ନନ୍ଦିଘୋଷ ବ୍ୟୁରୋ; ବନ୍ୟାରେ ଭାସୁଛି ଭଦ୍ରକ ଜିଲ୍ଲା। ସ୍ଥିତି ସୁଧୁରିବାର ନାଁ ଧରୁନି। ମାତ୍ର ୧୫ ଦିନ ମଧ୍ୟରେ ବୈତରଣୀ ଓ ସାଳନ୍ଦୀ ନଦୀରେ ୩ ଥର ବନ୍ୟା ଆସିବା ଫଳରେ ଭଦ୍ରକ ଜିଲ୍ଲାର ୫ଟି ବ୍ଲକର ୬୦ଟି ପଞ୍ଚାୟତ ଅଧୀନରେ ଥିବା ୩୦୦ରୁ ଅଧିକ ଗାଁ ପ୍ରଭାବିତ ହୋଇଛି। ବୋଡ଼କ ନିକଟରେ ବୈତରଣୀ ନଦୀବନ୍ଧ ନଥିବାରୁ ବନ୍ୟାଜଳରେ ଜାତୀୟ ରାଜପଥର ପ୍ରାୟ ୩୦୦ ଫୁଟ ଅଂଶ ଧୋଇଯାଇଛି। ଏଠାରେ ପ୍ରାୟ ୫ ଫୁଟ ଉଚ୍ଚତାରେ ବନ୍ୟାଜଳ ପ୍ରବାହିତ ହେଉଛି। ଭଣ୍ଡାରିପୋଖରୀ, ଧାମନଗର, ତିହିଡ଼ି, ଚାନ୍ଦବାଲି ଓ ଭଦ୍ରକ ପୌରାଞ୍ଚଳ ସମେତ ଅନେକ ପଞ୍ଚାୟତ ବନ୍ୟାରେ ପ୍ରଭାବିତ ହୋଇଛି। ହଦଗଡ଼ ଡ୍ୟାମରୁ ୫ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବାରୁ ଭଦ୍ରକ ରାଜଘାଟରେ ସାଳନ୍ଦୀ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ରହିଛି। ସାଳନ୍ଦୀ ନଦୀର ଶାଖା ନାଳିଆ ନଦୀରେ ମଧ୍ୟ ୫୦ ଫୁଟର ଘାଇ ହୋଇଛି।
ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ପାଣି ପଶିଥିବାରୁ ଆଜି ମଧ୍ୟ ୬ଟି ବ୍ଲକରେ ୨୯୭ଟି ବିଦ୍ୟାଳୟ ଓ ୩୮୬ଟି ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି। ଆରଡ଼ି ନିକଟରେ ବୈତରଣୀ ନଦୀକୂଳ ଲଂଘିବାରୁ ୭ ଦିନ ହେଲା ଆଖଣ୍ଡଳମଣି-କୁଆଖିଆ ଜାତୀୟ ରାଜପଥରେ ଯୋଗାଯୋଗ ବିଚ୍ଛିନ୍ନ ରହିଛି। ଆଖୁଆପଦାରେ ବୈତରଣୀ ଏବଂ ଭଦ୍ରକ ରାଜଘାଟଠାରେ ସାଳନ୍ଦୀ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ରହିଛି। ନାଳିଆ ନଦୀର ବିଷ୍ଣୁପୁରବିନ୍ଧା ନିକଟରେ ୫୦ ଫୁଟର ଘାଇ ହୋଇଛି। ଅର୍ଜୁନପୁରରେ ବୈତରଣୀ ନଦୀବନ୍ଧରେ ଘଳିଆ ପଡ଼ିଥିବାରୁ ଲୋକେ ଆତଙ୍କିତ ହୋଇ ନଦୀବନ୍ଧକୁ ଜଗି ରହିଛନ୍ତି। ଧୁଷୁରୀ-ଯାଜପୁର ରାସ୍ତାର ହସନାବାଦ ନିକଟରେ ୪ରୁ ୫ ଫୁଟ ଉଚ୍ଚତାରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଏପଟେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଗତକାଲି ଭଦ୍ରକ ଜିଲ୍ଲା ଦାୟିତ୍ୱରେ ଥିବା ବିଧାୟକ ଅରୁଣ ସାହୁ, ସ୍ଥାନୀୟ ବିଜେଡି ବିଧାୟକ ଓ ବରିଷ୍ଠ ନେତାମାନେ ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକର ବନ୍ୟାପ୍ରଭାବିତ ଅଞ୍ଚଳକୁ ଯାଇ ବିପନ୍ନଙ୍କ ଦୁର୍ଦ୍ଦଶା ବୁଝିଛନ୍ତି। ବନ୍ୟା ବିପନ୍ନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ସେମାନେ ସରକାରଙ୍କ ନିକଟରେ ଦାବି କରିଛନ୍ତି।

