ୍ଲାପାଳଙ୍କ ନିଜସ୍ଵ କାର୍ଯ୍ୟଳୟରେ ଦେଖିବାକୁ ମିଳିଛି ଏପରି ବ୍ଯତିକ୍ରମ ।

ବାଲେଶ୍ଵର ଜିଲ୍ଲା ବାୟୁ ପ୍ରଦୂଷଣରେ ଗତ କିଛି ମାସ ଧରି ସମଗ୍ର ଦେଶରେ ଏକ ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି । ଜାନୁଆରୀ ପହିଲାରେ QI ୩୩୭, ୨ ତାରିଖରେ ୩୧୮, ୩ରେ ୨୯୭, ୪ ରେ ୩୦୬ ରହିଛି । ସ୍ଥିତି ଏପରି ହୋଇଛି ମର୍ଣ୍ଣିଂୱାକ ବି ଲୋକଙ୍କ ପାଇଁ ବିପଦର କାରଣ ସାଜିଛି । ବୟସ୍କ ଓ ସ୍ବାସ ରୋଗୀଙ୍କ ପାଇଁ ନିଃଶ୍ବାସ ପାଲଟିଛି ବିଷ । ଏଥିପାଇଁ ଜିଲ୍ଲା ପ୍ରଶାସନ କଟକଣା ଜାରି କରିଥିଲେ ସୁଦ୍ଧା ଏହାକୁ ବେଖାତିର କରି କୋଠା ଭଙ୍ଗା ଓ ନିର୍ମାଣ କାର୍ଯ୍ଯ ଜାରି ରହିଛି । ଯାହାକୁ ନାପସନ୍ଦ କରିଛନ୍ତି ବୁଦ୍ଧିଜୀବୀ । ୭ଦିନ ବାଲେଶ୍ୱର ପୌରପାଳିକା ଏବଂ ଅନ୍ୟ ଏନଏସି ଓ ମ୍ୟୁନିସିପାଲଟି ଅଞ୍ଚଳରେ କଟକଣା ଲାଗୁ ହୋଇଛି । ତେବେ ଅମାନିଆଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ନେବାକୁ ବିଭିନ୍ନ ମହଲରେ ହୋଇଛି ଦାବି ।

ଖାଲି ପଡ଼ିଛି ବ୍ରହ୍ମପୁର କର୍ମଜୀବୀ ମହିଳା ହଷ୍ଟେଲ…

ବ୍ରହ୍ମପୁର : ଚକାଚକ କୋଠା । ରହିଛି ସମସ୍ତ ବ୍ଯବସ୍ଥା । ହେଲେ କାମରେ ଆସୁ ନଥିବାରୁ ଏକବର୍ଷ ହେଲା ଶୂନଶାନ୍ । ଏଇ ହେଉଛି ବ୍ରହ୍ମପୁର ଆଙ୍କୁଶପୁର ନିକଟରେ ତିଆରି ହୋଇଥିବା ୱାର୍କିଂ ୱିମେନ୍ସ ହଷ୍ଟେଲ । ପୂର୍ବରୁ ବ୍ରହ୍ମପୁର ସହର ଭିତରେ ଥିଲା କର୍ମଜୀବୀ ମହିଳା ନିବାସ । ୧୯୯୦ରେ ଜିଲ୍ଲା ଜଜ୍ ବାସଭବନ ସମ୍ମୁଖରେ ନିର୍ମାଣ ହୋଇଥିବା ଏହି ନିବାସ ଥିଲା ରାଜ୍ୟରେ ପ୍ରଥମ । ୪୨ ଶଯ୍ୟା ବିଶିଷ୍ଟ ହଷ୍ଟେଲ ବ୍ରହ୍ମପୁର ମହାନଗର ନିଗମ ଦ୍ବାରା ପରିଚାଳିତ ହେଉଥିଲା । ତେବେ ଏହା ଜରାଜିର୍ଣ୍ଣ ହେବା ପରେ ପୂର୍ବ ସରକାରଙ୍କ ସମୟରେ ସହର ଉପକଣ୍ଠ ଆଙ୍କୁଶପୁର-ମସିହାଖାଲି ରାସ୍ତାରେ ୨୦୨୩ ରେ ଇଡ୍କୋ ପକ୍ଷରୁ ୧୧ ଏକର ଜମିରେ ୫ କୋଟି ଟଙ୍କା ଖର୍ଚ୍ଚକରାଯାଇ ନୂଆ ହଷ୍ଟେଲ ନିର୍ମାଣ ହୋଇଛି । ଏହି ମହିଳା ନିବାସରେ ୯ଟି କୋଠାରୀରେ ଜଣେ ଲେଖାଏଁ,  ୨୮ ଟି ରେ ଦୁଇଜଣ ଲେଖାଏଁ ଓ ୯ଟି କୋଠାରୀରେ ୪ଜଣ ଲେଖାଏଁ ରହିବାର ବ୍ଯବସ୍ଥା ରହିଛି । ତେବେ ସହର ଠାରୁ ୫ କିଲୋମିଟର ଦୂରରେ ଥିବାରୁ ଏଠାକୁ କୌଣସି ମହିଳା କର୍ମଚାରୀ ଆସୁ ନାହାନ୍ତି । ଏକବର୍ଷ ହେଲା ମାତ୍ର ୧୨ ଜଣ ଏଠାରେ ରହୁଛନ୍ତି ।

ମହିଳା ନିବାସରେ ବିଶୁଦ୍ଧ ପାନୀୟ ଜଳ, ରୋଷେଇ ଘର, ଖାଇବା ଘର, ଷ୍ଟୋର୍ ରୁମ୍, ଅଗ୍ନି ନିରାପତ୍ତା ସୁବିଧା, ୨୪ ଘଣ୍ଟିଆ ସିସିଟିଭି ସହିତ ସୁରକ୍ଷା କର୍ମୀଙ୍କୁ ନିୟୋଜନ କରାଯାଇଛି । ୨୦୨୪ ସେପ୍ଟେମ୍ବରରେ ମହିଳା ଗୃହର ନିର୍ମାଣ କାର୍ଯ୍ୟ ସରିଛି । ଏଠାରେ ରହିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ବିଭାଗକୁ ଗତ ୨୦୨୪ ନଭେମ୍ବର ୨୨ ତାରିଖରେ ଚିଠି କରାଯାଇଛି। କିନ୍ତୁ ପ୍ରାୟ ବର୍ଷେ ପରେ ମଧ୍ୟ ଏଠାରେ ରହିବାକୁ କେହି ଆବେଦନ କରୁ ନାହାନ୍ତି । ତେବେ ଏଦିଗରେ ତୁରନ୍ତ କିଛି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବିଇଏମସି କମିଶନର ।

ବର୍ଷକରେ ଭୁବନେଶ୍ବରରୁ ୫୮ କୋଟି ଲୁଟ୍…

ଭୁବନେଶ୍ୱର : ଛାତି ଥରାଉଛନ୍ତି ସାଇବର ସୈତାନ ! ବର୍ଷକରେ ଭୁବନେଶ୍ୱରରୁ ଯାଇଛି ୫୮ କୋଟି । ସାରା ଦେଶରୁ ୧୯ ହଜାର କୋଟି ଟଙ୍କାର ଠକେଇ । ଚିନ୍ତା ବଢ଼ାଇଲାଣି ସାଇବର କୋର୍ଡ଼ିନେସନ ସେଣ୍ଟର ଡାଟା । ଭଲ କରି ନଜର ପକାନ୍ତୁ ଏ ତଥ୍ୟ ଉପରେ । କୁହାଯାଏ ରାଜଧାନୀ ଭୁବନେଶ୍ବରରେ ସମ୍ଭ୍ରାନ୍ତ ଓ ଶିକ୍ଷିତ ଲୋକ ବସବାସ କରନ୍ତି । କିନ୍ତୁ ଏହି ଚାଲାକ ଲୋକଙ୍କୁ ଚୂନ ଲଗାଇଛନ୍ତି ସାଇବର ଠକ । ୨୦୨୫ ରେ ଭୁବନେଶ୍ୱର ସାଇବର ଥାନାରେ ୨୫୧ ଟି ମାମଲା ରୁଜୁ ହେବା ସହ ୫୭ କୋଟି ୫୮ ଲକ୍ଷ ଟଙ୍କା ଠକେଇ ହେଇଛି । ଗୋଟିଏ କ୍ଲିକରେ ସର୍ବସ୍ଵାନ୍ତ ହୋଇଛନ୍ତି ଅନେକ । ତେବେ ଅତ୍ୟାଧୁନିକ ଜ୍ଞାନକୌଶଳ, ମାନବସମ୍ବଳ ବୃଦ୍ଧି, ଫୋରନସିକ ସାଇନ୍ସ ର ବ୍ୟବହାର ଓ ଆଇଟି ଏକ୍ସପର୍ଟ ଙ୍କ ସୁପରିଚାଳନା ଯୋଗୁଁ ୨୨ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଫେରସ୍ତ ଓ ଫ୍ରିଜ ହୋଇଛି । ୬୧ ଜଣଙ୍କୁ ଗିରଫ କରାଯାଇଛି । ମ୍ୟୁଲ ଆକାଉଣ୍ଟ, ଫେକ ସୀମ ଜରିଆରେ ଠକେଇ ବୃଦ୍ଧି ପାଉଛି । ଏସବୁରେ ରୋକ ଲଗାଇବା କମିଶନରେଟ ପୋଲିସ ପାଇଁ ସୃଷ୍ଟି କରିଛି ବଡ଼ ଚ୍ୟାଲେଞ୍ଜ । ସେପଟେ ସାଧାରଣ ଲୋକେ ନିଜେ ସଚେତନ ନହେଲେ ଅବସ୍ଥା ଆହୁରି ସାଙ୍ଘାତିକ ହେବ ବୋଲି ସଚେତନ କରିଛନ୍ତି ସାଇବର ଏକ୍ସପର୍ଟ।

ସାଇବର କ୍ରାଇମ କୋର୍ଡ଼ିନେସନ ସେଣ୍ଟର ତଥ୍ୟ ମଧ୍ୟ ଉଭୟ ସାଧାରଣ ଲୋକ ଓ ତଦନ୍ତକାରୀ ସଂସ୍ଥା ପାଇଁ ଚ୍ୟାଲେଞ୍ଜ ଆଣି ଦେଇଛି । ୨୦୨୫ ରେ ସାରା ଦେଶରେ ୧୯ ହଜାର ୮ ଶହ ୧୨ କୋଟି ଟଙ୍କାର ଠକେଇ ହୋଇଛି। ୨୦୨୪ ରେ ସାରା ଦେଶରୁ ଲୂଟ ହୋଇଛି ୧୩ ହଜାର କୋଟିରୁ ଉର୍ଦ୍ଧ ଟଙ୍କା । ଏଣୁ ଏବେ ନିଜେ ସଚେତନ ହେବାର ସମୟ ଆସିଛି । ଗୋଲ୍ଡେନ ଆୱାର ବା ଘଟଣା ଘଟିବାର ୩ ଘଣ୍ଟା ମଧ୍ୟରେ ୧୯୩୦ ନମ୍ବରରେ ତୁରନ୍ତ କଲ କରିବାକୁ ପରାମର୍ଶ ଦିଆଯାଇଛି । ମୋବାଇଲ ହଜିଲେ ନିର୍ଦ୍ଧିଷ୍ଟ ୱେବସାଇଟ ଜରିଆରେ ଅଭିଯୋଗ କରିପାରିବେ । ଏହାବାଦ ମଧ୍ୟ ସଂଚାର ସାଥି ୱେବସାଇଟରେ ତତ୍କ୍ଷଣଣାତ ଅଭିଯୋଗ କଲେ ପୋଲିସ ସାଇବର ଠକଙ୍କୁ ଧରିବାରେ ସମର୍ଥ ହୋଇପାରିବ ବୋଲି ସୂଚନା ଦେଇଛନ୍ତି ସାଇବର ଏକ୍ସପର୍ଟ ।ଫିଜିକାଲ କ୍ରାଇମ ଠାରୁ ବର୍ତ୍ତମାନ ସାଇବର କ୍ରାଇମ ବଢିଛି । ଡିଜିଟାଲ ଯୁଗରେ ବିନା ହତିଆର ରେ ଅପରାଧ ଘଟାଉଥିବା ଅଦୃଶ୍ୟ ଠକ ପୋଲିସ ପାଇଁ ବଢ଼ାଇଛନ୍ତି ମୁଣ୍ଡବିନ୍ଧା ।

ଟି-୨୦ ବିଶ୍ବକପ: ଭିଭିଆଇପି ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ ଭାରତରେ ଖେଳିବାକୁ ନାରାଜ ବାଂଲାଦେଶ

ଟି-୨୦ ବିଶ୍ବକପ: ଭିଭିଆଇପି ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ ଭାରତରେ ଖେଳିବାକୁ ନାରାଜ ବାଂଲାଦେଶ

ନନ୍ଦିଘୋଷ ବ୍ୟୁରୋ: ସାମରିକ ଓ ଅର୍ଥନୈତିକ କ୍ଷେତ୍ରରେ ଭାରତର କୌଣସି ମୁକାବିଲା କରିବାକୁ ଅଯୋଗ୍ୟ ବାଂଲାଦେଶ ଏବେ ଖେଳ ପଡ଼ିଆରେ ଭାରତ ସହ ଯୁଦ୍ଧ କରିବାକୁ ମନ ବଳାଇଛି । ଟି-୨୦ ବିଶ୍ବକପ ଖେଳିବାକୁ ଭାରତ ଆସିବାକୁ ବାଂଲାଦେଶ ମନା କରିବା ସହ ନିଜ ଜିଦରେ ଅଟଳ ରହିଛି । ଏପରିକି ଟେଷ୍ଟ ଲେଭଲ ଅର୍ଥାତ ଭିଭିଆଇପି ସୁରକ୍ଷା ପ୍ରସ୍ତାବକୁ ମଧ୍ୟ ବାଂଲାଦେଶ କ୍ରିକେଟ ବୋର୍ଡ ଖାରଜ କରିଦେଇଛି । ଆଇସିସି ଦୁଇ କ୍ରିକେଟ ବୋର୍ଡ ମଧ୍ୟରେ ମଧ୍ୟସ୍ଥତା କରି ସ୍ଥିତି ସୁଧାରିବାକୁ ଚେଷ୍ଟା କରୁଛି । ଏମିତି ସ୍ଥିତିରେ ବାଂଲାଦେଶ ମିଡିଆ ରିପୋର୍ଟରେ ଦାବି କରାଯାଇଛି ସୁରକ୍ଷା ଚିନ୍ତା ଦର୍ଶାଇ ଭାରତରେ ଖେଳିବାକୁ ମନା କରୁଥିବା ବାଂଲାଦେଶ ଟେଷ୍ଟ ଲେଭଲ ସିକ୍ୟୁରିଟି ଦିଆଯିବା ପରେ ବି ଯିବାକୁ ମନା କରୁଛି ।

ବିସିସିଆଇ ଅଫର ମାନିବାକୁ ନାରାଜ ବାଂଲାଦେଶ

ବାଂଲାଦେଶ ମିଡିଆ ଅନୁସାରେ, ଆଜି ଅର୍ଥାତ ଜାନୁଆରୀ ୬ ତାରିଖରେ ଆଇସିସି ଏହି ଘଟଣାରେ ବାଂଲାଦେଶ କ୍ରିକେଟ ବୋର୍ଡ ସହ ଅନଲାଇନରେ ଏକ ବୈଠକ କରି ଆଲୋଚନା କରିଛି । ରିପୋର୍ଟ ଅନୁସାରେ ବାଂଲାଦେଶ ବୋର୍ଡର ସୁରକ୍ଷା ଚିନ୍ତାକୁ ଦୂର କରିବାକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବାଂଲାଦେଶ ଟିମକୁ ଟୁର୍ଣ୍ଣାମେଣ୍ଟ ସମୟରେ ଟେଷ୍ଟ ଲେଭଲ ସୁକ୍ୟୁରିଟି (ଭିଭିଆଇପି) ଦେବାକୁ ପ୍ରସ୍ତାବ ଦେଇଛି । ହେଲେ ବାଂଲାଦେଶ ବୋର୍ଡ ଅନୌପଚାରିକ ଭାବେ ଆଇସିସିକୁ କହିଛି, ଏହି ସୁରକ୍ଷା ଉପଲବ୍ଧ ହେବା ପରେ ବି ସେ ତାଙ୍କ ଟିମ୍ ଭାରତ ପଠାଇବାକୁ ପ୍ରସ୍ତୁତ ନାହିଁ । ମଙ୍ଗଳବାର ହେବାକୁ ଥିବା ବୈଠକରେ ଆଇସିସି, ବିସିସିଆଇର ପ୍ରସ୍ତାବ ପୌପଚାରିକ ଭାବେ ବାଂଲାଦେଶ ବୋର୍ଡ ଆଗରେ ରଖିବ । ଆଉ ଯାହାକୁ ବିସିବି ଅସ୍ବୀକାର କରିବ । ଏମିତିରେ ଆଇସିସି ଓ ବିସିବି କ’ଣ ବିକଳ୍ପ ବାହାର କରୁଛନ୍ତି ତାହା ଦେଖିବାକୁ ବାକି ରହିଛି ।

ଭାରତ-ପାକିସ୍ତାନ ରାସ୍ତାରେ ବାଂଲାଦେଶ

ବାଂଳାଦେଶ ବୋର୍ଡ ଜିଦରୁ ଏହା ସ୍ପଷ୍ଟ ହୋଇ ସାରିଛି ସେ ବି ଭାରତ ଓ ପାକିସ୍ତାନ ରାସ୍ତାରେ ଯିବାକୁ ଚାହୁଁଛି । ଭାରତ ଗତବର୍ଷ ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବାକୁ ମନା କରିଥିଲା । ଫଳରେ ଭାରତର ସମସ୍ତ ମ୍ୟାଚ୍ ୟୁଏଇରେ ଖେଳା ଯାଇଥିଲା । ଏହାପରେ ପାକିସ୍ତାନ ବୋର୍ଡ ନିଜ ଟିମ୍ ଭାରତ ପଠାଇବାକୁ ମନା କରିଥିଲା । ଫଳରେ ମହିଳା ବିଶ୍ବକପରେ ପାକିସ୍ତାନ ଟିମର ମ୍ୟାଚ୍ ଶ୍ରୀଲଙ୍କାରେ ଖେଳାଯାଇଥିଲା । ଆଉ ଚଳିତ ଟି-୨୦ ବିଶ୍ବକପରେ ବି ପାକିସ୍ତାନ ଟିମ୍ ତାର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳିବ । ବାଂଲାଦେଶ ମଧ୍ୟ ପାକିସ୍ତାନ ପରି ଭାରତ ବାହାରେ ମ୍ୟାଚ୍ ଆୟୋଜନ କରିବାକୁ ଦାବି କରିବା ଆରମ୍ଭ କରିଦେଇଛି ।

ହଦଗଡ ଡ୍ୟାମରେ ଜମୁଛି ପର୍ଯ୍ୟଟକଙ୍କ ଭିଡ

ଆନନ୍ଦପୁର : ବିସ୍ତୀର୍ଣ୍ଣ ଜଳରାଶି ଉପରେ ବିଶାଳ ବନ୍ଧ । ସାଳନ୍ଦୀ ନଦୀ ଉପରେ ଛିଡା ହୋଇଛି ହଦଗଡ଼  । ଉଭୟ କଡରେ ବିସ୍ତାରିତ ହୋଇ ରହିଛି ବନଖଣ୍ଡ  । ଏଠାରେ ଯେଭଳି ଅଜାଡି ହୋଇ ପଡିଛି ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଭଦ୍ରକ ରାସ୍ତାର ଛେନାପଦି ଛକରୁ ୧୬ କିଲୋମିଟର ଉତ୍ତରକୁ ଗଲେ ପଡେ ହଦଗଡ଼ ଡ୍ୟାମ । ଚାଷୀଙ୍କ ସୁବିଧା ପାଇଁ  ସାଳନ୍ଦୀ ନଦୀ ଉପରେ ଡ୍ୟାମ ନିର୍ମାଣ ହୋଇଥିଲା । ହେଲେ ଏହି ଡ୍ୟାମ ପାଲଟିଛି ପର୍ଯ୍ୟଟକଙ୍କ ପସନ୍ଦ । ନୀଳ ଜଳରାଶି ସହ ବଣପାହାଡର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଏଠାକୁ କାହିଁ କେଉଁ ଆଡୁ ଛୁଟି ଆସୁଛନ୍ତି ଲୋକେ  । ଡ୍ୟାମ କଡରେ ଜମୁଛି ଭୋଜି ଭାତର ଆସର  ।

ପ୍ରତିବର୍ଷ ଡିସେମ୍ବର ମାସରୁ ଫେବୃଆରୀ ମାସ ପର୍ଯ୍ୟନ୍ତ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ  । ବିଶେଷକରି ପଶ୍ଚିମବଙ୍ଗ ଓ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ହଜାର ହଜାର ପର୍ଯ୍ୟଟକ ଏଠାକୁ ବଣଭୋଜି କରିବାକୁ ଆସିଥାନ୍ତି । ଏତେ ସଂଖ୍ୟକ ପର୍ଯ୍ୟଟକ ଆସୁଥିଲେ ସୁଦ୍ଧା ଏଠାରେ ପର୍ଯ୍ୟଟନ ବିଭାଗ କି ପ୍ରଶାସନ ପକ୍ଷରୁ କୌଣସି ଆନୁସଙ୍ଗିକ ବ୍ୟବସ୍ଥା କରାଯାଇନାହିଁ । ପାନୀୟ ଜଳ ଓ ଶୌଚାଳୟ ବ୍ୟବସ୍ଥା ନଥିବାରୁ ପର୍ଯ୍ୟଟକ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପର୍ଯ୍ୟଟନ ମାନଚିତ୍ରରେ ହଦଗଡ଼ ଡ୍ୟାମ ସ୍ଥାନ ପାଇଥିଲେ ମଧ୍ୟ ଏହାର କୌଣସି ଉନ୍ନତି ହୋଇ ପାରୁନାହିଁ । ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

ଫେଲ ମାରିଛି କଦଳୀ ଚାଷ ମିଶନ : ଚାରା ରୋପଣକୁ ୧୦ ମାସ ପରେ ବି ଫଳ ଶୂନ

ଜଗତସିଂହପୁର : ସରକାର ଚାଷୀଙ୍କୁ ସବସିଡି ଜରିଆରେ କଦଳୀ ଚାରା ଦେଲେ । ସାତ ମାସରେ ଫଳ ଫଳିବ ବୋଲି ମିଳିଳା ପ୍ରତିଶୃତି । ଅଥଚ ୧୦ ମାସ ବିତିଲାଣି କଦଳୀର ନାଁ ଗନ୍ଧ ନାହିଁ । ଚିନ୍ତାରେ ଜଗତସିଂହପୁର ରଘୁନାଥପୁର ବ୍ଲକ ରେଢୁଆ ପଂଚାୟତ ଅରେଇକଣା ଗାଁର ଅବସରପ୍ରାପ୍ତ ସେନା କର୍ମଚାରୀ ଶରତ ଚନ୍ଦ୍ର ମହାପାତ୍ର । ଶରତ ଜିଲ୍ଲା ସହକାରୀ ଉଦ୍ୟାନ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ ଚାରା ଗଛ ପିଛା ୧୯ ଟଙ୍କା ୭୫ ପଇସା ହିସାବରେ ୯୨୭ ଟି ଚାରା ଆଣିଥିଲେ । ନିଜର ଦୁଇ ଏକର ଜମିରେ ୫୦ ହଜାରରୁ ଉର୍ଦ୍ଧ୍ଵ ମଜୁରୀ ଦେଇ କଦଳୀ ଚାରା ଲଗାଇଥିଲେ । ଚାରା ପୋତିବାର ୧୦ ମାସ ବିତିଥିଲେ ସୁଦ୍ଧା କେଉଁଠି ଗଛ ତିନି ଫୁଟରେ ରହି ଯାଇଛି ତ ଆଉ କେଉଁଠି ୧୦ ଫୁଟର ହେଲାଣି କିନ୍ତୁ କଦଳୀ ଫଳୁନି । ଯେଉଁ ଗଛରେ କଦଳୀ କାନ୍ଧି ପଡିଛି ସେଥିରେ ଦୁଇରୁ ତିନିଟି ଫେଣା ହୋଇଛି । ତାକୁ ବେପାରୀ ବି ନେଉନାହାନ୍ତି । ଯାହାକୁ ନେଇ ଶରତଙ୍କ ସହ ଅନ୍ୟ ଚାଷୀ ଚିନ୍ତାରେ ଘାରି ହେଉଛନ୍ତି ।

କିଛି ଦିନ ପୂର୍ବରୁ ଜଗତସିଂହପୁର ଜିଲ୍ଲାରେ ସରକାରଙ୍କ ଆଳୁ ମିଶନ ଫେଲ ମାରିଥିବା ଖବର ନନ୍ଦିଘୋଷ ଟିଭିରେ ପ୍ରସାରଣ କରାଯାଇଥିଲା । ଏବେ କଦଳୀ ଚାରାରେ ଚାଷୀଙ୍କୁ ସରକାର ଠକିଦେଇଛନ୍ତି । ଯାହାକୁ ନେଇ ଚାଷୀଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି । ଅନ୍ୟପଟେ ଘଟଣା ସଂପର୍କରେ ମୁହଁ ଖୋଲୁନାହାନ୍ତି ଜିଲ୍ଲା ସହକାରୀ ଉଦ୍ୟାନ ନିର୍ଦ୍ଦେଶକ ।

କଳାହାଣ୍ଡିରେ ମଣ୍ଡି ସମସ୍ୟାଠୁ ବଳିଗଲାଣି ଅଖା ଟେନସନ…

କଳାହାଣ୍ଡି : ସୁଧୁରୁନି ମଣ୍ଡି ସମସ୍ୟା । କଟନି ଛଟନି ସହ ମିଲର୍ସଙ୍କ ମନମାନିରେ ପେଷି ହେଉଛନ୍ତି ଚାଷୀ । କଳାହାଣ୍ଡିରେ ଧାନ କିଣା ମନ୍ଥର ଗତିରେ ଚାଲିଥିବା ବେଳେ ଏବେ ଅଖା ବସ୍ତା ସଙ୍କଟ ମୁଣ୍ଡ ଟେକିଛି । ଛିଣ୍ଡା, ଫଟା ଅଖା ଯୋଗାଇ ବସିପଡୁଛନ୍ତି ମିଲର୍ସ । ଫଳରେ ବଜାରରୁ ଅଖା ବସ୍ତା କିଣି ଶୋଷଣର ଶିକାର ହେଉଛନ୍ତି ଚାଷୀ । ସବୁଜାଣି ନିରବ ଯୋଗାଣ ବିଭାଗ । ଜିଲ୍ଲାରେ ନଭେମ୍ବର ୨୯ ତାରିଖରୁ ଧାନ କିଣା ଆରମ୍ଭ ହେଲାଣି । ହେଲେ ଏବେବି ମଣ୍ଡି ସୁରୁଖୁରରେ ଚାଲିପାରୁନାହିଁ । କେଉଁଠି ମଣ୍ଡିରୁ ଧାନ ଉଠୁନି ତ ଆଉ କେଉଁଠି ଧାନ ରଖିବା ପାଇଁ ସଠିକ ବ୍ୟବସ୍ଥା ନାହିଁ । ଶୀତକାକରରେ ରାତି ଉଜାଗର ହୋଇ ଧାନ ବସ୍ତା ଜଗିରହୁଛନ୍ତି ଅନ୍ନଦାତା ।

ଚାଷୀଙ୍କୁ ଅଖା ବସ୍ତା ମିଲର୍ସ ଯୋଗାଇ ଦେବା କଥା । ହେଲେ ଭବାନୀପାଟଣା ସଦର ମହକୁମା ଠାରୁ ୧୦ କିଲୋମିଟର ଦୂରରେ ଥିବା ଦାଦପୁର ମଣ୍ଡିକୁ ଯୋଗାଣ ହେଉଥିବା ବସ୍ତାକୁ ଦେଖନ୍ତୁ । ସବୁ ଚିରା ଫଟା । ଗୋଟିଏ ବଣ୍ଡଲରେ ୫୦ଟି ଅଖା ବସ୍ତା ରହୁଥିବା ବେଳେ ୩୦ଟି ବ୍ୟବହାରଯୋଗ୍ୟ ନୁହେଁ । ଯାହାକୁ ମଣ୍ଡିରେ ଥିବା ଗୋଦାମ ଗୃହ ମଧ୍ୟରେ ଫିଙ୍ଗି ଦିଆଯାଇଛି । ଚାଷୀ ବଜାରରୁ ବସ୍ତା ପିଛା ୨୦ ଟଙ୍କା ଦେଇ ଅଖା କିଣି ମଣ୍ଡିକୁ ଧାନ ନେଉଛନ୍ତି । ହେଲେ ସଂପୃକ୍ତ ମିଲର୍ସ ଚାଷୀଙ୍କ ବସ୍ତା ଫେରସ୍ତ କରୁନାହାନ୍ତି । ଯେଉଁଥିରୁ ସ୍ପଷ୍ଟ ବାରିହୋଇପଡୁଛି ଯେ ବସ୍ତା ନାଁରେ ଚାଷୀଙ୍କ ଠାରୁ କିଭଳି ଶୋଷଣ କରାଯାଉଛି । ଅନ୍ୟପଟେ ମିଲର୍ସ ଚାଷୀ କିମ୍ବା ଅଧିକାରୀଙ୍କ କଥା ଶୁଣୁନଥିବା କହିଛନ୍ତି ବିଭାଗୀୟ ଅଧିକାରୀ । ଜିଲ୍ଲାର ସମସ୍ତ ୨୩୦ଟି ଧାନ ମଣ୍ଡିମାନଙ୍କରେ ଅଖା ବସ୍ତା ସଙ୍କଟ ଦେଖାଦେଇଛି ।