spot_img
Home Blog Page 227

ବିଜେପି କରୁଛି କଂଗ୍ରେସର କଣ୍ଠରୋଧ: ଶାସକ ଦଳ ବିରୋଧରେ କଂଗ୍ରେସର ବଡ଼ ଅଭିଯୋଗ

ବିଜେପି କରୁଛି କଂଗ୍ରେସର କଣ୍ଠରୋଧ । ସର୍ବଦଳୀୟ ବୈଠକ ପୂର୍ବରୁ ଶାସକ ଦଳ ବିରୋଧରେ କଂଗ୍ରେସର ବଡ଼ ଅଭିଯୋଗ । ଗୃହରେ ସମସ୍ତଙ୍କୁ ସମାନ ସୁଯୋଗ ଦେବାକୁ ଦାବି । ଜବାବ ରଖିଲା ବିଜେପି । ସର୍ବଦଳୀୟ ବୈଠକ ପୂର୍ବରୁ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଶାସକ ଦଳ ବିରୋଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ । ବିଧାନସଭାରେ କଂଗ୍ରେସ ବିଧାୟକଙ୍କ ଜୋର ଜବରଦସ୍ତ କଣ୍ଠରୋଧ କରୁଛି ଶାସକ ଦଳ । ଗତ ଅଧିବେଶନରେ ନାରୀ ନିର୍ଯାତନା ପ୍ରସଙ୍ଗକୁ ନେଇ କଂଗ୍ରେସର ବିଧାୟକମାନେ ହାଉସ କମିଟି ଦାବି କରିବା ପରେ ସରକାର ରକ୍ତମୁଖା ହୋଇଥିଲେ । କଂଗ୍ରେସର ସମସ୍ତ ବିଧାୟକଙ୍କୁ ଗୃହରୁ ସସପେଣ୍ଡ କରିଥିବା ବେଳେ ଅପମାନଜନକ ଭାବେ ପୋଲିସ ଲଗାଇ ବଳପୂର୍ବକ ବିଧାନସଭା ପରିସରରୁ ବିଦା କରିଦେଇ ଥିଲେ। ଯାହାକୁ ନେଇ ମୌସୁମୀ ଅଧିବେଶନର ଆରମ୍ଭ ପୂର୍ବରୁ ଶାସକ ଦଳକୁ ଟାର୍ଗେଟ କରିଛି କଂଗ୍ରେସ । ମଙ୍ଗଳବାର ବାଚସ୍ପତିଙ୍କ ଅଧ୍ଯକ୍ଷତାରେ ବସୁଛି ସର୍ବଦଳୀୟ ବୈଠକ । ବିଧାନସଭାରେ କାହିଁକି କଂଗ୍ରେସ ବିଧାୟକଙ୍କୁ କହିବାକୁ ସୁଯୋଗ ଦିଆଯାଉ ନାହିଁ ବୋଲି ପ୍ରଶ୍ନ କରିବ କଂଗ୍ରେସ ।

ସେପଟେ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଅଧିବେଶନରେ ଆଣିବ ବୋଲି ଘୋଷାଣା କରିବା ପରେ ଏହାର କଡା ଜବାବ ଦେଇଛି ଶାସକ ବିଜେପି ଦଳ । ରାଜ୍ୟରେ କଂଗ୍ରେସର ପରିଚୟ ହଜିଯାଇଥିବାରୁ କଂଗ୍ରେସ ଏପରି ଅଭିଯୋଗ ଆଣୁଛି ବୋଲି ବିଜେପି ବିଧାୟକ ଅମର ନାୟକ କହିଛନ୍ତି । ବିଜେଡି କହିଛି ବିଜେଡି ବିରୋଧୀ ଦଳ ଭାବେ ଲୋକଙ୍କ ସ୍ବର ସାଜି ସମସ୍ୟାକୁ ଗୃହରେ ଉଠାଇବ ।  ସେପ୍ଟେମ୍ବର ୧୮ ତାରିଖରୁ ୨୫ ତାରିଖ ଯାଏ ଚାଲିବ ବିଧାନସଭାର ମୌସୁମୀ ଅଧିବେଶନ । ଅଧିବେଶନରେ ମୋଟ ୭ଟି କାର୍ଯ୍ୟଦିବସ ରହିଛି ।

ଆସିଲା ସିବିଏସଇର ନୂଆ ଗାଇଡଲାଇନ: ଏଣିକି ୭୫ ପ୍ରତିଶତ ଉପସ୍ଥାନ ନ ଥିଲେ ବୋର୍ଡ ପରୀକ୍ଷା ଦେଇପାରିବେନି

ଆସିଲା ସିବିଏସଇର ନୂଆ ଗାଇଡଲାଇନ । ଏଣିକି ୭୫ ପ୍ରତିଶତ ଉପସ୍ଥାନ ନ ଥିଲେ ବୋର୍ଡ ପରୀକ୍ଷା ଦେଇପାରିବେନି ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ । ଏ ନେଇ ଆଜି ସିବିଏସଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଗାଇଡଲାଇନ ଅନୁୟାୟୀ ନବମ ଓ ଦଶମ ଦୁଇବର୍ଷିଆ ପାଠ୍ୟକ୍ରମ ହୋଇଥିବାବେଳେ ଏକାଦଶ ଓ ଦ୍ବାଦଶ ମଧ୍ୟ ଦୁଇବର୍ଷିଆ ପାଠ୍ୟକ୍ରମ । ସେହି ଅନୁୟାୟୀ ବୋର୍ଡ ପରୀକ୍ଷା ଦେବାକୁ ହେଲେ ଛାତ୍ରଛାତ୍ରୀଙ୍କୁ ଦୁଇବର୍ଷ ଭିତରେ ସମସ୍ତ ବିଷୟରେ କ୍ଲାସ ଟେଷ୍ଟରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ । ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ ସିବିଏସଇ ପାଠ୍ୟକ୍ରମ ଅନୁଯାୟୀ ସ୍କୁଲରେ କ୍ଲାସ ଟେଷ୍ଟ ବାଧ୍ୟତାମୂଳକ । ଯଦି ଜଣେ ଛାତ୍ର କିମ୍ବା ଛାତ୍ରୀ ସମସ୍ତ କ୍ଲାସରେ ଉପସ୍ଥିତ ନ ରହେ ତାହେଲେ ସମ୍ପୃକ୍ତ ଛାତ୍ର କିମ୍ବା ଛାତ୍ରୀଙ୍କର କ୍ଲାସ ଟେଷ୍ଟ ପରୀକ୍ଷାର ମୂଲ୍ୟାଙ୍କନ କରାଯିବନି । ଇଣ୍ଟରନାଲ ପରୀକ୍ଷା ଦେଇନଥିବା ଛାତ୍ରଛାତ୍ରୀ ବୋର୍ଡ ପରୀକ୍ଷା ଦେଲେ ବି ସେମାନଙ୍କ ଫଳ ପ୍ରକାଶ ପାଇବ ନାହିଁ ।

ଏଭଳି କ୍ଷେତ୍ରରେ ସେମାନେ ନିୟମିତ ଛାତ୍ରଛାତ୍ରୀ ହୋଇଥିଲେ ବି ସେମାନଙ୍କୁ ‘ଏସେନସିଆଲ ରିପିଟ କାଟାଗୋରୀ’ ବର୍ଗରେ ଗଣାଯିବ । ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ସିବିଏସଇରେ ଅତିରିକ୍ତ ବିଷୟ ରଖି ପିଲା ପାଠ ପଢ଼ିପାରିବେ । ଏଥିପାଇଁ ଦଶମ ଶ୍ରେଣୀରେ ୫ଟି ବାଧ୍ୟତାମୂଳକ ବିଷୟ ସହିତ ଦୁଇଟି ଇଚ୍ଛାଧୀନ ଭାବେ ଅତିରିକ୍ତ ବିଷୟରେ ପାଠ ପଢ଼ିପାରିବେ । ସେହିପରି ଦ୍ବାଦଶ ବୋର୍ଡ ପରୀକ୍ଷା ପାଇଁ କେବଳ ଗୋଟିଏ ବିଷୟକୁ ଇଚ୍ଛାଧୀନ ଭାବେ ଅତିରିକ୍ତ ବିଷୟ ଭାବେ ଛାତ୍ରଛାତ୍ରୀ ବାଛିପାରିବେ । ସିବିଏସଇ ଦ୍ବାରା ଅନୁବନ୍ଧିତ ବିଦ୍ୟାଳୟ ଯେ କୌଣସି ଅତିରିକ୍ତ ବିଷୟରେ ପିଲାଙ୍କୁ ପାଠ ପଢ଼ାଇବାକୁ ହେଲେ ସିବିଏସଇଠାରୁ ପ୍ରାକ ଅନୁମତି ନେବା ବାଞ୍ଛନୀୟ । ଏଥିପାଇଁ ସମ୍ପୃକ୍ତ ସ୍କୁଲ କର୍ତ୍ତୃପକ୍ଷ ସେହି ଅତିରିକ୍ତ ବିଷୟ ପାଇଁ ଭିତ୍ତିଭୂମି, ଆବଶ୍ୟକ ଶିକ୍ଷକ, ଲାବୋରେଟରୀ ବ୍ୟବସ୍ଥା କରିବା ଆବଶ୍ୟକ । ଯଦି ଜଣେ ନିୟମିତ ଛାତ୍ର କିମ୍ବା ଛାତ୍ରୀ ଇଚ୍ଛାଧୀନ ବା ଅତିରିକ୍ତ ବିଷୟରେ ପୂର୍ବବର୍ଷରେ କମ୍ପାର୍ଟମେଣ୍ଟ କିମ୍ବା ଏସେନସିଆଲ ରିପିଟ୍‌ କାଟାଗୋରୀରେ ରହିବେ ତାହେଲେ ବୋର୍ଡ ପରୀକ୍ଷାରେ ତାଙ୍କୁ ଘରୋଇ ପରୀକ୍ଷାର୍ଥୀ ଭାବେ ଗଣାଯିବ । ସର୍ବୋପରି ଯେଉଁ ଛାତ୍ରଛାତ୍ରୀ ଏସବୁ ସର୍ତ୍ତ ପୂରଣ କରୁନଥିବେ ତାହେଲେ ସେମାନଙ୍କୁ ବୋର୍ଡ ପରୀକ୍ଷାରେ ଘରୋଇ ପରୀକ୍ଷାର୍ଥୀ ଶ୍ରେଣୀ ଅନ୍ତର୍ଭୁକ୍ତ କରାଯିବ ।

ଶ୍ମଶାନକୁ ଆସି ଚିଇଁକି ଉଠିଲା ଶବ: ପୁରୀ ସ୍ୱର୍ଗଦ୍ୱାରରେ ଦେଖିବାକୁ ମିଳିଛି ଏଭଳି ଏକ ଦୃଶ୍ୟ

ଶ୍ମଶାନକୁ ଆସି ଚିଇଁକି ଉଠିଲା ଶବ  । ପୁରୀ ସ୍ୱର୍ଗଦ୍ୱାରରେ ଦେଖିବାକୁ ମିଳିଛି ଏଭଳି ଏକ ଦୃଶ୍ୟ  । ଗଞ୍ଜାମ ପୋଲସରା ଅଞ୍ଚଳର ୮୬ ବୟସର ପି. ଲକ୍ଷ୍ମୀ । ପୁରୀ ସ୍ବର୍ଗଦ୍ୱାରରେ ଶେଷକୃତ୍ୟ ପାଇଁ ଆଣିଥିଲେ ପରିବାର । କିନ୍ତୁ ସ୍ବର୍ଗଦ୍ବାରରେ ହଠାତ ବଞ୍ଚିକି ଉଠିଲେ ପି. ଲକ୍ଷ୍ମୀ । ଯାହାକୁ ଦେଖି ସମସ୍ତେ ଆଶ୍ଚଯ୍ୟ ଚକିତ ହୋଇପଡ଼ିଥିଲେ । ଆଜି ଅପରାହ୍ନ ସମୟରେ ପି. ଲକ୍ଷ୍ମୀ ମୃତ୍ୟୁ ହୋଇଥିବା ନେଇ ତାଙ୍କ ପରିବାର ଲୋକ ଆମ୍ବୁଲାନ୍ସ ଯୋଗେ ପୁରୀ ସ୍ବର୍ଗଦ୍ୱାରକୁ ଆଣିଥିଲେ । ସ୍ୱର୍ଗଦ୍ୱାରର କର୍ମଚାରୀମାନେ ମୃତକଙ୍କ ପରିବାରଙ୍କୁ ମେଡିକାଲ ରିପୋର୍ଟ ମାଗିଥିଲେ । ପରିବାର ଲୋକ ରିପୋର୍ଟ ଆଣି ନଥିବାରୁ ଶବ ଦାହ କରିନଥିଲେ । କିଛି ସମୟ ପରେ ସ୍ବର୍ଗଦ୍ୱାରର କର୍ମଚାରୀ ଶବ ପାଖକୁ ଯାଇଥିଲେ ଓ ସେଠାରେ ଦେଖିଲେ ଶବଟି ବଞ୍ଚିଛି  । ଏହାପରେ ପି. ଲକ୍ଷ୍ମୀଙ୍କ ପରିବାର ଲୋକ ଓ ସ୍ୱର୍ଗଦ୍ୱାର କର୍ମଚାରୀ ମିଶି ପୁରୀ ସଦର ମୁଖ୍ୟ ଚିକିତ୍ସାତ୍ସାଳୟରେ ଭର୍ତ୍ତି କରାଇଛନ୍ତି  । ସ୍ବର୍ଗଦ୍ୱାରରେ ମୃତ ମାଆଙ୍କ ଜୀବନ ଫେରିଛି ବୋଲି କହିଛନ୍ତି ପରିବାର ଲୋକେ  ।

ତେଲୁଗୁ ସମ୍ପ୍ରଦାୟର ଷୋଳପୁଅ ମାଆ ପୂଜା: ୧୨ ସାହିରେ ଲାଗିହେଲା ଦହି ପଖାଳ ଭୋଗ

ତେଲୁଗୁ ସମ୍ପ୍ରଦାୟର ଷୋଳପୁଅ ମାଆ ପୂଜା । ମହାନଦୀରୁ ଆସି ଘଟ ପରିକ୍ରମା କଲା ସାହି । କଟକର ୧୨ ସାହିରେ ଲାଗିହେଲା ଦହି ପଖାଳ ଭୋଗ । କଟକ ସହରରେ ୩୦ ହଜାର ତେଲଗୁ ସଂପ୍ରଦାୟର ଲୋକ ବସବାସ କରନ୍ତି । ଗଣେଶ ପୂଜା ପରେ ପରେ ପ୍ରତିବର୍ଷ ତେଲଗୁ ଶ୍ରାଦ୍ଧାଳୁମାନେ ଆୟୋଜନ କରିଥାନ୍ତି ଷୋଳପୁଅ ମାଆଙ୍କ ପୂଜା । ରବିବାର ସଂନ୍ଧ୍ୟାରେ ୧୨ଟି ସାହିର ମାଆଙ୍କ ଘଟ ଶୋଭାଯାତ୍ରା ମହାନଦୀ ଗଡଗଡିଆ ଘାଟରୁ ଆସି ସାହି ପରିକ୍ରମା କରିଛନ୍ତି । ମାଆଙ୍କୁ ସାହି ମନ୍ଦିରରେ ରଖାଯିବା ପରେ ପୂଜାର୍ଚ୍ଚନା କରାଯାଉଛି । ସଂନ୍ଧ୍ୟାରେ ଦୀପଦାନ ଓ ଆରତି ସହ ଦର୍ଶନ କରିବେ ଶ୍ରଦ୍ଧାଳୁ । ଷୋଳପୁଅ ମାଆଙ୍କ ପୂଜାକୁ ତେଲଗୁ ସଂପ୍ରଦାୟର ଲୋକମାନେ ବିଶେଷ କରି ମହିଳାମାନେ ନିଷ୍ଠାର ସହ ପାଳନ କରିଥାନ୍ତି । ମାଆଙ୍କ ନିକଟରେ ପ୍ରତି ସାହିରେ ଦହିପଖାଳ ଭୋଗ ପ୍ରସ୍ତୁତ କରାଯାଇ ଭକ୍ତଙ୍କ ମଧ୍ୟରେ ପ୍ରସାଦ ଭାବେ ବଣ୍ଟନ କରାଯାଇଥାଏ । ଏଥିପାଇଁ ବିଭିନ୍ନ ସାହିରେ ହଜାରରୁ ଅଧିକ ଲୋକଙ୍କ ପାଇଁ ଭୋଗ ପ୍ରସ୍ତୁତ କରାଯାଇଛି ।

ଘୋଷଣାରେ ଅଟକିଛି ଓଡ଼ିଆ ଅସ୍ମିତା

ଘୋଷଣାରେ ଅଟକିଛି ଓଡ଼ିଆ ଅସ୍ମିତା । ସବୁଠି ଇଂରାଜୀ ଓ ହିନ୍ଦୀରେ ଲେଖାଯାଉଛି ବୋର୍ଡ । ସରକାରୀ ବିଜ୍ଞାପନ ହେଉ କି କାର୍ଯ୍ୟାଳୟ, ସବୁଠି ଓଡ଼ିଆ ଭାଷାକୁ ଉପେକ୍ଷା । ଶୋଭାଯାତ୍ରା କରି କଡ଼ାକଡ଼ି ଲାଗୁ କରିବାକୁ ଦାବି । ରାଉରକେଲାରେ ସହରରେ ଲାଗିଥିବା ଏସବୁ ନାମ ଫଳକ ଉପରେ ଟିକିଏ ନଜର ପକାନ୍ତୁ । ସରକାରୀ ବେସରକାରୀ କାର୍ଯ୍ୟାଳୟ ହେଉ କି ବ୍ଯବସାୟିକ ପ୍ରତିଷ୍ଠାନ, ଓଡ଼ିଆକୁ ସତେଯେପରି ଭୁଲିଗଲେଣି ଲୋକେ । ଓଡିଆରେ ନାମ ଫଳକ ଓ ସୂଚନା ଫଳକ ଲଗାଇବା ବାଧ୍ୟତାମୂଳକ କରାଯାଇଥିଲେ ସୁଦ୍ଧା ପ୍ରଶାସନର ଅବହେଳାରୁ ଏହାକୁ କଡ଼ାକଡ଼ି ଲାଗୁ କରାଯାଇ ପାରୁନାହିଁ । ଯାହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି । ଉତ୍କଳ ସମ୍ମିଳନୀ ପକ୍ଷରୁ ସହରରେ ଶୋଭାଯାତ୍ରା କରି ସଚେତନ କରିବା ସହ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ଦାବି ହୋଇଛି ।

ରାଉରକେଲା ସହରର ବିଶ୍ରା ଛକ ଠାରୁ ଉଦିତନଗର ଆମ୍ବେଦକର ଛକ ପର୍ଯ୍ୟନ୍ତ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଶୋଭାଯାତ୍ରାରେ ରାଉରକେଲା ବିଧାୟକ, ରଘୁନାଥପାଲ୍ଲି ବିଧାୟକଙ୍କ ସହ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ନିୟମ ପାଳନ ହେଉନଥିବାରୁ କଡ଼ାକଡ଼ି ପାଳନ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ରଘୁନାଥପାଲ୍ଲି ବିଧାୟକ କହିଛନ୍ତି ।

ଶ୍ରୀମନ୍ଦିର ଧାଡ଼ି ଦର୍ଶନକୁ ନେଇ ଦ୍ବନ୍ଦ୍ବ: ବ୍ୟବସ୍ଥାକୁ ସେବାୟତ ଓ ବୁଦ୍ଧିଜୀବୀଙ୍କ ବିରୋଧ

ଶ୍ରୀମନ୍ଦିର ଧାଡ଼ି ଦର୍ଶନକୁ ନେଇ ଦ୍ବନ୍ଦ୍ବ । ଗଠନ ହୋଇନି ଏସଓପି । ବ୍ୟବସ୍ଥାକୁ ସେବାୟତ ଓ ବୁଦ୍ଧିଜୀବୀଙ୍କ ବିରୋଧ । ସୃଷ୍ଟି ନହେଉ ୨୦୧୮ ପରି ଦଙ୍ଗା ସ୍ଥିତି । ଚାରିଧାମରୁ ଅନ୍ଯତମ ଧାମ ପୁରୀ । ପ୍ରତିଦିନ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ବଢୁଛି ଭିଡ଼ । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ରାଜ୍ୟ ସରକାର ନାଟ ମଣ୍ଡପ ଭିତରେ ସ୍ୱତ୍ରନ୍ତ୍ର ଧାଡ଼ି ଦର୍ଶନ କରିବା ନେଇ ନିଷ୍ପତ୍ତି ନେଇଛନ୍ତି । ପରୀକ୍ଷାମୂଳକ ଭାବେ ଏହାକୁ ଲାଗୁ କରିବାକୁ ଗତ ପରିଚାଳନା କମିଟିରେ ଆଲୋଚନା ହୋଇଛି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏଥିପାଇଁ ଏକ ସବକମିଟି ଗଠନ କରାଯାଇଛି l ବ୍ୟବସ୍ଥା କରିବା ପୂର୍ବରୁ ସେବାୟତ ଓ ଅନ୍ୟମାନଙ୍କ ସହ ଆଲୋଚନା କରି ସ୍ବତନ୍ତ୍ର ଏସଓପି ଗଠନ ପାଇଁ ପ୍ରସ୍ତାବ ରହିଛି । ଏସଓପିର ଅନୁମୋଦନ ପରେ ପରୀକ୍ଷା ମୂଳକ ଭାବେ ଏହାକୁ ଲାଗୁ କରାଯିବ  ।

ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ ହେଲେ ଅନେକ ସମସ୍ୟା ଦେଖାଦେବ ବୋଲି କହିଛନ୍ତି ସେବାୟତ । ନାଟ ମଣ୍ଡପରୁ ହୁଣ୍ଡି ସ୍ଥାନାନ୍ତରଣ ସହ ମହାପ୍ରଭୁଙ୍କ ଭୋଗ ସମୟରେ ଅସ୍ଥାୟୀ ବ୍ୟାରିଗେଡ ବାରମ୍ବାର ହଟାଇବାକୁ ପଡ଼ିବ । ଏହାସହ ଶ୍ରୀମନ୍ଦିର ଦୈନନ୍ଦିନ ବିଧି ବ୍ୟବସ୍ଥା ମଧ୍ୟରେ ବ୍ୟାରିଗେଡ ଲଗାଇ ନାଟ ମଣ୍ଡପ ଭିତରେ ମହାପ୍ରଭୁଙ୍କର ଧାଡି ଦର୍ଶନ ବ୍ୟବସ୍ଥା ସମିଚୀନ ନୁହେଁ ବୋଲି ସେମାନେ ମତ ଦେଇଛନ୍ତି । ୨୦୧ ୮ରେ ଶ୍ରୀମନ୍ଦିରରେ ବ୍ୟାରିଗେଡ ଲଗାଇ ଦର୍ଶନ ବ୍ୟବସ୍ଥାକୁ ବିରୋଧ କରି ପୁରୀରେ ଦଙ୍ଗା ସୃଷ୍ଟି ହୋଇଥିଲା । ତେଣୁ ପୁଣି ଏପରି ନିଷ୍ପତି ପୁରୀରେ ଆଉ ଏକ ଦଙ୍ଗା ସୃଷ୍ଟି ନକରୁ ବୋଲି ସେମାନେ ମତ ଦେଇଛନ୍ତି । ଆଇନମନ୍ତ୍ରୀଙ୍କ ବିବୃତି ଅନୁସାରେ ଶ୍ରୀମନ୍ଦିରରେ ଆଜିଠାରୁ ଧାଡି ଦର୍ଶନ ବ୍ୟବସ୍ଥା ପ୍ରଚଳନ କରାଯିବା ପାଇଁ ଯୋଜନା ରହିଥିବାବେଳେ ଏହା କାର୍ଯ୍ୟକ୍ଷମ ହୋଇପାରି ନାହିଁ ।

ରାଜଧାନୀରେ ଗର୍ଜିଲେ କମ୍ୟୁନିଟି ସପୋର୍ଟ ଷ୍ଟାଫ୍: ରାସ୍ତା ଉପରେ ବସି ଦେଲେ ଧାରଣା

ପେଟରେ ଭୋକ, ମନରେ କୋହ । ୫ ମାସ ହେଲା ଦୁର୍ଦ୍ଦିନ ଭିତରେ ପରିବାର । ପାର୍ବଣ ଋତୁରେ ବି ଦରମା ନେଇ ମିଳୁନି ଭରସା । ହାଡ଼ଭଙ୍ଗା କାମ ସତ୍ତ୍ବେ ମିଳୁନି ସଠିକ ପାରିଶ୍ରମିକ । ପ୍ରତିବାଦରେ ରାଜରାସ୍ତାରେ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ । ଗାନ୍ଧୀଙ୍କ ଫଟୋ ଧରି ଧାରଣା ଦେଲା ଜିପିଏଲଏଫ କର୍ମୀ ସଂଘ । ଜୀବିକା ମିସନ ଅଫିସ ଆଗରେ ହଜାର ହଜାର ସଂଖ୍ୟାରେ କମ୍ଯୁନିଟି ସପୋର୍ଟ ଷ୍ଟାଫଙ୍କ ଜୋରଦାର ପ୍ରତିବାଦ  । ଦକ୍ଷତା ଭିତରେ ନୁହେଁ, ଫିକ୍ସ ଦରମା ଦେବାକୁ ଦାବି I ୨୦୦୯ ମସିହାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପଞ୍ଚାୟତ ଅଫିସ ପର୍ଯ୍ୟନ୍ତ ଏମାନେ କାର୍ଯ୍ୟରତ ଥିବାବେଳେ ଏବେ ଅଣଦେଖା କରାଯାଉଥିବା ଅଭିଯୋଗ କରିଛି ସଂଘ ।

MBK, CRP, ବ୍ୟାଙ୍କ ମିତ୍ର, କୃଷି ମିତ୍ର, ପ୍ରାଣୀ ମିତ୍ର, LSP ର ସମସ୍ତ 6 କମ୍ୟୁନିଟି ସପୋର୍ଟ ଷ୍ଟାଫ ୫ ମାସ ହେଲା ପାଇ ନାହାନ୍ତି ଦରମା । ପୂର୍ବ ସରକାର ସମୟରେ ମିଳୁଥିବା ଫିକ୍ସ ଦରମାକୁ ଅପସାରଣ କରି ଦକ୍ଷତା ଭିତିକ ପାରିଶ୍ରମିକ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସରକାରଙ୍କ ସମସ୍ତ ଲୋକାଭିମୁଖି ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଗୁରୁ ଦାୟିତ୍ଵ ବହନ କରୁଛନ୍ତି । ସାରା ରାଜ୍ୟରେ ୬୦ ହଜାରରୁ ଅଧିକ ମହିଳା କାର୍ଯ୍ୟରତ ଅଛନ୍ତି । ବିନା ଦରମାରେ ୫ ମାସ ହେଲା ସେମାନେ ଦୟନୀୟ ସ୍ଥିତିରେ ଥିବା ଅଭିଯୋଗ କରିଛନ୍ତି । ଦାବୀ ପୂରଣ ନହେବା ଯାଏଁ ଧାରଣାରୁ ହଟିବେନି ବୋଲି ଚେତାବନୀ ଦେବା ସହ ବିଧାନସଭା ସମୟରେ ଆନ୍ଦୋଳନ ଜୋରଦାର କରିବାକୁ ଚେତାବନୀ ଦେଇଛନ୍ତି ।

ମା’ ତାରାତାରିଣୀଙ୍କ ପୀଠରେ ଆରମ୍ଭ ହୋଇଛି ମା’ଙ୍କ ଷୋଡ଼ଶ ଉପଚାର ପୂଜା

ଗଞ୍ଜାମ ଜିଲ୍ଲାର ମା ତାରାତାରିଣୀଙ୍କ ପୀଠ । ମୂଳାଷ୍ଟମୀଠାରୁ ମା ତାରାତାରିଣୀଙ୍କ ପୀଠରେ ଆରମ୍ଭ ହୋଇଛି ମା’ଙ୍କ ଷୋଡ଼ଶ ଉପଚାର ପୂଜା । ପୂଜାର ପ୍ରଥମ ଦିନ ସନ୍ଧ୍ୟାରେ ଋଷିକୂଲ୍ୟା ନଦୀରୁ ପାଣି ଅଣାଯାଇ ମା’ଙ୍କ ସ୍ନାନ କରାଯାଇଥିଲା। ଏଥିପାଇଁ ଋଷିକୂଲ୍ୟା ନଦୀକୁ ରୀତିନୀତି ଅନୁଯାୟୀ ପୂଜା କରାଯାଇଥିଲା । ଏହାପରେ ସେବାୟତ ପରିବାରର ମହିଳାମାନେ ସହସ୍ରାଧିକ ମାଠିଆରେ ନଦୀରୁ ପାଣି ସଂଗ୍ରହ କରିଥିଲେ । ନଦୀ ନିକଟରେ ପୂଜା ସରିବା ପରେ ମହିଳାମାନେ ମୁଣ୍ଡରେ ମାଠିଆ ଧରି ୯୯୯ ପାହାଚ ଚଢ଼ି ମା’ଙ୍କ ମନ୍ଦିରରେ ପହଞ୍ଚିଥିଲେ । ଏହାପରେ ପୂଜାର୍ଚ୍ଚନା କରାଯିବା ପରେ ମନ୍ଦିର ପରିସରରେ ରହିଥିବା ସ୍ନାନ ମଣ୍ଡପକୁ ଅଣାଯାଇ ମା’ଙ୍କୁ ସ୍ନାନ କରାଯାଇଥିଲା । ଏଥିପାଇଁ ମନ୍ଦିରରେ ଲାଗିଥିଲା ଭକ୍ତ ମାନଙ୍କର ପ୍ରବଳ ଭିଡ଼ । ମା’ଙ୍କ ସ୍ନାନ ଦେଖିବା ସହ ଦର୍ଶନ କରି ବେଶ ପ୍ରଶାନ୍ତି ଲାଭ କରିଛନ୍ତି ଶ୍ରଦ୍ଧାଳୁ ।

ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ମା ତାରାତାରୀଣିଙ୍କ ପୀଠରେ ପ୍ରତ୍ୟହ ଚଣ୍ଡିପାଠ, ହୋମଯଜ୍ଞ ସହ ସ୍ୱତନ୍ତ୍ର ପୂଜା ରୀତିନୀତି ଅନୁଷ୍ଠିତ ହେବ । ଷୋଡ଼ଶ ଉପଚାର ପୂଜା ସମୟରେ ମା’ଙ୍କୁ ଦର୍ଶନ କଲେ ସମସ୍ତ ଦୁଃଖ ଲାଘବ ସହ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ବାସ ରହିଛି। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହାସହିତ ଶୃଙ୍ଖଳିତ ଦର୍ଶନ ନିମନ୍ତେ ମନ୍ଦିର ପରିସରରେ ପୋଲିସ ମୁତୟନ ହୋଇଛନ୍ତି ।

ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପର୍ବ ପୁଅ ଜିଉଁନ୍ତିଆ: ପୁଅ ପାଇଁ ସୁଖ ମନାସି ମାଆ ପାଳିଲେ ଦୁତିବାହନ ଓଷା

ମା ସର୍ବଂ ସ୍ୱହା । ସେଇ ମାଆ ପୁଣି ପୁଅର ମଙ୍ଗଳ କାମନା ପାଇଁ କରେ କାଷ୍ଠା ଉପବାସ । ସେଇ କାଷ୍ଠା ମଧ୍ୟରୁ ସବୁଠାରୁ ବଡ଼ ବ୍ରତ ହେଉଛି ପୁଅ ଜିଉଁତିଆ ବା ଦୂତିଆ ଓଷା । କେହି କେହି ଏହାକୁ ମୂଳାଷ୍ଟମୀ ପୂଜା କହିଥାନ୍ତି । ଏହି ପୂଜା ଆଶ୍ଵିନ ମାସ ମୂଳାଷ୍ଟମୀ ଦିନ ହିଁ ହୋଇଥାଏ । ବୌଦ୍ଧ ଜିଲ୍ଲା ସମତେ କଣ୍ଟାମାଳର ସମସ୍ତ ଗାଁ ଗୁଡିକରେ ପାଳିତ ହେଉଛି ପୁଅ ଜିଉଁତିଆ। ପୁତ୍ରର ମଙ୍ଗଳ କାମନା କରି ଦିନ ସାରା ନିର୍ଜଳା ଉପବାସ ରହି ଅପରାହ୍ନରେ ସ୍ନାନ କରି ଏହି ପୂଜା କରାଯାଏ। ସମସ୍ତ ପ୍ରକାର ଫଳ ମୂଳ ସାଥିରେ ନେଇ ନିଶାର୍ଦ୍ଧରେ ଏକ ମୁଖା ହୋଇ ପୂଜାସ୍ଥଳୀକୁ ଯାଇଥାନ୍ତି। ସେଠାରେ ସମସ୍ତେ ଏକତ୍ରିତ ହୋଇ ପୂଜାର୍ଚ୍ଚନା କରିଥାନ୍ତି। ସକାଳୁ ଜଳାଶୟରେ ପହଁଚି ପୂଜା କରିବା ପରେ ଘରକୁ ଫେରି ପୁଅମାନଙ୍କୁ ଦୁବ ଓ ଅରୁଆ ଚାଉଳରେ ଉତୁରାଇ ଥାନ୍ତି ।

ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପର୍ବ ପୁଅ ଜିଉଁନ୍ତିଆ । ଯନ୍ତ୍ର, ମନ୍ତ୍ର ଓ ତନ୍ତ୍ରର ସହର ସୁବର୍ଣ୍ଣପୁରରେ ପୁଅ ଜିଉଁନ୍ତିଆ ପର୍ବ ପାଳିତ ହୋଇଛି । ସନ୍ତାନମାନଙ୍କ ମଙ୍ଗଳ କାମନା ଓ ଦୀର୍ଘାୟୁ କାମନା କରି ମାଆ ମାନେ ନିଷ୍ଠାର ସହ ଓଷା ପାଳନ କରିଛନ୍ତି । ମାନସିକଧାରୀମାନେ ମାଆଙ୍କ ନିକଟରେ ଧୂପ, ଦୀପ, ସାତ ପ୍ରକାର ଫଳ ଦେଇ ସ୍ବତନ୍ତ୍ର ପୂଜାର୍ଚ୍ଚନା କରିଛନ୍ତି । ଦେବୀ ଦୁର୍ଗାଙ୍କ ଆସନ ପାଇଁ ମାଟିରେ ତିନୋଟି ବର୍ଗାକାର ଯନ୍ତ୍ର ଖୋଳିବା ସହିତ ଏକ ମାଛ ଛାଡି ପୂଜା କରାଯାଇଛି ।

ଜୁନାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଲଙ୍କେଶ୍ଵରୀଙ୍କ ପୀଠରେ ଧୂମଧାମରେ ପାଳିତ ହେଉଛି ପବିତ୍ର ଖଣ୍ଡାବସା ଯାତ୍ରା

କଳାହାଣ୍ଡି ଜିଲ୍ଲାରେ ରହିଛି ଅଷ୍ଟ ମାତୃକା ଶକ୍ତି ପୀଠ। ଏହି ଶକ୍ତି ପୀଠ ମଧ୍ୟରେ ରହିଛି ଜୁନାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା ଲଙ୍କେଶ୍ଵରୀଙ୍କ ପୀଠ । ଏଠାରେ ଧୂମଧାମରେ ପାଳିତ ହେଉଛି ମାଙ୍କ ପବିତ୍ର ଖଣ୍ଡାବସା ଯାତ୍ରା। ରାଜ ରାଜୁଡ଼ା ଅମଳରୁ ଦେବୀ ଲଙ୍କେଶ୍ଵରୀଙ୍କ ପାଟ ଖଣ୍ଡା ଓ କୁଣ୍ଡୀ ଖଣ୍ଡାକୁ ବର୍ଷକୁ ଥରେ ମାର୍ଜନା କରିବାକୁ ଖଣ୍ଡା ବସା ବୋଲି କୁହାଯାଏ  । ଖଣ୍ଡାବସା ପୂର୍ବରୁ ଥୁଆମୂଳ ରାମପୁର ମାଣିକେଶ୍ଵରୀଙ୍କ ପୀଠରେ ବାଲି ବା ଝାମୁ ଯାତ୍ରା ହୋଇଥାଏ l

କିମ୍ବଦନ୍ତୀ ଅନୁସାରେ ଏଠାରେ ନାଗ ବଂଶୀୟ ରାଜା ଶାସନ କରୁଥିଲେ। ତାଙ୍କର ଇଷ୍ଟ ଦେବୀ ଥିଲେ ମା ଲଙ୍କେଶ୍ବରୀ। ସେବେଠାରୁ ଚାଲି ଆସୁଛି ଏହି ଖଣ୍ଡାବସା ପର୍ବ । ଏହି ଖଣ୍ଡାବସାର ମୁଖ୍ୟ ପୁରୋଧା ହେଉଛନ୍ତି କଳାହାଣ୍ଡି ମହାରାଜା । ପ୍ରତି ବର୍ଷ ମୂଳାଷ୍ଟମୀ ଦିନ ମନ୍ଦିରରୁ ଖଣ୍ଡା ବାହାରି ଜୁନାଗଡ଼ ଅସ୍ଥାୟୀ ରାଜ ଉଆସ ବା ଡାକ ବଙ୍ଗଳାରେ ତିଆରି ହୋଇଥିବା ପତ୍ର କୁଡିଆକୁ ଯାଇଥାଏ । ସେଠାରେ ମାର୍ଜକ ଖଣ୍ଡାକୁ ମାର୍ଜନା ପରେ ପୁଣି ଖଣ୍ଡା ମନ୍ଦିରକୁ ଆସିଥାଏ। ଏହାପରେ ପୂଜକ ଷୋଡଶ ଉପଚାର ପୂଜା ପରେ କଳାହାଣ୍ଡି ମହାରାଜ ଆସି ଖଣ୍ଡା ବସାଇଥାଆନ୍ତି। ତା ପରେ ଦେବୀଙ୍କ ଠାରେ ପୋଢ଼ ବଳି ହୋଇଥାଏ ।ଏହି ଦିନଠାରୁ କଳାହାଣ୍ଡିରେ ଆରମ୍ଭ ହୁଏ ଦଶହରା  । ଲଙ୍କେଶ୍ବରୀଙ୍କ ଖଣ୍ଡାବସା ଯାତ୍ରା ଧୁମଧାମରେ ପାଳନ ହେଉଥିବା ବେଳେ ଜମୁଛି ନାଚ ଗୀତର ଆସର। ଭାଇଚାରାର ଏହି ପର୍ବରେ ସାମିଲ ହୋଇଛନ୍ତି ସମସ୍ତେ। ମାଆଙ୍କ ଦର୍ଶନ ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଜମୁଛି ଲୋକଙ୍କ ଭିଡ଼ ।