spot_img
Home Blog Page 2264

ଆଦିବାସୀଙ୍କୁ ଜଙ୍ଗଲରେ ରଖିବାକୁ ଚାହୁଁଛି ବିଜେପି : ରାହୁଲ ଗାନ୍ଧୀ

ଆସାମ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବିଜେପି ଉପରେ ବର୍ଷିଛନ୍ତି । ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ ଆସାମର ମଜୁଲିରେ ବିଜେପିକୁ ଟାର୍ଗେଟ କରିଛନ୍ତି । ଆଦିବାସୀଙ୍କୁ ଜଙ୍ଗଲରେ ସୀମିତ ରଖିବାକୁ ଏବଂ ସେମାନଙ୍କୁ ଶିକ୍ଷା ତଥା ଅନ୍ୟାନ୍ୟ ସୁବିଧାଠାରୁ ଦୂରରେ ରଖିବାକୁ  ବିଜେପି ଚାହୁଁଥିବା କହିଛନ୍ତି ରାହୁଲ । ସାଧାରଣ ସଭାରେ ସମ୍ବୋଧିତ କରି ରାହୁଲ ଗାନ୍ଧୀ କହିଛନ୍ତି, କଂଗ୍ରେସ ଆଦିବାସୀଙ୍କୁ ଅଧିକାର ଦେଇଥିଲା  ।

ରାହୁଲ ଏହା ମଧ୍ୟ କହିଛନ୍ତି ଯେ, ଆମେ ଆପଣଙ୍କୁ ଆଦିବାସୀ ବୋଲି କହୁଛୁ, ଏହାର ଅର୍ଥ ମୂଳ ନିବାସୀ । କିନ୍ତୁ ବିଜେପି ଆପଣଙ୍କୁ ବନବାସୀ ବୋଲି କହିଥାଏ, ଅର୍ଥାତ୍‌ ଜଙ୍ଗଲରେ ରହୁଥିବା ଲୋକ ।

ରାଜ୍ୟ ବିଜେପି ସରକାରଙ୍କୁ ଦୋଷ ଦେଇ  ରାହୁଲ କହିଛନ୍ତି, ବିଜେପି ଆଦିବାସୀମାନଙ୍କୁ ଜଙ୍ଗଲରେ ସୀମିତ ରଖିବାକୁ ଚାହୁଁଛି ଏବଂ ସେମାନଙ୍କ ପିଲାମାନଙ୍କୁ ସ୍କୁଲ, ବିଶ୍ୱବିଦ୍ୟାଳୟ ଯିବା, ଇଂରାଜୀ ଶିଖିବା ଏବଂ ବ୍ୟବସାୟ କରିବାର ସୁଯୋଗରୁ ବଞ୍ଚିତ କରିବାକୁ ଚାହୁଁଛି । କିନ୍ତୁ ଆମେ ଚାହୁଁଛୁ, ଆପଣଙ୍କର ଯାହା ଅଛି ଆପଣଙ୍କୁ ଫେରାଇ ଦିଆଯାଉ । ଆପଣଙ୍କର ଜଳ, ଜମି ଏବଂ ଜଙ୍ଗଲ ଆପଣଙ୍କର ହେବା ଉଚିତ୍ ।

ରାହୁଲ ଗାନ୍ଧୀ ଏବଂ ଅନ୍ୟ କଂଗ୍ରେସ ନେତାମାନେ ଶୁକ୍ରବାର ସକାଳେ ଡଙ୍ଗାରେ ଜୋରହାଟରୁ ମଜୁଲିରେ ପହଞ୍ଚିଥିଲେ। ରାହୁଲ ଗାନ୍ଧୀଙ୍କ ସହ ସାଧାରଣ ସଚିବ ଜୟରାମ ରମେଶ, ରାଜ୍ୟ ସଭାପତି ଭୁପେନ କୁମାର ବୋରା ଏବଂ ରାଜ୍ୟସଭାରେ ବିରୋଧୀ ଦଳର ନେତା ଦେବବ୍ରତ ସୌକିଆଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ। ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଭାରତ ଯୋଡୋ ନ୍ୟାୟ ଯାତ୍ରା କରୁଛି । ଏହି ଯାତ୍ରା ୬୭୧୩ କିଲୋମିଟର। ଜାନୁଆରୀ ୧୪ରେ ମଣିପୁରରୁ ଆରମ୍ଭ ହୋଇଥିଲା। ଏହା ୨୦ କିମ୍ବା ୨୧ ମାର୍ଚ୍ଚରେ ମୁମ୍ବାଇରେ ଶେଷ ହେବ।

ଲାଲୁ ଯାଦବଙ୍କ ଆବାସରେ ED ଟିମ୍‌, ଶନିବାର ସୁଦ୍ଧା ପହଞ୍ଚିବାକୁ ସମନ୍‌

0

ପାଟନା: ବିହାରରେ ଶାସନ ଗାଦିକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଏହାରି ମଧ୍ୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ର ଜଣେ ଅଧିକାରୀ ଲାଲୁ ପ୍ରସାଦ ଯାଦବଙ୍କ ଆବାସରେ ପହଞ୍ଚିଛନ୍ତି  । ଅଧିକାରୀ ଜଣକ ହାତରେ କିଛି କାଗଜପତ୍ର ନେଇ ଭିତରକୁ ଯାଉଥିବା ରିପୋର୍ଟ କହୁଛି  । ସେହିପରି ଇଡି ଟିମ ରାବଡି ଆବାସକୁ ବି ସମନ ଦେବା ପାଇଁ ପହଞ୍ଚିଥିବା ଶୁଣିବାକୁ ମିଳୁଛି  ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିମ ରାବଡି ଆବାସରେ ପହଞ୍ଚି ଲାଲୁ ପରିବାରକୁ ନୋଟିସ ଦେଇଛନ୍ତି  । ଇଡି ଅଧିକାରୀମାନେ ଲାଲୁ ଯାଦବ ଓ ତେଜସ୍ବୀ ଯାଦବଙ୍କୁ ଶନିବାର ସୁଦ୍ଧା ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ସମନ ଜାରି କରିଛନ୍ତି  । ଲ୍ୟାଣ୍ଡ ଫର ଜବ୍‌ ସ୍କାମ ଅର୍ଥାତ୍‌ ଜମି ବଦଳରେ ରେଳ ବିଭାଗରେ ଚାକିରି ଦୁର୍ନୀତିରେ ଲାଲୁଙ୍କ ପରିବାରକୁ ନୋଟିସ ଜାରି କରାଯାଇଥିବା ଅନୁମାନ କରାଯାଉଛି  ।

ସେହିପରି ଜମି ବଦଳରେ ଜବ୍‌ ମାମଲାରେ ଇଡିର କାର୍ଯ୍ୟାନୁଷ୍ଠାନରେ ନିଜର ଆଦେଶ ସୁରକ୍ଷିତ ରଖିଛନ୍ତି ରାଉଜ ଏଭେନ୍ୟୁ କୋର୍ଟ  । ଏଥିରେ ଲାଲୁ ଯାଦବଙ୍କ ପତ୍ନୀ ରାବଡି ଦେବୀ, ଝିଅ ମିସା ଭାରତୀଙ୍କ ସମେତ ସାତ ଜଣଙ୍କୁ ଇଡି ଅଭିଯୁକ୍ତ ଦର୍ଶାଇଛନ୍ତି  । ସେପଟେ ସିବିଆଇ ବି ଏହି ଘୋଟାଲାରେ ଜଡିତ ମାମଲାରେ ନିଜର ପକ୍ଷ ରଖିଛନ୍ତି  ।

ମାଟ୍ରିମୋନି ସାଇଟରେ କରୁଥିଲେ ବାୟା, ଯୁବତୀ ବେଶରେ ଲୁଟିନେଲେ ୩ ଲକ୍ଷ

ଭୁବନେଶ୍ବର: ଯୁବତୀ ବେଶରେ ଯୁବକଙ୍କୁ ଚୁନା । ମାଟ୍ରିମୋନି ସାଇଟରେ ଯୁବତୀଙ୍କ ପ୍ରୋଫାଇଲ ଓ ଫଟୋ ରଖି ବିବାହ ଆଶାୟୀ ମାନସ ରଞ୍ଜନ ପଣ୍ଡାଙ୍କ ଠାରୁ ବିଭିନ୍ନ ବାହାନାରେ ୩ ଲକ୍ଷ ୧୮ ହଜାର ଟଙ୍କା ଠକି ନେଇଥିଲା ଠକ । ନବମ ଶ୍ରେଣୀ ପାଠ ପଢିଥିବା ଏହି ଚତୁର ଠକ ଦୀପା ପ୍ରଧାନ ନାମରେ ମାଟ୍ରିମୋନି ସାଇଟରେ ଗୋଟିଏ ଆକାଉଣ୍ଟ ଖୋଲି ଭୁଆଁ ବୁଲାଉଥିଲା ।

ସମ୍ପର୍କୀୟଙ୍କ ଦେହ ଖରାପ କହି ୩ ଥରରେ ଅନଲାଇନରେ ୩ ଲକ୍ଷରୁ ଅଧିକ ଟଙ୍କା ନେଇଯାଇଥିଲା । ଅଭିଯୋଗକାରୀ ନିଜେ ଠକାମିର ଶିକାର ହୋଇଥିବା ନେଇ ଖବର ପାଇବା ପରେ ୨୦୨୩ ନଭେମ୍ବର ୧୫ରେ ସାଇବର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁରୀ ସଦର ଥାନା ଭାତକୁଡି ଗାଁର ନୃସିଂହ ବିଶ୍ୱାଳକୁ ଗିରଫ କରିଛି ସାଇବର ଥାନା ପୋଲିସ ପୋଲିସ ।

ଇସ୍ରାଏଲ ସୈନିକଙ୍କ ମୁଣ୍ଡକୁ ୮ ଲକ୍ଷରେ ନିଲାମ କଲା ହମାସ, ଯନ୍ତ୍ରଣାଦାୟକ ଘଟଣା ବିଷୟରେ କହିଲେ ପିତା

ଗାଜା : ଇସ୍ରାଏଲ-ହମାସ ଯୁଦ୍ଧରେ ଏପର୍ଯ୍ୟନ୍ତ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି । ଇସ୍ରାଏଲ ଶପଥ ନେଇଛି ଯେ, ହମାସ ଆତଙ୍କବାଦୀଙ୍କୁ ହଟାଇବା ପର୍ଯ୍ୟନ୍ତ ଯୁଦ୍ଧ ବନ୍ଦ ହେବ ନାହିଁ । ଏହି ସମୟରେ ଜଣେ ଇସ୍ରାଏଲ ସୈନିକଙ୍କ ପିତା ଅଭିଯୋଗ କରିଛନ୍ତି, ହମାସ ତାଙ୍କ ପୁଅର ମୁଣ୍ଡ କାଟି ନିଲାମ କରିଛି । ଡେଭିଡ ତାହର ନାମକ ଜଣେ ବ୍ୟକ୍ତି ଦେଇଥିବା ଏକ ସାକ୍ଷାତକାରରେ ତାଙ୍କ ପୁଅ ସିପିଏଲ ଆଦିର ତାହରଙ୍କ ମୃତ୍ୟୁ ବିଷୟରେ କହିଛନ୍ତି ।

ଡେଭିଡ କହିଛନ୍ତି, ଅକ୍ଟୋବର ୭ରେ ଗାଜା ସୀମା ନିକଟରେ ଏକ ଇସ୍ରାଏଲର ସାମରିକ ପୋଷ୍ଟରେ ଆଦିରଙ୍କୁ ନିୟୋଜିତ କରାଯାଇଥିଲା। ହମାସ ପକ୍ଷରୁ  ପୋଷ୍ଟ ଉପରେ ଆକ୍ରମଣ କରି ଆଦିରଙ୍କୁ ହତ୍ୟା କରାଯାଇଥିଲା ।  ଏହା ପରେ ହମାସ ଯୋଦ୍ଧାମାନେ ଆଦିରଙ୍କ ମୁଣ୍ଡ କାଟି ୧୦ ହଜାର ଡଲାରରେ ନିଲାମ କରିବାକୁ ଘୋଷଣା କରିଥିଲେ ।

ଡେଭିଡ ଏହା ମଧ୍ୟ କହିଛନ୍ତି, ଆଦିରଙ୍କ ମୃତଦେହକୁ ଇସ୍ରାଏଲର ଜାତୀୟ ଶ୍ମଶାନରେ ପାଇଛନ୍ତି। ସେ କହିଛନ୍ତି, ମୋ ପୁଅ ଶରୀରର ଅବସ୍ଥା ଏତେ ଖରାପ ଥିଲା ଯେ ତାକୁ ଚିହ୍ନିବା କଷ୍ଟସାଧ୍ୟ ଥିଲା । ଡିଏନଏ ପରୀକ୍ଷା ମାଧ୍ୟମରେ ମୃତଦେହ ଚିହ୍ନଟ କରାଯାଇଥିଲା । ସେ ଦୁଇ ମାସ ଧରି ଆଦିରଙ୍କ ମୁଣ୍ଡ ପାଇଁ ଖୋଜାଖୋଜି ଜାରି ରଖିଥିଲେ, କିନ୍ତୁ ସେ କୌଣସି ସୂଚନା ପାଇପାରିଲେ ନାହିଁ । କିନ୍ତୁ ଡିସେମ୍ବରରେ ସେ ଜାଣିବାକୁ ପାଇଲେ ଯେ ଇସ୍ରାଏଲର ଗୁପ୍ତଚର ବିଭାଗ ତାଙ୍କ ପୁଅର ମୁଣ୍ଡ ପାଇଛି । ଯାହାକୁ ଆତଙ୍କବାଦୀମାନେ ଏକ ଫ୍ରିଜରେ ରଖିଥିଲେ ।

ଘନ କୁହୁଡିରେ ଅସ୍ତବ୍ୟସ୍ତ ଉତ୍ତର ଭାରତ, ବାଧାପ୍ରାପ୍ତ ଟ୍ରେନ ଓ ବିମାନ ଚଳାଚଳ

ନୂଆଦିଲ୍ଲୀ: ଘନ କୁହୁଡ଼ିର ଆସ୍ତରଣ । ଅସ୍ତବ୍ୟସ୍ତ ହୋଇପଡିଛି ଜୀବନଧାରା। ଉତ୍ତର ଭାରତ ସମେତ ଦେଶର ବିଭିନ୍ନ ସ୍ଥାନରେ କୁହୁଡ଼ିର ପ୍ରଭାବ ଦେଖିବାକୁ ମିଳିଛି । ରାଜଧାନୀ ଦିଲ୍ଲୀରେ ବ୍ୟାପକ ମାତ୍ରାରେ ଜନଜୀବନ ପ୍ରଭାବିତ ହୋଇଛି । ଘନ କୁହୁଡ଼ି ଯୋଗୁଁ ଲୋକେ ଘରୁ ସକାଳୁ ବାହାରି ପାରୁନାହାନ୍ତି । ଟ୍ରେନ ଓ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

୨୦ରୁ ଅଧିକ ଟ୍ରେନର ଚଳାଚଳ ଚଳାଚଳ ୬ଘଣ୍ଟାରୁ ଅଧିକ ସମୟ ବିଳମ୍ବ ହୋଇଛି । ଦିଲ୍ଲୀରେ ବିମାନ ଚଳାଚଳ ମଧ୍ୟ ବ୍ୟାପକ ମାତ୍ରାରେ ପ୍ରଭାବିତ ହୋଇଛି । ପାଲମ ବିମାନବନ୍ଦରରେ ଭିଜିବିଲିଟି ୫୦ରୁ ଶହେ ମିଟର ମଧ୍ୟରେ ରହିଛି। କିଛି ସ୍ଥାନରେ ଭିଜିବିଲିଟି ୫୦ ମିଟରକୁ ଖସି ଆସିଛି । ଦିଲ୍ଲୀର ଇନ୍ଦିରାଗାନ୍ଧୀ ଏୟାରପୋର୍ଟରେ ୭୫ଟି ବିମାନର ଚଳାଚଳ ବିଳମ୍ବ ହୋଇଛି ।

୫ ବିମାନର ଉଡାଣ ରଦ୍ଦ କରାଯାଇଛି । ଦିଲ୍ଲୀ ଆସୁଥିବା ଏକାଧିକ ବିମାନକୁ ରାଜସ୍ଥାନର ଜୟପୁର, ମୁମ୍ବାଇ ଏବଂ ହାଇଦ୍ରାବାଦକୁ ପରିବର୍ତ୍ତନ କରାଯାଇଛି । କେବଳ ଦିଲ୍ଲୀ ନୁହେଁ, ସାରା ଉତ୍ତର ଭାରତରେ ଶୀତର ରାଜୁତି ଜାରି ରହିଛି । ପଞ୍ଜାବ, ହରିଆଣା, ଚଣ୍ଡୀଗଡ, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ ଓ ରାଜସ୍ଥାନରେ କୁହୁଡି ଯୋଗୁ ଜୀବନ ପ୍ରଭାବିତ ହୋଇଛି। ଗତ କିଛି ଦିନ ଧରି ସାରା ଉତ୍ତରଭାରତରେ ଏହି ପରିସ୍ଥିତି ଲାଗି ରହିଛି।

ଫଟୋ ସେୟାର କରି ହୃଦୟ ଜିତିଲେ ପାକିସ୍ତାନ କ୍ରିକେଟର୍

ନୂଆଦିଲ୍ଲୀ : ଅଯୋଧ୍ୟା ରାମ ମନ୍ଦିରରେ ରାମଲଲ୍ଲାଙ୍କୁ ସ୍ଥାପନ କରାଯାଇଛି । ରାମଲଲ୍ଲାଙ୍କ ପାଇଁ ଅଯୋଧ୍ୟାରେ ଧର୍ମିକ ରୀତିନୀତି ଜାରି ରହିଛି । ଏ ସବୁ ଭିତରେ ଜଣେ ପାକିସ୍ତାନର ଜଣେ ପୂର୍ବତନ କ୍ରିକେଟର ଖୁସି ଥିବାର ଜଣାପଡିଛି । ପାକିସ୍ତାନର ପୂର୍ବତନ କ୍ରିକେଟର ଦାନିଶ କନେରିଆ ରାମ ମନ୍ଦିର ଉପରେ ଏକ ବିବୃତ୍ତି ଦେଇଛନ୍ତି । ସେ ରାମଲଲ୍ଲାଙ୍କ ଫଟୋ ମଧ୍ୟ ଶେୟାର କରିଛନ୍ତି ।

ରାମଲଲ୍ଲାଙ୍କ ନୂତନ ପ୍ରତିମା ରାମ ମନ୍ଦିରର ଗର୍ଭଗୃହରେ ସ୍ଥାପନ କରାଯାଇଛି । ଗତକାଲି ଏହାର ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା। ସମସ୍ତେ ଏହାକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଏହାରି ମଧ୍ୟରେ ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଲେଗ ସ୍ପିନର ଦାନିଶ କନେରିଆ ମଧ୍ୟ ନୂତନ ପ୍ରତିମୂର୍ତ୍ତିର ଫଟୋ ଶେୟାର କରି ଏକ ଚମତ୍କାର କ୍ୟାପଶନ ଲେଖିଛନ୍ତି ।

ସୋସିଆଲ ମିଡିଆ ସାଇଟ ଏକ୍ସରେ ଦାନିଶ ଲେଖିଛନ୍ତି, ମୋ ରାମଲଲ୍ଲା ବିରାଜମାନ ହୋଇଛନ୍ତି । ଏହା ସହ ସେ ଏକ ଇମୋଜି ମଧ୍ୟ ଲଗାଇଛନ୍ତି । ଯେଉଁଥିରୁ ଜଣାପଡୁଛି ଯେ, ସେ ଏହାକୁ ନେଇ ବହୁତ ଖୁସି ଅଛନ୍ତି । ତେବେ କନେରିଆ ପ୍ରଥମ ଥର ପାଇଁ ରାମ ମନ୍ଦିର ଉପରେ ପ୍ରତିକ୍ରିୟା ପ୍ରକାଶ କରିନାହାଁନ୍ତି । ଏହା ପୂର୍ବରୁ ମଧ୍ୟ ରାମ ମନ୍ଦିର ଉପରେ ଅନେକ ଥର ପ୍ରତିକ୍ରିୟା ଦେଇଛନ୍ତି ।

ଆଣ୍ଟିବାୟୋଟିକ ବ୍ୟବହାରକୁ ପ୍ରୋତ୍ସାହନ ଦିଅନି; ଡାକ୍ତରଙ୍କୁ ଚେତାବନୀ ଦେଲେ କେନ୍ଦ୍ର ସରକାର

ନନ୍ଦିଘୋଷ ବ୍ୟୁରୋ : ଦେଶରେ ଆଣ୍ଟିବାୟୋଟିକ ଔଷଧର ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି । ଏହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ । ଏହାକୁ ଦୃଷ୍ଟିରେ ରଖି ଆଣ୍ଟୋବାୟୋଟିକ ବ୍ୟବହାରକୁ ପ୍ରୋତ୍ସାହନ ନ ଦେବା ପାଇଁ କେନ୍ଦ୍ର ସରକାର ଡାକ୍ତରମାନଙ୍କୁ ଚେତାବନୀ ଦେଇଛନ୍ତି। ଯଦି ରୋଗୀଙ୍କୁ ଏହା ଦିଆଯାଉଛି ତେବେ ତାହାର କାରଣ ଦର୍ଶାଇବାକୁ କୁହାଯାଇଛି। ଏହି ନିୟମକୁ ବାଧ୍ୟତାମୂଳକ କରାଯାଇଛି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅଧୀନରେ କାର୍ଯ୍ୟ କରୁଥିବା ସ୍ବାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟ-ଡିଜିଏଚ୍‌ଏସ୍ ପକ୍ଷରୁ ଏନେଇ ଦେଶର ସମସ୍ତ ଫାର୍ମାସିଷ୍ଟ ଆସୋସିଏସନକୁ ଚିଠି ଲେଖାଯାଇଛି । ଏଥିରେ ଡାକ୍ତରଙ୍କ ପ୍ରେସ୍‌କ୍ରିପ୍‌ସନ ବିନା ଆଣ୍ଟିବାୟୋଟିକ ନ ଦେବାକୁ ଫାର୍ମାସିଷ୍ଟଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଆଦେଶକୁ କଠୋର ଭାବେ କାର୍ଯ୍ୟକାରୀ କରିବାକୁ କୁହାଯାଇଛି । ଏହି ଔଷଧ ଅଧିକ ଖାଇ ରୋଗ ପ୍ରତିରୋଧକ କ୍ଷମତା ହ୍ରାସ ପାଉଛି ।

ଦେଶରେ ଆଜିଥ୍ରୋମାଇସନ ୫୦୦ ମିଲିଗ୍ରାମ ସର୍ବାଧିକ ବ୍ୟବହାର ହେଉଛି। ଦିନକୁ ୩୮.୪ କୋଟି ଡୋଜ୍‌ ନିଆଯାଉଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟରେ ଚିଠି ଅନୁସାରେ ଆଣ୍ଟିମାଇକ୍ରୋବାୟଲ ରେସିଷ୍ଟାନ୍ସ -ଏଏମଆର ବଡ଼ ବିପଦ ପାଲଟିବାରେ ଲାଗିଛି । ୨୦୧୯ରେ ଏଏମଆର ଯୋଗୁଁ ୧୩ ଲକ୍ଷ ଲୋକଙ୍କ ଜୀବନ ଯାଇଥିଲା। ଏହା ବ୍ୟତୀତ ଔଷଧର ପ୍ରତିରୋଧ କ୍ଷମତା ଜନିତ ସଂକ୍ରମଣ ଯୋଗୁଁ ୫୦ ଲକ୍ଷ ଲୋକ ପ୍ରାଣ ହରାଇଥିଲେ। ସୂଚନାଯୋଗ୍ୟ ଯେ ବିଂଶ ଶତାଦ୍ଦୀର ପ୍ରାରମ୍ଭରେ ସାଧାରଣ ରୋଗ ଭଲ ହେବା ପାଇଁ ମାସ ମାସ ଲାଗି ଯାଉଥିଲା। କିନ୍ତୁ ଆଣ୍ଟିମାଇକ୍ରୋବାୟଲ ଡ୍ରଗ୍ସ ଯେପରକି ଆଣ୍ଟିବାୟୋଟିକ, ଆଣ୍ଟିଫଙ୍ଗଲ ଏବଂ ଆଣ୍ଟିଭାଇରାଲର ବ୍ୟବହାର ଯୋଗୁଁ ଏପରି ରୋଗ ଶୀଘ୍ର ଭଲ ହେଇ ଯାଉଥିଲା।

ଜୀବାଣୁକୁ ମାରିବା ପାଇଁ ଆଣ୍ଟିବାୟୋଟିକ ବ୍ୟବହାର କରାଯାଉଥିଲା। କିନ୍ତୁ ବାରମ୍ବାର ଏହି ଔଷଧ ନେଲେ ଜୀବାଣୁ ଉକ୍ତ ରୋଗ ବିରୋଧରେ ପ୍ରତିରୋଧୀ କ୍ଷମତା ବିକଶିତ କରି ନେଇଥାଏ । ଏହା ପରେ ରୋଗୀ ଠିକ୍‌ ହେବା କାଠିକର ହୋଇ ଯାଇଥାଏ । ଏହାକୁ ଏଏମଆର କୁହାଯାଏ । ଭାରତରେ ସମସ୍ତ ଆଣ୍ଟିବାୟୋଟିକକୁ ଏଚ ଏବଂ ଏଚ-୧ ଶ୍ରେଣୀରେ ରଖାଯାଇଛି। ଏହାକୁ ଡାକ୍ତରଙ୍କ ପ୍ରେସକ୍ରିପସନ ବିନା ଔଷଧ କିଣା ଯାଇପାରିବ ନାହିଁ। ଏହା ସତ୍ତ୍ବେ ଲୋକେ ମେଡିକାଲ ଷ୍ଟୋରରୁ ବେଧଡ଼କ ଭାବେ ଏହି ଔଷଧ କିଣି ସେବନ କରୁଛନ୍ତି।

ସ୍ବାସ୍ଥ୍ୟକର୍ମୀଙ୍କଠାରୁ ନେଇ କ୍ବାକଙ୍କ ପର୍ଯ୍ୟନ୍ତ ସମସ୍ତେ ଏହାକୁ ପ୍ରୋତ୍ସାହନ ଦେଉଛନ୍ତି। ଏଥିପାଇଁ ସାଧାରଣ ଜୀବାଣୁ ସୁପରବଗ୍‌ ପାଲଟି ଯାଉଛି । ଫଳରେ ସାଧାରଣ ସଂକ୍ରମଣ ଜନିତ ରୋଗ ଭଲ ହେବା ପାଇଁ ଅନେକ ସମୟ ଲାଗୁଛି । ଏଥିପାଇଁ ନିମୋନିଆ, ଟିବି, ରକ୍ତ ବିଷାକ୍ତ ଏବଂ ଗନେରିଆ ଭଳି ରୋଗର ଚିକିତ୍ସା କଷ୍ଟସାଧ୍ୟ ହୋଇଯାଇଛି । ଆଇସିଏମଆର ଅନୁଯାୟୀ ନିମୋନିଆ, ସେପ୍ଟିସିମିଆ ରୋଗରେ ବ୍ୟବୃତ ହେଉଥିବା କାର୍ବେପନେମ ଉପରେ କଟକଣା ଲଗାଇ ଦିଆଯାଇଛି। କାରଣ ଏହି ଔଷଧ ଏବେ ଜୀବାଣୁ ଉପରେ କୌଣସି ପ୍ରଭାବ ପକାଇ ପାରୁନାହିଁ।

ପାଣି ନ ଦେବାରୁ ରୁମ ପାର୍ଟନରକୁ ହତ୍ୟା : ଫ୍ୟାନରେ ଝୁଲାଇଲେ ମୃତଦେହ

ନୂଆଦିଲ୍ଲୀ : ପାଣି ନ ଦେବାରୁ ରୁମ ପାର୍ଟରକୁ ହତ୍ୟା । ମୃତଦେହକୁ ଫ୍ୟାନରେ ଝୁଲାଇ ଦେଲା ଅଭିଯୁକ୍ତ । ଏମିତି ଏକ  ହୃଦୟ ବିଦାରକ ଘଟଣା ଦିଲ୍ଲୀରେ ଦେଖିବାକୁ ମିଳିଛି । ପିଇବା ପାଣି ନ ଦେବାରୁ ରୁମ ପାର୍ଟନର ଜଣେ ନାବାଳକଙ୍କ ସହ ମିଶି ଜଣେ ଯୁବକଙ୍କୁ ଗଳା କାଟି ହତ୍ୟା କରିଛି । ଏହାକୁ ଆତ୍ମହତ୍ୟା ରୂପ ଦେବାକୁ ଅଭିଯୁକ୍ତ ମୃତ ଶରୀରକୁ ଫ୍ୟାନରେ ଟାଙ୍ଗି ଦେଇଥିଲା । ମୃତ ବ୍ୟକ୍ତି ଜଣଙ୍କ ଉତ୍ତର ପ୍ରଦେଶର ହରଦୋଇ ନିବାସୀ ରଚିତ ବୋଲି ଜଣାପଡିଛି । ବେକରେ ଗଳା ଚିପାଯାଇଥିବା ଚିହ୍ନ ପାଇବା ପରେ ପୋଲିସ ହତ୍ୟା ମାମଲା ରୁଜୁ କରିଛି।

ଏହି ଘଟଣା ପରେ ଫେରାର ହୋଇ ଯାଇଥିବା ଅଭିଯୁକ୍ତ ତଥା ରଚିତଙ୍କ ରୁମ ପାର୍ଟନର ଅଭୟ କାନ୍ତ ମିଶ୍ର ଓ ତାର ନାବାଳକ ସହଯୋଗୀକୁ ପୋଲିସ ଗିରଫ କରି ଘଟଣାର ତଦନ୍ତ କରୁଛି  ପୋଲିସ ।

ପୋଲିସ କହିବାନୁଯାୟୀ, ଜାନୁଆରୀ ୧୧ରେ ଲକ୍ଷ୍ମୀ ପାର୍କ ଅଞ୍ଚଳରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ସୂଚନା ମିଳିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦେଖିଲା ଯେ ଯୁବକଙ୍କ ମୃତଦେହ ଫ୍ୟାନରେ ଝୁଲୁଛି । ତଦନ୍ତ ବେଳେ ଛାତର ଉଚ୍ଚତା ଓ ଏହାର ଚାରିପାଖରେ କୌଣସି ଉପକରଣ ନ ଥିବାରୁ ପୋଲିସର ସନ୍ଦେହ ହୋଇଥିଲା ।

ଫଳରେ ରଚିତ ସହ ରହୁଥିବା ଅଭୟ କାନ୍ତର ମୋବାଇଲ ଟ୍ରେସ କରିବାରୁ ସେ ହରଦୋଇରେ ରହୁଥିବା ଜଣାପଡିଥିଲା  । ପୋଲିସର ଏକ ଟିମ୍ ସେଠାରେ ଚଡାଉ କରି ନାବାଳକ ଓ ଅଭିଯୁକ୍ତ ଅଭୟ କାନ୍ତକୁ ଗିରଫ କରିଥିଲା ।

ମଣିପୁରରେ ଥମୁନି ହିଂସା ; ଗୁଳିକାଣ୍ଡରେ ୫ ମୈତେୟୀଙ୍କ ମୃତ୍ୟୁ, ୪ ବିଏସଏଫ ଯବାନ ଆହତ

ଇମ୍ପାଲ : ମଣିପୁରରେ ଥମୁନି ହିଂସା । ଗୁଳିକାଣ୍ଡରେ ୫ ମୈତେୟୀଙ୍କ ମୃତ୍ୟୁ ସମେତ,୪ ବିଏସଏଫ ଯବାନ ଆହତ । ମଣିପୁରରେ ବିଭିନ୍ନ ଜିଲ୍ଲାରେ ବୁଧବାର ଦିନ ରାତିରୁ ବ୍ୟାପିଥିବା ହିଂସା ଏପର୍ଯ୍ୟନ୍ତ ଥମିନାହଁ । ହିଂସାରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ବିଏସଏଫ ଯବାନ ଆହତ ହୋଇଛନ୍ତି । ବୁଧବାର ଦିନ ତେଙ୍ଗନୌପା ଜିଲ୍ଲାରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ୨ ପୁଲିସ କର୍ମଚାରୀ ସହିଦ ହେବା ପରେ ଏହି ସ୍ଥିତି ଉପୁଜିଛି ।

ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ ବିଷ୍ଣୁପୁର ଜିଲ୍ଲାରେ ୪ଜଣ ମୈତେୟୀ ସଂପ୍ରଦାୟ ଲୋକଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ମୃତ୍ୟୁ ପରେ ଇମ୍ପାଲ ଉପତ୍ୟକାର ବିଭିନ୍ନ ସ୍ଥାନରେ ହିଂସା ଉଗ୍ର ରୂପ ନେଇଥିଲା । ଗ୍ରାମର ଗୁଳି ବିନିମୟ ପରେ ମୈତ୍ରୀୟ ସଂପ୍ରଦାୟର ଜଣେ ୨୩ ବର୍ଷର ଯୁବକଙ୍କ ମୃତ୍ୟୁ ହୋଇଛି । ଫଳରେ ଲୋକମାନେ ପୋଲିସ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିଥିଲେ । ଏଥିରେ ୪ଜଣ ବିଏଏସଏଫ ଯବାନଙ୍କ ଦେହରେ ଗୁଳି ବାଜିବା ସହିତ ସେମାନେ ଆହତ ହୋଇଛନ୍ତି ।

ଅଯୋଧ୍ୟାର ଭବ୍ୟ ରାମ ମନ୍ଦିର ଗର୍ଭଗୃହରୁ ଆସିଲା ରାମଲାଲାଙ୍କ ପ୍ରଥମ ଫଟୋ

ଅଯୋଧ୍ୟା :  ରାମଲଲ୍ଲାଙ୍କ ଆସିଲା ପ୍ରଥମ ଫଟୋ। ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ଗର୍ଭଗୃହରେ ସ୍ଥାପନ ପରେ ରାମଲଲାଙ୍କ ଏହି ଫଟୋ ସାମନାକୁ ଆସିଛି । ବିଧି ଅନୁସାରେ ଏବେ ପ୍ରଭୁ ରାମଙ୍କ ଚକ୍ଷୁରେ ପଟି ବନ୍ଧାଯାଇଛି । ଆସନ୍ତା ୨୨ ତାରିଖରେ ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କରାଯିବ । ୨୩ ତାରିଖଠାରୁ ମନ୍ଦିରରେ ସାଧାରଣ ଭକ୍ତ ଦର୍ଶନ କରିପାରିବେ ।

ଗତକାଲି ମନ୍ଦିର ଗର୍ଭଗୃହରେ ରାମଲଲାଙ୍କ ମୂର୍ତ୍ତି ଆସ୍ଥାନରେ ସ୍ଥାପନ କରାଯାଇଥିଲା। ଏହି ମୂର୍ତ୍ତି ସ୍ଥାପନ କରିବାକୁ ପ୍ରାୟ ୪ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା। ମନ୍ତ୍ର ଉଚ୍ଚାରଣ ଏବଂ ପୂଜାର୍ଚ୍ଚନା ନୀତିକାନ୍ତି ସହ ଭଗବାନ ରାମଙ୍କ ବିଗ୍ରହକୁ ବିରାଜମାନ କରାଯାଇଥିଲା । ଏହି ଅବସରରେ ଏହି ମୂର୍ତ୍ତି ନିର୍ମାଣ କରିଥିବା ସ୍ଥପତି ଯୋଗୀରାଜ ସମେତ ଅନେକ ସାଧୁସନ୍ଥ ଉପସ୍ଥିତ ଥିଲେ । ମହୀଶୂରର ପ୍ରସିଦ୍ଧ ସ୍ଥପତି ଅରୁଣ ଯୋଗୀରାଜ ପ୍ରଭୁ ରାମଙ୍କ ଏହି ବିଗ୍ରହ ନିର୍ମାଣ କରିଛନ୍ତି । ୫୧ ଇଞ୍ଚ ରହିଛି ଏହି ବିଗ୍ରହର ଉଚ୍ଚତା । ବୁଧବାର ଦିନ ମୂର୍ତ୍ତିକୁ ମନ୍ଦିର ପରିସରକୁ ଅଣାଯାଇଥିଲା । ଆସନ୍ତା ୨୨ ତାରିଖରେ ପ୍ରାଣ ପ୍ରତିଷ୍ଠା ଥିବାରୁ ଜୋରସୋରରେ ଚାଲିଛି ପ୍ରସ୍ତୁତି କାର୍ଯ୍ୟ । ମନ୍ଦିର ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି