spot_img
Home Blog Page 2228

ବିରୋଧୀ ଦଳ ବିକାଶ ବିରୋଧୀ, ଅପପ୍ରଚାରରେ ଲାଗିଛନ୍ତି: ଅରୁଣ

ଭୁବନେଶ୍ବର: ବିକାଶର ବିରୋଧୀ ହେଉଛନ୍ତି ବିରୋଧୀ ଦଳ । ଗଣତନ୍ତ୍ର ପ୍ରକ୍ରିୟାରେ ବିକାଶକୁ ବିରୋଧ କରିବା ଯୁକ୍ତିଯୁକ୍ତ ନୁହେଁ । ଓଡ଼ିଶାର ବିରୋଧୀ ଦଳ ସବୁବେଳେ ବିକାଶକୁ ବିରୋଧ କରିବା ପାଇଁ ଖିଅ ବାହାର କରୁଛନ୍ତି । ବିରୋଧୀ ଏପରି ଆଭିମୁଖ୍ଯ ଗ୍ରହଣ କରୁଥିବାରୁ ଆଗାମୀ ଦିନରେ ସେମାନେ ବିରୋଧୀ ଦଳର ଯୋଗ୍ଯତା ହରାଇବେ । ଶୂନ୍ଯକାଳରେ ଏପରି କହି ଉଭୟ କଂଗ୍ରେସ ଓ ବିଜେପି ସଦସ୍ଯଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ ।

କେନ୍ଦ୍ରମନ୍ତ୍ରୀଙ୍କୁ ନିଜ ବନ୍ଧୁ ବୋଲି କହି କଡ଼ା କଟାକ୍ଷ କରିଛନ୍ତି ଅରୁଣ । ସେ କହିଛନ୍ତି, ‘ମୋ ବନ୍ଧୁ ପ୍ରଧାନଙ୍କ ଅନୁଗତ ମାନେ ଅପପ୍ରଚାରରେ ଲାଗିଛନ୍ତି । ଆରମ୍ଭରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବିରୋଧ କରି ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲେ । ଏବେ କାମ ସରିବା ପରେ ଭଲ ହୋଇଥିବା ଅନୁଭବ କରି ବି ବିରୋଧ କରିଥିଲେ ।’

ଆଗକୁ ସେ କହିଛନ୍ତି, ‘ଗାଁ ଗାଁରେ ବିକାଶ ହେଉଥିବାରୁ ବିରୋଧୀ ଅସ୍ଥିତ୍ବ ହରାଇବେ ବୋଲି ଜାଣି ଗଲେଣି । ତେଣୁ ସବୁ କଥା ଖିଅ ବାହାର କରି ବିରୋଧ କରୁଛନ୍ତି । ଓଡ଼ିଶାର ବିକାଶ ବିରୋଧୀ, ଓଡ଼ିଶାର ଉନ୍ନତି ବିରୋଧୀ ଓ ଓଡ଼ିଶା ପ୍ରଗତିର ବିରୋଧୀ ସାଜିଛନ୍ତି ବିରୋଧୀ ଦଳ । ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନା, ବିଏସକେୱାଇ ପରି ଲୋକପ୍ରିୟ ଯୋଜନା ବିରୋଧୀଙ୍କୁ କଷ୍ଟ ହେଉଛି । ତେଣୁ ବିରୋଧୀ ଏବେ ପଶ୍ଚାତାପ କରନ୍ତୁ । ନହେଲେ ଓଡ଼ିଶାବାସୀ ସେମାନଙ୍କୁ କେବେ କ୍ଷମା ଦେବେ ନାହିଁ । ବିକାଶକୁ ବିରୋଧ କରି ଭାରତବର୍ଷରେ କେହି ବି ଲୋକଙ୍କ ହୃଦୟ ଜିଣିପାରିନାହାନ୍ତି ।‘

୧୫ରେ ଓଡ଼ିଶା ଆସିବେ ନିର୍ବାଚନ କମିଶନ, ନିର୍ବାଚନ ପରିଚାଳନା ନେଇ କରିବେ ସମୀକ୍ଷା

ଭୁବନେଶ୍ବର: ଆସନ୍ତା ୧୫ ତାରିଖରେ ଓଡ଼ିଶା ଆସୁଛନ୍ତି ନିର୍ବାଚନ କମିଶନ । ୧୭ ତାରିଖ ଯାଏଁ ଓଡ଼ିଶାରେ ଅବସ୍ଥାନ କରିବାର ରହିଛି କାର୍ଯ୍ୟକ୍ରମ । ଆଗାମୀ ଲୋକସଭା ନିବର୍ାଚନ ପରିଚାଳନା ନେଇ କରିବେ ସମୀକ୍ଷା ।

ମୁଖ୍ଯ ନିର୍ବାଚନ କମିଶନର ରାଜୀବ କୁମାର, ଅନ୍ଯତମ କମିଶନର ଅରୁଣ ଗୋୟଲ, ସିନିୟର ଡେପୁଟି ନିର୍ବାଚନ କମିଶନର ଧର୍ମେନ୍ଦର ଶର୍ମା, ସିନିୟର ଡେପୁଟି ଇଲେକସନ କମିଶନର ନୀତେଶ ବ୍ଯାସଙ୍କ ସମେତ ୮ ଜଣ ଓଡ଼ିଶା ଗସ୍ତ କରିବେ । ୧୬ ତାରିଖରେ ଜାତୀୟ ଓ ରାଜ୍ୟର ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳ, ଡିଇଓ, ଏସପି, ସିପି, ଡିଭିଜନାଲ କମିଶନର ଆଇଜିଙ୍କ ସହ ନିର୍ବାଚନ କମିଶନ ଆଲୋଚନା କରିବେ । ସେହିପରି ୧୭ ତାରିଖରେ ରାଜ୍ଯ ମୁଖ୍ଯ ନିର୍ବାଚନ ଅଧିକାରୀ,  ରାଜ୍ଯ ପୋଲିସ ନୋଡାଲ ଅଫିସର, ସିପିଏଫ ନୋଡାଲ ଅଫିସର, ମୁଖ୍ଯ ଶାସନ ସଚିବ ଓ ଡିଜିପିଙ୍କ ସହ ଆଲୋଚନା କରିବେ । ସମସ୍ତଙ୍କ ସହ ବୈଠକ ପରେ ଇସିଆଇ ୧୭ ତାରିଖ ଅପରାହ୍ଣରେ ସାମ୍ବାଦିକ ସମ୍ମିଳନୀ କରିବେ ।

କେନ୍ଦ୍ର ବିରୋଧରେ କର୍ଣ୍ଣାଟକ, କେରଳ ଓ ତାମିଲନାଡୁରେ ତେଜିଲା ଆନ୍ଦୋଳନ

ନୂଆଦିଲ୍ଲୀ: ଦେଶର ଦକ୍ଷିଣାଞ୍ଚଳରେ ନିଜର ଅସ୍ତିତ୍ବ ଜାହିର କରିବାକୁ ସଂଘର୍ଷ କରୁଥିବା ଶାସକ ବିଜେପି ଦଳକୁ ଲାଗିଛି ଶକ୍ତ ଧକ୍କା । କେନ୍ଦ୍ର ବିରୋଧରେ ତେଜିଛି ଦାକ୍ଷିଣାତ୍ଯ ରାଜ୍ୟଙ୍କ ଆନ୍ଦୋଳନ । ପ୍ରତିବାଦ ଆନ୍ଦୋଳନରେ ଏକ ହୋଇଛନ୍ତି କର୍ଣ୍ଣାଟକ, କେରଳ ଓ ତାମିଲନାଡୁ । ବଡ଼କଥା ହେଉଛି ଆନ୍ଦୋଳନରେ ସାମିଲ ହୋଇଛନ୍ତି ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

ଗତକାଲି ଦିଲ୍ଲୀ ଯନ୍ତରମନ୍ତରରେ କର୍ଣ୍ଣାଟକ ପ୍ରଥମେ ବିକ୍ଷୋଭ କରିଥିବାବେଳେ ଆଜି ଆଉ ୨ ରାଜ୍ୟ କେରଳ ଓ ତାମିଲନାଡୁ ସାମିଲ ହୋଇଛନ୍ତି । ରାଜ୍ୟ ବିକାଶରେ ପାଣ୍ଠି ଯୋଗାଣରେ ପାତରଅନ୍ତର ଅଭିଯୋଗ କ୍ରମେ ଏହି ଆନ୍ଦୋଳନ ହେଉଛି । ଗତକାଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଓ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାରଙ୍କ ସମେତ ବହୁ ବିଧାୟକ ଓ ମନ୍ତ୍ରୀ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ ।

ତିନି ରାଜ୍ୟର ଅଭିଯୋଗ ହେଉଛି, କେନ୍ଦ୍ର ସରକାର ଏହି ସବୁ ରାଜ୍ଯଗୁଡ଼ିକୁ ପାତରଅନ୍ତର କରୁଛନ୍ତି ଏବଂ ଆବଶ୍ୟକତା ଅନୁସାରେ ପାଣ୍ଠି ଯୋଗାଡ଼ କରୁନାହାନ୍ତି । ଶିବକୁମାର ଅଭିଯୋଗ କରିଥିଲେ, ଜିଏସଟି ପ୍ରଦାନ କରିବା କ୍ଷେତ୍ରରେ କର୍ଣ୍ଣାଟକ ଦ୍ବିତୀୟ ସ୍ଥାନରେ ଥିବା ସତ୍ତ୍ବେ ରାଜ୍ୟ ସରକାର ଆଶାନୁରୂପ ଭାଗ ପାଉନାହାନ୍ତି ।

ସୁଧୁରିବାକୁ ଦେଇଥିଲୁ ଯଥେଷ୍ଟ ସମୟ, ପେଟିଏମକୁ ନେଇ ଏମିତି କହିଲେ ଆରବିଆଇ ମୁଖ୍ୟ

ନୂଆଦିଲ୍ଲୀ: ପେଟିଏମ ଉପରେ RBI ଗତ ଜାନୁଆରୀ ୩୧ ତାରିଖରୁ ରୋକ୍ ଲଗାଇଛି । ଏହି ଖବର ପର ଠାରୁ ଏବେ ପେଟିଏମର କ’ଣ ହେବ ତାହା ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି । କ’ଣ ୨୯ ଫେବୃଆରୀ ପରେ ପେଟିଏମରେ ପେମେଣ୍ଟ ବନ୍ଦ ହେଇଯିବ ? ଏବେ ମୁଦ୍ରା ନୀତି ଘୋଷଣା କରିବା ସମୟରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ବଡ଼ କଥା କହିଛନ୍ତି । ସେ କହିଛନ୍ତି ଯେ, ଏପରି କମ୍ପାନୀ ଗୁଡ଼ିକ ନିୟମର ଗମ୍ଭୀରତାକୁ ପାଳନ କରିବା ଉଚିତ । ସେମାନେ ଗ୍ରାହକଙ୍କ ସ୍ବାର୍ଥକୁ ରକ୍ଷା କରିବା ଉଚିତ । ପେଟିଏମର ନାଁ ନ ନେଇ ଏପରି କହିଛନ୍ତି ଶକ୍ତିକାନ୍ତ ଦାସ । ଏହାସହ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ, ପେଟିଏମକୁ ପର୍ଯ୍ୟାପ୍ତ ସମୟ ଦିଆଯାଇଥିଲା । କିନ୍ତୁ ସେ ନିୟମ ପାଳନ କରୁ ନଥିବାରୁ ତା ବିରୋଧରେ କାର୍ଯ୍ୟାନଷ୍ଠାନ ନିଆଯାଇଥିଲା ।

ନିୟମାବଳୀ ଅଧୀନରେ ଆସୁଥିବା କମ୍ପାନୀଗୁଡ଼ିକ ସହିତ ଆରବିଆଇ ସବୁବେଳେ ଦ୍ବିପାକ୍ଷିକ କାର୍ଯ୍ୟକଳାପ ଉପରେ ଗୁରୁତ୍ବ ଦେଇଥାଏ । ଆମର ଆଶା ଥାଏ କମ୍ପାନୀ ସଠିକ୍ ନିଷ୍ପତ୍ତି ନେବ । ଯେତେବେଳେ ବି କୌଣସି ବ୍ୟାଙ୍କ NBFC ନିୟମ ଅନୁସାରେ ସଠିକ ନିଷ୍ପତ୍ତି ନେଇ ନଥାଏ ଆମେ ତା’ ଉପରେ ରୋକ୍ ଲଗାଇଥାଉ ।

ଆମେରିକା ଆକ୍ରମଣରେ କାତାଏବ ହେଜବୁଲ୍ଲର କମାଣ୍ଡର ମୃତ

ଓ୍ବାସିଂଟନ: ଆମେରିକା ଆକ୍ରମଣରେ ଇରାନ ସମର୍ଥିତ ଆତଙ୍କବାଦୀ ସଂଗଠନ କାତାଏବ ହେଜବୁଲ୍ଲାର ଜଣେ କମାଣ୍ଡର ଆବୁ ବାଗିର ଅଲ-ସାଦିଙ୍କ ମୃତ୍ୟୁ । ଆମେରିକୀୟ ସୈନ୍ୟଙ୍କ ଉପରେ ହୋଇଥିବା ଆକ୍ରମଣ ପ୍ରତିବାଦରେ ଇରାକ ସ୍ଥିତ ସଂଗଠନର ଆଡ୍ଡା ସ୍ଥଳୀ ଉପରେ ଆକ୍ରମଣ କରିଥିଲା ଆମେରିକା ।

ଆମେରିକା ମିଲିଟାରୀ ପକ୍ଷରୁ କୁହାଯାଇଛି, ଆମେରିକୀୟ ବାହିନୀ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ସିଧାସଳଖ ସମ୍ପୃକ୍ତ ଥିଲା ହେଜବୁଲ୍ଲା କମାଣ୍ଡର ।  ବାଗଦାଦର ପୂର୍ବାଞ୍ଚଳରେ ଏକ ଗାଡି ଉପରେ ଆମେରିକୀୟ ଡ୍ରୋନ ଆକ୍ରମଣରେ ତା’ର ମୃତ୍ଯୁ ଘଟିଥିଲା । ଇରାକର ପପୁଲାର ମୋବିଲାଇଜେସନ ଫୋର୍ସର ଏହି ଗାଡିରେ ସେ ଯାଉଥିବାବେଳେ ଆକ୍ରମଣ କରିଥିଲେ ଆମେରିକୀୟ ବାହିନୀ ।

ସେପଟେ ପ୍ରାୟ ସାଢେ ଚାରିମାସର ଯୁଦ୍ଧ ପରେ ଅସ୍ତ୍ରବିରତି ପ୍ରସ୍ତାବ ଦେଇଛି ହମାସ । କତାର ଓ ଇଜିପ୍ଟର ମଧ୍ୟସ୍ଥତାରେ ଏହି ପ୍ରସ୍ତାବ ଦିଆଯାଇଛି । ଅସ୍ତ୍ରବିରତି ନେଇ ଆମେରିକା ଓ ଇସ୍ରାଏଲ ଏହି ପ୍ରସ୍ତାବ ଉପରେ ବିଚାର ବିମର୍ଶ କରୁଥିବା ସୂଚନା ମିଳିଛି । ଅସ୍ତ୍ରବିରତି ଯୋଜନାରେ କତାର, ଇଜିପ୍ଟ, ତୁର୍କୀ, ଋଷ ଓ ଜାତିସଂଘ ଗ୍ଯାରେଣ୍ଟର ରହିବେ ବୋଲି କହିଛନ୍ତି ହମାସ ନେତା ମହମ୍ମଦ ନାଜାଲ ।

ପୁଣି ତେଜିଲା କୃଷକ ଆନ୍ଦୋଳନ, ଏକାଠି ହେଲେ ଚାଷୀ

ନୂଆଦିଲ୍ଲୀ: ପୁଣି ତେଜିଲା କୃଷକ ଆନ୍ଦୋଳନ। ନୋଏଡା ଓ ଗ୍ରେଟର ନୋଏଡାରେ ଏକତ୍ରିତ ହୋଇଛନ୍ତି ଚାଷୀ। ସରକାରଙ୍କ ପକ୍ଷରୁ ଅଧିଗ୍ରହଣ କରାଯାଇଥିବା ଜମିର ଉଚିତ ମୂଲ୍ଯ ସହ ଅନ୍ଯାନ୍ଯ ଦାବି କରିଛନ୍ତି ଆନ୍ଦୋଳନକାରୀ। ସଂସଦ ଭବନ ଆଡକୁ ଚାଷୀ ଅଗ୍ରସର ହେଉଥିବା ବେଳେ ଦିଲ୍ଲୀ-ନୋଏଡା ସୀମାରେ ସୁରକ୍ଷା ବ୍ଯବସ୍ଥା କଡ଼ାକଡି ହୋଇଛି।

ଟ୍ରାଫିକ ପୋଲିସ ଆଲର୍ଟ ରହିଥିବା ବେଳେ ସୀମାରେ ବହୁ ସଂଖ୍ଯାରେ ପୋଲିସ ମୁତୟନ ହୋଇଛନ୍ତି। ଐତିହାସିକ ଚାଷୀ ଆନ୍ଦୋଳନର ୩ବର୍ଷ ପରେ ପୁଣି ଥରେ ବିଭିନ୍ନ ପ୍ରସଙ୍ଗରେ ତାତିଛନ୍ତି ଚାଷୀ। ଦିଲ୍ଲୀରେ ଯେପରି ଚାଷୀମାନେ ପ୍ରବେଶ କରିପାରିବେ ନାହିଁ ସେଥିଲାଗି ବିଭିନ୍ନ ସ୍ଥାନରେ ବ୍ଯାରିକେଡ ଲଗାଇଛି ପୋଲିସ।

ସେପଟେ ଆନ୍ଦୋଳନକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ଜାରି ହୋଇଛି ଟ୍ରାଫିକ ଆଡଭାଇଜରୀ। ଏନଏଚ-୯, ସର୍ଭିସ୍ ଲେନ୍ ଏବଂ ଦିଲ୍ଲୀ-ମିରଟ ଏକ୍ସପ୍ରେସୱେରେ ଚକା ଜାମ କରାଯାଇଛି। ନଗର ନିଗମ ଟୋଲ ପାଖରେ ମଧ୍ଯ ଜାମ ଲାଗିଛି। କମର୍ସିଆଲ ଏବଂ ସାଧାରଣ ଗାଡ଼ି ମଧ୍ୟ ନିଜ ଲେନରେ ଚାଲି ପାରୁନାହାନ୍ତି। ଚାଷୀ ଆନ୍ଦୋଳନ ଯୋଗୁ ଅନ୍ୟାନ୍ୟ ସଡ଼କ ଉପରେ ଯାତାୟତରେ ପ୍ରତିବନ୍ଧ ଲାଗିବା ଦ୍ଵାରା ସେକ୍ଟର-୧୬ ରଜନୀଗନ୍ଧା ଛକଠାରୁ DND ପର୍ଯ୍ୟନ୍ତ ଟ୍ରାଫିକ ଜାମ ସ୍ଥିତି ରହିଛି। ଫଳରେ ନୋଏଡାରୁ ଦିଲ୍ଲୀ ଯିବା ପାଇଁ ସମସ୍ଯା ଭୋଗୁଛନ୍ତି ଯାତ୍ରୀ। ଚାଷୀ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଦିଲ୍ଲୀ-ନୋଏଡା ବର୍ଡରରେ ସୁରକ୍ଷା ବୃଦ୍ଧି କରାଯାଇଛି। ସୀମାରେ ଧାରା ୧୪୪ ଲାଗିଛି। ସମସ୍ତ ଗାଡ଼ିର ଯାଞ୍ଚ ଚାଲିଛି।

କେନ୍ଦ୍ର ସରକାରଙ୍କ ଶ୍ବେତ ପତ୍ର ବନାମ କଂଗ୍ରେସର କଳା ପତ୍ର, ଜାଣନ୍ତୁ ପୂରା ଘଟଣା…

ନୂଆଦିଲ୍ଲୀ: ଶ୍ବେତ ପତ୍ର ବନାମ କୃଷ୍ଣ ପତ୍ର । କେନ୍ଦ୍ର ସରକାର ଗତ ୧୦ ବର୍ଷର ଶାସନକୁ ନେଇ ଶ୍ବେତ ପତ୍ର ଆଣିବାକୁ ଯାଉଥିବାବେଳେ କଂଗ୍ରେସ ତାକୁ କାଉଣ୍ଟର କରି ବ୍ଲାକ ପେପର ଆଣିବାକୁ ଘୋଷଣା କରିଛି । କେନ୍ଦ୍ର ସରକାର ନିଜ ପ୍ରଦର୍ଶନ ବଖାଣିବା ପାଇଁ ଶ୍ବେତ ପତ୍ର ଆଣୁଛନ୍ତି । କଂଗ୍ରେସ କିନ୍ତୁ ଏହାକୁ ବିରୋଧ କରି ବ୍ଲାକ ପେପର ଉପସ୍ଥାପନ କରିବ ବୋଲି କହିଛି ।

କେନ୍ଦ୍ର ସରକାର ସବୁବେଳେ ନିଜ ପ୍ରଦର୍ଶନ ଉପରେ ଗାଇ ବୁଲୁଥିବାବେଳେ ବିଫଳତା ନେଇ ପୂରା ଚୁପ । ବେରୋଜଗାରୀ, ଦରବୃଦ୍ଧି, ଚାଷୀ ସମସ୍ଯାର ସମାଧାନ ନାହିଁ । ଏହି ସବୁ ବିଫଳତାକୁ ନେଇ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ବ୍ଲାକ ପେପର ଆଣିବେ ବୋଲି କହିଛନ୍ତି । ସଂସଦ ହେଉ କିମ୍ବା ସଭାମଞ୍ଚ ସବୁଠି କେନ୍ଦ୍ର ସରକାର ନିଜ ସଫଳତାର ପ୍ରଚାର କରିଥାନ୍ତି । ସବୁଠି କେବଳ କଂଗ୍ରେସ ବିଷୟରେ ଆଲୋଚନା କରିଥାନ୍ତି ।

ସେପଟେ ବିଜେପି ପ୍ରତିକ୍ରିୟା ଦେଇ କହିଛି, ଶ୍ବେତ ପତ୍ରରେ କେନ୍ଦ୍ର ସରକାର ଗତ ୧୦ ବର୍ଷର ଆର୍ଥିକ ବିକାଶକୁ ଉପସ୍ଥାପନ କରିବେ । କିପରି ୟୁପିଏ ସରକାର ଯିବା ପରେ ଦେଶରେ ସ୍ଥିତି ବଦଳିଛି ସେ ନେଇ ଶ୍ବେତ ପତ୍ରରେ ଦର୍ଶାଯାଇଛି ବୋଲି ବିଜେପି କହିଛି ।

ପାକିସ୍ତାନରେ ଆଜି ଚାଲୁନି ମୋବାଇଲ, ଜାଣନ୍ତୁ କାହିଁକି ?

ଇସଲାମାବାଦ: ପାକିସ୍ତାନରେ ଚାଲିଛି ଭୋଟିଂ । ଇମ୍ରାନ ଖାନ୍ ଜେଲରେ ଥିବାରୁ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ୍ ସରିଫ ରେସରେ ଆଗରେ ରହିଛନ୍ତି । ଭୋଟ ଜାରି ରହିଥିଲାବେଳେ ପାକିସ୍ତାନରେ କିନ୍ତୁ ହାହାକାର ଦେଖାଯାଇଛି । ପାକିସ୍ତାନର ଲୋକମାନେ ଚାହିଁଲେ ବି ମୋବାଇଲ୍ ବ୍ୟବହାର କରିପାରୁ ନାହାନ୍ତି। ଏହାର କାରଣ ହେଉଛି ସେଠାରେ ମୋବାଇଲ୍ ସେବାରେ ପ୍ରତିବନ୍ଧକ ଲଗାଯାଇଛି ।

ସୂଚନା ଅନୁସାରେ, ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପାକିସ୍ତାନ ମନ୍ତ୍ରଣାଳୟ ସାମୟିକ ଭାବେ ମୋବାଇଲ୍ ସେବା ବନ୍ଦ ରଖିଛି । ମନ୍ତ୍ରଣାଳୟର କହିବା ଅନୁସାରେ, ନିର୍ବାଚନ ପୂର୍ବରୁ ଆତଙ୍କବାଦୀ ଆକ୍ରମଣ ହେବା ଆଶଙ୍କା କରି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । କେବଳ ଏତିକି ନୁହେଁ ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ସମର୍ଥନଙ୍କୁ ନିର୍ବାଚନ ଫଳାଫଳ ଘୋଷଣା ନ ହେଲା ଯାଏ ମତଦାନ କେନ୍ଦ୍ର ଆଗରେ ଠିଆ ହେବାକୁ କହିଥିଲେ । ଏହି କାରଣରୁ ମୋବାଇଲ ସେବା ବନ୍ଦ ରଖାଯାଇଛି ।

ଗତକାଲି ପାକିସ୍ତାନରେ ଦୁଇଟି ବିସ୍ଫୋରଣ ହୋଇ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଏଥିପାଇଁ ନେଟଓ୍ବର୍କ ବନ୍ଦ ରହିଛି । ଲୋକମାନେ ବାହାର ଦୁନିଆ ସହ କୌଣସି ବି ସମ୍ପର୍କରେ ନାହାନ୍ତି । ଆଜି ସକାଳ ୮ଟାରୁ ପାକିସ୍ତାନରେ ଆରମ୍ଭ ହୋଇଛି ମତଦାନ । ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦଳ ଏ ଥର ବହୁମତରେ ଜିତିବା ଆଶଙ୍କା କରାଯାଉଛି ।

ତାମିଲ ସିନେମା ଅଭିନେତ୍ରୀଙ୍କୁ ମଦ ପାଇଁ ମାରିଦେଲା ପୁଅ

ନୂଆଦିଲ୍ଲୀ: ଭେଟେରାନ ଅଭିନେତ୍ରୀ କସମଲଙ୍କୁ ହତ୍ୟା କରାଯାଇଛି। ହତ୍ୟାକାରୀ ଆଉକେହି ନୁହେଁ ତାଙ୍କର ନିଜ ପୁଅ ପି ନାମକୋଡି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମଦ ପାଇଁ ଟଙ୍କା ନଦେବାରୁ ଉତକ୍ଷିପ୍ତ ହୋଇ ନିଜ ମା’ ତଥା ଅଭିନେତ୍ରୀ କସମଲଙ୍କୁ ବାଡିରେ ପିଟିପିଟି ହତ୍ୟା କରିଛି ପୁଅ। ଅଭିନେତ୍ରୀଙ୍କ ଯନ୍ତ୍ରଣାଦାୟକ ମୃତ୍ୟୁକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ସୂଚନା ଅନୁଯାୟୀ, ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ତାମିଲ ଚଳଚ୍ଚିତ୍ର ‘କାଦାଇସି ଭିଭାସାଇ’ ପାଇଁ ବେଶ ଲୋକପ୍ରିୟ ହୋଇଥିଲେ କସମଲ । ଏହି ଚଳଚ୍ଚିତ୍ରରେ ବିଜୟ ସେଥୁପତୀ ଏବଂ ଯୋଗୀ ବାବୁ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଏମ.ମାଣିକନ୍ଦାନୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ କସମଲ ବିଜୟ ସେଥୁପାତୀଙ୍କ ମା ଭୂମିକାରେ ଅଭିନୟ କରିଥିଲେ।

 ଖବର ଅନୁଯାୟୀ, ଏହି ଘଟଣା ମଦୁରାଇ ସହରର ଉସିଲାମପଟୀ ନିକଟ ଅନାୟୁରରେ ଘଟିଥିଲା। ଏହି ଅଭିନେତ୍ରୀଙ୍କ ମୃତ୍ୟୁ ଫେବୃଆରୀ ୪ ତାରିଖରେ ହୋଇଥିଲା।  ପୋଲିସ ଏହି ମାମଲାରେ କସମଲଙ୍କ ପୁଅକୁ ଗିରଫ କରିଛି। ସେ ପୋଲିସ ହେପାଜତରେ ଅଛନ୍ତି। ଏହା ସହିତ ହତ୍ୟାରେ ବ୍ୟବହୃତ ସାମଗ୍ରୀ ମଧ୍ୟ ଜବତ କରାଯାଇଛି।

ପୋଲିସ ରିପୋର୍ଟ ଅନୁଯାୟୀ କସମଲ ଏବଂ ପି ନାମକୋଡିଙ୍କ ମଧ୍ୟରେ ଟଙ୍କା ପଇସାକୁ ନେଇ ବିବାଦ ଲାଗି ରହୁଥିଲା । ମଦ ପିଇବା ପାଇଁ ଟଙ୍କା ଦେବାକୁ ମନା କରିଦେଇଥିଲେ କସମଲ। ଯାହାପରେ ରାଗି ଯାଇ ମା’କୁ ମାରିବାକୁ ପଛାଇନଥିଲା ପୁଅ । ଏହି ଘଟଣା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିନେତ୍ରୀଙ୍କ ମୃତଦେହକୁ ଜବତ କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଥିଲା।

 

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା; ତୀର୍ଥରେ ବାହାରିଲେ ୬ ଜିଲ୍ଲାର ବରିଷ୍ଠ ନାଗରିକ

ଭୁବନେଶ୍ୱର: ବରିଷ୍ଠ ନାଗରିକଙ୍କୁ ଆଧ୍ଯାତ୍ମିକ ଯାତ୍ରାର ଦିବ୍ଯ ଅନୁଭୂତି । ରାଜ୍ଯ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଆଜି ତୀର୍ଥଯାତ୍ରାରେ ଯାଉଛନ୍ତି ୬ ଜିଲ୍ଲାର ବରିଷ୍ଠ ନାଗରିକ । ପୁରୀ, କଟକ, ଢେଙ୍କାନାଳ, ଖୋର୍ଦ୍ଧା, ଜଗତସିଂପୁର ଓ କେନ୍ଦ୍ରାପଡା ଜିଲ୍ଲାର ୯୬୦ ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରାରେ ବାହାରିଛନ୍ତି ।

ସମସ୍ତେ ଭୁବନେଶ୍ବର ରେଳ ଷ୍ଟେସନରୁ ତିରୁପତି-ଭେଲୋର ଅଭିମୁଖେ ସ୍ବତନ୍ତ୍ର ଟ୍ରେନରେ ଯାତ୍ରା ଆରମ୍ଭ କରିଛନ୍ତି । ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ତୀର୍ଥଯାତ୍ରାର ଶୁଭାରମ୍ଭ କରିଛନ୍ତି । ୫ ଦିନିଆ ତୀର୍ଥଯାତ୍ରାରର ସବୁ ଖର୍ଚ୍ଚ ବହନ କରୁଛନ୍ତି ରାଜ୍ୟ ସରକାର ।

୨୦୧୬ ମସିହାରୁ ତୀର୍ଥଯାତ୍ରା ଯୋଜନା ଆରମ୍ଭ ହୋଇଥିବାବେଳେ ଏଯାଏ ପ୍ରାୟ ୨୭ ହଜାର ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଦିବ୍ଯ ଅନୁଭୂତି ଲାଭ କଲେଣି। ଆଜି ୨୮ ତମ ପର୍ଯ୍ୟାୟରେ ସମସ୍ତେ ତୀର୍ଥ ଯାତ୍ରାରେ ଯାଇଛନ୍ତି।ଏଭଳି ସୁଯୋଗ ଦେଇଥିବାରୁ ମୁଖ୍ଯମନ୍ତ୍ରୀଙ୍କୁ ତୀର୍ଥଯାତ୍ରୀମାନେ କୃତଜ୍ଞତା ଜଣାଇଛନ୍ତି।